ବୋତଲ ତତ୍ତ୍ବ

ପୁରୁଣା ବୋତଲମାନଙ୍କରେ ବ୍ୟାଙ୍କ୍‌ ନୋଟ୍‌ମାନ ଭର୍ତ୍ତି କରି ସେ ବୋତଲଗୁଡ଼ିକୁ ପରିତ୍ୟକ୍ତ କୋଇଲା ଖଣିମାନଙ୍କରେ ପୋତି ଦେଇ ସହରର ସମସ୍ତ ଅଳିଆ ଦ୍ବାରା ସେ ଖଣିଗୁଡ଼ିକୁ ପୂର୍ଣ୍ଣ କରି ସମତଳ କରିଦିଆଯାଉ। ତା’ପରେ ସେ ଖଣିଗୁଡ଼ିକୁ ଆଉ ଥରେ ଖୋଳି ବୋତଲଗୁଡ଼ିକୁ ବାହାର କରି ସେଥିରୁ ନୋଟ୍‌ଗୁଡ଼ିକ କାଢ଼ି ନେଇଯିବା ପାଇଁ ଲୋକମାନଙ୍କୁ ନିଯୁକ୍ତ କରାଯାଉ। କ୍ରମେ ଦେଖାଯିବ ଏହା ଦ୍ବାରା ଅର୍ଥନୀତିରେ ବେକାରି ଦୂରୀଭୂତ ହେବ, ଲୋକମାନଙ୍କ ବାସ୍ତବ ଆୟରେ ବୃଦ୍ଧି ଘଟିବ ଏବ˚ ଦେଶର ସମ୍ପଦରେ ମଧୢ ବୃଦ୍ଧି ଘଟିବ।

ଏଭଳି ଉଦ୍ଭଟ ମନେ ହେଉଥିବା ପ୍ରସ୍ତାବ ଯେଉଁ ପୁସ୍ତକରେ ଦେଖିବାକୁ ମିଳେ, ତାହା ହେଉଛି ବୋଧହୁଏ ବି˚ଶ ଶତାବ୍ଦୀର ସର୍ବାଧିକ ପ୍ରଭାବଶାଳୀ ଅର୍ଥନୀତି ପୁସ୍ତକ- ‘ଦି ଜେନେରାଲ୍‌ ଥିଓରି ଅଫ୍‌ ଏମ୍ପ୍ଲଏମେଣ୍ଟ, ଇଣ୍ଟରେଷ୍ଟ୍ ଆଣ୍ତ ମନି’ ବା ସ˚କ୍ଷେପରେ- ‘ଦି ଜେନେରାଲ୍‌ ଥିଓରି’। ବର୍ତ୍ତମାନ ଚୀନା କରୋନା ଭାଇରସ୍‌ ଆକ୍ରାନ୍ତ ପୃଥିବୀ ଅର୍ଥନୀତିର ଉଦ୍ଧାର ପାଇଁ ଯଦି କେହିଜଣେ ଅର୍ଥନୈତିକ ଚିନ୍ତାନାୟକ ପୁଣି ସର୍ବାଧିକ ପ୍ରାସଙ୍ଗିକ ହୋଇପଡ଼ିଛନ୍ତି, ସେ ହେଉଛନ୍ତି ୧୯୩୬ରେ ପ୍ରକାଶିତ ଉପରୋକ୍ତ ପୁସ୍ତକର ରଚୟିତା ବ୍ରିଟିସ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କିନ୍‌ସ। ଅକ୍ଷରେ ଅକ୍ଷରେ ନହେଲେ ବି, ତାଙ୍କର ଏହି ଉପଦେଶର ମର୍ମ ଅନୁସରଣ ଦ୍ବାରା ସେ କାଳର ପୃଥିବୀର ଅର୍ଥନୀତି ଅତଳ ମାନ୍ଦା ଅବସ୍ଥା ଓ ବେକାରିରୁୁ ନିଜକୁ ଉଦ୍ଧାର କରି ପାରିଥିଲା ବୋଲି କିନ୍‌ସଙ୍କ ବିରୋଧୀମାନେ ମଧୢ ସ୍ବୀକାର କରନ୍ତି।

କିନ୍‌ସଙ୍କ ତତ୍ତ୍ବ ସହିତ ପରିଚିତ ନଥିବା ପ୍ରତ୍ୟେକଙ୍କ ମନରେ ସ୍ବାଭାବିକ ଭାବରେ ଏକ ପ୍ରଶ୍ନ ଉଙ୍କି ମାରିବ ଯେ ବୋତଲ ପୋତିବା ଓ ବାହାର କରିବା ଭଳି ଏକ ସମ୍ପୂର୍ଣ୍ଣ ଅନୁତ୍ପାଦନଶୀଳ କାର୍ଯ୍ୟ ଦ୍ବାରା ଦେଶର ବାସ୍ତବିକ ଆୟ ଓ ସମ୍ପଦରେ କିପରି ବୃଦ୍ଧି ଘଟିବ? ଏହାର ଉତ୍ତର ନିହିତ ଅଛି କିନ୍‌ସ ସୃଷ୍ଟି କରିଥିବା ଅର୍ଥଶାସ୍ତ୍ରର ଏକ ବିଧିବଦ୍ଧ ବିଭାଜନରେ: ‘ମାଇକ୍ରୋ’ (କ୍ଷୁଦ୍ର ବା ନିର୍ଦ୍ଦିଷ୍ଟ) ଏବ˚ ‘ମାକ୍ରୋ’ (ବୃହତ୍‌ ବା ସାମଗ୍ରିକ)। କୌଣସି ଉପଭୋକ୍ତା ବା ଉତ୍ପାଦନକାରୀର ଆଚରଣ ଓ କାର୍ଯ୍ୟକଳାପ ସହିତ ‘ମାଇକ୍ରୋ ଇକନୋମିକ୍‌ସ’ ସମ୍ପୃକ୍ତ ହୋଇଥିବା ବେଳେ ସମଗ୍ର ଅର୍ଥନୀତିର ଆଚରଣ ହେଉଛି ମାକ୍ରୋ ଇକନୋମିକ୍‌ସର ବିଷୟବସ୍ତୁ। ବୋତଲରେ ନୋଟ୍‌ ଭର୍ତ୍ତି କରି ପୋତିବା ଓ ଖୋଳି କାଢ଼ିବା ମାଇକ୍ରୋ ଦୃଷ୍ଟିରୁ ନିରର୍ଥକ ହୋଇପାରେ, କିନ୍ତୁ ମାକ୍ରୋ ଦୃଷ୍ଟିରୁ ଏହା ସମଗ୍ର ଅର୍ଥନୀତି ପାଇଁ ଅର୍ଥପୂର୍ଣ୍ଣ। ‘ମାଇକ୍ରୋ’ ନିୟମ ‘ମାକ୍ରୋ’ ପ୍ରତି ପ୍ରଯୁଜ୍ୟ ନୁହେଁ କିମ୍ବା ‘ମାକ୍ରୋ’ ନିୟମ ‘ମାଇକ୍ରୋ’ ପ୍ରତି ପ୍ରଯୁଜ୍ୟ ନୁହେଁ।

ଏହାର ଏକ ଅବିକଳ ତୁଳନା ଦେଖିବାକୁ ମିଳିଥାଏ ପଦାର୍ଥ ବିଜ୍ଞାନରେ। ଠିକ୍‌ ୧୯୦୦ ସାଲରେ ଜନ୍ମ ଲାଭ କରିଥିବା ମାକ୍‌ସ ପ୍ଲାଙ୍କ୍‌ଙ୍କର ‘କ୍ବାଣ୍ଟମ୍‌ ମେକାନିକ୍‌ସ’ ଓ ୧୯୧୫ରେ ଜନ୍ମ ଲାଭ କରିଥିବା ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ‘ଜେନେରାଲ୍‌ ରିଲେଟିଭିଟି’ ମଧୢରେ ରହିଛି ସେଇଭଳି ସମ୍ପର୍କ ଯେମିତି ‘ମାଇକ୍ରୋ ଇକନୋମିକ୍‌ସ’ ଓ ‘ମାକ୍ରୋ ଇକନୋମିକ୍‌ସ’ ମଧୢରେ ଦେଖାଯାଇଥାଏ। ‘ଜେନେରାଲ୍‌ ରିଲେଟିଭିଟି’ ଦ୍ବାରା ମାକ୍ରୋ ଜଗତ୍‌ର ଅ˚ଶ ତାରା, ଛାୟାପଥ ମାନଙ୍କରୁ ସମଗ୍ର ବିଶ୍ବ ବ୍ରହ୍ମାଣ୍ତର ଆଚରଣ ପର୍ଯ୍ୟନ୍ତ ବୋଧଗମ୍ୟ ହୋଇ ପାରିଥିବା ବେଳେ ଅଣୁ, ପରମାଣୁ ଓ ତା’ଠାରୁ କ୍ଷୁଦ୍ର କଣିକାମାନଙ୍କ ଭଳି ମାଇକ୍ରୋ ଜଗତ୍‌ର ଅ˚ଶର ଆଚରଣ ‘କ୍ବାଣ୍ଟମ୍‌ ମେକାନିକ୍‌ସ’ ନିୟମ ଦ୍ବାରା ବୋଧଗମ୍ୟ ହୋଇଥାଏ। ଗୋଟିଏ ଦୁନିଆର ନିୟମ ଅନ୍ୟ ଦୁନିଆରେ କାର୍ଯ୍ୟ କରି ନଥାଏ। ଉଭୟ ତତ୍ତ୍ବ ମଧୢରେ ଏ ତାଳମେଳର ଅଭାବ ଦ୍ବାରା ହତୋତ୍ସାହିତ ହେବା ପରିବର୍ତ୍ତେ ପଦାର୍ଥବିଜ୍ଞାନୀମାନେ କହନ୍ତି, ବିଶାଳ ଜଗତ୍‌ ପାଇଁ ‘ଜେନେରାଲ୍‌ ରିଲେଟିଭିଟି’ ଏବ˚ କ୍ଷୁଦ୍ର ଜଗତ୍‌ ପାଇଁ ‘କ୍ବାଣ୍ଟମ୍‌ ମେକାନିକ୍‌ସ’ ବ୍ୟବହାର କରି ସାରା ଦୁନିଆକୁ ବୁଝିବାରେ ମନୁଷ୍ୟ ହାସଲ କରିଥିବା ଚମକପ୍ରଦ ଅଗ୍ରଗତିକୁ ଆମେ ସମ୍ବର୍ଦ୍ଧନା କରିବା ନାହିଁ କାହିଁକି?

ସରକାରୀ ଅର୍ଥ ବିନିଯୋଗ ହୋଇ ହୁଏତ ବୋତଲ ଭର୍ତ୍ତି ହେବା ଅପେକ୍ଷା ରାସ୍ତାଘାଟ, କିମ୍ବା ଶକ୍ତି ଉତ୍ପାଦନ କେନ୍ଦ୍ର କିମ୍ବା ବନ୍ଦର ନିର୍ମାଣ ଅଧିକ ଉତ୍ପାଦନଶୀଳ ହୁଅନ୍ତା; ସେ ସବୁ କିନ୍ତୁ ହେଉଛନ୍ତି ‘ମାଇକ୍ରୋ ଇକନୋମିକ୍‌ସ’ର ଅ˚ଶ। ବର୍ତ୍ତମାନ କରୋନା ଆକ୍ରାନ୍ତ ଭାରତୀୟ ଅର୍ଥନୀତିକୁ ରକ୍ଷା କରିବା କିନ୍ତୁ ହେଉଛି ଏକ ‘ମାକ୍ରୋ ଇକନୋମି’ ସମସ୍ୟା ଯାହାର ମୁକାବିଲା ପଦାର୍ଥବିଜ୍ଞାନରେ ଆଇନ୍‌ଷ୍ଟାଇନ୍‌ଙ୍କ ‘ଜେନେରାଲ୍‌ ରିଲେଟିଭିଟି’ ଭଳି ଅର୍ଥଶାସ୍ତ୍ରରେ କିନ୍‌ସଙ୍କ ‘ଜେନେରାଲ୍‌ ଥିଓରି’ ଦ୍ବାରା ହିଁ ସମ୍ଭବ ହେବ। ଏ ବୋତଲ ତତ୍ତ୍ବର ଉଦ୍ଦେଶ୍ୟ ହେଲା କୌଣସି ମତେ ନିଯୁକ୍ତି ହରାଇ କ୍ରୟଶକ୍ତି ହରାଇ ଥିବା ଲୋକମାନଙ୍କ ପକେଟ୍‌ରେ ପଇସା ଭର୍ତ୍ତି କରିବା। ସେମାନେ ସେ ପଇସା ଖର୍ଚ୍ଚ କରିବା ଆରମ୍ଭ କଲେ ଅସ˚ଖ୍ୟ ସ˚ଯୋଗ ସୂତ୍ର ମାଧୢମରେ ଅର୍ଥନୀତିରେ ପୁଣି ପ୍ରାଣ ସଞ୍ଚାର ଘଟିବ ଏବ˚ ସବୁଠାରୁ ବଡ଼ କଥା, ସେମାନେ ଏ ଦୁର୍ଦ୍ଦିନ ପାର ହୋଇଯିବେ। ଏବେ ତ କରୋନା ସମୟରେ କେହି ବୋତଲ ଖୋଳିବାକୁ ବାହାରିବେ ନାହିଁ, ସରକାର ତେଣୁ ଦୈନନ୍ଦିନ ଜୀବିକା ହରାଇଥିବା ଦିନମଜୁରିଆଙ୍କ ଠାରୁ ଆରମ୍ଭ କରି ଘୋର କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସାହାଯ୍ୟ ଅର୍ଥ ତତ୍‌କ୍ଷଣାତ୍‌ ହସ୍ତାନ୍ତର କରିବା ଆବଶ୍ୟକ।

ସେତିକି ନୁହେଁ, କରୋନା ଆଗମନ ପୂର୍ବରୁ ମଧୢ ମାନ୍ଦା ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଉଦ୍ୟୋଗ ଓ ବ୍ୟବସାୟମାନଙ୍କୁ ସରକାର ନିଜର ବ୍ୟୟ ବୃଦ୍ଧି କରି ତତ୍‌କ୍ଷଣାତ୍‌ ସହାୟତା ଯୋଗାଇବା ଉଚିତ। ଏହି ଉଦ୍ୟମର ଅ˚ଶ ସ୍ବରୂପ ସରକାର ଅନ୍ୟାନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ମଧୢ ଜରୁରୀ। ଭାରତୀୟ ଶିଳ୍ପ ବାଣିଜ୍ୟ ଜଗତ୍‌ରେ ଛାମୁହାଁ ସ˚ଗଠନମାନେ ଏଥିପାଇଁ କରିଥିବା ଅନୁରୋଧକୁ ସରକାର ତୁରନ୍ତ ବିଚାର କରନ୍ତୁ। ସେଥିରେ ଅନ୍ତର୍ଭୁକ୍ତ ଅଛି ଟିକସ କାଟ; ବର୍ଷକ ପାଇଁ ଉଭୟ ବ୍ୟାବସାୟିକ ଓ ବ୍ୟକ୍ତିଗତ ଋଣ ପରିଶୋଧ ବନ୍ଦ; ଏବ˚ ଦେଶର ବାର୍ଷିକ ଉତ୍ପାଦ ବା ‘ଜିଡିପି’ର ଅନ୍ତତଃ ୧ ଶତା˚ଶ ପରିମାଣର ଅର୍ଥ ସରକାର ଲୋକମାନଙ୍କ ପକେଟ୍‌ରେ ଭର୍ତ୍ତି କରିବା। ଏହି ଶେଷୋକ୍ତ ଅର୍ଥର ପରିମାଣ ହେବ ପ୍ରାୟ ୨ ଲକ୍ଷ କୋଟି ଟଙ୍କା। ବର୍ତ୍ତମାନ ସରକାର ଆଉ ପୂର୍ବ ନିର୍ଦ୍ଧାରିତ ରାଜକୋଷୀୟ ନିଅଣ୍ଟ ସୀମା ମଧୢରେ ରହିବାକୁ ଚେଷ୍ଟା ନକରି ଅବିଳମ୍ବେ ଉଭୟ ଦେଶବାସୀଙ୍କୁ ଓ ଦେଶର ଅର୍ଥନୀତିକୁ ରକ୍ଷା କରିବା ପାଇଁ ଆଧାର ଭିତ୍ତିକ ପ୍ରତ୍ୟକ୍ଷ ହସ୍ତାନ୍ତର ଯୋଜନା ମାଧୢମରେ ଓ ଜନଧନ ଆକାଉଣ୍ଟ ମାଧୢମରେ ଲୋକଙ୍କ ନିକଟରେ ଏ ଅର୍ଥ ପହଞ୍ଚାନ୍ତୁ- ଯାହା ସେମାନଙ୍କ ପାଇଁ ବୋତଲରୁ ମିଳିଥିବା ଟଙ୍କା ଭଳି ହେବ।

ସମ୍ବନ୍ଧିତ ଖବର