ସ୍ଲିପର‌୍‌ ସେଲ୍‌

କୋଲକାତାସ୍ଥିତ ‘ଟାଟା ମେମୋରିଆଲ୍‌ ସେଣ୍ଟର ଫର କ୍ୟାନସର’ର ଡାକ୍ତର ମୋହନଦାସ.କେ. ମଲ୍‌ହା ଏବ˚ ଲଣ୍ତନର କିଙ୍ଗ୍‌ସ କଲେଜର ଗବେଷକ ରବର୍ଟ ସ୍ମିଥ୍‌ଙ୍କ ଦ୍ବାରା ପ୍ରସ୍ତୁତ ଏବ˚ ଗଲା ଅଗଷ୍ଟ ମାସରେ ପ୍ରକାଶିତ ‘ହିଷ୍ଟ୍ରି ଅଫ୍‌ ଦ ଗ୍ରୋଇଂ ବର୍ଡନ୍‌ ଅଫ୍ କ୍ୟାନସର ଇନ୍ ଇଣ୍ଡିଆ: ଫ୍ରମ ଆଣ୍ଟିକ୍ବିଟି ଟୁ ମଡର୍ନ‌୍‌ଏଜ୍‌’ ଶୀର୍ଷକଧାରୀ ଏକ ଗବେଷଣାମୂଳକ ନିବନ୍ଧ (ଗ୍ଲୋବାଲ୍‌ ଜର୍ନାଲ ଅଫ୍‌ ଅନ୍‌କୋଲୋଜି’ରେ ସ୍ଥାନିତ) ଭାରତରେ କର୍କଟ ରୋଗର ସ୍ଥିତି ବିଷୟରେ ଯାହା କହିଥାଏ, ତାହା କେବଳ ଉଦ୍‌ବେଗଜନକ ନୁହେଁ, ବିମର୍ଷକର ମଧୢ। କାରଣ ତାହା ଅନୁସାରେ ଭାରତରେ କ୍ୟାନସର ରୋଗୀଙ୍କ ସ˚ଖ୍ୟା ପ୍ରତି କୋଡ଼ିଏ ବର୍ଷରେ ଦୁଇ ଗୁଣ ବୃଦ୍ଧି ପାଇପାରେ। ସେମାନଙ୍କ ଦ୍ବାରା କରାଯାଇଥିବା ସୂକ୍ଷ୍ମ ଅନୁଶୀଳନର ଏକ କୌତୂହଳପ୍ରଦ ନିଷ୍କର୍ଷ ଗୋଟିଏ ଉଦାହରଣ ମାଧୢମରେ ଏହିପରି: ଯଦି କସ୍ମିନ୍‌ କାଳେ ଭାରତରେ ସର୍ବାଧିକ କ୍ୟାନସର ସୃଷ୍ଟି କରୁଥିବା ତମାଖୁକୁ ସ˚ପୂର୍ଣ୍ଣ ନିଷେଧ କରିଦିଆଯାଏ, ତେବେ ଭାରତୀୟଙ୍କ ହାରାହାରି ଆୟୁଷ ହୁଏ’ତ ଦଶ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ, କିନ୍ତୁ ଏହି କାରଣରୁ ମୁଖ ଗହ୍ବର କର୍କଟରୁ ମୁକ୍ତି ପାଇଥିବା ଭାରତୀୟମାନେ ବାର୍ଦ୍ଧକ୍ୟରେ ଭୋଗୁଥିବା ସ୍ତନ କର୍କଟ (ମହିଳାଙ୍କ କ୍ଷେତ୍ରର) ଏବ˚ ପ୍ରୋଷ୍ଟେଟ୍‌ କର୍କଟ (ପୁରୁଷମାନଙ୍କ କ୍ଷେତ୍ରରେ)ର ଶିକାର ହୋଇପାରନ୍ତି ଏବ˚ କ୍ୟାନସରର ହାର ଯଥା ପୂର୍ବ˚ ତଥା ପରଂ ସ୍ଥିତିରେ ରହିପାରେ। ବାର୍ଦ୍ଧକ୍ୟରେ ଅଧିକରୁ ଅଧିକ ସ˚ଖ୍ୟକ ଭାରତୀୟ କର୍କଟ ରୋଗର ଶିକାର ହେଉଥିବାରୁ ସ˚ପ୍ରତି ଭାରତୀୟମାନଙ୍କ ହାରାହାରି ଆୟୁରେ ବୃଦ୍ଧି କ୍ୟାନସର ଆକ୍ରାନ୍ତଙ୍କ ସ˚ଖ୍ୟା ବୃଦ୍ଧିର ଏକ କାରଣ ଭାବେ ଉଭା ହୋଇଛି।

