ଶୁଖୁଆ ଝୋଳ!

‘‘ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଟଳ ଅଚଳ ରହରେ ମନ/ ଆଗରେ ପଡ଼ିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି।’’ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଲୋକସଭାରେ ତାଙ୍କର ସୁଦୀର୍ଘ ବଜେଟ୍‌ ଅଭିଭାଷଣ ପ୍ରଦାନ କରିବା ଅବସରରେ କାଶ୍ମୀରୀ ଗୀତ ଓ ତାମିଲ କବିତା ଉଦ୍ଧାର କରିବା ଦେଖାଯାଇଥିଲା ସତ, କିନ୍ତୁ ଯେଉଁ କବିତା ସେଠାରେ ସେ ଉଦ୍ଧାର କରି ନଥିଲେ ହେଁ ତାଙ୍କୁ ସେଠାରେ ୨ ଘଣ୍ଟା ୪୧ ମିନିଟ୍‌ କାଳ ଛିଡ଼ା ହୋଇ ରହି ୧୩,୨୭୫ଟି ଶୁଷ୍କ ଶବ୍ଦ ଓ ସ˚ଖ୍ୟା ମାନ ଉଚ୍ଚାରଣ କରିବା ପାଇଁ ବୋଧହୁଏ ପ୍ରେରଣା ଯୋଗାଇଥିବ, ତାହା ସମ୍ଭବତଃ ହେଉଛି ପୃଥିବୀର ସର୍ବାଧିକ ଉଦ୍ଧୃତ ରବର୍ଟ ଫ୍ରଷ୍ଟ୍‌ଙ୍କର ପ୍ରସିଦ୍ଧ କବିତାର ଉପରୋକ୍ତ ଅନ୍ତିମ ପଦଟି। ସୀତାରମଣ ନିଜର ମନକୁ ଅଟଳ ରଖି ଏ ଦୁରୂହ କାର୍ଯ୍ୟ ସମ୍ପାଦନରେ ଆଗେଇ ଚାଲିବା ବେଳେ ସମସ୍ତ ଶାରୀରିକ ଓ ମାନସିକ ଅବସାଦ ସତ୍ତ୍ବେ ଆଖି ମୁଦି ନଥିଲେ, କିନ୍ତୁ ମାତ୍ର ଆଉ ଦୁଇ ପୃଷ୍ଠା ପାଠ କରିବାକୁ ବାକି ଥିବା ବେଳେ ଗଳଦ୍‌ଘର୍ମ ଅବସ୍ଥାରେ ହାର‌୍‌ ମାନି ସେଇଠି ନିଜର ଉପସ୍ଥାପନାରେ ଅନ୍ତ ଘଟାଇବାକୁ ବାଧୢ ହୋଇଥିଲେ। ଅବଶ୍ୟ ସେତେବେଳକୁ ସେ ସମୟର ଦୀର୍ଘତା ଦୃଷ୍ଟିରୁ ଏକ ନୂତନ ରେକର୍ଡ ସ୍ଥାପନ କରି ସାରିଥିଲେ।

ଏହା ଥିଲା ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ତାଙ୍କର ଦ୍ବିତୀୟ ବଜେଟ୍‌। ଗତ ବର୍ଷର ବଜେଟ୍‌ ପରେ ସେ ଏତେ ନିନ୍ଦା ଓ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ସେ ପ୍ରାୟ ସେଥିରେ ଥିବା ଦଶଟି ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ବାଧୢ ହୋଇଥିଲେ। ଦୁର୍ଭାଗ୍ୟକୁ ତାଙ୍କ ଦାୟିତ୍ବ କାଳରେ ଦେଶର ଅର୍ଥନୀତି ବିଶ୍ବ ଅର୍ଥନୀତି ସହିତ ତାଳ ଦେଇ ଏକ ଅତ୍ୟନ୍ତ ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ଏଣୁ ବିତ୍ତ ମନ୍ତ୍ରାଳୟର ଦାୟିତ୍ବ ସମ୍ଭାଳିବାକୁ ତାଙ୍କର ଯୋଗ୍ୟତା ନେଇ ସମାଲୋଚକମାନେ ତାଙ୍କ ମୁହଁ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ବୋଲି ଖୋଦ୍‌ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି। ଅତଏବ ୨୦୨୦-୨୧ ବଜେଟ୍‌ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଏବ˚ ତାଙ୍କ ନିଜର ଭାବମୂର୍ତ୍ତିକୁ ଉଦ୍ଧାର କରିବାକୁ ନିର୍ମଳାଙ୍କ ପାଇଁ ଏକ ଦ୍ବିତୀୟ ସୁଯୋଗ ରୂପେ ଆବିର୍ଭୂତ ହୋଇଥିଲା। ଏହି ସୁଯୋଗର ସେ କିପରି ବ୍ୟବହାର କରିଛନ୍ତି, ତା ଉପରେ ଏକ କ୍ଷିପ୍ର ଦୃଷ୍ଟି ପକାଇବା ତେଣୁ ସ˚ଗତ ହେବ।

ଆଗାମୀ ବିତ୍ତବର୍ଷରେ ସେ ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟରେ ଉନ୍ନତି ଘଟାଇବା ପାଇଁ ବିଭିନ୍ନ ପ୍ରସ୍ତାବ ମାନ ପରିକଳ୍ପନା କଲା ବେଳେ ସେଗୁଡ଼ିକୁ ତିନିଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରିଛନ୍ତି: ଉଚ୍ଚାକା˚ଙ୍‌କ୍ଷୀ ଭାରତ; ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ; ଏବ˚ ଏକ ଯତ୍ନଶୀଳ ସମାଜ। ତେବେ ଅସଲ କଥା ହେଲା ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହେଲେ ହିଁ ଏ ତିନିଟି ଯାକ ଶ୍ରେଣୀଭୁକ୍ତ ଲକ୍ଷ୍ୟ ହାସଲ ହୋଇ ପାରିବ। ନିକଟ ଅତୀତରେ ଅର୍ଥନୀତିରେ ସାମଗ୍ରିକ ଚାହିଦାରେ ଦେଖା ଦେଇଥିବା ମାନ୍ଦା ଅବସ୍ଥା ଯୋଗୁଁ ଅର୍ଥନୀତିର ଅନ୍ୟ ସମସ୍ତ ଭାଗ- ଉତ୍ପାଦନରୁ ନିଯୁକ୍ତି ପର୍ଯ୍ୟନ୍ତ-ରେ ମାନ୍ଦା ଅବସ୍ଥା ପ୍ରବେଶ କରିଛି ବୋଲି ସମସ୍ତ ବିଶେଷଜ୍ଞ, ଅନୁଶୀଳନକାରୀ, ପର୍ଯ୍ୟବେକ୍ଷକ ଏକମତ। ଆୟକର ଭଳି ପ୍ରତ୍ୟକ୍ଷ କରବୋଝ ଅପେକ୍ଷାକୃତ ସ୍ବଚ୍ଛଳ, କ୍ରୟଶକ୍ତିସମ୍ପନ୍ନ ମଧୢବିତ୍ତ ଶ୍ରେଣୀର ଖର୍ଚ୍ଚ କରିବାର କ୍ଷମତା ଓ ଉତ୍ସାହକୁ ଧକ୍‌କା ଦେଇଥାଏ। ଆୟକରର ଏହି ମନ୍ଦ ପ୍ରଭାବ ହ୍ରାସ କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ଏଥର ଆୟକର ଲାଗୁ ହେବା ପାଇଁ ଆୟର ଶ୍ରେଣୀ ବିଭାଜନ ଓ ସେଥିପ୍ରତି ଲାଗୁ ହେଉଥିବା କର ହାରରେ ଓଲଟ ପାଲଟ ଘଟାଇଛନ୍ତି। ଯେଉଁମାନେ ପୂର୍ବରୁ ପାଉଥିବା ବିଭିନ୍ନ କିସମର ରିହାତି ତ୍ୟାଗ କରିବାକୁ ପ୍ରସ୍ତୁତ ହେବେ, ସେମାନଙ୍କର ଆୟକର ଦେୟରେ ଏହା ଦ୍ବାରା ବିଶେଷ ହ୍ରାସ ଘଟିବ। ଏଥି ଯୋଗୁଁ କରଦାତା ମାନଙ୍କର ଯେଉଁ ଲାଭ ହେବ, ତାହା ସେମାନେ ସମ୍ପୂର୍ଣ୍ଣ ଭାବରେ ବା ଆ˚ଶିକ ଭାବରେ ବଜାରରେ ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି।

ଚାହିଦାରେ ସ୍ଫୀତି ଘଟିବା ପାଇଁ ଖାଉଟି ଖର୍ଚ୍ଚ ଯେତିକି ଗୁରୁତ୍ବପୂର୍ଣ୍ଣ, ପୁଞ୍ଜିନିବେଶ ବାବଦରେ ଖର୍ଚ୍ଚ ମଧୢ ସେତିକି ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ସରକାରୀ ନିବେଶ ଖର୍ଚ୍ଚ ବେଶ୍‌ ଗୁରୁତ୍ବ ବହନ କରିଥାଏ। ଏ ଦୃଷ୍ଟିରୁ ସୀତାରମଣଙ୍କ ବଜେଟ୍‌ରେ ସ୍ଥାନ ପାଇଥିବା ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ ହେଲା, ସରକାରଙ୍କ ନିବେଶ ଖର୍ଚ୍ଚରେ ଏକ ବେଶ୍‌ ଉଚ୍ଚା ୨୧ ଶତା˚ଶରୁ ଅଧିକ ବୃଦ୍ଧି ଘଟିବା ପାଇଁ କରାଯାଇଥିବା ପରିକଳ୍ପନା। ଆଗାମୀ ବିତ୍ତବର୍ଷରେ ନିବେଶ ବ୍ୟୟରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ବୃଦ୍ଧି ଘଟିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହାର ଅଧିକ ଭାଗ ସଡ଼କ, ରାଜପଥ ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣରେ ନିୟୋଜିତ ହେବ। ଏଥିଯୋଗୁଁ ଚାହିଦାରେ ବୃଦ୍ଧି ଘଟିବା ସହିତ ଦେଶର ଉତ୍ପାଦନ କ୍ଷମତାରେ ମଧୢ ବୃଦ୍ଧି ଘଟିବ। ୨୦୨୦-୨୧ରେ ସରକାର ଯେଉଁ ଋଣ ସ˚ଗ୍ରହ କରିବେ ତାହା ମୁଖ୍ୟତଃ ଏଭଳି ପୁଞ୍ଜିନିବେଶରେ ନିୟୋଜିତ ହେବ। ପରିବହନ ଭିତ୍ତିଭୂମି ସୃଷ୍ଟି ପାଇଁ ବଜେଟ୍‌ରେ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ‘ଉଡ଼ାନ୍‌’ ସ୍କିମ୍‌ ଅନ୍ତର୍ଗତ ନିର୍ମିତ ହେବାକୁ ଯାଉଥିବା ୧୦୦ଟି ନୂତନ ବିମାନ ବନ୍ଦର ଦେଶର ଗମନାଗମନ ଓ ପରିିବହନ କ୍ଷମତାରେ ଉନ୍ନତି ଘଟାଇବା ସହିତ ଚାହିଦା ବୃଦ୍ଧିରେ ମଧୢ ସହାୟକ ହେବ।

ନିବେଶ ଲାଗି ସମ୍ବଳ ସ˚ଗ୍ରହ ପାଇଁ ଟିକସ ଉପରେ ନିର୍ଭର ନକରି ସରକାର ଜୀବନ ବୀମା କର୍ପୋରେସନ୍‌ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର କିଛି ଅ˚ଶଧନ ବିକ୍ରି କରି ଦେବାକୁ ବଜେଟ୍‌ରେ ପ୍ରସ୍ତାବ ଦିଆଯାଇଛି। ସରକାରୀ କ୍ଷେତ୍ରରେ ଥିବା ବ୍ୟାଙ୍କ୍‌ ମାନଙ୍କର ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ସେଥିରେ ନୂତନ ପୁଞ୍ଜି ଭର୍ତ୍ତି କରିବା ପାଇଁ ବଜେଟ୍‌ରେ ପ୍ରସ୍ତାବ ରଖାଯାଇଛି। ଏହା ରୁଗ୍‌ଣ ବ୍ୟାଙ୍କ୍‌ମାନଙ୍କଠାରେ ନୂତନ ପ୍ରାଣ ସଞ୍ଚାର କରିବ। ସେହିପରି ଜମାକାରୀମାନଙ୍କର ଭରସା ବୃଦ୍ଧି କରିବା ପାଇଁ ଜମା ନିରାପତ୍ତା ସୀମାକୁ ଏକ ଲକ୍ଷ ଟଙ୍କାରୁ ବୃଦ୍ଧି କରି ପାଞ୍ଚଲକ୍ଷ ଟଙ୍କା କରିଦିଆଯାଇଛି। କର୍ପୋରେଟ୍‌ ଟିକସ ହ୍ରାସ ସହିତ ଲାଭା˚ଶ ବିତରଣ ଟିକସ (ଡିଡିଟି)ର ଉଚ୍ଛେଦ କରି ସୀତାରମଣ ଶିଳ୍ପ ବାଣିଜ୍ୟ କ୍ଷେତ୍ର ପ୍ରତି ଏକ ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ ନେଇ ସୀତାରମଣ ଏ ବର୍ଷ ବଜେଟ୍‌ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ସମ୍ବଳ ଆବଣ୍ଟନ କରିଛନ୍ତି।

କିନ୍ତୁ ଏ ସମସ୍ତ ଓ ଆହୁରି ଅନେକ ଏଭଳି ପଦକ୍ଷେପ ପାଇଁ ପ୍ରସ୍ତାବ ବହନ କରୁଥିବା ସତ୍ତ୍ବେ ଏକ ବ୍ୟତିକ୍ରମ ସ୍ବରୂପ ଶନିବାର ଦିନ ମଧୢ ଖୋଲା ରହି କାରବାର ଚାଲିଥିବା ସେଆର‌୍‌ ବଜାର ନିର୍ମଳାଙ୍କ ବଜେଟ୍‌ ପ୍ରତି ଏ ପରି ତୀବ୍ର ବିରାଗ ପ୍ରଦର୍ଶନ କରିଥିଲା ଯେ ବମ୍ବେ ସେନ୍‌ସେକ୍‌ସ୍‌ରେ ପ୍ରାୟ ୧୦୦୦ ପଏଣ୍ଟ୍‌ ସ୍ଖଳନ ଘଟିଥିଲା। ଏହାର ମୁଖ୍ୟ କାରଣ ଥିଲା ଦୀର୍ଘକାଳୀନ ନିବେଶରୁ ମିଳୁଥିବା ଆୟ ଉପରେ ବସା ଯାଇଥିବା ଟିକସର ‘ଉଚ୍ଛେଦ’ ଘଟିବ ବୋଲି ଆଶା କରାଯାଉଥିଲେ ହେଁ ନିର୍ମଳା ତାହାକୁ ଅପରିବର୍ତ୍ତିତ ରଖିଛନ୍ତି। ଏହାକୁ ଏକ ନିବେଶ-ବିରୋଧୀ ଆଭିମୁଖ୍ୟ ରୂପେ ବିଚାର କରାଯାଇ ସେଆର‌୍‌ ବଜାରରେ ଏଭଳି ରକ୍ତପାତ ଘଟିଛି। ମନେହେଉଛି ଏହି ଗୋଟିଏ ଭୁଲ୍‌ ପାଇଁ ନିର୍ମଳା ସୀତାରମଣ ତାଙ୍କର ଭାବମୂର୍ତ୍ତି ଉଦ୍ଧାର କରିବାର ଦ୍ବିତୀୟ ସୁଯୋଗକୁ ମଧୢ ହାତଛଡ଼ା କରିବସିଛନ୍ତି। ପୂର୍ବ ଥର ଭଳି ଜିଦ୍‌ ଛାଡ଼ି ସେ ଏହି ‘ଏଲ୍‌ଟିସିଜି’ ଟିକସର ଉଚ୍ଛେଦ ଘଟାଇଲେ ହୁଏତ ଏ ଅପାରଗତା କଳଙ୍କରୁ କିଛିଟା ମୁକ୍ତି ପାଆନ୍ତେ। ନଚେତ୍‌ ଦୁଇଟି ପୃଷ୍ଠା ପାଇଁ ଥକି ପଡ଼ିଥିବା ନିର୍ମଳା ତାଙ୍କର ବଜେଟ୍‌ ଉପସ୍ଥାପନ ସମ୍ପୂର୍ଣ୍ଣ କରି ନପାରିବା ପରି, ଗୋଟିଏ ଜିଦ୍‌ ପାଇଁ ତାଙ୍କର ପ୍ରାୟ ଅଢ଼େଇ ଘଣ୍ଟାର କଠିନ ତପସ୍ୟା ଶୁଖୁଆ ଝୋଳରେ ଯିବା ସାର ହେବ।

ସମ୍ବନ୍ଧିତ ଖବର