ପ୍ରଳୟ ବହୁଦୂର

ଆଜି ପରି ଏକ ବସନ୍ତ ଦିବସରେ ଯେତେବେଳେ ମାଦ୍ରୀଙ୍କ ମନା ନ ମାନି ଶାପଗ୍ରସ୍ତ ପଣ୍ଡୁ ଅରଣ୍ୟରେ ବଳପୂର୍ବକ ତାଙ୍କ ସହିତ ସହବାସ କରି ପ୍ରାଣତ୍ୟାଗ କଲେ, ମାଦ୍ରୀ କୁନ୍ତୀଙ୍କ ନିକଟରେ ନିଜର ଦୁଇ ପୁଅଙ୍କ ଦାୟିତ୍ବ ସମର୍ପଣ କରି ସ୍ବାମୀଙ୍କ ଚିତାନଳରେ ଝାସ ଦେଲେ। ମହାକାବ୍ୟ ମହାଭାରତର ପରବର୍ତ୍ତୀ ଦୃଶ୍ୟରେ ସତ୍ୟବତୀ ତାଙ୍କର ପ୍ରଥମ ସନ୍ତାନ ବ୍ୟାସଦେବଙ୍କୁ ପଚାରୁଛନ୍ତି: ମୋ’ର ବୃଦ୍ଧା ହୃଦୟ ମାଦ୍ରୀଙ୍କ ଚିତାଭସ୍ମରେ ରୁଦ୍ଧ ହୋଇ ଯାଇଛି। ‘‘ମୁଁ ନିଜକୁ ପଚାରୁଛି- ଏ ମୃତ୍ୟୁ କାହିଁକି?’’ ଏହା ଥିଲା ବ୍ୟାସଙ୍କ ଉତ୍ତର: ‘‘କାରଣ ପୃଥିବୀ ତା’ର ଯୌବନ ହରାଇ ସାରିଛି, ଯାହା ଏକ ସୁଖ ସ୍ବପ୍ନଭଳି ଅତିକ୍ରାନ୍ତ ହୋଇସାରିଲାଣି। ବର୍ତ୍ତମାନ ପ୍ରତିଟି ଦିବସ ଆମକୁ ମରୁଭୂମି ଆଡ଼କୁ, ଧ୍ବଂସ ଆଡ଼କୁ ନିକଟତର କରି ନେଉଛି।’’ ବ୍ୟାସ କହିବାକୁ ଚାହୁଁଛନ୍ତି: ପ୍ରଳୟ ସନ୍ନିକଟ। ପ୍ରଳୟର ମାଧ୍ୟମ-ଆସନ୍ନ ମହାଭାରତ ଯୁଦ୍ଧ।

ସେଭଳି ପ୍ରଳୟ ଯେ ଘଟିନାହିଁ, କେବଳ ଭାରତବର୍ଷରେ ବର୍ତ୍ତମାନ କବାଟ କିଳି କାଳ କାଟୁଥିବା ୧୩୦ କୋଟି ମାନବ ନୁହଁନ୍ତି, ପୃଥିବୀର ଅନୁରୂପ ଭାବରେ କାଳ କାଟୁଥିବା ପ୍ରାୟ ୭୫୦ କୋଟି ତ୍ରସ୍ତ ମନୁଷ୍ୟ ହେଉଛନ୍ତି ତା’ର ପ୍ରମାଣ। କିନ୍ତୁ ପୃଥିବୀ ସାରା ସଞ୍ଚରି ଯାଇଥିବା କରୋନାର କଳା ଛାଇ ଏବେ ପୁଣି ଥରେ ସେଇ ଭଳି ‘ପ୍ରଳୟ ସନ୍ନିକଟ’ ଆଶଙ୍କା ଓ ଚେତାବନୀମାନଙ୍କୁ ଜନ୍ମ ଦେବା ଦେଖାଗଲାଣି, ଯେମିତି ବ୍ୟାସଙ୍କ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ ଭାବରେ ପୃଥିବୀର ସମସ୍ତ ସଭ୍ୟତା, ସମସ୍ତ ଧର୍ମ, ସମସ୍ତ ସମାଜରେ ଦେଖିବାକୁ ମିଳିଆସିଛି। ନିକଟ ଅତୀତରେ ଦକ୍ଷିଣ ଆମେରିକାର ବିଲୁପ୍ତ ‘ମାୟା’ ସଭ୍ୟତାର ପଞ୍ଜିକା ଅନୁଯାୟୀ ୨୦୧୨ ଡିସେମ୍ବର ୨୧ ତାରିଖ ଦିନ ପ୍ରଳୟ ଘଟିବାକୁ ଯାଉଛି ବୋଲି ବିଶ୍ବାସ କରି ପୃଥିବୀବାସୀ କିପରି ଘୋର ଆଶଙ୍କାରେ କାଳ କାଟିଥିଲେ, ତାହା ଅନେକଙ୍କର ମନେଥିବ। ବର୍ତ୍ତମାନ ଆମ ମାଳିକାରେ କିପରି ଠିକ୍ ବର୍ତ୍ତମାନର ‘ତୁଣ୍ଡିପିନ୍ଧା’ ଦୃଶ୍ୟର ବର୍ଣ୍ଣନା କରାଯାଇଥିଲା, ସାମାଜିକ ନେଟ୍‌ୱର୍କରେ ତାହାର ବ୍ୟାପକ ପ୍ରସାର ଏହିପରି ଆସନ୍ନ ପ୍ରଳୟର ଭୀତି ସଞ୍ଚାରରେ ସାା‌ହାଯ୍ୟ କରୁଛି।

ଏକ ଭିନ୍ନ କିସମର ପ୍ରଳୟ ଆତଙ୍କ ଆମକୁ ଘାରିବା ଦେଖାଯାଇଥିଲା ୧୯୯୯ରେ ‘ୱାଇ ଟୁ କେ’ (‘ବର୍ଷ ୨୦୦୦’) ରୂପରେ। ଜାନୁଆରି ପହିଲା, ୨୦୦୦ ଦିନ ପୃଥିବୀର ସମସ୍ତ କମ୍ପ୍ୟୁଟର ଅଚଳ ହୋଇଯିବା ଦ୍ବାରା ସାରା ପୃଥିବୀର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭୁଶୁଡ଼ିପଡ଼ିବ ଏବଂ ମାନବ ସଭ୍ୟତାର ବିଲୟ ଘଟିବ ବୋଲି ଯେଉଁ କୋକୁଆ ଭୟ ସୃଷ୍ଟି ହୋଇଥିଲା, ତାହାର ସ୍ମୃତି ଏବେ ବି ଜୀବନ୍ତ ଅଛି। ୧୯୧୦ରେ ଆକାଶରେ ଦେଖାଦେଇଥିବା ହ୍ୟାଲୀ ଧୂମକେତୁର ଲାଞ୍ଜରେ ଥିବା ବିଷାକ୍ତ ‘ସ୍ୟାନୋଜେନ୍’ ବାଷ୍ପ ପୃଥିବୀର ପରିବେଶକୁ ବିଷାକ୍ତ କରି ଏଠାରେ ଜୀବଜଗତ୍‌ର ବିଲୋପ ସାଧନ କରିବ ବୋଲି ହୋଇଥିବା ଭବିଷ୍ୟବାଣୀ ସେ ସମୟର ପୃଥିବୀବାସୀଙ୍କୁ ଆସନ୍ନ ପ୍ରଳୟ ଭୟରେ ଜଡ଼ସଡ଼ କରି ରଖିଥିଲା।

