ରୋଗ ବଜାର

ମାନବ ଇତିହାସରେ ସର୍ବାଧିକ ସ˚ଖ୍ୟକ ମୃତ୍ୟୁ ଘଟାଇଥିବା ଯୁଦ୍ଧ ହେଉଛି ୧୯୧୪-୧୮ରେ ଘଟିଥିବା ପ୍ରଥମ ବିଶ୍ବଯୁଦ୍ଧ। ଏଥିରେ ସାମରିକ ଓ ବେସାମରିକ ମୃତ୍ୟୁ ସ˚ଖ୍ୟା ମିଶି ଦୁଇ କୋଟିରୁ ଅଧିକ ହୋଇଥିଲା ବୋଲି ଆକଳନ କରାଯାଇଛି। ପ୍ରଥମ ବିଶ୍ବଯୁଦ୍ଧ କିନ୍ତୁ ମାନବ ଇତିହାସରେ ସର୍ବାଧିକ ମୃତ୍ୟୁ ଘଟାଇଥିବା ଘଟଣା ନୁହେଁ। ସେ କୁଖ୍ୟାତିର ଅଧିକାରୀର ପ୍ରଥମ ବିଶ୍ବଯୁଦ୍ଧ ସହିତ ଅବଶ୍ୟ ଏକ କାଳଗତ ସମ୍ପର୍କ ରହିଛି, କାରଣ ଏହି ମହାଯୁଦ୍ଧକୁ ଅନୁସରଣ କଲା ଭଳି ଏହାର ଠିକ୍‌ ପରେ ପରେ ଏହି ମହାମଡ଼କର ଆବିର୍ଭାବ ଘଟିଥିଲା, ଯାହା ‘ସ୍ପାନିସ୍‌ ଫ୍ଲୁ’ ନାମରେ ବିଶ୍ବ ମହାମାରୀ ଇତିହାସରେ ଶୀର୍ଷ ସ୍ଥାନ ଦଖଲ କରି ରହିଛି।

୧୯୧୮-୨୦ ଦୁଇ ବର୍ଷ ମଧ୍ୟରେ ଏହି ଏଚ୍‌୧ଏନ୍‌୧ ଭୂତାଣୁ ଜନିତ ଇନ୍‌ଫ୍ଲୁଏଞ୍ଜା ଯୋଗୁଁ ଘଟିଥିବା ପୃଥିବୀ ବ୍ୟାପୀ ମୋଟ ମୃତ୍ୟୁ ସ˚ଖ୍ୟା ଅନ୍ୟୂନ ପାଞ୍ଚ କୋଟି ହୋଇଥିଲା ବୋଲି ନିର୍ଣ୍ଣୟ କରାଯାଇଛି। ୧୯୧୮ରେ ପୃଥିବୀର ମୋଟ ଲୋକସ˚ଖ୍ୟା ଥିଲା ମାତ୍ର ୧୮୪ କୋଟି; ଅର୍ଥାତ୍‌ ଏହି ପୃଥିବୀବ୍ୟାପୀ ମହାମାରୀ ପୃଥିବୀର ଲୋକ ସ˚ଖ୍ୟାର ୨.୭ ଶତା˚ଶକୁ ପୋଛି ନେଇଥିଲା। ଏହାର ପରିଣତି ସ୍ବରୂପ ପୃଥିବୀରେ ମନୁଷ୍ୟର ହାରାହାରି ଆୟୁଷରେ ୧୦ ବର୍ଷ ହ୍ରାସ ଘଟି ସେ ସମୟରେ ମାତ୍ର ୩୩ ବର୍ଷରୁ ହୋଇ ଯାଇଥିଲା ୨୩ ବର୍ଷ। ଅବଶ୍ୟ ଯୁଦ୍ଧର ପ୍ରଭାବରେ ଦୁର୍ବଳ ହୋଇ ପଡ଼ିଥିବା ଲୋକମାନଙ୍କ ଠାରେ ରୋଗ ପ୍ରତିରୋଧ କ୍ଷମତା ହ୍ରାସ ପାଇଥିବାରୁ ମୃତ୍ୟୁ ସ˚ଖ୍ୟା ଏତେ ଅଧିକ ହୋଇଥିଲା ବୋଲି ବିଶ୍ବାସ କରାଯାଏ; କିନ୍ତୁ ସ˚କ୍ରାମକ ରୋଗ ବିଶେଷଜ୍ଞମାନେ କୁହନ୍ତି ଯେ, କୌଣସି ଏକ ନୂତନ ଦୁଷ୍ଟ ଶ୍ରେଣୀର ଫ୍ଲୁ ବର୍ତ୍ତମାନ ମଧ୍ୟ ମାନବ ଜାତି ପ୍ରତି ସର୍ବାଧିକ ବିପଦ ସୃଷ୍ଟି କରିପାରେ।

ଏହାର କାରଣ ସରଳ ଓ ସ୍ପଷ୍ଟ। କାରଣ ହେଲା: ଫ୍ଲୁର ଯାତ୍ରା ପଥ। ବାୟୁରେ ଅତି କ୍ଷୁଦ୍ର ଜଳକଣିବା ବା ‘ଡ୍ରପ୍‌ଲେଟ୍‌’ ବା ‘ଏରୋସୋଲ୍‌’ ମାଧୢମରେ ଏହା ଉଡ଼ି ଉଡ଼ି ଯାଇଥାଏ। ଜଣେ ରୋଗ ଜୀବାଣୁ ବହନକାରୀ ବ୍ୟକ୍ତି କେବଳ ଏକ ବସ୍‌ରେ ବା ବିମାନରେ ବା ରେଳଡବାରେ ପ୍ରବେଶ କରି ସେଠାରେ ଉପସ୍ଥିତ ଅନ୍ୟ ସମସ୍ତଙ୍କୁ ସ˚କ୍ରମିତ କରି ଦେଇପାରେ; ସେ କାହାରିକୁ ଛୁଇଁବା ଦରକାର ନାହିଁ, କିମ୍ବା ତା’ର ସ୍ପର୍ଶ ଲାଭ କରିଥିବା କୌଣସି ସ୍ଥାନ ବା ପଦାର୍ଥକୁ କେହି ସ୍ପର୍ଶ କରିବା ମଧୢ ଦରକାର ନାହିଁ। ଏ ଦୃଷ୍ଟିରୁ ଦେଖିଲେ ସ୍ପର୍ଶ ଉପରେ ନିର୍ଭର କରୁଥିବା ଏଡ୍‌ସ ବା ଇବୋଲା ଠାରୁ ଫ୍ଲୁ ମାନବଜାତି ପାଇଁ ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇପାରେ। ଏପରି ତୁରନ୍ତ ପ୍ରସାର ଲାଭ କରୁଥିବା ଭାଇରସ୍‌ ଠାରୁ ଦୂରରେ ରହିବା ପାଇଁ ଯେତେଦୂର ସମ୍ଭବ ଚେଷ୍ଟା କରିବା ହେଉଛି ସର୍ବାଦୌ ଆବଶ୍ୟକ। ଏ ଚେଷ୍ଟାର ଯାହା ମୁଖ୍ୟ ଉପାଦାନ ହେବା ଉଚିତ, ତାହା ହେଲା ବ୍ୟକ୍ତିଗତ ଓ ସାମୂହିକ ଜୀବନଶୈଳୀକୁ ସର୍ବାଧିକ ସମ୍ଭବ ସ˚କ୍ରମଣ ପ୍ରତିକୂଳ କରିବା।

ଏହା ସତ ଯେ ୧୯୧୮ ତୁଳନାରେ ଆଜିର ପୃଥିବୀର ଅନେକ ଦେଶରେ ଏଥିପ୍ରତି ଜନସଚେତନତା ବହୁ ଅଧିକ ହୋଇଛି ଏବ˚ ସରକାରୀ ଦାୟିତ୍ବବୋଧରେ ବିଶେଷ ଉନ୍ନତି ଦେଖାଦେଇଛି। କିନ୍ତୁ କେତେକ ଏପରି ଦେଶ ଅଛନ୍ତି, ଯେଉଁଠି ହାସଲ କରାଯାଇପାରିଥିବା ଅର୍ଥନୈତିକ ଅଭିବୃଦ୍ଧି ଚମକପ୍ରଦ ହୋଇଥିଲେ ହେଁ, ସେ ଦେଶର ଜନସାଧାରଣଙ୍କ ଜୀବନଶୈଳୀ ଏପରି ରହିଛି ଯାହା ଫ୍ଲୁ ଭଳି ବିଶ୍ବ ମହାମାରୀ ବା ‘ପାଣ୍ତେମିକ୍‌’ର ଉତ୍ପତ୍ତି ଓ ସ˚କ୍ରମଣ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହୋଇଥାଏ। ଯେମିତି, ଚୀନ୍‌। ଯେମିତି ବର୍ତ୍ତମାନ ସାରା ପୃଥିବୀକୁ ଛାନିଆ କରି ଦେଇଥିବା କରୋନା ଭାଇରସ୍‌ ଜନିତ ଫ୍ଲୁ କ୍ଷେତ୍ରରେ ସେଠାରେ ଘଟିଛି।

