ମୁକୁଳିବାର ବାଟ

ଜର୍ମାନିର ଉହାନ ନାମରେ ପରିଚିତ ହାଇନ୍‌ସବର୍ଗ ଜିଲ୍ଲାରେ ଏବେ ଯେଉଁ ଏକ ଉଚ୍ଚ ମାନର ବୈଜ୍ଞାନିକ ଗବେଷଣା ଓ ଅନୁଧୢାନ କରାଯିବା ସହିତ କେତେକ ନିଷ୍କର୍ଷ ଉନ୍ମୋଚିତ ହୋଇଛି, ସେ ସବୁ କେବଳ ପୂର୍ବବର୍ତ୍ତୀ କିଛି ସିଦ୍ଧାନ୍ତଗୁଡ଼ିକ ଠାରୁ ଭିନ୍ନ ଓ କୌତୂହଳପ୍ରଦ ନୁହେଁ, ଏହା ପଛରେ ରହିଥିବା ଉଦ୍ଦେଶ୍ୟଟି ମଧୢ କୌତୂହଳ ସୃଷ୍ଟି କରିଥାଏ। ଏବେ ଯେତେବେଳେ ପ୍ରାୟ ସମସ୍ତ ଗବେଷଣା ଓ ଅନୁଧୢାନ ‘କୋଭିଡ୍‌-୧୯’ ଭୂତାଣୁ ଏବ˚ ତାର ସ˚କ୍ରମଣର ଚରିତ୍ରକୁ ବୁଝିବାରେ ବା କରୋନାର କୌଣସି ପ୍ରତିଷେଧକ ଉଦ୍ଭାବନରେ ବ୍ୟାପୃତ, ସେତିକି ବେଳେ ଜର୍ମାନିର ବିଶିଷ୍ଟ ଭୂତାଣୁ-ତତ୍ତ୍ବବିତ୍‌ମାନଙ୍କ ଗବେଷଣାର ଲକ୍ଷ୍ୟ ରହିଛି ‘ଲକ୍‌ଡାଉନ୍‌’ ଭଳି ଏକ ଯନ୍ତ୍ରଣାଦାୟକ ସ୍ଥିତିରୁ ମୁକୁଳିବାର ପଥ ଅନ୍ବେଷଣ କରିବା। ପ୍ରକାଶ ଥାଉ କି ନେଦରଲାଣ୍ତ ସୀମାବର୍ତ୍ତୀ ହାଇନ୍‌ସବର୍ଗ ଅଞ୍ଚଳରେ ଜର୍ମାନିର ପ୍ରଥମ ସ˚କ୍ରମଣ ଆରମ୍ଭ ହୋଇଥିଲା ଏବ˚ ସେଠାରେ ଜର୍ମାନିର ପ୍ରଥମ କରୋନା ମୃତ୍ୟୁ ଦେଖିବାକୁ ମିଳିଥିଲା। ସେହି ପରିପ୍ରେକ୍ଷୀରେ ବନ୍‌ ବିଶ୍ବବିଦ୍ୟାଳୟର ବିଶିଷ୍ଟ ଜୀବବିଜ୍ଞାନୀ ହେନ୍‌ଡ୍ରିକ ଷ୍ଟ୍ରିକ୍‌ଙ୍କ ନେତୃତ୍ବରେ ଏକ ଦକ୍ଷ ଓ ବୃହତ୍‌ ଜୀବବିଜ୍ଞାନୀ ଦଳ ହାନ୍‌ସବର୍ଗର ଘରକୁ ଘର ବୁଲି ନମୁନା ସ˚ଗ୍ରହ କରି ଏବ˚ ତାର ଗଭୀର ଅନୁଧୢାନ କରି ପ୍ରକାଶ କରିଥିବା ତଥ୍ୟ ପୂର୍ବରୁ ରହିଥିବା କେତେକ ଧାରଣାକୁ ବଦଳାଇବାକୁ ବାଧୢ କରିପାରେ।

ବୈଜ୍ଞାନିକ ହେନ୍‌ଡ୍ରିକ ଷ୍ଟ୍ରିକ୍‌ଙ୍କ ଗବେଷଣାର ଏକ ସିଦ୍ଧାନ୍ତ ହେଲା ଯେ ବଜାର ବା ସପି˚ମଲ୍‌ ଆଦିରେ ଏହି ଭୂତାଣୁର ସ˚କ୍ରମଣର ଭୟ ବିଶେଷ ନାହିଁ; ବର˚ କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସ˚ଖ୍ୟାଧିକ ଲୋକେ ଏକତ୍ର ହେବା ସ˚କ୍ରମଣ ବିସ୍ଫୋରଣର କାରଣ। ବର୍ତ୍ତମାନ ପ୍ରତିପାଦିତ ହୋଇ ସାରିଥିବା ଭଳି ଦକ୍ଷିଣ କୋରିଆର ‘ରୋଗୀ ନମ୍ବର ୩୮’ଙ୍କ ଠାରୁ ଆରମ୍ଭ କରି ଭାରତରେ ‘ତବଲିଘି ଜମାତ’ ବା ଆରବୀୟ ରାଷ୍ଟ୍ର ବା ଇରାନରେ ହଜ୍‌ ଯାତ୍ରୀ ବା ହାଇନ୍‌ସବର୍ଗଠାରେ ଏକ ‘କାର୍ନିଭାଲ’ରେ ଯୋଗ ଦେଇଥିବା ସ˚କ୍ରମିତ ଦ˚ପତିଙ୍କ ପର୍ଯ୍ୟନ୍ତରେ ଅଧିକା˚ଶ କ୍ଷେତ୍ରରେ ଭୟାବହ ସ˚କ୍ରମଣର ନାଭିକେନ୍ଦ୍ର କୌଣସି ନା କୌଣସି ସମାବେଶ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ହେନ୍‌ଡ୍ରିକ ଷ୍ଟ୍ରିକ୍‌ଙ୍କ ନେତୃତ୍ବାଧୀନ ବୈଜ୍ଞାନିକ ଦଳର ଦ୍ବିତୀୟ ନିଷ୍କର୍ଷ ହେଉଛି ଏହା ଯେ ଟେବୁଲ ହେଉ ବା ମୋବାଇଲ ଫୋନ୍‌ ହେଉ ଅଥବା ପାଣି କଳ ବା କବାଟର ‘ନବ୍‌’; ସେହି ସବୁ ସ୍ଥାନରେ ଯେଉଁ ଭୂତାଣୁର ଉପସ୍ଥିତି ଦେଖିବାକୁ ମିଳିଛି, ସେ ସବୁ ସମ୍ଭବତଃ ମୃତ। ଏହି ଦଳର ଅନୁଶୀଳନଟି କହିଥାଏ ଯେ ହୁଏ’ତ କୌଣସି ସ୍ଥାନରେ ଭୂତାଣୁର ଉପସ୍ଥିତି ଚବିଶ ଘଣ୍ଟା ପର୍ଯ୍ୟନ୍ତ ରହିପାରେ, କିନ୍ତୁ ତାହା କେବଳ ସେହି ଭୂତାଣୁର ‘ଆର୍‌.ଏନ୍‌.ଏ.’(ରାଇବୋ ନ୍ୟୁକ୍ଲିକ୍‌ ଏସିଡ୍‌)ର ଛାପ ମାତ୍ର। କାରଣ, ପରୀକ୍ଷାଗାରର ନିୟନ୍ତ୍ରିତ ପରିବେଶରେ ଏହି ଭୂତାଣୁଗୁଡ଼ିକର ସ˚ଖ୍ୟା ବୃଦ୍ଧି ଲାଗି ଏହି ଦଳର ସମସ୍ତ ପ୍ରୟାସ ବିଫଳ ହୋଇଛି। ହେନ୍‌ଡ୍ରିକ ଷ୍ଟ୍ରିକ୍‌ କହିଥାଆନ୍ତି ଯେ କୌଣସି ବାହାର ସ୍ଥାନରେ ଭୂତାଣୁ ଅଧିକ ସମୟ ବଞ୍ଚି ରହି ପାରିବ ନାହିଁ, କିନ୍ତୁ ମୃତ ଭୂତାଣୁକୁ ଚବିଶ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିପାରେ।

ହେନ୍‌ଡ୍ରିକ ଷ୍ଟ୍ରିକ୍‌ଙ୍କ ଅନୁଶୀଳନର ଉଦ୍ଦେଶ୍ୟ ‘ଲକ୍‌ଡାଉନ୍‌’ ଭଳି ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ତଥା ପଶ୍ଚାତ୍‌ଗାମୀ ସ୍ଥିତିରୁ ପୃଥିବୀକୁ ମୁକ୍ତ କରିବା ବୋଲି ସେ କହିଛନ୍ତି। ଏହା ବର୍ତ୍ତମାନ ସର୍ବଜନବିଦିତ ଯେ ‘ଲକ୍‌ଡାଉନ୍‌’ ଭଳି ଏକ ସ˚ପୂର୍ଣ୍ଣ ନୂତନ ସ˚କ୍ରମଣ (ମାରାତ୍ମକ) ପ୍ରତିଷେଧମୂଳକ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ନିହିତ ରହିଛି ସାମାଜିକ ଦୂରତାର ସୃଷ୍ଟିରେ। ଏହା ମଧୢ ପ୍ରମାଣିତ ହୋଇ ସାରିଛି ଯେ ସେହି ଗୋଟିଏ ଦେଶରେ ଅଞ୍ଚଳ ଅଞ୍ଚଳ ମଧୢରେ ‘ଲକ୍‌ଡାଉନ୍‌’ ଜାରି କରାଯିବାର ବ୍ୟଗ୍ରତାରେ ତାରତମ୍ୟ ଅନୁସାରେ ପରିଣାମ ଭିନ୍ନ ଭିନ୍ନ ହୋଇଛି। ଉଦାହରଣ ସ୍ବରୂପ କରୋନା ସ˚କ୍ରମଣ ଦ୍ବାରା ଅନ୍ୟତମ ସର୍ବାଧିକ ଆକ୍ରାନ୍ତ ରାଷ୍ଟ୍ର ଇଟାଲିର ‘ଲୋଡି’ ଏବ˚ ‘ବେରଗାମ’ ଅଞ୍ଚଳ ମଧୢରେ ‘ଲକ୍‌ଡାଉନ୍‌’ ଘୋଷଣା କରାଯିବାରେ ମାତ୍ର ଚଉଦ ଦିନର ସମୟ ଅନ୍ତର ହେତୁ ବେରଗାମ ଅଞ୍ଚଳର ସ୍ଥିତି ଲୋଡି ତୁଳନାରେ ଖୁବ୍‌ ଅଧିକ ଦୟନୀୟ ହୋଇଛି। ଗଲା ଶନିବାର ଦିନ ଭାରତର ପ୍ରମୁଖ ଚିକିତ୍ସା ଗବେଷଣା ସ˚ସ୍ଥା ‘ଇଣ୍ତିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ’ ବା ‘ଆଇ.ସି.ଏମ.ଆର୍‌’ର ଏକ ରିପୋର୍ଟକୁ ଭିତ୍ତି କରି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ଭାରତରେ ‘ଲକ୍‌ଡାଉନ୍‌’ ଜାରି କରାଯାଇ ନ ଥାଆନ୍ତା, ତେବେ ସ˚କ୍ରମିତଙ୍କ ସ˚ଖ୍ୟା ୮୬ ଲକ୍ଷରୁ ଅଧିକ ହୁଅନ୍ତାଣି। ତେବେ, ଆଉ ଏକ ସତ୍ୟ ହେଲା, ତାହା ସହିତ ସମସ୍ତେ ଏହା ମଧୢ ସ୍ବୀକାର କଲେଣି ଯେ ଅତି ଦୀର୍ଘକାଳୀନ ‘ଲକ୍‌ଡାଉନ୍‌’ ମଧୢ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିପାରେ। ତାହା ଦ୍ବାରା ଯେଉଁଭଳି ଆର୍ଥିକ ସ୍ଥିତି ଭୁଶୁଡ଼ିବାର ଆଶଙ୍କା ରହିଛି, ତାହା ଯେ କୌଣସି ରାଷ୍ଟ୍ରକୁ ହୀନବୀର୍ଯ୍ୟ ତଥା ଅନ୍ତଃସାରଶୂନ୍ୟ କରି ଦେଇପାରେ। ତେଣୁ ସ୍ବାଭାବିକ ଭାବେ ବିଶ୍ବର ସର୍ବତ୍ର ‘ଲକ୍‌ଡାଉନ୍‌’ରୁ ମୁକୁଳିବାର ବାଟ ଅନ୍ବେଷଣ କରାଯିବା ଆରମ୍ଭ ହୋଇଗଲାଣି। ଏଠାରେ ପ୍ରଣିଧାନଯୋଗ୍ୟ ଯେ ଭାରତରେ ଯଦିଓ ‘ଲକ୍‌ଡାଉନ୍‌’ ଅବଧିକୁ ଆହୁରି ବୃଦ୍ଧି କରିବା ଲାଗି (ସବୁ ରାଜ୍ୟର ସହମିତି ଥିବାରୁ) ଏକ ନିଶ୍ଚିତ ନିଷ୍ପତ୍ତିକୁ କେବଳ ଅପେକ୍ଷା ମାତ୍ର ଯାହା କରାଯାଇଛି, ଏଥିରୁ ସତର୍କତାର ସହିତ ମୁକୁଳିବାର ପ୍ରକ୍ରିୟା ମଧୢ ଆରମ୍ଭ ହୋଇଛି। ସେଥିଲାଗି ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କ ଦପ୍ତରରେ ଆସନ୍ତା ସୋମବାର ଠାରୁ ଯୋଗ ଦେବାକୁ ସରକାରଙ୍କ ଦ୍ବାରା ନିର୍ଦ୍ଦେଶ ଦିଆଯାଇଛି। ଏକ ସୀମିତ ସ˚ଖ୍ୟକ କର୍ମଚାରୀରେ ଧୀରେ ଧୀରେ କାର୍ଯ୍ୟ ଆରମ୍ଭ କରାଯିବା ସହିତ ‘ସାମାଜିକ ଦୂରତା’ ରକ୍ଷା କରିବାର ଦାୟିତ୍ବକୁ ନିର୍ବାହ କରିବା ଦିଗରେ ଚିନ୍ତନ ଆରମ୍ଭ ହୋଇଥିବାର ଏହା ହେଉଛି ଏକ ପ୍ରମାଣ। ଏବ˚ କେବଳ ଭାରତ ନୁହେଁ, କରୋନା ସ˚କ୍ରମଣର ମହା ପ୍ଳାବନରେ ସ˚ପୂର୍ଣ୍ଣ ମଗ୍ନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧୢ ‘ଲକ୍‌ଡାଉନ୍‌’ରୁ ମୁକୁଳିବାର ବାଟ ଖୋଜିବା ଲାଗି ବ୍ୟସ୍ତ ହୋଇପଡ଼ିଲେଣି।

ତେବେ, ଏଥିରେ ନିହିତ ଥିବା ବିପଦକୁ ଆଦୌ ଅଣଦେଖା କରାଯାଇ ନ ପାରେ। ଏଠାରେ ସ୍ମରଣଯୋଗ୍ୟ ଯେ ଜର୍ମାନିରେ କରୋନା ସ˚କ୍ରମଣର ପ୍ରଥମ ପଦଧ୍ବନି ଶୁଣା ଯାଉ ନ ଯାଉଣୁ ସେଠାକାର ବିତ୍ତ ବିଭାଗର ମନ୍ତ୍ରୀ ଥମାସ ସ୍କାଫର ରାଷ୍ଟ୍ରର ସମ୍ଭାବ୍ୟ ଆର୍ଥିକ ଦୁରବସ୍ଥା ବିଷୟରେ ଅନୁମାନ କରି ହତାଶାରେ ଆତ୍ମହତ୍ୟା କରିଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଅନେକ ସମୟରେ ଆଶଙ୍କା ଉପୁଜିଥାଏ ଯେ ହେନ୍‌ଡ୍ରିକ୍‌ ଷ୍ଟ୍ରିକ୍‌ଙ୍କ ଦଳର ଗବେଷଣା ‘ଲକ୍‌ଡାଉନ୍‌’ରୁ ଯେନତେନ ପ୍ରକାରେଣ ମୁକ୍ତି ପାଇବା ଲାଗି ମାତ୍ରାଧିକ ବ୍ୟସ୍ତତାଜନିତ ଉଦ୍ୟମର ଏକ ଅ˚ଶବିଶେଷ ନୁହେଁ ତ? ବିଳମ୍ବରେ ‘ଲକ୍‌ଡାଉନ୍‌’ ଜାରି କରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯେଉଁ ଅପରିଣାମଦର୍ଶିତାର ଦୃଷ୍ଟାନ୍ତ ଦେଇ ସାରିଛନ୍ତି, ତଦନୁରୂପ ଅପରିଣାମଦର୍ଶିତା ‘ଲକ୍‌ଡାଉନ୍‌’କୁ ଆବଶ୍ୟକତା ଠାରୁ ଶୀଘ୍ର ଉଠାଇ ଦେବାରେ ପୁନରାବୃତ୍ତି ନ ହେଉ।

ସମ୍ବନ୍ଧିତ ଖବର