ଏହି ପ୍ରସଙ୍ଗରେ ଗଲା ମଙ୍ଗଳବାର ଦିନ, ‘ବିଶ୍ବ କର୍କଟ ରୋଗ ଦିବସ’ର ଅବ୍ୟବହିତ ପୂର୍ବରୁ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ମଧୢ ସୂଚନା ପ୍ରଦାନ କରିଛି ଯେ ପ୍ରତି ଦଶ ଜଣ ଭାରତୀୟଙ୍କ ମଧୢରୁ ଜଣେ ତାଙ୍କ ଜୀବଦ୍ଦଶାରେ କର୍କଟ ରୋଗର ଶିକାର ହେବାର ସମ୍ଭାବନା ରହିଛି। ‘ହୁ’ ଏବ˚ ‘ଇଣ୍ଟରନ୍ୟାସନାଲ ଏଜେନ୍‌ସି ଫର ରିସର୍ଚ୍ଚ ଅନ୍‌ କ୍ୟାନସର’ ଦ୍ବାରା ପ୍ରକାଶିତ ତଥ୍ୟରୁ ଏହା ମଧୢ ଜଣାଯାଇଛି ଯେ ୨୦୧୮ ମସିହାରେ ଭାରତରେ ନୂଆ କର୍କଟ ରୋଗୀଙ୍କ ସ˚ଖ୍ୟା ହେଉଛି ୧.୧୬ ନିୟୁତ ଏବଂ କର୍କଟ ରୋଗ ଦ୍ବାରା ମୃତ୍ୟୁବରଣ କରିଥିବା ହତଭାଗ୍ୟଙ୍କ ସ˚ଖ୍ୟା ୭, ୮୪, ୮୦୦। ସେହିଭଳି ‘ଇଣ୍ତିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ’ ବା ‘ଆଇସିଏମ୍‌ଆର’ ପକ୍ଷରୁ ପ୍ରକାଶିତ ତଥ୍ୟ କହିଥାଏ ଯେ ୨୦୧୯ରେ ନୂଆ କର୍କଟ ରୋଗୀଙ୍କ ସ˚ଖ୍ୟା ୧୭ ଲକ୍ଷ ଏବ˚ ଏହି ରୋଗାକ୍ରାନ୍ତଙ୍କ ମଧୢରୁ ପ୍ରାୟ ୭ ଲକ୍ଷ ୨୦୨୧ ମସିହାର ସୂର୍ଯ୍ୟୋଦୟ ଦେଖିବା ଲାଗି ଜୀବିତ ନ ଥାଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ପୁରୁଷମାନଙ୍କୁ ସର୍ବାଧିକ ସ˚ଖ୍ୟାରେ ଶିକାର କରୁଥିବା ମୁଖ ଗହ୍ବର କର୍କଟ ଓ ମହିଳାମାନେ ଭୋଗୁଥିବା ଜରାୟୁ ଗ୍ରୀବା କର୍କଟ ସାଧାରଣତଃ ନିମ୍ନ ଆୟକାରୀ ବର୍ଗଙ୍କ ମଧୢରେ ବିଶେଷ ଭାବେ ପରିଦୃଷ୍ଟ ହେଉଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଥିବା ପୁରୁଷଙ୍କ କ୍ଷେତ୍ରରେ ‘କୋଲୋନୋ-ରେକ୍ଟାଲ’ (ବୃହଦନ୍ତ୍ରର