ଗଲା ଶତାବ୍ଦୀର ଅଷ୍ଟମ ଦଶକରେ ‘ଦ ଇଲଷ୍ଟ୍ରଟେଡ୍ ଵିକ୍ଲି ଅଫ୍ ଇଣ୍ତିଆ’ ପତ୍ରିକାରେ ପ୍ରକାଶିତ ହୋଇଥିଲା ଏକ ଅତ୍ୟନ୍ତ କୌତୂହଳପ୍ରଦ ଖବର। ତତ୍କାଳୀନ ଜିଆ ଉଲ୍ ହକ୍ଙ୍କ ସାମରିକ ଶାସନ ଅଧୀନସ୍ଥ ପାକିସ୍ତାନରେ ଗୋଟିଏ ‘ସାରିଆ ଅଦାଲତ’ ଜଣେ ପ୍ରଭାବଶାଳୀ ମୌଲବୀଙ୍କ ପୁତ୍ରକୁ କୌଣସି ଏକ ଅପରାଧରେ ଦୋଷୀ ପାଇ ଶହେ ବେତ୍ରାଘାତର ଆଦେଶ ଦେବାକୁ ବାଧୢ ହୋଇଥିଲେ ସିନା, ମୌଲବୀଙ୍କୁ ରୁଷ୍ଟ କରିବାର ସାହସ ଜୁଟାଇ ନ ପାରି ବିଚାରପତି ମହୋଦୟ ଚାବୁକ ପ୍ରହାରକାରୀଙ୍କୁ ଆଦେଶ ଦେଇଥିଲେ ଯେ ସେ ନିଜ କାଖରେ କୁରାନର ବ୍ୟାଖ୍ୟା ସମ୍ବଳିତ ଏକ ପୃଥୁଳକାୟ ପୁସ୍ତକକୁ ଜାକି ଧରି ବେତ୍ରାଘାତ କରୁ ଏବ˚ ହେଜରେ ରଖୁ ଯେମିତି ପୁସ୍ତକଟି କାଖରୁ ଖସି ତଳେ ପଡ଼ି ନ ଯାଏ। କହିବା ବାହୁଲ୍ୟ, ସେ ଦିନ ମୌଲବୀଙ୍କ ପୁତ୍ର ଲାଭ କରିଥିବା ବେତ୍ରାଘାତ ତାକୁ ‘କୁସୁମ ମଣ୍ତା ପ୍ରହାର’ ତୁଲ୍ୟ ବୋଧ ହୋଇଥିବ। ଏହି ପ୍ରସଙ୍ଗଟି ଏଠାରେ ଉପସ୍ଥାପନ କରାଯିବା ପଛରେ ନିହିତ ଥିବା କାରଣଟି ହେଉଛି ଗଲା ବୁଧବାର ଦିନ ଲାହୋରର ଏକ ଅଦାଲତ ଦ୍ବାରା ଆତଙ୍କବାଦୀ ହଫିଜ ସଇଦ୍କୁ ପ୍ରଦାନ କରାଯାଇଥିବା ଏଗାର ବର୍ଷର ଜେଲ୍ ଦଣ୍ତାଦେଶକୁ ପାଳନ କରାଯିବା ବେଳେ ମୌଲବୀଙ୍କ ପୁତ୍ର ଦେଖିଥିବା ଭଳି ‘ଧର୍ମକୁ ଆଖିଠାର’ ସୁଲଭ ଆଭିମୁଖ୍ୟ ପ୍ରଦର୍ଶନ କରାଯିବ ନାହିଁ ତ? ଏଭଳି ଏକ ପ୍ରଶ୍ନ ମୁଣ୍ତ ଟେକିବା ପଛରେ ଅବଶ୍ୟ ଅନେକ କାରଣ ରହିଛି, ଯେଉଁଗୁଡ଼ିକର ଆଲୋଚନା ଏଠାରେ କରାଯିବା ଉଚିତ।
ଉଲ୍ଲେଖଯୋଗ୍ୟ ଯେ କି ଜିଆ ଉଲ୍ ହକ୍ଙ୍କ ଶାସନ କାଳରେ ହିଁ ହଫିଜ ସଇଦର ଅଭ୍ୟୁଦୟ ହୋଇଥିଲା। ଜିଆ ଉଲ୍ ହକ୍ଙ୍କ ଆଶୀର୍ବାଦରୁ ଗୋଟିଏ ଇ˚ଜିନିଅରି˚ କଲେଜରେ ‘ଇସଲାମ’ର ପ୍ରଫେସର ଭାବେ ଯୋଗ ଦେଇଥିବା ହଫିଜ ସଇଦ୍ କ୍ରମେ ନିଜର ମୌଳବାଦୀ ଚିନ୍ତାଧାରାକୁ ଆତଙ୍କବାଦର ରୂପ ଦେବାରେ ସମର୍ଥ ହୋଇଥିଲା। ୧୯୮୭ରେ ସେ ଗଠନ କରିଥିବା ‘ମରକଜ୍-ଦଵା-ବଳ୍-ଇରସାଦ୍’ ନାମକ ଏକ ସ˚ଗଠନ ପରବର୍ତ୍ତୀ କାଳରେ ‘ଲସ୍କର- ଏ-ତୋଇବା’ ଏବ˚ ‘ଜମାତ୍-ଉଦ୍-ଦଵା’ ଭଳି ସ˚ଗଠନର ମୂଳଦୁଆ ହୋଇଥିଲା, ଯହିଁରୁ ଭାରତର ମାଟିକୁ ଆତଙ୍କବାଦର ରପ୍ତାନି କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଆତଙ୍କବାଦର ଏକ ପରମ ପୃଷ୍ଠପୋଷକ ଭାବେ ଆନ୍ତର୍ଜାତିକ କୁଖ୍ୟାତି ସତ୍ତ୍ବେ ହଫିଜ ସଇଦ୍ ପାକିସ୍ତାନରେ ସ୍ବଚ୍ଛନ୍ଦରେ ବିଚରଣ କରୁଥିଲା। ୨୦୧୩ ମସିହାରେ ଯେତେବେଳେ ସର୍ବତ୍ର ଏହା ଜଣା ଥିଲା ଯେ ହଫିଜ ସଇଦ୍ ପାକିସ୍ତାନରେ ଏକ ବନ୍ଦୀର ଜୀବନ କାଟୁଛି, ସେତିକି ବେଳେ ‘ନ୍ୟୁୟର୍କ ଟାଇମ୍ସ’ର ସାମ୍ବାଦିକ ଡେସିଆନ୍ ଵାଲ୍ସ ତାର ଯେଉଁ ସାକ୍ଷାତକାରଟି ପ୍ରକାଶ କରିଥିଲେ, ତହିଁରେ ସଇଦ୍ କହିଥିଲା ଯେ ସେ ନିର୍ବିଘ୍ନରେ ଛାତି ଫୁଲାଇ ପାକିସ୍ତାନରେ ଚାଲବୁଲ କରୁଛି।
ସୁତରା˚, ଏବେ ଏମିତି କ’ଣ ହୋଇଗଲା ଯେ ୨୦୧୯ ଜୁନ୍ ମାସରେ ଗିରଫ ହୋଇଥିବା ହଫିଜ ସଇଦ୍କୁ ମାତ୍ର ଆଠ ମାସ ମଧୢରେ ଅଦାଲତ ଦଣ୍ତାଦେଶ ଶୁଣାଇ ଦେଲେ? ଏ କଥା ସ୍ପଷ୍ଟ ଯେ ଏହା ପଛରେ ଥିବା ଏକ ମାତ୍ର ଓ ନିତାନ୍ତ ଜରୁରୀ କାରଣଟି ହେଲା ଆଗାମୀ ଫେବ୍ରୁଆରି ୧୬ ତାରିଖରେ ପ୍ୟାରିସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ୍ ଫୋର୍ସ୍’ ବା ‘ଏଫ୍.ଏ.ଟି.ଏଫ୍.’ର ବୈଠକରେ ପାକିସ୍ତାନ ନିଜକୁ କଳା ତାଲିକାଭୁକ୍ତ ହେବାରୁ ବଞ୍ଚାଇବା। କାରଣ ପାକିସ୍ତାନ ଭୂମିରୁ ପ୍ରବାହିତ ହେଉଥିବା ଅର୍ଥର ସ୍ରୋତ ଦ୍ବାରା ବିଭିନ୍ନ ରାଷ୍ଟ୍ରରେ ଆତଙ୍କବାଦ ପରିପୁଷ୍ଟ ହେଉଥିବାର ଅଭିଯୋଗ ଆଧାରରେ ‘ଏଫ୍ଏଟିଏଫ୍’ ପକ୍ଷରୁ ପାକିସ୍ତାନକୁ ‘ଧୂସର ତାଲିକା’ରେ ଅନ୍ତର୍ଭୁକ୍ତ କରାଯାଇସାରିଛି। ସୁତରା˚, ଏବେ ପାକିସ୍ତାନର ଦାୟିତ୍ବ ନିଜକୁ ଏଭଳି ଆରୋପରୁ ମୁକ୍ତ କରିବା। ତାହା ନ ହେଲେ ପାକିସ୍ତାନକୁ ମିଳୁଥିବା ଅନ୍ତର୍ଜାତୀୟ ଆର୍ଥିକ ସାହାଯ୍ୟ ବନ୍ଦ ହୋଇଯାଇପାରେ। ଏପରିକି ପାକିସ୍ତାନର ପ୍ରାୟ ବିଧ୍ବସ୍ତ ଅର୍ଥନୀତିରେ ଜୀବନ ସ˚ଚାର କରିବା ସକାଶେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ବା ‘ଆଇଏମଏଫ୍’ ପକ୍ଷରୁ ମଞ୍ଜୁର ହୋଇ ସାରିଥିବା ୬ ବିଲିଅନ୍ ଡଲାରର ‘ବେଲ୍ ଆଉଟ୍’ ପ୍ୟାକେଜ୍ ମଧୢ ପାକିସ୍ତାନକୁ ମିଳି ନ ପାରେ।
ଯଦିଓ ପାକିସ୍ତାନର ଏଭଳି ପଦକ୍ଷେପ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଉଚ୍ଚ ପ୍ରଶ˚ସିତ ହୋଇଛି, ଭାରତ ଏ ଦିଗରେ ଅତ୍ୟନ୍ତ ସତର୍କ ଓ ସ˚ଯମମୂଳକ ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତରେ ‘ଲସ୍କର-ଏ-ତୋଇବା’ ଦ୍ବାରା ରଚିତ ସ˚ହାର ଲୀଳାକୁ ପାସୋରି ଯାଇଥିବା କିଛି ପାଶ୍ଚାତ୍ୟ ରାଷ୍ଟ୍ର ହୁଏତ ଭାରତର ଏଭଳି ପ୍ରତିକ୍ରିୟାକୁ ଅନୁଦାର ପଣର ନମୁନା ବୋଲି ଅଭିହିତ କରିପାରନ୍ତି, କିନ୍ତୁ ଏହା ପଛରେ ନିହିତ ଥିବା କାରଣ ଯେ ଅତ୍ୟନ୍ତ ବାସ୍ତବ ଓ ଦୃଢ଼ ଏଥିରେ ଦ୍ବିରୁକ୍ତି ନାହିଁ। ୨୦୦୧ ମସିହାରେ ଭାରତର ସ˚ସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରାନ୍ତ ଭାରତର ଅଭିଯୋଗ ଆଧାରରେ ସେହି ବର୍ଷ ପ୍ରଥମେ ହଫିଜ ସଇଦ୍କୁ ପାକିସ୍ତାନରେ ଗିରଫ କରାଯାଇଥିଲା। ସେହିଦିନ ଠାରୁ ହଫିଜ ସଇଦ୍ ଏହା ଦାବି କରି ଆସୁଛି ଯେ ଏ ଅଭିଯୋଗ ମନଗଢ଼ା ଏବ˚ ସେ ଲସ୍କର-ଏ-ତୋଇବାର ପରିଚାଳକ ନୁହେଁ। ତା ଅନୁସାରେ ସେ ଚଳାଉଥିବା ଅନୁଷ୍ଠାନ ‘ଜମାତ୍-ଉଦ୍ ଦଵା’ ହେଉଛି ଏକ ମାନବ ସେବାମୂଳକ ଦାତବ୍ୟ ସ˚ସ୍ଥା। କିନ୍ତୁ, ଯଦି ଭାରତର ଅଭିଯୋଗ ଅମୂଳକ, ତେବେ ହଫିଜ ସଇଦ ଉପରେ ୨୦୦୯, ଅଗଷ୍ଟ ମାସରେ ‘ଇଣ୍ଟରପୋଲ’ ଦ୍ବାରା ‘ରେଡ୍ କର୍ନର ନୋଟିସ୍’ ଜାରି କରାଗଲା କାହିଁକି? ୨୦୧୨, ଏପ୍ରିଲ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ହଫିଜ ସଇଦ୍ର ମୁଣ୍ତ ଉପରେ ୧୦ ନିୟୁତ ଡଲାର ମୂଲ୍ୟର ପୁରସ୍କାର ରାଶି ଘୋଷଣା କରାଯାଇଥିଲା କାହିଁକି? ଏହା ଏବେ ସର୍ବତ୍ର ସ୍ବୀକୃତ ଯେ ଭାରତରେ ଘଟିଥିବା ଅନ୍ତତଃ ପକ୍ଷେ ଚାରିଟି ଅତ୍ୟନ୍ତ ସା˚ଘାତିକ ଆତଙ୍କବାଦୀ ଆକ୍ରମଣ(ସ˚ସଦ ଭବନ ଉପରେ ଆକ୍ରମଣ, ୨୬/୧୧ ମୁମ୍ବାଇ ଆକ୍ରମଣ, ମୁମ୍ବାଇ ରେଳ ବିସ୍ଫୋରଣ ଏବ˚ ପଠାନକୋଟ ଏୟାରଫୋର୍ସ ଘାଟି ଉପରେ ଆକ୍ରମଣ)ରେ ଲସ୍କର-ଏ ତୋଇବାର ସ˚ପୃକ୍ତି ରହିଛି। ଭାରତର ଏଭଳି ଦାବି ସମର୍ଥନରେ ସଶକ୍ତ ପ୍ରମାଣ ମଧୢ ପାକିସ୍ତାନକୁ ପ୍ରଦାନ କରାଯାଇଛି, ଯାହା ମଧୢରେ ରହିଛି ଜୀବିତ ଅବସ୍ଥାରେ ଧରାପଡ଼ିଥିବା ମୁମ୍ବାଇ ଆକ୍ରମଣକାରୀ ଆତଙ୍କବାଦୀ ଅଜମଲ କସାବ, ଯାହାର ସ୍ପଷ୍ଟ ସ୍ବୀକାରୋକ୍ତି ସିଧାସଳଖ ହଫିଜ ସଇଦ୍ର ନାମ ବହନ କରିଥାଏ। ଏହା ସତ୍ତ୍ବେ ଆହୁରି ଅଧିକ ସଶକ୍ତ ପ୍ରମାଣ ଆଳରେ ପାକିସ୍ତାନ ହଫିଜ ସଇଦ୍କୁ ପ୍ରଚ୍ଛନ୍ନ ସମର୍ଥନ ଜ୍ଞାପନ କରି ଆସିଛି। ଏହା ଏବେ ପ୍ରାୟ ସର୍ବଜନବିଦିତ ଯେ ହଫିଜ ସଇଦ୍ ପାକିସ୍ତାନର ‘ଡିପ୍ ଷ୍ଟେଟ୍’ ବା ‘ପାତାଳ ସାମ୍ରାଜ୍ୟ’ର ନିୟନ୍ତା ‘ଆଇଏସ୍ଆଇ’ ଜରିଆରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପର ଏକ ମୁଖ୍ୟ କାର୍ପଟଦାର। କିନ୍ତୁ, ପାକିସ୍ତାନ ପକ୍ଷରୁ ତା ପ୍ରତି ପ୍ରଦର୍ଶନ କରାଯାଉଥିବା କୋହଳ ମନୋଭାବରେ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ତେଣୁ, ଏହିଭଳି କାରଣରୁ ଭାରତ ହାସଲ କରିଥିବା ତିକ୍ତ ଅଭିଜ୍ଞତା ଆଧାରରେ ହଫିଜ ସଇଦ୍ ଉପରେ ପାକିସ୍ତାନର ଅଦାଲତ ଦ୍ବାରା ପ୍ରଦତ୍ତ ଦଣ୍ତାଦେଶ ନେଇ ଉତ୍ଫୁଲ୍ଲିତ ହେବାର କୌଣସି ବିଶେଷ କାରଣ ଦିଶୁନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୦୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହଫିଜ ସଇଦ୍କୁ ଗିରଫ କରାଯିବା ଓ ପ୍ରମାଣ ଅଭାବରୁ ତାକୁ ଖଲାସ କରାଯିବାର ଅତି କମ୍ରେ ଛଅଟି ନାଟକ ଅଭିନୀତ ହୋଇ ସାରିଛି।
ଭାରତ ତାର ସ˚ଭ୍ରମ ପ୍ରତିକ୍ରିୟାରେ କହିଛି କେବଳ ହଫିଜ ସଇଦ୍ ନୁହେଁ, ପାକିସ୍ତାନ ଭୂମିରୁ ବିଶ୍ବକୁ ରପ୍ତାନି କରାଯାଉଥିବା ଆତଙ୍କବାଦକୁ ସମୂଳେ ନିପାତ କରାଯିବା ଆବଶ୍ୟକ। ତେଣୁ ଏବେ ତାହା କରି ଦେଖାଇବାର ଦାୟିତ୍ବ ପାକିସ୍ତାନ ଉପରେ ନ୍ୟସ୍ତ। କିନ୍ତୁ ଏ କ୍ଷେତ୍ରରେ ପାକିସ୍ତାନର ବଚନବଦ୍ଧତାର ଯେଉଁ ଉଦାହରଣମାନ ପୂର୍ବରୁ ମିଳିସାରିିଛି, ତହିଁରୁ ଏଭଳି ସନ୍ଦେହ ଜାତ ହେବା ସ୍ବାଭାବିକ ଯେ ନିଜର ଭୁଶୁଡ଼ି ପଡ଼ିବାକୁ ବସିଥିବା ଅର୍ଥନୀତିକୁ ବଞ୍ଚାଇବା ଲାଗି ପାକିସ୍ତାନୀ ଅଦାଲତର ଦଣ୍ତାଦେଶ ମୌଲବୀଙ୍କ ପୁତ୍ରକୁ ଚାବୁକ ପାହାର ଦଣ୍ତାଦେଶ ତୁଲ୍ୟ ଧର୍ମକୁ ଆଖଠାର ସଦୃଶ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)