କୁଆ ଛୁଆ ଓ କପୋତ ଛୁଆ ବିଷୟରେ ସୁପରିଚିତ ଗପରେ ସ୍ମାର୍ଟ୍ କୁଆ ଛୁଆ ଯେଉଁଭଳି କୌଶଳ ଅବଲମ୍ବନ କରି ମା’ଠାରୁ ବାହାବା ନେଇଥିଲା, ତାହା ସ୍ମାର୍ଟ୍ ମନୁଷ୍ୟମାନେ ମଧୢ ଯେ ଅନୁକରଣ କରିବାକୁ ପଛାଇନଥାନ୍ତି, ତାହା ଦେଶରେ ବ୍ୟାଙ୍କ୍ ବ୍ୟବସାୟ କ୍ଷେତ୍ରରେ ଦେଖା ଦେଇଥିବା ସଦ୍ୟତମ ସଙ୍କଟର ସୂତ୍ରଧର ‘ୟେସ୍ ବ୍ୟାଙ୍କ୍’ର ପୂର୍ବତନ ମୁଖ୍ୟ ରାଣା କପୁର ପ୍ରମାଣ କରିଛନ୍ତି। ଗପଟିରେ ଏକ ସେର ଲେଖାଏଁ ଧାନ ଦେଇ କୁଆ ଓ କପୋତ ସେମାନଙ୍କ ଛୁଆ ଦୁହିଁକୁ ତାହା କୁଟି ଚାଉଳ କରି ଆଣିବାକୁ ପଠାଇଥିଲେ। କୁଆ ଛୁଆ ସେର ଭର୍ତ୍ତି ଚାଉଳ ନେଇ ମା’ ପାଖକୁ ଫେରିଲା, କିନ୍ତୁ କପୋତ ଛୁଆଟି ମାତ୍ର ଅଧା ସେର ଚାଉଳ ନେଇ ତା’ ମା ପାଖକୁ ଫେରିଲା। ମା’ କପୋତ ଏହା ଦେଖି ରାଗରେ ନିଜ ଛୁଆଟିକୁ ମାରି ଦେଲା। ପରେ ଦେଖାଗଲା କୁଆ ଛୁଆ ସେର ତଳ ଭାଗରେ କୁଣ୍ତାତକ ଭର୍ତ୍ତି କରି ତା’ଉପରେ ଚାଉଳ ରଖି ଦେଇଥିଲା- ଜଣା ପଡ଼ୁଥିଲା ପୂରା ସେର ଭର୍ତ୍ତି ଚାଉଳ! କପୋତ ଛୁଆ କିନ୍ତୁ କୁଣ୍ତାକୁ ଫିଙ୍ଗି ଦେଇ ନିଜ ସେରରେ କେବଳ ଚାଉଳ ଭର୍ତ୍ତି କରି ଆଣିଥିଲା।
ବ୍ୟାଙ୍କ୍ମାନଙ୍କର ଆୟ ବା ଲାଭର ମୁଖ୍ୟ ସୂତ୍ର ହେଉଛି ସେମାନେ ପ୍ରଦାନ କରୁଥିବା ଋଣ; ଋଣକର୍ତ୍ତାମାନେ ଦେଉଥିବା ସୁଧ ହେଉଛି ଏହି ଆୟ। କୁଆ କପୋତ କାହାଣୀ ଦୃଷ୍ଟିରେ ଦେଖିଲେ ଯେଉଁ ଋଣ ସୁଧ ସହିତ ପରିଶୋଧ ହୋଇଥାଏ, ତାହା ହେଉଛି ଚାଉଳ ଏବ˚ ଯେଉଁ ଋଣ ପରିଶୋଧ ହେବାରେ ସମସ୍ୟା ଦେଖାଦିଏ, ତାହା ହେଉଛି ତଷୁ ବା କୁଣ୍ତା। ସ୍ବର୍ଗତ ଅଶୋକ କପୁର, ତାଙ୍କ ଭିଣୋଇ ରାଣା କପୁର ଓ ହରକିରତ ସି˚ହ ମିଶି ୨୦୦୪ରେ ‘ୟେସ୍ ବ୍ୟାଙ୍କ୍’ ପ୍ରତିଷ୍ଠା କରିବା ପରେ ଏବ˚ ଘଟଣାଚକ୍ରରେ ଏହା ସମ୍ପୂର୍ଣ୍ଣ ରୂପେ ରାଣା କପୁରଙ୍କ ନିୟନ୍ତ୍ରଣକୁ ଚାଲିଯିବା ପର ଠାରୁ ଏହାର ସଫଳତା ଏବ˚ ରାଣାଙ୍କର ତଥାକଥିତ ବ୍ୟବସାୟ ବୃଦ୍ଧି ଭାରତୀୟ ବ୍ୟାଙ୍କ୍ ବ୍ୟବସାୟ କ୍ଷେତ୍ରରେ ସମସ୍ତଙ୍କ ପାଇଁ ଏକ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ‘ୟେସ୍ ବ୍ୟାଙ୍କ୍’ର ନାମକରଣ କେବଳ ଯେ ଅଣ ପାରମ୍ପରିକ ଓ ଦୃଷ୍ଟିଆକର୍ଷଣକାରୀ ଥିଲା, ତାହା ନୁହେଁ, ଏହି ନାମ ଅତି ସ˚କ୍ଷେପରେ ସେହି ବ୍ୟାଙ୍କ୍ର ବ୍ୟବସାୟ ଦର୍ଶନ ବା ଆଭିମୁଖ୍ୟ ବହନ କରୁଥିଲା। ‘ୟେସ୍’ ଅର୍ଥ ‘ହଁ’। ‘ୟେସ୍ ବ୍ୟାଙ୍କ୍’ର ନୀତି ହେଲା ଋଣ ପାଇଁ ବ୍ୟାଙ୍କ୍ର ଦ୍ବାରସ୍ଥ ହୋଇଥିବା କୌଣସି ଉଦ୍ୟୋଗକୁ ‘ନା’ କୁହାଯିବ ନାହିଁ।
ଆକ୍ରମଣାତ୍ମକ ଢଙ୍ଗରେ ଋଣ ପ୍ରଦାନ କରିବାରେ ରାଣା କପୁର୍ଙ୍କ ବ୍ୟାଙ୍କ୍ ଯେଉଁ ପରି ଖ୍ୟାତି ଅର୍ଜ୍ଜନ କରିବାକୁ ଆରମ୍ଭ କଲା, ରାଣା କପୁରଙ୍କ ତଥାକଥିତ ‘ସ୍ମାର୍ଟ୍ ବ୍ୟାକିଙ୍ଗ୍’ କୌଶଳ ସମ୍ବନ୍ଧରେ ସେହିପରି ଏକ ସୁଖ୍ୟାତି ମଧୢ ପ୍ରସାର ଲାଭ କରିବାକୁ ଆରମ୍ଭ କଲା ଯେ ସେ କୁଆଡେ଼ ପ୍ରଦତ୍ତ ଋଣର ପରିଶୋଧ ନିଶ୍ଚିତ କରିବାର ଅଲୌକିକ କଳାର ଅଧିକାରୀ ଥିଲେ। ଏହା ଯେ ବୋଧହୁଏ କେବଳ ଏକ ସଯତ୍ନ ପ୍ରସାରିତ କାଳ୍ପନିକ କାହାଣୀ ଥିଲା, ତାହା ଆବିଷ୍କୃତ ହେବା ପାଇଁ ପ୍ରାୟ ଗୋଟିଏ ଦଶନ୍ଧି ସମୟ ଲାଗିଲା। ‘ୟେସ୍ ବ୍ୟାଙ୍କ୍’ ତା’ର ପୂର୍ବବର୍ଣ୍ଣିତ ନୀତି ଅନୁସାରେ ଏପରି ଅନେକ ଉଦ୍ୟୋଗମାନଙ୍କୁ ଋଣ ପ୍ରଦାନ କରି ଚାଲିଥିଲା ଯେଉଁମାନେ ନିଜ ନିଜର ବ୍ୟବସାୟରେ ବିଭିନ୍ନ ବାଧାବିଘ୍ନ ଓ ସମସ୍ୟାର ସମ୍ମୁଖୀନ ଥିଲେ। ଏମାନଙ୍କ ମଧୢରୁ କେତେକ ସୁପରିଚିତ ନାମ ହେଲା: ଅନୀଲ୍ ଅମ୍ବାନୀ ଗ୍ରୁପ୍ର କମ୍ପାନିମାନ, ବିଜୟ ମାଲ୍ୟାଙ୍କ କିଙ୍ଗ୍ ଫିସର ଏୟାର ଲାଇନ୍ସ, ଏସେଲ୍ ଗ୍ରୁପ୍, ଦେଵାନ୍ ହାଉସିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ (‘ଡିଏଚ୍ଏଫ୍ଏଲ୍’) ଏବ˚ ଇନ୍ଫ୍ରାଷ୍ଟ୍ରକ୍ଚର୍ ଲିଜିଙ୍ଗ୍ ଆଣ୍ତ ଫାଇନାନ୍ସିଆଲ୍ ସର୍ଭିସେସ୍ (‘ଆଇଏଲ୍ଆଣ୍ତଏଫ୍ଏସ୍’)! ଏମାନଙ୍କ ମଧୢରୁ ଶେଷୋକ୍ତ ଦୁଇଟି ବ୍ୟବସାୟ ବୁଡ଼ି ଯାଇ ସାରିଛନ୍ତି ଏବ˚ ସରକାର ସେମାନଙ୍କର ପୁନର୍ଗଠନ ପାଇଁ ଉଦ୍ୟମ କରୁଛନ୍ତି। କହିବା ବାହୁଲ୍ୟ ରାଣା କପୁର ସେମାନଙ୍କୁ ‘ୟେସ୍ ବ୍ୟାଙ୍କ୍’ ଦେଇଥିବା ଋଣ ନିଜର ବହୁ ପ୍ରଚାରିତ ବିଚକ୍ଷଣତା ସତ୍ତ୍ବେ ଫେରସ୍ତ ଆଣି ପାରିନାହାନ୍ତି।
ଅପରପକ୍ଷେ ରାଣା କପୁରଙ୍କୁ ଏବେ ଗିରଫ କରି ପଚରା ଉଚରା କରୁଥିବା ‘ଏନ୍ଫୋର୍ସମେଣ୍ଟ ଡିରେକ୍ଟରେଟ୍’ (‘ଇଡି’)ର ଅଭିଯୋଗ ଅନୁସାରେ ‘ଡିଏଚ୍ଏଫ୍ଏଲ୍’କୁ ୩,୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବା ବଦଳରେ ରାଣା କପୁର ସେଇ କମ୍ପାନି ଠାରୁ ୬୦୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ଉପରୋକ୍ତ କମ୍ପାନିମାନଙ୍କୁ ଦିଆଯାଇଥିବା ଋଣକୁ ବ୍ୟାଙ୍କିଙ୍ଗ୍ ପରିଭାଷାରେ ‘ଖରାପ ଋଣ’ (‘ଏନ୍ପିଏ’) କୁହାଯାଇଥାଏ। ମନେ ହେଉଛି ରାଣା କପୁର ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ଏବେ ପ୍ରକାଶ ପାଇଛି ଯେ ଅନ୍ୟ କେତେକ ଘରୋଇ ବ୍ୟାଙ୍କ୍ମାନଙ୍କ ସହିତ ସାମୟିକ ଭାବରେ କିଛି କିଛି ‘ଏନ୍ପିଏ’ ହସ୍ତାନ୍ତର କରି ଧାର୍ଯ୍ୟ ଆନୁପାତିକ ସୀମା ମଧୢରେ ରହି ‘ୟେସ୍ ବ୍ୟାଙ୍କ୍’ ରିଜର୍ଭ ବ୍ୟାଙ୍କ୍ର ତୀକ୍ଷ୍ଣ ନଜରକୁ ଏଡ଼ାଇବାରେ ସକ୍ଷମ ହୋଇ ପାରୁଥିଲା। ୨୦୧୫ରେ କିନ୍ତୁ ପ୍ରଥମ କରି ଆନ୍ତର୍ଜାତିକ ବିତ୍ତୀୟ ସେବା ପ୍ରଦାନକାରୀ ସ˚ସ୍ଥା ‘ୟୁବିଏସ୍’ ୟେସ୍ ବ୍ୟାଙ୍କ୍ ଭାରାକ୍ରାନ୍ତ ହୋଇଥିବା ଅତ୍ୟଧିକ ‘ଏନ୍ପିଏ’ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଏକ ରିପୋର୍ଟ ପ୍ରକାଶ କଲା। ରାଣା କପୁର ଏହାକୁ ସ୍ବୀକାର କରିବା ପରିବର୍ତ୍ତେ ଏହା ସେଇ ଆନ୍ତର୍ଜାତିକ ସ˚ସ୍ଥା ପ୍ରସାର କରିଥିବା ଏକ ଭୁଲ୍, ଉଦ୍ଦେଶ୍ୟ ପ୍ରଣୋଦିତ ରିପୋର୍ଟ ବୋଲି ପାଲଟା ଅଭିଯୋଗ କରି ନିୟନ୍ତ୍ରକ ସ˚ସ୍ଥା ‘ସେବି’ ଠାରେ ଏକ ଆବେଦନ ଦାଖଲ କରିଦେଲେ। ୨୦୧୭ରେ କିନ୍ତୁ ରିଜର୍ଭ ବ୍ୟାଙ୍କ୍ର ଯାଞ୍ଚ୍ର ସମ୍ମୁଖୀନ ହୋଇ ‘ୟେସ୍ ବ୍ୟାଙ୍କ୍’ ମୋଟ ୬,୩୫୫ କୋଟି ଟଙ୍କାର ଖରାପ ଋଣ ବା ସେର ତଳେ କୁଣ୍ତା ଲୁଚାଇଥିବା ସ୍ବୀକାର କରିଥିଲା।
ପରେ ପରେ ରାଣା କପୁର ‘ୟେସ୍ ବ୍ୟାଙ୍କ୍’ରୁ ବିତାଡ଼ିତ ହୋଇଥିଲେ ମଧୢ ଏହି ଖରାପ ଋଣର ପାହାଡ଼ ତଳେ ଚାପି ହୋଇ ‘ୟେସ୍ ବ୍ୟାଙ୍କ୍’ କିପରି ଭୁଶୁଡ଼ିବାକୁ ବସିଛି ଓ ତା’ର ଗ୍ରାହକମାନେ କିପରି ଆତଙ୍କିତ ଅବସ୍ଥାରେ ଅଛନ୍ତି, ତାହା ବର୍ତ୍ତମାନ ନିୟମିତ ଚର୍ଚ୍ଚାର ବିଷୟ ହୋଇଛି। ଦେଶର ଏହି ଚତୁର୍ଥ ବୃହତ୍ତମ ଘରୋଇ ବ୍ୟାଙ୍କ୍ କିନ୍ତୁ ବୁଡ଼ିଗଲେ ତା ସହିତ ସ˚ଯୁକ୍ତ ଅସ˚ଖ୍ୟ ବ୍ୟବସାୟ ତଥା ଅନ୍ୟ ବିତ୍ତୀୟ ଅନୁଷ୍ଠାନ ମାନ ଯେଉଁ ସଙ୍କଟର ସମ୍ମୁଖୀନ ହେବେ, ତାହା ବର୍ତ୍ତମାନର ଆର୍ଥିକ ମାନ୍ଦା ଅବସ୍ଥାକୁ ଗଭୀରତର କରିବା ନିଶ୍ଚିତ। ସେଇ କାରଣରୁ ସରକାର ନିଜ ଅଧୀନରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍କୁ ୟେସ୍ ବ୍ୟାଙ୍କ୍ର ଉଦ୍ଧାରକର୍ତ୍ତା ରୂପେ ଦାୟିତ୍ବ ପ୍ରଦାନ କରିଛନ୍ତି। ଏହା ପରୋକ୍ଷରେ ଟିକସଦାତାଙ୍କ ଅର୍ଥ ବ୍ୟବହାର କରି ଏକ ଘରୋଇ ବ୍ୟାଙ୍କ୍ର ଉଦ୍ଧାର ବୋଲି ସମାଲୋଚନା କରାଯାଉଛି। କିନ୍ତୁ ଅର୍ଥନୀତିର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କର ‘ୟେସ୍ ବ୍ୟାଙ୍କ୍’ର ଏପରି ପରୋକ୍ଷ ‘ବେଲ୍ ଆଉଟ୍’ ମାଧୢମରେ ଉଦ୍ଧାର କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା। ତେବେ ଏଥିରୁ ଶିକ୍ଷା ଲାଭ କରି ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟ ନିରୀକ୍ଷକମାନେ ଭବିଷ୍ୟତରେ ରାଣା କପୁରଙ୍କ ପରି ସ୍ମାର୍ଟ୍ କୁଆ ଛୁଆମାନଙ୍କ ଉପରେ ବହୁ ଅଧିକ ସତର୍କ ନଜର ରଖିବା ଜରୁରୀ।