ଶେଷ ଭାଗ) କର୍କଟ ଓ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ସାଧାରଣତଃ ସ୍ବଚ୍ଛଳ ଭାରତୀୟ ପରିବାରରେ ଦେଖିବାକୁ ମିଳୁଛି, ଯାହାର ଏକ ବଡ଼ କାରଣ ମେଦବହୁଳତା ତଥା ଶାରୀରିକ ପରିଶ୍ରମରହିତ ଏକ ଆଳସ୍ୟପୂର୍ଣ୍ଣ ଜୀବନଶୈଳୀ। ପୁନଶ୍ଚ ଏହି ରୋଗ ଦ୍ବାରା ରାଷ୍ଟ୍ର ଓ ସମାଜ ଉପରେ ସୃଷ୍ଟି ହେଉଥିବା ବୋଝର ଓଜନ ମଧୢ ଉଦ୍‌ବେଗଜନକ। ଏକ ଆକଳନ ଅନୁସାରେ କ୍ୟାନସର ପୀଡ଼ିତ ପ୍ରତି ପରିବାର ଚିକିତ୍ସା ଲାଗି ହାରାହାରି ବର୍ଷକୁ ୩୭,୦୦୦ ବ୍ୟୟ କରିଥାନ୍ତି ବୋଲି କୁହାଯାଉଥିଲେ ମଧୢ ଜଣାଯାଇଛି ଯେ ଏହି ରୋଗର ଚିକିତ୍ସା ସକାଶେ ହିସାବ ବହିର୍ଭୂତ ଖର୍ଚ୍ଚ ହେଉଛି ତାର ପ୍ରାୟ ୨.୫ ଗୁଣ। ଏହି କାରଣରୁ ୬୦% ଭାରତୀୟ ପରିବାର କରଜଗ୍ରସ୍ତ ହୁଅନ୍ତି ବା ଜମିବାଡ଼ି ବିକି ସର୍ବସ୍ବାନ୍ତ ହୋଇପଡ଼ନ୍ତି। ଏହା ଦ୍ବାରା ଭାରତ ବାର୍ଷିକ ତାର ଜାତୀୟ ଆୟ ବା ଜିଡିପିର .୩୬% ହରାଇଥାଏ ଯାହାର ପରିମାଣ ହେଉଛି ୬୭୦ କୋଟି ଡଲାର।

ଆମ ଦେଶରେ ସବୁଠାରୁ ଅଧିକ କ୍ୟାନସର ରୋଗୀଙ୍କ ରାଜ୍ୟ ଭାବେ କେରଳ ଅପଖ୍ୟାତ ହୋଇଥିବା ବେଳେ ପଞ୍ଜାବ, ହରିଆଣା, ମିଜୋରାମ ଭଳି ରାଜ୍ୟ ତା ପଛକୁ ଅଛନ୍ତି। ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ଏମାନଙ୍କର ପଦାଙ୍କ ଦ୍ରୁତ ଅନୁସରଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ପ୍ରଣିଧାନଯୋଗ୍ୟ ଯେ ଆମ ରାଜ୍ୟର ପଶ୍ଚିମ ଓଡ଼ିଶା (ବିଶେଷ କରି ବରଗଡ଼ ଜିଲ୍ଲା) ଏକ କର୍କଟ ରୋଗୀ ବହୁଳ ଅଞ୍ଚଳରେ ପରିଣତ ହୋଇଛି। ରାଷ୍ଟ୍ରକୁ ଖାଦ୍ୟ ସ୍ବାବଲମ୍ବୀ କରିବା ଲାଗି ଯେଉଁ ସବୁ ଅଞ୍ଚଳରେ ‘ସବୁଜ ବିପ୍ଳବ’ ସଫଳ ହୋଇଛି, ସେଠାରେ ବିଭିନ୍ନ ପ୍ରକାର ବିଷାକ୍ତ କୀଟନାଶକର ସ˚ସ୍ପର୍ଶରେ ଆସୁଥିବା ମୁଖ୍ୟତଃ ଚାଷୀମାନଙ୍କୁ କର୍କଟ ରୋଗ ଗ୍ରାସ କରୁଛି ବୋଲି ‘ଡାଉନ୍‌ ଟୁ ଆର୍ଥ‌୍‌’ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରୁ ଜଣାଯାଏ। ଏହି ପରିପ୍ରେକ୍ଷୀରେ ମୋହନଦାସ. କେ. ମଲ୍‌ହାଙ୍କ ଅନୁଶୀଳନରୁ ପ୍ରାପ୍ତ ଆଉ ଏକ ନିଷ୍କର୍ଷ ମଧୢ ଗୁରୁତ୍ବପୂର୍ଣ୍ଣ। ତହିଁରେ କୁହାଯାଇଛି ଯେ ଭାରତରେ କର୍କଟ ରୋଗର ଧାରାରୁ ପ୍ରତୀୟମାନ ହୋଇଥାଏ ଯେ ଯେଉଁ ରାଜ୍ୟ ବିଭିନ୍ନ ବିଭିନ୍ନ ମାନବ ସୂଚକାଙ୍କରେ ଉନ୍ନତ (କେରଳ ଭଳି) ସେଠାରେ କର୍କଟ ରୋଗୀଙ୍କ ସ˚ଖ୍ୟା ଅଧିକ, କିନ୍ତୁ ଆଶ୍ବାସନାର କଥା ସେ ସବୁ ରାଜ୍ୟରେ ରୋଗ ନିରୂପଣ ଓ ଚିକିତ୍ସା ସୁବିଧା ଅପେକ୍ଷାକୃତ ଉନ୍ନତ ହୋଇଥିବାରୁ କର୍କଟଜନିତ ମୃତ୍ୟୁ ସ˚ଖ୍ୟା ତୁଳନାତ୍ମକ ଭାବେ କମ୍‌। ତେଣୁ, ଏହା ସୂଚନା ଦେଇଥାଏ ଯେ ସମୃଦ୍ଧି ସହିତ ଆସୁଥିବା ପରିବର୍ତ୍ତିତ ଜୀବନଶୈଳୀ ଆମ ଦେଶରେ କର୍କଟ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପଛରେ ନିହିତ ଏକ ବଡ଼ କାରଣ। ତେବେ, ଏହି ସ˚ଦର୍ଭରେ ଯାହା ସବୁଠାରୁ ଅଧିକ ଆବଶ୍ୟକ, ତାହା ହେଲା ସରକାରୀ ସ୍ତରରେ କର୍କଟ ରୋଗ ନିରୂପଣ ଓ ଚିକିତ୍ସା ସୁବିଧାର ଉପଲବ୍‌ଧତା। କାରଣ, ଘରୋଇ ହାସପାତାଳରେ କର୍କଟ ରୋଗ ଚିକିତ୍ସାର ବ୍ୟୟ ଭାର ବହନ କରିବାକୁ ଅଧିକା˚ଶ ଭାରତୀୟ ଅକ୍ଷମ।

‘ଦ ଜୟ ଅଫ୍‌ କ୍ୟାନସର’ ବା ‘କର୍କଟ ରୋଗର ଆନନ୍ଦ’ ନାମକ ବହୁଳ ଭାବେ ବିକ୍ରି ହୋଇଥିବା ପୁସ୍ତକର ରଚୟିତା (ନିଜେ କର୍କଟ ରୋଗାକ୍ରାନ୍ତ ଥିଲେ) ଅନୁପ କୁମାର ଥରେ ଏକ ସାକ୍ଷାତ୍‌କାରରେ କହିଥିଲେ ଏହା ଏଭଳି ଏକ ରୋଗ ଯାହାର ଚିକିତ୍ସା ରୋଗ ଠାରୁ ମଧୢ ଅଧିକ ଯନ୍ତ୍ରଣାଦାୟକ। ଏହି ମନ୍ତବ୍ୟ ପ୍ରଦାନ ବେଳେ ସେ ହୁଏ’ତ କେବଳ ଶାରୀରିକ ଯନ୍ତ୍ରଣା କଥା କହି ନ ଥିଲେ, କ୍ୟାନସରର ଯନ୍ତ୍ରଣା କିଭଳି ଶରୀର ଅତିକ୍ରମ କରି ମନ ଏବ˚ ଜୀବନଯାପନର ପ୍ରତିଟି ସ୍ତରକୁ ଅସ୍ଥିସାରଶୂନ୍ୟ କରିଦିଏ, ସେ କଥା ସୂଚାଇବାକୁ ଚାହିଁଥିଲେ।

ଯେଉଁ ପାଠକପାଠିକାମାନଙ୍କର ଆତଙ୍କବାଦଜନିତ ଅନ୍ତର୍ଘାତୀ କାର୍ଯ୍ୟକଳାପ ବିଷୟରେ କିଞ୍ଚିତ ଧାରଣା ଥିବ, ସେମାନେ ‘ସ୍ଲିପର‌୍‌ ସେଲ୍‌’ଙ୍କ ଏକ ବିଶେଷ ଭୂମିକା ବିଷୟରେ ଅବଗତ ଥାଇପାରନ୍ତି। ଏହି ‘ସ୍ଲିପର‌୍‌ ସେଲ୍‌’ମାନେ ହେଉଛନ୍ତି ଆମ ଭିତରେ ବିଚରଣ କରୁଥିବା ଓ ଅନେକ ସମୟରେ ଆମର ଜଣାଶୁଣା ହୋଇଯାଇଥିବା ସେଭଳି କିଛି ବ୍ୟକ୍ତି, ଯେଉଁମାନେ ନିର୍ଦ୍ଦେଶ ପାଇଲା ମାତ୍ରକେ ହଠାତ୍‌ ସକ୍ରିୟ ହୋଇ ଅନ୍ତର୍ଘାତୀ କାର୍ଯ୍ୟ ସ˚ପାଦନ କରନ୍ତି। କ୍ୟାନସର ସୃଷ୍ଟିକାରୀ କୋଷଗୁଡ଼ିକ ଠିକ୍‌ ସେହିଭଳି। ସେଗୁଡ଼ିକ ପ୍ରକୃତରେ ହେଉଛନ୍ତି ମସ୍ତିଷ୍କର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଆମ ଶରୀରର କିଛି ଜୀବକୋଷ। ସେହି କାରଣରୁ ଆମ ଶରୀର ମଧୢରେ ଏକଦା ଆପଣାର ଥିବା ଅଥଚ ଘଟଣାକ୍ରମରେ ଅନ୍ତର୍ଘାତୀ ଆକ୍ରମଣକାରୀରେ ପରିଣତ ହୋଇଥିବା ଜୀବକୋଷଗୁଡ଼ିକର (ଯାହା କର୍କଟ ରୋଗ ସୃଷ୍ଟି କରିଥାଏ) ମୁକାବିଲା ଚିକିତ୍ସା ଜରିଆରେ କରିବା ଅନେକ ସମୟରେ କଷ୍ଟକର ହୋଇପଡ଼େ। ସେହି କାରଣରୁ ତ କ୍ୟାନସର ଅଧିକା˚ଶ ସମୟରେ ଦୁରାରୋଗ୍ୟରେ ପରିଣତ ହୋଇଛି। ତେବେ, ଏଥିରୁ କିଛିଟା ମୁକ୍ତି ପାଇବାର ଯଦି କେବଳ ଗୋଟିଏ ମାର୍ଗ ଥାଏ, ତାହା ହେଉଛି ପ୍ରତିକାରାତ୍ମକ ମାର୍ଗ, ଯାହା ହେଉଛି ଏକ ସୁସ୍ଥ ଓ ସମନ୍ବିତ ଜୀବନଶୈଳୀ।

ସମ୍ବନ୍ଧିତ ଖବର