ନିର୍ଦ୍ଦିଷ୍ଟ ଭାବରେ ଚୀନାମାନଙ୍କର ଜୀବନଶୈଳୀର ଯେଉଁ ଅ˚ଶଟି ବର୍ତ୍ତମାନ ସ˚କ୍ରାମକ ରୋଗ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇ ଦେଇଛି, ତାହା ହେଉଛି ସେମାନଙ୍କର ଖାଦ୍ୟାଭ୍ୟାସ। ମାଙ୍କଡ଼ର ଓଠ, ବାଘର ଜିଭରୁ ହାତୀର ଶୁଣ୍ଢ ପର୍ଯ୍ୟନ୍ତ, ସାପରୁ ବଜ୍ରକାପ୍ତା ପର୍ଯ୍ୟନ୍ତ, ବିଲେଇ କୁକୁରରୁ ଶାଳିଆପତନୀ ପର୍ଯ୍ୟନ୍ତ, ଏମିତି କୌଣସି ଜୀବ ନାହିଁ, ଯାହା ସେମାନଙ୍କର ଅଖାଦ୍ୟ। ଚୀନ୍‌ର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଉହାନ୍‌ ସହରର ଯେଉଁ ମା˚ସ ବଜାରରୁ ବର୍ତ୍ତମାନର କରୋନା ଭାଇରସ୍‌ ସ˚କ୍ରମଣ ଆରମ୍ଭ ହୋଇଛି ବୋଲି ବିଶ୍ବାସ କରାଯାଉଛି ସେଠାରେ ଏ ସବୁ ଜୀବମାନ ଜୀବନ୍ତ ଅବସ୍ଥାରେ ରଖା ହୋଇଥାନ୍ତି ଓ ଗ୍ରାହକ ସମ୍ମୁଖରେ ହିଁ ସେମାନଙ୍କୁ ବଧ କରାଯାଇ ମା˚ସରେ ପରିଣତ କରାଯାଇଥାଏ। ଏପରି ଜୀବନ୍ତ ଓ ମୃତଜୀବମାନଙ୍କର ମିଶ୍ରିତ ବଜାରକୁ ‘ଭିଜା ବଜାର’ ( ୱେଟ୍‌ ମାର୍କେଟ୍‌) ରୂପେ ଅଭିହିତ କରାଯାଇଥାଏ।

