କୂଳରେ ବସିଥିବା ଲୋକ

ଗଲା ଶତାବ୍ଦୀର ଅଷ୍ଟମ ଦଶକରେ ଭାରତ ଗସ୍ତରେ ଆସିଥିବା ଦୁର୍ଦ୍ଧର୍ଷ େଵଷ୍ଟ୍‌ଇଣ୍ତିଜ କ୍ରିକେଟ୍‌ ଦଳର ଘାତକ ଦ୍ରୁତ ବୋଲର ମାଲକମ୍‌ ମାର୍ଶାଲଙ୍କ ବୋଲି˚ରେ ପ୍ରଥମ ଟେଷ୍ଟ୍‌ର ଦୁଇଟିଯାକ ଇନି˚ସ୍‌ରେ ବିଶ୍ବ ପ୍ରସିଦ୍ଧ ଭାରତୀୟ ଓପନର‌୍‌ ସୁନୀଲ ଗାଭାସ୍କର ଶୋଚନୀୟ ଭାବେ ମାଟି କାମୁଡ଼ିବା ପରେ ଯେତେବେଳେ କ୍ରିକେଟ୍‌ ଭାଷ୍ୟକାରମାନେ ତାଙ୍କୁ ସମାଲୋଚନାମୂଳକ ପରାମର୍ଶମାନ ପ୍ରଦାନ କରିଥିଲେ, ଗାଭାସ୍କର ସେତିକି ବେଳେ କହିଥିଲେ ଯେ ‘ଏହା ହେଉଛି କୂଳରେ ବସି ନଈରେ ପହଁରୁଥିବା ଲୋକକୁ ଉପଦେଶ ଦେବା ସହ ସମତୁଲ। ଏହି ବାକ୍ୟରେ ନିହିତ ଥିବା ଇଙ୍ଗିତର ଅର୍ଥ ହେଉଛି ଭୁକ୍ତଭୋଗୀ ହିଁ ଜାଣେ ଯେ କରିବା ଓ କହିବା ମଧୢରେ ବ୍ୟବଧାନ କେତେ ଅଧିକ! ଗାଭାସ୍କରଙ୍କ ଉପରୋକ୍ତ ଉକ୍ତି ଆଧାରରେ ଯଦି ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ପାଇବାକୁ ଅପେକ୍ଷା କରିଥିବା ଚାରି ଦୋଷୀଙ୍କୁ କ୍ଷମା କରିଦେବା ଲାଗି ନିର୍ଭୟାଙ୍କ ମା’ ଆଶା ଦେବୀଙ୍କୁ ବରିଷ୍ଠ ସୁପ୍ରିମ୍‌କୋର୍ଟ ଓକିଲ ଇନ୍ଦିରା ଜୟସି˚ହଙ୍କ ପରାମର୍ଶ ବିଷୟରେ ଆଲୋଚନା କରିବା ତେବେ କହିପାରିବା ଯେ ସେ ନଈ କୂଳର ନିରାପତ୍ତାରୁ ଉତ୍ତାଳ ନଈରେ ପହଁରୁଥିବା ଲୋକକୁ ଅଯାଚିତ ପରାମର୍ଶ ଦେଉଥିବା ଲୋକଙ୍କ ଭିତରୁ ଜଣେ। ପ୍ରକାଶ ଥାଉ କି ଗଲା ଶନିବାର ଦିନ ଇନ୍ଦିରା ଏକ ଟ୍ବିଟ୍‌ ଜରିଆରେ ଆଶା ଦେବୀଙ୍କୁ ପରାମର୍ଶ ଦେଇଥିଲେ ଯେ ସୋନିଆ ଗାନ୍ଧୀଙ୍କ ପଦବ୍ରଜ ଅନୁସରଣ କରି ଫାଶୀ ଦଣ୍ତାଦେଶ ପାଇଥିବା ବଳାତ୍କାରୀମାନଙ୍କୁ ସେ କ୍ଷମା କରିଦିଅନ୍ତୁ। ପାଠକ-ପାଠିକାମାନଙ୍କ ସ୍ମରଣରେ ଥାଇପାରେ କି ୧୯୯୧ ମସିହାରେ ସନ୍ଦିଗ୍‌ଧ ଏଲ୍‌.ଟି.ଟି.ଇ. ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ତାଦେଶ ପାଇଥିବା ଅଭିଯୁକ୍ତମାନଙ୍କୁ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀ କ୍ଷମା ପ୍ରଦାନ କରିଥିଲେ। ତେବେ, କହିବା ବାହୁଲ୍ୟ ଯେ ଏ ପରିପ୍ରେକ୍ଷୀରେ ଇନ୍ଦିରାଙ୍କ ଏଭଳି ଧୃଷ୍ଟତାକୁ ନିର୍ଭୟାଙ୍କ ମା’ ପ୍ରଶ୍ନ କରିବା ସହ ଆଉ ଯାହା କହିଛନ୍ତି ତାହା ହେଲା, ‘ଇନ୍ଦିରାଙ୍କ ଭଳି ମନୋଭାବଧାରୀ ବା ଧାରିଣୀଙ୍କ ଯୋଗୁ ବଳାତ୍କାରୀମାନେ ସାହସ ପାଉଛନ୍ତି।’ ଏ ସ˚ଦର୍ଭର ଏହି ସ୍ତମ୍ଭରେ କିଞ୍ଚିତ୍‌ ଆଲୋଚନା କରାଯାଇପାରେ।

ଏଥିରେ ଦ୍ବିମତ ହେବାର ନାହିଁ ଯେ ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ରାଷ୍ଟ୍ର ଦ୍ବାରା ଜଣେ ଅଭିଯୁକ୍ତକୁ ତାର ନ୍ୟାୟୋଚିତ ବିଚାର ଲାଗି ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ଓ ସୁଯୋଗଗୁଡ଼ିକୁ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ସମସ୍ତ ଅଭିଯୁକ୍ତ ସ˚ପୂର୍ଣ୍ଣ ଭାବେ ଉପଯୋଗ କରିସାରିଛନ୍ତ। ଏକ ‘ଫାଷ୍ଟ୍ ଟ୍ରାକ୍‌’ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ତ ପାଇବା ପରେ ଏହି ଦଣ୍ତାଦେଶ ବିଭିନ୍ନ ସ୍ତରର ବିଚାର ଓ ପୁନର୍ବିଚାର ପ୍ରକ୍ରିୟା ଦେଇ ଯାଇ ପରିଶେଷରେ ସ‌େର୍ବାଚ୍ଚ ଅଦାଲତର ଚୂଡ଼ାନ୍ତ ସ୍ବୀକୃତି ପାଇଛି। ତାର ପରବର୍ତ୍ତୀ ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଭିକ୍ଷା; ହାସ୍ୟାସ୍ପଦ କାରଣ (ଦିଲ୍ଲୀର ଉଦ୍‌ବେଗଜନକ ବାୟୁ ପ୍ରଦୂଷଣରେ ସାଧାରଣ ଦିଲ୍ଲୀ ବାସିନ୍ଦା ସ୍ବଳ୍ପାୟୁଷୀ ହୋଇପଡ଼ୁଥିବା କାରଣରୁ ମୃତ୍ୟୁଦଣ୍ତ ଆପତତଃ ନିରର୍ଥକ) ଦର୍ଶାଇ ମୃତ୍ୟୁଦଣ୍ତରୁ ମୁକ୍ତି ଲାଗି ଆବେଦନ; ରାଜକ୍ଷମା ଲାଗି ଆବେଦନ ଇତ୍ୟାଦି ଜରିଆରେ ଚାରି ଜଣଯାକ ଦୋଷୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ପରିପ୍ରେକ୍ଷୀରେ ଆମ ନ୍ୟାୟିକ ବ୍ୟବସ୍ଥା ଅପାର ଧୈର୍ଯ୍ୟ ପ୍ରଦର୍ଶନ କରି ସେ ସବୁକୁ ଶୁଣାଣି ଲାଗି ଗ୍ରହଣ କରିଛି; ଏବ˚ ଏଭଳି କାରଣରୁ ବିଚାର ପ୍ରକ୍ରିୟାରେ ଅହେତୁକ ବିଳମ୍ବ ମଧୢ ଘଟିଛି। (ଫାଷ୍ଟ୍‌ଟ୍ରାକ୍‌ ଅଦାଲତରେ ବିଚାର କରାଯାଇଥିବା ସତ୍ତ୍ବେ ସାତ ବର୍ଷରୁ ଅଧିକ କାଳ ଲାଗିଛି)। ଏପରି କି ଜାନୁୁଆରି ୨୨ ତାରିଖ ସକାଶେ ଅଦାଲତ ଦ୍ବାରା ଜାରି କରାଯାଇଥିବା ‘ମୃତ୍ୟୁ ପରୁଆନା’କୁ ମଧୢ ନାକଚ କରାଯାଇ ତାକୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଛି। ଏହା ପଛରେ ରହିଥିବା ମୂଳ ଉଦ୍ଦେଶ୍ୟ କେବଳ ଗୋଟିଏ; ଯାହା ହେଉଛି ଯେମିତି କୌଣସି ଧାରଣା ସୃଷ୍ଟି ନ ହୁଏ ଯେ ସେମାନଙ୍କୁ ନ୍ୟାୟ ପ୍ରାପ୍ତିର କିଞ୍ଚିତ୍‌ତମ ସୁଯୋଗରୁ ମଧ୍ୟ ବଞ୍ଚିତ କରାଯାଇ ତରବରିଆ ଭାବେ ଫାଶୀ ଦେଇ ଦିଆଗଲା। ବିରଳରୁ ବିରଳତମ ଜଘନ୍ୟ କାଣ୍ତ ଘଟାଇଥିବା ହେତୁ ଏ ଚାରି ଜଣଯାକ ଯେ ଭାରତର ନ୍ୟାୟିକ ବ୍ୟବସ୍ଥା ଦ୍ବାରା ବିଧିବଦ୍ଧ ରୂପେ ଦଣ୍ତ ଭୋଗିବାକୁ ଯାଉଛନ୍ତି; ଏ କଥା ଇନ୍ଦିରା ଜୟସି˚ହଙ୍କ ଠାରୁ ଅଧିକ ଭଲ ରୂପେ ଆଉ କିଏ ବା ଜାଣିଥିବ? ତଥାପି ସେ ଏହି ଦେଷୀମାନଙ୍କୁ କ୍ଷମା ପ୍ରଦାନ କରାଯାଉ ବୋଲି ଚାହାନ୍ତି କାହିଁକି? ଏହାର ଉତ୍ତର ଖୋଜିଲେ ବୋଧହୁଏ ଆମେ ଆଜିକୁ ତିରିଶ ବର୍ଷରୁ ଅଧିକ କାଳ ତଳେ ସୁନୀଲ ଗାଭାସ୍କରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଉପର ବର୍ଣ୍ଣିତ ମନ୍ତବ୍ୟ ନିକଟରେ ପହଞ୍ଚିବା ଯାହା କୂଳରେ ବସି ପହଁରା ବାବଦରେ ପରାମର୍ଶ ଦେଉଥିବା ବ୍ୟକ୍ତିବିଶେଷଙ୍କ ଲାଗି ଉଦ୍ଦିଷ୍ଟ ଥିଲା।

୨୦୧୫ ମସିହାରେ ‘ଆଟ୍‌ଲାଣ୍ଟିକ୍‌ ମନ୍‌ଥଲି’ର ଲେଖକ ଟି.ଏନ୍‌. କୋଟ୍‌ସ ଏକ ଟ୍ବିଟ୍‌ କରି କହିଥିଲେ ଯେ ‘ଏବେ ‘ଆଇଏସ୍‌ଆଇଏସ୍‌’ ଆତଙ୍କବାଦୀମାନଙ୍କ ଦ୍ବାରା ଗଳା କଟା ଯାଉଥିବା ସମୟରେ ମୁଁ ପାଶୋରି ଯାଇଛି ଯେ ମୁଁ ବି ଦିନେ ପ୍ରେମ ଓ କ୍ଷମା ନେଇ ଅଭିଯାନଗୁଡ଼ିକରେ ସାମିଲ ଥିଲି।’ ଏହି ସ˚ଦର୍ଭରେ ଶାନ୍ତି ଲାଗି ନୋବେଲ୍‌ ପୁରସ୍କାର ଲାଭ କରିଥିବା ଇସ୍ରାଏଲୀ ଲେଖକ ଏଲି ଵିଜେଲଙ୍କ ଉକ୍ତି ମଧ୍ୟ ମନେପଡ଼େ, ଯିଏ କହିଥିଲେ ଯେ ହିଟଲର୍‌ଙ୍କ ପ୍ରାୟୋଜିତ ଇହୁଦୀଙ୍କ ନରମେଧ ଯଜ୍ଞ ‘ହଲୋକୋଷ୍ଟ୍’କୁ କ୍ଷମା କରିଦେବା କଣ ସମ୍ଭବ? ତେବେ, ୨୦୧୨, ଡିସେମ୍ବର ୧୬ ତାରିଖ ରାତିରେ ନିର୍ଭୟା ଯେଉଁଭଳି ଅକଥନୀୟ ଯାତନା ଭିତର ଦେଇ ଗତି କରି ପରିଶେଷରେ ମୃତ୍ୟୁବରଣ କଲେ, ସେଭଳି ପରିସ୍ଥିତି ଠାରୁ ଯଥେଷ୍ଟ ନିରାପଦ ଦୂରତ୍ବରେ ରହି ତଥାକଥିତ ପରମ କ୍ଷମାଶୀଳ କାରୁଣିକଙ୍କ ଭଳି ଏକ ଉଚ୍ଚାସନରୁ ଉପଦେଶ ପ୍ରଦାନ କରିଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସି˚ହ ଏ କଥାକୁ ନଜରଅନ୍ଦାଜ କରିଦେଇଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଦୋଷୀ ଲାଗି ନ୍ୟାୟ ପ୍ରଦାନର ବ୍ୟବସ୍ଥା ମଧୢରେ କ୍ଷମା ପ୍ରଦାନର ଆଭିମୁଖ୍ୟ ନିହିତ ରହିଥାଏ। ସେହି କାରଣରୁ ଦିଲ୍ଲୀସ୍ଥିତ ‘ଜାତୀୟ ଆଇନ ବିଶ୍ବବିଦ୍ୟାଳୟ’ ଦ୍ବାରା ପ୍ରସ୍ତୁତ ବିଶଦ ଅନୁଶୀଳନମୂଳକ ପ୍ରୋଜେକ୍‌ଟ ରିପୋର୍ଟ ‘୩୯ ଏ’ରୁ ଜଣାପଡେ଼ ଯେ ୨୦୦୦ରୁ ୨୦୧୪ ମଧୢରେ ବିଭିନ୍ନ ଟ୍ରାଏଲ୍‌ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ୧୮୪୦ଟି ମୃତ୍ୟୁ ଦଣ୍ତାଦେଶ ଭିତରୁ ଅର୍ଧାଧିକ ସବୋର୍ଚ୍ଚ ଅଦାଲତରେ ଆଜୀବନ କାରାଦଣ୍ତକୁ ରୂପାନ୍ତରିତ ହୋଇଛି ଏବ˚ ୪୪୩ଟି ମାମଲାରେ ମୃତ୍ୟୁ ଦଣ୍ତ ପାଇଥିବା ଲୋକେ ଖଲାସ ହୋଇଛନ୍ତି।

ନିର୍ଭୟା ଗଣ ବଳାତ୍କାର ଘଟିଥିବା ସମୟରେ ଭାରତର ଲକ୍ଷ ଲକ୍ଷ ନାଗରିକଙ୍କ ଠାରେ ସୃଷ୍ଟି ହୋଇଥିବା ଆକ୍ରୋଶ ବା ମର୍ମଦାହ ଆଜି ଅର୍ଥାତ୍‌ ଘଟଣାର ଦୀର୍ଘ ୭ ବର୍ଷ ପରେ ନିଷ୍ପ୍ରଭ ହୋଇଯାଇଥିବା ସମ୍ଭବ, କିନ୍ତୁ ପୀଡ଼ିତାଙ୍କ ପରିବାର ନିକଟରେ ତାହା ସଦ୍ୟ କ୍ଷତ ତୁଲ୍ୟ ଯନ୍ତ୍ରଣାଦାୟକ ହୋଇ ରହିଥିବ। ସେଥିଲାଗି ନିର୍ଭୟାଙ୍କ ସମୟରେ ମହମବତି ବା ମଶାଲ ଶୋଭାଯାତ୍ରାରେ ବାହାରିଥିବା ଅନେକ ବ୍ୟକ୍ତି ଆଜି ହୁଏ’ତ ମୃତ୍ୟୁ ଦଣ୍ତର ଯୌକ୍ତିକତା ଉପରେ ବିତର୍କକୁ ମଧୢ ଓହ୍ଲାଇପାରନ୍ତି। ବିଳମ୍ବିତ ନ୍ୟାୟ କିଭଳି ବିଡ଼ମ୍ବିତ ହୋଇପାରେ; ଏହା ତ ତାର ଏକ ନିଦର୍ଶନ।

ଏ ପୃଥିବୀ ଇତିହାସରେ କେବଳ ଜଣେ ମାତ୍ର ବ୍ୟକ୍ତି ତାଙ୍କ ଦେହରେ ପିରକ କଣ୍ଟା ପିଟା ଯାଉଥିବା ସମୟରେ ଯନ୍ତ୍ରଣାରେ ଅଧୀର ହୋଇ ସୁଦ୍ଧା ନିର୍ଯାତକମାନଙ୍କୁ କ୍ଷମା କରିଦେବା ଲାଗି ପ୍ରାର୍ଥନା କରିଥିଲେ। ଏବେ ଯଦି ତାଙ୍କର ଦୃଷ୍ଟାନ୍ତ ଦେଖାଇ କୂଳରେ ବସିଥିବା ତଥାକଥିତ ଉଦାରବାଦୀମାନେ ପୀଡ଼ିତାମାନଙ୍କୁ ବି ପରାମର୍ଶ ଦିଅନ୍ତି ଯେ ସେମାନେ ବଳାତ୍କାରୀମାନଙ୍କୁ କ୍ଷମା ପ୍ରଦାନ କରନ୍ତୁ, ତେବେ ହୁଏତ ବିସ୍ମୟ ଅନୁଭୂତ ହୋଇ ନ ପାରେ।

ସମ୍ବନ୍ଧିତ ଖବର