କ୍ୟାଚ୍‌-୨୨

ଏକ ହାଲୁକା ଚଟୁଳ ଦୃଷ୍ଟିରେ ଦେଖିଲେ କାହାକୁ କାହାକୁ ଏହା ନାରୀ ଶକ୍ତି ପ୍ରଦର୍ଶନର ଏକ ପ୍ରଭାବଶାଳୀ ଉଦାହରଣ ପରି ମନେ ହୋଇପାରେ। ବିଶାଳ ଆମେରିକୀୟ ‘ଗ୍ରାହକ ସମ୍ପର୍କ ପରିଚାଳନା’ (‘ସିଆର‌୍‌ଏମ୍‌’) କମ୍ପାନି ‘ସେଲ୍‌ସ ଫୋର୍ସ’ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ର ପୂର୍ବତନ ଅଧୢକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କୁ ତା’ର ଭାରତ ଶାଖାର ସଭାପତି ଓ ମୁଖ୍ୟ ପରିଚାଳିକା ରୂପେ ନିଯୁକ୍ତି ପ୍ରଦାନ କରିବା ଖବର ପ୍ରକାଶ ପାଇଛି। ଦେଶର ବୃହତ୍ତମ ଋଣ ପ୍ରଦାନକର୍ତ୍ତା ଷ୍ଟେଟ୍‌ବ୍ୟାଙ୍କ୍‌ର ପ୍ରଥମ ମହିଳା ମୁଖ୍ୟ ଭାବରେ ଅରୁନ୍ଧତୀଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ଦ୍ବାରା ପ୍ରଭାବିତ ହୋଇ ସେଲ୍‌ସଫୋର୍ସ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦର ଦାୟିତ୍ବ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଛି ବୋଲି ପ୍ରକାଶ ପାଇଛି।

ଏହି ଖବରଟି ସେତିକିବେଳେ ପ୍ରକାଶ ପାଇଛି, ଯେତିକିବେଳେ ତାଙ୍କ ପରେ ଷ୍ଟେଟ୍‌ବ୍ୟାଙ୍କ୍‌ର ମୁଖ୍ୟ ରୂପେ ଦାୟିତ୍ବ ଗ୍ରହଣ କରିଥିବା ରଜନୀଶ କୁମାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଥିବା ଏକ ଘଟଣା ପ୍ରଥମେ ସୋସିଆଲ୍‌ ମିଡିଆ ଓ ପରେ ମୁଖ୍ୟ ଗଣମାଧୢମରେ ପ୍ରସାରିତ ହୋଇ ବିଭିନ୍ନ ମତ ମନ୍ତବ୍ୟ ସ˚ଗ୍ରହ କରିବାରେ ଲାଗିଛି। ଏ ଦୁଇ ଘଟଣାର ତୁଳନାକୁ ଯାହା ଶାଣିତ କରିଥାଏ, ତାହା ହେଲା ‘ପୁରୁଷ’ ରଜନୀଶ କୁମାରଙ୍କ ଦକ୍ଷତାକୁ ଯିଏ ପ୍ରଶ୍ନ କରି ତାଙ୍କୁ ଭର୍ତ୍ସନା କରିଛନ୍ତି, ସେ ହେଉଛନ୍ତି ଜଣେ ‘ନାରୀ’- ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରକାଶିତ ଖବର ଅନୁସାରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଘୂରି ବୁଲୁଛି (ଯାହାର ସତ୍ୟତାକୁ କେହି ଅସ୍ବୀକାର ବା ଖଣ୍ତନ କରିନାହାନ୍ତି) ଯେଉଁଥିରେ ଏକ ରୁଦ୍ଧଦ୍ବାର ବୈଠକରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିତ୍ତୀୟ ଅନ୍ତର୍ଭୁକ୍ତୀକରଣ ଅଭିଯାନର ସମୀକ୍ଷା କରିବା ଅବସରରେ ସୀତାରମଣ ଏ କ୍ଷେତ୍ରରେ ଷ୍ଟେଟ୍‌ବ୍ୟାଙ୍କ୍‌ ପ୍ରଦର୍ଶନ କରିଥିବା ଉଦ୍ୟମ ଆଦୌ ସନ୍ତୋଷଜନକ ନୁହେଁ ବୋଲି ମତ ପ୍ରକାଶ କରି ବୈଠକରେ ଉପସ୍ଥିତ ରଜନୀଶ କୁମାରଙ୍କ ପ୍ରତି କଟୂକ୍ତି ପ୍ରକାଶ କରିଥିଲେ। ଘଟଣାର ସତ୍ୟତାକୁ ଯାହା ପରିପୁଷ୍ଟ କରିଥାଏ, ତାହା ହେଲା, ଏ ସମ୍ପର୍କରେ ଗଭୀର କ୍ଷୋଭ ପ୍ରକାଶ କରି ସର୍ବଭାରତୀୟ ବ୍ୟାଙ୍କ୍‌ ଅଫିସର‌ ସ˚ଘ ଜାରି କରିଥିବା ବିବୃତିକୁ ପରେ ପରେ ପ୍ରତ୍ୟାହାର କରି ନେଇଥିଲା।

ଏହି ହାଲୁକା ତୁଳନାକୁ ଅତିକ୍ରମ କରି ଯେଉଁ ବାସ୍ତବ ଗୁରୁତ୍ବ ବହନ କରୁଥିବା ପ୍ରଶ୍ନଟି ମୁଣ୍ତ ଟେକିଥାଏ, ତାହା ହେଲା ରଜନୀଶ୍‌ କୁମାର କାହିଁକି ନିର୍ମଳାଙ୍କ ବିରକ୍ତିର ସମ୍ମୁଖୀନ ହେଲେ? ପ୍ରସଙ୍ଗଟିର ଇତିବୃତ୍ତ ଉପରେ ଯଦି ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଏ, ତେବେ କୌଣସି ଅମଲାତନ୍ତ୍ରର କାର୍ଯ୍ୟଶୈଳୀ ସହିତ ସାମାନ୍ୟ ପରିଚିତ ଥିବା କୌଣସି ବ୍ୟକ୍ତି ଏହାକୁ ଏକ ଚିରାଚରିତ ସ୍ବାଭାବିକ ଘଟଣା ରୂପେ ଦେଖିବେ, ଯେଉଁଥିରେ ଅଧସ୍ତନ କର୍ମଚାରୀ ଜଣକ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି, ଯାହା ହେଉଛି- ‘ଗୋ ହତ୍ୟା ଓ ବ୍ରହ୍ମହତ୍ୟା’ ମଧୢରୁ ଗୋଟିକୁ ବାଛିବାର ସଙ୍କଟ (ଯାହା ଜୋସେଫ୍‌ ହେଲର‌୍‌ଙ୍କ ଉପନ୍ୟାସକୁ ଅନୁସରଣ କରି ‘କ୍ୟାଚ୍‌-୨୨’ ପରିସ୍ଥିତି ରୂପେ ପରିଚିତ)। ଉପରିସ୍ଥ ହାକିମ କିନ୍ତୁ ତାହା ବୁଝନ୍ତି ନାହିଁ।

ଏହା ଜଣାଶୁଣା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରଙ୍କର ଯେଉଁ ଉପଲବ୍‌ଧିକୁ ବୋଧହୁଏ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଥାନ୍ତି, ତାହା ହେଉଛି ‘ଜନଧନ ଯୋଜନା’ ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ପରିବାର ନିକଟରେ ବ୍ୟାଙ୍କ୍‌ ସେବା ପହଞ୍ଚାଇବା ନିମନ୍ତେ ଉଦ୍ଦିଷ୍ଟ। ସ୍ବାଭାବିକ ଭାବରେ ତାଙ୍କର ଅର୍ଥମନ୍ତ୍ରୀ ମଧୢ ଏହାକୁ ଅନୁରୂପ ଗୁରୁତ୍ବ ପ୍ରଦାନ କରନ୍ତି। ଗଣମାଧୢମରେ ପ୍ରକାଶିତ ସୂଚନା ଅନୁସାରେ ଆସାମର ଚା’ ବଗିଚାମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଏହି ଉଦ୍ୟମର ଅ˚ଶ ସ୍ବରୂପ ପ୍ରାୟ ୮ ଲକ୍ଷ ସରିକି ବ୍ୟାଙ୍କ୍‌ ଖାତା ବା ଆକାଉଣ୍ଟ ଖୋଲା ହୋଇଥିଲା। କିନ୍ତୁ ଏଥିରୁ ପ୍ରାୟ ୩୦ ପ୍ରତିଶତ ଆକାଉଣ୍ଟ ସକ୍ରିୟ ହୋଇପାରି ନାହିଁ। ଯେହେତୁ ଆସାମରେ ରାଜ୍ୟସ୍ତରୀୟ ବ୍ୟାଙ୍କିଙ୍ଗ୍‌ କମିଟିର ମୁଖ୍ୟ ଭୂମିକାରେ ଥିବା ଷ୍ଟେଟ୍‌ବ୍ୟାଙ୍କ୍‌ ସେଠାରେ ସମସ୍ତ ବ୍ୟାଙ୍କ୍‌ମାନଙ୍କରେ କାର୍ଯ୍ୟକଳାପ ମଧୢରେ ସମନ୍ବୟ ରକ୍ଷା କରିଥାଏ, ଚା’ ବଗିଚା ଶ୍ରମିକମାନଙ୍କ ପାଇଁ ସେବା ପ୍ରଦାନରେ ଏହି ବିଫଳତା ପାଇଁ ସୀତାରମଣ ଷ୍ଟେଟ୍‌ ବ୍ୟାଙ୍କ୍‌ର ମୁଖ୍ୟଙ୍କୁ ଦାୟୀ କରିଥିଲେ।

ସୂଚନାଯୋଗ୍ୟ, ଆକାଉଣ୍ଟ ଅଚଳ ଥିବା ଯୋଗୁଁ ସମ୍ପୃକ୍ତ ଅଭାବଗ୍ରସ୍ତ ଚା’ବଗିଚା ଶ୍ରମିକମାନଙ୍କ ନିକଟରେ ସରକାର ପଠାଉଥିବା ସିଧାସଳଖ ଅର୍ଥ ସାହାଯ୍ୟ (‘ଡିବିଟି’) ପହଞ୍ଚି ପାରୁନାହିଁ। କିନ୍ତୁ ଏତେ ସ˚ଖ୍ୟାରେ ଆକାଉଣ୍ଟ ସକ୍ରିୟ ହୋଇ ନ ପାରିବାର କାରଣ କ’ଣ? ଏହାର ଉତ୍ତର ହେଉଛି ବ୍ୟାଙ୍କ୍‌ ଆକାଉଣ୍ଟ ଥିବା ପ୍ରତ୍ୟେକ ପାଠକ ପାଠିକାଙ୍କ ସୁପରିଚିତ- ‘କେଵାଇସି’ (‘ନୋ ଇଓର‌୍‌ କଷ୍ଟମର‌୍‌’)। ନକଲି ଆକାଉଣ୍ଟକୁ ସଫା କରି କଳାଧନ ସୃଷ୍ଟି ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥା ଅନୁସାରେ ଗ୍ରାହକ ଅସଲି ବୋଲି ସନ୍ତୁଷ୍ଟ ହେବା ପରେ ଯାଇ ବ୍ୟାଙ୍କ୍‌ ତା’ର ଆକାଉଣ୍ଟକୁ ସକ୍ରିୟ କରିବ।

‘କେଵାଇସି’ର ନିୟମାବଳୀ ସ୍ଥିର କରିଥାଏ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌; ଷ୍ଟେଟ୍‌ବ୍ୟାଙ୍କ୍‌ ଓ ଅନ୍ୟ ବ୍ୟାଙ୍କ୍‌ମାନେ କେବଳ ତାହା ପାଳନ କରିଥାନ୍ତି। କେଉଁ କେଉଁ ଦସ୍ତାବିଜ ଗ୍ରାହକ ଦାଖଲ କରିପାରିଲେ ‘କେଵାଇସି’ ଆବଶ୍ୟକତା ପୂରଣ କରିପାରିବ ତାହା ଆଇନ ଅନୁସାରେ ନିର୍ଦ୍ଧାରଣ କରାଯାଇଛି: ଆଧାର କାର୍ଡ, ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍‌ସ, ଭୋଟର‌୍‌ ପରିଚୟ ପତ୍ର, ଜାତୀୟ କର୍ମନିଯୁକ୍ତି ଯୋଜନା ଜବ୍‌ କାର୍ଡ, ବା ଜାତୀୟ ଜନସ˚ଖ୍ୟା ରେଜିଷ୍ଟର‌୍‌ରେ ପଞ୍ଜୀକରଣ ପାଇଁ ଚିଠି। ସୂଚନାଯୋଗ୍ୟ ଯେ ଏଥିରୁ କୌଣସି ଗୋଟିଏ ବି ଷ୍ଟେଟ୍‌ବ୍ୟାଙ୍କ୍‌ ବା ଅନ୍ୟ କୌଣସି ବ୍ୟାଙ୍କ୍‌ର ନିୟନ୍ତ୍ରଣାଧୀନ ନୁହେଁ; ଅପରପକ୍ଷେ ଏ ସମସ୍ତ ଦସ୍ତାବିଜ ହେଉଛି କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ। ଯଦି ଚା’ ବଗିଚା ଶ୍ରମିକମାନେ ଏଥିରୁ କୌଣସିଟି ବି ପାଇ ପାରିନାହାନ୍ତି, ଦାୟିତ୍ବ ଷ୍ଟେଟ୍‌ବ୍ୟାଙ୍କ୍‌ର ନୁହେଁ, ଦାୟିତ୍ବ ହେଉଛି ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କର।

ତେବେ, କ୍ଷେତ୍ରସ୍ତରୀୟ ବ୍ୟାଙ୍କ୍‌ କର୍ମଚାରୀମାନେ ‘କେଵାଇସି’ ନିୟମକୁ ଟିକେ ହୁଗୁଳା କରି ଶ୍ରମିକମାନଙ୍କ ଆକାଉଣ୍ଟ ସଚଳ କରି ଦେଇଥିଲେ ଚଳିଥାନ୍ତା କି? ଏହାର ଉତ୍ତର ହେଉଛି ଏକ ଦୃଢ଼ ‘ନା’। ସେ ଅଞ୍ଚଳ ହେଉଛି ଏକ ଆତଙ୍କବାଦ ତଥା ବାହ୍ୟ ଅନୁପ୍ରବେଶପ୍ରବଣ ଅଞ୍ଚଳ। ହୁଗୁଳା ନିୟମ ଏମାନଙ୍କ ପାଇଁ ପାଣ୍ଠି ସ˚ଗ୍ରହ ଓ ପ୍ରେରଣରେ ସହାୟକ ହେବ। ସେ ବିପଦ ସୀତାରମଣଙ୍କ ଗାଳି ଅପେକ୍ଷା ବହୁ ଅଧିକ ମାରାତ୍ମକ ହୁଅନ୍ତା। ଏଣୁ ଚା’ ବଗିଚା ଶ୍ରମିକଙ୍କୁ ଗ୍ରାହକ ସେବା ଯୋଗାଇବାରେ ରଜନୀଶ୍‌ କୁମାରଙ୍କ ବିଫଳତାକୁ ‘ସେଲ୍‌ସଫୋର୍ସ’ର ମୁଖ୍ୟ ଆସନ ଲାଭ କରିବାରେ ସାହାଯ୍ୟ କରିଥିବା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କର ଗ୍ରାହକ ସେବା ଯୋଗାଣ କ୍ଷେତ୍ରରେ ସଫଳତା ସହିତ ତୁଳନା କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର