ବେନଜର ନଜିର

ଦିଲ୍ଲୀ ଦଙ୍ଗା ସମ୍ପର୍କିତ ଏକ ଆବେଦନର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ଏ.ବୋବ୍‌ଡେ କ୍ଷୋଭ ପ୍ରକାଶ କରିଛନ୍ତି ଯେ ଗଣମାଧୢମରେ ନ୍ୟାୟପାଳିକାର ନିଷ୍କ୍ରିୟତାକୁ ସମାଲୋଚନା କରାଯାଉଥିଲେ ହେଁ, ଅଦାଲତମାନେ କେବେହେଲେ କୌଣସି ଦଙ୍ଗା ରୋକି ପାରିନାହାନ୍ତି ଏବ˚ ସେମାନେ ଏପରି ଆଶା କେବେ ହେଲେ ପୂରଣ କରିପାରିବେ ନାହିଁ। ଯେଉଁମାନେ ଦିଲ୍ଲୀରେ ଘଟିଥିବା ଅସ୍ବାଭାବିକ ଘଟଣାବଳୀ ଉପରେ ମୂଳରୁ ନଜର ରଖିଛନ୍ତି ସେମାନଙ୍କୁ ମୁଖ୍ୟ ବିଚାରପତିଙ୍କର ଏଭଳି ମନ୍ତବ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ।

ଯିଏ ଯେଉଁ ପକ୍ଷଭୁକ୍ତ ହୋଇଥାଉନା କାହିଁକି, ସମସ୍ତେ ଏହା ସ୍ବୀକାର କରିବେ ‌େଯ ଦିଲ୍ଲୀ ଦଙ୍ଗା ମୂଳରେ ଯାହା ରହିଛି, ତାହା ହେଉଛି ମାସ ମାସ ଧରି ଶାହୀନ୍‌ବାଗ ଠାରେ ଚାଲୁ ରହିଥିବା ସର୍ବସାଧାରଣ ରାସ୍ତା ଅବରୋଧ। ଏହା ଦ୍ବାରା ଉତ୍ସାହିତ ହୋଇ ଦିଲ୍ଲୀର ଅନ୍ୟତ୍ର ଯେତେବେଳେ ଏହାର ଅନୁକରଣ କରାଯିବାର ଉଦ୍ୟମ ଆରମ୍ଭ ହେଲା, ତାହାର ପ୍ରତିକ୍ରିୟା କିଭଳି ମାରାତ୍ମକ ରୂପ ନେଲା ତାହାର ବର୍ଣ୍ଣନା ଅନାବଶ୍ୟକ। ଶାହୀନ୍‌ବାଗକୁ କେନ୍ଦ୍ର କରି ଯେଉଁ ମୌଳିକ ପ୍ରଶ୍ନର ଆବିର୍ଭାବ ହୋଇଥାଏ, ତାହା ହେଲା- ଏକ ସର୍ବସାଧାରଣ ରାସ୍ତାକୁ ପ୍ରତିବାଦସ୍ଥଳୀ ରୂପେ ବ୍ୟବହାର କରାଯାଇ ପାରିବ କି?

ଯେତେବେଳେ ଶାହୀନ୍‌ବାଗଠାରେ ରାସ୍ତା ଅବରୋଧ ସମ୍ପର୍କରେ ଶୁଣାଣି ଆରମ୍ଭ ହେଲା ସେତେବେଳେ ସମ୍ପୃକ୍ତ ଦୁଇଜଣିଆ ବେଞ୍ଚ୍‌ ମନ୍ତବ୍ୟ ପ୍ରଦାନ କରିବା ଦେଖା ଯାଇଥିଲା ଯେ, କୌଣସି ରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ଧରି ପ୍ରତିବାଦ ପ୍ରଦର୍ଶନ କରିବାକୁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ। ଏହା କେବଳ ଆବେଦନର ଶୁଣାଣି ସମୟରେ ବିଚାରପତିମାନେ ପ୍ରକାଶ କରିଥିବା ମତାମତ ଥିଲା ବିଧିବଦ୍ଧ ଆଦେଶ ନ ଥିଲା; କିନ୍ତୁ ସେମାନଙ୍କର ଏଭଳି ଚିନ୍ତାଧାରା ସମ୍ପୂର୍ଣ୍ଣ ରୂପେ ଆଇନସମ୍ମତ ଥିଲା ତଥା ସେଇ ସର୍ବୋଚ୍ଚ ଅଦାଲତ ଅତୀତରେ ସ୍ଥାପନ କରିଥିବା ନଜିରମାନଙ୍କୁ ଅନୁସରଣ କରିଥିଲା। ଏକ ଉଦାହରଣ ସ୍ବରୂପ ସର୍ବସାଧାରଣ ରାସ୍ତାରେ ପ୍ରତିବାଦ ପ୍ରଦର୍ଶନ ପ୍ରସଙ୍ଗରେ ୧୯୭୨ରେ ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ବେଞ୍ଚ୍‌ ପ୍ରଦାନ କରିଥିବା ରାୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ମାମଲାଟି ଥିଲା ହିମତ୍‌ଲାଲ୍‌ କେ ଶାହ ବନାମ ଅହମଦାବାଦ ପୁଲିସ କମିସନର‌୍‌। ସାମ୍ବିଧାନିକ ବେଞ୍ଚ୍‌ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ ମତପ୍ରକାଶର ସ୍ବାଧୀନତା ପ୍ରଦାନ କରୁଥିବା ସମ୍ବିଧାନର ୧୯ (୧) ଧାରା କାହାରିକୁ ଯେ କୌଣସି ସ୍ଥାନରେ, ଯେ କୌଣସି ସମୟରେ ସଭାସମିତି ଅନୁଷ୍ଠିତ କରିବାର ଅଧିକାର ପ୍ରଦାନ କରିନଥାଏ।

ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ରାୟର କିଛି ପ୍ରାସଙ୍ଗିକ ଅ˚ଶ ଏଠାରେ ଉଦ୍ଧାର କରାଯାଇ ପାରେ: ‘‘… ଧାରା ୧୯ (୧)(ବି)ରୁ ଯେଉଁ ଅଧିକାର ସ୍ରୋତ ବହିଥାଏ ତାହା ଯେ କୌଣସି ସ୍ଥାନ ଏବ˚ ସମୟରେ ସଭାସମିତି ଅନୁଷ୍ଠିତ କରିବା ପାଇଁ ଅଧିକାର ନୁହେଁ। ଏହା ହେଉଛି ଏକ ଅଧିକାର ଯାହାକୁ ସମସ୍ତଙ୍କ ସ୍ବାର୍ଥ ରକ୍ଷା ପାଇଁ ନିୟନ୍ତ୍ରଣ କରାଯାଇ ପାରିବ ଯେପରିକି ସମସ୍ତେ ଏହାକୁ ଉପଭୋଗ କରିପାରିବେ। … ଭାରତରେ ସମ୍ବିଧାନ ଅନୁସାରେ ସଭାସମିତିର ଉପଯୁକ୍ତ ସମୟ ଓ ସ୍ଥାନ ସମ୍ବନ୍ଧରେ ଏବ˚ ସର୍ବସାଧାରଣ ଶୃଙ୍ଖଳାକୁ ବିଚାରକୁ ନେଇ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ସ୍ବୀକାର ପୂର୍ବକ ଜଣେ ନାଗରିକଙ୍କର ସର୍ବସାଧାରଣ ରାସ୍ତାରେ ସଭାସମିତି ଅନୁଷ୍ଠିତ କରିବାର ଅଧିକାର ରହିଛି।’’

ଏ ଉଦାହରଣ ଯଦି ବହୁ ବର୍ଷ ତଳର ବୋଲି କାହାକୁ ଗୁରୁତ୍ବହୀନ ମନେ ହେଉଥାଏ, ତେବେ ମାତ୍ର ଚାରି ବର୍ଷ ତଳର ଏକ ଉଦାହରଣ ମଧୢ ଏଠାରେ ପ୍ରଣିଧାନଯୋଗ୍ୟ। ୨୦୧୬ର ଅନୀତା ଠାକୁର ବନାମ ଜାମ୍ମୁ କାଶ୍ମୀର ରାଜ୍ୟ ମାମଲାରେ ରାୟ ଦେଇ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ପ୍ରତିବାଦ କରିବାର ଅଧିକାର ହେଉଛି ଏକ ମୌଳିକ ଅଧିକାର। କିନ୍ତୁ ଭାରତର ସାର୍ବଭୌମତ୍ବ ଏବ˚ ଅଖଣ୍ତତା ଅକ୍ଷୁଣ୍ଣ ରଖିବା ପାଇଁ ଆବଶ୍ୟକ ଯୁକ୍ତିଯୁକ୍ତ ନିୟନ୍ତ୍ରଣ ମଧୢରେ ହିଁ ଏହା ବ୍ୟବହୃତ ହୋଇପାରିବ। ଏ ସମ୍ପର୍କରେ କୋର୍ଟଙ୍କ ଉକ୍ତି ଏଠାରେ ଉଦ୍ଧାରଯୋଗ୍ୟ: ‘‘ଏହି କାରଣରୁ ରାଜ୍ୟ କର୍ତ୍ତୃପକ୍ଷ ଅନେକ ସମୟରେ ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ରାସ୍ତାମାନଙ୍କୁ ସର୍ବସାଧାରଣ ସଭାସମିତି ଆୟୋଜନ ପାଇଁ ଚିହ୍ନିତ ଓ ବିଜ୍ଞପିତ କରିଥାନ୍ତି।’’ ଏହାଠାରୁ ଆହୁରି ଅଧିକ ତାଜା ୨୦୧୮ର ବିମଲ୍‌ ଗୁରୁଙ୍ଗ୍‌ ବନାମ ୟୁନିଅନ୍‌ ଅଫ୍‌ ଇଣ୍ତିଆ ମାମଲାରେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସର୍ବସାଧାରଣ ବିଶୃଙ୍ଖଳା ସୃଷ୍ଟି କରୁଥିବା କୌଣସି ରାଜନୈତିକ, ଧାର୍ମିକ ବା ସାମାଜିକ ପ୍ରଦର୍ଶନ ଧାରା ୧୯ (୧)ର ଅନ୍ତର୍ଭୁକ୍ତ ନୁହେଁ।

ବାସ୍ତବରେ ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟ ପ୍ରଦାନ କରି ଚାଲିଥିବା ଏଭଳି ନଜିର ସୃଷ୍ଟିକାରୀ ରାୟମାନଙ୍କର ତାଲିକା ବେଶ୍‌ ଲମ୍ବା। ଏହି କାରଣରୁ ଶାହୀନ୍‌ବାଗ ମାମଲାରେ ସେଇ ସୁପ୍ରିମ୍‌କୋର୍ଟ ବର୍ତ୍ତମାନ ଯେଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ। ଶାହୀନ୍‌ବାଗ ମାମଲାରେ କୋର୍ଟ ଯେତେବେଳେ ବସ୍ତୁତଃ ତାଙ୍କର ପ୍ରଥମ ଆଦେଶ ପ୍ରଦାନ କଲେ ସେଥିରେ ଏଥିମଧୢରୁ କୌଣସିଟି ନଜିରକୁ ଅନୁସରଣ କରିବା ପରିବର୍ତ୍ତେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇ ଏକ ସମ୍ପୂର୍ଣ୍ଣ ନୂତନ ରାସ୍ତାରେ ପାଦ ଦେଇ ରାସ୍ତା ଅବରୋଧକାରୀମାନଙ୍କ ସହିତ ଆଲୋଚନା କରି ଏକ ସମାଧାନ ବାହାର କରିବା ପାଇଁ ତିନିଜଣ ମଧୢସ୍ଥିଙ୍କୁ ନିଯୁକ୍ତ କରିଦେଲେ। ଅତୀତରେ କୌଣସି ଆଇନଶୃଙ୍ଖଳା ଭଙ୍ଗକାରୀ ସର୍ବସାଧାରଣ ରାସ୍ତା ଦଖଲକାରୀ ଗୋଷ୍ଠୀ ସୁପ୍ରିମ୍‌କୋର୍ଟଙ୍କ ଠାରୁ ଏପରି ସମ୍ମାନ ଲାଭ କରିନଥିଲେ। ଏହା ସେମାନଙ୍କୁ ରାସ୍ତାରୁ ହଟିଯିବା ପାଇଁ ପ୍ରବୃତ୍ତ କରିବା ପରିବର୍ତ୍ତେ ସେମାନଙ୍କର ବହପ ବଢ଼ାଇବାରେ ସାହାଯ୍ୟ କଲା।

ଏକ ବିଡ଼ମ୍ବନା ଭଳି ‘ସିଏଏ’ର ବୈଧାନିକତା ସମ୍ପର୍କିତ ଆବେଦନ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବା ବେଳେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିବା ଲୋକମାନଙ୍କର ପ୍ରତିବାଦ ପ୍ରଦର୍ଶନ କରିବାର ମୌଳିକ ଅଧିକାର ରହିଛି ବୋଲି କୋର୍ଟ କହିଥିଲେ। ଅପରପକ୍ଷେ ଏ ଅଧିକାର ସହିତ ଅବିଚ୍ଛେଦ୍ୟ ଭାବେ ସ˚ଯୁକ୍ତ ‘ଯୁକ୍ତିଯୁକ୍ତ ନିୟନ୍ତ୍ରଣ’ ସମ୍ବନ୍ଧରେ ବିଚାରପତିମାନେ ପଦଟିଏ ମଧୢ କହି ନ ଥିଲେ। ଏହା ଆନ୍ଦୋଳନକାରୀମାନଙ୍କୁ ରାସ୍ତା ଦଖଲରୁ ନିବୃତ୍ତ କରିବା ପରିବର୍ତ୍ତେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳାଇ ରଖିବା ପାଇଁ ଉତ୍ସାହିତ କରିଥିବା ଭଳି ମନେ ହୋଇଥାଏ। ଆଶ୍ଚର୍ଯ୍ୟଜନକ ଭାବରେ ଏତେ ସବୁ କାଣ୍ତ ପରେ ମଧୢ ଶାହୀନ୍‌ବାଗ ମାମଲାର ବିଚାର ତାରିଖ ଗଡ଼ି ଚାଲିଛି ଏବ˚ ସମସ୍ତ ଆଇନ କାନୁନ୍‌ ଓ ନଜିରମାନଙ୍କର ଉଲ୍ଲ˚ଘନ କରି ଶାହୀନ୍‌ବାଗ ଦଖଲ ଅବ୍ୟାହତ ରହିଛି। ସୁପ୍ରିମ୍‌କୋର୍ଟ ଅସହାୟ ନୁହଁନ୍ତି, କେବଳ ନିଜର ପୂର୍ବ ନଜିର ଅନୁସରଣ କରିଥିଲେ, ଦିଲ୍ଲୀ ଆଜି ବିକ୍ଷୁବ୍‌ଧ ହୋଇନଥାନ୍ତା।

ସମ୍ବନ୍ଧିତ ଖବର