୨୦୦୦, ଫେବ୍ରୁଆରି ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ତାଙ୍କର ପାଞ୍ଚ ଦିନିଆ ଭାରତ ଗସ୍ତ ସାରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲାବେଳେ ପାକିସ୍ତାନର ଇସଲାମାବାଦ ଠାରେ ତାଙ୍କର ଅତ୍ୟନ୍ତ ସ୍ବଳ୍ପ କାଳର ରହଣି କାର୍ଯ୍ୟକ୍ରମ ତତ୍କାଳୀନ ଭାରତୀୟ ନେତୃବର୍ଗଙ୍କ ଚେହେରାକୁ କିଞ୍ଚିତ୍ ମଳିନ କରିଦେଇଥିଲା। କାରଣ ଏହାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୮ରେ ପୋଖରାନ-୨ ଆଣବିକ ପରୀକ୍ଷଣର ପ୍ରତିକ୍ରିୟା ସ୍ବରୂପ ଆମେରିକୀୟ ସରକାର ଭାରତ ଉପରେ ଅନେକ ପ୍ରତିବନ୍ଧ ଜାରି କରିଦେଇଥିଲା ଏବ˚ ୧୯୯୯ରେ ସୁଉଚ୍ଚ କାର୍ଗିଲ୍ରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ଏକ ମିଳିତ ଆକ୍ରମଣର ଜବାବ ଅତ୍ୟନ୍ତ ରକ୍ତାକ୍ତ ସ˚ଘର୍ଷ ଜରିଆରେ ଦେଇଥିଲା। କହିବା ବାହୁଲ୍ୟ ଯେ ସେତେବେଳ ପର୍ଯ୍ୟନ୍ତ ଭାରତ ଆମେରିକାର ବିଶେଷ ପ୍ରିୟଭାଜନ ନୁହେଁ ବୋଲି ବିବେଚିତ ହୋଇ ଆସିଥିଲା। ସୁତରା˚, ପାକିସ୍ତାନ ଭୂମିରେ ଆମେରିକୀୟ ରାଷ୍ଟ୍ରପତିଙ୍କ ବକ୍ତବ୍ୟ କ’ଣ ରହିପାରେ ତାହା ହିଁ ଥିଲା ଭାରତୀୟ ଉତ୍କଣ୍ଠାର କେନ୍ଦ୍ରବିନ୍ଦୁ। କିନ୍ତୁ ସେଦିନ ପ୍ରାୟ ସେହି ବିମାନ ବନ୍ଦରରେ ହିଁ କ୍ଲିଣ୍ଟନ ତାଙ୍କର କାର୍ଯ୍ୟକ୍ରମ ସମାପ୍ତ କରି ଯାହା କହିଥିଲେ, ତାହା ହେଲା: ରକ୍ତ ଦ୍ବାରା ନିୟନ୍ତ୍ରଣ ରେଖାକୁ ଆଉ ଥରେ ଟଣାଯାଇପାରିବ ନାହିଁ। ସେହି ଦିନ ଏହି ମନ୍ତବ୍ୟ ଥିଲା ଭାରତୀୟ ଦାବି ଉପରେ ବିଶ୍ବର ସର୍ବଶ୍ରେଷ୍ଠ ଶକ୍ତିର ମୋହର ଏବ˚ ପ୍ରକାରାନ୍ତରେ ଏହା ମଧୢ ଥିଲା ବିଶ୍ବ ପ୍ରେକ୍ଷାପଟରେ ଏକ ଅଧିକ ମହିମାନ୍ବିତ ପରିସରରେ ଭାରତ ନିଜକୁ ସ୍ଥାପନ କରିପାରିଥିବା ବିଷୟକୁ ସ୍ବୀକୃତି। ଉଲ୍ଲେଖଯୋଗ୍ୟ ଯେ ୧୯୭୮ରେ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରେ ଏକ ଦୀର୍ଘ ୨୨ ବର୍ଷର ଅସ୍ବସ୍ତିକର ନିରବତା ଭଙ୍ଗ କରି ବିଲ୍ କ୍ଲିଣ୍ଟନ ଭାରତରେ ପଦାର୍ପଣ କରିଥିଲେ। ଏହି ସ˚ଦର୍ଭରେ ଆଜି ଭାରତ ମାଟିରେ ପାଦ ଦେବାକୁ ଯାଉଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର˚ପ୍ଙ୍କ ଛତିଶ ଘଣ୍ଟିଆ ଗସ୍ତକୁ ନେଇ ଏକ ସ˚କ୍ଷିପ୍ତ ଆଲୋଚନା କରାଯାଇପାରେ।
ଏଠାରେ ଯାହା ଲକ୍ଷ୍ୟ କରାଯିବା ପ୍ରାସଙ୍ଗିକ, ତାହା ହେଲା ଭାରତର ସ୍ବାଧୀନତା ପର ଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଖଣ୍ତ ମଧୢରେ ଯୁକ୍ତରାଷ୍ଟ୍ର ଆମେରିକାର ମାତ୍ର ତିନି ଜଣ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ। ୧୯୫୯ରେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ଭାରତରେ ପାଦ ଦେଇଥିଲେ ଆଇଜେନହଵାର; ତାର ଦଶ ବର୍ଷ ପରେ ୧୯୬୯ରେ ରିଚାର୍ଡ ନିକ୍ସନ ଏବ˚ ତାର ନଅ ବର୍ଷ ପରେ ଜିମି କାର୍ଟର। ଆଇଜେନହଵାରଙ୍କ ଗସ୍ତ କାଳରେ ଜଵାହରଲାଲ ନେହରୁ ଥାଆନ୍ତି ଭାରତର ପ୍ରଧାନମନ୍ତ୍ରୀ; ଅହି˚ସ ଉପାୟରେ ସ୍ବାଧୀନତା ଲାଭ କରିଥିବା କାରଣରୁ ଭାରତ ସେତେବେଳକୁ ଏକ ଉଚ୍ଚ ନୈତିକ ଭୂମି ଉପରେ ଅଧିଷ୍ଠିତ। ପ୍ରଧାନମନ୍ତ୍ରୀ ନେହରୁଙ୍କ ସହିତ ଆଇଜେନହଵାରଙ୍କ ସ˚ପର୍କର ସମୀକରଣ ଅତ୍ୟନ୍ତ ସାବଲୀଳ ରହେ, କିନ୍ତୁ ଆଲୋଚନାର କେନ୍ଦ୍ର ହୁଏ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏବ˚ ଚୀନ ପ୍ରତି ଆମେରିକୀୟ ଆଭିମୁଖ୍ୟର ଔଚିତ୍ୟ। ଭାରତ- ଆମେରିକା ଦ୍ବିପାକ୍ଷିକ ସ˚ପର୍କ ନେଇ କୌଣସି ବିଶେଷ ଦିଗ ଉନ୍ମୋଚିତ ହୁଏନାହିଁ। ତା’ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥାଆନ୍ତି ଇନ୍ଦିରା ଗାନ୍ଧୀ ଏବ˚ ସେତେବେଳକୁ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଖାଦ୍ୟାନ୍ନ ସ˚କଟରେ ଜର୍ଜରିତ ଏବ˚ ଯୁକ୍ତରାଷ୍ଟ୍ର ଆମେରିକାର ‘ଦୟା’ରୁ ଖାଦ୍ୟାନ୍ନ(ପିଏଲ୍. ୪୮୦) ଲାଭ କରି ତାର ଏକ ଅନୁଗୃହୀତ ରାଷ୍ଟ୍ରରେ ପରିଣତ। କହିବା ବାହୁଲ୍ୟ ନିକ୍ସନଙ୍କ ସେହି ଦିନିକିଆ ଭାରତ ଗସ୍ତ ବେଳେ ଯାହା ପରିଲକ୍ଷିତ ହୋଇଥିଲା, ତାହା ଥିଲା ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧୢରେ ଏକ ଅତ୍ୟନ୍ତ ଅସହଜ ଭାବ। ଏହାର ନଅ ବର୍ଷ ପରେ ଜିମି କାର୍ଟରଙ୍କ ଭାରତ ଗସ୍ତ ବେଳକୁ ଭାରତ ଓ ଆମେରିକା ସ˚ପର୍କରେ ବରଫ ଜମି ସାରିଥାଏ; ଶୀତଳ ଯୁଦ୍ଧ କାଳୀନ ଧ୍ରୁବୀକରଣର ବାସ୍ତବତା ପରିପ୍ରେକ୍ଷୀରେ ଭାରତ ସୋଭିଏତ୍ ୟୁନିଅନର ସମୀପବର୍ତ୍ତୀ ହୋଇସାରିଥାଏ ଏବ˚ ମସ୍କୋ ସହିତ ଦିଲ୍ଲୀ ଏକ ରଣନୈତିକ ଭାଗୀଦାରି(ସାମରିକ ଓ ସୁରକ୍ଷା କୈନ୍ଦ୍ରିକ ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’) ଦ୍ବାରା ଆବଦ୍ଧ ହୋଇଯାଇଥାଏ। ସେହି ସମୟ ମଧୢ ଦେଖିଥାଏ ଆମେରିକାର ସେ ସମୟର ଅତ୍ୟନ୍ତ ଗେହ୍ଲା ରାଷ୍ଟ୍ର ପାକିସ୍ତାନ ସହ ଭାରତର ଯୁଦ୍ଧ ଓ ତହିଁରେ ଭାରତର ବିଜୟ(ବା˚ଲାଦେଶର ସୃଷ୍ଟି) ତଥା ପୋଖରାନରେ ଭାରତର ପ୍ରଥମ ଆଣବିକ ପରୀକ୍ଷଣ(୧୯୭୬)। ୧୯୭୮ରେ ଜିମି କାର୍ଟରଙ୍କ ଭାରତ ଗସ୍ତ ବେଳକୁ ଭାରତର ପ୍ରଧାନମନ୍ତ୍ରୀ ଥାଆନ୍ତି ମୋରାରଜୀ ଦେଶାଇ। ଆମେରିକୀୟ ରାଷ୍ଟପ୍ରତିଙ୍କ ଏ ଗସ୍ତର ଉଦ୍ଦେଶ୍ୟ ଥାଏ ‘ଆଣବିକ ଅପ୍ରସାର ଚୁକ୍ତି’ରେ ଭାରତ ସ୍ବାକ୍ଷର କରିବା ନେଇ ଚାପ ପ୍ରୟୋଗ। ତେଣୁ, ସ୍ବାଧୀନତା ପରବର୍ତ୍ତୀ ତିନି ଦଶନ୍ଧି କାଳ ଖଣ୍ତରେ ଯାହା ଦେଖିବାକୁ ମିଳିଥିଲା ତାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ଅତିକାୟ ମହାଶକ୍ତି ସହିତ ଭାରତ ଭଳି ଏକ ଖର୍ବକାୟ ଶକ୍ତିର କୁଣ୍ଠା ବିଜଡ଼ିତ ଅସ୍ବସ୍ତିକର ସ˚ପର୍କ। ଏବ˚ ତା’ ପରବର୍ତ୍ତୀ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ କୌଣସି ଆମେରିକୀୟ ରାଷ୍ଟ୍ରପତି ଭାରତ ଭୂମିରେ ପଦାର୍ପଣ ନ କରିବା ଥିଲା ଏଭଳି ଏକ ଅସହଜ ସ˚ପର୍କକୁ ଦୃଢ଼ୀଭୂତ କରୁଥିବା ପ୍ରମାଣ। ଏହା ଥିଲା ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସ˚ପର୍କର ପ୍ରଥମ ସୋପାନ।
ଏହାର ଦ୍ବିତୀୟ ସୋପାନ ଆରମ୍ଭ ହୁଏ ୨୦୦୦ ମସିହାରେ, ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଭାରତ ଗସ୍ତରୁ। ୨୦୦୦ରୁ ୨୦୨୦ ପର୍ଯ୍ୟନ୍ତ ସମୟ କାଳରେ ଭାରତର ତିନି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଡକ୍ଟର ମନମୋହନ ସି˚ହ ଏବ˚ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି ତିନି ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶ୍ ଜୁନିଅର, ବାରାକ୍ ଓବାମା (ଦୁଇ ଥର) ଏବ˚ ଆଜି ଡୋନାଲ୍ଡ ଟ୍ର˚ପ୍ଙ୍କୁ। ୨୦୧୫ରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିର ସରକାର ସମୟରେ ଦ୍ବିତୀୟ ଥର ଲାଗି ଭାରତ ଗସ୍ତରେ ଆସିଥିବା ବାରାକ୍ ଓବାମା କହିଥିଲେ ଯେ ‘ଭାରତ ଆଉ ଏକ ବିକାଶଶୀଳ ରାଷ୍ଟ୍ର ହୋଇ ରହିନାହିଁ; ଏହା ଏବେ ବିକଶିତ।’ ଗଲା ଶତାବ୍ଦୀର ନବମ ଦଶକ ପରବର୍ତ୍ତୀ କାଳରେ ଶୀତଳ ଯୁଦ୍ଧଜନିତ ସ୍ଥିତିର ଅବସାନ, ଉନ୍ମୁକ୍ତ ଅର୍ଥନୀତି ଓ ମୁକ୍ତ ବଜାରର ଦୃଶ୍ୟପଟରେ ଭାରତର ବିପୁଳ ଶକ୍ତି ଓ ସ˚ପଦ ଆହରଣ ବାରାକ ଓବାମାଙ୍କୁ ଏଭଳି ଏକ ମନ୍ତବ୍ୟ ପ୍ରଦାନ କରିବାକୁ ପ୍ରଚୋଦିତ କରିଥିଲା। ସୁତରା˚, ଭାରତ ଆଉ ଏକ ଅନୁଗୃହୀତ ରାଷ୍ଟ୍ର ହୋଇ ରହିନାହିଁ, ଏହା ଗୋଟିଏ ସମତଳରେ ଛିଡ଼ା ହୋଇ ଆମେରିକା ସହିତ ସସମ୍ମାନେ କରମର୍ଦ୍ଦନ କରିବା ସ୍ଥିତିକୁ ଆସିଯାଇଛି। ଦୁଇ ରାଷ୍ଟ୍ର ସ˚ପ୍ରତି ପାରସ୍ପରିକ ସ୍ବାର୍ଥ ସକାଶେ ପରସ୍ପର ସହିତ ରଣନୈତିକ ଭାଗୀଦାରିର ବନ୍ଧନରେ ଆବଦ୍ଧ। କହିବା ବାହୁଲ୍ୟ ଯେ ଭାରତ ଓ ଆମେରିକା ଭିତରେ ଥିବା ଦ୍ବିପାକ୍ଷିକ ସ˚ପର୍କ ଏକ ଚମକପ୍ରଦ ବିବର୍ତ୍ତନର ସାକ୍ଷୀ।
ଗଲା ସେପ୍ଟେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୂଷ୍ଟନ ଠାରେ ଅନୁଷ୍ଠିତ ବିଶାଳ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମର ସୁଯୋଗ ନେଇ ଆମେରିକାର ସର୍ବାଧିକ ବିତ୍ତଶାଳୀ ସ˚ଖ୍ୟାଲଘୁବର୍ଗ ‘ଭାରତୀୟ ମୂଳର ଆମେରିକୀୟ’ଙ୍କ ସମର୍ଥନ ତାଙ୍କ ଆଗାମୀ ନିର୍ବାଚନରେ ଲାଭ କରିବା ଲାଗି ରାଷ୍ଟ୍ରପତି ଟ୍ର˚ପ୍ ଏକ ପରମ ବନ୍ଧୁସୁଲଭ ମୁଦ୍ରାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତ ଧରି ମଞ୍ଚରେ ଘୂରି ବୁଲିବା ଦେଖାଯାଇଥିଲା। ସେହି ସମୟରେ ଏହା ବ୍ୟକ୍ତିଗତ ମିତ୍ରତାକୁ ଅତିକ୍ରମ କରି ରାଜନୀତି-କୂଟନୀତି ଓ ରଣନୀତି ଆଧାରରେ ଏକ ସମାସ୍କନ୍ଦତା ପ୍ରତିପାଦନର ପ୍ରତୀକ ଭାବେ ପରିଦୃଷ୍ଟ ହୋଇଥିଲା। ଯଦିଓ ଏହା ହୁଏ’ତ ସମ୍ଭବ ଯେ ଟ୍ର˚ପ୍ଙ୍କ ଚଳିତ ଗସ୍ତ କାଳରେ ଭାରତ ଓ ଆମେରିକା ମଧ୍ୟରେ କୌଣସି ବଡ଼ ଧରଣର ଉତ୍ସାହପ୍ରଦ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହୋଇ ନ ପାରେ। ଏହା ମନେ ରହିବା ଉଚିତ ଯେ ସା˚ପ୍ରତିକ ମୁକ୍ତ ବଜାର କୈନ୍ଦ୍ରିକ ବିଶ୍ବରେ ପ୍ରତ୍ୟେକଟି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ସହିତ କୌଣସି ନା କୌଣସି ବାଣିଜ୍ୟିକ ବିବାଦରେ ଲିପ୍ତ। ତେଣୁ ଭାରତ ଓ ଆମେରିକା ମଧୢରେ ବିଦ୍ୟମାନ ବାଣିଜ୍ୟିକ ମନୋମାଳିନ୍ୟ ବିଶେଷ ଗୁରୁତ୍ବପୂର୍ଣ୍ଣ ନୁହେଁ। ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ଏହି ଉପମହାଦେଶର ଭୂ-ରାଜନୀତି ଆଧାରରେ ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ଗଢ଼ି ଉଠିଥିବା ରଣନୈତିକ (ଷ୍ଟ୍ରାଟେଜିକ୍) ସ˚ପର୍କ। ଏ ପରିପ୍ରେକ୍ଷୀରେ ସବୁଠାରୁ ବଡ଼ କଥା ହେଲା, ଏବେ ଉଭୟ ରାଷ୍ଟ୍ର ଆବଶ୍ୟକ ପଡ଼ିଲେ ଗୋଟିଏ ମଞ୍ଚରେ ‘ଟ୍ୟା˚ଗୋ’ ନୃତ୍ୟ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)