‘ନିିର୍ଭୟା’ ପ୍ରତୀକ

ଗତ କାଲି ଭୋର ୫ଟା୩୦ରେ ନିର୍ଭୟା ଗଣବଳାତ୍କାର ଏବ˚ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଚାରି ଜଣ ଯାକ ଫାଶୀ ପାଇଲେ। ୨୦୧୨, ଡିସେମ୍ବର ୧୬ ତାରିଖର ବିଳମ୍ବିତ ରାତ୍ରିରେ ଦିଲ୍ଲୀର ଏକ ରାଜରାସ୍ତା ଉପରେ ଗୋଟିଏ ବସ୍‌ ମଧୢରେ ସ˚ଘଟିତ ହୋଇଥିବା ଅତ୍ୟନ୍ତ ନୃଶ˚ସ ଏହି ଘଟଣା ସେତେବେଳେ ସାରା ରାଷ୍ଟ୍ରର ବିବେକକୁ ଦୋହଲାଇ ଦେଇଥିଲା। ଏହା ବିରୋଧରେ ରାଷ୍ଟ୍ର ବ୍ୟାପୀ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନର ଘନଘଟା ଭିତରେ ଗୋଟିଏ ଫାଷ୍ଟ ଟ୍ରାକ୍‌ ଅଦାଲତରେ ଏହାର ଯେଉଁ ବିଚାର ଆରମ୍ଭ ହୋଇଥିଲା, ତାହା ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବାକୁ ଲାଗିଗଲା ଦୀର୍ଘ ସାତ ବର୍ଷରୁ ଅଧିକ କାଳ। ଏହା ସହିତ ‘ନିର୍ଭୟା ଅଧୢାୟରେ ପୂର୍ଣ୍ଣଛେଦ’ ପଡ଼ିଛି ବୋଲି ବିଭିନ୍ନ ଗଣମାଧୢମରେ ମତ ପ୍ରକାଶ ପାଇଛି। ପରିଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ବୋଲି ତାଙ୍କ ମା’ ଓ ପରିବାରବର୍ଗ ପ୍ରକାଶ କରିଛନ୍ତି। କିନ୍ତୁ ଟିକିଏ ଗଭୀର ଭାବେ ବିଚାର କଲେ ବୁଝି ହୋଇଥାଏ ଯେ କୌଣସି ଏକ ଅପରାଧରେ ଦୋଷୀମାନେ ଦଣ୍ତ ପାଇବା ସହିତ ଗୋଟିଏ ଅଧୢାୟର ପରିସମାପ୍ତି ଘଟିଲା ବୋଲି ଯେଉଁ ଆଶ୍ବାସନାମୂଳକ ଭାବନାଟି ଉଦ୍ରେକ ହୋଇଥାଏ, ଯାହା ହୁଏତ ଏକ ରେଳ ଦୁର୍ଘଟଣାରେ କ୍ଷତିପୂରଣ ପାଇଯାଇଥିବା ଜଣେ କ୍ଷତିଗ୍ରସ୍ତଙ୍କ ଆଶ୍ବସ୍ତି ସହିତ ତୁଳନୀୟ, ଯେତେବେଳେ କି ଅନ୍ୟାନ୍ୟ ଅନେକ କ୍ଷତିଗ୍ରସ୍ତ କ୍ଷତିପୂରଣ ଲାଭ କରିବାରୁ ତଥାପି ବ˚ଚିତ ହୋଇ ରହିଥାଆନ୍ତି।

କହିବା ବାହୁଲ୍ୟ ଯେ ଯେତେବେଳେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ଦ୍ବାରା ବ୍ୟଥିତ ସାରା ଦେଶ ଲୋତକ ମୋଚନ କରିବାରେ ଲାଗିଥିଲା, ସେହି ସମୟରେ ମଧୢ, ସାରା ଦେଶ କଥା ଦୂରେ ଥାଉ, ଦିଲ୍ଲୀରେ ନିୟମିତ ବ୍ୟବଧାନରେ ବଳାତ୍କାର ଘଟଣାମାନ ଘଟିବାରେ ଲାଗିଥିଲା। ଏପରିକି ଏହାର ପାଞ୍ଚ ମାସ ପରେ ପୂର୍ବ-ଦିଲ୍ଲୀରେ ସ˚ଘଟିତ ହୋଇଥିବା ଜଣେ ପାଞ୍ଚ ବର୍ଷ ବୟସ୍କା ଶିଶୁ କନ୍ୟାର ଦାରୁଣ ଗଣବଳାତ୍କାର ଘଟଣା ନିର୍ଭୟା ତାତିରେ ନିଷ୍ପ୍ରଭ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା। ସୁତରାଂ, ଏଥିରୁ ଆପାତତଃ ଯାହା ବୁଝି ହୋଇଥାଏ, ତାହା ହେଲା ଏହିଭଳି ଘଟଣାଗୁଡ଼ିକୁ ଗୋଟିଏ ଧାରାର ଅ˚ଶ ରୂପେ ନ ଦେଖି ତାକୁ ସ୍ବାତନ୍ତ୍ର୍ୟ ପ୍ରଦାନ କରିବା ଦ୍ବାରା ଏୟା ହୋଇଥାଏ ଯେ ଏକ ଅପରାଧର ଗୁରୁତ୍ବ ତହିଁରେ ସ˚ପୃକ୍ତ ଅପରାଧୀମାନେ ଦଣ୍ତ ପାଇବା ସହିତ ନାକଚ ହୋଇଯାଏ, ଯେମିତି ଗଣିତରେ ‘ଯୁକ୍ତ’ ଓ ‘ବିଯୁକ୍ତ’ ମିଶି ଏକ ଶୂନ୍ୟ ସୃଷ୍ଟି କରିଥାଆନ୍ତି। ସେହି ପରିପ୍ରେକ୍ଷୀରେ ଏକ ଆଦର୍ଶମୂଳକ ବିବେଚନା ହେଉଛି ନିର୍ଭୟା ଘଟଣା ଏବ˚ ଏହି ଦଣ୍ତ ପ୍ରାପ୍ତିକୁ ଏକ ଅଧୢାୟର ପରିସମାପ୍ତି ବୋଲି ବିଚାର ନ କରି ଏହାକୁ ଏକ ଅସମାପ୍ତ ବାକ୍ୟ ରୂପେ ଦେଖିବା ଏବ˚ ଯେ ପର୍ଯ୍ୟନ୍ତ ବାକ୍ୟଟି ସ˚ପୂର୍ଣ୍ଣ ହୋଇନାହିଁ, ସେ ପର୍ଯ୍ୟନ୍ତ ସୁଷୁପ୍ତିକୁ ପ୍ରଶ୍ରୟ ନ ଦେବା। ତେବେ, ବାସ୍ତବତା ଯାହା, ଏଭଳି ଏକ ଆଦର୍ଶ ସ୍ଥାନୀୟ ସ୍ଥିତିର ପରିକଳ୍ପନା ହୁଏ’ତ ‘ୟୁଟୋପିଆ’ରେ ହିଁ ସମ୍ଭବ; କିନ୍ତୁ ସେ ଦିଗରେ ଉଦ୍ୟମ ଅବ୍ୟାହତ ରହିବା ଯେ ଅତ୍ୟନ୍ତ ଆବଶ୍ୟକ ତାହା କହିବା ନିଷ୍ପ୍ରୟୋଜନ।

ଏକ ସ୍ଥୂଳ ଦୃଷ୍ଟିରେ ନିର୍ଭୟା ମାମଲା ଏବ˚ ତାର ପ୍ରଲମ୍ବିତ ବିଚାର ପ୍ରକ୍ରିୟାକୁ ଦେଖିଲେ ଯାହା ଦିଶିଥାଏ, ତାହା କେବଳ ଆମ ନ୍ୟାୟିକ ବ୍ୟବସ୍ଥାରେ ନିହିତ ତ୍ରୁଟି ବା ଛିଦ୍ରରେ ସୀମିତ ନୁହେଁ, ଦୋଷୀକୁ ନ୍ୟାୟ ପ୍ରଦାନ କରିବାରେ ଆମ ବିଚାର ବ୍ୟବସ୍ଥା କିଭିଳି ଅଙ୍ଗୀକାରବଦ୍ଧ ଏବ˚ ଅସୀମ ଧୈର୍ଯ୍ୟଶୀଳ, ତାହା ମଧୢ ପରିଦୃଷ୍ଟ ହୋଇଥାଏ। ଅତ୍ୟନ୍ତ ଦୁର୍ବଳ ବାହାନା ଦର୍ଶାଇ ଏବ˚ ଅଯଥା ବିଭ୍ରାନ୍ତି ସୃଷ୍ଟି କରି ଦୋଷୀମାନଙ୍କ ଓକିଲ ଏ.ପି. ସି˚ହ କିଭଳି ବିଚାର ପ୍ରକ୍ରିୟାକୁ ଏକ ହାସ୍ୟାସ୍ପଦ ସ୍ତରକୁ ନେଇ ଯାଇଥିଲେ, ତାହା ଏବେ ସର୍ବଜନବିଦିତ। ଏଭଳି ପ୍ରୟାସ ମଧୢରେ ଅନ୍ତର୍ଭୁକ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ ହେତୁ ଅକାଳ ମୃତ୍ୟୁ ଅବଶ୍ୟମ୍ଭାବୀ ଆଳରେ ମୃତ୍ୟୁ ଦଣ୍ତରୁ ମୁକ୍ତି ଲାଗି ପ୍ରାର୍ଥନା, ଅପରାଧ ଘଟାଇବା ବେଳେ ପବନ ଗୁପ୍ତା ନାବାଳକ ଥିବା ନେଇ ବିଚାରର ଅନ୍ତିମ ପର୍ଯ୍ୟାୟରେ ଦାବି ଉପସ୍ଥାପନ, ଉପଲବ୍‌ଧ ସମସ୍ତ ସୁଯୋଗ ବ୍ୟବହାର କରିସାରିବା ପରେ ତିନି ଦୋଷୀଙ୍କ ଦ୍ବାରା ‘ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌’ରେ ଆବେଦନ ଦାଖଲ ଅଥବା ବିଚାର ପ୍ରକ୍ରିୟାର ଅନ୍ତିମତମ ବିନ୍ଦୁରେ ଅକ୍ଷୟ ଠାକୁରର ପତ୍ନୀ ଦ୍ବାରା ଛାଡ଼ପତ୍ର ମାମଲା ରୁଜୁ ଇତ୍ୟାଦି। ଉଲ୍ଲେଖଯୋଗ୍ୟ ଯେ ଏଭଳି ଗୋଟିକ ପରେ ଗୋଟିଏ ଆବେଦନ ଜରିଆରେ ମୃତ୍ୟୁ ପରୁଆନାକୁ ବାରମ୍ବାର ରଦ୍ଦ କରି ତିନି ଥର ଫାଶୀ ଦଣ୍ତର ତାରିଖକୁ ଟଳାଇ ଦେଇ ପାରିଥିବା ଓକିଲ ଏ.ପି. ସି˚ହ ଗୋଟିଏ ସମୟରେ ଏଭଳି ଆସ୍ଫାଳନ ମଧୢ କରିଥିବାର ଶୁଣିବାକୁ ମିଳିଥିଲା ଯେ ସେ ଚାହିଁଲେ ଅନନ୍ତ କାଳ ଯାଏ ମୃତ୍ୟୁ ଦଣ୍ତକୁ ଟଳାଇ ଦେଇ ପାରିବେ। କେବଳ ସେତିକି ନୁହେଁ, ଅଦାଲତ ବାହାରେ, ଏପରିକି ଏକ ଜାତୀୟ ଟେଲିଭିଜନ ବିତର୍କରେ ଏ.ପି. ସି˚ହ ନିର୍ଭୟା ବଳାତ୍କାରକୁ ଏହି ଆଳରେ ଯଥାର୍ଥତା ପ୍ରଦାନ କରିବାର ଅପଚେଷ୍ଟା କରିଥିଲେ ଯେ ସେ ଦିନ ନିଜ ପୁରୁଷ ବନ୍ଧୁଙ୍କ ସହିତ ନିର୍ଭୟାଙ୍କ କିଛି ଆଚରଣ ଏହି ଯୁବକମାନଙ୍କୁ ଏଭଳି କାଣ୍ତ ଘଟାଇବାକୁ ବାଧୢ କରିଥିଲା। ଏହା ମଧୢ ସେ ବାରମ୍ବାର କହୁଥିବା ଶୁଣାଯାଇଛି ଯେ ତାଙ୍କ ନିଜ କନ୍ୟା ଯଦି ଏଭଳି ଆଚରଣ କରିବାର ଖବର ସେ ପାଆନ୍ତେ, ତେବେ ସେ ତାଙ୍କୁ ଜୀବନ୍ତ ଦଗ୍‌ଧ କରି ଦିଅନ୍ତେ।

କହିବା ବାହୁଲ୍ୟ ଯେ ଏହିଠାରେ ହିଁ ପ୍ରତିଭାତ ହୋଇଥାଏ, ଆମ ସମାଜର ଅସଲ ବିଡ଼ମ୍ବନା, ଯାହା ଉଗ୍ର ପୁରୁଷତାନ୍ତ୍ରିକତା ଆଧାରରେ ଅନେକ ସମୟରେ ବଳାତ୍କାରକୁ ଯଥାର୍ଥ, ପୁରୁଷୋଚିତ ଏପରିକି ଏକ ସାଧାରଣ ଘଟଣା ବୋଲି ବିବେଚନା କରିଥାଏ। ଅନେକ ସମୟରେ ଏଥିଲାଗି ପୀଡ଼ିତା