ଖ୍ରୀଷ୍ଟମାସ ଅବସରରେ କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ଵାରୀ ଏକ ବିଦ୍ରୂପଭରା ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପର୍ବ ସହିତ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ ସାଣ୍ଟାକ୍ଲସ୍ଙ୍କ ସହିତ ଏକ ବିପରୀତ ତୁଳନା କରିଥିଲେ। ଲୋକକଥା ଅନୁସାରେ ଏହି ସମୟରେ ଧଳା ଦାଢ଼ିଧାରୀ ସାଣ୍ଟା ପିଲାମାନଙ୍କ ପାଇଁ ଉପହାରମାନ ଧରି ସନ୍ତର୍ପଣରେ ଆସି ସେଗୁଡ଼ିକୁ ସେମାନଙ୍କ ମୋଜା ଭିତରେ ଭର୍ତ୍ତି କରି ଦିଅନ୍ତି। ଧଳା ଦାଢ଼ି ଥିବା ନରେନ୍ଦ୍ର ମୋଦୀଙ୍କୁ ତିଓ୍ଵାରୀ ଜଣେ ଖରାପ ସାଣ୍ଟା ରୂପେ ଅଭିହିତ କରି ସେ ଓଲଟା ବିମୁଦ୍ରୀକରଣ ଓ ଜିଏସ୍ଟି ଭଳି ପଦକ୍ଷେପ ମାଧ୍ୟମରେ ଲୋକଙ୍କ ପକେଟରୁ ସେମାନଙ୍କ କଷ୍ଟ ଅର୍ଜିତ ପଇସା ନେଇ ଯାଉଛନ୍ତି ବୋଲି ବ୍ୟଙ୍ଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସାଣ୍ଟାମୋଦୀ ତାଙ୍କର ଏହି ଚରମ ଅର୍ଥନୈତିକ ସଂସ୍କାର ଦ୍ୱାରା ଦେଶବାସୀଙ୍କର ଲାଭ କରିଛନ୍ତି କି କ୍ଷତି କରିଛନ୍ତି, ସେ ନେଇ ବୌଦ୍ଧିକ ବିତର୍କ ଏବେବି ଲାଗି ରହିଛି। କିନ୍ତୁ ଦେଶର ଏପରି ଗୋଟିଏ ବର୍ଗର ନାଗରିକ ଅଛନ୍ତି ଯେଉଁମାନେ ଏହି ବଡ଼ଦିନ/ ନବବର୍ଷ ଅବସରରେ ମୋଦୀଙ୍କଠାରୁ ଏପରି ଏକ ଅମୂଲ୍ୟ ଉପହାର ପାଇଛନ୍ତି, ଯେଉଁଥିପାଇଁ ସେମାନେ ତାଙ୍କୁ କାହାଣୀର ସାଣ୍ଟାକ୍ଲସ୍ଙ୍କଠାରୁ ଆହୁରି ଅଧିକ ଉଦାର ବୋଲି ବିଚାର କରୁଥିବେ। ଏହି ଗୋଷ୍ଠୀର ଜଣେ ପ୍ରତିନିଧିଙ୍କ ନାମ ହେଉଛି ଇସ୍ରତ୍ ଜହାନ୍। ସେ ହେଉଛନ୍ତି ବର୍ତ୍ତମାନର ବହୁଚର୍ଚ୍ଚିତ ତିନି ତଲାକ୍ କେସ୍ର ଅନ୍ୟତମ ଆବେଦନକାରିଣୀ। ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱାରା ଆଗତ ତିନି ତଲାକ୍ ନିଷେଧ ବିଲ୍ ପାରିତ ହୋଇଯିବା ପରେ ସେ ଏପରି ଆନନ୍ଦ ବିହ୍ଵଳ ହୋଇ ପଡ଼ିଛନ୍ତି ଯେ ଜୀବନରେ ଏହାଠାରୁ ଅଧିକ ମୂଲ୍ୟବାନ ଉପହାର ଆଉ କ’ଣ ହୋଇପାରେ ବୋଲି ବିଚାର କରି ଏହି ଆଇନକୁ ଏକ ବୈପ୍ଳବିକ ଆଇନ ବୋଲି ବର୍ଣ୍ଣନା କରିଛନ୍ତି। ସେତିକି ନୁହେଁ ନିଜର କୃତଜ୍ଞତାର ଚିହ୍ନ ସ୍ୱରୂପ ଏହି ୩୧ ବର୍ଷୀୟା ମୁସଲମାନ ମହିଳା ଜଣକ ଗତ ଶନିବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।
