ଶିକାର- ଶିକାରୀ

ଆମେ ମନୁଷ୍ୟମାନେ ବର୍ତ୍ତମାନ ଏକ କ୍ଷୁଦ୍ରାତିକ୍ଷୁଦ୍ର, ଅଦୃଶ୍ୟ ଭୂତାଣୁ ଯୋଗୁଁ ଯେଉଁ ଭଳି ଭୟରେ ଜଡ଼ସଡ଼ ହୋଇ ଦିନ କଟାଉଛୁ, ତାହା କୌଣସି ଜୈବବିଜ୍ଞାନୀଙ୍କ ଦୃଷ୍ଟିରେ ଚାର୍ଲସ୍‌ ଡାର‌୍‌ଵିନ୍‌ଙ୍କର ସର୍ବଜନ ବିଦିତ ବିବର୍ତ୍ତନବାଦ ନାଟକର ଏକ ଦୃଶ୍ୟ ବ୍ୟତୀତ ଆଉ କିଛି ନୁହେଁ ବୋଲି ବିବେଚିତ ହେବ। ନିର୍ଦ୍ଦିଷ୍ଟ ଭାବରେ ଏହା ବିବର୍ତ୍ତନବାଦର ମୂଳଭିତ୍ତି ‘ପ୍ରାକୃତିକ ଚୟନ’ ବା ‘ନାଚୁରାଲ୍‌ ସିଲେକ୍‌ସନ୍‌’ର ଏକ ନିଷ୍ଠୁର ଦୃଶ୍ୟ। ପ୍ରାକୃତିକ ଚୟନ (ଡାର‌୍‌ଵିନ୍‌ଙ୍କ ଭାଷାରେ ‘ଷ୍ଟ୍ରଗ୍‌ଲ ଫର‌୍‌ ଏଗ୍‌ଜିଷ୍ଟେନ୍‌ସ’ ବା ‘ଜୀବନ ସ˚ଗ୍ରାମ’) ନିୟମ ଅନୁସାରେ ପ୍ରତ୍ୟେକ ଜୀବନ୍ତବସ୍ତୁ ଶତ୍ରୁମାନଙ୍କ ଦ୍ବାରା ଘେରି ହୋଇ ରହିଥାଏ, ଯେଉଁମାନେ ତା’ର ବିନାଶ ଘଟାଇବା ପାଇଁ ସଦାସର୍ବଦା ଉଦ୍ୟମରତ ଥାଆନ୍ତି।

ଶିକାରର ବିନାଶ ସାଧନ ପାଇଁ ଏହି ଶତ୍ରୁମାନେ ବିଭିନ୍ନ କୌଶଳମାନ ଅବଲମ୍ବନ କରିବା ମଧୢ ଦେଖାଯାଇଥାଏ: ହରିଣକୁ ଧରିବା ପାଇଁ ବାଘ ଘାସ ବଣରେ ଲୁଚିବାରୁ, ମାଛିକୁ ଧରିବା ପାଇଁ ବୁଢ଼ିଆଣୀ ଜାଲ ବୁଣି ଅପେକ୍ଷା କରିବା ପର୍ଯ୍ୟନ୍ତ। ଅତୀତରେ ଆଦିମ ମନୁଷ୍ୟମାନେ ବାଘ, ସି˚ହ ଭଳି ହି˚ସ୍ରଜନ୍ତୁମାନଙ୍କ ଠାରୁ ଯେଉଁଭଳି ବିପଦର ସମ୍ମୁଖୀନ ହେଉଥିଲେ, ଆଜିର ସହରୀ ମଣିଷ ସେଥିରୁ ମୁକ୍ତି ପାଇଛି, କିନ୍ତୁ ଘାସ ବଣରେ ଛକି ଥିବା କଲରାପତରିଆ ଭଳି ବାୟୁମଣ୍ତଳରେ ଛକି ରହିଥିବା ‘କରୋନା ଭାଇରସ୍‌’ ଭଳି ଭୂତାଣୁ ଯୋଗୁଁ ସେମାନଙ୍କୁ ସେଇଭଳି ପରାଣ ଆତଙ୍କରେ ଏବେ କାଳ କାଟିବାକୁ ପଡ଼ୁଛି। ବାଘ, ସି˚ହ ସେମାନଙ୍କର ଶିକାରକୁ ମାରି ସାରି ତା’ର ଶରୀରକୁ ଭକ୍ଷଣ କରୁଥିବା ବେଳେ, ଭୂତାଣୁ ଭଳି ଅଦୃଶ୍ୟ ଶତ୍ରୁ ଅସ˚ଖ୍ୟ ସ˚ଖ୍ୟାରେ ପ୍ରାଣୀକୁ ଆକ୍ରମଣ କରି ତା’ର ଜୀବନ୍ତ ଅବସ୍ଥାରେ ହିଁ ତା’ର ଶରୀରକୁ ଧୀରେ ଧୀରେ ଖାଇ ଚାଲିଥାନ୍ତି।

ପ୍ରାକୃତିକ ଚୟନ ନିୟମ ଶତ୍ରୁ କବଳିତ ଶିକାରକୁ ଅସହାୟ କରିଥିବା ଭଳି ମନେ ହେଉଥିଲେ ହେଁ, ଶିକାର ମଧୢ ସର୍ବଦା ଶିକାରୀର ପତନ ଘଟାଇବା ପାଇଁ ଉଦ୍ୟମ କରିଚାଲିଥାଏ। ଉଦାହରଣ ସ୍ବରୂପ, ହରିଣ ବାଘ ପଞ୍ଝାରେ ଧରା ଦେବା ପାଇଁ ଚୁପ୍‌ ହୋଇ ଛିଡ଼ା ହୋଇ ରହେ ନାହିଁ। ଘାସ ବଣରେ ସାମାନ୍ୟ ହଲ୍‌ଚଲ୍‌ ଦେଖିଲେ ସେ ଧାଇଁ ପଳାଏ। ଯଦି ସବୁ ହରିଣ ଏପରି ଧାଇଁ ପଳାଇବାରେ ସଫଳ ହୁଅନ୍ତି, ତେବେ ବାଘ ଉପାସ ଭୋକରେ ମରିଯିବ।

କରୋନା ଭୂତାଣୁ ଭଳି ଭୂତାଣୁମାନେ ବଞ୍ଚିରହିବା ପାଇଁ ମନୁଷ୍ୟ ଶରୀର ରୂପକ ଶିକାର ଖୋଜନ୍ତି ଏବ˚ ବ˚ଶ ବିସ୍ତାର ପାଇଁ ନୂଆ ନୂଆ ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରନ୍ତି। ଏହି ଚେଷ୍ଟାର ଅ˚ଶ ସ୍ବରୂପ ସେମାନେ ଶିକାର ଅର୍ଥାତ୍‌ ଆକ୍ରାନ୍ତ ବ୍ୟକ୍ତିଠାରେ ଛିଙ୍କ, କାଶ ଆଦି ସୃଷ୍ଟି କରନ୍ତି। ଆକ୍ରାନ୍ତ ବ୍ୟକ୍ତିଠାରେ ଯେଉଁ ଅଧିକ ଛିଙ୍କିବା, କାଶିବାର ପ୍ରବୃତ୍ତି ସୃଷ୍ଟି ହୁଏ, ତାହା ପ୍ରକୃତରେ ହେଉଛି ଭୂତାଣୁ ରଚନା କରିଥିବା ନିଜର ବ˚ଶ ବିସ୍ତାରର କୌଶଳ (ଯେମିତି ସିଫିଲିସ୍‌ ପରି ଯୌନରୋଗ ପୀଡ଼ିତମାନଙ୍କ ଠାରେ ଅଧିକ ଯୌନକ୍ରିୟା ପ୍ରବଣତା ଦେଖାଯାଇଥାଏ- ଯାହା ପ୍ରକୃତରେ ଜୀବାଣୁ ରଚନା କରିଥିବା ନିଜର ପ୍ରସାର କୌଶଳ)। କରୋନା ଭୂତାଣୁର ଏହି ପ୍ରସାର କୌଶଳ ବୁଝିଗଲା ପରେ କାହାରି ମନରେ ସନ୍ଦେହ ରହିବା ଉଚିତ୍‌ ନୁହେଁ ଯେ ଏହି ପ୍ରାକୃତିକ ଚୟନ- ପ୍ରେରିତ ଶତ୍ରୁ କବଳରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି, ତା’ର ସେଇ କୌଶଳକୁ ଭଣ୍ତୁର କରିବା।

କିନ୍ତୁ ଏଥି ପୂର୍ବରୁ ସମାଜର ନେତୃସ୍ତରରୁ ସାଧାରଣ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ବିପଦର ବାସ୍ତବତାକୁ ସ୍ବୀକାର କରିବା ଜରୁରି। ଏହି ପରିପ୍ରେକ୍ଷୀରେ ଦୁଇଟି ବିପରୀତଧର୍ମୀ ଆଭିମୁଖ୍ୟ ଅବଲମ୍ବନ କରୁଥିବା ଲୋକମାନେ ଦେଖାଯାଇଥାନ୍ତି। ପ୍ରଥମ କିସମ ହେଉଛି ଅତ୍ୟନ୍ତ ସକାରାତ୍ମକ, ଯାହା ‘ପଲ୍ୟାନାସ୍‌ ଲ’ ନାମକ ନିୟମକୁ ଅନୁସରଣ କରିଥାଏ। ଏହା ଅନୁଯାୟୀ, ଶେଷରେ ସବୁ ଠିକ୍‌ ହୋଇ ଯିବ, ସବୁ ଭଲ ଘଟିବ। ଦ୍ବିତୀୟ କିସମଟି ହେଉଛି ସମ୍ପୂର୍ଣ୍ଣ ନକାରାତ୍ମକ, ଯାହା ‘ସଡ୍‌ସ ଲ’ (କେହି କେହି ଏହାକୁ ‘ମର୍ଫିଜ୍‌ ଲ’ ନାମରେ ଜାଣନ୍ତି) ନାମକ ନିୟମକୁ ଅନୁସରଣ କରିଥାଏ। ଏହା ଅନୁଯାୟୀ, ଯାହା ବିଗିଡ଼ି ଯାଇପାରେ, ତାହା ଶେଷରେ ନିଶ୍ଚୟ ବିଗିଡ଼ି ଯିବ। ଅର୍ଥାତ୍‌, ଯଦି କରୋନା ଭୂତାଣୁ ସ˚କ୍ରମଣକ୍ଷମ, ତେବେ ତାହା ନିଶ୍ଚୟ ସ˚କ୍ରମଣ ଘଟାଇବ; କେହି ଅଟକାଇ ପାରିବେ ନାହିଁ।

ଏହା ସ୍ପଷ୍ଟ, ପ୍ରଥମ ନିୟମଟିର ଅନ୍ଧ ଅନୁସରଣ ଯେତିକି ବିପଜ୍ଜନକ, ଦ୍ବିତୀୟଟିର ଅନ୍ଧ ଅନୁସରଣ ମଧୢ ସେତିକି ମାରାତ୍ମକ। ଏଠାରେ ସମୁଚିତ ପନ୍ଥା ହେଉଛି ଅଲିଭର‌୍‌ କ୍ରମ୍‌େଵଲ୍‌ଙ୍କ ଉପଦେଶ ପାଳନ: ‘‘ତୁଣ୍ତରେ ଈଶ୍ବରଙ୍କୁ ପ୍ରାର୍ଥନା କର, କିନ୍ତୁ ବନ୍ଧୁକର ବାରୁଦକୁ ମଧୢ ଶୁଷ୍କ ରଖ’’। ଶେଷରେ ସବୁ ଠିକ୍‌ ହୋଇଯିବ ବୋଲି ବିଶ୍ବାସ ରଖ, କିନ୍ତୁ କରୋନା ଭାଇରସ୍‌ର ପ୍ରସାର କୌଶଳକୁ ପଣ୍ତ କର। ସୁଖର କଥା କରୋନାର କୌଶଳ ପଣ୍ତ କରିବା ପାଇଁ ଏବେ ଯେଉଁ ବ୍ୟାପକ ସଚେତନତାର ଜୁଆର ସୃଷ୍ଟି ହୋଇଛି ତାହା ଊଣା ଅଧିକେ ସମାଜର ସବୁ ସ୍ତରକୁ ପ୍ରାୟ ଛୁଇଁ ସାରିଲାଣି। ସରକାରୀ ଉଦ୍ୟମରେ ଦେଶବ୍ୟାପୀ ଯେଉଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି, ଯଦି ତାହା ଫଳପ୍ରଦ ହୁଏ, ତେବେ କରୋନା ଭୂତାଣୁ ବ˚ଶ ବିସ୍ତାର ପାଇଁ ନୂତନ ଆଶ୍ରୟସ୍ଥଳୀ ନ ପାଇ ଶେଷରେ ବିଲୁପ୍ତ ହୋଇଯିବ। ମୁଖ୍ୟତଃ ଜନସାଧାରଣ ଯଦି କିଛି କାଳ ସାମାଜିକ ଦୂରତା ରକ୍ଷା କରିବାରେ ସଫଳ ହେବେ, ତେବେ ଭୂତାଣୁ ଅବଶେଷରେ ନିରାଶ୍ରୟ ହୋଇ ହରିଣ ଅଭାବରେ ବାଘ ଉପାସରେ ମରିଯିବା ଭଳି ଲୋପ ପାଇଯିବ।

