ନିର୍ବୋଧ ମର୍କଟ

ପଞ୍ଚତନ୍ତ୍ରରେ ସ୍ଥାନିତ ‘ରାଜା ଏବ˚ ନିର୍ବୋଧ ମର୍କଟ’ ଗଳ୍ପଟି ବିଷୟରେ ଅବଗତ ଥିବା ଏହି ସ୍ତମ୍ଭର ପାଠକପାଠିକାମାନେ ଅବଶ୍ୟ ଜାଣିଥିବେ ଯେ କିଭଳି ରାଜାଙ୍କ ଶ୍ରଦ୍ଧାଭାଜନ ମର୍କଟଟି ଏକ ବିଶ୍ବସ୍ତ ଅନୁଚର ଭୂମିକାରେ ଅବତୀର୍ଣ୍ଣ ହୋଇ ରାଜାଙ୍କୁ ସୁନିଦ୍ରା ପ୍ରଦାନ କରିବା ଉଦ୍ଦେଶ୍ୟରେ ତାଙ୍କ ବକ୍ଷ ସ୍ଥଳରେ ବସିଥିବା ଏକ ମାଛିକୁ ଘଉଡ଼ାଇବା ଲାଗି ଖଡ୍‌ଗ ପ୍ରହାର କରନ୍ତେ, ରାଜା ଅଚିରେ ମରି ଶୋଇଲେ। ସେହି ଦୃଷ୍ଟିରୁ ଉତ୍ତର-ପୂର୍ବ ଦିଲ୍ଲୀକୁ ଛତିଶ ଘଣ୍ଟାରୁ ଅଧିକ କାଳ ଧରି ଜଳାଇ ରଖିଥିବା ଭୟାବହ ଦଙ୍ଗା ପରେ ଯେତେବେଳେ ଅଙ୍ଗାର ଗଦାରୁ ଅବଶିଷ୍ଟ ଜୀବନକୁ ସାଉଁଟା ଯିବା ଆରମ୍ଭ ହୋଇଛି ଏବ˚ ଏହି ସ୍ତମ୍ଭ ଲେଖା ହେଲା ବେଳକୁ ଶରୀର ଗଣନାରୁ ମୃତକଙ୍କ ସ˚ଖ୍ୟା ୩୯ରେ ପହଞ୍ଚିଛି ବୋଲି ଜଣାପଡ଼ିଛି, ସେତିକି ବେଳେ ପଞ୍ଚତନ୍ତ୍ରର ନିର୍ବୋଧ ମର୍କଟଟିର କଥା ସ୍ମରଣକୁ ଆସୁଛି। ଗଣମାଧୢମରେ ପ୍ରକାଶିତ ସମ୍ବାଦ କହିଥାଏ ଯେ ଗଲା ୨୩ ତାରିଖରେ ସଡ଼କ ଅବରୋଧ କରି ରଖିଥିବା ‘ସିଏଏ’ ବିରୋଧୀ ଆନ୍ଦୋଳନକାରୀଙ୍କ ସହିତ ଦିଲ୍ଲୀ ବିଜେପି ଦଳର ନେତା କପିଳ ମିଶ୍ରଙ୍କ ନେତୃତ୍ବରେ ବାହାରି ଥିବା ‘ସିଏଏ’ ସମର୍ଥନକାରୀଙ୍କ ଦଳ ମୁହାଁମୁହିଁ ହେବା ଓ ସେଠାରେ କପିଳଙ୍କ ଭାଷଣ ପରେ ହିଁ ଏହି ଦଙ୍ଗାର ସୂତ୍ରପାତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ‘ରାଜନୈତିକ ବିରୋଧକୁ ସା˚ପ୍ରଦାୟିକ ଦଙ୍ଗାରେ ପରିଣତ କରାଯିବା ଏବ˚ ଏକ ଅତ୍ୟନ୍ତ ସ୍ପର୍ଶକାତର ସମୟରେ ଏହାକୁ ସ˚ଘଟିତ କରାଇବା ପଛରେ ନିହିତ ଥିବା ଅବିମୃଶ୍ୟକାରିତା ପଞ୍ଚତନ୍ତ୍ରରେ ବର୍ଣ୍ଣିତ ନିର୍ବୋଧ ମର୍କଟତୁଲ୍ୟ ହିଁ ଲାଗିଥାଏ। ଏହାକୁ ଆଦୌ ହାଲୁକା ଭାବେ ଗ୍ରହଣ କରାଯାଇ ନ ପାରେ।

କହିବା ବାହୁଲ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ ଭାରତ ଭ୍ରମଣରେ ଥିବା ସମୟରେ ଦିଲ୍ଲୀରେ ସା˚ପ୍ରଦାୟିକ ଦଙ୍ଗାଟିଏ ସ˚ଘଟିତ ହେଉ ବୋଲି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ଶତ୍ରୁମାନେ ହିଁ କଦାଚିତ୍‌ କାମନା କରିପାରନ୍ତି। କାରଣ, ସେତେବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବର ପରିପକ୍ବତାକୁ ରାଷ୍ଟ୍ରପତି ଟ୍ର˚ପ୍‌ ବିଶ୍ବ ସମକ୍ଷରେ ପ୍ରଶ˚ସା କରି ସାରିଥାଆନ୍ତି ଏବ˚ ତାଙ୍କ ଶାସନରେ ସ˚ଖ୍ୟା ଲଘୁ ସ˚ପ୍ରଦାୟ ସୁରକ୍ଷିତ ବୋଲି ସ୍ବୀକାର କରି ସାରିଥାଆନ୍ତି। ପୁଣି ଏହା ଏପରି ଏକ ସମୟ ଯେତେବେଳେ ସମଗ୍ର ବିଶ୍ବର ଗଣମାଧୢମର ତୀକ୍ଷ୍‌ଣ ଦୃଷ୍ଟି ଭାରତ ଉପରେ ନିବଦ୍ଧ ଥାଏ। ଏଭଳି ଏକ ସମୟରେ ସ୍ବାଧୀନତୋତ୍ତର ଦିଲ୍ଲୀ, ୧୯୫୦ ମସିହାଠାରୁ ଆଜିକା ଯାଏ ଦୀର୍ଘ ସତୁରି ବର୍ଷର କାଳଖଣ୍ତରେ ଘଟିଥିବା ସର୍ବାଧିକ ପ୍ରାଣନାଶକାରୀ ହିନ୍ଦୁ-ମୁସଲିମ୍‌ ସା˚ପ୍ରଦାୟିକ ଦଙ୍ଗାର ସାକ୍ଷୀ ହୋଇଯିବା ନିଶ୍ଚିତ ଭାବେ ଏକ ଦାରୁଣ ବିଡ଼ମ୍ବନା। ଏହା ପୂର୍ବରୁ ୧୯୯୨ରେ ବାବ୍ରୀ ମସଜିଦର ପତନ ଉପରାନ୍ତ ହିନ୍ଦୁ-ମୁସଲମାନ ସା˚ପ୍ରଦାୟିକ ଦଙ୍ଗାରେ ଦିଲ୍ଲୀରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସୁତରା˚, ଏଭଳି ଏକ ସମୟରେ ଭାରତରେ ଟ୍ର˚ପ୍‌ଙ୍କ ଉପସ୍ଥିତି କାରଣରୁ ପାଶ୍ଚାତ୍ୟ ଗଣମାଧୢମ ଦ୍ବାରା ଦିଲ୍ଲୀ ଦଙ୍ଗା ବିସ୍ତୃତ ଭାବେ ପ୍ରକାଶିତ ଓ ପ୍ରସାରିତ ହେଲା ଏବ˚ କପିଳ ମିଶ୍ରଙ୍କ ଭଳି ନେତାଙ୍କ ନି‌େର୍ବାଧ ମର୍କଟସୁଲଭ କାର୍ଯ୍ୟ ଲାଗି ପାଶ୍ଚାତ୍ୟ ଗଣମାଧୢମ ଏହାକୁ ସରକାରୀ ପ୍ରାୟୋଜିତ ଦଙ୍ଗା ରୂପେ ଚିତ୍ରଣ କରିବାର ଧୃଷ୍ଟତା ପ୍ରଦର୍ଶନ କରିପାରିଲେ। ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବାଦପତ୍ର ‘ଦ ଗାର୍ଡିଆନ୍‌’ ଏହି ଦଙ୍ଗା ଉପରେ ଯେଉଁ ସ˚ପାଦକୀୟ ଲେଖିଛି ତାର ଶୀର୍ଷକ ରଖିଛି-‘ମୋଦୀ ଷ୍ଟୋକ୍‌ଡ ଦିସ୍‌ ଫାୟାର‌୍‌’ ଯାହାର ଓଡ଼ିଆ ଭାଷାନ୍ତର ହେବ ‘ମୋଦୀ ଏ ନିଆଁକୁ ଇନ୍ଧନ ଯୋଗାଇଛନ୍ତି’। ଏ ସ˚ଦର୍ଭରେ ଉଲ୍ଲେଖ କରାଯିବା ଉଚିତ ଯେ ବିଜେପି ଲାଗି ଯାହା ଏକ ଦୁର୍ଭାଗ୍ୟ ତାହା ହେଲା, ସେହି ଦଳରେ ଥିବା କପିଳ ମିଶ୍ରଙ୍କ ଭଳି ଅନେକ ଅପରିଣାମଦର୍ଶୀ ନେତା( ଅନେକ ସମୟରେ ବରିଷ୍ଠମାନେ ମଧୢ) ଆପଣା ମାତ୍ରାତିରିକ୍ତ ଆନୁଗତ୍ୟକୁ ପ୍ରମାଣ କରିବା ଲାଗି ଅନେକ ସମୟରେ ଦଳ ଏବ˚ ସରକାର ଲାଗି ଭୀଷଣ ଅସ୍ବସ୍ତିର କାରଣ ହୁଅନ୍ତି। ଏ ପରିପ୍ରେକ୍ଷୀରେ ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଦଳର ନେତୃତ୍ବ ପକ୍ଷରୁ ଏଭଳି ଅବିମୃଶ୍ୟକାରିତାରେ ଦୃଢ଼ ପ୍ରତିବନ୍ଧ ଲଗାଇବାକୁ ହେବ। ଇତି ମଧୢରେ, ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ବା ‘ଏନ୍‌ଏସ୍‌ଏ’ ଅଜିତ ଡୋଭାଲଙ୍କ ଦଙ୍ଗା ଗ୍ରସ୍ତ ଅଞ୍ଚଳ ଗସ୍ତ ଏହାର ସୂଚନା ଯେ ଏହି ଦଙ୍ଗା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୋର ଅସନ୍ତୁଷ୍ଟ କରିଛି ଏବ˚ ଭାରତର ଭାବମୂର୍ତ୍ତିକୁ ଅମଳିନ ରଖିବାର ପ୍ରଚେଷ୍ଟାରେ ଏହା ତାଙ୍କର ଏକ ପ୍ରୟାସ। ତେବେ ଏଭଳି ପ୍ରୟାସ ପୂର୍ଣ୍ଣ ଫଳ ପ୍ରଦର୍ଶନ କରିବ ଯେତେବେଳେ ସେ ‘ନିର୍ବୋଧ ମର୍କଟ’ମାନଙ୍କୁ କ୍ରମେ ସୀମାନ୍ତରିତ କରିପାରିବେ।

ଘନକୃଷ୍ଣ ଧୂମାଚ୍ଛାଦିତ ଏହି ଦଙ୍ଗାର ତିମିର ପଟଳକୁ ଭେଦ କରି ସକରାତ୍ମକତାର ଯେଉଁ କ୍ଷୀଣ ଆଲୋକ ଦିଶିଥାଏ, ତାହା ମଧୢ ଏ ସ˚ଦର୍ଭରେ ପ୍ରଣିଧାନଯୋଗ୍ୟ। ତହିଁରୁ ଗୋଟିଏ ହେଲା ସାମାଜିକ ଗଣମାଧୢମରେ ସା˚ପ୍ରଦାୟିକ ବିଦ୍ବେଷମୂଳକ ଗୁଜବର ବ୍ୟାପକ ପ୍ରସାର ସତ୍ତ୍ବେ ଏ ଦଙ୍ଗା ଉତ୍ତର- ପୂର୍ବ ଦିଲ୍ଲୀର ସୀମିତ ସରହଦ ଅତିକ୍ରମ କରିନାହିଁ। ଦ୍ବିତୀୟଟି ହେଲା, ଦଙ୍ଗା ସମୟରେ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ସା˚ପ୍ରଦାୟିକ ଭ୍ରାତୃତ୍ବର ପରାକାଷ୍ଠା ପ୍ରଦର୍ଶନ। ଏ ଦଙ୍ଗାରୁ ଏହି ସୂଚନା ମଧୢ ମିଳିଛି ଯେ କେବଳ ମୁଷ୍ଟିମେୟ ରାଜନୈତିକ ଗୁଣ୍ତା ଏହା ଘଟାଇଛନ୍ତି; ଏବ˚ ସାଧାରଣ ଲୋକେ ଦଙ୍ଗାରେ ବ୍ୟାପୃତ ରହିବାର ଧାରା ମଧୢ କ୍ଷୀଣ ହୋଇଥିବା ଦେଖିବାକୁ ମିଳିଛି। ରାଜନୈତିକ ସମୀକ୍ଷକମାନଙ୍କ ମତ ଯେ କ୍ୟାରିଅର ଓ ଅର୍ଥ ଉପାର୍ଜନ ଆଦିକୁ ଗୁରୁତ୍ବ ଦେଉଥିବା ବର୍ତ୍ତମାନର ଭାରତୀୟ ପିଢ଼ି ଏଣିକି ଦଙ୍ଗା ଭଳି ଅନାବଶ୍ୟକ ହି˚ସାରୁ କ୍ରମେ ଅଧିକ ଦୂରେଇ ରହିବ। ଏକ ଉଦାହରଣ ଆଧାରରେ ପ୍ରଖ୍ୟାତ ସ˚ପାଦକ ଓ ସାମ୍ବାଦିକ ଶେଖର ଗୁପ୍ତା କହିଥାଆନ୍ତି ଯେ ଆଜିର ବାରାଣସୀରେ ଯଦି କୌଣସି କାରଣରୁ ସକାଳେ ଏକ ଦଙ୍ଗାର ସୂତ୍ରପାତ ହୁଏ, ତେବେ ସମସ୍ତ ସମ୍ଭାବନା ରହିଛି ଯେ ସ˚ଧୢା ବେଳକୁ ତାହା ପ୍ରଶମିତ ହୋଇଯାଇଥିବ। କାରଣ ସେଠାରେ ଚମକପ୍ରଦ ଭାବେ ବୃଦ୍ଧି ପାଇଥିବା ସିଲ୍‌କ ରପ୍ତାନି କାରବାର; ଯେଉଁଠି ମୁସଲମାନମାନେ ବୁଣାକାର ଓ ହିନ୍ଦୁମାନେ ବ୍ୟବସାୟୀ। ଏଭଳି ସ୍ଥଳେ କୌଣସି ପ୍ରକାର ସା˚ପ୍ରଦାୟିକ ଉତ୍ତେଜନାକୁ ଶୀତଳ କରିବା ଲାଗି ଉଭୟ ସ˚ପ୍ରଦାୟର ନେତୃ ବର୍ଗ ତତ୍ପର ହୋଇ ଉଠିବେ। ଏଭଳି ଉଦାହରଣ ଯଦି ଭବିଷ୍ୟତ୍‌ରେ ବିଭିନ୍ନ ସମୟରେ ସତ ବୋଲି ସାବ୍ୟସ୍ତ ହୁଏ, ତାହା ହେବ ଏ ରାଷ୍ଟ୍ର ଲାଗି ଏକ ପରମ ସୌଭାଗ୍ୟ।

‘ଆପ୍‌’ ଦଳର କାଉନ୍‌ିଲର‌୍‌ ତାହିର ହୁସେନଙ୍କ ଏହି ଦଙ୍ଗାରେ ସ˚ପୃକ୍ତି ଏବ˚ ତାଙ୍କର କିଛି ସମର୍ଥକଙ୍କ ଦ୍ବାରା ସ˚ଘଟିତ ହତ୍ୟାକାଣ୍ତର ଖବର ଗଣମାଧୢମରେ ପ୍ରକାଶିତ ଓ ପ୍ରସାରିତ ହେବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ନିଜକୁ ଜଣେ ସଚ୍ଚା ଭାରତୀୟ ମୁସଲିମ ବୋଲି ଅଭିହିତ କରି ହୁସେନ ଯେଉଁ ବୟାନ ଦେଇଛନ୍ତି, ତାକୁ ଯଦି ବିଶ୍ବାସ କରାଯାଏ, ତେବେ ତାହା ହେଲା, ଏଭଳି ପରିସ୍ଥିତି ଲାଗି ଆ˚ଶିକ ଭାବେ ଦାୟୀ ତାଙ୍କର ପରିସ୍ଥିତିଗତ ଅସହାୟତା ଏବ˚ ଆ˚ଶିକ ଭାବେ ଏହା ମଧୢ ତାଙ୍କ ବିରୋଧରେ ଏକ ଷଡ୍‌ଯନ୍ତ୍ର। ତେବେ, ଅଧିକ ଆଶଙ୍କା ରହିଛି ଯେ ସେ ମଧୢ ହୋଇିପାରନ୍ତି ‘ଆପ୍‌’ ପାଳିଥିବା ଗୋଟିଏ ନିର୍ବୋଧ ମର୍କଟ!

ସମ୍ବନ୍ଧିତ ଖବର