ଅଦୃଶ୍ୟ ପରିବ୍ରାଜକ

ଲେଷ୍ଟର ବ୍ରାଉନ୍‌ଙ୍କ ଦ୍ବାରା ଲିଖିତ ପୁସ୍ତକ ‘ୱର୍ଲଡ ଓ୍ୱିିଦାଉଟ୍‌ ବର୍ଡରସ୍‌’, ୧୯୭୨ ମସିହାରେ ପ୍ରକାଶିତ ହେବା ସମୟରେ ଲେଖକ କହିଥିଲେ ଯେ ଯଦିଓ ବିଶ୍ବର ରାଷ୍ଟ୍ରଗୁଡ଼ିକ ନିଜ ନିଜ ସୀମା ରେଖା ଦ୍ବାରା ଆବଦ୍ଧ, ତଥାପି ପରିବେଶ ବିପର୍ଯ୍ୟୟ ହେଉଛି ଏଭଳି ଏକ ସମସ୍ୟା, ଯାହା ରାଷ୍ଟ୍ରୀୟ ସାର୍ବଭୌମତ୍ବର ସୀମା ରେଖା ଅତିକ୍ରମ କରି ବିଶ୍ବବ୍ୟାପୀ ସବୁ ରାଷ୍ଟ୍ରକୁ ଆକ୍ରାନ୍ତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ସେ କହିଥିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକା ନିଜ ଦେଶର ପରିବେଶକୁ ନିର୍ମଳ କରି ରଖିବାର ସମସ୍ତ ପ୍ରଯତ୍ନ କଲେ ସୁଦ୍ଧା ବାକି ୯୪% ଜନସ˚ଖ୍ୟାକୁ ଧାରଣ କରିଥିବା ଅବଶିଷ୍ଟ ପୃଥିବୀ ଯଦି ପ୍ରଦୂଷିତ, ତେବେ ଆମେରିକା ମଧୢ ତହିଁରୁ ନିସ୍ତାର ନ ପାଇବା ହିଁ ଅନିବାର୍ଯ୍ୟ; କାରଣ ପବନ କୌଣସି ଏକ ରାଷ୍ଟ୍ରରେ ପ୍ରବେଶ କଲା ବେଳେ ଭିସା ଲୋଡ଼ି ନ ଥାଏ। ପବନରେ ଥିବା ପ୍ରଦୂଷଣ ଏକ ଅଦୃଶ୍ୟ ପରିବ୍ରାଜକ ଭଳି ସାରା ବିଶ୍ବ ସ˚ଚରି ଯାଇପାରେ। ସେହି ଭଳି ସ˚ପ୍ରତି ଯେତେବେଳେ ‘କୋଭିଡ୍‌-୧୯’ ଭୂତାଣୁ ବିନା ଭିସାରେ ବିଶ୍ବ ଭ୍ରମଣରେ ବାହାରି ପୃଥିବୀର ସମସ୍ତ ମହାଦେଶ (ଆଣ୍ଟାର୍ଟିକା ଛଡ଼ା)ର ୮୦ଟି ଦେଶରେ ପ୍ରବେଶ କରି ଆପଣା ଆସ୍ଥାନ ଜମାଇବାରେ ଲାଗିଛି, ସେତିକି ବେଳେ ଲେଷ୍ଟର ବ୍ରାଉନ୍‌ଙ୍କୁ ଆଧାର କରି କୁହାଯାଇପାରେ ଯେ ଏହି ଭୂତାଣୁ ମଧୢ ଏକ ଅଦୃଶ୍ୟ ବିଶ୍ବ ପରିବ୍ରାଜକ ପରି ଗୋଟିଏ ‘ପାନ୍‌ଡେମିକ୍‌’ ବା ‘ବିଶ୍ବ ସ˚କ୍ରମଣ’ ରୂପରେ ତାର ପଦଚିହ୍ନ ଛାଡ଼ି ଯିବାକୁ ବସିଛି।

ଏହା ମଧୢ ସତ ଯେ କୌଣସି ଗୋଟିଏ ରାଷ୍ଟ୍ରର ସୀମାନ୍ତ ଅତିକ୍ରମ କରି ଅନ୍ୟାନ୍ୟ ରାଷ୍ଟ୍ରରେ ରୋଗ ସ˚କ୍ରମଣର ଯାତ୍ରା ବଜାୟ ରଖିବାରେ ‘କୋଭିଡ୍‌-୧୯’ ଭୂତାଣୁ ଏକମାତ୍ର ବା ପ୍ରଥମ ନୁହେଁ। ମଧୢ ଯୁଗରେ ଜଳ ଜାହାଜଗୁଡ଼ିକରେ ବାସ କରୁଥିବା ମୂଷାପଲଙ୍କ ଜରିଆରେ ପ୍ଲେଗ୍‌ ରୋଗର ଜୀବାଣୁ ବିଭିନ୍ନ ବନ୍ଦର ନଗରୀ ଦେଇ ଦେଶ ଦେଶାନ୍ତର ଭ୍ରମଣ କରି ବ୍ୟାପକ ମହାମାରୀର କାରଣ ହୋଇଥିବାର ଦୃଷ୍ଟାନ୍ତ ରହିଛି। ଇତିହାସ କହିଥାଏ ଯେ ଜଳପଥରେ ନୂଆ ଭୂଖଣ୍ତ ଆବିଷ୍କୃତ ହୋଇ ପୃଥିବୀ ପ୍ରଶସ୍ତ ହେଉଥିବାର ସୁବର୍ଣ୍ଣ କାଳରେ ଆବିଷ୍କାରକ ଦଳର ସଦସ୍ୟଙ୍କ ଶରୀରରେ ଥିବା ରୋଗ ଜୀବାଣୁଙ୍କ ସ˚କ୍ରମଣର ଶିକାର ହୋଇ ବିଭିନ୍ନ ମହାଦେଶର (ପ୍ରମୁଖ ଭାବେ ଦକ୍ଷିଣ ଆମେରିକାରେ) ଅନେକ ଆଦିମ ଅଧିବାସୀ ସ˚ପ୍ରଦାୟ ସେମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତିର ଅଭାବ କାରଣରୁ ସ˚ପୂର୍ଣ୍ଣ ରୂପେ ବିଲୁପ୍ତ ମଧୢ ହୋଇଯାଇଛନ୍ତି। ଏହା ମଧୢ ଜଣାଶୁଣା ଯେ ‘କୋଭିଡ୍‌-୧୯’ ପୂର୍ବରୁ ସାର୍ସ‌୍‌, ମେର୍ସ‌୍‌, ଇବୋଲା, ଏଚ୍‌୧ଏନ୍‌୧(ସ୍ବାଇନ୍‌ ଫ୍ଲୁ) ଏବ˚ ନିପା ଭଳି ଭୂତାଣୁ ସ˚କ୍ରମଣ ଗୋଟିଏ ଦେଶରୁ ଆରମ୍ଭ ହୋଇ ଅନ୍ୟାନ୍ୟ ରାଷ୍ଟ୍ରକୁ ବ୍ୟାପିଛି। କିନ୍ତୁ ବର୍ତ୍ତମାନର ‘କୋଭିଡ୍‌-୧୯’ର ଅତ୍ୟନ୍ତ ଦ୍ରୁତ ଓ ବ୍ୟାପକ ସ˚କ୍ରମଣ ତୁଳନାରେ ଉପର ବର୍ଣ୍ଣିତ ଭୂତାଣୁ ସ˚କ୍ରମଣ ହୀନବଳ ଲାଗନ୍ତି। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲୁଏଚ୍ଓ’ର ସୂଚନା ଅନୁଯାୟୀ ମାତ୍ର ଷାଠିଏ ଦିନରୁ କମ୍‌ ସମୟ କାଳ ମଧୢରେ ଏହି ଭୂତାଣୁ ପୃଥିବୀର ଲକ୍ଷାଧିକ ଲୋକଙ୍କୁ ସ˚କ୍ରମିତ କରିସାରିଲାଣି, ଯହିଁରେ ୩୨୦୦ ପ୍ରାଣ ହରାଇ ସାରିଲେଣି। ପୁନଶ୍ଚ ପୃଥିବୀର ସମସ୍ତ ରାଷ୍ଟ୍ର ଯଥେଷ୍ଟ ସତର୍କ ଥିବା ସତ୍ତ୍ବେ ସ˚କ୍ରମଣ ବ୍ୟାପି ଚାଲିବା ଏହାକୁ ପ୍ରକୃତ ଅର୍ଥରେ ବିଶ୍ବର ପ୍ରଥମ ‘ପାନ୍‌ଡେମିକ୍‌’ ପର୍ଯ୍ୟାୟଭୁକ୍ତ କରିଛି।

ତେବେ, ଏ ସ˚ଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଏହା ଯେମିତି ଏକ ଆତଙ୍କମୟ ବାତାବରଣ ସୃଷ୍ଟି କରିଛି, ତାହା ଯଥାର୍ଥ କି? କରୋନା ସ˚କ୍ରମଣର ପ୍ରାରମ୍ଭ କାଳରେ ସ˚କ୍ରମଣର ଉତ୍ପତ୍ତି ସ୍ଥଳ ଚୀନ୍‌ରେ ଯେମିତି ଗୋଟିକ ପରେ ଗୋଟିଏ ମହାନଗରୀକୁ ସ˚ପୂର୍ଣ୍ଣ ରୂପେ ଅବରୁଦ୍ଧ କରି ଦିଆଯାଇ ସେଠାରେ ଏକ ଶ୍ମଶାନତୁଲ୍ୟ ସ୍ଥିତି ସୃଷ୍ଟି କରାଗଲା ଏବ˚ ଯାହାର ଅସୁମାରି ସ୍ଥିରଚିତ୍ର ଓ ଭିଡିଓ ସର୍ବତ୍ର ଉପଲବ୍‌ଧ ହେଲା; ହୋଇପାରେ କରୋନାକୁ ନେଇ ସ˚ପ୍ରତି ପରିଦୃଷ୍ଟ ଆତଙ୍କ ପଛରେ ତାହା ଏକ ବଡ଼ କାରଣ। କିନ୍ତୁ ଏହି ସ˚ଦର୍ଭରେ ଯେଉଁ ଦୁଇଟି ସକରାତ୍ମକ ପ୍ରସଙ୍ଗ ଉଜାଗର ହେବାରେ ଲାଗିଛି, ତାହା ଏ ଭୟକୁ ପ୍ରଶମିତ କରିବା ସହିତ ଆଶ୍ବସ୍ତି ପ୍ରଦାନ କରିଥାଏ। ତହିଁରୁ ଗୋଟିଏ ହେଲା ଏହା ଯେ ଏ ଯାବତ୍‌ ସ˚ଗୃହୀତ ହୋଇଥିବା ପରିସ˚ଖ୍ୟାନ ଏବ˚ ସେସବୁର ବିଶ୍ଳେଷଣ ଆଧାରରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି ଯେ ‘କୋଭିଡ୍‌-୧୯’ ସ˚କ୍ରମିତଙ୍କ ମଧୢରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନୁପାତ ଏବେ ମାତ୍ର ୧.୮%ରେ ପହଞ୍ଚିଛି; ଅର୍ଥାତ୍‌ ସାଧାରଣ ‘ଇନ୍‌ଫ୍ଲୁଏନ୍‌ଜା’ ଦ୍ବାରା ହେଉଥିବା ମୃତ୍ୟୁର ଅନୁପାତ ସହିତ ପ୍ରାୟ ସମାନ। ପୁଣି ଏହି ମୃତକଙ୍କ ମଧୢରୁ ୮୧% ହେଉଛନ୍ତି ଷାଠିଏ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ବର୍ଗର ବା ପୂର୍ବରୁ କୌଣସି ରୋଗ ଦ୍ବାରା ଆକ୍ରାନ୍ତ ହୋଇ ପ୍ରତିରୋଧକ ଶକ୍ତି କ୍ଷୟର ଶିକାର ହୋଇଥିବା ବ୍ୟକ୍ତିବିଶେଷ। ଏହାର ଅର୍ଥ ଜଣେ ସୁସ୍ଥ ବ୍ୟକ୍ତି ଏହି ସ˚କ୍ରମଣର ମୁକାବିଲା କରିବାକୁ ସମର୍ଥ ହୋଇପାରେ। ଏବ˚ ଦ୍ବିତୀୟ ବିଷୟଟି ହେଉଛି ଏହି ‘ବିଶ୍ବ-ସ˚କ୍ରମଣ’ ସୃଷ୍ଟ ସମସ୍ୟାର ସମାଧାନ ସକାଶେ ବିଶ୍ବ ରାଷ୍ଟ୍ର ସମୂହର ସମ୍ମିଳିତ ଉଦ୍ୟମ ଦୃଶ୍ୟମାନ ହେବା। ସ˚ପ୍ରତି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଏହି ସ˚ଦର୍ଭରେ ଯେଉଁଭଳି ନେତୃତ୍ବ ନେବାର ଦୃଷ୍ଟାନ୍ତ ପ୍ରଦର୍ଶନ କରିଛି, ପୂର୍ବରୁ କଦାଚିତ୍‌ ସେହିଭଳି ଦେଖିବାକୁ ମିଳି ନ ଥିଲା। ଆଜିର ଏକ ଜଗତ୍‌କୃତ ବିଶ୍ବରେ ଜ୍ଞାନ ଓ ପ୍ରବିଧି କୌଣସି ରାଷ୍ଟ୍ରର ଏକଚାଟିଆ ହୋଇ ରହିନାହିଁ। ଆମେରିକାରେ ଏକ ଉଚ୍ଚତର ଗବେଷଣା ପରେ ଯଦି ‘ଭାକସିନ’ର ଫର୍ମୁଲା ଉଦ୍ଭାବିତ ହୁଏ, ତେବେ ଯଥେଷ୍ଟ ସମ୍ଭାବନା ରହିଛି ଯେ ତହିଁରେ ବ୍ୟବହୃତ ହେବାକୁ ଥିବା ଉପାଦାନର ନିର୍ମାଣ ଭାରତ ବା ଚୀନରେ ହୋଇପାରେ। ଏକ ଜଗତ୍‌କୃତ ବିଶ୍ବର ସାମର୍ଥ୍ୟ ସେହିଠାରେ ନିହିତ। ସୁତରା˚, ‘କୋଭିଡ୍‌-୧୯’ ସ˚କ୍ରମଣ ଆଜି ଯଦି ଏକ ବିଶ୍ବବ୍ୟାପୀ ସମସ୍ୟାରେ ପରିଣତ ହୋଇଛି, ଏହାର ସମାଧାନରେ ମଧୢ ବିଶ୍ବ ଏକତ୍ର ହେଉଥିବା ପରିଲକ୍ଷିତ ହେଉଛି।

ଏହା ମଧୢ ସ୍ମରଣରେ ରହିବା ଜରୁରୀ ଯେ ଥରେ କୌଣସି ଭୂତାଣୁଜନିତ ସ˚କ୍ରମଣ କୌଣସି ସ୍ଥାନରେ ହେଲେ, ପରବର୍ତ୍ତୀ କାଳରେ ତାହା ବାରମ୍ବାର ମୁଣ୍ତ ଟେକିପାରେ। କିନ୍ତୁ ପ୍ରଥମେ ଆରମ୍ଭ ହେଲା ବେଳେ ସ˚କ୍ରମଣର ଯେଉଁ ପ୍ରାବଲ୍ୟ ପରିଲକ୍ଷିତ ହୋଇଥାଏ, ପରବର୍ତ୍ତୀ କାଳରେ ତାହା ହ୍ରାସ ପାଇଥାଏ। ଏହାର ଏକ ବଡ଼ କାରଣ ହେଲା ଅନୁଭୂତି ଦ୍ବାରା ଆହରଣ କରାଯାଇଥିବା ଜ୍ଞାନ ଏହାର ମୁକାବିଲା ଲାଗି ପ୍ରସ୍ତୁତି ପ୍ରଦାନ କରିଥାଏ। ଉଦାହରଣ ସ୍ବରୂପ, ୨୦୦୯ ମସିହାରେ ଭାରତରେ ପ୍ରଥମେ ‘ସ୍ବାଇନ୍‌ ଫ୍ଲୁ’ର ସ˚କ୍ରମଣ ଆରମ୍ଭ ହେବାର ପ୍ରାୟ ବର୍ଷକ ମଧୢରେ ଆକ୍ରାନ୍ତ ହୋଇଥିଲେ ୧୦,୧୯୫ ଯହିଁରୁ ମୃତ୍ୟୁ ମୁଖରେ ପଡ଼ିଥିଲେ ୧୦୩୫ ଅର୍ଥାତ୍‌ ପ୍ରାୟ ୧୦%। କିନ୍ତୁ ତା ପରେ ପ୍ରାୟ ନିୟମିତ ବ୍ୟବଧାନରେ ‘ସ୍ବାଇନ୍‌ ଫ୍ଲୁ’ର ଆବିର୍ଭାବ ଘଟି କିଛି ପ୍ରାଣ ଯାଉଥିଲେ ମଧୢ ତାହା ଆଉ ମହାମାରୀର ରୂପ ନେଉନାହିଁ ବା ବିଶେଷ ଭୟ ବା ବ୍ୟସ୍ତତା ସୃଷ୍ଟି କରୁନାହିଁ।

କିନ୍ତୁ ଏହାର ଅର୍ଥ ଏହା ମଧୢ ନୁହେଁ ଯେ ‘କୋଭିଡ୍‌-୧୯’ ସ˚କ୍ରମଣରୁ ସୁରକ୍ଷା ଦିଗରେ ସତର୍କତା ଅବଲମ୍ବନ କରିବାରେ କୌଣସି ପ୍ରକାର ଟାଳଟୁଳର ପ୍ରଦର୍ଶନ। ସ˚ପ୍ରତି ‘ଗୁଗୁଲ୍‌’ ସୌଜନ୍ୟରୁ ପ୍ରାପ୍ତ ଜ୍ଞାନର ଆଶୀର୍ବାଦରୁ ‘କୋଭିଡ୍‌-୧୯’ ଭୂତାଣୁ ବିଷୟରେ ସାଧାରଣ ଲୋକଙ୍କୁ କୌଣସି ଅତିରିକ୍ତ ତଥ୍ୟ ବା ସୂଚନା ପ୍ରଦାନ କରିବାର ଆବଶ୍ୟକତା ପ୍ରାୟ ରହିନାହିଁ। ତେବେ ଦୁଇଟି ବିଷୟ ପ୍ରତି ଅତ୍ୟନ୍ତ ଗୁରୁତ୍ବ ପ୍ରଦାନ କରିବାକୁ ହେବ। ଗୋଟିଏ ହେଲା ଏ ସମ୍ବନ୍ଧୀୟ ଗୁଜବକୁ ପ୍ରଶ୍ରୟ ନ ଦେବା ଭଳି ସଚେତନତାର ପ୍ରଦର୍ଶନ। ଦ୍ବିତୀୟଟି ହେଉଛି ଏହି ଅଦୃଶ୍ୟ ପରିବ୍ରାଜକର ଉପସ୍ଥିତି କାଳରେ ପାରୁପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରି ତାକୁ ଅଧିକ କ୍ଷତି ଘଟାଇବାର ସୁଯୋଗ ନ ଦେଇ ଏ ଦେଶରୁ ବିଦାୟ ଦେବା।

ସମ୍ବନ୍ଧିତ ଖବର