୨୦୦୨-୦୩ରେ ଚୀନ୍‌ରୁ ଆରମ୍ଭ ହୋଇ ପୃଥିବୀ ସାରା ବ୍ୟାପି ୨୯ଟି ଦେଶରେ ପ୍ରାୟ ୮୦୦ ପ୍ରାଣହାନି ଘଟାଇଥିବା ‘ସାର‌୍‌ସ’ ଗୁଆଙ୍ଗ୍‌ଡଙ୍ଗ୍‌ ପ୍ରଦେଶର ‘ୱେଟ୍‌ ମାର୍କେଟ୍‌’ ମାନଙ୍କରୁ ଆରମ୍ଭ ହୋଇଥିବା ଭଳି କରୋନା ଭାଇରସ୍‌ ଏବେ ହୁବେଇ ପ୍ରଦେଶର ଉହାନ୍‌ ସହରର ‘ୱେଟ୍‌ ମାର୍କେଟ୍‌’ରୁ ଆରମ୍ଭ ହୋଇଛି। ଉଭୟ ଭାଇରସ୍‌ର ମୂଳ ବାହକ ହେଉଛନ୍ତି ବାଦୁଡ଼ି। ବାଦୁଡ଼ିର ମଳ ମାଧ୍ୟମରେ ଅନ୍ୟ ବନ୍ୟଜନ୍ତୁମାନେ ସ˚କ୍ରମିତ ହୁଅନ୍ତି ଏବ˚ ‘ ୱେଟ୍‌ ମାର୍କେଟ୍‌’ରେ ବନ୍ୟଜନ୍ତୁ, ଗୃହପାଳିତ ପଶୁପକ୍ଷୀ ଓ ମନୁଷ୍ୟମାନଙ୍କର ଘନିଷ୍ଠ ସାନ୍ନିଧ୍ୟ ମାଧ୍ୟମରେ ଭୂତାଣୁଟି ପଶୁ ଶରୀରରୁ ଉଡ଼ି ଆସି ମନୁଷ୍ୟ ଶରୀରରେ ଶ୍ବାସକ୍ରିୟା ଦେଇ ପ୍ରବେଶ କରିଥାଏ। ଏବର କରୋନା ଭାଇରସ୍‌ ଚୀନା ଗୋଖର ସାପ ଠାରୁ ଆସିଛି ବୋଲି ଚିହ୍ନଟ ହେଲାଣି। ବିଶେଷଜ୍ଞମାନେ କହନ୍ତି, ଜୀବଟିକୁ ଯେତେବେଳେ ବଧ କରାଯାଇ ତା’ର ଛାଲ ବାହାର କରାଯାଏ ଓ ମା˚ସ କଟାଯାଏ, ତା’ର ଶରୀରରୁ ଅସ˚ଖ୍ୟ ଏରୋସୋଲ୍‌ ନିର୍ଗତ ହୋଇ ଅତି ନିକଟରେ ଉପସ୍ଥିତ ଅନ୍ୟ ପଶୁପକ୍ଷୀ, କ˚ସେଇ ଓ ଗ୍ରାହକମାନଙ୍କ ଶ୍ବାସପ୍ରଶ୍ବାସରେ ପ୍ରବେଶ କରନ୍ତି। ଏହି ଏରୋସୋଲ୍‌ ଭୂତାଣୁର ବ୍ୟୋମଯାନରେ ପରିଣତ ହୋଇ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳୀ, ସୁସ୍ଥ ମନୁଷ୍ୟର ଫୁସ୍‌ଫୁସ୍‌ରେ ପହଞ୍ଚାଇ ଦିଏ, ଯିଏ ନିଜର ଶ୍ବାସପ୍ରଶ୍ବାସ, ଛିଙ୍କ, କାଶ ମାଧ୍ୟମରେ ଅନ୍ୟ ମନୁଷ୍ୟଙ୍କୁ ସ˚କ୍ରମିତ କରନ୍ତି। କରୋନା ଭାଇରସ୍‌ ସ˚କ୍ରମଣ ଜଣାପଡ଼ିବା ପରେ ଚୀନ୍‌ ସରକାର ଏବେ ସେଠାରେ ‘େଵଟ୍‌ ମାର୍କେଟ୍‌’ ସବୁ ବନ୍ଦ କରାଇ ଦେଇଛନ୍ତି; କିନ୍ତୁ ଇତି ମଧ୍ୟରେ ଭୂତାଣୁ ଯାଇ ଚୀନ୍‌ ବାହାରେ ପ୍ରାୟ ଦଶଟି ଦେଶରେ ପହଞ୍ଚିବା ଚିହ୍ନଟ ହୋଇସାରିଲାଣି।

କରୋନା ଭାଇରସ୍‌ ପରି ପଶୁଠାରୁ ମନୁଷ୍ୟ ପାଖକୁ ଡେଉଁଥିବା (ଜୁନୋଟିକ୍‌) ଭୂତାଣୁର ପ୍ରସାର ବନ୍ଦ କରିବାର ଗୋଟିଏ ବାଟ ତେଣୁ ହେଉଛି ‘ୱେଟ୍‌ ମାର୍କେଟ୍‌’ ବ୍ୟବସ୍ଥାରେ ଅନ୍ତ ଘଟାଇବା। ଆମର ଏଠି ମଧ୍ୟ କରୋନା ଭାଇରସ୍‌ ସହିତ ବାର୍ଡ ଫ୍ଲୁ ଆଶଙ୍କା ଦେଖାଦେଲାଣି ଏବ˚ ଆମର ଏଠି ଗ୍ରାହକମାନେ ନିଜ ଆଖି ଆଗରେ ଖାସି କଟାଇବା, କୁକୁଡ଼ା କଟାଇବାକୁ ପସନ୍ଦ କରି ଏଠାରେ ମଧ୍ୟ ଏକ ‘ୱେଟ୍‌ ମାର୍କେଟ୍‌’ ବ୍ୟବସ୍ଥାକୁ ସକ୍ରିୟ ରଖିଛନ୍ତି। ଏହାର ବିପଦ ଜାଣିବା ପରେ ଏଥିପ୍ରତି ଗ୍ରାହକଙ୍କ ରୁଚି ଓ ସରକାରଙ୍କ ନୀତିରେ ପରିବର୍ତ୍ତନ ଆସିବା ଜରୁରୀ ହୋଇପଡ଼ିଛି। ଏଠାରେ ମଧ୍ୟ  ‘ଭିଜା ବଜାର’ ରୋଗ ବଜାରର ରୂପ ନେଇପାରେ- ଏଭଳି ଆଶଙ୍କା ଅମୂଳକ ନୁହେଁ।

ସମ୍ବନ୍ଧିତ ଖବର