ଭାରତର ଔଷଧ ଉତ୍ପାଦନ ବା ଫାର୍ମାସିଉଟିକାଲ୍ ଶିଳ୍ପ ନିଜର ଦକ୍ଷତା ପାଇଁ ପୃଥିବୀ ବ୍ୟାପୀ ପ୍ରସିଦ୍ଧି ଲାଭ କରିଛି। ଅପେକ୍ଷାକୃତ କମ୍ ଖର୍ଚ୍ଚରେ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଔଷଧପତ୍ର ଉତ୍ପାଦନ କରିବାର କ୍ଷମତା ହେଉଛି ଏହି ପ୍ରସିଦ୍ଧିର ମୁଖ୍ୟ ଆଧାର। ଏଡ୍ସରୁ କ୍ୟାନ୍ସର୍ ପର୍ଯ୍ୟନ୍ତ ଦୁରାରୋଗ୍ୟ ରୋଗ ସବୁର ଚିକିତ୍ସାକୁ ଅଳ୍ପ ବ୍ୟୟ ସାପେକ୍ଷ କରିବା ଦିଗରେ ଭାରତୀୟ ଫାର୍ମା ଶିଳ୍ପର ବିଶେଷ ଅବଦାନ ରହିଆସିଛି। ଏବେ କିନ୍ତୁ ଚୀନ୍ରେ ଦେଖା ଦେଇଥିବା ‘କୋଭିଡ୍-୧୯’ ବା କରୋନା ଆତଙ୍କ ହଠାତ୍ ଭାରତୀୟ ଫାର୍ମା ଶିଳ୍ପର ଏପରି ଏକ ଦୁର୍ବଳତାକୁ ପଦାରେ ପକାଇଛି, ଯାହା ଯେତିକି ଅବିଶ୍ବାସ୍ୟ ସେତିକି ଚିନ୍ତାଜନକ।
ଚୀନ୍ରୁ ଆମଦାନି ବନ୍ଦ କରି ବିକଳ୍ପ ଉତ୍ସ ସନ୍ଧାନ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ୧,୦୦୦ରୁ ଅଧିକ ପଦାର୍ଥର ତାଲିକା ପ୍ରକାଶ କରିଛନ୍ତି, ସେଥିରେ ଥିବା କେତେକ ଔଷଧପତ୍ର ମଧୢରେ ରହିଛି ଏପରି କେତେକ ନାମ ଯାହା ସାଧାରଣ ଉପଭୋକ୍ତାମାନଙ୍କ ମଧୢରେ ବି ସୁପରିଚିତ: ଆମୋକ୍ସିସିଲିନ୍, ଏରିଥ୍ରୋମାଇସିନ୍, ମେଟ୍ରୋନିଡାଜୋଲ୍ ଭଳି ଆଣ୍ଟିବାୟୋଟିକ୍ ଆଦି ତଥା କେତେକ ଭିଟାମିନ୍ ମଧୢ। ଉତ୍ପାଦନ ବ୍ୟୟକୁ ନୀଚା ରଖିବା ଉଦ୍ଦେଶ୍ୟରେ ଏ ସବୁରେ ବ୍ୟବହୃତ ଉପାଦାନମାନଙ୍କୁ ଭାରତରେ ଉତ୍ପାଦନ ନ କରି ତାହାକୁ ଚୀନ୍ରୁ ଆମଦାନି କରା ହୋଇ ଆସୁଥିଲା। ଏ ସମସ୍ତ ଔଷଧ ପ୍ରାୟ ନିତ୍ୟ ବ୍ୟବହାର୍ଯ୍ୟ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ବର୍ତ୍ତମାନ ଦେଶରେ ଚାହିଦା ସମ୍ଭାଳିବା ପାଇଁ ସ୍ବିଜର୍ଲାଣ୍ତ, ଇଟାଲି ଆଦି ଦେଶରୁ ଆମଦାନି କରିବା ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି। କେତେକ କୀଟନାଶକ ମଧୢ ଅନୁରୂପ ପରିସ୍ଥିତିର ସମ୍ମୁଖୀନ।
ତେବେ ଏଥିପାଇଁ କେବଳ ଭାରତୀୟ ଫାର୍ମା ଶିଳ୍ପକୁ ଦୋଷ ଦେଇହେବ ନାହିଁ। ସତକଥା ହେଲା ସବୁ ଜିନିଷର ଶସ୍ତା ଯୋଗାଣ ପାଇଁ ଚୀନ୍ ମୁହାଁ ହୋଇଥିବା ଆଜିର ପୃଥିବୀରେ ସାରା ପୃଥିବୀର ଆଣ୍ଟିବାୟୋଟିକ୍ ଯୋଗାଣର ମୁଖ୍ୟ ଅ˚ଶ ଚୀନ୍ର କେତୋଟି ମାତ୍ର କାରଖାନା ଉପରେ ନିର୍ଭର କରିଥାଏ। ଚୀନ୍ର ଉତ୍ତର ଭାଗର ଇନର୍ ମଙ୍ଗୋଲିଆ ମରୁ ପ୍ରଦେଶରେ ଅବସ୍ଥିତ କେତେକ କାରଖାନାମାନ ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ସକ୍ରିୟ ଉପାଦାନ (ଆକ୍ଟିଭ୍ ଫାର୍ମାସିଉଟିକାଲ୍ ଇନ୍ଗ୍ରେଡିଏଣ୍ଟ- ‘ଏପିଆଇ’) ମାନର ଯୋଗାଣ ନିୟନ୍ତ୍ରଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିତି ନୁହେଁ ଯେ ଏହି ‘ଏପିଆଇ’ ଉତ୍ପାଦନ ଜ୍ଞାନ କୌଶଳ କେବଳ ଚୀନା ଉତ୍ପାଦନକାରୀମାନଙ୍କ ନିକଟରେ ଉପଲବ୍ଧ ଅଛି- ଏସବୁ ହେଉଛି ପାଶ୍ଚାତ୍ୟ ଜ୍ଞାନ କୌଶଳ। ଚୀନା କମ୍ପାନିମାନେ କିନ୍ତୁ ସରକାରୀ ପ୍ରୋତ୍ସାହନ ଓ ଶସ୍ତା ଶ୍ରମ ବ୍ୟବହାର କରି ‘ଏପିଆଇ’ଗୁଡ଼ିକୁ ଏତେ ଶସ୍ତାରେ ଯୋଗାଇ ପାରିଲେ ଯେ ପାଶ୍ଚାତ୍ୟ କମ୍ପାନିମାନେ ପ୍ରତିଯୋଗିତା କରି ନ ପାରି ବଜାର ଅର୍ଥନୀତିର ନିୟମ ଅନୁସରଣ କରି କାରଖାନା ପରେ କାରଖାନା ବନ୍ଦ କରି ଦେବାକୁ ବାଧୢ ହେଲେ। ଉଦାହରଣ ସ୍ବରୂପ ପେନିସିଲିନ୍ ଭଳି ଏକ ଜୀବନରକ୍ଷାକାରୀ ଆଣ୍ଟିବାୟୋଟିକ୍ର ‘ଏପିଆଇ’ ଉତ୍ପାଦନ କରୁଥିବା ଶେଷ ‘ଫର୍ମେଣ୍ଟର୍’ ଆମେରିକାରେ ୨୦୦୪ରେ ବନ୍ଦ ହୋଇଗଲା।
ଭାରତ ହେଉ କି ଆମେରିକା ହେଉ କି ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନେ ହୁଅନ୍ତୁ, ବର୍ତ୍ତମାନ ଅତ୍ୟାବଶ୍ୟକ ଔଷଧ ଯୋଗାଣରେ ଦେଖା ଦେବାକୁ ଆରମ୍ଭ କରିଥିବା ସ˚କଟ ଦୁଇ ପ୍ରକାର ଚିନ୍ତା ସୃଷ୍ଟି କରିପାରେ। ପ୍ରଥମ, ଘରୋଇ କ୍ଷେତ୍ରର ଔଷଧ କମ୍ପାନି ମାନେ ସର୍ବଦା ସର୍ବନିମ୍ନ ସମ୍ଭବ ବ୍ୟୟ ଓ ସର୍ବୋଚ୍ଚ ସମ୍ଭବ ଲାଭକୁ ଏକ ମାତ୍ର ଲକ୍ଷ୍ୟ ରୂପେ ଅନୁସରଣ କରି ଇନର୍ ମଙ୍ଗୋଲିଆର କାରଖାନାମାନ ଭଳି ଯୋଗାଣକାରୀଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ଉଚିତ୍ କି? ଦ୍ବିତୀୟ, ଯେହେତୁ ଘରୋଇ କ୍ଷେତ୍ରର ଏହାହିଁ ହେଉଛି ସ୍ବାଭାବିକ ଆଚରଣ, ଅତ୍ୟାବଶ୍ୟକ ଔଷଧପତ୍ର ଉତ୍ପାଦନକୁ ଘରୋଇ କମ୍ପାନିମାନଙ୍କ ହାତରେ ନ ଛାଡ଼ି, କେବଳ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ସୀମିତ ରଖିବା ଉଚିତ ହେବ କି? ଏଭଳି ଚିନ୍ତା ମୂଳରେ ଯାହା ନିହିତ ଅଛି, ତାହା ହେଲା ଜାତୀୟ ନିରାପତ୍ତା। କରୋନା ଆତଙ୍କ ଯୋଗୁଁ ଚୀନ୍ ଆଜି ଯଦି ‘ଏପିଆଇ’ କାରଖାନା ବନ୍ଦ କରି ଦେଇଛି, କାଲି ଏହାକୁ ଏକ ସାମରିକ କୌଶଳ ରୂପେ ବ୍ୟବହାର ନ କରିବ କାହିଁକି? କମ୍ୟୁନିଷ୍ଟ ଚୀନ୍ ଏକ ଭରସାଯୋଗ୍ୟ ଦେଶ ନୁହେଁ; ନିଜକୁ ଏକ ମହାଶକ୍ତି ରୂପେ ପ୍ରଦର୍ଶିତ କରିବାକୁ ବ୍ୟଗ୍ର ଚୀନ୍ ଏପରି କରିବାକୁ ତିଳେ ହେଲେ କୁଣ୍ଠିତ ହେବ ନାହିଁ।
କେବଳ ଔଷଧପତ୍ର ଶିଳ୍ପ ନୁହେଁ, ପୃଥିବୀର ବଡ଼ ବଡ଼ ବହୁଦେଶୀୟ କମ୍ପାନିମାନେ ଉପରୋକ୍ତ ଅର୍ଥନୈତିକ ନିୟମ ଅନୁସରଣ କରି ଯେଉଁ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳ ବା ‘ସପ୍ଲାଇ ଚେନ୍’ମାନ ସ୍ଥାପନ କରିଛନ୍ତି ସେ ସମସ୍ତ ହେଉଛନ୍ତି ଚୀନ୍- କୈନ୍ଦ୍ରିକ। ସାରା ପୃଥିବୀ ଏଥି ଯୋଗୁଁ ଚୀନ୍ ଉପରେ କିଭଳି ଅଧିକରୁ ଅଧିକ ନିର୍ଭରଶୀଳ ହେବାରେ ଲାଗିଛି, ଦେଖାଯାଉ। ବର୍ତ୍ତମାନର କୋଭିଡ଼୍-୧୯ ଭଳି ଚୀନ୍ରେ ୨୦୦୩ରେ ‘ସାର୍ସ’ ନାମକ ଅନ୍ୟ ଏକ ଫ୍ଲୁ ବ୍ୟାପିଥିଲା। ସେତେବେଳେ ପୃଥିବୀର ମୋଟ ଉତ୍ପାଦରେ ଚୀନ୍ର ଅ˚ଶ ମାତ୍ର ୪ ଶତା˚ଶ ଥିବା ବେଳେ, ବର୍ତ୍ତମାନ ତାହା ଚାରି ଗୁଣ ଅର୍ଥାତ୍ ୧୬ ଶତା˚ଶ ହୋଇଛି। ଆଜି ପୃଥିବୀରେ ରପ୍ତାନି ହେଉଥିବା ମୋଟ ବସ୍ତ୍ର ଓ ବୟନ ଦ୍ରବ୍ୟର ୪୦ ଶତା˚ଶ ଆସିଥାଏ ଚୀନ୍ରୁ। ପୃଥିବୀର ମୋଟ ଆସବାବପତ୍ର ରପ୍ତାନିରେ ଚୀନ୍ର ଭାଗ ହେଉଛି ୨୬ ଶତା˚ଶ। ୨୦୦୩ରେ ଚୀନ୍ ପୃଥିବୀର ସମସ୍ତ ଦେଶମାନେ ମିଶି ଆମଦାନି କରୁଥିବା ମୋଟ ଖଣିଜ ଦ୍ରବ୍ୟର ମାତ୍ର ୭ ଶତା˚ଶ ଆମଦାନି କରୁଥିବା ବେଳେ ଆଜି ତାହା ବୃଦ୍ଧି ପାଇ ପ୍ରାୟ ୨୦ ଶତା˚ଶରେ ପହଞ୍ଚିଲାଣି।
ଏଥିରେ ଆବିର୍ଭୂତ ହୋଇଥିବା ଆଉ ଦୁଇଟି ଧାରା ମଧୢ ଲକ୍ଷ୍ୟ କରିବା କଥା। ଗୋଟିଏ ହେଲା, ବହୁ ଦେଶୀୟ କମ୍ପାନିମାନେ ଯେତେବେଳେ ପ୍ରଥମେ ପ୍ରଥମେ ଚୀନ୍ ମୁହାଁ ହେଲେ, ସେତେବେଳେ ଏହି ଯୋଗାଣ ଶୃଙ୍ଖଳକୁ ପରିପୃଷ୍ଟ କରୁଥିବା ଚୀନା କାରଖାନାମାନ ସେଠାରେ କେବଳ ଉପକୂଳ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲେ। ଏବେ କିନ୍ତୁ ସେମାନେ ଉହାନ୍ ଭଳି ଦେଶର ଅଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ବିସ୍ତାର ଲାଭ କରି ସାରିଲେଣି ଏବ˚ ସେମାନେ ପରସ୍ପର ସହ ସ˚ଯୁକ୍ତ। ଏଣୁ ସେ ବିଶାଳ ଦେଶର ଯେ କୌଣସି ଅଞ୍ଚଳରେ କରୋନା ସ˚କ୍ରମଣ ଭଳି ଘଟଣା ଘଟିଲେ ତାହା ସମୁଦାୟ ଯୋଗାଣ ଶୃଙ୍ଖଳ ପ୍ରତି ବିପଦ ଦୃଷ୍ଟି କରିଥାଏ, ଯାହା ବର୍ତ୍ତମାନ ଘଟିଛି। ଅନ୍ୟଟି ହେଲା, କମ୍ପାନିମାନେ ଖର୍ଚ୍ଚ କାଟ କରିବା ପାଇଁ ନିଜର ଗୋଦାମରେ ଉତ୍ପାଦନ ପାଇଁ ଆବଶ୍ୟକ ଯନ୍ତ୍ରା˚ଶ ଓ ଅର୍ଦ୍ଧ ନିର୍ମିତ ପଦାର୍ଥମାନ ମହଜୁଦ୍ ନ କରି ଠିକ୍ ଯେଉଁ ସମୟରେ ତାହା ଦରକାର (‘ଜଷ୍ଟ ଇନ୍ ଟାଇମ୍’) ସେତିକି ବେଳେ ହିଁ ଚୀନ୍ରୁ ତାହା ଆମଦାନି କରିଥାନ୍ତି। କରୋନା ଭାଇରସ୍ ଭଳି ଆତଙ୍କ ବା ଅନ୍ୟ କୌଣସି କାରଣରୁ ଯୋଗାଣ ଶୃଙ୍ଖଳ ଭୁଶୁଡ଼ି ପଡ଼ିଲେ ଏହି ‘ଜଷ୍ଟ ଇନ୍ ଟାଇମ୍’ ପରିଚାଳନା କୌଶଳ କିପରି ବିଭ୍ରାଟ ସୃଷ୍ଟି କରିପାରେ ତାହା ଏବେ ଔଷଧରୁ ମଟର ଗାଡ଼ି ଶିଳ୍ପ ପର୍ଯ୍ୟନ୍ତ, ମୋବାଇଲ ଫୋନ୍ରୁ ଅପ୍ଟିକାଲ୍ ଫାଇବର୍ ଶିଳ୍ପ ପର୍ଯ୍ୟନ୍ତରେ ଅନୁଭୂତ ହେବାକୁ ଆରମ୍ଭ କଲାଣି। ଏଥିରୁ ଅନ୍ତତଃ ଯେଉଁ ଗୋଟିଏ ନିଶ୍ଚିତ ଶିକ୍ଷା ମିଳେ, ତାହା ହେଲା ଏକ ସୁପରିଚିତ ଯୁଗ ଯୁଗ ଧରି ଦିଆ ହୋଇ ଆସୁଥିବା ଉପଦେଶ: ସବୁତକ ଅଣ୍ତା ଗୋଟିଏ ଝୁଡ଼ିରେ ରଖ ନାହିଁ।