ନିଶାଚର

‘‘ପୂର୍ଣ୍ଣିମା ରାତିରେ ଘଣ୍ଟାଏ ପାଇଁ ପୂରା ସହରର ଆଲୁଅକୁ ଲିଭାଇ ଦେବା।’’ ଗତ ସପ୍ତାହରେ ‘ସମ୍ବାଦ’ରେ ପ୍ରକାଶିତ ତାଙ୍କର ଏକ ମନଛୁଆଁ ଛୋଟିଆ ଲେଖାରେ ପୁଣି ଥରେ ଆକାଶରେ ଜହ୍ନକୁ ଆବିଷ୍କାର କରିବା ପାଇଁ ମହମ୍ମଦ ହିଫ୍‌ଜୁର‌୍‌ ରହେମାନ୍‌ ବୋଧହୁଏ ନିଜ ଅଜାଣତରେ ଏପରି ଏକ ସମୟରେ ଏ ରୋମାଣ୍ଟିକ୍‌ ଆହ୍ବାନ ଦେଇଛନ୍ତି, ଯେଉଁ ସମୟରେ ଏହାର ଠିକ୍‌ ବିପରୀତ ଧର୍ମୀ ଅନ୍ୟ ଏକ ଘୋଷଣା ରହେମାନ୍‌ଙ୍କ ଆବେଗକୁ ଆହୁରି ଶାଣିତ କରି ତୋଳିଛି। ଗତକାଲି ଠାରୁ ବଳବତ୍ତର ହୋଇଥିବା ମହାରାଷ୍ଟ୍ର ସରକାରଙ୍କର ଏହି ଘୋଷିତ ନିଷ୍ପତ୍ତି ଅନୁସାରେ ଦେଶର ବାଣିଜ୍ୟ ରାଜଧାନୀ ତଥା ବୃହତ୍ତମ ନଗରୀ ମୁମ୍ବାଇର କେତେକ ଅଞ୍ଚଳରେ ରାତିରେ କେବେହେଲେ ଆଲୁଅ ଲିଭିବ ନାହିଁ- ସାରା ରାତି ବ୍ୟବସାୟ ଚାଲୁ ରହିବ।

ସେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ସେଠାରେ ଦୋକାନ, ରେଷ୍ଟୁରାଣ୍ଟ, ସିନେମା ହଲ୍‌, ସାଲନ୍‌, ହାଇପର‌୍‌ ମଲ୍‌ ଏବ˚ ବ୍ୟାଙ୍କ୍‌, ମେଡିକାଲ୍‌ ସ˚ସ୍ଥା ଓ ଟିକସ ପରାମର୍ଶ ପ୍ରଦାନ ଭଳି ବ୍ୟବସାୟମାନ ୨୪x୭ ଅର୍ଥାତ୍‌ ଦିନ ରାତି ଖୋଲା ରହି ପାରିବେ। ପୂର୍ବ ନିୟମ ଅନୁସାରେ ଷ୍ଟୋର‌୍‌ ଓ ମଲ୍‌ ସବୁ ରାତି ଦଶଟା ସୁଦ୍ଧା ବନ୍ଦ ହେବା ବାଧୢତାମୂଳକ ହୋଇଥିବା ବେଳେ ରେଷ୍ଟୁରାଣ୍ଟ, ପବ୍‌ ଓ ପାନଶାଳାମାନ ବନ୍ଦ ହେବା ସମୟ ଥିଲା ରାତି ୧.୩୦। ଏବେ ମହାନଗରୀର ବାଣିଜ୍ୟିକ ଅଞ୍ଚଳରେ ରେଷ୍ଟୁରାଣ୍ଟମାନ ମଧୢ ଦିନରାତି ପୂରା ଖୋଲା ରହିବ, କେବଳ ପବ୍‌ ଓ ପାନଶାଳା ଭଳି ମଦ୍ୟ ପରିବେଷଣକାରୀ ବ୍ୟବସାୟମାନ ପୂର୍ବଭଳି ରାତି ୧.୩୦ ସୁଦ୍ଧା ବନ୍ଦ ହେବ।

ଦାର୍ଶନିକ ଓ ବୈଜ୍ଞାନିକମାନେ ଆଲୋକ ଓ ଅନ୍ଧକାର ମଧୢରେ ଯେଉଁ ଯୁଦ୍ଧକୁ ନେଇ ତର୍କରେ ବ୍ୟାପୃତ ଥିବା ଦେଖା ଯାଇଥାଏ, ମହାରାଷ୍ଟ୍ର ସରକାରଙ୍କର ଏହି ପଦକ୍ଷେପକୁ ସେଥିରେ ଆଲୋକର ଏକ ଅଗ୍ରଗତି ରୂପେ ବିଚାର କରାଯାଇପାରେ। ଯେହେତୁ ଆଲୋକର ଉପସ୍ଥିତି ଅନ୍ଧକାରକୁ ଅପସାରିତ କରିଥାଏ, କେହି କେହି କହନ୍ତି ଆଲୁଅ ଅନ୍ଧାରକୁ ଗିଳିଦିଏ।। ଦାର୍ଶନିକମାନେ କିନ୍ତୁ ଏହାର ବିପରୀତ ଦୃଷ୍ଟିଭଙ୍ଗୀ ଗ୍ରହଣ କରି କହିଥାନ୍ତି ଯେ ଅନ୍ଧାର ହିଁ ଆଲୁଅକୁ ଗିଳିଥାଏ। ସେମାନେ କହନ୍ତି ପ୍ରତ୍ୟେକ ଆଲୋକର ଉତ୍ସର ଏକ ନିର୍ଦ୍ଦିଷ୍ଟ ଆୟୁଷ ଥାଏ; ଏପରିକି ସୂର୍ଯ୍ୟର ମଧୢ। ସେ ଆୟୁଷ ପୂର୍ଣ୍ଣ ହୋଇଗଲେ ସେ ଆଲୁଅ ଲିଭିଯିବ। ଅନ୍ଧାର କିନ୍ତୁ ଚିରସ୍ଥାୟୀ ଓ ସର୍ବବ୍ୟାପୀ।

ଆଲୋକର ଏହି ଦୁର୍ବଳତା ସତ୍ତ୍ବେ କିନ୍ତୁ ପୃଥିବୀ ପୃଷ୍ଠରେ ଦିନ ବେଳା ସୂର୍ଯ୍ୟ ଓ ରାତିରେ ବିଜୁଳିବତି ଠାରୁ ମାଟିର ପ୍ରଦୀପ ପର୍ଯ୍ୟନ୍ତ ତାଙ୍କ ବଳରେ ବଳୀୟାନ ତାଙ୍କର କୃତ୍ରିମ ସୈନ୍ୟ ସାମନ୍ତମାନେ ଅନ୍ଧାର ବିରୋଧରେ ଏହି ଅସମତୁଲ ଲଢ଼େଇ ଚଳାଇବାରୁ ହଟି ନ ଥାନ୍ତି। ନିକଟ ଅତୀତରେ ରାତିରେ ଅନ୍ଧାର ସହିତ ଆଲୁଅର ଏହି ଲଢ଼େଇ ଅର୍ଥନୀତି ଗବେଷକମାନଙ୍କ ପାଇଁ ଏକ ଅତ୍ୟନ୍ତ ଚିତ୍ତାକର୍ଷକ ଦୃଶ୍ୟ ରୂପେ ଆବିର୍ଭୂତ ହେବା ଦେଖାଯାଇଛି। ସେମାନେ ଧରି ନେଇଥାନ୍ତି ଯେ ରାତ୍ରି ସମୟରେ ଯେ କୌଣସି ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆଲୁଅ ଦରକାର ହୋଇଥାଏ। ତେଣୁ ରାତ୍ରିକାଳୀନ ଆଲୋକର ତୀବ୍ରତା ଏବ˚ ଆଲୋକିତ ଅଞ୍ଚଳର ଆକାର ସେଠାକାର ସାମାଜିକ-ଅର୍ଥନୈତିକ ଅବସ୍ଥାର ସୂଚକ ତଥା ଅର୍ଥନୈତିକ ପ୍ରଗତିର ଏକ ପରିମାପକ ରୂପେ ବ୍ୟବହୃତ ହୋଇପାରେ।

ଗତ ପ୍ରାୟ ତିନି ଦଶନ୍ଧି ହେବ ମାନବୀୟ କାର୍ଯ୍ୟକଳାପ ଏବ˚ ପ୍ରାକୃତିକ ଘଟଣାବଳୀ ଅନୁଶୀଳନ କରିବା ପାଇଁ ବୈଜ୍ଞାନିକମାନେ ରାତ୍ରିକାଳୀନ ପୃଥିବୀର ଆଲୋକିତ ଅବସ୍ଥା (‘ନାଇଟ୍‌ ଲାଇଟ୍‌ସ’)ର ସାଟେଲାଇଟ୍‌ ଦ୍ବାରା ଉତ୍ତୋଳିତ ଚିତ୍ରକୁ ବ୍ୟବହାର କରି ଆସୁଛନ୍ତି। ବୈଜ୍ଞାନକମାନଙ୍କୁ ଅନୁସରଣ କରି ଅର୍ଥନୀତି ଗବେଷକମାନେ ପ୍ରାୟ ଗତ ଏକ ଦଶନ୍ଧି ହେବ ଅର୍ଥନୈତିକ ଅଭିବୃଦ୍ଧି ପରିମାପ କରିବା ପାଇଁ, ଦାରିଦ୍ର୍ୟର ମାନଚିତ୍ର ପ୍ରସ୍ତୁତ କରିବା ପାଇଁ, ଆୟ ଓ ସମ୍ପଦର ବଣ୍ଟନରେ ଅସମତା ଅନୁଶୀଳନ କରିବା ପାଇଁ ଏବ˚ ଅନ୍ୟଥା ଅପହଞ୍ଚ ଅଞ୍ଚଳର ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ଧାରଣା ପାଇବା ପାଇଁ ‘ନାଇଟ୍‌ ଲାଇଟ୍‌ସ’ର ସାହାଯ୍ୟ ନେବା ଦେଖାଯାଇଛି। ସାଟେଲାଇଟ୍‌ ଦ୍ବାରା ଉତ୍ତୋଳିତ ଏହି ‘ନାଇଟ୍‌ ଲାଇଟ୍‌ସ’ ଚିତ୍ରର ପ୍ରତିଟି ବିନ୍ଦୁ ବା ‘ପିକ୍ସେଲ୍‌’ ଭୂପୃଷ୍ଠର ଏକ ବର୍ଗ କିମି ଠାରୁ ସାମାନ୍ୟ କମ୍‌ ଅଞ୍ଚଳର ପ୍ରତିନିଧିତ୍ବ କରିଥାଏ। ଏହା ରାତିରେ ଉଜ୍ଜ୍ବଳତାକୁ ପରିମାପ କରୁଥିବା ଏକ ଡିଜିଟାଲ୍‌ ସ˚ଖ୍ୟା ସହିତ ସମ୍ପୃକ୍ତ ଥାଏ। ସ୍ଥାନଟି ଯେତେ ଅଧିକ ଉଜ୍ଜ୍ବଳ ହୋଇଥାଏ, ତା’ର ପ୍ରତିନିଧିତ୍ବ କରୁଥିବା ଡିଜିଟାଲ୍‌ ସ˚ଖାର ମୂଲ୍ୟ ସେତେ ଅଧିକ ହୋଇଥାଏ। ସାରା ଦେଶ ପାଇଁ ଉପଲବ୍‌ଧ ଏହି ‘ପିକ୍ସେଲ’ମାନଙ୍କୁ ପ୍ରଦତ୍ତ ଡିଜିଟାଲ ସ˚ଖ୍ୟାଗୁଡ଼ିକୁ ମିଶାଇ ଦେଲେ ଯେଉଁ ଏକ ସ˚ଖ୍ୟାଟି ମିଳେ, ତାହା ରାତ୍ରି ସମୟରେ ସେ ଦେଶରେ ଘଟୁଥିବା ଅର୍ଥନୈତିକ କାର୍ଯ୍ୟକଳାପର ଏକ ସୂଚକ ପାଲଟି ଥାଏ। ଅର୍ଥନୈତିକ ପ୍ରଗତି ଦୌଡ଼ରେ ପଛରେ ପଡ଼ିଥିବା ବେଶମାନଙ୍କ ପାଇଁ ଏହି ସ˚ଖ୍ୟା ନୀଚା ହୋଇଥିବା ବେଳେ, ଆଗରେ ଥିବା ଦେଶମାନଙ୍କ ପାଇଁ ଏହି ସ˚ଖ୍ୟା ଉଚ୍ଚା ହୋଇଥିବା ଦେଖାଯାଏ।

ତେଣୁ, ମହାରାଷ୍ଟ୍ର ସରକାର ଯାହା କହିଛନ୍ତି ଯେ ବର୍ତ୍ତମାନ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦା ଅବସ୍ଥାର ମୁକାବିଲା ଦିଗରେ ଏକ ପଦକ୍ଷେପ ସ୍ବରୂପ ଏହି ନିଶାଚର ଅର୍ଥନୀତିର ପରିକଳ୍ପନା କରାଯାଇଛି, ତାହା ‘ନାଇଟ୍‌ ଲାଇଟ୍‌ସ’ ଅନୁଶୀଳନ ସହ ଅଭ୍ୟସ୍ତ ଥିବା ଅର୍ଥନୀତି ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ କରିନଥିବ। କାରଣ ନୂଆ ନିୟମ ଅନୁସାରେ ସମ୍ପୃକ୍ତ ବ୍ୟବସାୟମାନେ ଦିନକୁ ତିନି ଛେକ ବା ‘ସିଫ୍‌ଟ’ରେ କାର୍ଯ୍ୟ ପାଇଁ କର୍ମଚାରୀ ନିଯୁକ୍ତ କରିବେ ଏବ˚ ସେଥିସହିତ ଆନୁଷଙ୍ଗିକ କାର୍ଯ୍ୟକଳାପରେ ମଧୢ ବୃଦ୍ଧି ଘଟିବ। ଏହା କାର୍ଯ୍ୟକାରୀ ହେବା ପରେ ଯେହେତୁ ରାତିସାରା କାର୍ଯ୍ୟସ୍ଥଳୀ ଆଲୋକିତ ହେବ, ମୁମ୍ବାଇ ପାଇଁ ସାଟେଲାଇଟ୍‌ ଚିତ୍ରରେ ‘ପିକ୍ସେଲ୍‌’ ମୂଲ୍ୟରେ ବୃଦ୍ଧି ଘଟିବା ନିଶ୍ଚିତ।

କିନ୍ତୁ ସାରା ରାତି ଉଜ୍ଜ୍ବଳ ଆଲୋକରେ କର୍ମରତ ମନୁଷ୍ୟ ଆକାଶରେ ଜହ୍ନଠାରୁ ଏତେ ଦୂରକୁ ଚାଲିଯିବ, ତା’ପାଇଁ ପୂର୍ଣ୍ଣିମା ଅମାବାସ୍ୟା ମଧୢରେ କୌଣସି ଫରକ ରହିବ ନାହିଁ। ଦିନ ଓ ରାତି ମଧୢରେ ଫରକ୍‌ ଭୁଲି ସାରିଥିବା ମନୁଷ୍ୟ ପାଇଁ ଗଙ୍ଗାଧର ମେହେରଙ୍କର ଏହି ଅନୁଚିନ୍ତା ମଧୢ ନିରର୍ଥକ ହୋଇଯିବ: ‘‘ସମ ବଇଭବେ ମିଳଇ କି ସୁଖ, ବିଷମେ ସିନା ଏ ପରାଣ ଧାଏଁ/ ଦିବସେ ହସଇ କାନନ ଧରଣୀ, ରଜନୀ ତାମସୀ ସ୍ମରଣ ପ୍ରାୟେ।’’

ସମ୍ବନ୍ଧିତ ଖବର