କର୍ଣ୍ଣ ବଧ

ମହାଭାରତରେ ବର୍ଣ୍ଣିତ ‘କର୍ଣ୍ଣ ବଧ’ ଉପାଖ୍ୟାନରେ ଦେଖିବାକୁ ମିଳିଥାଏ ଯେ ମହାବଳୀ କର୍ଣ୍ଣଙ୍କ ରଥର ଚକ ଯୁଦ୍ଧ ଭୂମିରେ ଏକ ଗର୍ତ୍ତରେ ଫସି ଯିବା ପରେ ଯେତେବେଳେ ସେ ରଥ ଉପରେ ସମସ୍ତ ଅସ୍ତ୍ରଶସ୍ତ୍ର ଥୋଇ ଚକକୁ ଉଠାଇବାର ପ୍ରୟାସରେ ଲାଗିଥିଲେ, ସେତିକି ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବାରମ୍ବାର ପ୍ରଚୋଦନା ଫଳରେ ଅର୍ଜୁନ ନିରସ୍ତ୍ର ଓ ଅସହାୟ କର୍ଣ୍ଣଙ୍କ ଉପରେ ନାରାଚ ପ୍ରହାର କରି ତାଙ୍କୁ ବଧ କଲେ। ଯଦିଓ ନିରସ୍ତ୍ର ଉପରେ ଶସ୍ତ୍ର ଉତ୍ତୋଳନ କରିବା ମହାଭାରତ ଯୁଦ୍ଧ କାଳରେ ଏକ ଅତ୍ୟନ୍ତ ଅଗ୍ରାହ୍ୟ ବିଷୟ ଥିଲା, ତଥାପି ମହାବୀର ଅର୍ଜୁନ ସେଭଳି କରନ୍ତୁ ବୋଲି ଶ୍ରୀକୃଷ୍ଣ ତାଙ୍କୁ ପ୍ରବର୍ତ୍ତାଇବା ପଛରେ କାରଣ କ’ଣ ଥିଲା? ଏହାର କାରଣ ଥିଲା ଯେ ଯୁଦ୍ଧରେ ପାଣ୍ତବମାନେ ବିଜୟୀ ହେବା ପଥରେ ଯଦି କୌଣସି ଗୋଟିଏ ବୃହତ୍‌ ପ୍ରତିବନ୍ଧ ଥିଲା, ତାହା ବିଦ୍ୟମାନ ଥିଲା କର୍ଣ୍ଣ ରୂପରେ। ସୁତରାଂ, ଅସହାୟ କର୍ଣ୍ଣ ଥରେ ସେଭଳି ପରିସ୍ଥିତିରୁ ମୁକ୍ତ ହୋଇଗଲେ ଯେ ଯୁଦ୍ଧର ସ୍ବରୂପ ବଦଳି ଯାଇପାରେ, ଏ ନେଇ ଶ୍ରୀକୃଷ୍ଣ ଅବଗତ ଥିଲେ। ଏହି ପରିପ୍ରେକ୍ଷୀରେ ଗଲା ଗୁରୁବାର ଦିନ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଏକ ଶହ ମିନିଟ୍‌ର ଦୀର୍ଘ ଭାଷଣକୁ ଯଦି ତର୍ଜମା କରାଯାଏ, ତେବେ ହୁଏ’ତ ‘କର୍ଣ୍ଣ ବଧ’ ପ୍ରସଙ୍ଗଟି ସ୍ମରଣକୁ ଆସିପାରେ। ତେବେ, ଏଭଳି କିପରି ଓ କାହିଁକି ସେ ବିଷୟରେ ଏଠାରେ ସ˚କ୍ଷେପରେ ଆଲୋଚନା କରାଯିବା ପ୍ରାସଙ୍ଗିକ।

ଉଲ୍ଲେଖ ରହୁ ଯେ ସ˚ସଦରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ ଅଭିଭାଷଣ ପରିପ୍ରେକ୍ଷୀରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କାଳରେ ବିରୋଧୀ ଦଳର ସା˚ସଦମାନଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ଉପରେ ବର୍ଷଣ କରାଯାଇଥିବା ସମାଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଥିଲେ, ତହିଁରେ ପରିଦୃଶ୍ୟ ଥିବା ଧାରାଟି ମୂଳରୁ ଚୂଳ ପର୍ଯ୍ୟନ୍ତ ଥିଲା କ˚ଗ୍ରେସ ଉପରେ ଆକ୍ରମଣ। ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଥାଇପାରେ ଯେ ‘ସିଏଏ-ଏନ୍‌ଆର‌୍‌ସି-ଏନ୍‌ପିଆର‌୍‌’ ସ˚ଦର୍ଭରେ ବର୍ତ୍ତମାନ ଯେତେବେଳେ ବାମପନ୍ଥୀ, ସମାଜବାଦୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଆଞ୍ଚଳିକ ଦଳ ପର୍ଯ୍ୟନ୍ତରେ ଅନେକ ଦଳ ବିଜେପିର ତୀବ୍ର ବିରୋଧ କରୁଛନ୍ତି, ପ୍ରଧାନମନ୍ତ୍ରୀ କେବଳ କ˚ଗ୍ରେସକୁ ତାଙ୍କର ଆକ୍ରମଣର ଶରବ୍ୟ କଲେ କାହିଁକି? ପୁଣି ଏହା ଅନସ୍ବୀକାର୍ଯ୍ୟ ଯେ ୨୦୧୪ ଏବ˚ ୨୦୧୯ରେ ହୋଇଥିବା ଦୁଇଟି ଯାକ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିବା ବିଜେପି କେବଳ ତାର ଜିତାପଟ ଲାଗି ନୁହେଁ, ବର˚ ଯେଉଁଭଳି ଭାବେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସକୁ ବିଧ୍ବସ୍ତ କରି ବିଜୟ କେତନ ଉଡ଼ାଇଲା, ତାହା ହିଁ ଥିଲା ଚମକପ୍ରଦ। କେବଳ ସେତିକି ନୁହେଁ, ୨୦୧୯ ନିର୍ବାଚନରେ କ˚ଗ୍ରେସ ଉପରେ ବିଜେପିର ପ୍ରହାରର ହାର ଥିଲା ୯୨ ପ୍ରତିଶତ; ଅର୍ଥାତ୍‌ ସେହି ନିର୍ବାଚନରେ ଯେଉଁଠି ବିଜେପି ଓ କ˚ଗ୍ରେସ ସମ୍ମୁଖ ରଣରେ ଅବତୀର୍ଣ୍ଣ ହୋଇଥିଲେ, ତହିଁରେ ପ୍ରତି ୧୦୦ଟିରେ କ˚ଗ୍ରେସ ଜିଣିଥିଲା ମାତ୍ର ୮ଟି ଆସନ। ତାହା ହେଲେ ବର୍ତ୍ତମାନର ଏଭଳି ଏକ ମୁମୂର୍ଷୁ କ˚ଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରହାର ଜାରି ରହିଛି କାହିଁକି? ଏହାର ଉତ୍ତର ହେଉଛି ପ୍ରଧାନମନ୍ତ୍ରୀ ଅବଗତ ଯେ ଗଲା ନିର୍ବାଚନରେ ବିଜେପି ସମୁଦାୟ ୨୩ କୋଟି ଭୋଟ ପାଇଥିବା ବେଳେ କ˚ଗ୍ରେସ ପାଇଥିଲା ୧୩ କୋଟି ଭୋଟ। ଏବ˚ ଏଥିରେ ତୃତୀୟ ସର୍ବାଧିକ ଭୋଟ ଲାଭ କରିଥିବା ଦଳ ଏହି ପ୍ରତିଯୋଗିତାରେ ଦୃଶ୍ୟମାନ ମଧୢ ହୁଅନ୍ତି ନାହିଁ। ସୁତରା˚, ଜଣେ ଅତ୍ୟନ୍ତ ପୋଖତ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ନିଶ୍ଚିତ ଯେ ରଥ ଚକ ଭୂମିରେ ଧସିଯିବା ପରବର୍ତ୍ତୀ କ୍ଷଣର କର୍ଣ୍ଣଙ୍କ ଭଳି ହୁଏତ କ˚ଗ୍ରେସ ବର୍ତ୍ତମାନ ଅସହାୟ ଦିଶୁ ଥାଇପାରେ, କିନ୍ତୁ ନିରନ୍ତର ଅସ୍ତ୍ର ପ୍ରହାର ଜାରି ରଖା ନ ଗଲେ ତାହା ପୁଣି କେତେବେଳେ ଏକ ସମକକ୍ଷ ପ୍ରତିଦ୍ବନ୍ଦ୍ବୀରେ ପରିଣତ ହେବାର ଆଶଙ୍କା ଅମୂଳକ ନୁହେଁ।

ସ˚ସଦରେ ପ୍ରଧାନମନ୍ତ୍ରୀଙ୍କ କ˚ଗ୍ରେସ ବିରୋଧୀ ପ୍ରହାରର ଦୁଇ ପ୍ରମୁଖ ଶିକାର ଭାବେ ଯେଉଁ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା, ସେମାନେ ଥିଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜଵାହରଲାଲ ନେହରୁ ଏବ˚ କ˚ଗ୍ରେସର ଚେହେରା ଭାବେ ତାଙ୍କ ଦଳ ଓ ଅନ୍ୟମାନଙ୍କ ଦ୍ବାରା ଅଦ୍ୟାପି ପରିଗଣିତ ରାହୁଳ ଗାନ୍ଧୀ। ସ୍ବାଧୀନତୋତ୍ତର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ଲାଗି ପଣ୍ତିତ ଜଵାହରଲାଲ ନେହରୁଙ୍କ ମାତ୍ରାଧିକ ବ୍ୟଗ୍ରତା ଭାରତର ବିଭାଜନ ଏବ˚ କାଶ୍ମୀର ସମସ୍ୟାର ଅନ୍ତର୍ନିହିତ କାରଣ ବୋଲି ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ତଥା ଅନ୍ୟ ଏକ ପ୍ରସଙ୍ଗରେ ରାହୁଳ ଗାନ୍ଧୀଙ୍କୁ ‘ଟ୍ୟୁବ୍‌ ଲାଇଟ୍‌’ ବୋଲି ତାଙ୍କର ପରୋକ୍ଷ କଟାକ୍ଷ ଇତ୍ୟାଦିରୁ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ଯେ ସେ ଆକ୍ରମଣ ଜାରି ରଖିବାକୁ ବଦ୍ଧପରିକର। ସେ ତାଙ୍କ ଭାଷଣରେ ସମାଜବାଦୀ ଦଳକୁ ଆହ୍ବାନ ଦେଇ କହିଥିଲେ ଯେ ସେମାନେ ରାମ ମନୋହର ଲୋହିଆଙ୍କୁ ପରିତ୍ୟକ୍ତ କରି ନ ଦିଅନ୍ତୁ। ଏଠାରେ ମନେ ରଖିବାକୁ ହେବ‌ ଯେ ଭାରତରେ ସମାଜବାଦର ଅନ୍ୟତମ ପ୍ରମୁଖ ପ୍ରବର୍ତ୍ତକ ରାମ ମନୋହର ଲୋହିଆ ଯଦିଓ ଥିଲେ ତତ୍କାଳୀନ କ˚ଗ୍ରେସର ତୀବ୍ର ବିରୋଧୀ, ସେ ମଧୢ ଥିଲେ ଦକ୍ଷିଣ ପନ୍ଥାର ସଂପୂର୍ଣ୍ଣ ବିପରୀତ ମେରୁ। ତଥାପି ଏହି ଭାଷଣରେ ଲୋହିଆଙ୍କ ଆଦର୍ଶ ପ୍ରତି ସମାଜବାଦୀ ଦଳକୁ ସଜାଗ କରାଇ ଦେବା (କ˚ଗ୍ରେସ ଠାରୁ ଦୂରେଇ ରହିବା ଲାଗି) ପରିପ୍ରେକ୍ଷୀରେ ଅପର ପାର୍ଶ୍ବରେ ଥିବା ଅତୀତର ଯୁଗପୁରୁଷମାନଙ୍କୁ ନିଜ ପଟକୁ ଟାଣି ଆଣିବାରେ ନରେନ୍ଦ୍ର ମୋଦୀ ନିଜ ଶୈଳୀସୁଲଭ ଅପୂର୍ବ ଦକ୍ଷତା ପ୍ରଦର୍ଶନ କରିଥିଲେ।

ଏହି ଭାଷଣରେ ‘ସିଏଏ’ ସ˚ପର୍କରେ ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରତୀକ୍ଷିତ ମନ୍ତବ୍ୟ ଓ ଆଲୋଚନା ମଧୢ ବିଶେଷ ଗୁରୁତ୍ବ ବହନ କରିଥାଏ। ସ୍ବାଧୀନତା ପରବର୍ତ୍ତୀ କାଳରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜଵାହରଲାଲ ନେହରୁ ଏବ˚ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀଙ୍କ ମଧୢରେ ହୋଇଥିବା ଚୁକ୍ତିନାମା ଯହିଁରେ ପାକିସ୍ତାନରେ ହିନ୍ଦୁ ଓ ଅନ୍ୟାନ୍ୟ ସ˚ଖ୍ୟା ଲଘୁ ସ˚ପ୍ରଦାୟର ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ବ ଓ ଅଙ୍ଗୀକାର ପ୍ରକାଶ ପାଇଥିଲା; ତାର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ ଉଠାଇଥିବା ପ୍ରଶ୍ନଟି ଥିଲା ଯେ ଯେଉଁ କାରଣରୁ ବର୍ତ୍ତମାନ ବିଜେପିକୁ ଏକ ସା˚ପ୍ରଦାୟିକ ଦଳ ରୂପେ ଚିତ୍ରଣ କରାଯାଉଛି, ସେହି ସମାନ କାରଣରୁ ନେହରୁ କ’ଣ ସା˚ପ୍ରଦାୟିକ ବୋଲି ଅଭିହିତ ହେବେ? କ˚ଗ୍ରେସକୁ ତାରି ଅସ୍ତ୍ର ଦ୍ବାରା ଆଘାତ କରିବାର ଏହା ଥିଲା ଏକ ଦୃଷ୍ଟାନ୍ତ।

ତେବେ ଆଞ୍ଚଳିକ ଦଳ ଭାବେ କେବଳ ତୃଣମୂଳ କ˚ଗ୍ରେସର ସମାଲୋଚନାକୁ ଛାଡ଼ି ଦେଲେ କୌଣସି କ୍ଷେତ୍ରୀୟ ଦଳ ବା ବାମପନ୍ଥୀ ଦଳ ପ୍ରଧାନମନ୍ତ୍ରୀଙ୍କ ପ୍ରହାରର ପରିଧିରେ ନାହାନ୍ତି। ଏହାର କାରଣ ବୋଧହୁଏ ଏହା ଯେ ପ୍ରଧାନମନ୍ତ୍ରୀ ପ୍ରାୟ ନିଶ୍ଚିତ ଯେ ତାଙ୍କର ବିରୋଧୀ ଭାବେ କ୍ଷେତ୍ରୀୟ ଦଳଙ୍କ ମେଳି ସର୍ବଦା ଏକ ଆତ୍ମାଶୂନ୍ୟ ମିଳନ ଭଳି ହିଁ ହେବ, ଯାହାକୁ ଭୟ କରିବାର କୌଣସି କାରଣ ନାହିଁ। ବର˚ ଆବଶ୍ୟକ ପଡ଼ିଲେ ଏହି କ୍ଷେତ୍ରୀୟ ଦଳଗୁଡ଼ିକର ସାହାଯ୍ୟ ତାଙ୍କୁ ସମସ୍ୟାର ସାଗର ପାର ହେବାରେ ସହାୟକ ହୋଇପାରେ।

ତେବେ, ଏ ପରିପ୍ରେକ୍ଷୀରେ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା, ୨୦୧୪ ଏବ˚ ୨୦୧୯ର ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ବେ ବିଜେପି ଏହି କାଳଖଣ୍ତ ମଧ୍ୟରେ ହୋଇଥିବା କେତେକ ରାଜ୍ୟ ନିର୍ବାଚନରେ କ˚ଗ୍ରେସ ଦ୍ବାରା ପରାଜୟ ବରଣ କରି କିଛି ମହତ୍ତ୍ବପୂର୍ଣ୍ଣ ରାଜ୍ୟକୁ ହରାଇଛି। ଏଣୁ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଓ ଶତ୍ରୁ କିଏ ସେ ନେଇ ପ୍ରଧାନମନ୍ତ୍ରୀ ନିଶ୍ଚିତ। ତେଣୁ ହୋଇଥାଉ ପଛକେ ଅବସନ୍ନ ଓ ଶସ୍ତ୍ରରିକ୍ତ, ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଆକ୍ରମଣ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର