ପାଶ୍ଚାତ୍ୟର ଦ୍ୱନ୍ଦ୍ୱ

ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ ଠାଏ କହିଥିଲେ ଯେ ଯେଉଁ ମନରୁ ଦ୍ବନ୍ଦ୍ବର ସୃଷ୍ଟି, ସେହି ମନ ତାର ସମାଧାନ କରିପାରିବ ନାହିଁ। ଏଣୁ କୌଣସି ଦ୍ବନ୍ଦ୍ବର ସମାଧାନ ଲାଗି ଅଲଗା ମନଟିଏ ଲୋଡ଼ା। ଏହା ଦ୍ବାରା ସେ ବୋଧହୁଏ ଏୟା କହିବାକୁ ଚାହିଥିଲେ ଯେ କୌଣସି ଦ୍ବନ୍ଦ୍ବର ସମାଧାନ ଲାଗି ହୁଏ’ତ ଅନ୍ୟ କାହାର ପରାମର୍ଶ ନିଆଯାଇପାରେ ଅଥବା ଯେଉଁ ବିଚାରରୁ ଦ୍ବନ୍ଦ୍ବ ଉତ୍ପନ୍ନ ହେଉଛି, ତାର ସମାଧାନ ଲାଗି ଏକ ଭିନ୍ନ ପ୍ରକାର ବିଚାରଭଙ୍ଗୀର ସାହାଯ୍ୟ ନିଆଯାଇପାରେ। ସ˚ପ୍ରତି ଯେତେବେଳେ ‘କୋଭିଡ୍‌-୧୯’ ଭୂତାଣୁ ସ˚କ୍ରମଣ ଦ୍ବାରା ସାରା ପୃଥିବୀ ଏକ ଅତ୍ୟନ୍ତ ଅସହାୟ ସ୍ଥିତିରେ, ସେତିକି ବେଳେ ପାଶ୍ଚାତ୍ୟ ବିଶ୍ବରେ ବିପର୍ଯ୍ୟସ୍ତ ହେବାକୁ ବସିଥିବା ଅର୍ଥନୀତି ପରିପ୍ରେକ୍ଷୀରେ ଏକ ପ୍ରଲମ୍ବିତ ‘ଲକ୍‌ଡାଉନ୍‌’କୁ କେନ୍ଦ୍ର କରି ଉପୁଜୁୁଥିବା ଦ୍ବନ୍ଦ୍ବ ସମଗ୍ର ପୃଥିବୀ ଲାଗି ଏକ ନୂତନ ମୁଣ୍ତବିନ୍ଧାର କାରଣ ହେବାକୁ ଯାଉଛି। କହିବା ବାହୁଲ୍ୟ ଯେ ‘କୋଭିଡ୍‌-୧୯’ର ମହା ସ˚କ୍ରମଣର ମୁକାବିଲା ସକାଶେ ପାଶ୍ଚାତ୍ୟ ବିଶ୍ବ କୁଣ୍ଠାର ସହିତ ଆପଣାଇବାକୁ ବାଧୢ ହୋଇଥିବା ଆୟୁଧଟି ହେଉଛି ‘ଲକ୍‌ଡାଉନ୍‌’, ଯାହାର ପ୍ରବର୍ତ୍ତକ ଚୀନ ଏବ˚ ଯାହା ଅବ୍ୟର୍ଥ ହୋଇଥିଲେ ହେଁ ଏହାର ମୂଳଭିତ୍ତି ଅଗଣତାନ୍ତ୍ରିକ। ସୁତରା˚, ପାଶ୍ଚାତ୍ୟ ବିଶ୍ବରେ ଏକ ଦୀର୍ଘକାଳୀନ ‘ଲକ୍‌ଡାଉନ୍‌’ର ବିରୋଧର ହେତୁଟି ସେଇଠି।

ଉଲ୍ଲେଖ କରାଯିବା ନିଷ୍ପ୍ରୟୋଜନ ଯେ ଚୀନ କିନ୍ତୁ ଏ ସ˚ଦର୍ଭରେ ଆଦୌ କୌଣସି ଦ୍ବନ୍ଦ୍ବର ସାମନା କରି ନ ଥିଲା। ଏକ ରାତି ଅଧିଆ ନିଷ୍ପତ୍ତି ବଳରେ ଉହାନ ଭଳି ଏକ ଅତ୍ୟନ୍ତ ଜନବହୁଳ ସହରକୁ ସ˚ପୂର୍ଣ୍ଣ ‘ଲକ୍‌ଡାଉନ୍‌’ କରିବା ଲାଗି ଯେଉଁ କଠୋରତା ଆବଶ୍ୟକ, ତାହା ପ୍ରଦର୍ଶନ କରିବା ଚୀନ ଭଳି ଏକ ଏକଛତ୍ରବାଦୀ ସରକାର ସକାଶେ କୌଣସି ନୀତିଗତ ପ୍ରଶ୍ନ ଉତ୍‌ଥାପନ କରି ନ ଥିବା ନିଶ୍ଚିତ। ପାଶୋରି ଗଲେ ହେବନାହିଁ ଯେ ଯେଉଁ ସମୟରେ ଚୀନ ତାର ‘କରୋନା ବିରୋଧୀ’ ସ˚ଗ୍ରାମର ମଧୢ ସ୍ଥଳରେ ଥିଲା, ସେତିକି ବେଳେ ପାଶ୍ଚାତ୍ୟ ବିଶ୍ବରେ ‘କୋଭିଡ୍‌-୧୯’ ସନ୍ତର୍ପଣରେ ଓ ଅତି ଧୀର ପଦବ୍ରଜରେ ଅଗ୍ରସର ହେବା ଆରମ୍ଭ କରିଥିଲା ମାତ୍ର। ତତ୍କାଳୀନ ଚୀନର ଭୟାବହ ସ୍ଥିତିରୁ ପାଶ୍ଚାତ୍ୟ ଗଣମାଧୢମ ଏଭଳି ଏକ ମୁମୂର୍ଷୁ ଚୀନର ଚିତ୍ର ଆଙ୍କିବାରେ ଲାଗିଥିଲା, ଯହିଁରୁ ଏକ ଆଭାସ ମିଳୁଥିଲା ଯେ ନିକଟ ଭବିଷ୍ୟତ୍‌ରେ ପୁନଶ୍ଚ ମୁଣ୍ତ ଟେକି ଛିଡ଼ା ହେବା ଲାଗି ଚୀନ ଅସମର୍ଥ ହେବ। କିନ୍ତୁ ଏହାର ବିପରୀତରେ ଯାହା ଦେଖିବାକୁ ମିଳିଛି ତାହା ହେଲା ଚୀନ ନିଜ ରାଷ୍ଟ୍ରରେ କରୋନା ସ˚କ୍ରମଣକୁ ଏକ ସ୍ବଳ୍ପ ଅବଧି ମଧୢରେ ପ୍ରତିହତ କରିସାରିଲା ବେଳକୁ ପାଶ୍ଚାତ୍ୟ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଉଜୁଡ଼ି ଯିବାକୁ ବସିଛନ୍ତି। ଏହାର ଏକମାତ୍ର କାରଣ କ୍ୟାନସରରୁ ଆରୋଗ୍ୟ ଲାଗି ସ୍ଥଳବିଶେଷରେ ଯନ୍ତ୍ରଣାଦାୟକ ‘କେମୋଥେରାପି’ର ଆବଶ୍ୟକତା ଭଳି ଏ ସ୍ଥିତିରେ ‘ଲକ୍‌ଡାଉନ୍‌’ର ଆବଶ୍ୟକତାକୁ ଚୀନ କର୍ତ୍ତୃପକ୍ଷ ହୃଦୟଙ୍ଗମ କରିପାରିଥିଲେ। ଫଳ ସ୍ବରୂପ ସ˚ପ୍ରତି ଏକ ଆପାତତଃ କରୋନାମୁକ୍ତ ଚୀନରେ ଅର୍ଥନୈତିକ ଗତିବିଧି ପୁଣି ଚଳଚଞ୍ଚଳ ହେବାକୁ ଆରମ୍ଭ କରିଛି। ଏହା ସତ୍ତ୍ବେ ଚୀନର ଅନେକ ସ୍ଥାନରେ ‘ଲକ୍‌ଡାଉନ୍‌’ ସତର୍କତା ବଜାୟ ରହିଛି। କାରଣ ସ˚କ୍ରମଣର ଦ୍ବିତୀୟ ତରଙ୍ଗର ଆବିର୍ଭାବ ଘଟି କରୋନା ବିରୋଧରେ ତାର ଦୃଷ୍ଟାନ୍ତ ସୃଷ୍ଟିକାରୀ ସଫଳତାକୁ ବ୍ୟର୍ଥ କରିଦେଉ ବୋଲି ଚୀନ କଦାଚିତ ଚାହେନାହିଁ।

ଏହି ପରିପ୍ରେକ୍ଷୀରେ କରୋନା ସ˚କ୍ରମଣର ମୁକାବିଲା କ୍ଷେତ୍ରରେ ପାଶ୍ଚାତ୍ୟ ବିଶ୍ବ ଦ୍ବାରା ପ୍ରଦର୍ଶନ କରାଯାଇଥିବା ନିଷ୍ପତ୍ତି ଓ ତଜ୍ଜନିତ ଦ୍ବନ୍ଦ୍ବ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି। ଏ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ବିଶ୍ବର ନେତୃତ୍ବ ଏବ˚ ନୀତି ନିର୍ଦ୍ଧାରକମାନଙ୍କ ଦୃଷ୍ଟିଭଙ୍ଗୀ ପ୍ରଣିଧାନଯୋଗ୍ୟ। ଉଦାହରଣ ସ୍ବରୂପ କରୋନା ସ˚କ୍ରମଣ ଓ ମୃତ୍ୟୁର ମହାସାଗରରେ ଉବୁଟୁବୁ ହେଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର ଫର୍‌ ଇନ୍‌ଫେକ୍‌ସିଅସ୍‌ ଡିଜିଜ୍‌ ଏଣ୍ତ ରିସର୍ଚ୍ଚ ଏଣ୍ତ ପଲିସି’ର ନିର୍ଦ୍ଦେଶକ ତଥା ମିନେସୋଟା ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ ଓଷ୍ଟେଲହୋମ କହିଥିବା ଭଳି ‘‘ଉହାନ ତୁଲ୍ୟ ‘ଲକ୍‌ଡାଉନ୍‌’ କରାଗଲେ ଆମେ ନିଜ ହାତରେ ଆମ ସମାଜକୁ ନଷ୍ଟ କରିଦେବା ଏବ˚ ଅନ୍ୟ ପକ୍ଷରେ ଭୂତାଣୁକୁ ଅଧାପନ୍ତରିଆ କରି ଛାଡ଼ିଦେଲେ ଆମେ ଆମ ଦେଶର ଚିକିତ୍ସା ବ୍ୟବସ୍ଥା ତଥା ଅର୍ଥନୀତିକୁ ବିଧ୍ବ˚ସ କରି ପକାଇବା।’’ କିନ୍ତୁ ଏହା ଦ୍ବାରା ସେ ଯେଉଁ ଦ୍ବନ୍ଦ୍ବାତ୍ମକ ଆଭିମୁଖ୍ୟଟି ପ୍ରକାଶ କରିଛନ୍ତି, ତାକୁ ମୋଚନ କରାଯିବା ଏତେ ସହଜ ନୁହେଁ। ଏ ସ˚ଦର୍ଭରେ କୁହାଯାଇପାରେ ଯେ ଏକ ଅତି ବିଶାଳ ୯୦ ଟ୍ରିଲିଅନ୍‌ ଡଲାର ମୂଲ୍ୟର ଅର୍ଥନୀତିକୁ ଚଳଚଞ୍ଚଳ କରିବା ଲାଗି ଇଟାଲିର ରୋମରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକାର ଵାସି˚ଟନ ପର୍ଯ୍ୟନ୍ତରେ ନେତୃବର୍ଗ ‘ଲକ୍‌ଡାଉନ୍‌’କୁ ଢିଲା କରିବା ଲାଗି ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି, ତାହା ଆଉ ଏକ ଅବିମୃଶ୍ୟକାରିତାରେ ପରିଣତ ନ ହେଉ। ଏହା କହିଲେ ଭୁଲ ହେବନାହିଁ ଯେ ମାନବ ଜୀବନ ତୁଳନାରେ ଆର୍ଥିକ ସ୍ଥିତି ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରି ‘ଲକ୍‌ଡାଉନ୍‌’ ଓ ‘ସାମାଜିକ ଦୂରତା’କୁ ନଜରଅନ୍ଦାଜ କରିଥିବା ପାଶ୍ଚାତ୍ୟ ରାଷ୍ଟ୍ରର ନେତୃବର୍ଗ ସ˚ପ୍ରତି ଏକ ଅଭୂତପୂର୍ବ ମାନବ-ସ˚କଟ ସୃଷ୍ଟି କରିଛନ୍ତି। ଏହା ସେମାନଙ୍କର ଅପରିଣାମଦର୍ଶିତାର ପ୍ରଥମ ଉଦାହରଣ।

ଇତିହାସରୁ ଜଣାପ‌ଡ଼େ ଯେ ୧୯୧୮ର ‘ସ୍ପାନିସ ଫ୍ଲୁ’ ପାନ୍‌ଡେମିକ୍‌ ଯାହା ୫ କୋଟି ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା, ତିନିଟି ତରଙ୍ଗରେ ଆସି ପୃଥିବୀକୁ ଡୁବାଇ ଦେଇଥିଲା। ତେଣୁ ପାଶ୍ଚାତ୍ୟ ରାଷ୍ଟ୍ରର ନେତୃମଣ୍ତଳୀ ‘ଲକ୍‌ଡାଉନ୍‌’କୁ କୋହଳ କରିବା ନେଇ ଇଚ୍ଛା ପ୍ରକଟ କରିବା ପୂର୍ବରୁ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ଯେ ‘କୋଭିଡ୍‌-୧୯’ ସ˚କ୍ରମଣର ଆଉ ଏକ ତରଙ୍ଗ ଲାଗି ସେମାନେ ପ୍ରସ୍ତୁତ ତ? ସ˚ପ୍ରତି ‘ଲକ୍‌ଡାଉନ୍‌’କୁ କୋହଳ କରିବା ଉଦ୍ଦେଶ୍ୟରେ ପାଶ୍ଚାତ୍ୟ ରାଷ୍ଟ୍ରରେ କେତେକ ମଡେଲ ଉପରେ ଆଲୋଚନା ଆରମ୍ଭ ହୋଇଗଲାଣି। ଉଦାହରଣ ସ୍ବରୂପ ଗୋଟିଏ ମଡେଲ କହିଥାଏ ଯେ ତରୁଣମାନେ ଏହି ସ˚କ୍ରମଣ ଦ୍ବାରା ଅପେକ୍ଷାକୃତ କମ୍‌ ପ୍ରଭାବିିତ ହେଉଥିବାରୁ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କେବଳ ତରୁଣମାନଙ୍କୁ ନିୟୋଜିତ କରାଯାଇପାରେ। କିନ୍ତୁ ଏଭଳି ମଡେଲରେ ରହିଥିବା ସବୁଠାରୁ ବଡ଼ ତ୍ରୁଟି ହେଲା ଏହି ତରୁଣମାନେ ଭୂତାଣୁର ବାହକ ହେବାରେ କୌଣସି ପ୍ରତିବନ୍ଧ ନାହିଁ। ଏମାନଙ୍କ ଦ୍ବାରା ସ˚କ୍ରମଣର ଏକ ନୂତନ ତରଙ୍ଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଛି। ତେଣୁ ଏଭଳି ଅନେକ ନିଷ୍ପତ୍ତି ଯେ ପରିସ୍ଥିତିକୁ ଆହୁରି ଭୟାବହ କରିଦେବ, ତାହା କହିବା ବାହୁଲ୍ୟ ମାତ୍ର।

ଏଭଳି ଏକ ସ୍ଥିତିରେ ବୈଜ୍ଞାନିକ ଆଇନଷ୍ଟାଇନ କହିଥିବା ଭଳି ଯେଉଁ ପାଶ୍ଚାତ୍ୟ ବସ୍ତୁବାଦୀ ଓ ଉଦାର ଗଣତାନ୍ତ୍ରିକ ବିଚାରରୁ ଏହି ଦ୍ବନ୍ଦ୍ବର ଉତ୍ପତ୍ତି, ତାକୁ ସେହି ବିଚାର ଆଧାରରେ ମୋଚନ କରାଯିବା ହୁଏ’ତ କଷ୍ଟକର। ଏଭଳି ଦ୍ବନ୍ଦ୍ବର ସମାଧାନ କେବଳ ଚୀନ୍‌ର ବିଚାରରେ ରହିଛି ଯାହା କହିଥାଏ ଯେ ଯେକୌଣସି ମୂଲ୍ୟ ବଦଳରେ ପ୍ରଥମେ କରୋନା ଉପରେ ବିଜୟ ଲାଭ କରାଯିବା ଜରୁରୀ, ତା’ ପରେ ଆଉ ଯାହା।

ସମ୍ବନ୍ଧିତ ଖବର