ସୁଖଦ ଉଡ଼ାଣ

କୌଣସି ଏକ ରାଜବ˚ଶର ଜଣେ ଉତ୍ତରାଧିକାରୀ ଅତ୍ୟନ୍ତ ଦୁର୍ଦଶାଗ୍ରସ୍ତ ହୋଇ ପିତୃପୁରୁଷଙ୍କ ସନ୍ତକ ରୂପେ ପ୍ରାପ୍ତ ସୁବର୍ଣ୍ଣ ମୁକୁଟଟିକୁ ଯେତେବେଳେ ବିକ୍ରି କରିବାକୁ ସ୍ଥିର କଲେ, ସେତିକି ବେଳେ ମୁକୁଟଟି ଯେମିତି ଯୋଗ୍ୟତମ ମସ୍ତକ ଉପରେ ଶୋଭା ପାଏ, ତାରି ଉପରେ ଏତେ ଜୋର ଦେଲେ ଯେ କହିବା ବାହୁଲ୍ୟ ଗ୍ରାହକ ମିଳିଲେ ନାହିଁ। ସୁତରା˚, ସେ ହୃଦୟଙ୍ଗମ କଲେ ଯେ ବିନା କୌଣସି ସର୍ତ୍ତରେ ମୁକୁଟଟିର ସର୍ବାଧିକ ମୂଲ୍ୟ ପ୍ରଦାନ କରିବାକୁ ରାଜି ଗ୍ରାହକ ହାତକୁ ତାହା ଟେକି ଦେବା ହିଁ ହେଉଛି ସବୁଠାରୁ ଅଧିକ ବୁଦ୍ଧିମାନର କାର୍ଯ୍ୟ। ଗଲା ୨୮ ତାରିଖରେ ଭାରତର ‘ନେସନାଲ କ୍ୟାରିଅର’(ଜାତୀୟ ବାହନ) ରୂପେ ପରିଚିତ ‘ଏୟାର ଇଣ୍ତିଆ’କୁ ବିନା କୌଣସି ସର୍ତ୍ତରେ ସ˚ପୂର୍ଣ୍ଣ ବିକ୍ରି କରିଦେବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିଟି ଏହିଭଳି ଏକ ବୁଦ୍ଧିମତ୍ତାର ପରିଚାୟକ। ଉଲ୍ଲେଖ ଥାଉ କି ଗତ ବର୍ଷ ମଧୢ କେନ୍ଦ୍ର ସରକାର ‘ଏୟାର ଇଣ୍ତିଆ’କୁ ବିକ୍ରି କରିଦେବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ମୁଣ୍ତ ଉପରେ ପାଖାପାଖି ଏକ ଲକ୍ଷ କୋଟି (୮୬ ହଜାର କୋଟି) ଟଙ୍କାର ଋଣ ଭାର ବହନ କରିଥିବା ଏହି ସ˚ସ୍ଥାକୁ କ୍ରୟ କରିବା ଲାଗି ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ କିଛି ସର୍ତ୍ତ ସ୍ବୀକାର୍ଯ୍ୟ ନ ହେବାରୁ କୌଣସି ଗୋଟିଏ ହେଲେ କ୍ରେତା କ˚ପାନି ବଜାର ପ୍ରାଙ୍ଗଣକୁ ଆସି ନ ଥିଲେ। ସେଇ ପରିପ୍ରେକ୍ଷୀରେ କୁହାଯାଇପାରେ କି ଚଳିତ ବର୍ଷ ସରକାର କ୍ରେତା କ˚ପାନିଗୁଡ଼ିକ ଲାଗି ଯେଉଁ ସବୁ ପ୍ରସ୍ତାବ ରଖିଛନ୍ତି, ତାହା ସେମାନଙ୍କୁ ଆକର୍ଷିତ କରିବ।

ସରକାରଙ୍କ ଏଭଳି ପ୍ରସ୍ତାବ ଅନୁସାରେ ଯେଉଁ ସ˚ସ୍ଥା ‘ଏୟାର ଇଣ୍ତିଆ’କୁ କ୍ରୟ କରିବ, ସେ କେବଳ ୩୦ ହଜାର କୋଟି ଟଙ୍କାର ଋଣ ନିଜ ମୁଣ୍ତକୁ ନେବ; ଅବଶିଷ୍ଟ ୫୬ ହଜାର କୋଟି ଟଙ୍କାର ମୁଣ୍ତ ବ୍ୟଥା ସରକାରଙ୍କର। ଏ ସ˚ଦର୍ଭରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିପାରେ ଯେ ଏକ ଅଚଳାବସ୍ଥାକୁ ଚାଲିଆସିଥିବା ଏଭଳି ଏକ ସ˚ସ୍ଥାକୁ କ୍ରୟ କରିବାକୁ କୌଣସି ନିବେଶକ ଆଗ୍ରହ ପ୍ରକାଶ କରିବ କାହିଁକି? କାରଣ କେବଳ ଏକ ଅତିକାୟ ଋଣବୋଝ ନୁହେଁ, ବ୍ୟବସାୟ ଦୃଷ୍ଟିକୋଣରୁ ମଧୢ ‘ଏୟାର ଇଣ୍ତିଆ’ର ସ୍ଥିତି ଅତ୍ୟନ୍ତ ଦୟନୀୟ। ସ˚ପ୍ରତି ଭାରତର ବ୍ୟାବସାୟିକ ବିମାନ ଚଳାଚଳ କ୍ଷେତ୍ରରେ ‘ଇଣ୍ତିଗୋ’ର ଭାଗ ୪୭ ପ୍ରତିଶତ (ପ୍ରାୟ ଅର୍ଧେକ) ହୋଇଥିବା ବେଳେ ‘ସ୍ପାଇସ୍‌ ଜେଟ୍‌’ର ଭାଗ ପ୍ରାୟ ୧୫ ପ୍ରତିଶତ। ଏଥିରେ ‘ଏୟାର ଇଣ୍ତିଆ’ର ଭାଗ ମାତ୍ର ୧୨ ପ୍ରତିଶତ। ପୁଣି ଏହା ମଧୢ ନିବେଶକମାନଙ୍କ ଚକ୍ଷୁରୁ ବାଦ୍‌ ପଡ଼ିବ ନାହିଁ ଯେ ୮,୫୦୦ କୋଟି ଟଙ୍କାର ଋଣ ବୋଝର ଓଜନ ‘ଜେଟ୍‌ ଏୟାର‌୍‌’ ଭଳି ଏକଦା ଭାରତର ଆକାଶରେ ରାଜୁତି କରୁଥିବା ସ˚ସ୍ଥାକୁ ଏଭଳି ମାଟି କାମୁଡ଼ାଇ ଦେଲା ଯେ ତାହା ଏ ଯାବତ୍‌ ଉଠି ପାରିନାହିଁ କି ଭବିଷ୍ୟତ୍‌ରେ କେବେ ଉଠି ପାରିବ, ତାହା ସନ୍ଦେହାସ୍ପଦ। ସେତିକି ବେଳେ ୩୦ ହଜାର କୋଟି ଟଙ୍କାର ଋଣ ଭାର ବହନ କରିବାକୁ ବ୍ୟବସାୟ ବୁଦ୍ଧିସ˚ପନ୍ନ କୌଣସି କ˚ପାନି ଆଗ୍ରହ ପ୍ରକାଶ କରିବ ବା କାହିଁକି?

ତେବେ, ଏହାର ଉତ୍ତର ହେଉଛି ‘ଏୟାର ଇଣ୍ତିଆ’ ନିକଟରେ ରହିଥିବା ‘ପଞ୍ଚମ ଅବାଧ ଅଧିକାର’ (ଫ୍ରିଡମ୍‌ ରାଇଟ୍‌) ଯାହାକୁ ‘ଏୟାର ଇଣ୍ତିଆ’ର ‘ମହାରାଜା’ (ଏକଦା ଏହି ସ˚ସ୍ଥାର ଲୋଗୋ ଭାବେ ବ୍ୟବହୃତ ବନ୍ଧୁଭାବାପନ୍ନ ବିନମ୍ର ମହାରାଜା)ଙ୍କ ମଥାର ମଣି ଭାବେ ଅଭିହିତ କରାଯାଇପାରେ, କ୍ରେତାମାନଙ୍କୁ ଆକର୍ଷିତ କରିବାର ଆଶା ଅତ୍ୟନ୍ତ ଉଜ୍ଜ୍ବଳ। ଏହି ପୃଷ୍ଠଭୂମିରେ ଅନ୍ତର୍ଜାତୀୟ ବ୍ୟାବସାୟିକ ବିମାନ ଚଳାଚଳ କ୍ଷେତ୍ରରେ ଏହି ‘ଅବାଧ ଅଧିକାର’ଗୁଡ଼ିକ ନେଇ ଜିଜ୍ଞାସାର ଉତ୍ତର ଚୁମ୍ବକରେ ପ୍ରଦାନ କରାଯାଉ।

ଅନ୍ତର୍ଜାତୀୟ ବ୍ୟାବସାୟିକ ବିମାନ ଚଳାଚଳ କ୍ଷେତ୍ରରେ ଥିବା ପାଞ୍ଚଟି ‘ଅବାଧ ଅଧିକାର’ଗୁଡ଼ିକ ଭିତରୁ ପ୍ରଥମଟି ହେଉଛି ନିଜ ଭୂଖଣ୍ତ ଉପରେ ରହିଥିବା ଆକାଶ ପଥ ଉପରେ ସ˚ପୃକ୍ତ ରାଷ୍ଟ୍ରର ଅଧିକାର। ଦ୍ବିତୀୟଟି ହେଉଛି ନିଜର ନିର୍ଦ୍ଧାରିତ ମାର୍ଗରେ ଚଳାଚଳ କରୁଥିବା ସମୟରେ ଜରୁରୀ ଆବଶ୍ୟକତା କାଳରେ ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିବା ସତ୍ତ୍ବେ କୌଣସି ଏକ ରାଷ୍ଟ୍ରର ବିମାନବନ୍ଦରରେ ଅବତରଣ କରି ଇନ୍ଧନ ଓ ଖାଦ୍ୟ ନେବାର ଅଧିକାର (ଅବଶ୍ୟ ଏହି ଅବତରଣ କାଳରେ କୌଣସି ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ବା ସେଠାରୁ ଉଠାଇବା ମନା)। ତୃତୀୟ ଓ ଚତୁର୍ଥ ଅଧିକାର ଦ୍ବୟ ପରସ୍ପର ସହିତ ସ˚ଲଗ୍ନ ଏବ˚ ଦ୍ବି ପାକ୍ଷିକ ରାଜିନାମା ସମ୍ବଳିତ। ଏଭଳି ଚୁକ୍ତି ଦ୍ବାରା ଆବଦ୍ଧ ଦୁଇ ଦେଶ ବିମାନ ଚଳାଚଳ ସ˚ଦର୍ଭରେ ପରସ୍ପରକୁ ସମାନ ସୁବିଧା ଆଦାନପ୍ରଦାନ କରିବାର ଅଧିକାର। ତେବେ, ଏହି ‘ଅବାଧ ଅଧିକାର’ ଭିତରେ ଯାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତାହା ହେଉଛି ‘ପଞ୍ଚମ’ ଅଧିକାର। ଏହା ହେଉଛି କୌଣସି ଏକ ବିମାନ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଏକ ନିର୍ଦ୍ଦିଷ୍ଟ ପଥରେ ଯାତ୍ରା କଲା ବେଳେ ମଝିରେ ନିର୍ଦ୍ଧାରିତ ଏକ ବା ଏକାଧିକ ଦେଶରେ କିଛି ସମୟ ରହଣି କରି ପାରିବାର ଅଧିକାର। ଏହା ଦ୍ବାରା ବିମାନ ଚଳାଚଳ କରୁଥିବା ସ˚ସ୍ଥାଗୁଡ଼ିକ ଏଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ନିହାତି ସୀମିତ କିଛି ‘ରୁଟ୍‌’ ବା ‘ପଥ’ ଉପରେ ଅଧିକାର ପାଇ ଯାଆନ୍ତି, ଯେଉଁଗୁଡ଼ିକୁ କେବଳ ମହାର୍ଘ ବୋଲି ହିଁ କହିହେବ। ଉଦାହରଣ ସ୍ବରୂପ ‘ଏୟାର ଇଣ୍ତିଆ’ ଅଧିକୃତ ‘ରୁଟ୍‌’ ଯାହା ଦିଲ୍ଲୀ ବା ମୁମ୍ବାଇରୁ ଏକ ବିମାନକୁ ଇ˚ଲଣ୍ତର ‘ହିଥ୍ରୋ’ ବିମାନବନ୍ଦର ଭାୟା ଦେଇ ନ୍ୟୁୟର୍କର ଜେଏଫ୍‌କେ ବିମାନବନ୍ଦରରେ ପହଞ୍ଚାଇ ଦେଇପାରେ। ତେବେ, ଉଲ୍ଲେଖ କରାଯାଇପାରେ କି ସ˚ପ୍ରତି ଏହି ଅତ୍ୟନ୍ତ ମୂଲ୍ୟବାନ ଆକାଶ ପଥଟିକୁ ‘ଏୟାର ଇଣ୍ତିଆ’ ପକ୍ଷରୁ ବିଦେଶର କୌଣସି ଏକ ବିମାନ ଚଳାଚଳ ସ˚ସ୍ଥାକୁ ଲିଜ୍‌ ସୂତ୍ରରେ ଦେଇ ଦିଆଯାଇଛି। କିନ୍ତୁ, ଆକାଶ ମାର୍ଗରେ ଗଲା ଅର୍ଧ ଶତାବ୍ଦୀରୁ ଅଧିକ କାଳ ଧରି ବିଚରଣ କରି ଆସୁଥିବା ‘ଏୟାର ଇଣ୍ତିଆ’ ପାଖରେ ପୃଥିବୀର ସବୁ ରାଷ୍ଟ୍ରର ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ନଗରୀ ଓ ମହାନଗରୀ ସକାଶେ ଅତ୍ୟନ୍ତ ମୂଲ୍ୟବାନ ବିମାନ ପଥର ଅଧିକାର ରହିଛି। ‘ଏୟାର ଇଣ୍ତିଆ’କୁ କ୍ରୟ କରିବାକୁ ପ୍ରସ୍ତୁତ ଯେ କୌଣସି ସ˚ସ୍ଥା ଏହାକୁ ଉତ୍ତରାଧିକାରୀ ସୂତ୍ରରେ ଆହରଣ କରିବ। ଏହା ସହିତ କ୍ରେତା ସ˚ସ୍ଥା ଆଉ ଯାହା ଲାଭ କରିବ, ତାହା ହେଉଛି ପ୍ରାୟ ୧୫,୦୦୦ ସରିକି ଅତ୍ୟନ୍ତ ସୁଦକ୍ଷ କର୍ମଚାରୀ ବଳ, ଯାହା ଭିତରେ ଅଛନ୍ତି ଉଚ୍ଚକୋଟୀର ଓ ଅଭିଜ୍ଞ ପାଇଲଟ୍‌ ଏବ˚ ‘ଏୟାର ଇଣ୍ତିଆ’ର ଅଭାବାପନ୍ନ ପରିବେଶରେ ଜୀବନ ସ˚ଚାର କରି ରଖିଥିବା ଅତ୍ୟନ୍ତ ବିନମ୍ର ‘କ୍ରିଉ’ ସଦସ୍ୟ। ଏହା ଛଡ଼ା କ୍ରେତା କ˚ପାନିକୁ ମିଳିବ ‘ଏୟାର ଇଣ୍ତିଆ’ର ଈର୍ଷଣୀୟ ଭିତ୍ତିଭୂମି।

ତେବେ, କେନ୍ଦ୍ର ସରକାରଙ୍କ ଏଭଳି ଏକ ଅତ୍ୟନ୍ତ ସମୟୋପଯୋଗୀ ତଥା ସ୍ବାଗତଯୋଗ୍ୟ ପଦକ୍ଷେପ ମଧୢ ସମାଲୋଚନାର ଶରବ୍ୟ ହୋଇଛି, ଯାହା ଏକ ବିଡ଼ମ୍ବନା। ଏପରିକି ବିଜେପି ଦଳ ମଧୢରୁ ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ନିଷ୍ପତ୍ତି ବିରୋଧରେ ଅଦାଲତର ଆଶ୍ରୟ ନେବାକୁ ସ୍ଥିର କରିଛନ୍ତି। ଏଣେ ସମାଲୋଚକମାନଙ୍କ ପ୍ରତିକ୍ରିୟା କହିଥାଏ ଯେ ‘ଏୟାର ଇଣ୍ତିଆ’ ଭଳି ଏକ ‘ରାଷ୍ଟ୍ରୀୟ ଧ୍ବଜାଧର’କୁ ବିକ୍ରି କରିଦେବା ହେଉଛି ରାଷ୍ଟ୍ରର ସାର୍ବଭୌମତ୍ବ ପ୍ରତି ଏକ ଆଞ୍ଚ ତୁଲ୍ୟ। କିନ୍ତୁ ଏହା ସେମାନଙ୍କ ଜ୍ଞାତସାରରେ ଥାଇପାରେ କି ଯେ ନ୍ୟୁୟର୍କର ମାନହଟ୍ଟାନ ଛକର ପାର୍କ‌୍‌-ଅଭିନ୍ୟୁ ଠାରେ ସାରା ପୃଥିବୀ ଲାଗି ଏକ ‘ଲ୍ୟାଣ୍ତ ମାର୍କ‌୍‌’ ରୂୂପେ ଛିଡ଼ା ହୋଇଥିବା ‘ପାନ୍‌ ଆମ୍‌’ ବିଲ୍‌ଡି˚ ନାମରେ ଖ୍ୟାତ ବିଶାଳ ଉତ୍ତୁଙ୍ଗ ବହୁତଳ ପ୍ରାସାଦ ଉପରେ ଆଉ ‘ପାନ୍‌ ଆମ୍‌’ ଲେଖାଟି ଦୃଶ୍ୟମାନ ହେଉନାହିଁ। କାରଣ ଯୁକ୍ତରାଷ୍ଟ୍ର ଆମେରିକାର ଏହି ଏକଦା ‘ଧ୍ବଜାଧର’ ବିମାନ ଉଡ଼ାଣ ସ˚ସ୍ଥା ୧୯୯୧ରେ ଦେବାଳିଆ ହୋଇଯିବା ପରେ ‘ଡେଲ୍‌ଟା ଏୟାରଲାଇନ୍‌’ ହାତକୁ ବିକ୍ରି ହୋଇଗଲା। ସେଇଭଳି ସ୍ପେନ୍‌ର ମୁଖ୍ୟ ବିମାନ ସ˚ସ୍ଥା ‘ଆଇବେରିଆ’ ଓ ବ୍ରିଟେନ୍‌ର ଏକ ଆଇକନ ଭାବେ ସ୍ବୀକୃତ ‘ବ୍ରିଟିସ୍‌ ଏୟାର‌େଵଜ୍‌’ ଏବେ ମିଶ୍ରଣ ପରେ ‘ଆଇଏଜି’ ନାମକ ଏକ ଆଙ୍ଗେ୍ଲା-ସ୍ପେନୀୟ କଂପାନିର ମାଲିକାନାରେ, ଯାହାର ମୁଖ୍ୟ ଦପ୍ତର ରହିଛି ମାଡ୍ରିଡ ସହରରେ। ସେଇଭଳି ଏକଦା ସ୍ବନାମଧନ୍ୟ ‘ସ୍ବିସ୍‌ଏୟାର‌୍‌’ କପର୍ଦ୍ଦକଶୂନ୍ୟ ହେବା ପରେ ବିକ୍ରି ହୋଇଯାଇ ଏବେ ‘ସ୍ବିସ୍‌’ ନାମରେ ଆକାଶ ମାର୍ଗରେ ବିଚରଣ କରୁଛି। ସେହି ଦୃଷ୍ଟିରୁ ‘ଏୟାର ଇଣ୍ତିଆ’ର ବିକ୍ରି ନିଷ୍ପତ୍ତି ଯଥାର୍ଥ। ରାଷ୍ଟ୍ରର ଟିକସ ଦାତାଙ୍କ ଅର୍ଥରେ ଏକ ଋଣ ଜର୍ଜର ବ୍ୟାବସାୟିକ ବିମାନ ସେବାକୁ ଅଧିକ କାଳ ଚଳାଇ ରଖିବା ନିର୍ବୋଧତାର ପ୍ରମାଣ ହିଁ ହୁଅନ୍ତା। ଯଦି ଏବେ ସବୁ ପ୍ରକାର ଭାରମୁକ୍ତ ହୋଇ ‘ଏୟାର ଇଣ୍ତିଆ’ର ୧୨୮ଟି ବିମାନ ଆକାଶ ସ୍ପର୍ଶ କରନ୍ତି, ତାକୁ ଆମେ ସୁଖଦ ଉଡ଼ାଣ ବୋଲି କହିପାରିବା।

ସମ୍ବନ୍ଧିତ ଖବର