ସତ-ମିଛ

‘ତାହା ହେଲେ ସତ କ’ଣ?’ ବୋଲି ଉଜ୍‌ବେକିସ୍ତାନର ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରନ୍ତେ ମୁଲ୍ଲା ଉତ୍ତରରେ କହିଥିଲେ-‘କିଏ ଜାଣେ? କାରଣ ଯିଏ ଦେଖିଛି, ସେ କହିପାରିବ ନାହିଁ ଏବ˚ ଯିଏ କହିପାରିବ, ସେ ଦେଖିନାହିଁ।’ ଏଭଳି ଏକ ପ୍ରହେଳିକାପୂର୍ଣ୍ଣ ଚଟୁଳ ଉତ୍ତରରେ ମୁଲ୍ଲା ପ୍ରକୃତରେ ଯାହା କହିବାକୁ ଚାହିଁଥିଲେ, ତାହା ହେଲା- ଦେଖିବାର ସାମର୍ଥ୍ୟ ବହନ କରିଥିବା ଚକ୍ଷୁ ଯୁଗଳଙ୍କ ଠାରେ କଥା କହିବାର ଶକ୍ତି ନାହିଁ ଏବ˚ କଥା କହିବାକୁ ଯେଉଁ ପାଟିଟି ସକ୍ଷମ, ତା’ର ଘଟଣାଟିକୁ ଦେଖିବାର ସାମର୍ଥ୍ୟ ନାହିଁ। ଏହା ମାଧୢମରେ ‘ସତ୍ୟ’ର ଯେଉଁ ଚରିତ୍ରଟିକୁ ମୁଲ୍ଲା ଉପସ୍ଥାପନ କରିଥିଲେ ତାହା ହେଲା ସାଧାରଣତଃ ସତ୍ୟ ଭାବେ ଯାହା ପ୍ରକାଶିତ ବା ପ୍ରକଟିତ ହୋଇଥାଏ, ତାହା ସ˚ପୂର୍ଣ୍ଣ ସତ୍ୟ ହୋଇ ନ ପାରେ। କାରଣ କାଳ ବକ୍ଷରେ ସ˚ଘଟିତ କୌଣସି ଘଟଣାକୁ ଯେଉଁଭଳି ଭାବେ ପ୍ରକାଶ ବା ବ୍ୟାଖ୍ୟା କରାଯାଏ, ତହିଁରେ ‘ସତ୍ୟ’ର ଏକ ଛାପ ରହି ଥାଇପାରେ, କିନ୍ତୁ ସ˚ପୂର୍ଣ୍ଣ ସତ୍ୟକୁ ସେଠାରେ ପାଇବା ହୁଏ’ତ ଏକ ଅସମ୍ଭବ ବ୍ୟାପାର ହୋଇପଡ଼ିବ। ଏହା ସତ୍ତ୍ବେ ସ˚ପ୍ରତି ‘କୋଭିଡ୍‌-୧୯’ ସ˚କ୍ରମଣର ମହା ବିଭୀଷିକା ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ସତ-ମିଛ, ଲୁଚା-ଛପାକୁ ନେଇ ଆରୋପ ଓ ପ୍ରତ୍ୟାରୋପର ଘନଘଟା ଭିତରେ କିଛି ସନ୍ଦେହ ଦୂର କରିବା ଏବ˚ କିଛି ସତ୍ୟ ଉଦ୍‌ଘାଟନ କରିବାର ଉଦ୍ୟମ ଗୁରୁତ୍ବପୂର୍ଣ୍ଣ ମନେହୁଏ।
ସ˚ପ୍ରତି ଯେଉଁ କିଛି ତଥ୍ୟ ବିଶ୍ବ ସ୍ତରରେ ଏକ ଗୁରୁତର ଆଲୋଡ଼ନ ସୃଷ୍ଟି କରିଛି, ତହିଁରୁ ଗୋଟିଏ ହେଲା ଚୀନ ଦ୍ବାରା ଉହାନ ମୃତକଙ୍କ ସ˚ଖ୍ୟାରେ ରାତାରାତି ୫୦ ପ୍ରତିଶତ ବୃଦ୍ଧି ଘଟାଇ ତାକୁ ୪୬୩୨ରେ ପହଞ୍ଚାଇବା। ଏହା ପରେ ସ୍ବାଭାବିକ ଭାବେ ଯେଉଁ ପ୍ରଶ୍ନଟି ଉଠିଛି, ତାହା ହେଲା ଚୀନ ଦ୍ବାରା ପ୍ରଦତ୍ତ ଏହି ସ˚ଖ୍ୟାକୁ ବିଶ୍ବାସ କରାଯାଇ ପାରେ ତ? କାରଣ ବିଶ୍ବ ସମକ୍ଷରେ ନିଜ ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରି ରଖିବା ସକାଶେ ଚୀନ ଅବଲମ୍ବନ କରି ଆସିଥିବା ସତ୍ୟକୁ ଲୁଚାଇବାର ପୁରୁଣା ପର˚ପରା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି। ଜଗତ୍‌କରଣ ଏବ˚ ଉଦାରବାଦର ମୁକ୍ତ ପରିବେଶରେ ଚୀନ୍‌ର ବ୍ୟବସାୟ-ବାଣିଜ୍ୟ ଯଦିଓ ସ୍ଫୀତ ହୋଇ ତାହା ଏକ ପୁ˚ଜିବାଦୀ ବ୍ୟବସ୍ଥା ଆଡ଼କୁ ମୁହାଁଉଥିବା ଭଳି ପ୍ରତୀୟମାନ ହେଉଛି, ପ୍ରକୃତରେ କିନ୍ତୁ ଗଣତନ୍ତ୍ର ତଥା ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନର ଅନୁପସ୍ଥିତି ସେଠାକାର ସମାଜ ଓ ରାଜନୀତିକୁ ଏ ପର୍ଯ୍ୟନ୍ତ ଏକ ଅଭେଦ୍ୟ ଲୌହ ପରଦା ଅନ୍ତରାଳରେ ରଖିଛି। ଉହାନ ଭଳି ଏକ ସହରରୁ ଗୋଟିଏ ଭୂତାଣୁର ସ˚କ୍ରମଣ ଆରମ୍ଭ ହୋଇ ସାରା ବିଶ୍ବରେ ହାହାକାର ସୃଷ୍ଟି କରିଥିବା ପଛରେ ଯେଉଁ କାରଣଟି ଏବେ ସର୍ବଜନବିଦିତ, ତାହା ଚୀନ୍‌ର ମିଥ୍ୟାଚାର ଏବ˚ କପଟାଚାରକୁ ପ୍ରମାଣିତ କରିଥାଏ। ସୁତରା˚, ଚୀନ୍‌ର କରୋନା ମୁକାବିଲାର କାହାଣୀରେ ଅନେକ ଛିଦ୍ର ରହିଥିବାର ସନ୍ଦେହ ସଚରାଚର ବିଶ୍ବ ପୋଷଣ କରି ଚାଲିବା ସ୍ବାଭାବିକ। ସେହି ପରିପ୍ରେକ୍ଷୀରେ ଗଲା ଫେବ୍ରୁଆରି ମାସରେ ଚୀନ୍‌ର ଆକାଶରେ ଗହଳ ଧୂଆଁର ଉପସ୍ଥିତିରୁ ଯଦି ଅନ୍ୟ ରାଷ୍ଟ୍ରରେ ସନ୍ଦେହ ପ୍ରକାଶ ପାଇଥାଏ ଯେ କରୋନା ମୃତକଙ୍କ ସ˚ଖ୍ୟାକୁ ଲୁଚାଇବା ଲାଗି ଚୀନ ସରକାର ଶବର ପାହାଡ଼କୁ ଦଗ୍‌ଧୀଭୂତ କରିବାର ଉଦ୍ୟମ କରୁଛନ୍ତି, ତେବେ ତହିଁରେ କିଛିଟା ସତ୍ୟ ଥିବାର ସମ୍ଭାବନା ଅବଶ୍ୟ ରହିଛି।

କିନ୍ତୁ ଚୀନ୍‌କୁ ଯେଉଁ ଆଲୋକରେ ଦେଖାଯାଉଛି, ଭାରତକୁ ସେହି ଆଲୋକରେ ଦେଖିବାର ପ୍ରବଣତା ଯେ ସାମାନ୍ୟ ସାଧାରଣ ଜ୍ଞାନର ଅଭାବକୁ ଦର୍ଶାଇଥାଏ, ତାହା କହିବା ବାହୁଲ୍ୟ ମାତ୍ର। ସେହି ପରିପ୍ରେକ୍ଷୀରେ କରୋନା ସ˚କ୍ରମଣ କାଳରେ ଭାରତ ଲାଗି ଅକଳ୍ପନୀୟ ବିଭୀଷିକାର ଆଗତ ବାଣୀ ପ୍ରଦାନ କରିଥିବା ଭବିଷ୍ୟଦ୍ରଷ୍ଟାମାନେ (ଯେଉଁମାନଙ୍କ ମଧୢରେ ଅଛନ୍ତି କେତେକ ଦେଶୀ ଓ ବିଦେଶୀ ବିଦ୍ବାନ, ଅନୁଷ୍ଠାନ ଏବ˚ ଗଣମାଧୢମ) ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟକୁ ପ୍ରଶ୍ନ କରିବା ବା ତା’ ଉପରେ ସନ୍ଦେହ ପ୍ରକଟ କରିବା ଭଳି ବିଷୟ ବିଶଦ ଆଲୋଚନା ସାପେକ୍ଷ। ଯଦି ବି ସେମାନଙ୍କ ସନ୍ଦେହକୁ ଗୁରୁତ୍ବ ପ୍ରଦାନ କରି ଆଲୋଚନାକୁ ଆରମ୍ଭ କରିବା, ତେବେ ଭାରତ ବା ଭାରତ ସରକାରଙ୍କ ବ୍ୟବସ୍ଥା ବାହାରେ ବିଭିନ୍ନ ସମ୍ମାନାସ୍ପଦ ଅନୁଷ୍ଠାନ ଦ୍ବାରା ସ˚ଗୃହୀତ ତଥ୍ୟ କ’ଣ କହୁଛି, ତା’ ଉପରେ ଟିକିଏ ଦୃଷ୍ଟି ନିକ୍ଷେପ କରିବା ଉଚିତ ହେବ। ଭାରତରେ କୌଣସି କଟକଣା ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ମାସ ୧୨ ତାରିଖ ବେଳକୁ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ପ୍ରତି ୩ ଦିନ ବ୍ୟବଧାନରେ ଦୁଇ ଗୁଣ ହେଉଥିଲା। କିନ୍ତୁ ତା’ ପରବର୍ତ୍ତୀ କିଛି କଟକଣା ଏବ˚ ମାର୍ଚ୍ଚ ୨୩ର ‘ଲକ୍‌ଡାଉନ୍‌’ ପରେ ଭାରତରେ ସ˚କ୍ରମିତଙ୍କ ସ˚ଖ୍ୟା ଦୁଇ ଗୁଣ ହେବାର ସମୟ ବ୍ୟବଧାନ ଏବେ ୮ ଦିନରେ ପହଞ୍ଚିଛି (ତବଲିଘି ଘଟଣା ସତ୍ତ୍ବେ)। ଏହାର ଅର୍ଥ ସ˚କ୍ରମଣର ହାରରେ ଆଖିଦୃଶିଆ ହ୍ରାସ ଘଟିଛି। ଏ ତଥ୍ୟ ଆସିଛି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’, ‘ୟୁରୋପିଆନ୍‌ ସେଣ୍ଟର ଫର ଡିଜିଜ୍‌ କ˚ଟ୍ରୋଲ’ ଏବ˚ ‘ଜନ୍‌ ହପକିନ୍‌ସ ୟୁନିଭର୍ସିଟି’ ପକ୍ଷରୁ। ସେହିପରି ଦ୍ବିତୀୟ କଥା ହେଲା, ଭାରତରେ କରୋନା ସ˚କ୍ରମିତ ଏବ˚ ମୃତକଙ୍କ ସ˚ଖ୍ୟା ରାଜ୍ୟ ସ୍ତରରେ ସ˚ଗୃହୀତ ହୋଇଥାଏ ଏବ˚ କେରଳ ବା ପଶ୍ଚିମବଙ୍ଗ ସମତେ କେତେକ ରାଜ୍ୟ ସରକାର କେନ୍ଦ୍ର ବିଜେପି ସରକାରଙ୍କ ତୀବ୍ର ବିରୋଧୀ। ଏଭଳି ଏକ ପରିସ୍ଥିତିରେ ଭାରତ ସରକାରଙ୍କ ଦ୍ବାରା ତଥ୍ୟ ଲୁଚାଇ ରଖାଯାଉଥିବା ଭଳି ସନ୍ଦେହ ସ˚ପୂର୍ଣ୍ଣ ଅମୂଳକ ମନେହୁଏ। ପୁନଶ୍ଚ ଭାରତ ଭଳି ଏକ ଗଣତନ୍ତ୍ର ଯେଉଁଠି ଗଣମାଧୢମ ମୁକ୍ତ ଏବ˚ ‘ସଭ୍ୟ ସମାଜ’ ଅତ୍ୟନ୍ତ ସକ୍ରିୟ ଓ ମୁଖର, ସେଠାରେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସତ୍ୟକୁ ଲୁଚାଇ ରଖିବାର ସରକାରୀ ଉଦ୍ୟମ ଯେ ଅଚିରେ ନିରର୍ଥକ ସାବ୍ୟସ୍ତ ହୁଅନ୍ତା, ତାହା କହିବା ନିଷ୍ପ୍ରୟୋଜନ। ସେହି ଦୃଷ୍ଟିରୁ ବିଚାର କଲେ ୧୯୧୮ର ‘ସ୍ପେନିସ ଫ୍ଲୁ’ କାଳରେ ବରେଣ୍ୟ କବି ନିରାଲାଙ୍କ ଏକ ପତ୍ରକୁ ସ୍ମରଣ କରାଯାଇପାରେ। କାରଣ ତହିଁରେ ବର୍ଣ୍ଣିତ ଥିବା ଭଳି ‘ସ୍ପେନିସ ଫ୍ଲୁ ପାନ୍‌ଡେମିକ୍‌’ ସମୟରେ ‘ଗଙ୍ଗାର ଉଭୟ କୂଳରେ ଶବର ପାହାଡ଼ ଏବ˚ ସେମାନଙ୍କ ଦାହ ଲାଗି କାଠର ଘୋର ଅଭାବ’ ତୁଲ୍ୟ ଦୃଶ୍ୟ ଏଯାବତ୍‌ ଭାରତର ଶ୍ମଶାନରେ ବା ହାସପାତାଳଗୁଡ଼ିକରେ ଆଦୌ ପରିଲକ୍ଷିତ ହୋଇନାହିଁ। ଏବଂ ବର୍ତ୍ତମାନ ଭଳି ସତର୍କତା ଜାରି ରହିଲେ ଭବିଷ୍ୟତ୍‌ରେ ସେଭଳି କିଛି ବିଭୀଷିକାର ଆଶଙ୍କା କ୍ଷୀଣ।

ପରିଶେଷରେ ଏକ ଉଦାହରଣ ସହିତ ଏହି ସତ-ମିଛର ସ˚ଶୟ ସମ୍ବଳିତ ଆଲୋଚନାକୁ ସମାପ୍ତ କରାଯାଇପାରେ। ୨୦୦୭ ମସିହା ପର୍ଯ୍ୟନ୍ତ ‘ୟୁ.ଏନ୍‌.ଏଡ୍‌.’ର ତାଲିକାରେ ଭାରତ ଥିଲା ‘ଏଡ୍‌ସ’ ଦ୍ବାରା ସ˚କ୍ରମିତ ରାଷ୍ଟ୍ରଙ୍କ ଭିତରେ ସର୍ବାଗ୍ରେ। ବିଭିନ୍ନ ବିଶ୍ବସ୍ତରୀୟ ଗବେଷଣାମୂଳକ ରିପୋର୍ଟ ଆଧାରରେ କୁହାଯାଇଥିଲା ଯେ ଭାରତରେ ଏଡ୍‌ସ ଆକ୍ରାନ୍ତଙ୍କ ସ˚ଖ୍ୟା ହେଉଛି ୫.୭ ନିୟୁତ। ଏହାର ଅଧାରରେ ୨୦୦୨ ମସିହାରେ ‘ବିଲ୍‌ ଗେଟ୍‌ସ ଏବ˚ ମେଲିଣ୍ତା ଗେଟ୍‌ସ ଫାଉଣ୍ତେସନ’ ପକ୍ଷରୁ ଭାରତକୁ ୧୦୦ ନିୟୁତ ଡଲାର ଅନୁଦାନ ମଧୢ ଦିଆଯାଇଥିଲା। କିନ୍ତୁ ୨୦୦୭ରେ ବିଶ୍ବ ପ୍ରସିଦ୍ଧ ‘ଲାନ୍‌ସେଟ୍‌’ ପତ୍ରିକାରେ ଏକ ନିବନ୍ଧ ପ୍ରକାଶିତ ହେଲା, ଯାହା ଏହି ‘ଡାଟା’ ସ˚ଗ୍ରହର ପଦ୍ଧତିରେ ଥିବା ତ୍ରୁଟିଗୁଡ଼ିକୁ ଦର୍ଶାଇ ଦେଲା। ନିମିଷକ ଭିତରେ ‘ୟୁ.ଏନ୍‌.ଏଡ୍‌.’ର ତାଲିକାର କ୍ରମ ବଦଳିଗଲା ଏବ˚ ଭାରତରେ ଏଡ୍‌ସ ଆକ୍ରାନ୍ତଙ୍କ ସ˚ଖ୍ୟା ୨.୫ ନିୟୁତକୁ ଖସି ଆସିଲା।

ଏଠାରେ ଏହି ପ୍ରସଙ୍ଗଟିକୁ ଆଲୋଚନାର ପରିସରକୁ ଆଣିବା ପଛରେ ନିହିତ ଥିବା ଉଦ୍ଦେଶ୍ୟଟି ‌େହଉଛି ଏକଦା ‘ତୃତୀୟ ବିଶ୍ବ’ର ଏକ ରାଷ୍ଟ୍ର ରୂପେ ଭାରତକୁ ହେୟ ମଣିବାର ମନସ୍କତା ଏଯାବତ୍‌ ବିଶ୍ବର ଅନେକ ସ୍ଥାନରେ ରହିଛି, ଯଦିଓ ଭାରତ ଇତିମଧୢରେ ଅବିଶ୍ବସନୀୟ ପ୍ରଗତି ହାସଲ କରି ସାରିଛି। ତେଣୁ ସ˚ପ୍ରତି କରୋନାର ସୁନାମିରେ ଉନ୍ନତ ପାଶ୍ଚାତ୍ୟ ବିଶ୍ବ ସ˚ପୂର୍ଣ୍ଣ ମଗ୍ନ ହୋଇସାରିଥିବା ବେଳେ ଏ ପର୍ଯ୍ୟନ୍ତ ଏକ ଦ୍ବୀପ ସଦୃଶ ରହି ପାରିଥିବା ଭାରତକୁ ନିଶାଣ କରିବା ସେମାନଙ୍କ ଲାଗି ଏକ ସ୍ବାଭାବିକତା ମାତ୍ର ବୋଲି କହିଲେ ଭୁଲ୍‌ ହେବ ନାହିଁ।

ସମ୍ବନ୍ଧିତ ଖବର