ରୁପେଲୀ ଗାର

ବର୍ତ୍ତମାନ ଭାରତର ପ୍ରାୟ ୧୩୦ କୋଟି ଲୋକ ଗୃହବନ୍ଦୀ ହୋଇ ଅତିବାହିତ କରୁଥିବା ଦେଶବ୍ୟାପୀ ‘ଲକ୍‌-ଡାଉନ୍‌’ର ସମସ୍ତଙ୍କୁ ଜଣାଥିବା ଉଦ୍ଦେଶ୍ୟ ହେଉଛି ବ୍ୟକ୍ତି-ବ୍ୟକ୍ତି ମଧୢରେ ସାମାଜିକ ଦୂରତ୍ବ ନିଶ୍ଚିତ କରିବା। ‘ଲକ୍‌-ଡାଉନ୍‌’ ସାମାଜିକ ପ୍ରାଣୀ ମନୁଷ୍ୟର ଦୈନନ୍ଦିନ ଜୀବନ ଯାତ୍ରା ପାଇଁ ସୃଷ୍ଟି କରିଥିବା ସମସ୍ୟାମାନ ବିଭିନ୍ନ ରୂପରେ ସମାଜର ସବୁ ବର୍ଗକୁ ହନ୍ତସନ୍ତ କରି ଦେଇଛି। ସେମାନେ ଗାଁ ମୁହାଁ ହୋଇଥିବା ଆତଙ୍କିତ ପ୍ରବାସୀ ଶ୍ରମିକ ହୁଅନ୍ତୁ କି ଘର ଭିତରେ ଆବଦ୍ଧ ହୋଇ ଝଗଡ଼ା ଜାଲରେ ପଡ଼ିଥିବା ଦମ୍ପତି ହୁଅନ୍ତୁ, କି ଜରୁରୀ ଚିକିତ୍ସାରୁ ବଞ୍ଚିତ ହୋଇ ଘରେ ପଡ଼ି ରହିଥିବା ରୋଗୀ ହୁଅନ୍ତୁ, କି ଅଚାନକ ଦାନା ପାଣି ହରାଇ ବସିଥିବା ଦିନ ମଜୁରିଆ ହୁଅନ୍ତୁ। ଜୀବନ ବଞ୍ଚାଇବାର ଏହା ଏକମାତ୍ର ଉପାୟ ବୋଲି ବିଶ୍ବାସ କରି ଚୀନା କରୋନା ଭାଇରସ୍‌ ଆକ୍ରମଣର ସମ୍ମୁଖୀନ ସମସ୍ତେ ଏ ସମସ୍ତ କଷ୍ଟ ଯନ୍ତ୍ରଣା ସହି ନିଜକୁ ‘ଲକ୍‌ଡାଉନ୍‌’ରେ ରଖିବାକୁ ଆଗେଇ ଆସିଛନ୍ତି।

ସମୟ ସମୟରେ ଏକ କଳାହାଣ୍ତିଆ ବାଦଲର ଧାର ପଛରେ ଲୁଚି ରହିଥିବା ସୂର୍ଯ୍ୟର ଆଲୋକ ଛଟାରେ ରୁପା ପରି ଝଲସି ଉଠିବା ଦର୍ଶକକୁ ବିଭୋର କରି ଦେଇଥାଏ। ବର୍ତ୍ତମାନର ‘ଲକ୍‌ଡାଉନ୍‌’ ଦିନ ଗୁଡ଼ିକ ଯେତେ ଆଗକୁ ଆଗକୁ ଗଡ଼ିବାରେ ଲାଗିଛି, ଅନେକ ଲୋକ ଏହାର ରୁପେଲୀ ଧାର ଅଧିକରୁ ଅଧିକ ସ୍ପଷ୍ଟ ରୂପେ ଦେଖିବାକୁ ଆରମ୍ଭ କଲେଣି। ଉଭୟ ମୁଖ୍ୟ ସ୍ରୋତ ଓ ସାମାଜିକ ଗଣମାଧୢମରେ ଯେଉଁ ସବୁ ସୂଚନା ଦେଖିବାକୁ ମିଳିଲାଣି, ତାହା ହେଲା- ସହରର ଆକାଶ ଅଧିକ ନୀଳ ଦିଶିଲାଣି, ବାୟୁମଣ୍ତଳରେ ଭାସମାନ କଣିକା ମାନଙ୍କର ଅନୁପାତ ବେଶ୍‌ ହ୍ରାସ ପାଇଲାଣି, ନିସ୍ତବ୍‌ଧ ଜନବସତି ମାନଙ୍କରେ ପକ୍ଷୀଙ୍କ କାକଳିର ମଧୁରିମା ପୁଣି ଆବିଷ୍କୃତ ହେଲାଣି, ଜଙ୍ଗଲୀ ଜୀବଜନ୍ତୁମାନେ ସାମୟିକ ଭାବରେ ହେଉ ପଛକେ, ପୁଣି ନିଜର ଭିଟାମାଟି ଫେରି ପାଇଥିବା ଭଳି ରାଜରାସ୍ତାରେ ଅବାଧ ବିଚରଣ କରିବା ଓ ବିଶ୍ରାମ ନେବା ଦେଖା ଗଲାଣି। ମୋଟ ଉପରେ ମନୁଷ୍ୟର ନିର୍ଦ୍ଦୟ ଅନୁପ୍ରବେଶରେ ଦେଖା ଦେଇଥିବା ଏକ ସାମୟିକ ବିରତିର ସୁଯୋଗ ନେଇ ପ୍ରକୃତି ପୁଣି ତା’ର ପସରା ମେଲାଇ ଦେଇ ସେଇ ମନୁଷ୍ୟକୁ ବିମୋହିତ କରିବାକୁ ଚେଷ୍ଟା କରୁଛି।

‘ଲକ୍‌ଡାଉନ୍‌’ କଳା ବାଦଲର କିନ୍ତୁ ଏହା ହିଁ ଏକ ମାତ୍ର ରୁପେଲୀ ରେଖା ନୁହେଁ। ଯେଉଁମାନେ ପ୍ରକୃତି-ପ୍ରେମୀ ବା ପରିବେଶ-ପ୍ରେମୀ ନୁହନ୍ତି ସେମାନଙ୍କ ପାଇଁ ଲକ୍‌ଡାଉନ୍‌ର ଉପରବର୍ଣ୍ଣିତ ପାର୍ଶ୍ବ ଫଳ କୌଣସି ଗୁରୁତ୍ବ ବହନ ନ କରି ପାରେ। ପ୍ରକୃତି-ପ୍ରେମୀ ହୋଇଥାନ୍ତୁ କି ନଥାନ୍ତୁ, ସମସ୍ତେ କିନ୍ତୁ ହେଉଛନ୍ତି ଜୀବନ-ପ୍ରେମୀ। ଏହି ଦୃଷ୍ଟି କୋଣରୁ ଦେଖିଲେ ‘ଲକ୍‌ଡାଉନ୍‌’ ବାଦଲ ଧାରରେ ଆଉ ଗୋଟିଏ ରୁପେଲୀ ଧାର ଉଙ୍କି ମାରିବାକୁ ଆରମ୍ଭ କଲାଣି, ଯାହା ସମ୍ପୂର୍ଣ୍ଣ ବସ୍ତୁବାଦୀ ଜୀବନ-ପ୍ରେମୀଙ୍କୁ ମଧୢ ଆନନ୍ଦିତ କରିବ।

ଚୀନା କରୋନା ଭାଇରସ୍‌ ଦ୍ବାରା ସୃଷ୍ଟ ରୋଗ ବା ମହାମାରୀ ‘କୋଭିଡ୍‌-୧୯’ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ ହେଉଛି ଇଟାଲି। ଏହି ଦେଶର ଗବେଷକମାନେ ତେଣୁ ତାଙ୍କ ଦେଶରେ ଏହି ଚୀନ୍‌ରୁ ଆମଦାନି ଭୂତାଣୁ କିପରି ଓ କାହିଁକି ଏତେ ସହଜରେ ଓ ଶୀଘ୍ର ବ୍ୟାପି ଗଲା, ତାହାର କାରଣ ଅନୁସନ୍ଧାନ କରିବାରେ ଲାଗି ପଡ଼ିଛନ୍ତି। ବୋଲୋନିଆ ବିଶ୍ବବିଦ୍ୟାଳୟର ଏହି ଭଳି ଏକ ଗବେଷକ ଦଳ ଏ ସ˚କ୍ରାନ୍ତରେ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଏବେ ସଦ୍ୟ ପ୍ରକାଶ ଲାଭ କରିଛି। ସାଧାରଣ ସମୟରେ ଏଭଳି ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଅନ୍ୟ ବୈଜ୍ଞାନିକ ଓ ଗବେଷକମାନଙ୍କ ଦ୍ବାରା ତାହାର ଟିକିନିଖି ଯାଞ୍ଚ କରାଯିବା ପରେ ହିଁ ତାହା ଲୋକଲୋଚନକୁ ଆସିଥାଏ। କିନ୍ତୁ ବର୍ତ୍ତମାନର ବିଭୀଷିକାମୟ ଜରୁରୀ ପରିସ୍ଥିତି ଯୋଗୁଁ ଏହି ଗବେଷଣାର ଫଳାଫଳକୁ ସେପରି ସମୟସାପେକ୍ଷ ଯାଞ୍ଚକୁ ଅପେକ୍ଷା ନ କରି ପ୍ରକାଶ କରି ଦିଆଯାଇଛି।

ଡକ୍ଟର‌୍‌ ଲିଓନାର୍ଡୋ ସେଟ୍ଟିଙ୍କ ନେତୃତ୍ବାଧୀନ ଗବେଷକ ଗୋଷ୍ଠୀ ଇଟାଲିରେ ଚୀନା କରୋନା ଭାଇରସ୍‌ର ପ୍ରସାରରେ ବିଶେଷ ଆଞ୍ଚଳିକ ତାରତମ୍ୟ ଦେଖିବାକୁ ପାଇଛନ୍ତି। ବିଭିନ୍ନ ଅଞ୍ଚଳରେ କରୋନା ଭାଇରସ୍‌ ପ୍ରଥମେ ପହଞ୍ଚିବା ସମୟରେ ଥିବା ତାରତମ୍ୟକୁ ବିଚାରକୁ ନେବା ପରେ ମଧୢ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ଇଟାଲିର ଉତ୍ତର ଭାଗରେ ଏହି ଭାଇରସ୍‌ ଦେଶର ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି। ବିଶେଷତଃ ଉତ୍ତର ଇଟାଲିର ‘ପୋ ଉପତ୍ୟକା’ରେ ଏହି ପ୍ରସାର ଦ୍ରୁତତମ ହୋଇଥିବା ଦେଖାଯାଇଛି। ଗବେଷକମାନେ ଏହାର ଯେଉଁ କାରଣ ନିର୍ଣ୍ଣୟ କରିଛନ୍ତି, ତାହା ହେଉଛି- ପ୍ରଦୂଷଣ।

ସେମାନଙ୍କର କହିବା କଥା (‘ହାଇପୋଥେସିସ୍‌’) ହେଲା, ପ୍ରଦୂଷଣ ଯୋଗୁଁ ବାୟୁମଣ୍ତଳରେ ଭାସି ବୁଲୁଥିବା କ୍ଷୁଦ୍ର କଣିକମାନ ଭୂତାଣୁର ବାହନ ରୂପେ କାର୍ଯ୍ୟ କରିଥାନ୍ତି। ‘ପୋ ଉପତ୍ୟକା’ରେ ଏହି କଣିକାମାନ ବାୟୁମଣ୍ତଳରେ ଅଧିକ ମାତ୍ରାରେ ଦେଖାଯାଇଥାନ୍ତି। ସେମାନେ କରୋନା ଭାଇରସ୍‌ର ୧୪ ଦିନିଆ ଉଷ୍ମାୟନ (ଇନ୍‌କ୍ୟୁବେସନ୍‌) ସମୟ ଏବ˚ ‘ପୋ ଉପତ୍ୟକା’ର ଦୈନିକ କଣିକା-ପ୍ରଦୂଷଣ ସ୍ତରମାନଙ୍କର ଅନୁଶୀଳନ କରି ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସେଠାକାର ଦୈନିକ ନୂତନ ସ˚କ୍ରମଣ ହାର ଓ ଦୈନିକ ପ୍ରଦୂଷଣ ସ୍ତର ମଧୢରେ ଏକ ଘନିଷ୍ଠ ସକାରାତ୍ମକ ପାରସ୍ପରିକ ସମ୍ପର୍କ ରହିଛି। ବାସ୍ତବରେ କେବଳ କରୋନା ଭୂତାଣୁ ନୁହେଁ, ଇନ୍‌ଫ୍ଲୁଏଞ୍ଜା, ମିଳିମିଳା ଓ ଅନ୍ୟାନ୍ୟ ଶ୍ବାସରୋଗ ସୃଷ୍ଟିକାରୀ ଭୂତାଣୁମାନେ ମଧୢ ଏହି କଣିକା ଆରୋହଣ କରି ମନୁଷ୍ୟ ଶରୀରରେ ପ୍ରବେଶ କରିଥାନ୍ତି ବୋଲି ଅନ୍ୟ ଗବେଷଣାରୁ ସାବ୍ୟସ୍ତ ହୋଇଛି।

ଏଣୁ କେବଳ ସାମାଜିକ ଦୂରତ୍ବ ବଜାୟ ରଖିବାରେ ଯେ ଆମର ୨୧-ଦିନିଆ ‘ଲକ୍‌ଡାଉନ୍‌’ ସହାୟକ ହୋଇ ଚୀନା କରୋନା ଭୂତାଣୁକୁ ନିଷ୍କ୍ରିୟ କରିବ, ତାହା ନୁହେଁ, ଦୀର୍ଘ ତିନି ସପ୍ତାହ ଧରି ସାରା ଦେଶର ବାୟୁମଣ୍ତଳକୁ କଣିକା ମୁକ୍ତ କରି ଏହି ଭୂତାଣୁକୁ ସମ୍ପୂର୍ଣ୍ଣ ରୂପେ ନିରାଶ୍ରୟ କରି ନିଶ୍ଚିହ୍ନ କରି ଦେବାର ଏକ ଅତିରିକ୍ତ ସମ୍ଭାବନା ମଧୢ ବହନ କରୁଛି। ସମସ୍ତ କଷ୍ଟ ସତ୍ତ୍ବେ ସମସ୍ତେ ତେଣୁ ଏ ‘ଲକ୍‌ଡାଉନ୍‌’କୁ ଦାନ୍ତ କାମୁଡ଼ି ସହିଯିବା ଉଚିତ।

ସମ୍ବନ୍ଧିତ ଖବର