ଏହି ସମ୍ବାଦପତ୍ରର ଭଗିନୀ ସଂସ୍ଥା ‘କନକ ନିଉଜ୍’ ଟେଲିଭିଜନ୍ ଚାନେଲ୍ର ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଲକ୍ଡାଉନ୍ ସମୟରେ ବିଭିନ୍ନ କିସମର ଅପରାଧ ଘଟଣାରେ ଦେଖା ଦେଇଥିବା ଚମକପ୍ରଦ ହ୍ରାସ ପଛରେ କ’ଣ ତାତ୍ତ୍ବିକ କାରଣ ନିହିତ ଥାଇପାରେ ବୋଲି ଭୁବନେଶ୍ବରର ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଆଙ୍କର୍ ପ୍ରଶ୍ନ କରିବା ଦେଖା ଯାଇଥିଲା। ଅପରାଧ ତତ୍ତ୍ବରେ ତାଙ୍କର ଗବେଷଣା ଓ ଗଭୀର ଜ୍ଞାନ ପାଇଁ ଜଣାଶୁଣା ଷଡ଼ଙ୍ଗୀ ଏଥିପାଇଁ ଆବଶ୍ୟକ ତାତ୍ତ୍ବିକ ଆଲୋଚନା ପାଇଁ ପରବର୍ତ୍ତୀ କୌଣସି ଏକ ଉପଯୁକ୍ତ ସମୟ ପ୍ରକୃଷ୍ଟ ହେବ ବୋଲି କହି ତା’ର ଅଧିକ ବ୍ୟାଖ୍ୟା କରି ନଥିଲେ।
କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ମନେହେଉଛି ଏହି ପ୍ରଶ୍ନର ଅସଲ ଉତ୍ତର ବୋଧହୁଏ ଦେଇଥିଲେ ପ୍ରସିଦ୍ଧ ଆମେରିକୀୟ ସାମ୍ବାଦିକ ଏଚ୍ ଏଲ୍ ମେଙ୍କେନ୍, ଯେତେବେଳେ ସେ କହିଥିଲେ: ‘‘ଲୋକମାନେ କହନ୍ତି ଆମର ଧର୍ମ ଦରକାର, ଯେତେବେଳେ ସେମାନେ ପ୍ରକୃତରେ ଯାହା କହିବାକୁ ଚାହାଁନ୍ତି, ତାହା ହେଲା, ଆମର ପୁଲିସ୍ ଦରକାର।’’ ଏକ ସାଧାରଣ ଧାରଣା ବ୍ୟାପକ ହୋଇଥାଏ ଯେ ଧର୍ମ ଏକ ସୁସ୍ଥ, ଅପରାଧଶୂନ୍ୟ ସମାଜ ସୃଷ୍ଟିରେ ସହାୟକ ହୋଇଥାଏ। ମେଙ୍କେନ୍ଙ୍କର ଉପରୋକ୍ତ ଚଟୁଳ ଉକ୍ତିର ଅର୍ଥ ହେଲା, କେବଳ ପୁଲିସ୍ ହିଁ ଏପରି ଏକ ସମାଜ ସୃଷ୍ଟି କରିପାରିବ। ତାଙ୍କର ଉକ୍ତିକୁ ଅବଶ୍ୟ ଆକ୍ଷରିକ ଭାବରେ ଗ୍ରହଣ କରାଯିବା ମେଙ୍କେନ୍ଙ୍କର ଉଦ୍ଦେଶ୍ୟ ନଥିଲା, କିନ୍ତୁ ଏହା ଯେ ମୋଟାମୋଟି ଏକ ଅପ୍ରିୟ ସତ୍ୟ, ତାହା ବର୍ତ୍ତମାନ ଦେଶରେ ମାଡ଼ିଚାଲିଥିବା ଚୀନା କରୋନା ମହାମାରୀ ପରିପ୍ରେକ୍ଷୀରେ ଜଳ ଜଳ ହୋଇ ଦେଖାଯାଇଥାଏ।
ଦେଶରେ ଏହି ମହାମାରୀର ପ୍ରସାରର ଗତିରୋଧ କରିବା ପାଇଁ ସମଗ୍ର ଦେଶବାସୀ ବିଭିନ୍ନ ପ୍ରକାର କଷ୍ଟ ସ୍ବୀକାର କରି ଘର ଭିତରେ ଦୀର୍ଘ କାଳ ଧରି ନିଜକୁ ବନ୍ଦ କରି ରଖିଛନ୍ତି। ତେବେ ବି, ଘର ଭିତରେ ସେମାନେ ଅପେକ୍ଷାକୃତ ଆରାମ ଓ ନିରାପଦରେ ଥିବା ବେଳେ ଦେଶସାରା ପୁଲିସ୍ମାନେ ଅସହ୍ୟ କଷ୍ଟ ଓ ବିପଦର ସମ୍ମୁଖୀନ ହୋଇ ଖରାତରାରେ ରାସ୍ତାଘାଟରେ ଜଗି ରହି ଏହି ଲକ୍ଡାଉନ୍କୁ ନିଶ୍ଚିତ କରିବାକୁ ଲାଗି ପଡ଼ିଛନ୍ତି। ସେମାନଙ୍କର ଏହି ଉତ୍ସର୍ଗୀକୃତ ଉଦ୍ୟମର ଫଳ ଦେଖିବାକୁ ମିଳିଥାଏ ଦେଶରେ କରୋନା ସଂକ୍ରମଣର ପରିସଂଖ୍ୟାନରେ। ରବିବାର ଦିନ କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିବା ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ କରୋନା ଭୂତାଣୁଜନିତ ‘କୋଭିଡ୍-୧୯’ କେସ୍ ଅର୍ଥାତ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ୪.୧ ଦିନରେ ଦୁଇଗୁଣ ହୋଇ ଯିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ‘ତବ୍ଲିଘି ଜମାତ୍’, ଯେଉଁଥିଯୋଗୁଁ ଅଧିକା˚ଶ ନୂତନ କେସ୍ ଗୁଡ଼ିକର ସୃଷ୍ଟି ହେଉଛି ବୋଲି ସେ କହିଥିଲେ। ଅଗ୍ରଵାଲ ଏହା ମଧୢ କହିଥିଲେ, ‘‘ଯଦି ଏହି ଇଭେଣ୍ଟ୍ (କାର୍ଯ୍ୟକ୍ରମ) ଆୟୋଜିତ ହୋଇ ନଥାନ୍ତା, ତା ହେଲେ କେସ୍ ସ˚ଖ୍ୟା ଦୁଇଗୁଣ ହେବାକୁ ଲାଗିଥାନ୍ତା ୭.୪ ଦିନ।’’
ପୁଲିସ୍ ଦିନରାତି ଜଗିରହି ସାମାଜିକ ଦୂରତା ରକ୍ଷା ବଳବତ୍ତର ରଖିବାକୁ ଚେଷ୍ଟା କରି କରୋନା କେସ୍ ସ˚ଖ୍ୟା ବୃଦ୍ଧି ହାରକୁ ମନ୍ଥର କରିବାକୁ ପ୍ରାଣମୂର୍ଚ୍ଛା ଲାଗି ପଡ଼ିଥିବା ବେଳେ ଏହି ଗୋଟିଏ ଧର୍ମୀୟ କାର୍ଯ୍ୟକ୍ରମ ସେହି ବୃଦ୍ଧି ହାରକୁ ପ୍ରାୟ ଦୁଇଗୁଣ କରି ଦେଇଥିବା ଉପରୋକ୍ତ ପରିସ˚ଖ୍ୟାନରୁ ଜଣାପଡ଼େ। ପୁଣି ମେଙ୍କେନ୍ଙ୍କୁ ଆହୁରି ଦୃଢ଼ ଭାବରେ ସତ୍ୟ ସାବ୍ୟସ୍ତ କଲା ଭଳି ଉପରୋକ୍ତ ଧର୍ମୀୟ କାର୍ଯ୍ୟକ୍ରମରେ ଭାଗ ନେଇ ସ˚କ୍ରମଣର ଶିକାର ହୋଇଥିବା ଅନୁଗାମୀମାନେ ଯେତେବେଳେ ପୁଲିସ୍ର ନଜର ଆଢ଼ୁଆଳକୁ ଚାଲି ଯାଉଛନ୍ତି, ସେମାନେ ସେମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରୁଥିବା ଡାକ୍ତରଖାନାର କର୍ମଚାରୀମାନଙ୍କ ପ୍ରତି ଅଶ୍ଳୀଳ, ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସ˚କ୍ରମଣ ପ୍ରସାର କରିବା ପାଇଁ ମଧୢ ଚେଷ୍ଟା କରିବା ଦେଖା ଯାଇଛି। ପରିସ୍ଥିତି ଏପରି ସଙ୍ଗିନ ହୋଇଛି ଯେ ଏ ଭଳି ଆଚରଣ ପ୍ରଦର୍ଶନକାରୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍ଏସ୍ଏ) ବଳରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଯିଏ ଯେଉଁ ଧର୍ମରେ ବିଶ୍ବାସ କରୁଥାଉ ନା କାହିଁକି, ବର୍ତ୍ତମାନର କରୋନା ମହାମାରୀ ଭଳି ଘୋର ସ˚କଟ ସମୟରେ ଯିଏ ପ୍ରକୃତରେ ଈଶ୍ବରଙ୍କ ରୂପରେ ଆମ ପାଖରେ ଛିଡ଼ା ହୁଅନ୍ତି, ସେମାନେ ହେଉଛନ୍ତି ଡାକ୍ତର ଓ ତାଙ୍କର ସମସ୍ତ ସହକର୍ମୀ ବୃନ୍ଦ। କୁହାଯାଇ ପାରେ ଭଗବାନ ଧଳା କୋଟ୍ ପିନ୍ଧି ଆବିର୍ଭୂତ ହୁଅନ୍ତି। ସେମାନଙ୍କ ପ୍ରତି କୌଣସି ଅସଦାଚରଣ ହେଉଛି ଈଶ୍ବରଙ୍କ ପ୍ରତି ଅସଦାଚରଣ, ଅଧର୍ମ। ବର୍ତ୍ତମାନ ଦେଖାଯାଉଛି ଏ ଭଳି ମହାସ˚କଟ ସମୟରେ ଭଗବାନ କେବଳ ଧଳା କୋଟ୍ ପିନ୍ଧି ଡାକ୍ତରଖାନାରେ ନୁହେଁ, ଖାକି ପୋଷାକ ପିନ୍ଧି ମଧୢ ରାସ୍ତାଘାଟରେ ପଇଁତରା ମାରୁଛନ୍ତି, ଛକମାନଙ୍କରେ ଜଗିଛନ୍ତି, ବିପଦଗ୍ରସ୍ତ ନାଗରିକମାନଙ୍କ ନିକଟରେ ଉଦ୍ଧାର ପାଇଁ ପହଞ୍ଚି ଯାଉଛନ୍ତି ଏବ˚ ନିର୍ଜନତାର ସୁଯୋଗ ନେଇ ନିଜର ବୃତ୍ତି ଚଳାଇବାକୁ ଚେଷ୍ଟା କରୁଥିବା ଚୋର ଡକାୟତ ମାନଙ୍କର ମଧୢ ମୁକାବିଲା କରୁଛନ୍ତି।
ସେମାନଙ୍କର ଏହି ଉତ୍ସର୍ଗୀକୃତ ସେବାକୁ ମଧୢ କୃତଜ୍ଞ ନାଗରିକମାନେ ସ୍ବୀକୃତି ପ୍ରଦାନ ପୂର୍ବକ ଦେଶର ବିିଭିନ୍ନ ସ୍ଥାନରେ ପୁଲିସ୍ ଉପରେ ଫୁଲବର୍ଷା କରିବାଠାରୁ ଆରମ୍ଭ କରି ସେମାନଙ୍କୁ ନୈବେଦ୍ୟ ପ୍ରଦାନ କରିବା ଦେଖାଯାଉଛି, ଯେମିତି ଠାକୁରଙ୍କ ପାଇଁ କରାଯାଇଥାଏ। ଏଚ୍ ଏଲ୍ ମେଙ୍କେନ୍ ବୋଧହୁଏ କେବେହେଲେ ଏ ଭଳି ସତ୍ୟ ପ୍ରମାଣିତ ହୋଇ ନଥିଲେ।