ଯେଉଁମାନେ ଅଶରୀରୀରେ ବିଶ୍ବାସ କରନ୍ତି, ସେମାନଙ୍କ ମନରେ ଏକ ଧାରଣା ରହିଥାଏ ଯେ କୌଣସି ବ୍ୟକ୍ତିଙ୍କ ଅକସ୍ମାତ୍ ପରଲୋକ ଘଟିବା ବେଳେ ଯଦି ତାଙ୍କ ମନରେ କୌଣସି ପ୍ରକାର ମୋହ ବା ତୀବ୍ର ଆକର୍ଷଣ ରହିଯାଇଥାଏ, ତେବେ ତାଙ୍କ ଅତୃପ୍ତ ଆତ୍ମା ଅନେକ ସମୟରେ ସେହି ମୋହର ବଶବର୍ତ୍ତୀ ହୋଇ ମର୍ତ୍ତ୍ୟ ଲୋକକୁ ଫେରିଥାଏ। ଏହି ସପ୍ତାହର ଆଦ୍ୟ ଭାଗରେ ବ୍ରିଟିସ ପାର୍ଲିଆମେଣ୍ଟର ଶ୍ରମିକ ଦଳର ସା˚ସଦ ଡେବୋରା(ସ˚କ୍ଷେପରେ ଡେବି) ଆବ୍ରାହାମ୍ସ ଦିଲ୍ଲୀ ବିମାନ ବନ୍ଦରରେ ପଦାର୍ପଣ କରିବା ମାତ୍ରକେ ତାଙ୍କୁ ସେହିଠାରୁ ବହିଷ୍କାର କରି ଦିଆ ଯାଇଥିବା ଘଟଣାକୁ କେନ୍ଦ୍ର କରି ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ଉପର ବର୍ଣ୍ଣିତ ଆଧିଭୌତିକ ପ୍ରସଙ୍ଗଟି ମନରେ ଉଠିଥାଏ। କାରଣ ଭାରତରେ ବ୍ରିଟିସ ଉପନିବେଶର ମୃତ୍ୟୁ ଘଟିବାର ବାସ୍ତରି ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ସତ୍ତ୍ବେ ବୋଦହୁଏ ଏମିତି କିଛି ଆକର୍ଷଣ ଏଠାରେ ରହିଯାଇଛି, ଯାହା ‘ଉପନିବେଶ ଶାସନ’ର ଅତୃପ୍ତ ଆତ୍ମାକୁ ଡେବିଙ୍କ ଭଳି କତିପୟଙ୍କ ଜରିଆରେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରୁଛି।
ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ମଧୢରୁ ଯେଉଁମାନେ ଭାରତ ସରକାରଙ୍କ ଦ୍ବାରା ଡେବିଙ୍କ ବହିଷ୍କରଣ ଏବ˚ ତଜ୍ଜନିତ ସୃଷ୍ଟ ବିବାଦ ସ˚ପର୍କରେ ଅବଗତ ନ ଥିବେ, ସେମାନଙ୍କ ଲାଗି ସମଗ୍ର ଘଟଣାକ୍ରମର ସ˚କ୍ଷିପ୍ତ ପୃଷ୍ଠଭୂମିଟି ହେଲା ଏହିପରି: ଭାରତରେ ବାସ କରୁଥିବା ତାଙ୍କର କିଛି ବନ୍ଧୁବାନ୍ଧବଙ୍କୁ ସାକ୍ଷାତ କରିବାକୁ ଭାରତ ଆସିଛନ୍ତି ବୋଲି ଦାବି କରିଥିବା ବ୍ରିଟିସ ସା˚ସଦ ଡେବି ଆବ୍ରାହାମ୍ସଙ୍କ ନିକଟରେ ଥିଲା ଏକ ବାଣିଜ୍ୟ ଭିସା; ଯାହା ବିଦେଶାଗତଙ୍କୁ ଭାରତରେ ବନ୍ଧୁବାନ୍ଧବଙ୍କୁ ଭେଟିବାର ଅନୁମତି ଦେଇ ନ ଥାଏ (ଏଥି ଲାଗି ଆବଶ୍ୟକ ପରିବ୍ରାଜକ ଭିସା ବା ‘ଭିଜିଟର୍ସ ଭିସା’)। ତେବେ, ସରକାର ଏ ସ˚ଦର୍ଭରେ ଯେଉଁ ବକ୍ତବ୍ୟ ପ୍ରଦାନ କଲେ ତାହା ହେଲା ଡେବିଙ୍କ ଭିସାକୁ ମୂଳରୁ ହିଁ ସ˚ପୂର୍ଣ୍ଣ ରଦ୍ଦ କରି ଦିଆଯାଇ ତାଙ୍କ ବ୍ରିଟିସ୍ ଦପ୍ତରକୁ ଏ ବାବଦରେ ଜଣାଇ ଦିଆଯାଇଥିବା ସତ୍ତ୍ବେ ଡେବି ଭାରତରେ ପଦାର୍ପଣ କରିଥିଲେ। ତେବେ, ଏହି ଘଟଣା ଆମ ଦେଶରେ ବିତର୍କର ଝଡ଼ଟିଏ ସୃଷ୍ଟି କଲା। କାଶ୍ମୀର ପ୍ରସଙ୍ଗରେ ଦୀର୍ଘ କାଳ ଧରି ଉତ୍କଟ ଭାରତ ବିରୋଧୀ ସମାଲୋଚନା(ଯାହା ଧାରା ୩୭୦ ଉଚ୍ଛେଦ ହେବା ପରେ ଅତ୍ୟନ୍ତ ଶାଣିତ ହୋଇଛି)ରେ ଅବିରତ ଭାବେ ଲିପ୍ତ ଡେବିଙ୍କ ପ୍ରତି ଏହା ମୋଦୀ ସରକାର ଦ୍ବାରା ପ୍ରଦର୍ଶିତ ଚରମ ଅସହିଷ୍ଣୁତାର ନିଦର୍ଶନ ବୋଲି କିଛି ଗଣମାଧୢମ ଏବ˚ ସ୍ବାଭାବିକ ଭାବେ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଆରୋପ ମଧ୍ୟ ଶୁଣିବାକୁ ମିଳିଲା। କିନ୍ତୁ ଏ ପ୍ରସଙ୍ଗ ଉପରେ ଟିକିଏ ଗଭୀର ଦୃଷ୍ଟି ନିବଦ୍ଧ କଲେ ଆଉ ଏକ ଦିଗ ଉନ୍ମୋଚିତ ହୋଇଥାଏ, ଯାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ।
ଏବେ ଯଦି ବାସ୍ତବତାକୁ ଅବଲୋକନ କରିବା ତେବେ ଯାହା ଆଖିରେ ପଡ଼ିଥାଏ, ତାହା ହେଲା ଧାରା ୩୭୦ ରଦ୍ଦ ହେବା ପରେ କାଶ୍ମୀର ସମ୍ବନ୍ଧୀୟ ଭାରତର ଆଚରଣକୁ ନେଇ ପାକିସ୍ତାନ ଦ୍ବାରା ସୃଷ୍ଟ ଅଯଥା କୋଳାହଳ କେବଳ ଦୁଇଟି ରାଷ୍ଟ୍ରକୁ ପ୍ରଭାବିତ କରିପାରିଛି; ଯେଉଁ ଯୋଡ଼ିକ ହେଲେ ଇସଲାମୀୟ ମୌଳବାଦର ସମର୍ଥକ ମାଲେସିଆ ଏବ˚ ତୁର୍କୀ। ଅନ୍ୟ କୌଣସି ରାଷ୍ଟ୍ର ଏ ବ୍ୟାପାରରେ ମୁଣ୍ତ ପୂରାଇ ସମୟ ଅପଚୟ କରିବାକୁ ନାରାଜ। ଇ˚ଲଣ୍ତରେ କ୍ଷମତାସୀନ ଜାଠ ଦଳର ବୋରିସ ଜନସନଙ୍କ ସରକାର ନିଜ ଦେଶର ଅନ୍ତରୀଣ ସମସ୍ୟା ତଥା ‘ବ୍ରେକ୍ସିଟ୍’ରୁ ବ୍ରିଟେନ୍ ଓହରି ଯିବା ଉପରାନ୍ତ ବିଭିନ୍ନ ବହିର୍ବ୍ୟାପାର ସମସ୍ୟାରେ ଏତେ ବ୍ୟସ୍ତ ଯେ କାଶ୍ମୀର ବ୍ୟାପାର ନେଇ ଅତ୍ୟନ୍ତ ବୀତସ୍ପୃହ। ଏଭଳି ସ୍ଥଳେ ତୁର୍କୀ ଓ ମାଲେସିଆ ସରକାରଙ୍କ ସହିତ ଆଉ ଯେଉଁମାନଙ୍କ ସ୍ବର ଶୁଣିବାକୁ ମିଳୁଛି, ସେମାନେ ହେଲେ ପାଶ୍ଚାତ୍ୟର କିଛି ସୀମାନ୍ତରିତ ବାମପନ୍ଥୀ ଗୋଷ୍ଠୀ, ଯାହା ମଧୢରେ ରହିଛି ଇ˚ଲଣ୍ତରେ ପ୍ରାୟ ଏକ ରାଜନୈତିକ ଧ୍ବ˚ସସ୍ତୂପରେ ପରିଣତ ହୋଇଥିବା ଶ୍ରମିକ ଦଳ। ସୁତରା˚, ପ୍ରଶ୍ନ ଉଠିଥାଏ ଇ˚ଲଣ୍ତର ଡେବି ଆବ୍ରାହାମସଙ୍କ ଏହି ଦଳ ଏଭଳି ଭାରତ ବିରୋଧୀ ମନୋଭାବ ବହନ କରିଥାଏ କାହିଁକି?
ଏହାର କାରଣ ଏହା ହୋଇପାରେ ଯେ ୧୯୪୭ ମସିହା ବେଳକୁ ଇ˚ଲଣ୍ତରେ କ୍ଷମତାସୀନ ଥିବା ଶ୍ରମିକ ଦଳ ଭାରତ ବିଭାଜନ ସମୟରେ କାଶ୍ମୀରକୁ ପାକିସ୍ତାନକୁ ଦେଇ ପାରି ନ ଥିବା କାରଣରୁ ଗ୍ଳାନିବୋଧରେ ଜର୍ଜରିତ ଥିଲା। ଏକ ଶାସକ ଭାବେ ଗୋଟିଏ ପ୍ରଜା ରାଷ୍ଟ୍ର(ପାକିସ୍ତାନ)କୁ ନ୍ୟାୟ ଦେଇ ପାରି ନ ଥିବାର ଏହି ଗ୍ଳାନିବୋଧ ସେହି ଦିନ ଠାରୁ ଶ୍ରମିକ ଦଳର ଆଭିମୁଖ୍ୟକୁ ସର୍ବଦା ଓ ସ˚ପୂର୍ଣ୍ଣ ରୂପେ ପାକିସ୍ତାନ ସପକ୍ଷରେ ରଖିଆସିଛି। ସେହି କାରଣରୁ ଏହି ବିବାଦ ପରିପ୍ରେକ୍ଷୀରେ କ˚ଗ୍ରେସର ଦୃଷ୍ଟିକୋଣରୁ ବିଚ୍ୟୁତ ହୋଇ ବରିଷ୍ଠ କ˚ଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭି ମୋଦୀ ସରକାରଙ୍କ କାର୍ଯ୍ୟକୁ ସ˚ପୂର୍ଣ୍ଣ ସମର୍ଥନ କରିବା ସହିତ ଡେବି ଆବ୍ରାହାମ୍ସଙ୍କୁ ପାକିସ୍ତାନର ‘ପ୍ରକ୍ସି’ ବୋଲି ଅଭିହିତ କରିବା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ।
ଏହା ମଧୢ ବର୍ତ୍ତମାନ ସ୍ବୀକୃତ ଯେ ଉପନିବେଶଗୁଡ଼ିକ ହରାଇବା ପରେ କ୍ଷୁଦ୍ର ଦ୍ବୀପ-ରାଷ୍ଟ୍ର ଇ˚ଲଣ୍ତ ଏଣିକି ବିଶ୍ବର ଏକ ପହିଲା ଦର୍ଜାର ଶକ୍ତି ହୋଇ ରହିନାହିଁ। ସା˚ପ୍ରତିକ ଅନ୍ତର୍ରାଷ୍ଟ୍ରୀୟ ମଞ୍ଚର ପ୍ରତିଦ୍ବନ୍ଦ୍ବିତାମୂଳକ ବାତାବରଣରେ ଯେତେବେଳେ ୟୁୁରୋପୀୟ ସ˚ଘ ଦୁର୍ବଳ ଏବ˚ ‘ନାଟୋ’ ଭଳି ସ˚ଗଠନ ତାର ଗୁରୁତ୍ବ ହରାଇବାରେ ଲାଗିଲାଣି, ସେତିକି ବେଳେ ବାହ୍ୟ ରାଷ୍ଟ୍ର ବା ସ˚ଘର ପ୍ରଭାବ ଦ୍ବାରା ଇ˚ଲଣ୍ତର ଶ୍ରମିକ ଦଳ ଚାହୁଁଥିବା ଭଳି କାଶ୍ମୀର ବ୍ୟାପାରର ସମାଧାନ (ମତଦାନ ଦ୍ବାରା କାଶ୍ମୀରର ପକ୍ଷ ନିର୍ଣ୍ଣୟ) କେବଳ ଏକ ସ୍ବପ୍ନ ବିଳାସ ମାତ୍ର। ଏ ସ˚ପର୍କରେ ଶ୍ରମିକ ଦଳ ନିଜେ ମଧୢ ଅବଗତ। ତେବେ, ପ୍ରଶ୍ନ ଉଠିଥାଏ କାହିଁକି ତେବେ ଏଭଳି ନିଷ୍ଫଳ ପ୍ରୟାସ?
କୌତୁହଳପ୍ରଦ ଭାବେ ଏହି ସ˚ଦର୍ଭରେ ରାଜନୈତିକ ବିଶାରଦମାନଙ୍କ ଦ୍ବାରା ଆବିଷ୍କୃତ ଶ୍ରମିକ ଦଳର ଅଭିସନ୍ଧିଟି ହେଉଛି ଭୋଟ ବ୍ୟାଙ୍କ ରାଜନୀତି। ୧୯୪୮ ପରବର୍ତ୍ତୀ କାଳରେ ପାକ୍-ଅଧିକୃତ କାଶ୍ମୀରର ‘ମିରପୁର’ରୁ ଇ˚ଲଣ୍ତକୁ ଯେଉଁ ମୁସଲମାନମାନଙ୍କ ସୁଅ ଛୁଟିଥିଲା(ଇ˚ଲଣ୍ତରେ ‘ମିରପୁରୀ’ ସ˚ପ୍ରଦାୟ ନାମରେ ପରିଚିତ), ସେମାନେ ଆଜି ଇ˚ଲଣ୍ତରେ ବସବାସ କରୁଥିବା ସମସ୍ତ ମୁସଲମାନ ସ˚ଖ୍ୟାର ୭୦%ରୁ ଅଧିକ। ଏହି କାରଣରୁ ଇ˚ଲଣ୍ତର ଅନ୍ତତଃ ୩୧ଟି ନିର୍ବାଚନ ମଣ୍ତଳୀରେ ‘ମିରପୁରୀ’ମାନେ ଭୋଟର ଧାରାକୁ ବଦଳାଇ ଦେବାରେ ସକ୍ଷମ। ଇଲଣ୍ତର ବର୍ମି˚ହମ ନିର୍ବାଚନ ମଣ୍ତଳୀରେ ମୁସଲମାନ ଭୋଟରଙ୍କ ସ˚ଖ୍ୟା ୫୧%, ଅର୍ଥାତ୍ ଏବେ ସେଠାରେ ମୂଳ ଶ୍ବେତାଙ୍ଗ ତଥା ଅନ୍ୟାନ୍ୟ ସ˚ପ୍ରଦାୟ ସ˚ଖ୍ୟାଲଘୁରେ ପରିଣତ ହୋଇଛନ୍ତି। ଏବ˚ ଏ ଗୁଡ଼ିକ ଏବେ ହୋଇଛି ଶ୍ରମିକ ଦଳର ଦୁର୍ଗ। ସ˚ପ୍ରତି ଇ˚ଲଣ୍ତରେ ପରିଦୃଶ୍ୟ ହେଉଥିବା ଦକ୍ଷିଣ ପନ୍ଥୀଙ୍କ ଉତ୍ଥାନ ପରିପ୍ରେକ୍ଷୀରେ ନିଶ୍ଚିହ୍ନ ହେବାରୁ ବର୍ତ୍ତିବା ଲାଗି ଶ୍ରମିକ ଦଳ ମୁସଲମାନ ସ˚ପ୍ରଦାୟକୁ ଏକ ଭୋଟ ବ୍ୟାଙ୍କରେ ପରିଣତ କଲାଣି। ତେଣୁ ମାନବ ଅଧିକାର ଏବ˚ ବ୍ୟକ୍ତି ସ୍ବାଧୀନତାର ଦ୍ବାହି ଦେଇ ଶ୍ରମିକ ଦଳ ଏକ ଅତୃପ୍ତ ଆତ୍ମା ଭଳି କାଶ୍ମୀରକୁ ଫେରିବାରେ ଲାଗିଛି। କିନ୍ତୁ ଦଳର ଶଠତା ସେତିକି ବେଳେ ପରିସ୍ଫୁଟ ହୋଇସାରିଛି, ଯେତେବେଳେ ଆଜିକୁ ତିରିଶ ବର୍ଷ ତଳେ ଭାରତର ସ˚ଖ୍ୟା ଗରିଷ୍ଠ ସ˚ପ୍ରଦାୟର ହୋଇଥିବା ସତ୍ତ୍ବେ ଲକ୍ଷ ଲକ୍ଷ କାଶ୍ମୀରୀ ପଣ୍ତିତ ଇସଲାମୀୟ ମୌଳବାଦୀଙ୍କ ଦ୍ବାରା ହତ୍ୟା, ଲୁଣ୍ଠନ ଓ ଧର୍ଷଣର ଶିକାର ହୋଇ ଉପତ୍ୟକାରୁ ବିତାଡ଼ିତ ହେଲେ ଓ ଏକ ବିଡ଼ମ୍ବନା ସଦୃଶ ନିଜ ଦେଶରେ ହିଁ ନିଜେ ଶରଣାର୍ଥୀ ହେଲେ ଏବ˚ ଯେଉଁ ସମୟରେ (ଏବ˚ ଏବେ ମଧ୍ୟ) ଡେବିଙ୍କ ଦଳ ପକ୍ଷରୁ ‘ଉଃ’ ବୋଲି ଶବ୍ଦଟିଏ ମଧ୍ୟ ଶୁଣିବାକୁ ମିଳି ନ ଥିଲା କି ମଳିନାହିଁ!