ଦାୟୀ ବୋଲି ମଧୢ ଆରୋପିତ ହୁଅନ୍ତି। ଏଭଳି ଏକ ମନୋଭାବକୁ ପ୍ରମାଣ କରୁଥିବା ଭଳି ଆମ ନିକଟରେ ଉପଲବ୍‌ଧ ପରିସ˚ଖ୍ୟାନ କହିଥାଏ ଯେ ଭାରତରେ ପ୍ରତି ୧୫ ମିନିଟ୍‌ରେ ଗୋଟିଏ ବଳାତ୍କାର ଘଟଣା ଘଟିଥାଏ; ଏବେ ସୁଦ୍ଧା ବିଚାରାଧୀନ ଥିବା ବଳାତ୍କାର ମାମଲାର ସ˚ଖ୍ୟା ୧,୫୬, ୩୨୭; ଏବ˚ ବିଚାର ଦ୍ବାରା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବାର ହାର ମାତ୍ର ୨୭.୩%। କେବଳ ସେତିକି ନୁହେଁ, ଏହା ସହିତ ରହିଛି ବଳାତ୍କାରକୁ ଅତି ମାମୁଲି ବୋଲି ସାବ୍ୟସ୍ତ କରିବାର ମନୋଭାବ ବହନକାରୀ ଖାପ୍‌ ପଞ୍ଚାୟତଗୁଡ଼ିକ ଠାରୁ ଆରମ୍ଭ କରି ରାଜନେତା, ବିଚାରପତି, ସାମ୍ବାଦିକ, ବୈଜ୍ଞାନିକ ଇତ୍ୟାଦିଙ୍କ ଦ୍ବାରା ସମାଜର ଉଚ୍ଚ ସୋପାନରେ ନାରୀମାନଙ୍କୁ ପ୍ରଦାନ କରାଯାଉଥିବା ଯୌନ ନିର୍ଯାତନାର ଅଭିଯୋଗ ଓ ଉଦାହରଣ।

ନିର୍ଭୟାଙ୍କ ପ୍ରକୃତ ନାମ କ’ଣ ତାହା କାହାକୁ ଜଣାନାହିଁ। ସୁତରା˚, ସେ ଏକ ପ୍ରତୀକ। ଏବେ ତାଙ୍କ ନାମରେ ବଳାତ୍କାର ପୀଡ଼ିତାଙ୍କ ପୁନର୍ବାସ ଲାଗି ଏକ ପାଣ୍ଠି (ଯାହାର ଉପଯୋଗରେ ଚରମ ଅବହେଳାର ପ୍ରଦର୍ଶନ ମଧୢ ଲଜ୍ଜାଜନକ) ବିଦ୍ୟମାନ; ସେ ଭୋଗିଥିବା ଦାରୁଣ ନିର୍ଯାତନା ଉପରାନ୍ତ ଆମ ଦେଶରେ ନାରୀ ନିର୍ଯାତନା ନିରୋଧକ ଆଇନ ଅତ୍ୟନ୍ତ କଠୋର ହୋଇଛି; ବଳାତ୍କାର ସ˚ଦର୍ଭରେ ୨୦୧୨ ଡିସେମ୍ବର ୧୬ ପରେ ଯେତେ ଚର୍ଚ୍ଚା ହୋଇଛି ସେଥିରେ ‘ନିର୍ଭୟା’ ବାରମ୍ବାର ଉଦ୍ଧୃତି ମଧୢକୁ ଆସିଛନ୍ତି। ଏହା ସତ୍ତ୍ବେ ନାରୀମାନଙ୍କ ପ୍ରତି ଯୌନ ନିର୍ଯାତନା ଘଟଣା ବୃଦ୍ଧି ପାଇ ଚାଲିଛି। ସେହି କାରଣରୁ ନିର୍ଭୟା ମାମଲାରେ ମୃତ୍ୟୁ ଦଣ୍ତ କାର୍ଯ୍ୟକାରୀ ହୋଇଯିବାରେ ଆତ୍ମତୃପ୍ତି ଲାଭ କରିବାର ବିଶେଷ କୌଣସି କାରଣ ନାହିଁ। ଆଜି ନିର୍ଭୟା ଜଣେ ବ୍ୟକ୍ତିରୁ ଏକ ପ୍ରତୀକରେ ପରିଣତ ହୋଇସାରିଥିବା ସ୍ଥଳେ ଏହା ମଧୢ କୁହାଯାଇପାରେ କି ଆମ ସମାଜରେ ଶେଷ ନିର୍ଭୟା ଥିବା ପର୍ଯ୍ୟନ୍ତ ଆତ୍ମତୃପ୍ତିର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର