ପନ୍‌ଚି˚ ବ୍ୟାଗ୍‌

ଯେଉଁମାନେ ସୁନ୍ଦର ଅଙ୍ଗ ସୌଷ୍ଠବ ହାସଲ କରିବା ସକାଶେ ବ୍ୟାୟାମଶାଳା ବା ‘ଜିମ୍‌’ଗୁଡ଼ିକୁ ଯାଉଥିବେ ଅଥବା ସେହି ବିଷୟରେ କିଛି ଧାରଣା ରଖିଥିବେ, ସେମାନେ ‘ପନ୍‌ଚି˚ ବ୍ୟାଗ୍‌’ ବିଷୟରେ ଅବଗତ ଥିବେ। ଗୋଟିଏ ସ୍ଥାନରେ ଦୋଳାୟମାନ ଅବସ୍ଥାରେ ଝୁଲି ରହିଥିବା ଏକ ନିଦା ଓ ଓଜନିଆ ବ୍ୟାଗ୍‌ ଉପରେ ମୁଷ୍ଟି ଦ୍ବାରା ପ୍ରହାର କରି ଚାଲିବା କେବଳ ମୁଷ୍ଟି ଯୋଦ୍ଧାମାନଙ୍କ ଲାଗି ବାଧୢତାମୂଳକ ନିୟମିତ ଅଭ୍ୟାସ ପର୍ଯ୍ୟାୟଭୁକ୍ତ ନୁହେଁ, ବାହୁର ମା˚ସପେଶୀକୁ ସ୍ଫୀତ ଓ ଦୃଢ଼ କରିବା ଲାଗି ଅନେକ ସାଧାରଣ ଯୁବକଯୁବତୀ ‘ପନ୍‌ଚି˚ ବ୍ୟାଗ୍‌’ ଉପରେ ପ୍ରହାର ବୃଷ୍ଟି କରି ଚାଲନ୍ତି। ତେବେ, ଏହି ପ୍ରକରଣରେ ‘ପନ୍‌ଚି˚ ବ୍ୟାଗ୍‌’ର ଭୂମିକା ନିରବରେ ପ୍ରହାର-ବୃଷ୍ଟି ସହ୍ୟ କରିବାରେ ହିଁ ସୀମିତ ଥାଏ। ତେବେ, ଏଠାରେ ‘ପନ୍‌ଚି˚ ବ୍ୟାଗ୍‌’ ବିଷୟରେ ଅବତାରଣା କରାଯାଉଛି କାହିଁକି? ଏହାର କାରଣ ହେଉଛି ଏକ ପ୍ରଶ୍ନର ଉତ୍ତର ଖୋଜିବା ଯାହା ପଚାରିଥାଏ ଯେ ଗଲା କିଛି ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ମତାବଲମ୍ବୀ ଲୋକେ ମହାତ୍ମା ଗାନ୍ଧୀଙ୍କୁ ଏକ ‘ପନ୍‌ଚି˚ ବ୍ୟାଗ୍‌’ରେ ପରିଣତ କରି ସାରିଲେଣି କି?

ଏହି ପରିପ୍ରେକ୍ଷୀରେ ଗଲା ଶନିବାର ଦିନ ବିଜେପି ସା˚ସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ଼ଙ୍କ ଦ୍ବାରା ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧରେ ପ୍ରଦାନ କରାଯାଇଥିବା ବିବାଦୀୟ ମନ୍ତବ୍ୟ ବି‌େଶଷ ପ୍ରଣିଧାନଯୋଗ୍ୟ। ତାଙ୍କ ବକ୍ତୃତାରେ ହେଗଡେ଼ ଯାହା କହିଥିବା ବିଷୟ ଗଣମାଧୢମରେ ପ୍ରକାଶିତ ହୋଇଛି, ତାହା ହେଲା ଏହା ଯେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ପରିଚାଳିତ ସତ୍ୟାଗ୍ରହ ପ୍ରକୃତରେ ଥିଲା ଏକ ନାଟକ। ଇ˚ରେଜମାନଙ୍କ ସହିତ ସଲାସୁତୁରାରେ ଚାଲିଥିବା ଏହି ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଭଳି ନେତୃବୃନ୍ଦ ପୁଲିସ ଯାତନାର ଶିକାର ହୋଇ ନ ଥିଲେ। ସେହି ସମୟରେ ହୋଇଥିବା ବ୍ରିଟିସ ବିରୋଧୀ ଅନ୍ୟାନ୍ୟ ସଂଗ୍ରାମରେ ଦାରୁଣ ଯାତନା ଭୋଗ କରିଥିବା ବହୁ ଆନ୍ଦୋଳନକାରୀ ଆଜି ବିସ୍ମୃତିର ଅତଳ ଗର୍ଭରେ, ଅଥଚ କ˚ଗ୍ରେସୀ ଆନ୍ଦୋଳନକାରୀ ନେତୃବୃନ୍ଦ ଦେଶ ସ୍ବାଧୀନତାର ସମସ୍ତ ଶ୍ରେୟ ନେଇ ଯାଇଛନ୍ତି। ଅବଶ୍ୟ ହେଗେଡ଼ଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇ ତାଙ୍କ ଉପରେ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଯଦିଓ ଇତିମଧ୍ୟ‌େର ନିଜ ପକ୍ଷ ରଖି ହେଗଡେ଼ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବକ୍ତବ୍ୟରେ ସେ କେଉଁଠି ହେଲେ ଗାନ୍ଧୀଙ୍କ ନାମ ଉଚ୍ଚାରଣ କରି ନାହାନ୍ତି; ତଥାପି ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା କର୍ଣ୍ଣାଟକ ରାଜ୍ୟ ବିଜେପିରେ ତାଙ୍କ ପ୍ରତି ରହିଥିବା ପ୍ରଚ୍ଛନ୍ନ ସମର୍ଥନ। ତେବେ, ସେ ଯାହା ହେଉ ହେଗଡେ଼ଙ୍କ ପୁରୁଣା ଟ୍ରାକ୍‌ ରେକର୍ଡ ଆଧାରରେ ଏଭଳି ଧାରଣା ମଧ୍ୟ ସୃଷ୍ଟି ହୋଇଥାଏ ଯେ ଚର୍ଚ୍ଚାରେ ରହିବା ଲାଗି ଅଯଥା କୋଳାହଳ ସୃଷ୍ଟିକାରୀଙ୍କ ଭିତରେ ବୋଧହୁଏ ସେ ଜଣେ। କାରଣ ଏକ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇ ରାହୁଳ ଗାନ୍ଧୀଙ୍କୁ ଜଣେ ‘ହାଇବ୍ରିଡ୍‌’ ବା ବର୍ଣ୍ଣ ସଙ୍କର ଭାବେ ଅଭିହିତ କରିବା ଅଥବା ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ ମୁଖ୍ୟମନ୍ତ୍ରିତ୍ବରେ ମାତ୍ର ୮୦ ଘଣ୍ଟା ଲାଗି କ୍ଷମତାସୀନ ହୋଇଥିବା ବିଜେପି ସରକାର ସ˚ପର୍କରେ ବୟାନ ଦେଇ କହିବା ଯେ ଏଭଳି କ୍ଷଣସ୍ଥାୟୀ ସରକାର ଗଠନର ଅସଲ ଉଦ୍ଦେଶ୍ୟ ଥିଲା ମହାରାଷ୍ଟ୍ର ରାଜ୍ୟ ସରକାରଙ୍କଠାରେ ବଳକା ରହିଥିବା ଚାଳିଶ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅର୍ଥକୁ ଶିବସେନା -ଏନ୍‌ସିପି-କ˚ଗ୍ରେସ ମେଣ୍ଟ ସରକାର ହାତକୁ ଯିବାକୁ ନ ଦେବା (ଯାହାକୁ ଦେବେନ୍ଦ୍ର ଫଡ଼ନାବିସ ଅସ୍ବୀକାର କରିଥିଲେ) କିମ୍ବା ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ସମର୍ଥନ କରୁଥିବା କେରଳ ସରକାରଙ୍କ ଆଭିମୁଖ୍ୟକୁ ‘ପ୍ରକାଶ୍ୟ ଦିବାଲୋକରେ ହିନ୍ଦୁଙ୍କୁ ବଳାତ୍କାର’ ବୋଲି ବର୍ଣ୍ଣନା କରିବା ଅଥବା ଏକ ଭାଷଣରେ ଭାରତରୁ ଇସଲାମର ମୂଳୋତ୍ପାଟନ ଜରୁରୀ ବୋଲି ଆହ୍ବାନ ଦେବା ତାଙ୍କର ଏଭଳି କୋଳାହଳ ସୃଷ୍ଟିକାରୀ ମନୋଭାବକୁ ହିଁ ଦର୍ଶାଇ ଥାଏ। ତେବେ ଦଳ ଲାଗି ଅସ୍ବସ୍ତିର କାରଣ ହେଉଥିବା ସତ୍ତ୍ବେ ତାଙ୍କ ବିରୋଧରେ ଦଳ ପକ୍ଷରୁ କୌଣସି ନିୟନ୍ତ୍ରଣାତ୍ମକ ପଦକ୍ଷେପ ନିଆଯାଇ ପାରୁନାହିଁ କାହିଁକି? ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ପାଞ୍ଚ ଥର ସା˚ସଦ ହୋଇ ପାରିଥିବା ଏହି ନେତାଙ୍କ ଅସମ୍ଭବ ଲୋକପ୍ରିୟତା ଦଳକୁ ଏକ ପ୍ରକାର ଅସହାୟ କରି ପକାଇଛି।

ତେବେ, ମୂଳ ପ୍ରସଙ୍ଗକୁ ଫେରିବା। ପ୍ରଶ୍ନ ଉଠୁଛି ଯେ ଦକ୍ଷିଣ ପନ୍ଥାର ଅନୁଗାମୀମାନେ ମହାତ୍ମା ଗାନ୍ଧୀ ବା ତାଙ୍କ ନେତୃତ୍ବରେ ପରିଚାଳିତ ସତ୍ୟାଗ୍ରହ ଆନ୍ଦୋଳନକୁ ଶରବ୍ୟ କରିବାକୁ ଏଭଳି ବ୍ୟଗ୍ର କାହିଁକି? ଏହାର କିଛି କାରଣ ଏମିତି ହୋଇପାରେ ଯେ ସ୍ବାଧୀନତା ସ˚ଗ୍ରାମ କାଳରେ ବୀର ସବରକରଙ୍କ ବ୍ୟତୀତ ଅନ୍ୟ କୌଣସି ଦକ୍ଷିଣ ପନ୍ଥୀ ତାରକା ନେତା ଦୃଶ୍ୟମାନ ହୁଅନ୍ତି ନାହିଁ। ଏଣେ ଉପଲବ୍‌ଧ ଐତିହାସିକ ତଥ୍ୟ ଅନୁସାରେ ବୀର ସବରକରଙ୍କ ଭୂମିକା ମଧ୍ୟ ବେଶ୍‌ ସ˚ଶୟାଚ୍ଛନ୍ନ। ପୁନଶ୍ଚ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପରିଚାଳିତ ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନର ତୀବ୍ର ବିରୋଧୀ ଥିଲେ ବୀର ସବରକର। ଏହି ସବୁ ଦୃଷ୍ଟିରୁ ଭାରତରେ ଦକ୍ଷିଣ ପନ୍ଥୀ ରାଜନୀତିର ଉତ୍‌ଥାନ ପରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ଓ ତାର ନେତୃତ୍ବ ପ୍ରତି ଆକ୍ରମଣ ଗଲା ପ୍ରାୟ ଗୋଟିଏ ଦଶକ ଧରି ତୀବ୍ର ହୋଇଥିବା ଦୃଶ୍ୟମାନ ହେଉଛି। ଏହି ସ˚ଦର୍ଭରେ ମହାତ୍ମା ଗାନ୍ଧୀ ଦକ୍ଷିଣ ପନ୍ଥୀମାନଙ୍କ ଲାଗି ଗୋଟିଏ ପ୍ରିୟ ‘ପନ୍‌ଚି˚ ବ୍ୟାଗ୍‌’ରେ ପରିଣତ ହୋଇଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ସା˚ସଦ ସାଧ୍ବୀ ପ୍ରଜ୍ଞା ଠାକୁର ସ˚ସଦ ଗୃହରେ ନାଥୁରାମ ଗଡ଼ସେଙ୍କୁ ଜଣେ ପ୍ରକୃତ ଦେଶପ୍ରେମୀ ବୋଲି ବର୍ଣ୍ଣନା କରି ବିବାଦ ସୃଷ୍ଟି କରିଥିଲେ। ସମ୍ପ୍ରତି ଅନନ୍ତ ହେଗଡେ଼ ମଧୢ ଏକ ସମତୁଲ ମନୋଭାବର ପ୍ରଦର୍ଶନ କରିଛନ୍ତି। ତେବେକେବଳ ସା˚ସଦ ବା ମନ୍ତ୍ରୀ ନୁହନ୍ତି, ଦକ୍ଷିଣ ପନ୍ଥାର ଅନେକ କ୍ଷୁଦ୍ରକାର ରାଜନୈତିକ ଅନୁଗତ ମହାତ୍ମା ଗାନ୍ଧୀଙ୍କ ସ˚ପର୍କରେ ବିଭିନ୍ନ ସମୟରେ ଅତ୍ୟନ୍ତ ବିବଦମାନ ମନ୍ତବ୍ୟ ପ୍ରଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗାନ୍ଧୀଙ୍କୁ ଏକ ‘ପନ୍‌ଚି˚ ବ୍ୟାଗ୍‌’ ଭାବେ ବ୍ୟବହାର କରିବା ଦ୍ବାରା ସୃଷ୍ଟ ବିବାଦରୁ ସେମାନଙ୍କୁ ମିଳୁଥିବା ଏଭଳି ବୃହତ୍ତର ପରିଚିତି ସେମାନଙ୍କ ରାଜନୈତିକ ମା˚ସପେଶୀକୁ ମଧୢ ସ୍ଫୀତ ଓ ଦୃଢ଼ କରିଛି।

୨୦୧୫ ମସିହାରେ ଅର୍ଥାତ୍‌ ବିଜେପି ନେତୃତ୍ବାଧୀନ ପ୍ରଥମ ପାଳିର ନରେନ୍ଦ୍ର ମୋଦୀଙ୍କ ସରକାର ଏକ ବିପୁଳ ବିଜୟ ଲାଭ କରି କେନ୍ଦ୍ରରେ କ୍ଷମତାସୀନ ହେବାର ପରବର୍ତ୍ତୀ ବର୍ଷ ପ୍ରସିଦ୍ଧ ଇତିହାସକାର ଇରଫାନ ହବିବ ଏକ ଅଭିଭାଷଣ ଛଳରେ କହିଥିଲେ ଯେ ଗାନ୍ଧୀଙ୍କ ସଠିକ ଆକଳନ କରିବା ଲାଗି ଗାନ୍ଧୀ ବିଚାର ଓ ଗାନ୍ଧୀଙ୍କ ସମୟ କାଳକୁ ଜଣେ ଗଭୀର ଭାବେ ବୁଝିବା ଆବଶ୍ୟକ, ଯାହାର ଏକ ଦୟନୀୟ ଅଭାବ ଏବେ ପରିଲକ୍ଷିତ ହେଉଛି। ତାଙ୍କ ଦ୍ବାରା ପ୍ରଦତ୍ତ ଅଭିଭାଷଣରେ ଏହି ସତର୍କ ବାଣୀ ମଧୢ ରହିଥିଲା ଯେ ଭବିଷ୍ୟତ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଆମ ରାଷ୍ଟ୍ରର ଆଚରଣ ହିଁ ନିର୍ଣ୍ଣୟ କରିବ ଯେ ଭାରତର ଆଗାମୀ ସ୍ବରୂପ କିଭଳି ହେବ? କିନ୍ତୁ ପ୍ରସିଦ୍ଧ ଇ˚ରେଜ ଉପନ୍ୟାସକାର ଜର୍ଜ ଅର‌େଵଲ କହିଥିଲା ଭଳି ସନ୍ଥମାନଙ୍କ ଦୁର୍ଭାଗ୍ୟ ହେଉଛି ସେମାନେ ନିଜକୁ ଠିକ୍‌ ବୋଲି ପ୍ରମାଣିତ ନ କଲା ପର୍ଯ୍ୟନ୍ତ ଲୋକମାନଙ୍କ ଦ୍ବାରା ଭୁଲ ବୋଲି ସାବ୍ୟସ୍ତ ହୋଇ ଚାଲିଥାଆନ୍ତି। କିନ୍ତୁ ଏଥିରେ ନିହିତ ବିଡ଼ମ୍ବନାଟି ହେଲା, କୌଣସି ସନ୍ଥ ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବା ଲାଗି କୌଣସି କାର୍ଯ୍ୟ କରନ୍ତି ନାହିଁ।

ସମ୍ବନ୍ଧିତ ଖବର