ଡିକ୍‌ସନାରି ଓ ନାରୀ

ଆମେରିକୀୟ ନୃତତ୍ତ୍ବବିତ୍‌ ମାଇକେଲ ପି. ଓମାନ-ରେଗାନ ଯେତେବେଳେ ଗୋଟିଏ ଇ˚ରେଜୀ ଶବ୍ଦ ‘ରାବିଡ୍‌’ (Rabid-ଓଡ଼ିଆ ଭାଷାନ୍ତର ‘ଅତ୍ୟନ୍ତ ତୀବ୍ର’)ର ବ୍ୟବହାର କରିବାକୁ ଯାଇ ତାର ପ୍ରୟୋଗର ଯଥାର୍ଥତା ବାବଦରେ ନିଶ୍ଚିତ ହେବା ସକାଶେ ନିଜ ‘ମାକ୍‌ ବୁକ୍‌’ରେ ରହିଥିବା ଅଭିଧାନର ସାହାଯ୍ୟ ଲୋଡ଼ିଲେ, ସେତେବେଳେ ତହିଁରେ ସେହି ଶବ୍ଦର ଅର୍ଥ ସହିତ ତାର ପ୍ରୟୋଗର ଯେଉଁ ଉଦାହରଣଟି ଦେଖିଲେ, ତାହା ଥିଲା ‘ରାବିଡ୍‌ ଫେମିନିଷ୍ଟ୍’ ବା ‘ଅତି ତୀବ୍ର ନାରୀବାଦୀ’। ଓମାନ-ରେଗାନ ଏଥିରେ ନିହିତ ଥିବା ମୃଦୁ ନାରୀ ବିଦ୍ବେଷକୁ ଆଘ୍ରାଣ କରିପାରି (କାରଣ ‘ରାବିଡ୍‌’ ଶବ୍ଦର ବ୍ୟବହାର ସାଧାରଣତଃ ନକରାତ୍ମକ ପ୍ରସଙ୍ଗରେ ହୋଇଥାଏ) ମାକ୍‌ ବୁକ୍‌ରେ ସ୍ଥାନିତ ଅଭିଧାନର ପରିଚାଳକ ସ˚ସ୍ଥା ‘ଅକ୍‌ସଫୋର୍ଡ‌୍‌ ୟୁନିଭର୍ସିଟି ପ୍ରେସ୍‌’କୁ ଟ୍ବିଟର ମାଧୢମରେ ନିଜ ପ୍ରତିକ୍ରିୟା ଜଣାନ୍ତେ ସେ ପଟୁ ଉତ୍ତର ମିଳିଲା-‘ରାବିଡ୍‌’ ଶବ୍ଦର ବ୍ୟବହାର ଏଥିଲାଗି କରାଯାଇଛି ଯେ ତୁମେ କେଉଁ ଧରଣର ନାରୀବାଦୀ ତାହା ନିଜେ ବୁଝି ପାରିବ।’ ସୁତରା˚, ସେହି ଉତ୍ତରରେ ଯାହା ଇଙ୍ଗିତ କରାଯାଇଥିଲା, ତାହା ହେଉଛି ଓମାନ-ରେଗାନ ସ୍ବୟ˚ ହେଉଛନ୍ତି ଜଣେ ‘ଅତ୍ୟନ୍ତ ତୀବ୍ର ନାରୀବାଦୀ’। ପରବର୍ତ୍ତୀ ସମୟରେ ଓମାନ-ରେଗାନ ସେହି ଅଭିଧାନର ଅଧିକ ଅନ୍ବେଷଣ କରି ଏଭଳି ନାରୀ ବିଦ୍ବେଷର ଅନେକ ଦୃଷ୍ଟାନ୍ତ ଦେଖିବାକୁ ପାଇଥିଲେ, ଯହିଁରୁ କିଛି ଏହି ପରି: ‘ସ୍ରିଲ୍‌’(shrill- ଓଡ଼ିଆ ଭାଷାନ୍ତର ଅତ୍ୟୁଚ୍ଚ ଶ୍ରୁତିଯୁକ୍ତ ପତଳା ଧ୍ବନି)ର ପ୍ରୟୋଗର ଉଦାହରଣ ଭାବେ ‘ଚିତ୍କାର କରୁଥିବା ନାରୀର କଣ୍ଠସ୍ବର’, ‘ନ୍ୟାଗି˚’(Nagging-ଓଡ଼ିଆ ଭାଷାନ୍ତର ‘ସର୍ବଦା ଛିଦ୍ରାନ୍ବେଷୀ’)ର ପ୍ରୟୋଗର ଦୃଷ୍ଟାନ୍ତ ରୂପେ ‘ନ୍ୟାଗି˚ ଵାଇଫ୍‌’ ବା ‘ଛିଦ୍ରାନ୍ବେଷୀ ପତ୍ନୀ’ (ଅବଶ୍ୟ ଏହା ଏବେ ‘ନ୍ୟାଗି˚ ପ୍ୟାରେନ୍‌ଟସ୍‌’ ବା ‘ଛିଦ୍ରାନ୍ବେଷୀ ପିତାମାତା’ରେ ପରିବର୍ତ୍ତିତ) ଏବ˚ ‘ସାଇକି (psyche- ଓଡ଼ିଆ ଅର୍ଥ ମନ)ର ପ୍ରୟୋଗସୂଚକ ବାକ୍ୟଟି ଥିଲା ‘ନାରୀଙ୍କ ମନ (ସାଇକି)କୁ କଳିବା ଦୁରୂହ ବ୍ୟାପାର। ତେବେ, ଏଠାରେ ଏଭଳି ଏକ ଉପାଖ୍ୟାନର ଅବତାରଣା ପଛରେ ଏକ କାରଣ ରହିଛି। ତାହା ହେଲା ଗଲା ଗୁରୁବାର ଦିନ ପ୍ରକାଶିତ ଏକ ସମ୍ବାଦ ଯାହା କହିଥାଏ ଯେ ‘ଅକ୍‌ସଫୋର୍ଡ ଡିକ୍‌ସନାରି’ରେ ପରିଲକ୍ଷିତ ହେଉଥିବା ନାରୀ ବିଦ୍ବେଷ ଧର୍ମୀ ଆଭିମୁଖ୍ୟ ବିରୋଧରେ ଏକ ଅଭିଯାନ ଗଲା ମଙ୍ଗଳବାର ଦିନ ଆରମ୍ଭ ହୋଇଛି। କହିବା ବାହୁଲ୍ୟ ଯେ ଉପରୋକ୍ତ ଅଭିଧାନଟି ହେଉଛି ଇ˚ରେଜୀ ଭାଷାର ଅନ୍ୟତମ ସର୍ବୋତ୍କୃଷ୍ଠ, ସର୍ବାଧିକ ଲୋକପ୍ରିୟ ତଥା ଏକ ମାନକ ଅଭିଧାନ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୮ ତାରିଖରେ ‘ଆନ୍ତର୍ଜାତିକ ମହିଳା ଦିବସ’ ପାଳନର ଅବ୍ୟବହିତ ପୂର୍ବରୁ ଏଭଳି ଏକ ପ୍ରତିବାଦ ଅଭିଯାନ ବିଶେଷ ଗୁରୁତ୍ବ ବହନ କରିଥାଏ।

‘ଉମେନ୍‌ସ ଏଡ୍‌’ ଏବ˚ ‘ଉମେନ୍‌ସ ଇକ୍ବାଲିଟି ପାର୍ଟି’ ନାମକ ଦୁଇଟି ଅନୁଷ୍ଠାନର ମିଳିତ ନେତୃତ୍ବରେ ପ୍ରାରମ୍ଭ ଏହି ପ୍ରତିବାଦରେ ଦାବି କରାଯାଇଛି ଯେ ‘ଉମ୍ୟାନ୍‌’(ନାରୀ) ଏବ˚ ‘ସେକ୍‌ସିଷ୍ଟ୍’(ଲିଙ୍ଗୀୟ ବିଭେଦସ˚ପନ୍ନ ଆଭିମୁଖ୍ୟ) ନାମକ ଶବ୍ଦ ଦ୍ବୟକୁ ପୁନର୍ଭାଷିତ କରାଯାଉ। ସେମାନଙ୍କ ମତରେ ଡିକ୍‌ସନାରିଟିରେ ‘ମ୍ୟାନ୍‌’(ପୁରୁଷ) ଶବ୍ଦର ଯେଉଁ ଅର୍ଥ ଉପଲବ୍‌ଧ, ତାହା ବେଶ୍‌ ସମ୍ମାନସୂଚକ- ଯେମିତି କି ସାହସ ଓ ଦୃଢ଼ତା ସ˚ପନ୍ନ ବ୍ୟକ୍ତି; କିନ୍ତୁ ‘ଉମ୍ୟାନ୍‌’ ଶବ୍ଦର ଅର୍ଥ ପ୍ରତିପାଦନରେ ‘ବିଚ୍‌’ (କୁତ୍ତୀ) ଓ ‘ମେଡ୍‌’ (ଚାକରାଣୀ) ଭଳି ଅତ୍ୟନ୍ତ ଅପମାନସୂଚକ ପ୍ରତିଶବ୍ଦ ରହିଛି। ଅବଶ୍ୟ, ଏହି ପରିପ୍ରେକ୍ଷୀରେ ‘ଅକ୍‌ସଫୋର୍ଡ ୟୁନିଭର୍ସିଟି ପ୍ରେସ୍’ ପକ୍ଷରୁ କୁହାଯାଇଛି ଯେ ଏଭଳି ତ୍ରୁଟିସବୁର ସ˚ଶୋଧନ କାର୍ଯ୍ୟ ଇଥିମଧ୍ୟରେ ଆରମ୍ଭ ହୋଇ ସାରିଛି।

ପ୍ରଣିଧାନଯୋଗ୍ୟ ଯେ ୧୪୦୫ ମସିହାରେ ଖ୍ରୀଷ୍ଟନ୍‌ ଡି ପିଜାନଙ୍କ ଦ୍ବାରା ଲିଖିତ ଲିଙ୍ଗଗତ ସାମ୍ୟ ବିଷୟ ସମ୍ବଳିତ ପୁସ୍ତକ ‘ବୁକ୍‌ ଅଫ୍‌ ଦ ସିଟି ଅଫ୍‌ ଲେଡିଜ୍‌’ ପ୍ରକାଶିତ ହେବା ପର ଠାରୁ ପ୍ରାୟ ଅର୍ଦ୍ଧ ସହସ୍ରାବ୍ଦ ବିତି ଯାଇଥିଲେ ସୁଦ୍ଧା ଏ ଯାବତ୍‌ ପୁରୁଷ ଓ ନାରୀ ମଧୢରେ ରହିଥିବା ଲିଙ୍ଗଗତ ବିଭେଦ ଦୂରୀଭୂତ ହୋଇପାରିନାହିଁ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ପୃଥିବୀର ସମସ୍ତ ସମାଜ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷ ପ୍ରଧାନ ମାନସିକତାର ଅଧିକାରୀ ହୋଇ ରହିଛନ୍ତି। ଏଭଳି ଆଭିମୁଖ୍ୟ ବ୍ୟକ୍ତିଗତ, ସାମାଜିକ, ସା˚ସ୍କୃତିକ ତଥା ରାଜନୈତିକ ଅସ୍ତିତ୍ବର ବିଭିନ୍ନ ଅଭିବ୍ୟକ୍ତିରେ ସ୍ଥୂଳ ଅଥବା ସୂକ୍ଷ୍ମ ରୂପରେ ପ୍ରକାଶିତ। ଭାରତ ଭଳି ଏକ ରକ୍ଷଣଶୀଳ ତଥା ପ୍ରାଚୀନ ସଭ୍ୟତାର ରାଷ୍ଟ୍ରରେ ତ ପୁରୁଷ ପ୍ରାଧାନ୍ୟ ଏତେ ପ୍ରାଞ୍ଜଳ ଯେ ଏହାକୁ ନେଇ ଆଦୌ କୌଣସି ଶଙ୍କା ବା ସନ୍ଦେହ ପ୍ରକାଶ ପାଇ ନ ଥାଏ। ଯଦିଓ, ଏକବି˚ଶ ଶତାବ୍ଦୀର ଭାରତୀୟ ନାରୀ ଅନେକ କ୍ଷେତ୍ରରେ ସଫଳତାର ଉତ୍ତୁଙ୍ଗ ଶିଖରରେ ଆସୀନ, ତତାପି ବାସ୍ତବ ସ୍ଥିତି ତଥା ବିଭିନ୍ନ ପରିସ˚ଖ୍ୟାନରୁ ଉପର ଲିଖିତ ବାକ୍ୟ ବାରମ୍ବାର ସତ୍ୟ ବୋଲି ସାବ୍ୟସ୍ତ ହୋଇଥାଏ। କିନ୍ତୁ ବିଡ଼ମ୍ବନାଟି ହେଲା, ବିଶ୍ବର ସର୍ବାଧିକ ମୁକ୍ତ ଚେତନାଧାରୀ ତଥା ବ୍ୟକ୍ତି ସ୍ବାଧୀନତାର ଧ୍ବଜା ବହନକାରୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ମଧୢ ନାରୀ ବିଦ୍ବେଷ ବେଶ୍‌ ଦୃଢ଼ ଭାବେ ବିଦ୍ୟମାନ। ସେଠାରେ ହୋଇଥିବା ଏକ ସର୍ବେକ୍ଷଣ କହିଥାଏ ଯେ ୪୨% ଆମେରିକୀୟ ମହିଳା ଲିଙ୍ଗଗତ ବିଦ୍ବେଷର ଶିକାର ଏବ˚ ପ୍ରତି ଚାରି ଜଣରେ ଜଣେ ମହିଳା ସ୍ବୀୟ ଦକ୍ଷତା ସତ୍ତ୍ବେ ପୁରୁଷଙ୍କ ତୁଳନାରେ କମ୍‌ ଉପାର୍ଜନ କରୁଥିବା ବିଷୟ ସ୍ବୀକାର କରିଥାଆନ୍ତି। ଏଭଳି ଏକ ଏକ ପରିସ୍ଥିତିରେ ଅତ୍ୟନ୍ତ ନିରୀହ ଓ ନିଷ୍ପକ୍ଷ ପ୍ରତୀୟମାନ ହେଉଥିବା ଅଭିଧାନରେ ନାରୀ ବିଦ୍ବେଷୀ ମନୋଭାବ ଅଗତ୍ୟା ପ୍ରବେଶ କରିଯିବାରେ ବିସ୍ମିତ ହେବାର କୌଣସି କାରଣ ନାହିଁ। କିନ୍ତୁ ଏଥିରେ ସନ୍ନିହିତ ବିଡ଼ମ୍ବନାଟି ହେଲା ସ˚ଶିତ ଅଭିଧାନଟିର ପ୍ରସ୍ତୁତକାରୀ ବିଦ୍ବାନ ମଣ୍ତଳୀରେ ଅନେକ ନାରୀ ବିଦ୍ୟମାନ; କେବଳ ସେତିକି ନୁହେଁ ପ୍ରତି ଦିନ ଅଗଣିତ ମହିଳା ବିଭିନ୍ନ କାରଣରୁ ଏହି ଅଭିଧାନର ବ୍ୟବହାର କରି ଚାଲିଥିଲେ ମଧୢ ଏଥିରେ ରହିଥିବା ନାରୀ ବିଦ୍ବେଷକୁ ସେମାନେ ବାରି ପାରିବାରେ ଅକ୍ଷମ। ସେଇ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ମହିଳାଙ୍କ ପ୍ରତି ପ୍ରଦର୍ଶିତ ବିଦ୍ବେଷ ଅଭ୍ୟାସଗତ ଭାବେ ପୁରୁଷ ଓ ନାରୀ ନିର୍ବିଶେଷରେ ସମସ୍ତଙ୍କ ଦେହସୁହା ହୋଇଯାଇଛି କି?

ଏ ପରିପ୍ରେକ୍ଷୀରେ ଏକ ସାକ୍ଷାତକାର ପରୀକ୍ଷା ବିଷୟ ସ୍ମରଣକୁ ଆସେ, ଯହିଁରେ ସବୁ ପ୍ରାର୍ଥିନୀ ସମ୍ମୁଖୀନ ହୋଇଥିବା ଗୋଟିଏ ମାତ୍ର ପ୍ରଶ୍ନ ଥିଲା: ‘ଈଶ୍ବର ନାରୀ ହୋଇଥିଲେ ସୃଷ୍ଟିର ସ୍ବରୂପ କିଭଳି ହୋଇଥାଆନ୍ତା?’ ସବୁ ପ୍ରାର୍ଥିନୀ ନିଜ ନିଜ ବାଗରେ ଏହାର ଉତ୍ତର ଦେଇଥିବା ବେଳେ କେବଳ ଜଣେ ମାତ୍ର ପାଲଟା ପ୍ରଶ୍ନ କରିବା ଦେଖାଯାଇଥିଲା ଯେ ‘ଈଶ୍ବର ପୁରୁଷ ବୋଲି ଆପଣଙ୍କୁ କହିଲା କିଏ?’ କିନ୍ତୁ ପୃଥିବୀର ସବୁ ଧର୍ମରେ ଈଶ୍ବରଙ୍କୁ ଏକ ପୁରୁଷ ସତ୍ତା ବୋଲି ବିଚାର କରାଯାଇ ନ ଥାଏ କି?

ସେଇ ସ˚ଦର୍ଭରେ ବିଭିନ୍ନ ଭାଷାରେ ଦୃଶ୍ୟମାନ ଲିଙ୍ଗୀୟ ଆଭିମୁଖ୍ୟର ଏକ ସ˚କ୍ଷିପ୍ତ ଆଲୋଚନା କରାଯାଇପାରେ। ବିଭିନ୍ନ ଭାଷାର ବ୍ୟାକରଣରେ ନିର୍ଜୀବ ବସ୍ତୁଙ୍କ ଲିଙ୍ଗ ନିରୂପଣ କ୍ଷେତ୍ରରେ ପୁରୁଷ ପ୍ରାଧାନ୍ୟର ସ୍ପଷ୍ଟ-ଅସ୍ପଷ୍ଟ ଆଭାସ ମିଳିଥାଏ। ଆମ ଭାଷା ଓଡ଼ିଆ ସେହି ଦୃଷ୍ଟିରୁ ନିର୍ବିବାଦୀୟ- କାରଣ ଆମ ଭାଷାରେ ଜନ୍ମଭୂମି ବା ନଦୀ ଭଳି ମୁଷ୍ଟିମେୟ ନିର୍ଜୀବ ସତ୍ତାଙ୍କୁ ସ୍ତ୍ରୀ ଲିଙ୍ଗ ପର୍ଯ୍ୟାୟଭୁକ୍ତ କରାଯାଇଥିବା ବେଳେ ଅନ୍ୟାନ୍ୟ ସମସ୍ତ ଜଡ଼ ବା ନିର୍ଜୀବ ବସ୍ତୁଗୁଡ଼ିକ ପ୍ରାୟତଃ ଲିଙ୍ଗଶୂନ୍ୟ ଅସ୍ତିତ୍ବ ନିର୍ବାହ କରନ୍ତି। କିନ୍ତୁ, ଏହାର ବିପରୀତ ଆମ ରାଷ୍ଟ୍ର ଭାଷା ହିନ୍ଦୀରେ, ସବୁ ନିର୍ଜୀବ ବସ୍ତକୁ କୌଣସି ନା କୌଣସି ଲିଙ୍ଗ ଦ୍ବାରା ଚିହ୍ନିତ କରାଯାଇଥାଏ। ଅନେକ ସମୟରେ ତହିଁରୁ ମଧୢ ଲିଙ୍ଗଗତ ବିଦ୍ବେଷର ଆଭାସ ମିଳିଥାଏ। ଉଦାହରଣ ସ୍ବରୂପ ହିନ୍ଦୀ ଭାଷାରେ ‘ଘଡ଼ା’ (ବଡ଼ ପାତ୍ର) ପୁଲି˚ଗଧାରୀ ହୋଇଥିବା ବେଳେ ‘ଘଡ଼ୀ’(ଛୋଟ ପାତ୍ର) ସ୍ତ୍ରୀ ଲିଙ୍ଗ ପର୍ଯ୍ୟାୟର ବା ‘ପ୍ୟାଲା’ ପୁଲି˚ଗବାଚକ ହୋଇଥିବା ବେଳେ ‘ପ୍ୟାଲୀ’ ସ୍ତ୍ରୀଲି˚ଗବାଚକ ଅଥବା ‘ଦରଵାଜା’(କବାଟ) ପୁଲି˚ଗବାଚକ ହୋଇଥିବା ସମୟରେ ‘ଖିଡ୍‌କୀ’(ଝରକା) ସ୍ତ୍ରୀଲି˚ଗସୂଚକ। ଉପରୋକ୍ତ ଉଦାହରଣରୁ ଆକାର ଆଧାରରେ ପୁରୁଷ ପ୍ରଧାନ ମନୋଭାବର ଝଲକ ପାଠକ-ପାଠିକାମାନେ ବାରି ପାରୁଛନ୍ତି କି? ତେବେ, ଏହାକୁ ନେଇ ଯଦି କେହି କିଞ୍ଚିତ ହତାଶାବୋଧ କରୁଥାଆନ୍ତି, ତେବେ ଯାହା ସେମାନଙ୍କୁ ସାନ୍ତ୍ବନା ଦେଇ ପାରେ ତାହା ହେଲା ପୁରୁଷର ପୌରୁଷତ୍ବର ଶ୍ରେଷ୍ଠ ପ୍ରମାଣ ‘ଦାଢ଼ୀ’ ଶବ୍ଦଟି ହିନ୍ଦୀ ଭାଷାରେ ସ୍ତ୍ରୀ ଲି˚ଗ ସୂଚକ!

ସମ୍ବନ୍ଧିତ ଖବର