ଚୋରଙ୍କ ଦୁନିଆ ହେଉଛି ସରଳ, କଳା-ଧଳା ଦୁନିଆ। ରାତିର କଳା ଅନ୍ଧାର ଆଢ଼ୁଆଳରେ ସେମାନେ ଉଦ୍ଦିଷ୍ଟ ଗୃହରେ ନିଜର କୌଶଳ ପ୍ରୟୋଗ କରି ଅନୁପ୍ରବେଶ କରନ୍ତି; ଦିନର ଧଳା ଆଲୁଅରେ ଏଭଳି ଉଦ୍ୟମରୁ ବିରତ ରହନ୍ତି। ସେମାନଙ୍କର ଏଭଳି ସରଳ, ସ୍ପଷ୍ଟ ଚିନ୍ତାଧାରା ଯେ କେବଳ ସେମାନଙ୍କ ବୃତ୍ତି ଅନ୍ବେଷଣ ମଧୢରେ ସୀମିତ ନୁହେଁ, ତାହାର ଏକ ରୋଚକ ଉଦାହରଣ ଦେଖିବାକୁ ମିଳିଥିଲା ଗତ ବୁଧବାର ପାହାନ୍ତା ପହରରେ କେରଳର କୋଚି ନିକଟସ୍ଥ ତିରୁବନ୍‌କୁଲମ୍‌ ସହରରେ। ଜାତୀୟ ଗଣମାଧୢମରେ ପ୍ରକାଶିତ ବିବରଣୀ ଅନୁସାରେ ଚୋର ଜଣକ ରାତିରେ ଏକ ବନ୍ଦ ବାସଗୃହରେ ପଶିବା ପରେ ଅନୁପସ୍ଥିତ ଗୃହସ୍ବାମୀଙ୍କ ମିଲିଟାରୀ ଟୋପି ଦେଖି ଯେତେବେଳେ ଜାଣି ପାରିଲା ଯେ ତାହା ହେଉଛି ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ୍‌ଙ୍କ ଘର, ସେ ନିଜର ଦେଶଭକ୍ତି ଦ୍ବାରା ଏପରି ବିହ୍ବଳ ହୋଇପଡ଼ିଲା ଯେ ସେଠାରୁ କୌଣସି ମୂଲ୍ୟବାନ୍‌ ପଦାର୍ଥ ଚୋରି ନ କରି, କର୍ଣ୍ଣେଲ୍‌ଙ୍କ ଠାରୁ କ୍ଷମା ପ୍ରାର୍ଥନା କରି କାନ୍ଥରେ ଏକ ନିବେଦନ ଲେଖି ଦେଇ ଚାଲିଗଲା। ଚୋରର ଦେଶଭକ୍ତି ବା ଜାତୀୟତାବାଦରେ କୌଣସି ଜଟିଳତା ନାହିଁ, ତେଣୁ ତାହାକୁ ପ୍ରକାଶ କରିବାରେ ତା’ର କୌଣସି ସ˚କୋଚ ନାହିଁ।

Advertisment

ଯେତେଦୂର ସମ୍ଭବ ସେ କେବେହେଲେ ଜାତୀୟତାବାଦ ସମ୍ପର୍କରେ ଜର୍ମାନ୍‌ ଦାର୍ଶନିକ ଫ୍ରିଡ୍‌ରିକ୍‌ ନିଚାଙ୍କ ମତବାଦକୁ କେନ୍ଦ୍ର କରି ସୃଷ୍ଟ ବିବାଦ, କିମ୍ବା ଉତ୍ତର-ଆଧୁନିକତାବାଦୀ (ପୋଷ୍ଟମଡର୍ନିଷ୍ଟ୍)ମାନଙ୍କ ଦ୍ବାରା ଜାତୀୟତାବାଦର ନିନ୍ଦାଗାନ କିମ୍ବା ଆର‌୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ‘ଜାତୀୟତାବାଦ’ ଶବ୍ଦ ବ୍ୟବହାରକୁ ନେଇ ପ୍ରଦାନ କରିଥିବା ସତର୍କତା ଅବଲମ୍ବନ ଉପଦେଶ (ତା’ ପରଦିନ, ଗୁରୁବାର ଦିନ ରାଞ୍ଚିଠାରେ ଭାଗବତ ଏହା କହିଥିଲେ) ବିଷୟରେ କିଛି ହେଲେ ଜାଣିନଥିବ। ନଚେତ୍‌ ସେ ହୁଏତ ନିଜର ଦେଶଭକ୍ତିର ଏପରି ଖୋଲାଖୋଲି, ଆନ୍ତରିକ ପ୍ରଦର୍ଶନ କରନ୍ତା ନାହିଁ। ଭାଗବତ କହିଥିଲେ ଯେ ପୃଥିବୀର ଅନେକ ଦେଶରେ ଜାତୀୟତାବାଦକୁ ଏକ ନକରାତ୍ମକ ଦୃଷ୍ଟିରେ ଦେଖାଯାଉଛି, କାରଣ ଏହାକୁ ହିଟଲର‌୍‌, ନାତ୍‌ସିବାଦ, ଫାସିବାଦ ସହିତ ସ˚ଯୁକ୍ତ କରାଯାଉଛି। ଯେହେତୁ ତାଙ୍କର ସ˚ଗଠନ ‘ଆର‌୍‌ଏସ୍‌ଏସ୍‌’ର ମୌଳିକ ଆଭିମୁଖ୍ୟ ହେଉଛି ରାଷ୍ଟ୍ରବାଦ ବା ଜାତୀୟତାବାଦ ବା ଦେଶଭକ୍ତି, ଭାଗବତଙ୍କର ଏହି ମନ୍ତବ୍ୟ ସ˚ଗଠନର କର୍ମୀମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରିବା ପାଇଁ ଉଦ୍ଦିଷ୍ଟ, ଏହା ବୁଝିବା କଷ୍ଟକର ନୁହେଁ।

ଭାଗବତଙ୍କ ଚିନ୍ତା ନିରାଧାର ନୁହେଁ। ଜର୍ମାନୀରେ ହିଟ୍‌ଲର‌୍‌ ଓ ନାତ୍‌ସିବାଦର ଆବିର୍ଭାବ ପୂର୍ବରୁ ଊନବି˚ଶ ଶତାବ୍ଦୀର ମହାନ୍‌ ଦାର୍ଶନିକ ଫ୍ରିଡ୍‌ରିକ୍‌ ନିଚା ତାଙ୍କର ବିଭିନ୍ନ ଲେଖା ମାଧୢମରେ ଜାତୀୟତାବାଦ ସପକ୍ଷରେ ଦୃଢ଼ ମତ ପ୍ରକାଶ କରିଥିଲେ ବୋଲି ଏହି ମତବାଦର ସମର୍ଥକମାନେ ବିଶ୍ବାସ କରନ୍ତି। ଉଦାହରଣସ୍ବରୂପ ତାଙ୍କର ଅନ୍ୟତମ ପୁସ୍ତକ, ‘ଦି ଆଣ୍ଟିକ୍ରାଏଷ୍ଟ’ରେ ସେ ପ୍ରଚଳିତ ଦାସସୁଲଭ ମୂଲ୍ୟବୋଧକୁ ପରିତ୍ୟାଗ କରି ଯେଉଁ ନୂତନ ମୂଲ୍ୟବୋଧ ଅବଲମ୍ବନ କରିବାକୁ ଆହ୍ବାନ ଦେଇଥିଲେ, ତାହା ଅନୁସାରେ ତାହାହିଁ ହେଉଛି ଉତ୍ତମ, ଯାହା ମନୁଷ୍ୟଠାରେ ଶକ୍ତିଶାଳୀ ହୋଇଥିବାର ଅନୁଭବରେ ବୃଦ୍ଧି ଘଟାଇଥାଏ ଏବ˚ ତାହାହିଁ ହେଉଛି ଅଧମ, ଯାହା ଦୁର୍ବଳତାରୁ ଜନ୍ମ ନେଇଥାଏ। ପ୍ରଚଳିତ ମୂଲ୍ୟବୋଧରେ ଗୁରୁତ୍ବଲାଭ କରି ଆସୁଥିବା ତ୍ୟାଗ, କରୁଣା, ବିନମ୍ରତା ଆଦି ବଦଳରେ ନୂତନ ମୂଲ୍ୟବୋଧରେ ଯାହାକୁ ପ୍ରାଧାନ୍ୟ ଦିଆଯିବ ତାହା ହେଉଛି- କ୍ଷମତା। ଏହି ନୂତନ ଚିନ୍ତାଧାରା ଅନୁସାରେ ଏକମାତ୍ର ଆନନ୍ଦ ହେଉଛି କ୍ଷମତା ବୃଦ୍ଧିର ଅନୁଭବ, ଶାନ୍ତି ନୁହେଁ, ଯୁଦ୍ଧ, ପୁଣ୍ୟ ନୁହେଁ ପ୍ରସ୍ତୁତି।

୧୮୮୩ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦସ୍‌ ସ୍ପେକ୍‌ ଜରାଥୁଷ୍ଟ୍ର’ରେ ସେ ଯେଉଁ ‘ଅତିମାନବ’ (‘ଉବର‌୍‌ମେଞ୍ଚ୍‌’)ର କଳ୍ପନା କରିଛନ୍ତି, ତା’ଠାରେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିବାର ଏ ଗୁଣମାନ ପରିଦୃଷ୍ଟ ହେବ। ଏହାର ରାଷ୍ଟ୍ରନୀତି ସହିତ କୌଣସି ସମ୍ପର୍କ ନ ଥିଲା ଓ ଏହା କେବଳ ନିଚାଙ୍କର ନୀତିଶାସ୍ତ୍ର ସମ୍ପର୍କିତ ଚିନ୍ତାଧାରା ଥିଲା ବୋଲି କୁହାଯାଉଥିଲେ ହେଁ, ଜୀବନର ଶେଷ ଦଶନ୍ଧି ପ୍ରାୟ ସମ୍ପୂର୍ଣ୍ଣ ପାଗଳ ଅବସ୍ଥାରେ କଟାଇ ୧୯୦୦ ସାଲରେ ନିଚା ପରଲୋକ ଗମନ କରିବା ପରେ ତାଙ୍କ ସାନ ଭଉଣୀ ଏଲିଜାବେଥ୍‌ ଏହାକୁ ଭିନ୍ନ ମୋଡ଼ ଦେଇଥିଲେ। ସେ ନିଚାଙ୍କର ରଚନାସବୁକୁ ଜାତୀୟତାବାଦ ଓ ଭବିଷ୍ୟତରେ ଜନ୍ମ ନେବାକୁ ଯାଉଥିବା ନାତ୍‌ସିବାଦର ବ୍ୟାଖ୍ୟାନ ରୂପେ ଚିତ୍ରିତ କରି ସେଗୁଡ଼ିକର ସ˚ପାଦନା କରି ପ୍ରକାଶ କଲେ। କହିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଏଲିଜାବେଥ୍‌ଙ୍କ ସ୍ବାମୀ ଜଣେ ତୀବ୍ର ନାତ୍‌ସି ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ନିୟନ୍ତ୍ରିତ ପ୍ରଜନନ ମାଧୢମରେ ଏକ ‘ଉବର‌୍‌ମେଞ୍ଚ୍‌’ ଜାତି ସୃଷ୍ଟି କରିବା ପାଇଁ ଦଳେ ସୁନେଲୀ କେଶ, ନୀଳ ଆଖି ଜର୍ମାନ ଆର୍ଯ୍ୟମାନଙ୍କୁ ନେଇ ଦକ୍ଷିଣ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ଅଳ୍ପଦିନ ମଧୢରେ ଉଷ୍ଣମଣ୍ତଳୀୟ ରୋଗଗ୍ରସ୍ତ ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଗଲା ଏବ˚ ହତାଶ ବର୍ଣ୍ଣାଡ୍‌ ଫର‌୍‌ଷ୍ଟର‌୍‌ (ଏଲିଜାବେଥ୍‌ଙ୍କ ସ୍ବାମୀ) ଆତ୍ମହତ୍ୟା କରି ଦେଲେ। ଅନୁରୂପ ଲକ୍ଷ୍ୟ ନେଇ ନାତ୍‌ସିବାଦୀ ହିଟ୍‌ଲର‌୍‌ଙ୍କ ଆବିର୍ଭାବ ଏବ˚ ବର୍ବର କାଣ୍ତମାନ ଜାତୀୟତାବାଦକୁ ଏକ ସଇତାନୀ ତତ୍ତ୍ବର ରୂପ ଦେଲା।

ଉତ୍ତର-ଆଧୁନିକତାବାଦୀମାନେ କେବଳ ଏହି ଜର୍ମାନ୍‌ ଜାତୀୟତାବାଦ ନୁହେଁ, ଏହା ପୂର୍ବରୁ ଓ ଏହା ପରେ ଉଭୟ ଊନବି˚ଶ ଓ ବି˚ଶ ଶତାବ୍ଦୀରେ ଜାତୀୟତାବାଦ ଏକ ପ୍ଲେଗ୍‌ ପରି ମାଡ଼ି ଯାଇ ପୃଥିବୀ ସାରା ଅତ୍ୟାଚାର, ଯୁଦ୍ଧ, ଘୃଣା, ଗଣହତ୍ୟାର ପ୍ରସାର ଘଟାଇଥିଲା ବୋଲି ମତ ପୋଷଣ କରିଥାନ୍ତି। ଜାପାନୀ ଜାତୀୟତାବାଦରୁ ବ୍ରିଟିସ ଜାତୀୟତାବାଦ ପର୍ଯ୍ୟନ୍ତର ପ୍ରଭାବ ମୁଖ୍ୟତଃ ଏଇଭଳି ହୋଇଛି। ତେଣୁ ମୋହନ ଭାଗବତ ତାଙ୍କର ବିଦେଶ ଗସ୍ତ ସମୟରେ ଜାତୀୟତାବାଦ ପ୍ରତି ଯେଉଁଭଳି ସନ୍ଦେହ ପ୍ରକଟିତ ହେବା ଦେଖିଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେ ସର୍ବସାଧାରଣରେ ଏହା ମଧୢ ସ୍ବୀକାର କରିବା ଏକ ସୁସ୍ଥ ସ୍ବଚ୍ଛତାର ପରିଚାୟକ।

କିନ୍ତୁ ଏହା ମଧୢ ସ୍ପଷ୍ଟ ଯେ ଯେଉଁ ଜାତୀୟତାବାଦ ପାଶ୍ଚାତ୍ୟ ଜଗତ୍‌ରେ ଏପରି ଭୟ ଓ ଆଶଙ୍କା ସୃଷ୍ଟି କରିଥାଏ, ଭାରତୀୟମାନେ ଅନୁସରଣ କରୁଥିବା ଜାତୀୟତାବାଦର ତା’ସହିତ କୌଣସି ସମ୍ପର୍କ ନାହିଁ। ନିଜର ଭୌଗୋଳିକ ପରିସୀମା ମଧୢରେ ନିଜର ସ୍ଥିତି, ସ˚ସ୍କୃତି ଓ ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବାର ପ୍ରବୃତ୍ତି ହେଉଛି ଭାରତୀୟମାନଙ୍କର ଜାତୀୟତାବାଦ; କୌଣସି ‘ଉବର‌୍‌ମେଞ୍ଚ’ ଜାତି ସୃଷ୍ଟିକରି ପୃଥିବୀ ଦଖଲ କରିବା ନୁହେଁ। ଇତିହାସ ସାରା ଭାରତ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଅନ୍ୟ କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ, ବର˚ ନିଜେ ଅସ˚ଖ୍ୟ ବୈଦେଶିକ ଆକ୍ରମଣର ଶିକାର ହୋଇଆସିଛି। ସ୍ବାଧୀନତା ପରବର୍ତ୍ତୀ ସମୟରେ ଚୀନ୍‌, ପାକିସ୍ତାନ ତରଫରୁ ଆକ୍ରମଣ କେତେକ ଅଞ୍ଚଳରେ ବିଚ୍ଛିନ୍ନତାବାଦର ଆତ୍ମପ୍ରକାଶ ଓ ବାରମ୍ବାର ଆତଙ୍କବାଦୀ ଆକ୍ରମଣମାନ ଯେତେବେଳେ ଭାରତର ସ୍ଥିତି ବିପନ୍ନ କରିବା ପାଇଁ ଉଦ୍ୟମ କରିଚାଲିଛନ୍ତି, ସେତେବେଳେ ଆମର ଜାତୀୟତାବାଦର ସ˚କୋଚନ ପରିବର୍ତ୍ତେ ତା’ର ସମ୍ପ୍ରସାରଣ ଓ ଦୃଢ଼ୀକରଣ ଲୋଡ଼ା। କୋଚିର ସେ ଚୋର ପ୍ରଦର୍ଶନ କରିଥିବା ଆଚରଣ ହେଉଛି ଏହାର ଏକ ଅନୁକରଣୀୟ ଉଦାହରଣ। ଯଦି ‘ଜାତୀୟତାବାଦ’ ଶବ୍ଦ ନେଇ ସମସ୍ୟା ଦେଖା ଦେଉଛି, ଏହାକୁ ‘ଦେଶଭକ୍ତି’ ବୋଲି କୁହାଯାଉ। ସେକ୍‌ସପିଅର‌୍‌ଙ୍କ ‘ରୋମିଓ ଆଣ୍ତ ଜୁଲିଏଟ୍‌’ ନାଟକରେ ଜୁଲିଏଟ୍‌ କହିଥିବା ଭଳି: ‘‘ଏ ରୋଜ୍‌ ବାଏ ଏନି ଅଦର‌୍‌ ନେମ୍‌ ଉଡ୍‌ ସ୍ମେଲ୍‌ ଆଜ୍‌ ସୁଇଟ୍‌’’ (‘‘ଗୋଲାପକୁ ଅନ୍ୟ ଯେଉଁ ନାମ ଦେଲେ ବି ତା’ର ବାସ୍ନା ସେଇଭଳି ମିଠା ରହିବ।’’)।