ଇଂରେଜ୍ ଲୋକର ଘର ହେଉଛି ତା’ର ଦୁର୍ଗ।’’ ଏହି ସୁପରିଚିତ ପ୍ରବାଦରେ କର୍ତ୍ତା ସ୍ଥାନରେ ଥିବା ‘ଇଂରେଜ୍ ଲୋକ’କୁ ହଟାଇଦେଇ ଜଣେ ‘ଭାରତୀୟ’ କି ଜଣେ ‘ଆମେରିକାନ୍’ କି ଜଣେ ‘ଜାପାନୀ ଲୋକ’କୁ ସେ ସ୍ଥାନରେ ରଖିଦେଲେ ଏହି ଉକ୍ତିଟି ତିଳେ ହେେଲ ତା’ର ପ୍ରାସଙ୍ଗିକତା ହରାଇବ ନାହିଁ। ପ୍ରତ୍ୟେକ ସଭ୍ୟ ଦେଶରେ ଗୃହସ୍ବାମୀ ବା ଦେଶର ଆଇନର ଅନୁମତି ବିନା କାହାର ବାସଗୃହରେ ପ୍ରବେଶକୁ ଅନୁପ୍ରବେଶ ଅପରାଧ ରୂପେ ବିବେଚନା କରାଯାଇଥାଏ। ଏହି ପ୍ରବାଦର ଉତ୍ପତ୍ତି ସ୍ଥଳ ଇଂଲାଣ୍ଡରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜର୍ଜ ଗ୍ରେନ୍ଭିଲ୍ ୧୭୬୩ ସାଲରେ ଏ ସମ୍ପର୍କରେ କହିଥିବା ଭଳି: ‘‘ଜଣେ ଦରିଦ୍ରତମ ବ୍ୟକ୍ତି ମଧ୍ୟ ତା’ର କୁଟୀର ଭିତରେ ରାଜଶକ୍ତିକୁ ଅବଜ୍ଞା କରିପାରେ। କୁଟୀରଟି ଜରାଜୀର୍ଣ୍ଣ ହୋଇପାରେ, ତା’ର ଚାଳ ଦୋହଲୁଥାଇପାରେ, ତା’ଭିତର ଦେଇ ପବନ ବହି ଯାଇ ପାରୁଥାଏ, ବାତ୍ୟା ପ୍ରବେଶ କରି ପାରୁଥାଏ, ବର୍ଷା ଗଳି ଯାଇପାରୁଥାଏ- କିନ୍ତୁ ଇଂଲାଣ୍ଡର ରାଜା ପ୍ରବେଶ କରିପାରିବେ ନାହିଁ।’’
ବର୍ତ୍ତମାନ କେବଳ ଏହି ଦୁର୍ଗ ହିଁ ଚୀନା କରୋନା ବିପଦ ସମୟରେ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିପାରିବ ବୋଲି ବିଶ୍ବାସରେ ଭାରତ ସମେତ ପୃଥିବୀର ଅନେକ ଦେଶ ନିଜକୁ ‘ଲକ୍ଡାଉନ୍’ରେ ରଖି ଦେଇଛନ୍ତି। ଆଶା କରାଯାଉଛି, ଏ ଦୁର୍ଗରେ ଇଂଲାଣ୍ଡର ରାଜାଙ୍କ ଭଳି କରୋନା ରାକ୍ଷସ ମଧ୍ୟ ପ୍ରବେଶ କରିପାରିବ ନାହିଁ- ଯଦି ତାକୁ ଜାଣିଶୁଣି ବା ଅଜାଣତରେ ନିମନ୍ତ୍ରଣ କରା ନଯାଏ। ବାହାର ଦୁନିଆ ସହିତ ଯଦି ସଶରୀର ସମ୍ପର୍କ ସମ୍ପୂର୍ଣ୍ଣ କାଟି ଦେଇ ପରିବାର ସଦସ୍ୟମାନେ ସ୍ବେଚ୍ଛାକୃତ ଏକାନ୍ତ ବାସରେ ଘର ଭିତରେ ରହନ୍ତି, ତେବେ କରୋନା ରାକ୍ଷସ ଆକ୍ରମଣରୁ ଦୁର୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।
ଗ୍ରେନ୍ଭିଲ୍ଙ୍କ ସମୟର ପୃଥିବୀରେ ଏଭଳି ଏକାନ୍ତ ବାସ ନିଶ୍ଚିତ ରୂପେ ଅତ୍ୟନ୍ତ କଷ୍ଟସାଧ୍ୟ ବା ଅସମ୍ଭବ ହୁଅନ୍ତା। କିନ୍ତୁ ଆଜିର ପୃଥିବୀରେ ତାହା ଯଦି କେତେକାଂଶରେ ସମ୍ଭବ ହୋଇପାରିଥାଏ, ତାହା ହେଉଛି କମ୍ପ୍ୟୁଟର୍ ଓ ଇଣ୍ଟର୍ନେଟ୍ ବିପ୍ଳବରୁ ଜନ୍ମଲାଭ କରିଥିବା ବାସ୍ତବ ଦୁନିଆ ସହିତ ସମାନ୍ତରାଳ ଭାବରେ କାର୍ଯ୍ୟ କରୁଥିବା ଆଜିର ‘ଭର୍ଚୁଆଲ୍’ ଦୁନିଆ। କମ୍ପ୍ୟୁଟର୍ ବା ସ୍ମାର୍ଟ ଫୋନ୍ର ସ୍କ୍ରିନ୍ ମାଧ୍ୟମରେ ଆଜିର ମନୁଷ୍ୟ ଏହି ‘ସତ ପ୍ରାୟ’ ଦୁନିଆରେ ପ୍ରବେଶ କରି ବାସ୍ତବ ଦୁନିଆ ସହିତ ପରୋକ୍ଷ ସମ୍ପର୍କ ସ୍ଥାପନ କରି ପାରିଥାଏ, କିନ୍ତୁ ତାକୁ ବାସ୍ତବ ଦୁନିଆ ସହିତ ସଶରୀର ସମ୍ପର୍କ ସ୍ଥାପନ କରିବାକୁ ପଡ଼ି ନଥାଏ। ପ୍ରାୟ ପୃଥିବୀ ସାରା ଯେଉଁ ଲୋକମାନେ ଏବେ କରୋନା ‘ଲକ୍ଡାଉନ୍’ ଯୋଗୁଁ ନିଜ ନିଜର ଘର-ଦୁର୍ଗରେ ପ୍ରବେଶ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଥି ସହିତ ଏହି ‘ଭର୍ଚୁଆଲ୍’ ଜଗତ୍ରେ ମଧ୍ୟ ପ୍ରବେଶ କରିଯାଇଛନ୍ତି।
ସେମାନେ ବନ୍ଧୁମାନଙ୍କୁ ଆଉ ଛକରେ କି କ୍ଲବ୍ରେ କି ଚା’ଖଟିରେ ନ ଭେଟି କମ୍ପ୍ୟୁଟର୍, ସ୍ମାର୍ଟ ଫୋନ୍ ସ୍କ୍ରିନ୍ରେ ଭେଟୁଛନ୍ତି, ବୃତ୍ତିଧାରୀମାନେ ସହକର୍ମୀ କିମ୍ବା ବସ୍ କିମ୍ବା ଗ୍ରାହକମାନଙ୍କ ସହିତ ସମ୍ମିଳନୀ କକ୍ଷ, ଦପ୍ତର କିମ୍ବା କର୍ମଶାଳାରେ ଆଲୋଚନା କରିବା ପରିବର୍ତ୍ତେ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ତାହା ସମାପନ କରୁଛନ୍ତି। ସେମାନେ ପରସ୍ପରକୁ ଦେଖିପାରୁଛନ୍ତି, ଶୁଣି ପାରୁଛନ୍ତି, ପ୍ରଶ୍ନୋତ୍ତରରେ ଭାଗ ନେଇ ପାରୁଛନ୍ତି; କିନ୍ତୁ ପରସ୍ପର ସହିତ କରମର୍ଦ୍ଦନ କରିପାରୁ ନାହାନ୍ତି, ଆଲିଙ୍ଗନ କରି ପାରୁନାହାନ୍ତି, କି କାହାର କାଶ, ଛିଙ୍କରୁ ନିର୍ଗତ କରୋନା ଭୂତାଣୁ ବହନକାରୀ ‘ଡ୍ରପ୍ଲେଟ୍’ର ପହଞ୍ଚ ଭିତରେ ରହୁନାହାନ୍ତି। କିନ୍ତୁ ଘର-ଦୁର୍ଗ ଦପ୍ତରରେ ପରିଣତ ହେବା ପରେ ଦୁର୍ଗବାସୀମାନେ ଭୂତାଣୁ ଅନୁପ୍ରବେଶକୁ ସିନା ଅଟକାଇ ଦେଇ ପାରୁଛନ୍ତି, ସେମାନେ ଯେ ସମ୍ପୂର୍ଣ୍ଣ ଅନୁପ୍ରବେଶମୁକ୍ତ ହେଉ ନାହାନ୍ତି, ଏହି ଅନୁଭବ ଏବେ କ୍ରମେ ଅଧିକରୁ ଅଧିକ ଦୃଢ଼ ହେବାରେ ଲାଗିଲାଣି।
ପ୍ରତ୍ୟେକ କର୍ମଜୀବୀ ବା ବୃତ୍ତିଧାରୀ ସେମାନଙ୍କର ଦୈନନ୍ଦିନ ଜୀବନରେ ସର୍ବଦା ଏକ ଆଦର୍ଶ ଅନୁସରଣ କରିବାକୁ ଚେଷ୍ଟା କରିଥାନ୍ତି। ତାହା ହେଲା, ଘରର ସମସ୍ୟା ନେଇ ଦପ୍ତରକୁ ନଯିବା ଏବଂ ଦପ୍ତର ସମସ୍ୟା ଧରି ଘରକୁ ନଫେରିବା। ଦପ୍ତର ଓ ଘର ମଧ୍ୟରେ ସେମାନେ ଏ ଯେଉଁ ଆଦର୍ଶ ବିଭାଜକ ରେଖା ଟାଣିବାକୁ ସତତ ଉଦ୍ୟମ କରି ଆସିଥାନ୍ତି, ଘର ଏବେ ଭର୍ଚୁଆଲ୍ ଦପ୍ତରରେ ପରିଣତ ହୋଇଯିବା ପରେ ସେ ବିଭାଜକ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାକୁ ଆରମ୍ଭ କଲାଣି। ସ୍ପିକର୍ ଚାଲୁ କରି ଯେତେବେଳେ ଦପ୍ତରର ସମସ୍ୟା ଆଲୋଚନା କରାଯାଉଛି, ପରିବାରର ଅନ୍ୟ ସଦସ୍ୟମାନଙ୍କ କାନରେ ସେତେବେଳେ ତ ଠିପି ଦିଆଯାଇ ପାରିବ ନାହିଁ। ବସ୍ଙ୍କ ଠାରୁ ଗାଳି କିମ୍ବା ସହକର୍ମୀଙ୍କ ସହିତ ଲଘୁ ପରିହାସ ଦାମ୍ପତ୍ୟ ଅସ୍ଥିରତା ସୃଷ୍ଟିର ଉପାଦାନ ବହନ କରିଥାଏ।
ସେତିକି ନୁହେଁ କମ୍ପ୍ୟୁଟର ସ୍କ୍ରିନ୍ରେ ଦିଶିଯାଉଥିବା ନିଜର ବେଡ୍ରୁମ୍ କିମ୍ବା ଡ୍ରଇଙ୍ଗ୍ ରୁମ୍ ପରି ଅତ୍ୟନ୍ତ ବ୍ୟକ୍ତିଗତ ଅଞ୍ଚଳ ହଠାତ୍ ଦପ୍ତରର ସମ୍ପ୍ରସାରିତ ଅଞ୍ଚଳରେ ପରିଣତ ହୋଇ ଯାଉଛି। କର୍ମଚାରୀଜଣକ ତଳେ ଗାମୁଛା ଓ ଉପରେ ସାର୍ଟ, ଟାଇ ପିନ୍ଧି ସହକର୍ମୀ ତଥା ବସ୍ଙ୍କୁ ସିନା ଭଣ୍ଡାଇ ଦେଇ ପାରୁଛନ୍ତି, କିନ୍ତୁ ନିଜ ଶୟନ କକ୍ଷର ଆକାର, କିମ୍ବା ବୈଠକ କକ୍ଷର ଇତଃସ୍ତତ ପରିବେଶକୁ ସେମାନଙ୍କ ଦୃଷ୍ଟି ଆଢ଼ୁଆଳରେ କିପରି ରଖାଯାଇ ପାରିବ? ଅତଏବ ଭର୍ଚୁଆଲ୍ ଦପ୍ତରରେ ପରିଣତ ହୋଇଥିବା ଘର ଭିତରକୁ ଏବେ ପଶି ଆସୁଛନ୍ତି ଅସଂଖ୍ୟ ଭର୍ଚୁଆଲ୍ ଅନୁପ୍ରବେଶକାରୀମାନେ, ଯାହା ବ୍ୟକ୍ତିର ଗୋପନୀୟତା ଅଧିକାରର ଏକ ଗୁରୁତର ଉଲ୍ଲଂଘନ କହିଲେ ଭୁଲ୍ ହେବ ନାହିଁ। ଘର ଭିତରର ଦୋଷଦୁର୍ବଳତା ଏପରି ପଦାରେ ପଡ଼ିଯିବା ପରେ, ସହକର୍ମୀ ମହଲରେ ପରବର୍ତ୍ତୀ ସମୟରେ ତାହା କିପରି ଚର୍ଚ୍ଚାର ବିଷୟବସ୍ତୁ ପାଲଟିବ, ତାହା ଅନୁମାନ କରିବା କଷ୍ଟକର ନୁହେଁ। ସଂକୀର୍ଣ୍ଣ ବାସଗୃହରେ ପରିବାରର ଅନ୍ୟ ସଦସ୍ୟ ତଥା ଗୃହପାଳିତ ଜୀବମାନଙ୍କୁ ମଧ୍ୟ ଅନ୍ୟ ପଟରେ ଥିବା ସାଥୀ, ସହକର୍ମୀମାନଙ୍କ ଦୃଷ୍ଟିପଥରୁ ଦୂରେଇ ରଖିବା ସମ୍ଭବ ହୋଇ ନପାରେ।
ସବୁ ନୂତନ ସମସ୍ୟାର ସମାଧାନ ପାଇଁ ନୂତନ କିସମର ଉପଦେଶ ଶିଳ୍ପର ମଧ୍ୟ ଆବିର୍ଭାବ ଘଟିବା ଦେଖାଦେଲାଣି: ନିଜର ଚୌକି ପଛପଟେ ଏକ ପୁସ୍ତକ ରୢାକ୍ ଥୋଇ ସେଥିରେ ସ୍ପଷ୍ଟ ଦେଖାଯାଉଥିବା ଭଳି କିଛି ଓଜନଦାର ପୁସ୍ତକ (‘ୱାର୍ ଆଣ୍ଡ୍ ପିସ୍’, ମିଥ୍ ଅଫ୍ ସିସିଫସ୍’...) ରଖିଦିଅ ଯାହାକୁ ତୁମେ କେବେହେଲେ ପଢ଼ି ନପାର; ବିଖ୍ୟାତ ଚିତ୍ରକର (ପିକାସୋ, ଭାନ୍ ଗଫ୍...)ଙ୍କର ଚିତ୍ରର ନକଲ କାନ୍ଥରେ ଟାଙ୍ଗି ଦିଅ, ଇତ୍ୟାଦି। ହୁଏତ ଦୁର୍ଗ ରକ୍ଷା ପାଇ ଯାଇପାରେ।