ହୁଜ୍ ‘ହୁ’?

ଏକ ଲଘୁ ଦୃଷ୍ଟିଭଙ୍ଗୀ ଗ୍ରହଣ କଲେ ଚୀନା କରୋନା ମହାମାରୀ ପରିପ୍ରେକ୍ଷୀରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ଆଭିମୁଖ୍ୟକୁ ଦାର୍ଶନିକ ସୁଲଭ ବୋଲି ବିଚାର କରାଯାଇ ପାରେ। ଗତ ସପ୍ତାହରେ ଟ୍ରମ୍ପ୍‌ ‘ହୁ’ କୁ ଆମେରିକା ପ୍ରଦାନ କରୁଥିବା ଅନୁଦାନ ବନ୍ଦ କରିଦେବା ଘୋଷଣା କରିଛନ୍ତି। ଚୀନରୁ ବାହାରିଥିବା ଏହି ପ୍ରଳୟଙ୍କରୀ ସଂକ୍ରମଣର ମୁକାବିଲା କରିବାରେ ‘ହୁ’ର ଅପାରଗତାର ତୀବ୍ର ସମାଲୋଚନା କରି ଟ୍ରମ୍ପ୍‌ ବର୍ତ୍ତମାନ ‘ହୁ’କୁ ଆଉ ଆମେରିକୀୟ ସହାୟତା ନ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଟ୍ରମ୍ପ୍‌ଙ୍କର ନିଜ ଦେଶରେ ଓ ଦେଶ ବା‌ହାରେ ସମାଲୋଚକମାନଙ୍କର ଅଭାବ ନାହିଁ। ସେମାନେ ଟ୍ରମ୍ପ୍‌ଙ୍କର ବର୍ତ୍ତମାନର ନିଷ୍ପତ୍ତି କିପରି ତାଙ୍କର ଅସ୍ଥିର ଚିତ୍ତର ପ୍ରମାଣ ତାହା ଦର୍ଶାଇବାକୁ ଯାଇ ଚୀନା କରୋନା ବାହାରେ ବ୍ୟାପିବାକୁ ଆରମ୍ଭ କରିବା ପରେ ପରେ ସେଇ ଟ୍ରମ୍ପ୍ କିପରି ଜାନୁଆରି ‌େଶଷ ଆଡ଼କୁ ଓ ଫେବ୍ରୁଆରିରେ ଅନ୍ୟୂନ ୧୫ ଥର ଚୀନ୍ ସରକାରକୁ କରୋନା ପରିଚାଳନା ପାଇଁ ଭଲ ସାର୍ଟିଫିକେଟ୍ ଦେଇ ଆସିଥିଲେ ଏବଂ ତା’ ସହିତ ‘ହୁ’ର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ, ତାହାର ଉଦାହରଣମାନ ପ୍ରଦାନ କରିବାରେ ଲାଗିଛନ୍ତି। ଏମାନେ ଭୁଲି ଯାଉଛନ୍ତି ଯେ ଟ୍ରମ୍ପ୍‌ଙ୍କ ବିରୋଧରେ ଲଢ଼େଇରେ ଏପରି ସାକ୍ଷ୍ୟ ପ୍ରମାଣର ପ୍ରୟୋଗ ଆଦୌ କାଟୁ କରିବ ନାହିଁ।

ଟ୍ରମ୍ପ୍‌ଙ୍କର ବ୍ୟକ୍ତିତ୍ବ ଓ କାର୍ଯ୍ୟକଳାପ ଉପରେ ଯେଉଁମାନେ ସଯତ୍ନ ନଜର ରଖିଥାନ୍ତି, ସେମାନଙ୍କୁ ନିଶ୍ଚୟ ଜାଣିବାକୁ ବାକି ନଥିବ ଯେ ‘ଟ୍ରମ୍ପ୍’ ବୋଧହୁଏ ଯେଉଁ ଦର୍ଶନରେ ବିଶ୍ବାସ କରନ୍ତି, ତାହା ହେଉଛି ‘ବର୍ତ୍ତମାନବାଦ’ (‘‌େପ୍ରଜେଣ୍ଟିଜମ୍’)। ଏହି ମତବାଦ ପୋଷଣ କରୁଥିବା ଦାର୍ଶନିକମାନେ କହନ୍ତି ଯେ ‘ବର୍ତ୍ତମାନ’ ହିଁ ହେଉଛି ଏକମାତ୍ର ସତ୍ୟ, ବାସ୍ତବତା। ଅତୀତରେ ଯାହା ଘଟିଥିଲା, ତାହା ସେ ସମୟରେ ସତ ଥିଲା; ଭବିଷ୍ୟତରେ ଯାହା ଘଟିବ, ତାହା ସେ ସମୟରେ ସତ ହେବ; କିନ୍ତୁ ଯାହା ବର୍ତ୍ତମାନ ଘଟୁଛି ବା ଅଛି, ତାହା ହିଁ ହେଉଛି ବର୍ତ୍ତମାନର ସତ। ଏହି ଦର୍ଶନର ବିପରୀତ ହେଉଛି ‘ଚିରନ୍ତନବାଦ’ (‘ଇଟର୍‌ନାଲିଜ୍‌ମ’), ଯାହା ଅନୁସାରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ- ସମସ୍ତ ହେଉଛନ୍ତି ଏକ ମିଳିତ ବାସ୍ତବତାର ଅଂଶ।

ଡୋନାଲ୍‌ଡ ଟ୍ରମ୍ପ୍ ଯେଉଁଭଳି ନିୟମିତ ଭାବରେ ଏବଂ ପ୍ରାୟ ରାତାରାତି ନିଜର ମତ ପରିବର୍ତ୍ତନ କରିବା ତାଙ୍କର ଶେଷ ହୋଇ ଆସୁଥିବା ଶାସନ କାଳ ସାରା ଦେଖାଯାଇଛି, ତାହା ଯେ ‘ବର୍ତ୍ତମାନବାଦ’ର ଗଭୀର ସ୍ବାକ୍ଷର ବହନ କରିଥାଏ, ଏହା ତାଙ୍କର ସମର୍ଥକ ଓ ବିରୋଧୀ- ସମସ୍ତଙ୍କୁ ଜଣା। ଏଣୁ ‘ହୁ’ ପ୍ରତି ତାଙ୍କର ଆଭିମୁଖ୍ୟରେ ‘ଅତୀତ’ ଓ ‘ବର୍ତ୍ତମାନ’ ମଧ୍ୟରେ ଥିବା ତାଳମେଳର ଅଭାବ ବା ଅସଂଗତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଟ୍ରମ୍ପ୍‌ଙ୍କଠାରେ ସାମାନ୍ୟତମ ଅସ୍ବସ୍ତି ସୃଷ୍ଟି କରିବା ପାଇଁ କେହି ଚେଷ୍ଟା କରିବା ଏକ ବୃଥା ଆଶା ବ୍ୟତୀତ ଆଉ କିଛି ନୁହେଁ। ଅପର ପକ୍ଷେ ଆଜି ଯଦି ଓସ୍କାର୍ ୱାଇଲ୍‌ଡ ଜୀବିତ ଥା’ନ୍ତେ, ସେ ଟ୍ରମ୍ପ୍‌ଙ୍କର ଏଭଳି ଆଚରଣର ଘୋର ପ୍ରଶଂସା କରନ୍ତେ। କାରଣ, ସେ ତାଙ୍କର ସ୍ବଭାବ ସୁଲଭ ଚଟୁଳ ଢଙ୍ଗରେ କହିନଥିଲେ କି: ‘‘ସଂଗତି ରକ୍ଷା କରିବା ହେଉଛି କଳ୍ପନା ଶକ୍ତି ରହିତ ଲୋକମାନଙ୍କର ଶେଷ ଆଶ୍ରୟସ୍ଥଳୀ!’’

‘ହୁ’ ପ୍ରତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବର୍ତ୍ତମାନର ଆଭିମୁଖ୍ୟ କେବଳ ଯେ ତାଙ୍କର ଏହି ବର୍ତ୍ତମାନବାଦୀ ଦର୍ଶନ ସହିତ ମେଳ ଖାଇଥାଏ, ତାହା ନୁହେଁ, ଏହା ଅନେକାଂଶରେ କରୋନା ମହାମାରୀ କବଳରୁ ପୃଥିବୀ ବାସୀଙ୍କୁ ରକ୍ଷା କରିବାରେ ବର୍ତ୍ତମାନ କ୍ରମେ ଉନ୍ମୋଚିତ ହେଉଥିବା ‘ହୁ’ର ଅପାରଗତା ଓ ଚୀନା-ପ୍ରୀତି-ଜନିତ ବିଫଳତାର ପ୍ରକୃତ ଚିତ୍ରର ଏକ ପ୍ରତିଫଳନ ମଧ୍ୟ। ଉହାନ୍‌ରେ କରୋନା ଭାଇରସ୍‌ର ଆବିର୍ଭାବ ପରର ଯେଉଁ ପ୍ରାଥମିକ ସପ୍ତାହଗୁଡ଼ିକରେ ଏହାର ପ୍ରସାର ପ୍ରତିରୋଧ କରି ଏହାକୁ ଏକ ବିଶ୍ବ ମହାମାରୀରେ ପରିଣତ ହେବାରୁ ଅଟକାଇ ଦିଆଯାଇପାରିଥାନ୍ତା, ସେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ କାଳରେ ‘ହୁ’ ଏବଂ ନିର୍ଦ୍ଦିଷ୍ଟ ଭାବରେ ଏହାର ମୁଖ୍ୟ ଆଧାନମ୍ ଗ୍ରେବ୍ରେଜୀସସ୍ ଏ ପ୍ରଳୟଙ୍କରୀ ବିପଦକୁ ସ୍ବୀକାର କରିବା ପରିବର୍ତ୍ତେ ବହୁ ବିଳମ୍ବ ପର୍ଯ୍ୟନ୍ତ ଚୀନ୍‌କୁ ଘଣ୍ଟ ଘୋଡ଼ାଇ ଚାଲିଲେ।

ଭାଇରସ୍‌ଟି ମନୁଷ୍ୟ ଶରୀରରୁ ଆଉ ଜଣେ ମନୁଷ୍ୟ ଶରୀରକୁ ଡେଇଁ ପାରିବ ନାହିଁ ବୋଲି ଚୀନ୍ ଆରମ୍ଭରେ ଯେଉଁ ମିଥ୍ୟା ପ୍ରଚାର ଚଳାଇଥିଲା, ‘ହୁ’ ତାହାକୁ ହିଁ ପ୍ରସାର କରି ଚାଲିଲା। ଏବେ ସାରା ପୃଥିବୀ ନିଜ ଦେଶରେ କରୋନାକୁ କାବୁ କରିବାରେ ତାଇୱାନ୍ ହାସଲ କରିଥିବା ଚମକପ୍ରଦ ସଫଳତାକୁ ସ୍ବୀକାର କରୁଛି। ଡିସେମ୍ବର ୩୧ରେ ତାଇୱାନ୍ ‘ହୁ’କୁ କରୋନା ଭାଇରସ୍‌ର ଏପରି ମନୁଷ୍ୟ-ମନୁଷ୍ୟ ସଂକ୍ରମଣ କ୍ଷମତା ସମ୍ବନ୍ଧରେ ଅବଗତ କରାଇଥିଲେ ହେଁ, ଜାନୁଆରି ୨୩ରେ ବି ଗ୍ରେବ୍ରେଜୀସସ୍ ଏହା ତଥାପି ଏକ ‘ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା’ ସୃଷ୍ଟି କରୁନାହିଁ ବୋଲି ଦ‌େମ୍ଭାକ୍ତି କରିଥିଲେ। ଏକ ବିଡ଼ମ୍ବନା ସଦୃଶ ଚୀନ୍‌ର ବିରୋଧ ଯୋଗୁଁ ତାଇୱାନ୍ ‘ହୁ’ର ସଦସ୍ୟ ନୁହେଁ।

ଯେତେବେଳେ ସଂକ୍ରମଣ ବ୍ୟାପିବାକୁ ଆରମ୍ଭ କଲା ଏବଂ ଚୀନ୍ ବିରୋଧରେ ଭ୍ରମଣ ନିଷେଧ କଟକଣା ଲଗାଯିବା ପାଇଁ ତଥା ଚୀନ୍‌ରୁ ଆସୁଥିବା ଲୋକମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖିବା ପାଇଁ ଉଦ୍ୟମ ଆରମ୍ଭ ହେଲା, ଚୀନ୍‌ର ଏଥିପ୍ରତି ବିରୋଧକୁ ‘ହୁ’ ତାର ବିଭିନ୍ନ ପ୍ରକାଶିତ ମତ ମନ୍ତବ୍ୟମାନ ମାଧ୍ୟମରେ ସମର୍ଥନ କରିବା ଦେଖାଯାଇଥିଲା। ଶେଷରେ ଚୀନ୍‌ରୁ ଆସୁଥିବା ଲୋକମାନେ ହିଁ ଦୁନିଆସାରା କରୋନାକୁ ଖେଳାଇ ଦେଲେ। ଚୀନ୍ ଯେ କରୋନା ସମ୍ପର୍କିତ ପ୍ରକୃତ ତଥ୍ୟମାନ ଲୁଚାଇବାରେ ଲାଗିଛି, ତାହା ବର୍ତ୍ତମାନ ଜଣାଶୁଣା (ଯେମିତି, ଏଇ ସଦ୍ୟ ଉହାନ୍‌ରେ ପୂର୍ବସୂଚିତ ମୃତ୍ୟୁ ସଂଖ୍ୟାରେ ୫୦ ଶତାଂଶ ବୃଦ୍ଧି ଘଟା ଯାଇଛି)। ‘ହୁ’ କିନ୍ତୁ ମୂଳରୁ ଚୀନ୍ ଦ୍ବାରା ପ୍ରଦତ୍ତ ସୂଚନା ଓ ପରିସଂଖ୍ୟାନ ସବୁକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଚାଲିଛି।

ଚୀନ୍ ଦ୍ବାରା ପ୍ରସାରିତ ମିଛ ନୀଚା ମୃତ୍ୟୁ ପରିସଂଖ୍ୟାନ ଆମେରିକାଠାରେ ଏକ ମାରାତ୍ମକ ଆଶ୍ବସ୍ତି ସୃଷ୍ଟି କଲା, ଯାହାର ପରିଣାମରେ ଏ ପର୍ଯ୍ୟନ୍ତ ସେଠାରେ ୫୦,୦୦୦ ସରିକି ମୃତ୍ୟୁ ଘଟିଲାଣି। ଆମେରିକାର ପ୍ରାରମ୍ଭିକ ଅବହେଳା ପଛରେ ଏହା ହେଉଛି ଏକ ମୁଖ୍ୟ କାରଣ। ଆମେରିକା ‘ହୁ’କୁ ବାର୍ଷିକ ୪୫୦ ନିୟୁତ ଡଲାର୍ ଅନୁଦାନ ପ୍ରଦାନ କରିଥାଏ; ଚୀନ୍ ଦେଇଥାଏ ମାତ୍ର ୪୦ ନିୟୁତ ଡଲାର୍। ‘ହୁ’ରେ କିନ୍ତୁ ଚୀନ୍‌ର ଅନୁଗତମାନେ ଭର୍ତ୍ତି ହୋଇ ରହିଛନ୍ତି। ୨୦୦୬ରେ ଡକ୍ଟର୍ ମାର୍ଗାରେଟ୍ ଚାନ୍‌ଙ୍କ ଭଳି ୨୦୧୭ରେ ମହାନିର୍ଦ୍ଦେଶକ ‌େହାଇଥିବା ଗ୍ରେବ୍ରେଜୀସସ୍ ହେଉଛନ୍ତି ଚୀନ୍ ଅନୁମୋଦିତ ପ୍ରାର୍ଥୀ। ଆମେରିକା ଯେ ସ୍ଥାୟୀ ଭାବରେ ‘ହୁ’କୁ ଅନୁଦାନ ବନ୍ଦ କରିବ ନାହିଁ, ଏହା ସତ; ଏବେ କିନ୍ତୁ ଟ୍ରମ୍ପ୍ ଯଦି ଏହି ଚୀନ୍ ଅନୁଗତ ସଂସ୍ଥା ପ୍ରତି ଗ୍ରହଣ କରିଥିବା କଠୋର ଆଭିମୁଖ୍ୟ କୋହଳ ନ କରି ଏହାର ପୁନର୍ବିନ୍ୟାସ କରାନ୍ତେ, ତେବେ ପୃଥିବୀର ସ୍ବାସ୍ଥ୍ୟ ଅଧିକ ସୁରକ୍ଷିତ ରହନ୍ତା।

ସମ୍ବନ୍ଧିତ ଖବର