ଇସରତ୍ ଜହାନ୍ଙ୍କ ପରି ମୁସଲମାନ ମହିଳାମାନଙ୍କ ପାଇଁ ପ୍ରସ୍ତାବିତ ତିନିତଲାକ୍ ନିଷେଧ ଆଇନର ମୂଲ୍ୟ କ’ଣ ତାହା ଇସରତ୍ଙ୍କ ଘଟଣା ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ପକାଇଲେ ବେଶ୍ ସ୍ପଷ୍ଟ ହୋଇଥାଏ। ଇସରତ୍ ଓ ତାଙ୍କର ପୂର୍ବତନ ସ୍ୱାମୀ ମୁର୍ତାଜା ହେଉଛନ୍ତି ଉଭୟ ବିହାର ବାସିନ୍ଦା। ୨୦୦୦ ସାଲରେ ବିବାହ ପରେ ସେମାନେ ସେଇ ବର୍ଷ ପଶ୍ଚିମବଙ୍ଗର ହାଓଡ଼ାକୁ ଚାଲି ଆସିଥିଲେ। ଲାଗ ଲାଗ ତିନିଟି କନ୍ୟା ସନ୍ତାନ ଜନ୍ମ ହେବାପରେ ପୁତ୍ରକାମୀ ମୁର୍ତାଜା ପତ୍ନୀ ଇସ୍ରତଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଡ଼ିଲା। ପୁତ୍ର ଲାଭ ଆଶାରେ ମୁର୍ତାଜା ଆଉ ଏକ ବିବାହ କରିବାକୁ ଚାହୁଁଥିଲା। ଇତିମଧ୍ୟରେ ଇସରତ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ମଧ୍ୟ ସେମାନଙ୍କ ସମ୍ପର୍କରେ ଉନ୍ନତି ଘଟିଲା ନାହିଁ। ମୁର୍ତାଜା ୨୦୧୫ ଏପ୍ରିଲ୍ରେ ଦୁବାଇରୁ ଏକ ଟେଲିଫୋନ୍ କଲ୍ ମାଧ୍ୟମରେ ଇସରତ୍ଙ୍କୁ ତିନି ତଲାକ୍ ଦେଇ ସେମାନଙ୍କର ବିବାହରେ ଅନ୍ତ ଘଟାଇ ଦେଲା। ମୁର୍ତାଜା ଆଉ ଏକ ବିବାହ କରିଥିବା ଅଭିଯୋଗ ହୋଇଛି। ଗତ ଅଗଷ୍ଟରେ ସୁପ୍ରିମ୍ କୋର୍ଟ ଯେଉଁ ମାମଲାରେ ବିଚାର କରି ୩-୨ ବହୁ ମତରେ ତିନି ତଲାକ୍କୁ ଅବୈଧ ଘୋଷଣା କଲେ, ସେଇ ମାମଲାରେ ଥିବା ପାଞ୍ଚଜଣ ପକ୍ଷଙ୍କ ମଧ୍ୟରୁ ଜଣେ ହେଲେ ଏଇ ଇସରତ୍ ଜହାନ୍। ସେଥିରେ ଥିବା ଅନ୍ୟ ପକ୍ଷମାନେ ହେଲେ ଉତ୍ତରାଖଣ୍ଡର ଉଚ୍ଚଶିକ୍ଷିତା ମହିଳା ୩୬ ବର୍ଷୀୟା ସାୟରା ବାନୋ, ଉତ୍ତରପ୍ରଦେଶର ୩୦ ବର୍ଷୀୟା ଇଂରେଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀଧାରିଣୀ ଗୁଲସନ୍ ପରଭିନ୍, ରାଜସ୍ଥାନର ଏମ୍ବିଏ ଡିଗ୍ରୀଧାରିଣୀ ୨୮ ବର୍ଷୀୟା ଆଫ୍ରିନ୍ ରେହମାନ୍ ଏବଂ ଉତ୍ତରପ୍ରଦେଶର ୨୮ ବର୍ଷୀୟା ଆତିୟା ସାବ୍ରି।
ଏହି ପାଞ୍ଚଜଣ ଶିକ୍ଷିତା ମୁସଲମାନ ଯୁବତୀଙ୍କ ସହିତ ସୁପ୍ରିମ୍ କୋର୍ଟ ଭାରତୀୟ ମୁସଲିମ୍ ମହିଳା ଆନ୍ଦୋଳନ (ବିଏମ୍ଏମ୍ଏ) ନାମକ ସଂଗଠନକୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିଥିଲେ। ଦେଶର ୯୨% ମୁସଲମାନ ମହିଳା ତିନି ତଲାକର ଉଚ୍ଛେଦ ଚାହୁଁଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଥିବା ତଥ୍ୟକୁ ଆଧାର କରି ଅଦାଲତ ବିଏମ୍ଏମ୍ଏକୁ ଏହି ମାମଲାରେ ପକ୍ଷଭୁକ୍ତ କରିଥିଲେ। ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ରାୟକୁ ଏ ସମସ୍ତ ପକ୍ଷମାନେ ସେତେବେଳେ ଉଚ୍ଛ୍ୱସିତ ଭାବେ ସ୍ୱାଗତ କରି ତୁରନ୍ତ ଏହାକୁ ଅନୁସରଣ କରି ପାର୍ଲାମେଣ୍ଟ ଦ୍ୱାରା ଏକ କଠୋର ଆଇନ ପ୍ରଣୟନ କରାଯାଉ ବୋଲି ଦାବି କରିଥିଲେ। ବର୍ତ୍ତମାନ ସେଇ ଅନୁଯାୟୀ ଆଇନ ହେବା ପାଇଁ ଏକ ବିଲ୍ ପ୍ରସ୍ତୁତ ହୋଇ ଲୋକସଭା ଅତିକ୍ରମ କରି ରାଜ୍ୟସଭାରେ ଅନୁମୋଦନ ଲାଭ କରିବାକୁ ଅପେକ୍ଷା କରିଛି। ଏହି ବିଲ୍ରେ ତିନି ତଲାକ୍ ପ୍ରଦାନକୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିଚାର କରାଯାଇ ଦୋଷୀକୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି।
ଏହି ସନ୍ଧିକ୍ଷଣରେ ମୌଳବାଦୀ ମୁସଲମାନ ଏବଂ ତଥାକଥିତ ଉଦାରବାଦୀମାନେ ହାତ ମିଳାଇ ବିଲ୍ଟିକୁ ତୀବ୍ର ବିରୋଧ କରିବା ଆରମ୍ଭ କରିଛନ୍ତି। ସେମାନେ ବିଶେଷ କରି ଏହି ଜେଲ୍ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଏକ ଦେଓ୍ଵାନି ମାମଲାରେ ଫୌଜଦାରୀ ଦଣ୍ଡ ପ୍ରଦାନକୁ ଆଇନସଂଗତ ନୁହେଁ ବୋଲି ଅଭିଯୋଗ କରୁଛନ୍ତି। ଆମୋଦଦାୟକ ଭାବରେ ସେମାନେ ଏଭଳି ବିରୋଧ ପ୍ରକଟ କରୁଥିବା ବେଳେ ଉତ୍ତର ପ୍ରଦେଶ ସିଆ ଓ୍ଵାକଫ୍ ବୋର୍ଡ ଠିକ୍ ଏହାର ବିପରୀତ ଦାବି କରି କହିଛି ଯେ ଆଇନରେ ଥିବା ଜେଲ୍ଦଣ୍ଡ ବ୍ୟବସ୍ଥା କେବଳ ଯେ ଯଥାର୍ଥ, ତାହା ନୁହେଁ, ଏହା ଆଦୌ ଯଥେଷ୍ଟ ନୁହେଁ। ଏହି ଓ୍ଵାକଫ୍ ବୋର୍ଡର ଚେଆରମ୍ୟାନ୍ ଓ୍ଵାସିମ୍ ରିଜ୍ଭି ଗତ ସପ୍ତାହରେ ଦାବି କରିଛନ୍ତି ଯେ ପ୍ରସ୍ତାବିତ ଜେଲ୍ ଦଣ୍ଡର ଅବଧିକୁ ତିନିବର୍ଷରୁ ବୃଦ୍ଧି କରି ୧୦ ବର୍ଷ କରି ଦିଆଯାଉ। ଇସ୍ରତ୍ ଜହାନ୍ ଓ ଓ୍ଵାସିମ୍ ରିଜ୍ଭିଙ୍କୁ ଦେଶର ପ୍ରାୟ ସମସ୍ତ ମୁସଲମାନ ମହିଳାମାନଙ୍କର ସ୍ୱର ରୂପେ ବିଚାର କରାଯାଇପାରେ। ବିବାହ ସମ୍ପର୍କିତ ମାମଲାରେ ଆପରାଧିକ ଦଣ୍ଡ ଦାନକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ଯୌତୁକ ନିରୋଧ କିମ୍ବା ବାଲ୍ୟ ବିବାହ ନିଷେଧ ଭଳି ମାମଲାରେ ମଧ୍ୟ ଏଭଳି ଦଣ୍ଡଦାନର ବ୍ୟବସ୍ଥା ରହିଛି। ପୁଣି ଏକଥା ମଧ୍ୟ ଲକ୍ଷ୍ୟ କରିବା କଥା ଅନେକ ତିନି ତଲାକ ଘଟଣାରେ ଯୌତୁକ ଏକ କାରଣ ହୋଇଥାଏ (ଯେମିତି ଆଫ୍ରିନ୍ ରେହମାନ୍ କିମ୍ବା ଗୁଲସନ୍ ପରଭିନ୍ ମାମଲାରେ ଅଭିଯୋଗ ହୋଇଛି)। ସବୁ ଦୃଷ୍ଟିରୁ ବିଚାର କରି ଦେଖିଲେ ଯାହା ନିଃସନ୍ଦେହ ହୋଇଥାଏ ତାହାହେଲା ୨୦୧୭ ବର୍ଷର ଶେଷ ଦିନରେ ସାଣ୍ଟାମୋଦୀ କହିଥିବା ଭଳି ତିନି ତଲାକ୍ ନିଷେଧ ଆଇନ ହେଉଛି ମୁସଲମାନ ମହିଳାଙ୍କ ପାଇଁ ମୁକ୍ତିର ଏକ ମାର୍ଗ।