ଗୋଟିଏ କଳା-ଧଳା ଫଟୋ

୧୯୬୭ ମସିହାରେ ଉତ୍ତୋଳନ କରାଯାଇଥିବା ଯେଉଁ କଳା-ଧଳା ଫଟୋଗ୍ରାଫ୍‌ଟିକୁ ଛାତିରେ ଚାପି ଧରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଭବିଷ୍ୟତ୍‌ର ସମୃଦ୍ଧ ପାକିସ୍ତାନର ସ୍ବପ୍ନ ଦେଖୁଛନ୍ତି, ତାହା ଯେ ନିଦ ଭାଙ୍ଗିଲା ମାତ୍ରକେ ଚୂନା ହୋଇଯିବ, ସେ କଥା ଆଉ କିଏ ଜାଣୁ ବା ନ ଜାଣୁ ପାକିସ୍ତାନର ଇତିହାସ ଉପରେ ନଜର ରଖିଥିବା ସମସ୍ତଙ୍କୁ ଜଣା। ସେହି ଫଟୋଗ୍ରାଫ୍‌ଟିରେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଆମେରିକୀୟ ରାଷ୍ଟ୍ରପତି ଲିଣ୍ତ୍‌ସେ ବି. ଜନସନଙ୍କୁ ପାକିସ୍ତାନ ମାଟିରେ ସ୍ବାଗତ ଜଣାଉଥିବା ବେଳେ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ଆୟୁବ ଖାଁ ଜନସନଙ୍କ ଗାଲକୁ ସସ୍ନେହ ଓ ସହାସ୍ୟ ମୃଦୁ ଚପେଟାଘାତ କରୁଥିବାର ଦୃଶ୍ୟ। ତାହା ଦର୍ଶାଇଥାଏ ଯେ ସେ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାକିସ୍ତାନର ସ˚ପର୍କ କିଭଳି ନିବିଡ଼ ଥିଲା। ଏବ˚ ଆଜି ଏହା ଅବିଶ୍ବାସ୍ୟ ଲାଗୁଥିଲେ ମଧୢ ସତ ଯେ ସେହି ସମୟରେ ପାକିସ୍ତାନର ଆର୍ଥିକ ଅଭିବୃଦ୍ଧିର ହାର, ମୁଣ୍ତ ପିଛା ଆୟ ଏବ˚ ସାମରିକ ପ୍ରଶିକ୍ଷଣ ଓ ଯୁଦ୍ଧାସ୍ତ୍ର ଆହରଣ ଆଦି ଭାରତ ତୁଳନାରେ ଥିଲା ଅନେକ ଆଗରେ। ତେଣୁ ସ୍ବିଜରଲାଣ୍ଡର ଡାଭୋସ ଠାରେ ଅନୁଷ୍ଠିତ ହେଉଥିବା ‘ଵର୍ଲଡ୍‌ ଇକୋନୋମିକ ଫୋରମ’ ଠାରେ ଇମରାନ ଖାଁ ସେହି ସୁବର୍ଣ୍ଣ ଷଷ୍ଠ ଦଶକ ଆଡ଼କୁ ଇଙ୍ଗିତ କରି ଭବିଷ୍ୟତ୍‌ର ପାକିସ୍ତାନକୁ ପୁଣି ସେଇଭଳି ଭାବେ ଗଢ଼ି ତୋଳିବା ଲାଗି ଯେତେବେଳେ ନିଜର ସ˚କଳ୍ପ ପ୍ରକାଶ କଲେ, ସେତିକି ବେଳେ ସେ କେବଳ ଏହା ପ୍ରମାଣ କରି ନ ଥିଲେ ଯେ ସେ ଇତିହାସର ଜଣେ ଅଧମ ଛାତ୍ର ହୋଇଥିବା ସହିତ ଇତିହାସକୁ ବ୍ୟାଖ୍ୟା କରିବାର ସାମର୍ଥ୍ୟ ମଧ୍ୟ ତାଙ୍କ ଠାରେ ଅନୁପସ୍ଥିତ। ତେବେ, ଏଭଳି ଏକ ଧାରଣା ସୃଷ୍ଟି ହେବାର କାରଣ କ’ଣ, ସେ ସ˚ପର୍କରେ ଏକ ସ˚କ୍ଷିପ୍ତ ଆଲୋଚନା କରାଯାଇପାରେ।

୧୯୫୮ରୁ ୧୯୬୯ ମସିହା ପର୍ଯ୍ୟନ୍ତ ପାକିସ୍ତାନର ଏହି ତଥାକଥିତ ସୁବର୍ଣ୍ଣ ଯୁଗ ଦେଖିବାକୁ ମିଳିଥିଲା ଏକଛତ୍ରବାଦୀ ସାମରିକ ଶାସକ ଜେନେରାଲ ଆୟୁବ ଖାଁଙ୍କ ରାଷ୍ଟ୍ରପତିତ୍ବ କାଳରେ। ତାଙ୍କ ସମୟରେ ପାକିସ୍ତାନର ଆଖି ଝଲସା ଆର୍ଥିକ ଅଭିବୃଦ୍ଧି ତାକୁ ଅନ୍ୟତମ ‘ଏସୀୟ ବ୍ୟାଘ୍ର’ ରୂପେ ମଧୢ ପରିଚିତ କରାଇଥିଲା। କିନ୍ତୁ ଏହା ଯେଉଁ ମାର୍ଗରେ ସମ୍ଭବ ହୋଇଥିଲା, ତାହା ହିଁ ପ୍ରଣିଧାନଯୋଗ୍ୟ। କାରଣ, ଆୟୁବ ଖାଁ ତାଙ୍କ ଶାସନ କାଳରେ ପାକିସ୍ତାନ ନାମକ ଏକ ସାର୍ବଭୌମ ରାଷ୍ଟ୍ରକୁ ଯୁକ୍ତରାଷ୍ଟ୍ର ଆମେରିକାଠାରେ ପ୍ରାୟ ସ˚ପୂର୍ଣ୍ଣ ରୂପେ ବିକ୍ରି କରି ଦେଇଥିଲେ। ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍‌ ରୁଷିଆର ଶକ୍ତି ସହିତ ଭାରସାମ୍ୟ ରକ୍ଷା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପାକିସ୍ତାନ ଏକ ଉପନିବେଶରେ ପରିଣତ ହୋଇଥିଲା। ଏବ˚ ଆମେରିକାର ଅନୁଗ୍ରହରୁ ‘ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ’ ଆଦି ଭଳି ବିଭିନ୍ନ ସ୍ରୋତରୁ ମିଳୁଥିବା ଅପରିମେୟ ଅର୍ଥକୁ ପାକିସ୍ତାନ ଯୁଦ୍ଧାସ୍ତ୍ର କ୍ରୟ କରିବା ଏବ˚ ଉଦ୍ୟୋଗ ସ୍ଥାପନ ଜରିଆରେ ସ˚ପଦ ସୃଷ୍ଟି କରିବାରେ ନିୟୋଜିତ କରିଥିଲା। କୁହାଯାଏ ଯେ ସେହି କାଳରେ ଆୟୁବ ଖାଁଙ୍କ ଶ୍ରଦ୍ଧାଭାଜନ ୨୨ଟି ଉଦ୍ୟୋଗ ପରିବାର ଯେତିକି ସ˚ପଦ ଆହରଣ କରିପାରିଥିଲେ, ତାହା ଥିଲା ୯୦% ଅବଶିଷ୍ଟ ପାକିସ୍ତାନୀଙ୍କ ସ˚ପତ୍ତିଠାରୁ ଅଧିକ। କୁହାଯାଇଥାଏ, ସେହି ସମୟରେ କୁଆଡେ଼ କରାଚିରେ ଗଢି ଉଠିଥିବା ‘ନାଇଟ୍‌ କ୍ଲବ୍‌’ମାନଙ୍କରେ ଉଦାରବାଦୀ ଧନାଢ଼୍ୟ ମୁସଲମାନମାନେ ଯେଉଁଭଳି ଅର୍ଥ ବ୍ୟୟ କରୁଥିଲେ, ତାହା ଥିଲା ତତ୍କାଳୀନ ଭାରତ ଲାଗି ଅବାସ୍ତବ।

କିନ୍ତୁ ଏହା ମଧୢ ସତ ଯେ ସେହି ଦଶକଟି ବି ଥିଲା ଏକ ଉଦ୍ଧତ ପାକିସ୍ତାନର ଅଧୋପତନର ବେଳ। ୧୯୬୨ରେ ଚୀନ୍‌ ଆକ୍ରମଣର ତିକ୍ତ ଅନୁଭୂତି ସହିତ ଏକ ଅବସନ୍ନ ଭାରତ ଜୁଝୁଥିବା ବେଳେ ୧୯୬୫ରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ତଥା ସାମରିକ କୌଶଳରେ ସମୃଦ୍ଧ ପାକିସ୍ତାନ ଦ୍ବାରା ଆକ୍ରମଣର ଶିକାର ହୋଇଥିଲା। ତେବେ, ଏ ଯୁଦ୍ଧରେ ପାକିସ୍ତାନର ପରାଜୟ ସହିତ ହିଁ ସୂତ୍ରପାତ ହୋଇଥିଲା ପାକିସ୍ତାନର ଅବକ୍ଷୟର ଧାରା। ଏହାପରେ ୧୯୭୧ରେ ଜେନେରାଲ ୟାହ୍ୟା ଖାଁ(ଆୟୁବ ଖାଁଙ୍କ ପରବର୍ତ୍ତୀ ସାମରିକ ଏକଛତ୍ରବାଦୀ ଶାସକ)ଙ୍କ ଶାସନ କାଳରେ ପୂର୍ବ ପାକିସ୍ତାନ ପଶ୍ଚିମ ପାକିସ୍ତାନରୁ ବିଚ୍ଛିନ୍ନ ହୋଇ ବା˚ଲାଦେଶରେ ପରିଣତ ହେଲା ଏବ˚ ସେଇ ପ୍ରକ୍ରିୟାରେ ବା˚ଲାଦେଶର ମୁକ୍ତିଯୋଦ୍ଧା ବାହିନୀକୁ ସହାୟତା ପ୍ରଦାନ କରୁଥିବା ଭାରତୀୟ ସେନା ଦ୍ବାରା ପାକିସ୍ତାନ ସେନା ବିଧ୍ବସ୍ତ ହୋଇ ଆତ୍ମସମର୍ପଣ କରିଥିଲା। ଉଲ୍ଲେଖଯୋଗ୍ୟ କଥାଟି ହେଲା, ଯୁକ୍ତରାଷ୍ଟ୍ର ଆମେରିକାର ବଦାନ୍ୟତାରୁ ପାକିସ୍ତାନ ସିନା ସେ ସମୟରେ ଏକ ଅତ୍ୟନ୍ତ ବିକଶିତ ପ୍ରଯୁକ୍ତି ଓ ଅସ୍ତ୍ରଶସ୍ତ୍ରସ˚ପନ୍ନ ସେନାବାହିନୀଟିଏ ଛିଡ଼ା କରାଇ ପାରିଥିଲା, କିନ୍ତୁ ଧାରଣକ୍ଷମ ଅଭିବୃଦ୍ଧି ସମ୍ଭବ କରାଇବା ସକାଶେ ଗୋଟିଏ ସୁଦ୍ଧା ଅନୁଷ୍ଠାନ ଗଢ଼ି ପାରି ନ ଥିଲା। ତେଣୁ ସପ୍ତମ ଦଶକରୁ ନବମ ଦଶକର ଅନ୍ତ ପର୍ଯ୍ୟନ୍ତ କାଳ ଖଣ୍ତ ଭିତରେ ସୋଭିଏତ୍‌ ରୁଷିଆର ବିଲୟ, ପାକିସ୍ତାନରେ ଇସ୍‌ଲାମୀୟ ମୌଳବାଦର କାୟା ବିସ୍ତାର ଓ ଘଟଣାଚକ୍ରରେ ‘ଆତଙ୍କବାଦର ବିଶ୍ବବିଦ୍ୟାଳୟ’ ରୂପେ ପାକିସ୍ତାନର ଭାବମୂର୍ତ୍ତି ପରିଗ୍ରହଣ କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ପାଶ୍ଚାତ୍ୟ ବିଶ୍ବ କ୍ରମେ ତା’ ଠାରୁ ଦୂରେଇ ଗଲେ। ସେହି କାଣରୁ ଦୁର୍ଦ୍ଦିନର ଯେଉଁ ଅନ୍ଧକୂପ ମଧୢକୁ ତାହା ପତିତ ହେବାକୁ ଲାଗିଲା, ତାହା ଏ ଯାବତ୍‌ ଜାରି ରହିଛି।

୧୯୪୭ ମସିହାରୁ ୨୦୦୦ ମସିହା ମଧୢରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାକିସ୍ତାନ ଭିତରେ ଥିବା ସ˚ପର୍କର କ୍ରମ ଅବରୋହଣକୁ ନେଇ କୂଟନୀତିଜ୍ଞ ଡେନିସ୍‌ କକ୍‌ସଙ୍କ ପୁସ୍ତକ ‘ଡିସ୍‌ଏନ୍‌ଚାଣ୍ଟେଡ୍‌ ଆଲିଜ୍‌’ରେ ବର୍ଣ୍ଣିତ ଅଛି କିଭଳି ଆୟୁବ ଖାଁ ଏକଦା ଵାସି˚ଟନ ମହାନଗରୀରେ ତତ୍କାଳୀନ ଆମେରିକୀୟ ବିଦେଶ ମନ୍ତ୍ରୀଙ୍କୁ ଏକ ଆବେଗପୂର୍ଣ୍ଣ କ୍ଷଣରେ ଗଦଗଦ ହୋଇ କହି ପକାଇଥିଲେ: ‘ତୁମେ କହୁଛ ଯେ ପାକିସ୍ତାନର ସେନାବାହିନୀ ତୁମର। ତେବେ ଆସ ଶୀଘ୍ର ଏ ନେଇ ନିଷ୍ପତ୍ତି ନେଇଯିବା।’ ଏହା ହିଁ ଦର୍ଶାଇଥାଏ ସେ ସମୟରେ ପାକିସ୍ତାନ ଓ ଆମେରିକା ମଧୢରେ ଥିବା ସ˚ପର୍କର ଅନ୍ତରଙ୍ଗତା। ତେଣୁ, ବର୍ତ୍ତମାନ ଇମରାନ ଖାଁ ଯଦି ସେଇ ଷାଠିଏ ଦଶକର କଳା-ଧଳା ଫଟୋକୁ ଦେଖି କଳ୍ପନା କରୁଥାଆନ୍ତି ଯେ ସେଭଳି ଏକ ସମୟ ପ୍ରତ୍ୟାବର୍ତ୍ତନ କରିପାରେ, ତେବେ କୁହାଯିବ ଯେ ସେ ବିଭ୍ରାନ୍ତିର ବିଳାସରେ ମଗ୍ନ। କାରଣ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଆଉ ସେଭଳି ସହାୟତା ପ୍ରଦାନ କରିବାର କୌଣସି କାରଣ ବା ସମ୍ଭାବନା ନାହିଁ। ସେ ଭୁଲିବା ଉଚିତ ନୁହେଁ ଯେ କାଶ୍ମୀର ମଧୢକୁ ଆତଙ୍କବାଦର ରପ୍ତାନି ଠାରୁ ଆରମ୍ଭ କରି ଆଫଗାନିସ୍ତାନରେ ଦୁର୍ଧର୍ଷ ତାଲିବାନ ଆତଙ୍କବାଦୀଙ୍କ ସୃଷ୍ଟି(ଅବଶ୍ୟ ତା ପଛରେ ନିହିତ ଥିଲା ଆମେରିକାର ସ୍ବାର୍ଥ ଓ ପ୍ରୋତ୍ସାହନ) ପର୍ଯ୍ୟନ୍ତରେ ପାକିସ୍ତାନ ଏ ଯାବତ୍‌ ଯେଉଁଭଳି କାର୍ଯ୍ୟକଳାପରେ ସ˚ପୃକ୍ତ ଅଛି, ତାହା ତାକୁ ମଧୢଯୁଗୀୟ ଅନ୍ଧକାର ଭିତରକୁ ‌େଂଲି ଦେଇଛି ମାତ୍ର। ପୁନଶ୍ଚ, ଇମରାନ ଖାଁ ବାରମ୍ବାର କହିବାରେ ଲାଗିଛନ୍ତି ଯେ ସେ ଏକ ‘ଇସଲାମୀୟ ଜନମଙ୍ଗଳକାରୀ’ ରାଷ୍ଟ୍ର ହିସାବରେ ଏକ ସମୃଦ୍ଧ ପାକିସ୍ତାନ ନିର୍ମାଣ କରିବାକୁ ଚାହାନ୍ତି, ଯହିଁରେ ନିହିତ ଅସଙ୍ଗତିଟି ହେଉଛି ଆର୍ଥିକ ବିକାଶ ଲାଗି ଯେଉଁ ଉଦାରବାଦ ଲୋଡ଼ା, ତାହା ଏକ ଇସଲାମୀୟ ରାଷ୍ଟ୍ରରେ ସମ୍ଭବ ହେବା କଷ୍ଟକର।

ଯଦିବା ଏବେ ଦୁଇଟି ମୁଖ୍ୟ କାରଣରୁ ଅର୍ଥାତ୍‌ ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ ଏବ˚ ଇରାନର କମାଣ୍ତର ସୁଲେମାନୀଙ୍କ ହତ୍ୟା ପରିପ୍ରେକ୍ଷୀରେ ସୃଷ୍ଟ ପରିସ୍ଥିତି ହେତୁ ଡୋନାଲ୍‌ଡ ଟ୍ର˚ପ୍‌ ପାକିସ୍ତାନର ନିକଟତର ହେଉଥିବା ଭଳି ପ୍ରତୀୟମାନ ହେଉଛି, ତାହା ଯେ କ୍ଷଣସ୍ଥାୟୀ ସେ କଥା ‘ସ୍ବାର୍ଥପର ଯୁକ୍ତରାଷ୍ଟ୍ର ଆମେରିକା’ ସହିତ ଦୀର୍ଘ କାଳ ଏକ ବଶମ୍ବଦ-ସହଯୋଗୀ ଭାବେ ରହିଥିବା ପାକିସ୍ତାନଠାରୁ ଆଉ କିଏ ବା ଅଧିକ ଭଲ ଭାବେ ଜାଣେ? ସୁତରା˚, ସେଇ କଳା-ଧଳା ଫଟୋରେ ଉଭୟ ରାଷ୍ଟ୍ରର ଶାସନ ମୁଖ୍ୟଙ୍କ ଭିତରେ ଅନ୍ତରଙ୍ଗତା ଯେଉଁଭଳି ଶାରୀରିକ ଭଙ୍ଗିମାରେ ଅଭିବ୍ୟକ୍ତି ପାଇଥିଲା, ସେମିତି ଭବିଷ୍ୟତ୍‌ରେ ଯେ ଆଉ କେବେ ଘଟିବ ନାହିଁ, ଏହା ଇମରାନ ଭଲ ଭାବେ ହୃଦୟଙ୍ଗମ କରିବା ଜରୁରୀ। ଗତ ଶତାବ୍ଦୀର ଷଷ୍ଠ ଦଶକକୁ ଏବେ ଏକବି˚ଶ ଶତାବ୍ଦୀର ଦ୍ବିତୀୟ ଦଶକରେ ଖୋଜିବା କେବଳ ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ।

ସମ୍ବନ୍ଧିତ ଖବର