ଛୁଟି ବିଳାସ!
ଏହି ସ୍ତମ୍ଭର ଯେଉଁ ପାଠକପାଠିକାମାନେ ପ୍ରସିଦ୍ଧ ବ୍ରାଜିଲୀୟ ଲେଖକ ପାଉଲୋ କୋଏଲୋଙ୍କ ଏକ ଲୋକପ୍ରିୟ ଉପନ୍ୟାସ ‘ଦ ଫିଫ୍ଥ ମାଉନ୍ଟେନ୍’ (ପଞ୍ଚମ ପର୍ବତ) ପାଠ କରିଥିବେ ସେମାନେ କେବେ ହେଲେ ଏହାର ପ୍ରଥମ କେଇ ପୃଷ୍ଠାରେ ଥିବା ଛାତିଥରା ଆତଙ୍କର ବର୍ଣ୍ଣନାକୁ ବିସ୍ମରି ପାରି ନ ଥିବେ। ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରେ ରାଜା ଆହବ ଏବ˚ ତାଙ୍କର ଦୁଷ୍ଟା ରାଣୀ ଜେଜେବେଲଙ୍କ ଆଦେଶରେ ଯେତେବେଳେ ଇସ୍ରାଏଲ୍ର ରାଜରାସ୍ତା ଉପରେ ଈଶ୍ବରଙ୍କ ପ୍ରକୃତ ପୈଗମ୍ବର (ପ୍ରଫେଟ୍)ମାନଙ୍କ ମୁଣ୍ତ-କାଟଜନିତ ରକ୍ତର˚ଜିତ ପର୍ବ ଅନୁଷ୍ଠିତ ହେଉଥିଲା, ସେତିକି ବେଳେ ଏକ ଘୋଡ଼ାଶାଳ ମଧୢରେ ପ୍ରାଣ ବିକଳରେ ଆତ୍ମଗୋପନ କରି ରହିଥିବା ପ୍ରଫେଟ୍ ଏଲିଜା ଏବ˚ ଲେଭାଇଟ୍ଙ୍କ ମଧୢରେ ଅତ୍ୟନ୍ତ ଅନୁଚ୍ଚରିତ କଣ୍ଠର ମର୍ମସ୍ପର୍ଶୀ କ୍ଷୁଦ୍ର କଥୋପକଥନକୁ ଏହି ପ୍ରାରମ୍ଭିକ ପୃଷ୍ଠାରେ ପଢ଼ିବାକୁ ମିଳିଥାଏ। ଏହାକୁ ପାଠ କଲା ବେଳେ ପ୍ରାୟ ତିନି ହଜାର ବର୍ଷ ପୂର୍ବର ସେହି ଭୟାବହ ଦୃଶ୍ୟପଟ ସହିତ ମାତ୍ର ଛଅ ବର୍ଷ ତଳେ ଇରାକ୍ର ମୋସୁଲ ସହରର ଶୂନ୍ୟ ରାଜରାସ୍ତାରେ ସଶସ୍ତ୍ର ‘ଆଇ.ଏସ୍.ଆଇ.ଏସ୍’ ଆତଙ୍କବାଦୀମାନଙ୍କ ଦ୍ବାରା ସ˚ଘଟିତ ନରସ˚ହାରର ଘନଘଟା କାଳରେ ସ˚ତ୍ରସ୍ତ ଜନସାଧାରଣ କବାଟ କିଳି ନିଜ ନିଜ ଗୃହରେ ଆତ୍ମଗୋପନ କରି ରହିଥିବାର ଦୃଶ୍ୟପଟର ସାଦୃଶ୍ୟକୁ ଲକ୍ଷ୍ୟ କରିହୁଏ। ଏଠାରେ ଏହା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ଜେଜେବେଲଙ୍କ ସୈନିକ ହୁଅନ୍ତୁ ବା ଆଇ.ଏସ୍.ଆଇ.ଏସ୍ ଆତଙ୍କବାଦୀ ହୁଅନ୍ତୁ ଅଥବା ଆମ ଜନସ୍ମୃତିରେ ରହି ଆସିଥିବା ବର୍ଗୀ ଆକ୍ରମଣକାରୀ ହୁଅନ୍ତୁ; ମାନବ ଇତିହାସରେ ସବୁ କାଳରେ ଏହା ଦେଖିବାକୁ ମିଳିଛି ଯେ ମାତ୍ର କେଇ ହଜାର ଏଭଳି କ୍ରୂର ଘାତକଙ୍କ ଉପସ୍ଥିତିରେ ଲକ୍ଷଲକ୍ଷ ଜନସାଧାରଣ ପ୍ରାଣ ବିକଳରେ ସ୍ବେଚ୍ଛାରେ ନିଜକୁ ଆପଣା ଘରେ କବାଟ କିଳି ଦିଅନ୍ତି। ଏଭଳି ଏକ ସ୍ଥିତିକୁ ଆଜିର ‘ଲକ୍ଡାଉନ୍’ ସହିତ ତୁଳନା କରାଗଲେ ଏ ଦୁଇ ପ୍ରକାର କବାଟ କିଳା ମଧୢରେ ନିହିତ ଥିବା ଏକ ମୌଳିକ ଚରିତ୍ରଗତ ପ୍ରଭେଦ ସ୍ପଷ୍ଟ ହୋଇଥାଏ, ଯାହା ହେଉଛି ଏବର କବାଟ କିଳା (ଲକ୍ଡାଉନ୍) ସ୍ଥିତିରେ ଶତ୍ରୁ ଅଧିକ ମାରାତ୍ମକ ହୋଇଥିଲେ ହେଁ ଏକ ଅଦୃଶ୍ୟ ଭୂତାଣୁ ବୋଲି ତାହା ହେୟଜ୍ଞାନର ଶିକାର ଏବଂ ସେହି କାରଣରୁ ଲୋକେ ସ୍ବଇଚ୍ଛାରେ ନୁହେ, ବର˚ ସରକାରଙ୍କ ଆଦେଶରେ ନିଜକୁ କିଳି ରଖିଛନ୍ତି। ତେଣୁ ସ˚ପ୍ରତି ‘ଲକ୍ଡାଉନ୍’କୁ କେନ୍ଦ୍ର କରି ଅନେକଙ୍କ ମଧୢରେ ବ୍ୟସ୍ତତା ବା ଏହାର ଯୌକ୍ତିକତାକୁ ନେଇ ପ୍ରଶ୍ନ ଅଥବା ‘ଲକ୍ଡାଉନ୍’ କାଳରେ ବି ବଜାର ହାଟରେ ଅମାନିଆ ଲୋକଙ୍କ ଭିଡ଼; ଏହି ଚରିତ୍ରଗତ ପ୍ରଭେଦକୁ ଦର୍ଶାଇବା ସହିତ ଏହା ସୂଚନା ଦେଇଥାଏ ଯେ ‘କୋଭିଡ୍-୧୯’ ସ˚କ୍ରମଣର ଭୟାବହତାରେ ପ୍ରତିବନ୍ଧ ଲଗାଇବାକୁ ‘ଲକ୍ଡାଉନ୍’ ଯେ ଏକ ଅତ୍ୟନ୍ତ ସଫଳ ଅସ୍ତ୍ର, ଏ ନେଇ ଏଯାବତ୍ ଅସ˚ଖ୍ୟ ଲୋକ ନିଶ୍ଚିତ ହୋଇ ପାରି ନାହାନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସ୍ବୀକାର୍ଯ୍ୟ ଯେ ଆଧୁନିକ ପୃଥିବୀ ଇତିହାସରେ କୌଣସି ଶାସକ ବା ସରକାର ଦ୍ବାରା ଏକ ଅତ୍ୟନ୍ତ ବିଶାଳ ଜନବସତିକୁ ପ୍ରାୟ କିଳି ଦେବାର ଦୃଷ୍ଟାନ୍ତ ଚୀନ ସରକାରଙ୍କ ଦ୍ବାରା ଉହାନ ନଗରୀକୁ ‘ଲକ୍ଡାଉନ୍’ ଘୋଷଣା କରାଯିବା ପୂର୍ବରୁ ନାହିଁ। ଏଠାରେ ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ‘ସ୍ବାଇନ୍ ଫ୍ଲୁ’ ସୃଷ୍ଟିିକାରୀ ‘ଏଚ୧ଏନ୍୧’ ଭୂତାଣୁ ମଣିଷ ଠାରୁ ମଣିଷକୁ ଶ୍ବାସପ୍ରଶ୍ବାସ କ୍ରିୟା ଜରିଆରେ ବ୍ୟାପୁଥିଲେ ମଧ୍ୟ ଏବ˚ ୨୦୦୯ (ମେ’)ରୁ ୨୦୧୦ (ଅଗଷ୍ଟ) ମଧୢରେ ଏହାର ପ୍ରକୋପରେ କେବଳ ଭାରତରେ ୧୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ସହିତ ମୃତକଙ୍କ ସ˚ଖ୍ୟା ୧୮୩୩ରେ ପହଞ୍ଚିଥିବା ସତ୍ତ୍ବେ ‘ଲକ୍ଡାଉନ୍’ ଭଳି ପଦକ୍ଷେପ ଭାରତରେ ଗ୍ରହଣ କରାଯାଇ ନ ଥିଲା। ଏହାର କାରଣ ସ୍ବରୂପ ଭୂତାଣୁ ବିଶେଷଜ୍ଞମାନେ କହିଥାଆନ୍ତି ଯେ ‘କୋଭିଡ୍-୧୯’ ତୁଳନାରେ ‘ଏଚ୍୧ଏନ୍୧’ ଭୂତାଣୁର ସ˚କ୍ରମଣକାରୀ କ୍ଷମତା କମ୍ (ଯଦିଓ ମାରକ କ୍ଷମତା ଅଧିକ) ହୋଇଥିବାରୁ ସେତେବେଳେ ‘ଲକ୍୍ଡାଉନ୍’ ଭଳି ଏକ କଠୋର ପଦକ୍ଷେପ ବିଷୟରେ ହୁଏ ତ ଚିନ୍ତା କରାଯାଇ ନ ଥିଲା। କିନ୍ତୁ ଟିକିଏ ଗହୀରେଇ ଦେଖିଲେ ଏହା ପଛରେ ଆଉ ଏକ ସମ୍ଭାବ୍ୟ କାରଣ ମଧୢ ଦିଶିଥାଏ ଯେ ସ୍ବାଇନ୍ ଫ୍ଲୁର ‘ପାନ୍ଡେମିକ୍’ ଯୁକ୍ତରାଷ୍ଟ୍ର ଆମେରିକାରୁ ଆରମ୍ଭ ହୋଇଥିବାରୁ ତା’ ଭଳି ଏକ ଅତ୍ୟନ୍ତ ମୁକ୍ତ ବିଚାରସ˚ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ସକାଶେ ‘ଲକ୍ଡାଉନ୍’ ଭଳି ଏକ ଅତିଶୟ କଠୋର ପଦକ୍ଷେପ ନେଇ ଦୃଷ୍ଟାନ୍ତ ସୃଷ୍ଟି କରିବା ବିଷୟ ଚିନ୍ତାତୀତ ହୋଇଥିବ। ଏଠାରେ ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ୨୦୦୩ ମସିହାରେ ‘ସାର୍ସ’ ସ˚କ୍ରମଣ ଏକ ଭୀଷଣ ‘ପାନ୍ଡେମିକ୍’ରେ ପରିଣତ ହେବା ପୂର୍ବରୁ ତାର ଉତ୍ପତ୍ତି ସ୍ଥଳ ଚୀନ୍ରେ ହିଁ ତାକୁ ରୋକାଯିବା ବେଳେ ମଧୢ ‘ଲକ୍ଡାଉନ୍’ର ବ୍ୟବହାର କରାଯାଇ ନ ଥିଲା। କିନ୍ତୁ ‘କୋଭିଡ୍-୧୯’ର ସ˚କ୍ରମଣକୁ ରୋକିବା ଲାଗି ଚୀନ ଦ୍ବାରା ‘ଲକ୍ଡାଉନ୍’ ଭଳି ପଦକ୍ଷେପ ନିଆଗଲା କାହିଁକି? ଏହାର ଏକମାତ୍ର ସରଳ ଉତ୍ତର- ଏହା ହିଁ ହେଉଛି ‘କୋଭିଡ୍-୧୯’ ସ˚କ୍ରମଣର ବୈଦ୍ୟୁତିକ ବେଗକୁ ରୋକିବାର ଏକମାତ୍ର ଉପାୟ। ପ୍ରାରମ୍ଭିକ ଅବସ୍ଥାରେ ‘ଲକ୍ଡାଉନ୍’ ପରିପନ୍ଥୀ ମାନସିକତା ପ୍ରଦର୍ଶନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ସମେତ ଉଦାରବାଦୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅତି ସ୍ବଳ୍ପ କାଳ ମଧୢରେ ବହୁ ମୂଲ୍ୟ ଦେବା ପରେ ଯାଇ ଏହାକୁ ହୃଦୟଙ୍ଗମ କରିପାରିଛନ୍ତି।
ସ˚ପ୍ରତି ବିଭିନ୍ନ ପରିସ˚ଖ୍ୟାନ ଦ୍ବାରା ଏହା ପ୍ରମାଣିତ ମଧୢ ହେବାରେ ଲାଗିଛି ଯେ କୌଣସି ‘ଭ୍ୟାକ୍ସିନ’ର ଅନୁପସ୍ଥିତିରେ ‘ଲକ୍ଡାଉନ୍’ ହିଁ ହେଉଛି ଏକମାତ୍ର ପ୍ରତିଷେଧକ। ଗଲା ମଙ୍ଗଳବାର ଦିନ ‘ଇଣ୍ତିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ’ ବା ‘ଆଇସିଏମଆର’ ପକ୍ଷରୁ ପ୍ରଦତ୍ତ ଏକ ଗବେଷଣାମୂଳକ ଅନୁଧୢାନ ଅନୁସାରେ ‘ଲକ୍ଡାଉନ୍’ ନଥିବା ବେଳେ ‘କୋଭିଡ୍-୧୯’ ଦ୍ବାରା ଆକ୍ରାନ୍ତ ଜଣେ ବ୍ୟକ୍ତି ୩୦ ଦିନ ମଧୢରେ ୪୦୬ ଜଣଙ୍କୁ ସ˚କ୍ରମିତ କରିବାର ଆଶଙ୍କା ଥିବା ବେଳେ ‘ଲକ୍ଡାଉନ୍’ ଅବସ୍ଥାରେ ଏହି ସ˚କ୍ରମଣର ହାର (‘R.0) ୭୫% ହ୍ରାସ ପାଇ ପହଞ୍ଚିଥାଏ ମାତ୍ର ୨.୫ରେ ବା ଅଢ଼େଇ ଜଣରେ। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ‘ଗାର୍ଡିଆନ୍’ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧ କହିଥାଏ ଯେ ‘କୋଭିଡ୍-୧୯’ ସ˚କ୍ରମଣର ତାଣ୍ତବଲୀଳାରେ ଅନ୍ୟତମ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଇଟାଲିର ଲୋଡି ଅଞ୍ଚଳରେ ଫେବ୍ରୁଆରି ୨୩ରେ ‘ଲକ୍ଡାଉନ୍’ ଘୋଷଣା କରାଯିବା କାରଣରୁ ମାର୍ଚ୍ଚ ୧୩ ବେଳକୁ ସେଠାରେ ଦୈନିକ ସ˚କ୍ରମିତଙ୍କ ସ˚ଖ୍ୟା ପ୍ରାୟ ୧୦୦୦ରେ ରହି ସ˚କ୍ରମଣର ଉପରମୁହାଁ ଗତିକୁ ରୋକା ଯାଇପାରିଥିବା ସ୍ଥଳେ ମାର୍ଚ୍ଚ ୮ ତାରିଖରେ ‘ଲକ୍ଡାଉନ୍’ ଅଧୀନକୁ ଆସିଥିବା ବେରଗାମା ଅଞ୍ଚଳରେ ଦୈନିକ ସ˚କ୍ରମିତଙ୍କ ସ˚ଖ୍ୟା ସେହି ସମୟରେ ୨୦୦୦ରେ ପହଞ୍ଚିବା ସତ୍ତ୍ବେ ସେଠାରେ ସଂକ୍ରମଣର ଊର୍ଦ୍ଧ୍ବମୁଖୀ ଗତି ଜାରି ରହିଥିଲା।
ଏହି ପରିପ୍ରେକ୍ଷୀରେ ଗତକାଲି ରାଜ୍ୟ ସରକାର ‘ଲକ୍ଡାଉନ୍’ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ବୃଦ୍ଧି କରିବାକୁ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ କଠୋର ହୋଇଥିଲେ ମଧୢ ଖୁବ୍ ସ୍ବାଗତଯୋଗ୍ୟ। କାରଣ ଏବେ କରୋନା ସ˚କ୍ରମଣର ଗ୍ରାଫ୍ ଉପରମୁହାଁ। ଏହି ପରିପ୍ରେକ୍ଷୀରେ ସ˚କ୍ରମଣର ହାରକୁ ୧ରୁ ତଳକୁ ଆଣିବା (ଅର୍ଥାତ୍ ତିନି ଜଣଙ୍କ ଠାରୁ ଦୁଇ ଜଣ ସ˚କ୍ରମିତ ହେବା ଭଳି ସ୍ଥିତି) ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ। କିନ୍ତୁ ଏହା ସହିତ ଭୁଲିଗଲେ ହେବନାହିଁ ଯେ ଏହି ସମୟ ଖଣ୍ତ ମଧୢରେ ଦରିଦ୍ର ଓ ନିରନ୍ନମାନଙ୍କ କଷଣ ଦୂର କରିବା ମଧୢ ସରକାରଙ୍କ ଲାଗି ସର୍ବାଧିକ ଗୁରୁତ୍ବ ବହନ କରେ। ଏ ପରିପ୍ରେକ୍ଷୀରେ ଗୃହର ଆରାମଦାୟକ ପରିବେଶରେ ‘ରାମାୟଣ’ ମୋହିତ ମଧୢବିତ୍ତ ବର୍ଗ ଏହା ମଧୢ ହୃଦୟଙ୍ଗମ କରିବା ଉଚିତ ଯେ ‘ଲକ୍ଡାଉନ୍’ର ଅର୍ଥ ଛୁଟିର ବିଳାସ ନୁହେଁ ବା ଏହା ନିବୁଜ ଘରେ ଆତ୍ମରତିରେ ନିମଗ୍ନ ରହିବାର କ୍ଷଣ ମଧ୍ୟ ନୁହେଁ। ଏହି ସରକାରୀ ଘୋଷଣା ଫଳରେ ଆମ ସମାଜର ଯେଉଁ ବର୍ଗ ସବୁଠାରୁ ଅଧିକ ଆକ୍ରାନ୍ତ ହେବାକୁ ଯାଉଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ଲାଗି ଦାୟିତ୍ବବୋଧର ପ୍ରଦର୍ଶନ ମଧୢ ଏ ‘ଲକ୍ଡାଉନ୍’ ସମୟର ସବୁଠାରୁ ବଡ଼ ଆହ୍ବାନ।