ଜନସାଧାରଣଙ୍କ ମଧୢରେ କରୋନା ଦମନ ପାଇଁ ଆବଶ୍ୟକ ଆଦର୍ଶ ଆଚରଣ ବିଧି ସୃଷ୍ଟି କରିବା ପାଇଁ ସରକାର ଯେଉଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି, ତାହାର ଏକ ବିଶେଷ ଦୁର୍ବଳତା ହେଲା- ଏହା କେବଳ ସମାଜର ସ୍ବଚ୍ଛଳ ଓ ମଧୢବିତ୍ତ ବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଭଳି ମନେ ହୁଏ। ଉଦାହରଣ ସ୍ବରୂପ ସମାଜର ଦୁର୍ବଳ ଶ୍ରେଣୀର କେତେ ଗୋଟି ପରିବାରରେ ରୋଗୀକୁ ପୃଥକ୍‌ ରଖିବା ପାଇଁ ଅଲଗା ଆଲୋକ ପବନ ଯାତାୟତ କରୁଥିବା କୋଠରିର ବନ୍ଦୋବସ୍ତ କରାଯାଇପାରିବ? ଅଲଗା ଶୌଚାଳୟ ବ୍ୟବସ୍ଥା କରାଯାଇ ପାରିବ? ବ୍ୟୟ ବହୁଳ କୀଟାଣୁନାଶକ ଆଦି ବ୍ୟବହାର କରାଯାଇପାରିବ? ଏଇ ପରିପ୍ରେକ୍ଷୀରେ ତରଳ ଝାଡ଼ା ସ˚କ୍ରମଣ ସମୟରେ ବ୍ୟୟସାପେକ୍ଷ ‘ଓଆର‌୍‌ଏସ୍‌’ ବ୍ୟବହାର ପାଇଁ ସମ୍ବଳ ନ ଥିଲେ ତୋରାଣିକୁ ବିକଳ୍ପ ଭାବରେ ବ୍ୟବହାର ପାଇଁ ଯେଉଁଭଳି ପ୍ରଶ˚ସନୀୟ ଉପଦେଶ ଦିଆଯାଇଥାଏ, ସେହିପରି ନିମ୍ନ ଆୟବର୍ଗର ପରିବାର ଓ ବ୍ୟକ୍ତିମାନେ କରୋନା ସ˚କ୍ରମଣକୁ ପ୍ରତିହତ କରିବା ପାଇଁ କ’ଣ କରିପାରିବେ ସେ ସମ୍ପର୍କରେ ବାସ୍ତବବାଦୀ ବିକଳ୍ପର ଅନୁସନ୍ଧାନ ଓ ପ୍ରସାର ନିହାତି ଜରୁରୀ। ତାହେଲେ ଅବିଳମ୍ବେ କରୋନାକୁ ପରାସ୍ତ କରିହେବ।

ସମ୍ବନ୍ଧିତ ଖବର