୧୯୧୮ରୁ ୨୦୨୦

ଆଜିକୁ ପ୍ରାୟ ଶହେ ବର୍ଷ ତଳେ ଅର୍ଥାତ୍‌ ୧୯୧୮ ମସିହା ଜୁନ୍‌ ମାସରେ ‘ଟାଇମ୍‌ସ ଅଫ୍‌ ଇଣ୍ତିଆ’ର ବମ୍ବେ (ମୁମ୍ବାଇ) ସ˚ସ୍କରଣରେ ପ୍ରକାଶିତ କ୍ଷୁଦ୍ର ସମ୍ବାଦଟିଏ ଏକ ‘ରହସ୍ୟଜନକ ସ˚କ୍ରାମକ ଜ୍ବର’ ବିଷୟରେ ସୂଚନା ଦେଇଥିଲା। ତହିଁରେ ଥିଲା କିଭଳି ଏକ ଅତ୍ୟନ୍ତ ସ˚କ୍ରାମକ ଘାତକ ଥଣ୍ତା ଜ୍ବର ବ୍ୟାପିବା କାରଣରୁ ସେଠାକାର ମିଲ୍‌ଗୁଡ଼ିକ ଶ୍ରମିକମାନଙ୍କ ଅନୁପସ୍ଥିତିରେ ବନ୍ଦ ହୋଇଯିବା ସ୍ଥିତିରେ ଓ ଦପ୍ତରଗୁଡ଼ିକ କିରାଣି ଶୂନ୍ୟ। ତେବେ, ସେହି ସମ୍ବାଦର ଶେଷରେ ଏହି ଜ୍ବରର ଉପଚାର ରୂପେ ପ୍ରଦତ୍ତ ପରାମର୍ଶଟି ଥିଲା ‘ଚିନ୍ତା କର ନାହିଁ, ଶାନ୍ତିରେ ଶୁଅ।’ ତେବେ, ଏହାର ତିନି ସପ୍ତାହ ନ ପୂରୁଣୁ ସେହି ଘାତକ ଜ୍ବର ମାଡ୍ରାସ(ଚେନ୍ନାଇ) ଏବ˚ ଆହ୍ଲାବାଦରେ ପହଞ୍ଚି ସାରିଥିଲା ଏବ˚ ବ୍ରିଟିସ ଶାସିତ ତତ୍କାଳୀନ ଭାରତର ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମିକୁ ଧୂଳିସାତ୍‌ କରି ଦେଇଥିଲା। ଏଭଳି ସ୍ଥିତିରେ ଭାରତୀୟ ସମ୍ବାଦପତ୍ରଗୁଡ଼ିକ ଆର୍ତ୍ତ ସ୍ବରରେ ଯେଉଁ ପରାମର୍ଶ ଦେବା ଆରମ୍ଭ କରିଥିଲେ, ତାହା ଥିଲା -‘ଏବେ ନିଜକୁ ବଞ୍ଚାଅ’। କହିବା ବାହୁଲ୍ୟ ଯେ ସେତେବେଳକୁ ବମ୍ବେ ବନ୍ଦର ଦେଇ ‘ସ୍ପାନିସ୍‌ ଫ୍ଲୁ’ର ଭୂତାଣୁ ଭାରତରେ ପ୍ରବେଶ କରି ମୃତ୍ୟୁର ନୃତ୍ୟ ଆରମ୍ଭ କରି ଦେଇଥିଲା। ଏହାର ପରବର୍ତ୍ତୀ ତିନି ମାସ ମଧୢରେ ମାନବ ଜୀବନହାନିର ଯେଉଁ ବିଭୀଷିକାମୟ ଚିତ୍ର ଭାରତ ଦେଖିଲା, ତାର ଦ୍ବିତୀୟ ଉଦାହରଣ ତା’ ଇତିହାସରେ ନାହିଁ। ଏହି ଥଣ୍ତା ଜ୍ବରରେ ପ୍ରାୟ ୧.୫ରୁ ୨ କୋଟି ଭାରତୀୟ ପ୍ରାଣ ହରାଇଥିଲେ, ଯାହା ଥିଲା ସେହି ସମୟର ‘ପାନ୍‌ଡେମିକ୍‌’ ‘ସ୍ପାନିସ ଫ୍ଲୁ’ ଦ୍ବାରା ସମଗ୍ର ବିଶ୍ବରେ ମୃତାହତ ହୋଇଥିବା ଜନସ˚ଖ୍ୟାର ଏକ ପଞ୍ଚମା˚ଶ। ଏକ ହିସାବ କହିଥାଏ ଯେ ଶହେ ବର୍ଷରେ ‘ବ୍ୟୁବୋନିକ୍‌ ପ୍ଲେଗ୍‌’(ମଧୢଯୁଗର ଏକ ଭୟାବହ ମହାସ˚କ୍ରାମକ) ଦ୍ବାରା ବିଶ୍ବରେ ଯେତିକି ସ˚ଖ୍ୟକ ବ୍ୟକ୍ତି ପ୍ରାଣ ହରାଇଥିଲେ, ଗୋଟିଏ ବର୍ଷରେ ‘ସ୍ପାନିସ୍‌ ଫ୍ଲୁ’ ଦ୍ବାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ˚ଖ୍ୟା ଥିଲା ତା ଠାରୁ ଅଧିକ। ବିଶିଷ୍ଟ ହିନ୍ଦୀ କବି ନିରାଲାଙ୍କ ପତ୍ରାବଳୀର ଏକ ସ˚କଳନରେ ଏହି ମହାମାରୀର କରୁଣ ଚିତ୍ର ଉପଲବ୍‌ଧ, ଯହିଁରେ ବର୍ଣ୍ଣିତ ହୋଇଛି କିଭଳି ଗଙ୍ଗାର ଉଭୟ ପାର୍ଶ୍ବର ଘାଟଗୁଡ଼ିକରେ ପାହାଡ଼ ପ୍ରମାଣେ ଗଦା ହୋଇଥିବା ଶବଗୁଡ଼ିକର ଦାହ ସତ୍କାର ଲାଗି କାଠ ହିଁ ନ ଥିଲା। ଏହି ସ˚ଦର୍ଭରେ ଗଲା ବୁଧବାର ଦିନ ଯେତେବେଳେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲୁ.ଏଚ୍‌.ଓ’ ଦ୍ବାରା ‘କୋଭିଡ୍‌-୧୯’ ଭୂତାଣୁ ସ˚କ୍ରମଣକୁ ଏକ ‘ପାନ୍‌ଡେମିକ୍‌’ ବା ‘ବିଶ୍ବ ସ˚କ୍ରମଣ ଅଥବା ବିଶ୍ବ ମହାମାରୀ’ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି, ସେତିକି ବେଳେ ଆଜିକୁ ଶହେ ବର୍ଷ ତଳେ ଭାରତକୁ ଅସ୍ଥିସାରଶୂନ୍ୟ କରି ପକାଇଥିବା ଉପରୋକ୍ତ ‘ପାନ୍‌ଡେମିକ୍‌’ ବାବଦରେ ଚର୍ଚ୍ଚା ଜରୁରୀ ବୋଲି ମନେ ହୋଇଥାଏ। ଏହା ମଧୢ ଉଲ୍ଲେଖନୀୟ ଯେ ‘କରୋନା’ ପୂର୍ବରୁ ‘ସ୍ପାନିସ୍‌ ଫ୍ଲୁ’ ହିଁ ଥିଲା ଭାରତରେ ପରିଦୃଷ୍ଟ ଶେଷ ‘ବିଶ୍ବ ମହାମାରୀ’।

ତେବେ, ଏହା ସତ ଯେ ଗଲା ଶହେ ବର୍ଷର କାଳଖଣ୍ତ ମଧୢରେ ଭାରତର ବିକାଶ ଏବ˚ ସ୍ବାସ୍ଥ୍ୟ ସେବାର ସ୍ତର କଳ୍ପନାତୀତ ଭାବେ ଉନ୍ନତ ସ୍ଥିତିରେ। ଏହା ମଧୢ ସତ ଯେ ‘ସ୍ପାନିସ୍‌ ଫ୍ଲୁ’ର କାରକ ଏଚ୍‌୧ଏନ୍‌୧ ଭୂତାଣୁର ଭୟାବହତା ତୁଳନାରେ ‘କୋଭିଡ୍‌-୧୯’ ଅନେକଟା ନିରୀହ ବୋଧ ହୋଇଥାଏ। ତଥାପି ସ˚ପ୍ରତି କରୋନାର ମୁକାବିଲା ପ୍ରସଙ୍ଗରେ ହୁଏ’ତ ୧୯୧୮ର ଅନୁଭୂତି କିଛି ସୂତ୍ର ପ୍ରଦାନ କରିପାରେ। କରୋନା ଜନିତ ସ˚କ୍ରମିତ ଓ ମୃତକଙ୍କ ସ˚ଖ୍ୟା ଗଣନା(ଯାହା ଏବେ ଗଣମାଧୢମରେ ପ୍ରାଧାନ୍ୟ ଲାଭ କରିଛି)କୁ ଅତିକ୍ରମ କରି ଦୃଷ୍ଟି ପ୍ରସାରିତ କଲେ ଆଉ ଯେଉଁ ଏକ ସ˚କଟର ଘନଘଟା ଆସନ୍ତା କିଛି କାଳ ପର୍ଯ୍ୟନ୍ତ ବିଶ୍ବକୁ ଆକ୍ରାନ୍ତ କରି ରଖିବାର ଭୟ ଜାତ କରିଥାଏ, ତାହା ହେଉଛି ଏହା ଦ୍ବାରା ସୃଷ୍ଟି ହେବାକୁ ଯାଉଥିବା ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା। ଉଲ୍ଲେଖନୀୟ ଯେ ଗଲା ଦୁଇ ମାସ ଧରି ଚୀନ୍‌ ପ୍ରାୟତଃ ସ˚ପୂର୍ଣ୍ଣ ଅବରୁଦ୍ଧ ଅବସ୍ଥାରେ ବିଦ୍ୟମାନ। ଏହାର ଆର୍ଥିକ ସ୍ଥିତି ରସାତଳଗାମୀ ହେବାରେ ଲାଗିଛି। ଚୀନ୍‌ ବ୍ୟତୀତ ଅନ୍ୟାନ୍ୟ ଯେଉଁ ୧୨୭ଟି ରାଷ୍ଟ୍ରରେ କରୋନାର ପଦଚିହ୍ନ ଦେଖିବାକୁ ମିଳୁଛି, ସେଠାରେ ମଧୢ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରି ଦିଆଯିବାର ଉପକ୍ରମ କରାଯାଉଛି। ଇଟାଲୀରେ କେବଳ ଔଷଧ ଏବ˚ ତେଜରାତି ବଜାର ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ। ଅଧିକା˚ଶ ଅନ୍ତର୍ଜାତୀୟ ବିମାନ ଏବ˚ କେତେକ ରାଷ୍ଟ୍ରରେ ଅଭ୍ୟନ୍ତର ବିମାନ ଚଳାଚଳ ବନ୍ଦ ହୋଇ ‘ବିମାନ ଉଡ଼ାଣ’ ଉଦ୍ୟୋଗ ଲାଗି ୧୦୦ ବିଲିଅନ୍‌ ଡଲାରର କ୍ଷତି ପହଞ୍ଚାଇବାର ଭୟ ସୃଷ୍ଟି କଲାଣି। ଏହା ସହିତ ଯାନବାହନ ବ୍ୟବହାରରେ ଉଲ୍ଲେଖନୀୟ ହ୍ରାସ ଏବ˚ ପର୍ଯ୍ୟଟନ କ୍ଷେତ୍ରରେ ପରିଦୃଶ୍ୟ ଶୂନ୍ୟତା ଯୋଗୁ ବିଶ୍ବ ତୈଳ ବଜାରରେ ଯେଉଁ ହାହାକାର ସୃଷ୍ଟି ହେଲାଣି, ତହିଁରେ ଅନେକ ରାଷ୍ଟ୍ରର ତୈଳ-ଭିତ୍ତିକ ଅର୍ଥନୀତି ଦୋହଲିବା ଆରମ୍ଭ କଲାଣି। ଚୀନ୍‌ ସମେତ କେତେକ ରାଷ୍ଟ୍ରରେ କଳକାରଖାନା ବନ୍ଦ ହେବାର କ୍ରମ ଜାରି ରହିଥିବା ହେତୁ ଶିଳ୍ପ ଉତ୍ପାଦନ ଓ ଯୋଗାଣ ପାର୍ଶ୍ବରେ ଗୁରୁତର ଅଭାବ ଦେଖିବାକୁ ମିଳିଛି। ଏକ ଦୃଷ୍ଟାନ୍ତ ସ୍ବରୂପ ଚୀନ୍‌ରେ ଅନେକ ଔଷଧର ଉପାଦାନ (ଏ.ପି.ଆଇ.)ର ଉତ୍ପାଦନ ବନ୍ଦ ହୋଇଯାଇଥିବାରୁ ଭାରତରେ ‘ରେଟ୍ରୋ ଭାଇରାଲ୍‌’ ଔଷଧ ଶିଳ୍ପ ଏବେ ସ˚କଟରେ। ଉଲ୍ଲେଖଯୋଗ୍ୟ ଯେ ‘ରେଟ୍ରୋ-ଭାଇରାଲ୍‌’ ଔଷଧ ଶିଳ୍ପରେ ଭାରତ ହେଉଛି ପୃଥିବୀରେ ଏକ ଅଗ୍ରଗଣ୍ୟ ରାଷ୍ଟ୍ର। ୧୯୧୮ର ‘ସ୍ପାନିସ୍‌ ଫ୍ଲୁ’ର ଆତଙ୍କରାଜ ସମୟରେ ଭାରତର ଆର୍ଥିକ ଅଭିବୃଦ୍ଧିର ହାର ପହଞ୍ଚିଥିଲା ‘ମାଇନସ୍‌ ୧୦.୫%’ରେ(ଭାରତ ଇତିହାସରେ ସର୍ବନିମ୍ନ) ଏବ˚ ୧୯୧୧ରୁ ୧୯୨୧ ମଧୢରେ ହୋଇଥିବା ଜନଗଣନାରେ ଅବିଶ୍ବସନୀୟ ଭାବେ ଦେଖିବାକୁ ମିଳିଥିଲା ଯେ ପୂର୍ବ ତୁଳନାରେ ଭାରତର ଜନସ˚ଖ୍ୟାରେ ହ୍ରାସ ଘଟିଛି, ଯାହା କଦାଚିତ୍‌ ଇତିହାସରେ ଘଟିଥିବ କି ନାହିଁ ସନ୍ଦେହ।

ଅଭିଲେଖାଗାରର ନିଭୃତ କୋଣରୁ ୧୯୧୮କୁ ଅନାବରଣ କରିଥିବା ‘ଆଇ.ଆଇ.ଏମ୍‌.’-ଅହମଦାବାଦର ଅର୍ଥନୈତିକ ଇତିହାସକାର ଚିନ୍ମୟ ତୁମ୍ବେଙ୍କ ମତରେ କରୋନାର ମୁକାବିଲା ଲାଗି ଯାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ସଚେତନତା ଏବ˚ ସତର୍କତା। ତାଙ୍କ ମତରେ ‘ଇଣ୍ତିଆନ୍‌ ପ୍ରିମିଅର‌୍‌ ଲିଗ୍‌’ ଭଳି ଜନସମାଗମକାରୀ ସମସ୍ତ ପ୍ରକାର ମହୋତ୍ସବକୁ ସାମୟିକ ଭାବେ ନିଷେଧ କରାଯିବାର ସମୟ ଉପନୀତ। ତାଙ୍କ ମତରେ ମାତ୍ରାଧିକ ସତର୍କତା ହିଁ କେବଳ ସ˚କ୍ରମଣର ପ୍ରଭାବକୁ ହ୍ରାସ କରିବ।

ଭୁଲିଯିବା ଉଚିତ ନୁହେଁ ଯେ ମହାସ˚କ୍ରାମକଗୁଡ଼ିକ ଟିକିଏ ଗଳା ବାଟ ପାଇଲେ ହଠାତ୍‌ ବିସ୍ଫୋରକ ରୂପେ ବହୁଗୁଣିତ ହୋଇ ଅଣାୟତ୍ତ ହୋଇଯାଆନ୍ତିି। ପ୍ରଥମ ବିଶ୍ବ ଯୁଦ୍ଧ ସମୟରେ ଟ୍ରେ˚ଚ୍‌ ମଧୢରେ ଗୁଞ୍ଜାଗୁଞ୍ଜି ହୋଇ ରହି ଯୁଦ୍ଧ କରୁଥିବା କାଳରେ ହିଁ ‘ସ୍ପାନିସ୍‌ ଫ୍ଲୁ’ର ସ˚କ୍ରମଣ ବ୍ୟାପିବାକୁ ଆରମ୍ଭ କରିଥିଲା। ତେବେ, ସୈନିକମାନଙ୍କ ମନୋବଳକୁ ଅତୁଟ ରଖିବା ଲାଗି ଏହାକୁ କୌଶଳ କ୍ରମେ ଚାପି ଦିଆଯିବାରୁ ଇ˚ଲଣ୍ତ, ଫ୍ରାନ୍‌ସ ଓ ଆମେରିକାର ଶହ ଶହ ସୈନିକ ଏହାଦ୍ବାରା ଆକ୍ରାନ୍ତ ହୋଇ ଚାଲିଥିବା ସତ୍ତ୍ବେ ଏ ନେଇ କୌଣସି ସୂଚନା ନ ଥିଲା। ଅଗତ୍ୟା ଏହା ସ୍ପେନ୍‌ରେ ପହଞ୍ଚିବା ପରେ ଓ ତତ୍କାଳୀନ ସ୍ପେନ୍‌ ସରକାର ଦ୍ବାରା ଏହା ପ୍ରକାଶ୍ୟ ହେବା ପରେ ପୃଥିବୀ ଏହାର ସୁରାକ ପାଇଥିଲା। ଏକ ବିଡ଼ମ୍ବନା ସ୍ବରୂପ ସେତେବେଳେ ଏଭଳି ଏକ ଧାରଣା ମଧୢ ସୃଷ୍ଟି ହେଲା ଯେ ଏହି ସ˚କ୍ରମଣର ମୂଳଭୂମି ହେଉଛି ସ୍ପେନ୍‌, ଯାହା ସେହି ମାରାତ୍ମକ ରୋଗର ନାମକରଣରେ ସହାୟକ ହେଲା। ସେହିପରି ଚୀନର ଉହାନ ରାଜ୍ୟରେ ‘କରୋନା’ ସ˚କ୍ରମଣର ପ୍ରଥମ ଆଭାସ ୨୦୧୯, ଡିସେମ୍ବରରେ ମିଳି ସାରିଥିଲେ ମଧୢ ସ୍ଥାନୀୟ ପ୍ରଶାସନ ଏହାକୁ ଘୋଡ଼ାଇ ରଖିଥିଲେ, ଯେଉଁ କାରଣରୁ ଅଣାୟତ୍ତ କରୋନା ଆଜି ବିଶ୍ବ ମହାମାରୀ ରୂପେ ଆବିର୍ଭୂତ। ଏଥିରୁ ମିଳୁଥିବା ଶିକ୍ଷାଟି ହେଉଛି ଅସତର୍କତା ବା ଜାଣିଶୁଣି ଏହାକୁ ଗୋପନୀୟ କରି ରଖିବାର ଧୃଷ୍ଟତା ଏଭଳି ସ୍ଥଳେ କେବଳ ଆତ୍ମଘାତୀ ହିଁ ସାବ୍ୟସ୍ତ ହେବ। ଏଥିଲାଗି ଉଭୟ ଜନସାଧାରଣ ଏବଂ ସରକାର ମାତ୍ରାତିରିକ୍ତ ସତର୍କ ରହିବା ଜରୁରୀ। ଏବେ ସୁଦ୍ଧା ଆମ ରାଜ୍ୟରେ ଗୋଟିଏ ବି କରୋନା ସ˚କ୍ରମିତ ଚିହ୍ନଟ ହୋଇ ନ ଥିଲେ ସୁଦ୍ଧା ରାଜ୍ୟ ସରକାର ସବୁ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୩୧ ଯାଏ ବନ୍ଦ କରିବାର ନିଷ୍ପତ୍ତି ନେଇ ସେହି ମାତ୍ରାଧିକ ସତର୍କତାର ଦୃଷ୍ଟାନ୍ତ ରଖିଛନ୍ତି, ଯାହା ବର୍ତ୍ତମାନର ସମୟ ଓ ସ୍ଥିତି ଦାବି କରିଥାଏ। ଏଭଳି ସତର୍କତା ଆଗକୁ ଜାରି ରଖିବା ହିଁ ହେଉଛି କରୋନା ମୁକାବିଲାର ମୂଳମନ୍ତ୍ର।

ସମ୍ବନ୍ଧିତ ଖବର