ଆସନ୍ନ ପ୍ରଳୟର ବିଫଳ ଭବିଷ୍ୟବାଣୀର ବୋଧହୁଏ ସବୁଠାରୁ ଅଧିକ ରୋମାଞ୍ଚକର ଉଦାହରଣ ଦେଖିବାକୁ ମିଳିଥିଲା ୧୬୫୬ ସାଲରେ, ଯେଉଁଥିରେ ସମ୍ପୃକ୍ତ ଥିଲେ ଇତିହାସର ସର୍ବାଧିକ ପ୍ରସିଦ୍ଧ ନୌଯାତ୍ରୀ-ଆବିଷ୍କାରକ କ୍ରିଷ୍ଟୋଫର୍ କଲମ୍ବସ୍। ସେ ଥିଲେ ପଞ୍ଚମ ଶତାବ୍ଦୀର ଖ୍ରୀଷ୍ଟ ଧର୍ମଗୁରୁ ତଥା ଦାର୍ଶନିକ ସେଣ୍ଟ୍ ଅଗଷ୍ଟିନ୍‌ଙ୍କର ଜଣେ ଦୃଢ଼ ପ୍ରଶଂସକ। ସେଣ୍ଟ୍ ଅଗଷ୍ଟିନ୍ ବାଇବ୍‌ଲର ପ୍ରଳୟ ବା ‘ଆପୋକାଲିପ୍‌ସ’ ସୂଚନା ସବୁକୁ ଆଧାର କରି ଭବିଷ୍ୟବାଣୀ କରିଥିଲେ ଯେ ୭,୦୦୦ ବର୍ଷ ପରେ ପୃଥିବୀର ଅନ୍ତ ଘଟିବ। କଲମ୍ବସ୍ ୧୫୦୧ରେ ତାହାକୁ ଭିତ୍ତିକରି କିନ୍ତୁ ନିଜର ଗଣିତ ପ୍ରୟୋଗ କରି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଆଉ ମାତ୍ର ୧୫୫ ବର୍ଷ ପରେ ସେଇ ପ୍ରଳୟ ଘଟିବ- ୧୬୫୬ରେ। କଲମ୍ବସ୍‌ଙ୍କର ଖ୍ୟାତି ଯୋଗୁଁ ଏହା ଅଧିକ ବିଶ୍ବାସଯୋଗ୍ୟ ହୋଇ ସେ ବର୍ଷ ସମଗ୍ର ପୃଥିବୀବାସୀଙ୍କୁ ସନ୍ତ୍ରସ୍ତ କରି ରଖିଥିଲେ ହେଁ, ୧୬୫୬ ସାଲ ଆସିଲା ଓ ଚାଲିଗଲା, ଧରାପୃଷ୍ଠରେ ମନୁଷ୍ୟ ପୂର୍ବ ପରି ନିଜର ସଂଖ୍ୟା ବୃଦ୍ଧି କରିଚାଲିଲା।

ମାନବ ସଭ୍ୟତାର ପ୍ରାୟ ପ୍ରତ୍ୟେକ ପିଢ଼ିରେ ଆସନ୍ନ ପ୍ରଳୟର ଏପରି କୋକୁଆ ଭୟ ଦେଖାଦେବା ଏକ ନିୟମିତ ଧାରା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆସନ୍ନ ମୃତ୍ୟୁର ଭୟ ମନୁଷ୍ୟକୁ ଅନ୍ୟ ପ୍ରାଣୀମାନଙ୍କଠାରୁ ଏପରି ଯେଉଁ ଭିନ୍ନ କରିଥାଏ, ତାହାକୁ ବିବର୍ତ୍ତନର ଏକ ଭ୍ରମ ବୋଲି ବିଚାର କରିବା ଠିକ୍ ହେବ କି? ଏ ପାର୍ଥକ୍ୟଟି ହେଉଛି ଏଇ ଭଳି। ଶତ୍ରୁ ପାଖେଇ ଆସିବାର ସୂଚନା ଅଧିକାଂଶ ପ୍ରାଣୀଙ୍କୁ ଛାନିଆ କରି ପଳାୟନ କରିବାକୁ ପ୍ରବୃତ୍ତ କରିଥାଏ, ଯାହା ତାଙ୍କର ଜୀବନରକ୍ଷାରେ ସାହାଯ୍ୟ କରିଥାଏ। ତାହା କିନ୍ତୁ ଏକ କ୍ଷଣିକ ପ୍ରତିକ୍ରିୟା ହୋଇଥାଏ, ବାଘର ଭୟ ଦୀର୍ଘକାଳ ଧରି ହରିଣ ମନରେ ବସା ବାନ୍ଧି ରହି ନଥାଏ। ମନୁଷ୍ୟ ନାମକ ପ୍ରାଣୀର ଉନ୍ନତ ମସ୍ତିଷ୍କରେ କିନ୍ତୁ ଯେଉଁ ବିରଳ ଭବିଷ୍ୟବାଣୀ କରିବାର କ୍ଷମତା ରହିଛି, ତାହା ହିଁ ସେ କ୍ଷଣିକ ଆତ୍ମରକ୍ଷା ପ୍ରତିକ୍ରିୟାକୁ ଦୀର୍ଘସ୍ଥାୟୀ କରିଥାଏ। ଏହା ହିଁ ବୋଧହୁଏ ବିବର୍ତ୍ତନର ବେଖାପ୍ ଅବଦାନ।

କିନ୍ତୁ ମାନବ ମସ୍ତିଷ୍କର ଏହି ବେଖାପ୍ କ୍ଷମତା ଯେ ତାକୁ ତିଷ୍ଠି ରହିବାରେ ସହାୟକ ‌େହାଇଛି, ତାହା ମଧ୍ୟ ସତ୍ୟ! ଆମେ ଯେଉଁ ନିର୍ଦ୍ଦିଷ୍ଟ ପ୍ରଜାତିର ଜୀବ (‘ହୋମୋସାପିଏନ୍‌ସ’), ତାହା ଯେଉଁ ଗୋଷ୍ଠୀ (ଜିନସ୍)ର ଅନ୍ତର୍ଭୁକ୍ତ ଥିଲା, ସେଥିରେ ଆମ ଭଳି ପ୍ରାୟ ଡଜନ ସରିକି ଅନ୍ୟ ପ୍ରଜାତିମାନେ ଥିଲେ। ଏବେ ଆମକୁ ଛାଡ଼ି ଅନ୍ୟ ସମସ୍ତେ ଲୋପ ପାଇ ଗଲେଣି (‘ନିଏଣ୍ଡାର୍‌ଥାଲ୍‌’ମାନେ ଏଇମାତ୍ର ପ୍ରାୟ ୩୦,୦୦୦ ବର୍ଷ ତଳେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି)। ଆମେ ‘ହୋମୋ ସାପିଏନ୍‌ସ’ମାନେ ତିଷ୍ଠି ରହିବାର କାରଣ କ’ଣ ଆମର ଏହି ଅବିରତ ପ୍ରଳୟର ଆଶଙ୍କା ଏବଂ ତା’ର ମୁକାବିଲା ପାଇଁ ଆମ ମସ୍ତିଷ୍କରେ ଖଞ୍ଜା ହୋଇଥିବା ବୁଦ୍ଧି?

ଡାଇନୋସରମାନେ ପୃଥିବୀ ପୃଷ୍ଠରେ ପ୍ରାୟ ୨୦୦ ନିୟୁତ ବର୍ଷ ଧରି ବିଚରଣ କରୁଥିଲେ ହେଁ ସେମାନଙ୍କ ବୁଦ୍ଧିରେ କୌଣସି ଉନ୍ନତି ଘଟି ନଥିଲା। ତେଣୁ ସେମାନେ ଏକ ବିଶାଳ ଉଲ୍‌କା ପିଣ୍ଡ ମାଡ଼ର ପୂର୍ବ ସୂଚନା ପାଇଲେ ନାହିଁ କି ତାକୁ ପ୍ରତିହତ କରିପାର‌ିଲେ ନାହିଁ। ରହସ୍ୟରେ କୁହାଯାଇଥାଏ, ଡାଇନୋସରମାନେ ‘ଥିଓରିଟିକାଲ୍ ଫିଜିକ୍‌ସ’ ଜାଣି ନଥିବାରୁ ଲୋପ ପାଇଲେ; ଆମ ପଦାର୍ଥ ବିଜ୍ଞାନୀମାନେ ସେପରି ଉଲ୍‌କା ପିଣ୍ଡକୁ ମହାଶୂନ୍ୟରେ ଚୂର୍ଣ୍ଣୀଭୂତ କିମ୍ବା ଦିଗଭ୍ରଷ୍ଟ କରିଦେଇପାରିବେ ବୋଲି ସାହସ ବାନ୍ଧି ବସିଛନ୍ତି। ଠିକ୍ ଯେମିତି ଆମର ଜୈବବିଜ୍ଞାନୀମାନେ କରୋନା ଭୂତାଣୁର ପ୍ରତିଷେଧକ ବାହାର କରିବାକୁ ଗବେଷଣାଗାରରେ ଦିନରାତି ଲାଗିପଡ଼ିଛନ୍ତି। ପ୍ରଳୟ ତ ଦିନେ ଆସିବ, କିନ୍ତୁ ତାହା ଯେ ସନ୍ନିକଟ ନୁହେଁ ‘ହୋମୋ ସାପିଏନ୍‌ସ’ମାନେ ତାହା ନିଶ୍ଚିତ କରିବାର କ୍ଷମତା ବହନ କରନ୍ତି।

ସମ୍ବନ୍ଧିତ ଖବର