ଅଯଥା କଥା

ଇହୁଦୀମାନଙ୍କ ଭିତରେ ପ୍ରଚଳିତ ଗୋଟିଏ ଆପ୍ତ ବାକ୍ୟଟି ଏହି ପରି- ‘ତୁମ ତୁଣ୍ତରୁ ଯାହା ଫିଟିବ ତାହା ନିର୍ଣ୍ଣୟ କରିବ ତୁମେ ଜ୍ଞାନୀ ନା ମୂର୍ଖ; ଏବ˚ ତୁମେ ଯାହା କହିବ ନାହିଁ ବୋଲି ବିଚାର କରି ନିରବ ରହିବ ତାହା ଜଣାଇ ଦେବ ତୁମେ ପ୍ରାଜ୍ଞ ନା ନିର୍ବୋଧ। ଏହି ଆପ୍ତ ବାକ୍ୟଟି ଏବେ ସ୍ମରଣକୁ ଆସିବାର କାରଣ ଗଲା ୧୪ ତାରିଖରେ ଜଣେ ବିଶ୍ବବିଦିତ ଜ୍ଞାନୀଙ୍କ ତୁଣ୍ତରୁ ବାହାରିଥିବା କିଛି ବାକ୍ୟ, ଯାହା ତାଙ୍କର ବୋଧଶୂନ୍ୟତାର ପ୍ରମାଣ ବହନ କରିଥାଏ। ସେ ହେଉଛନ୍ତି ବିଶ୍ବ ପ୍ରସିଦ୍ଧ ବ୍ୟାଙ୍କି˚ ଓ ପୁଞ୍ଜି ନିବେଶକ ସ˚ସ୍ଥା ‘ଗୋଲ୍‌ଡମାନ ସାକ୍‌ସ’ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ଜିମ୍‌ ଓ’ ନିଲ୍‌ ଏବ˚ ତାଙ୍କ ଦ୍ବାରା ପ୍ରଦତ୍ତ ବକ୍ତବ୍ୟ, ଯାହା ‘ସିିଏନ୍‌ବିସି’ରେ ଅନୁଷ୍ଠିତ ଗୋଟିଏ ବିତର୍କର ଏକ ଅ˚ଶ ଥିଲା, କହିଥାଏ: ‘ଈଶ୍ବରଙ୍କୁ ଧନ୍ୟବାଦ, କରୋନା ସ˚କ୍ରମଣ ଭାରତରେ ଆରମ୍ଭ ହୋଇନାହିଁ। କାରଣ ଚୀନରେ ଯେଉଁଭଳି ପ୍ରତିକ୍ରିୟାତ୍ମକ ପଦକ୍ଷେପ ନିଆଗଲା, ଭାରତର ସରକାରୀ ବ୍ୟବସ୍ଥା କୌଣସିମତେ ସେଭଳି କରିପାରନ୍ତେ ନାହିଁ। ଏହା ହେଉଛି ‘ଚୀନା ମଡେଲ’ର ଏକ ଭଲ ଦିଗ, ଯାହା ବ୍ରାଜିଲ ମଧୢ (ଭାରତ ପରି) କରିପାରନ୍ତା ନାହିଁ।’ ସ୍ବାଭାବିକ ଭାବେ ଓ’ ନିଲ୍‌ଙ୍କ ବକ୍ତବ୍ୟ ଭାରତରେ ସମାଲୋଚନାର ଶରବ୍ୟ ହୋଇଛି। ଏ ବକ୍ତବ୍ୟଟି ତା’ର ଯଥାର୍ଥତା ପରିବର୍ତ୍ତେ ଆଉ ଯେଉଁ କାରଣ ସକାଶେ ଏଠାରେ ପ୍ରଶ୍ନ ଜର୍ଜରିତ ହୋଇଛି, ତାହା ହେଲା ଆକାଶରୁ ତୋଳି ଆଣି ଭାରତକୁ ସ˚ଶ୍ଳିଷ୍ଟ କରି ଏଭଳି ମନ୍ତବ୍ୟଟିଏ ପ୍ରଦାନ କରିବାର ଆବଶ୍ୟକତା। ସେହି ଦୃଷ୍ଟିରୁ ‘ଚର୍ଚ୍ଚିଲଙ୍କ ପ୍ରେତକୁ ଏ ପର୍ଯ୍ୟନ୍ତ ଲାଉ କରି ଚାଲିଥିବା କିଛି ପାଶ୍ଚାତ୍ୟ ବିଦ୍ବାନଙ୍କ ଧାରଣାର ଆଲୋକରେ କରୋନା ମହାସ˚କ୍ରମଣ ସମ୍ବନ୍ଧରେ କିଛି ଆଲୋଚନା କରାଯାଇପାରେ।

ଧରି ନିଆଯାଉ ଯେ ଓ’ ନିଲଙ୍କ ମନରେ ଭୟ ଉଦ୍ରେକ କଲା ଭଳି ଭାରତର କୌଣସି ଏକ ସ୍ଥାନରେ ‘କୋଭିଡ୍‌-୧୯’ ଭୂତାଣୁର ସ˚କ୍ରମଣ ଆରମ୍ଭ ହୁଅନ୍ତା ଏବ˚ ଯାହା ନେଇ ସରକାରଙ୍କୁ ଗତ ବର୍ଷ ଡିସେମ୍ବର ମାସରୁ ସତର୍କ କରାଇ ଦିଆଯାଇ ସାରିଥାଆନ୍ତା, ଯେମିତି ଚୀନରେ ହୋଇଥିଲା। ତା ପରେ ଚୀନରେ କିଭଳି ପ୍ରତିକ୍ରିୟା ପ୍ରଦର୍ଶନ କରାଗଲା, ତାହା ତ ଏବେ ସର୍ବଜନବିଦିତ; ତେବେ ପ୍ରଶ୍ନ ଉଠିଥାଏ ଏଭଳି ସ୍ଥିତିରେ ଭାରତରେ କିଭଳି ଦୃଶ୍ୟ ଦେଖିବାକୁ ମିଳିଥାଆନ୍ତା? ଉତ୍ତରଟି ଏୟା ଯେ ହୁଏ’ତ ପ୍ରାରମ୍ଭିକ ପର୍ଯ୍ୟାୟର ସନ୍ଦେହ ଓ ଅନିଶ୍ଚିତତାର ଅଳ୍ପ କିଛି ସମୟ ପରେ ସ˚କ୍ରମଣର ଗାମ୍ଭୀର୍ଯ୍ୟ ହୃଦ୍‌ବୋଧ ହେବା ଉପରାନ୍ତ ମୁକାବିଲାର ପର୍ବ ଆରମ୍ଭ ହୁଅନ୍ତା। ଚୀନ୍‌ ଭଳି ଏକ ଅଥାନରେ ଉଠିଥିବା ବଥ ସଦୃଶ ଏହାକୁ ଲୁଚାଇବାର ପ୍ରୟାସ କରାଯାଆନ୍ତା ନାହିଁ। ଏହା ମଧ୍ୟ ସତ ଯେ ଭାରତରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା, ବିରୋଧୀ ଦଳ ଏବ˚ ମୁକ୍ତ ଗଣମାଧୢମର ଉପସ୍ଥିତିରେ ସେଭଳି ପ୍ରୟାସ ସମ୍ଭବ ମଧୢ ହୁଅନ୍ତା ନାହିଁ। ସୁତରା˚, ଏହା ଏକ ମହାସ˚କ୍ରମଣରେ ପରିଣତ ହେବା ପୂର୍ବରୁ ଅବଶିଷ୍ଟ ବିଶ୍ବ ସତର୍କ ହୋଇଯାଆନ୍ତା। ଅଥଚ ଚୀନ୍‌ରେ ହୁବେଇ ରାଜ୍ୟର ଉହାନ ନଗରକୁ ସେଠାକାର ସରକାର ସ˚ପୂର୍ଣ୍ଣ ରୂପେ ବନ୍ଦ କରିଦେଲା ବେଳକୁ ଯେତେବେଳେ ଅବଶିଷ୍ଟ ପୃଥିବୀ ଏ ବିଷୟରେ ସୂଚନା ପାଇଲା, ସେତେବେଳକୁ ଚୀନରୁ ବାହାରି ପୃଥିବୀର ବିଭିନ୍ନ ରାଷ୍ଟ୍ରକୁ ଯାଇଥିବା ବ୍ୟକ୍ତିମାନଙ୍କ ଶରୀରରେ ଆସ୍ଥାନ ଜମାଇ ‘କୋଭିଡ୍‌-୧୯’ ଭୂତାଣୁ ବିଶ୍ବ ପରିଭ୍ରମଣ ଆରମ୍ଭ କରି ସାରିଥିଲା। ଏହା ହେଉଛି କରୋନା ‘ପାନ୍‌ଡେମିକ୍‌’ ହେବାର ପ୍ରଥମ ଓ ମୂଳ କାରଣ। ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ‘ଥିଓରି’ ଅନୁସାରେ ମୁକ୍ତ ଗଣମାଧୢମ ଜୀବନ୍ତ ଥିବା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ‘ଦୁର୍ଭିକ୍ଷ’ଟିଏ ହେବା ଅତ୍ୟନ୍ତ କଷ୍ଟକର। କାରଣ ସମସ୍ୟାଟିକୁ ଘୋଡ଼ାଇ ରଖିବା ବା ନଜରଅନ୍ଦାଜ କରିଦେବା ଏଭଳି ସ୍ଥିତିରେ ଏକ ଅସମ୍ଭବ ବ୍ୟାପାର। ଦୁର୍ଭିକ୍ଷ ପରିବର୍ତ୍ତେ ‘ମହାମାରୀ’ ଲେଖିଥିଲେ ବି ଅମର୍ତ୍ତ୍ୟ ସେନଙ୍କ ‘ଥିଓରି’ ଯଥାର୍ଥ ବୋଧ ହୁଅନ୍ତା।

ଅବଶ୍ୟ, ଏହା ସ୍ବୀକାର ଯୋଗ୍ୟ ଯେ ଭାରତର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ଦୁର୍ବଳତା ଏବ˚ ବିଭିନ୍ନ ସରକାରୀ ବିଭାଗର ଅଦକ୍ଷତା ବିଶ୍ବବିଶ୍ରୁତ। ତେବେ, ଏହା ମଧୢ ସତ୍ୟ ଯେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଯେଉଁଭଳି ସଫଳତା ପ୍ରଦର୍ଶନ କରିପାରିଛି, ତାହା ଅନେକ ସମୟରେ ଦୃଷ୍ଟାନ୍ତମୂଳକ ହୋଇ ରହିଛି। ଏ ସ˚ଦର୍ଭରେ ଭାରତ ସମ୍ମୁଖୀନ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଆଲୋଚନାର ପରିସରକୁ ନ ଆଣି ନିକଟ ଅତୀତରେ ଘଟିଥିବା କେବଳ କେତେକ ମାରାତ୍ମକ ସ˚କ୍ରାମକ ରୋଗର ମୁକାବିଲାକୁ ଦେଖିବା। ୧୯୯୪ ମସିହାରେ ସୁରଟରେ ଆରମ୍ଭ ହୋଇଥିବା ପ୍ଲେଗ୍‌କୁ ପ୍ରାୟତଃ ସେହି ଅଞ୍ଚଳ ମଧୢରେ ହିଁ ସୀମିତ ରଖାଯାଇ ପାରିଥିଲା। ସେଇଭଳି ୨୦୧୮ରେ କେରଳର କୋଜିକୋଡ଼ରେ ଆରମ୍ଭ ହୋଇଥିବା ଅତ୍ୟନ୍ତ ମାରାତ୍ମକ ‘ନିପା’ ଭୂତାଣୁର ସ˚କ୍ରମଣକୁ ମଧୢ ସ୍ଥାନୀୟ ଅଞ୍ଚଳ ମଧୢରେ ବାନ୍ଧି ରଖାଯାଇପାରିଥିଲା। ଏହି ପରିପ୍ରେକ୍ଷୀରେ ଭୂତାଣୁ ସ˚କ୍ରମଣକୁ ପ୍ରତିରୋଧ କରିବାରେ ସଫଳ ‘କେରଳ ମଡେଲ୍‌’ ସ˚ପର୍କରେ ଏକ କାର୍ଯ୍ୟକ୍ରମ ନିକଟରେ ‘ବି.ବି.ସି.’ ଟେଲିଭିଜନରେ ଦେଖିବାକୁ ମିଳିଥିଲା।

ଓ’ ନିଲ୍‌ ତାଙ୍କ ବକ୍ତବ୍ୟରେ ପ୍ରଶ˚ସିତ ‘ଚୀନ୍‌ ମଡେଲ୍‌’ ହୁଏ’ତ କେବଳ ଚୀନ୍‌ ଭଳି ଗୋଟିଏ ଏକଛତ୍ରବାଦୀ ଶାସନର ପର˚ପରାରେ ସମ୍ଭବ ହୋଇପାରେ, ଯେଉଁଠାରେ ସହସା ଏବ˚ ବଳପୂର୍ବକ ଯେକୌଣସି ସ୍ବାଧୀନତା ହନନକାରୀ ପଦକ୍ଷେପ ନିଆଯାଇପାରେ, ଯାହା ଏକ ଗଣତନ୍ତ୍ରରେ କଷ୍ଟକର ପ୍ରତୀୟମାନ ହେବ। ତଥାପି ଭାରତ ଭଳି ଏକ ଗଣତନ୍ତ୍ରରେ ଦୁଇ ବର୍ଷ ପୂର୍ବେ ‘ନିପା’ ସ˚କ୍ରମଣକୁ ରୋକିବାରେ ଏବ˚ ଏବେ ପ୍ରାରମ୍ଭିକ ଅବସ୍ଥାରେ ଥିବା ‘କୋଭିଡ୍‌-୧୯’ ସ˚କ୍ରମଣର ଦ୍ରୁତ ଗତିରେ ବାଧା ପହଞ୍ଚାଇବାରେ ‘କେରଳ ମଡେଲ୍‌’ ଉଦାହରଣୀୟ ସାବ୍ୟସ୍ତ ହୋଇଛି। କରୋନା ସ˚କ୍ରମିତ ପ୍ରଥମ ଭାରତୀୟ ରାଜ୍ୟଙ୍କ ମଧୢରେ କେରଳ ହେଉଛି ଅନ୍ୟତମ। ଏହି ରାଜ୍ୟରେ ଫେବ୍ରୁଆରି ୪ରେ ୧୦୦ ଜଣ ସନ୍ଦିଗ୍‌ଧ କରୋନା ସ˚କ୍ରମିତଙ୍କ ନମୁନା ଯାଞ୍ଚ ଲାଗି ପଠାଯାଇଥିଲା। କିନ୍ତୁ ଫେବ୍ରୁଆରି ୧୪ ବେଳକୁ ଏହି ସ˚ଖ୍ୟା କମି ୨୭ରେ ପହଞ୍ଚିଥିଲା। ଇତିମଧୢରେ ମାସଟିଏ ଅତିବାହିତ ହୋଇଯାଇଥିଲେ ସୁଦ୍ଧା କେରଳରେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ୨୨ରେ ସୀମିତ ରହିଛି ଏବ˚ ଏହି ସ୍ତମ୍ଭ ଲେଖା ହେବା ବେଳକୁ ଭାରତରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ୧୦୭ରେ ପହଞ୍ଚିଥିବା ବେଳେ କେରଳରୁ ମାତ୍ର ଜଣେ ନୂଆ କରୋନା ସ˚କ୍ରମିତ ଯୋଡ଼ି ହୋଇଛନ୍ତି। ଏଭଳି ସମ୍ଭବ ହୋଇପାରିଛି ଏକ ଅତ୍ୟନ୍ତ ସକ୍ରିୟ ସଚେତନତାର ପ୍ରସାର ତଥା ଏକ ସୁଦକ୍ଷ ଗୋଷ୍ଠୀଭିତ୍ତିକ ପର୍ଯ୍ୟପେକ୍ଷଣ ବ୍ୟବସ୍ଥା ଦ୍ବାରା।

କରୋନା ସ˚କ୍ରମଣର ପ୍ରତିିରୋଧକୁ ନେଇ ‘କେରଳ ମଡେଲ୍‌’ ଭଳି ଆଉ ଯେଉଁ ରାଜ୍ୟଟି ଏକ ସକ୍ରିୟ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଏକ ‘ମଡେଲ’ ପ୍ରସ୍ତୁତ କରିପାରିଛି, ତାହା ହେଉଛି ଓଡ଼ିଶା। ଏବେ ସୁଦ୍ଧା ଆମ ରାଜ୍ୟରେ ଜଣେ ହେଲେ ସ˚କ୍ରମିତ ଦୃଷ୍ଟିଗୋଚର ହୋଇ ନ ଥିବା ସତ୍ତ୍ବେ ରାଜ୍ୟ ସରକାର କରୋନା ସ˚କ୍ରମଣକୁ ଏକ ରାଜ୍ୟ ବିପର୍ଯ୍ୟୟ ରୂପେ ଘୋଷଣା କରି ଯେଉଁ ସତର୍କତା ପ୍ରଦର୍ଶନ କରିଛନ୍ତି, ତାହା ମତାନ୍ତରେ ମାତ୍ରାଧିକ ବୋଲି ଅଭିହିତ ହେଉଥିଲେ ସୁଦ୍ଧା ସ˚କ୍ରମଣର ଭୟାବହତା ଦୃଷ୍ଟିରୁ ଯେ ଅତ୍ୟନ୍ତ ସ୍ବାଗତଯୋଗ୍ୟ, ଏହା କହିବା ବାହୁଲ୍ୟ ମାତ୍ର।

ମନେ ରହିବା ଉଚିତ ଯେ କୌଣସି ‘ପାନ୍‌ଡେମିକ୍‌’ରେ ଯେତେ ପର୍ଯ୍ୟନ୍ତ ପୃଥିବୀର କୌଣସି ଏକ କୋଣରେ ଶେଷ ସ˚କ୍ରମିତ ବ୍ୟକ୍ତି ଚିହ୍ନଟ ହୋଇସାରି ନାହାନ୍ତି, ସେ ପର୍ଯ୍ୟନ୍ତ ସ˚କ୍ରମଣର ଗତିକୁ ରୋକିବାରେ ଏକ ରାଷ୍ଟ୍ର ସଫଳ ହୋଇଛି ବୋଲି ଚୂଡ଼ାନ୍ତ ଭାବେ କହିହେବନାହିଁ। ବିଶେଷଜ୍ଞମାନଙ୍କ ମତରେ ସ˚କ୍ରମଣଟି ତାର ପ୍ରାରମ୍ଭ ପରେ ଊର୍ଦ୍ଧ୍ବମୁଖୀ ହୋଇ ଶିଖର ଛୁଇଁବା ପଶ୍ଚାତ୍‌ ପୁନଶ୍ଚ ଅବତରଣ କରି ଅନ୍ତିିମ ଚରଣରେ ପହଞ୍ଚି ଏ ପୃଥିବୀ ପୃଷ୍ଠରୁ ସ˚ପୂର୍ଣ୍ଣ ରୂପେ ଅପସରି ଯିବା ଲାଗି ହୁଏ’ତ ବର୍ଷକ ଯାଏ ସମୟ ଲାଗିପାରେ। ସେହି ଦୃୃଷ୍ଟିରୁ ଭାରତରେ କରୋନା ସ˚କ୍ରମଣ ପରିଶେଷରେ କି ରୂପ ନେବ ସେ ବିଷୟରେ ଏବେ ଠାରୁ କୌଣସି କଥା ନିଶ୍ଚିତ ଭାବେ କୁଯାଯାଇ ନ ପାରେ। କିନ୍ତୁ ଏହା ନିଶ୍ଚିତ ଯେ ‘କୋଭିଡ୍‌-୧୯’କୁ ସମ୍ମୁଖୀନ ହେଉ ହେଉ ଭାରତ ତାର ପ୍ରାରମ୍ଭିକ ଅଭିଯାନ ଠିକଣା ବାଟରେ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର