‘ବଡ଼ କ୍ରୂର କାଳ ବଡ ଅବିଶ୍ବାସୀ, ହାବୋଡ଼ି ଯିବ ସେ ଆଚମ୍ବିତେ ଆସି’ ରାଧାନାଥ ରାୟଙ୍କ କବିତାର ଏଇ ଧାଡ଼ି ଭିନ୍ନ ଗ˚ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ବୁଝିବା ଲାଗି ଅନ୍ୟ କିଛି ଅବଲମ୍ବନ ପାଖରେ ନାହିଁ। ଝୁଲି ପଡ଼ିଥିବା ଉଚ୍ଚ ତାପଶକ୍ତି ସ˚ପନ୍ନ ୧୧ କେଭି ଲାଇନ ତାର ଲାଗି ମେଣ୍ତରାଜପୁର ଗାଁ ନିକଟରେ ଯାତ୍ରୀବାହୀ ବସ୍‌ଟି ବିଦ୍ୟୁତ-ଯନ୍ତା ପାଲଟି ଯାଇଥିଲା ଏବ˚ ଭିତରେ ଥିବା ୪୩ ଜଣ ଯାତ୍ରୀଙ୍କ ଭିତରୁ ୧୦ ଜଣ ଜଳି ଯିବା ସହ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏଭଳି ବିପର୍ଯ୍ୟୟ ଘଟିବାର କାରଣ ଭାବେ, ଆବଶ୍ୟକ ଉଚ୍ଚତା ଠାରୁ କମ୍‌ ଉଚ୍ଚତାରେ ଥିବା ଉଚ୍ଚତାପ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରକୁ ଦାୟୀ କରାଯାଇଛି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ତଳକୁ ଓହଳି ପଡ଼ିଥିବା ଏଇ ତାର ବାବଦରେ ସେମାନେ ‘ସାଉଥ୍‌କୋ’ ବିଜୁଳି ବିତରଣକାରୀ କମ୍ପାନିକୁ ଜଣାଇଥିଲେ ମଧୢ ସେମାନେ ତାହାକୁ ଦାୟିତ୍ବର ସହ ନେଇନଥିଲେ। ଯଦି ଠିକଣା ସମୟରେ ପଦକ୍ଷେପ ନିଆଯାଇଥାଆନ୍ତା, ତାହାହେଲେ, ଏଇ ଲୋମଟାଙ୍ଗୁରା ଦୁର୍ଘଟଣା ଘଟିନଥାନ୍ତା। ସବୁଥର ପରି ଏହି କରୁଣ ଘଟଣାର ସଫେଇ ଭାବରେ, ଏଥର ମଧୢ ପରସ୍ପର ଉପରକୁ ଦାୟିତ୍ବ ଫିଙ୍ଗିଦେବାର ହାସ୍ୟାସ୍ପଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଅଛି। ‘ସାଉଥକୋ’ ପକ୍ଷରୁ ଦର୍ଶାଇବାକୁ ଚେଷ୍ଟା କରାଯାଇଛି ଯେ ସେମାନଙ୍କର ତାର ଯେତିକି ଉଚ୍ଚତାରେ ଟଣା ହେବା କଥା ତାହା ସେତିକି ଉଚ୍ଚାରେ ରହିଛି; କିନ୍ତୁ ଏହା ଭିତରେ ନୂଆକାମ ହୋଇ ରାସ୍ତାର ଉଚ୍ଚତା ବଢ଼ିଯାଇଥିବାରୁ ଏହି ଦୁର୍ଘଟଣା ଘଟିଲା। ବୁଝାଇ କହିବା ନିଷ୍ପ୍ରୟୋଜନ ଯେ ଏ ପ୍ରକାର ସଫେଇ ଏକ ଅତ୍ୟନ୍ତ ଦାୟିତ୍ବଶୂନ୍ୟ ଉଦ୍ୟମ। ଏ ସମ୍ପର୍କରେ ଅନ୍ୟ ମତଟି ହେଉଛି ଯେ, ବସ୍‌ ଚଳାଉଥିବା ଡ୍ରାଇଭରଟି ଆଉ ଗୋଟିଏ ଗାଡ଼ିକୁ ରକ୍ଷା କରିବାକୁ ଯାଇ ନିଜ ବସ୍‌କୁ ରାସ୍ତା ଧାରକୁ ନେଇଯାଇଥିବାରୁ ଏହି ଦୁର୍ଘଟଣା ଘଟିଲା। ଡ୍ରାଇଭର ତାଙ୍କର ବଡ଼ ବସ୍‌ଟିକୁ ନେଇ ଯେଉଁ ସ˚କୀର୍ଣ୍ଣ ରାସ୍ତାରେ ଯାଉଥିଲେ ତାହା ସାନ ସାନ ଗାଡ଼ିଙ୍କ ଲାଗି ଉଦ୍ଦିଷ୍ଟ ରାସ୍ତା ଏବ˚ ସେହି ରାସ୍ତାରେ ଯିବା ଲାଗି ସ୍ଥାନୀୟ ଲୋକ ତାଙ୍କୁ ବାରଣ କରିଥିଲେ। ଏ ସବୁ ଯାକ କଥା ଠିକ୍‌ ହୋଇପାରେ କିମ୍ବା ଭୁଲ୍‌ ହୋଇପାରେ; ମାତ୍ର ବାସ୍ତବ ସତ୍ୟ ହେଉଛି ବିନା କାରଣରେ ଏଗାରଟି ଅମୂଲ୍ୟ ଜୀବନ ବଳିପଡ଼ିଲା ଯାହାଙ୍କ ଭିତରେ ଜଣେ ଏଗାର ବର୍ଷର କିଶୋର ରହିଛି ଏବ˚ ଆହୁରି ଅଠରଜଣ ଗୁରୁତର ଅବସ୍ଥାରେ ମରଣ ସହ ସ˚ଘର୍ଷ କରୁଛନ୍ତି। ଏହି ଦୁର୍ଘଟଣା ଯେତିକି ଦୁର୍ଭାଗ୍ୟଜନକ, ଆହତ ଯାତ୍ରୀମାନଙ୍କୁ ବ୍ରହ୍ମପୁରର ପୁରାତନ ଏମକେସିଜି ମେଡିକାଲ କଲେଜରେ ଆବଶ୍ୟକ ଚିକିତ୍ସା ଯୋଗାଯାଇ ନ ପାରିବା ସେତିକି ଦୁଃଖଦାୟକ। ପୋଡି ଯାଇଥିବା ଆହତମାନଙ୍କୁ ସେଠାରେ ଏହି ସୁବିଧା ଯୋଗାଯାଇନପାରିବା କାରଣରୁ ସେମାନଙ୍କୁ ସୁଦୂର କଟକ ମେଡ଼ିକାଲକୁ ପଠାଯାଇଥିଲା। ଅଥଚ ଏମକେସିଜି ମେଡିକାଲ କଲେଜ ଓଡ଼ିଶାର ଅନ୍ୟତମ ପୁରାତନ ଅନୁଷ୍ଠାନ ଏବ˚ ଏହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗ˚ଜାମ‌େର ଅବସ୍ଥିତ। ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ହେଉଛି, ଗତ କିଛିମାସ ଧରି ଫାଇଭ-ଟି ସଚିବ ସ୍ବାସ୍ଥ୍ୟସେବାର ସୁଧାର ଆଣିବା ଲାଗି ସବୁଠାରୁ ବେଶି ଉଦ୍ୟମ କରି ଆସୁଥି‌େଲ ମଧ୍ୟ ଏହି ‌େମଡିକାଲ କଲେଜର ଭିତ୍ତିଭୂମି ସୁଧୁରି ପାରିନାହିଁ। ଏହି ସ୍ତମ୍ଭରେ ଏକାଧିକବାର ଆଲୋଚନା କରାଯାଇଅଛି ଯେ ଡାକ୍ତରଖାନା ଅଥବା ମେଡିକାଲ କଲେଜର ଅର୍ଥ କେବଳ କୋଠାବାଡ଼ି ନୁହେଁ। ସେହି କୋଠାବାଡ଼ି ଭିତରେ ଯଦି ଆବଶ୍ୟକ ସଂଖ୍ୟକ ଡାକ୍ତର ନ ରହିଲେ କିମ୍ବା ପ୍ରୟୋଜନ ମୁତାବକ ଭିତ୍ତିଭୂମି ନହେଲା, ତାହାହେଲେ ସେ ପ୍ରକାର ଅନୁଷ୍ଠାନ କାହାର ବିଶେଷ ହିତ ସାଧନ କରିବ ନାହିଁ।

Advertisment

ଅନ୍ୟଥର ପରି ଏହି ଦୁର୍ଘଟଣା ପରେ ବିଭାଗୀୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମୃତକ ଓ ଆହତଙ୍କ ଲାଗି କ୍ଷତିପୂରଣ ଘୋଷଣା କରିଛନ୍ତି। ମାତ୍ର ତଦନ୍ତ ନିର୍ଦ୍ଦେଶ କିମ୍ବା କ୍ଷତିପୂରଣ ବାସ୍ତବ ସମାଧାନ ନୁହେଁ। ଏକ ଆକଳନରୁ ଜଣାପଡ଼ିଛି ଯେ ରାଜ୍ୟର ପ୍ରାୟ ତିରିଶ ଭାଗ ଅଞ୍ଚଳର ବିଦ୍ୟୁତ ତାର ଏଭଳି ବିପଦଶଙ୍କୁଳ ଭାବେ ଓହଳି ରହିଛି। ଆଲୋଚ୍ୟ ଗୋଳନ୍ଥରା ଅଞ୍ଚଳର ପୁରୁଣା ବିଜୁଳି ଖୁଣ୍ଟ, ଛିଣ୍ତା ଓ ଓହଳା ତାର ସମସ୍ୟା ଆଜିର ନୁହେଁ। ଫାଇଲିନ୍‌ ସମୟରୁ ସ୍ଥିତି ଏ ଧରଣର ରହିଥିବା ଖବର ବହୁବାର ପ୍ରକାଶିତ ହୋଇଥିବା ସତ୍ତ୍ବେ ତାହାର ମରାମତି ଉପରେ ଗୁରୁତ୍ବ ଦିଆଯାଇନଥବାରୁ ପରିଣତି ଏ ଧରଣର ହୋଇପଡ଼ିଛି। ଏହି ଘଟଣାର ତଦନ୍ତ ରିପୋର୍ଟରେ ମଧୢ ଅନୁରୂପ କାରଣ ଦର୍ଶାଯିବ। କିନ୍ତୁ କାରଣ ଜାଣି ନିଷ୍କ୍ରିୟ ରହିଗଲେ ସମସ୍ୟାର ସମାଧାନ ହୋଇଯାଏ ନାହିଁ, ତାହାର ମୁକାବିଲା କଲେ ଯାଇ ସମସ୍ୟାର ସମାଧାନ ହୋଇଥାଏ। ତାହା କିନ୍ତୁ ହେଉନାହିଁ।

ଏ ପ୍ରକାର ନୈରାଶ୍ୟର କାରଣ ହେଲା ୧୧ କେଭି ବିଦ୍ୟୁତ୍‌ ତାର ଲାଗି ମଣିଷ କିମ୍ବା ପ୍ରାଣୀ ଅକାଳରେ ମରିବାର ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ପାଠକଙ୍କର ସ୍ମରଣ ଥିବ ଯେ ୨୦୧୬ ସେପ୍ଟେମ୍ବର ମାସରେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ରେ ଏହି ପ୍ରକାର ଦୁର୍ଘଟଣା ଘଟି ୬ ଜଣ ଯାତ୍ରୀ ଜଳି ଯାଇଥିଲେ ଏବ˚ ତେଇଶ ଜଣ ଗୁରୁତର ଆହତ ହୋଇଥିଲେ। ଗୋଳନ୍ଥରା ଅଞ୍ଚଳର ବସ୍‌ ଦୁର୍ଘଟଣା ସହ ଭୁବନ ଦୁର୍ଘଟଣାର ଏକ କରୁଣ ସାମ୍ୟ ରହିଛି। ଗୋଳନ୍ଥରା ବିଦ୍ୟୁତ୍‌- ଦୁର୍ଘଟଣା ଘଟିବାର କିଛିଦିନ ପୂର୍ବରୁ ସେଇ ଗ˚ଜାମ ଜିଲ୍ଲାର ତପ୍ତପାଣି ନିକଟରେ ବସ୍‌ ଓଲଟି ଆଠଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଭଳି ୨୦୧୬ ମସିହାରେ ମଧୢ ଭୁବନରେ ବିଜୁଳି ତାର ଲାଗି ଯାତ୍ରୀ ମରିବା ପୂର୍ବରୁ ପାଖ ଅଞ୍ଚଳରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟି ୧୯ ଜଣ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥିଲା। ସେ ସମୟରେ ମଧୢ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ଏବ˚ ଆଶା କରାଯାଇପାରେ ଯେ, ତଦନ୍ତକାରୀ ଦଳ ତାହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଅର୍ପଣ କରିଥିବେ। ତାହହେଲେ ପୁଣି ସମାନ ପ୍ରକାରର ଦୁର୍ଘଟଣା ଘଟିଲା କାହିଁକି? ୨୦୧୩ ମସିହା ଅକ୍‌ଟୋବର ମାସରେ ୧୧ କେଭି ତାର ସ˚ସ୍ପର୍ଶରେ ଆସି ଢେ଼ଙ୍କାନାଳ ଜିଲ୍ଲା ଜଡାପଡ଼ା ବ୍ଲକ୍‌ କମଳାଙ୍ଗ ଗାଁ ପାଖରେ ସାତ ସାତଟି ହାତୀଙ୍କର ଜୀବନ ଯାଇଥିଲା। ଗତବର୍ଷ ଜୁଲାଇ ମାସ ରଥଟଣା ସମୟରେ ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି କାଳିଆପାଣିର ଦୁଇ ଜଣ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଜୀବନ୍ତ ବିଜୁଳି ତାର ସ˚ସ୍ପର୍ଶରେ ଆସିଲେ ଯେ ମୃତ୍ୟୁ ନିଶ୍ଚିତ, ଏକଥା ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣଲୋକ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି। ଏହା ସତ୍ତ୍ବେ ନୋଇଁ ପଡ଼ିଥିବା ତାରକୁ ଉପରକୁ ଉଠାଇବା, ଜଖମ ଖୁଣ୍ଟ ଜାଗାରେ ନୂଆ ଖୁଣ୍ଟ ସ୍ଥାପନ କରିବା କିମ୍ବା ବିପଦଶଙ୍କୁଳ ଟ୍ରାନ୍ସଫର୍ମର ଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ଯେଉଁସବୁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଉନାହିଁ। ଓଡ଼ିଶାର ବଡ଼ ବଡ଼ ସହରରେ ଲତାଗୁଳ୍ମ ବେଷ୍ଟିତ ଟ୍ୟାନ୍ସଫର୍ମର, ପ୍ରାୟ ଭାଙ୍ଗିଯାଇଥିବା ବିଜୁଳି ଖୁଣ୍ଟ ଏବ˚ ଅଳ୍ପ ଉଚ୍ଚତାରେ ଝୁଲୁଥିବା ତାରକୁ ଦେଖିଲେ ଦୂରବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଏହି ଅବସ୍ଥା କେତେ ଜଟିଳ ତାହା ସହଜରେ ବୁଝାପଡେ଼।

ଗୋଳନ୍ଥରା ଦୁର୍ଘଟଣାର ଆଉ ଏକ ଦିଗ ମଧୢ ରହିଛି। ପ୍ରକାଶିତ ରିପୋର୍ଟ ଅନୁସାରେ ବିଜୁଳି ତାରରେ ବସ୍‌ର ହୁକ୍‌ ଲାଗିଯିବା ପରେ ସୁଦ୍ଧା ଯାତ୍ରୀମାନେ ବିପନ୍ନ ହୋଇନଥିଲେ। ବସ୍‌ର ଦୁଆର ଖୋଲି ଜ‌େନୖକ ଯାତ୍ରୀ ତଳକୁ ଓହ୍ଲେଇବାରୁ ଏବ˚ ତାଙ୍କ ପାଦ ମାଟି ସ୍ପର୍ଶ କରିବାରୁ ବସ୍‌ଟି ଦେହରେ ଉଚ୍ଚ ବିଦ୍ୟୁତ ଶକ୍ତି ପ୍ରବାହିତ ହୋଇ ଏହାକୁ ମୃତ୍ୟୁଯନ୍ତାରେ ପରିଣତ କରି ଦେଇଥିଲା। ଏ କ୍ଷେତ୍ରରେ ବସ୍‌ଚାଳକଙ୍କ ଜ୍ଞାନର ଅଭାବ ଏବ˚ ଦାୟିତ୍ବଶୂନ୍ୟତା ଦୁର୍ଘଟଣାର ଅନ୍ୟତମ କାରଣ ହୋଇପଡ଼ିଲା। ତାଙ୍କର ସେ ପ୍ରକାର ସାଧାରଣଜ୍ଞାନ ଥିଲେ ହୁଏତ ଦୁର୍ଘଟଣାକୁ ଏଡ଼ାଇ ପାରିଥାଆନ୍ତେ; କାରଣ ସେହି ଅଶୁଭ ରବିବାର ଅପରାହ୍ନରେ ବାଲେଶ୍ବର ଜିଲ୍ଲା ବାଲିଗୋପାଳ ବ୍ଲକ୍‌ ଡଗରା ନିକଟରେ ପ୍ରାୟ ସମାନ ଏକ ଦୁର୍ଘଟଣା ଘଟି ୧୧ କେଭି ତାର ସହ ବସ୍‌ଟି ଲାଗିଯାଇଥିଲା। ସେହି ବସ୍‌ର ଡ୍ରାଇଭର କିନ୍ତୁ ବସ୍‌ଟିକୁ ପଛେଇ ଆଣି ନିଶ୍ଚିତ ଦୁର୍ଘଟଣା ମୁହଁରୁ ନିଜର ଯାନ ଏବ˚ ଯାତ୍ରୀମାନଙ୍କୁ ରକ୍ଷା କରିପାରିଥିଲେ।

ଏହି ପୃଷ୍ଠଭୂମିରେ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି ଯେ ବିଜୁଳି ବିଭାଗର ଦାୟିତ୍ବହୀନତା ଆତ୍ମଘାତୀ ଅବସ୍ଥାରେ ପହଞ୍ଚିଛି। ବିଭାଗୀୟ ମନ୍ତ୍ରୀ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ନିଜ ଦାୟିତ୍ବରୁ ଖସିଯାଇ ପାରିିବେ ନାହିଁ। ‘ସମ୍ବାଦ’ରେ ପ୍ରକାଶିତ ଏକ ତଥ୍ୟମୂଳକ ରିପୋର୍ଟ ଅନୁସାରେ ୨୦୦୯ ମସିହାରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗର ଅଧୢକ୍ଷ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଏ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ସେଥିରେ ସେ ଯେଉଁସବୁ କଥା ଉଲ୍ଲେଖ କରିଥିଲେ ତାହା ପୂର୍ବରୁ ଆଲୋଚନା କରାଯାଇ ସାରିଛି। ସେତେବେଳେ ସରକାର ସ୍ଥିର କରିଥିବା ୨୪୦୦ କୋଟି ଟଙ୍କା ବ୍ୟୟ କରାଯାଇ ଯଦି ପୁରୁଣା ଖୁଣ୍ଟର ପରିବର୍ତ୍ତନ ଓ ତା ସହ ନୂଆ ତାର ଟଣାଯିବା କାମ ସ˚ପନ୍ନ ହୋଇଥାଆନ୍ତା ତାହାହେଲେ ନିୟମିତ ବ୍ୟବଧାନରେ ଓଡ଼ିଶାର ସାଧାରଣ ଲୋକ ଏଭଳ ଛଟପଟ ହୋଇ ମରୁନଥାନ୍ତେ।

ନିଆଁପରି ବିଜୁଳି ଯେତିକି ଉପକାରୀ ସେତିକି ବିପଦସଙ୍କୁଳ। ମଣିଷ ନିଜର ବୁଦ୍ଧି ବଳରେ ନିଆଁ ଜଳେଇ ପାରୁଥିବା ଦିଆସିଲି କାଠିକୁ ର˚ଜକବୋଳା ଖୋଳ ଭିତରେ ରଖି ଚଳୁଛି। ସେଥିରେ ଟିକିଏ ଅସାବଧାନତା ବିପଦଜନକ ହୋଇଥାଏ। ବିଜୁଳି ଯୋଗାଣ ବ୍ୟବସ୍ଥା ସେହିପରି ଏକ ଅତ୍ୟନ୍ତ ଦାୟିତ୍ବସମ୍ପନ୍ନ ବ୍ୟବସ୍ଥା। ଏହାର ଉତ୍ପାଦନ ଏବଂ ବିତରଣର ପ୍ରତି କ୍ଷେତ୍ରରେ ସତର୍କ ସାବଧାନତା ଯେ ପ୍ରୟୋଜନ ତାହା ଜଣାଶୁଣା। ମାତ୍ର କାହିଁକି କେଜାଣି ଓଡ଼ିଶାର ଶାସନକଳ ଏ ଦିଗ ପ୍ରତି ଯେତିକି ଧୢାନ ଦେବା କଥା ଦେଇନଥିବା ଯୋଗୁ ଏ ଧରଣର ଘଟଣା ପୁଣିଥରେ ଘଟିଛି। ଯେଉଁଭଳି ଦୁର୍ଭାଗ୍ୟଜନକ, ରକ୍ଷଣାବେକ୍ଷଣରେ ଅବହେଳା ତାହାଠାରୁ ଅଧିକ ଗୋଳନ୍ଥରାର ଦୁର୍ଘଟଣା ଅକ୍ଷମଣୀୟ।