ଅନ୍ଧ ମହୁମାଛି

ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ବର୍ଣ୍ଣାଡ୍ ମାଣ୍ଡେଭିଲ୍ ହଲାଣ୍ଡରେ ଜନ୍ମ ହୋଇଥିଲେ, କିନ୍ତୁ ପିଲାବେଳରୁ ମୃତ୍ୟୁ ପର୍ଯ୍ୟନ୍ତ ଲଣ୍ଡନ୍‌ରେ କଟାଇଥିଲେ। ଉତ୍ତର ସପ୍ତଦଶ ଓ ଆଦ୍ୟ ଅଷ୍ଟାଦଶ ଶତାବ୍ଦୀର ଏହି ଚିକିତ୍ସକଙ୍କ ନାମ ଏବେ ମଧ୍ୟ ଜନସ୍ମୃତିରେ ରହିଥିବାର କାରଣ ଚିକିତ୍ସା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ନୁହେଁ, କାରଣ ହେଉଛି ଦାର୍ଶନିକମାନଙ୍କୁ ପ୍ରଭାବିତ କରିଥିବା ୧୭୦୫ରେ ପ୍ରକାଶିତ ତାଙ୍କର ଏକ କବିତା: ‘ଦି ଫେବ୍‌ଲ ଅଫ୍ ଦି ବିଇଜ୍’ (‘ମହୁମାଛିଙ୍କ କାହାଣୀ’)।

ଏହି ସୁଖପାଠ୍ୟ ନାତିଦୀର୍ଘ କବିତାରେ ମାଣ୍ଡେଭିଲ୍ ଏକ ମହୁମାଛି ଦଳର କଳ୍ପନା କରିଛନ୍ତି ଯେଉଁଠି ସେ ମାଛିମାନେ ସେମାନଙ୍କର ବହୁ ପ୍ରଚାରିତ ସାମୂହିକ ସହଯୋଗକୁ ଏବଂ ଗୋଷ୍ଠୀଗତ ମଙ୍ଗଳକୁ ଆଦର୍ଶ ରୂପେ ଅନୁସରଣ ନ କରି, ମନୁଷ୍ୟର ସମସ୍ତ ଦୋଷ ଦୁର୍ବଳତାକୁ ଅନୁକରଣ କରନ୍ତି। ଲୋଭ, ଆତ୍ମସ୍ବାର୍ଥ, ମିଥ୍ୟାଚାର ଭଳି ମାନବୀୟ ଅବିଗୁଣମାନ ହୋଇଥାଏ ସେମାନଙ୍କର ଆଚରଣର ମୂଳଭିତ୍ତି। ଡାକ୍ତର ମାଣ୍ଡେଭିଲ୍ ତାଙ୍କ କବିତାରେ ଦର୍ଶାଇଛନ୍ତି ଯେ ସେମାନଙ୍କର ଏଭଳି ଆତ୍ମକୈନ୍ଦ୍ରିକ, ସ୍ବାର୍ଥାନ୍ଧ ଆଚରଣ ଯୋଗୁଁ ‌େଶଷରେ ସାରା ମହୁମାଛି ଦଳ ସର୍ବାଧିକ ସମ୍ଭବ ପ୍ରଗତି, ପ୍ରାଚୁର୍ଯ୍ୟ, ମଙ୍ଗଳ ଲାଭ କରିପାରିଛି। ତାଙ୍କର ଏହି କବିତା ନୀତିଶାସ୍ତ୍ରୀମାନଙ୍କୁ ସେବେଠାରୁ ବିଭିନ୍ନ ଭାବରେ ଆଲୋଡ଼ିତ କରି ଆସିଛି।

ବର୍ତ୍ତମାନ ଓଡ଼ିଶାର ମୁଣ୍ଡବିନ୍ଧାର କାରଣ ହୋଇ ଉଭା ହୋଇଥିବା ପଡ଼ୋଶୀ ରାଜ୍ୟ ପଶ୍ଚିମବଂଗର କରୋନା ମୁକାବିଲା ନୀତି ଉପରେ ଦୃଷ୍ଟିପାତ କଲେ, ମନେହୁଏ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଯେଉଁ ଅନୁଗତ ଡାକ୍ତରମାନେ ତାଙ୍କୁ ଚୀନା କରୋନା ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ବାଟ ଦେଖାଉଛନ୍ତି, ସେମାନେ ସମସ୍ତେ ବୋଧହୁଏ ଜାଣତରେ ବା ଅଜାଣତରେ ସେଇ ଚାରି ଶତାବ୍ଦୀ ତଳର ଓଲନ୍ଦାଜ ଡାକ୍ତରଙ୍କ ଚିକିତ୍ସା ପଦ୍ଧତି ନୁହେଁ, ତାଙ୍କର ପ୍ରସିଦ୍ଧ କବିତାର ମୌଳିକ ଦର୍ଶନକୁ ହିଁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି: ମୁଖ୍ୟମନ୍ତ୍ରୀ ନିଜ ସ୍ବାର୍ଥ ସୁରକ୍ଷିତ ରଖିଲେ, ରାଜ୍ୟବାସୀଙ୍କ ସାମୂହିକ ସ୍ବାର୍ଥ ଆପେ ଆପେ ସୁରକ୍ଷିତ ହୋଇଯିବ।

ଭାରତରେ ଚୀନା କରୋନା ଭୂତାଣୁ ପ୍ରବେଶ କରି ମହାମାରୀ ଆଶଙ୍କା ସୃଷ୍ଟି କରିବା ପରଠାରୁ ମମତା ବାନାର୍ଜୀ ଏଥିପ୍ରତି ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତା’ ପଛରେ ଏହି ମାଣ୍ଡେଭିଲ୍‌ସୁଲଭ ଦର୍ଶନ ହିଁ ନିହିତ ଥିବା ଜଳ ଜଳ ହୋଇ ଦେଖାଯାଉଛି। ମମତାଙ୍କର ଏହି ଆଭିମୁଖ୍ୟ କିଛି ନୂଆ ମଧ୍ୟ ନୁହେଁ; ତାହା ତାଙ୍କର ଜଣାଶୁଣା ଖୋଲା ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତିର ଏକ ସମ୍ପ୍ରସାରଣ ମାତ୍ର। ଦେଶସାରା ଚୀନା କରୋନା ଭଳି ବିଦେଶାଗତ ଭୂତାଣୁର ପ୍ରସାର ଘଟାଇଥିବା ‘ତବ୍‌ଲିଘି ଜମାତ୍‌’ର ପ୍ରାୟ ୩୦୦ ସରିକି ସଦସ୍ୟ ମମତାଙ୍କ ରାଜ୍ୟ ପଶ୍ଚିମବଂଗରେ ପ୍ରବେଶ କରିଥିଲେ ମଧ୍ୟ ମମତା ସରକାର ସେମାନଙ୍କ ସମ୍ବନ୍ଧରେ କୌଣସି ସୂଚନା ପ୍ରକାଶ କରିବାକୁ ପଛଘୁଞ୍ଚା ଦେଇ ଆସିଛି। ଅନ୍ୟ ସମସ୍ତ ରାଜ୍ୟରେ ଏଭଳି ନିଜାମୁଦ୍ଦିନ୍ ଫେରନ୍ତାମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍‌ ବାହାରିବା ଦେଖାଦେବାରେ ଲାଗିଥିଲେ ହେଁ, ପଶ୍ଚିମବଂଗରୁ ସେମାନଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ପ୍ରକାଶ ପାଉନଥିଲା।

ଏ କଥା ବର୍ତ୍ତମାନ ହାଟରେ ପଡ଼ି ଦାଣ୍ଡରେ ଗଡୁଛି ଯେ ମମତା ବାନାର୍ଜୀ ସରକାର ତାଙ୍କ ରାଜ୍ୟରେ ଚୀନା କରୋନା ସଂକ୍ରମଣ ଓ କରୋନାଜନିତ ମୃତ୍ୟୁ ସମ୍ପର୍କରେ ପ୍ରକୃତ ତଥ୍ୟକୁ ଲୁଚାଇବାରେ ଲାଗିଛି। ଅନ୍ୟ ସମସ୍ତ ରାଜ୍ୟମାନଙ୍କରେ ସମ୍ପୃକ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହିଁ ମୃତ୍ୟୁ ପ୍ରମାଣପତ୍ରରେ ଲେଖିଥାନ୍ତି ରୋଗୀଙ୍କର ମୃତ୍ୟୁ କରୋନା ଭାଇରସ୍ ଯୋଗୁଁ ଘଟିଛି କି ନାହିଁ। ଏହାର କାରଣ ଅବଶ୍ୟ ହେଲା, ରୋଗୀଙ୍କର ଚିକିତ୍ସା କରୁଥିବା ଡାକ୍ତର ହିଁ ଏ ବିଷୟରେ ସବୁଠାରୁ ଭଲ ଜାଣିଥିବେ। ପଶ୍ଚିମବଂଗ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ‌େସଠାରେ କିନ୍ତୁ ଏକ ପାଞ୍ଚ-ଜଣିଆ ବିଶେଷଜ୍ଞ କମିଟି ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା ଇତିହାସ, ଲାବରେଟରି ଅନୁସନ୍ଧାନ ରିପୋର୍ଟ ସବୁ, ମୃତ୍ୟୁ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଦସ୍ତାବିଜମାନ ଅନୁଶୀଳନ କରିବା ପରେ ଯାଇ ସେ କୋଭିଡ୍-୧୯-ପଜିଟିଭ୍ ରୋଗୀଙ୍କର ମୃତ୍ୟୁ ‘କୋଭିଡ୍-୧୯’ ଯୋଗୁଁ ହୋଇଛି କି ନାହିଁ, ତାହା ସ୍ଥିର କରିଥାଏ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତ୍ୟନ୍ତ ଘନିଷ୍ଠ ରୂପେ ଜଣାଶୁଣା ସେ ରାଜ୍ୟର ଜଣେ ପୂର୍ବତନ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ହେଉଛନ୍ତି ଏହି କମିଟିର ମୁଖ୍ୟ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଅନ୍ୟ ରାଜ୍ୟମାନଙ୍କରେ ଅନୁସୃତ ସାଧାରଣ ନିୟମ ହେଲା, ଯଦି ଜଣେ ଚିକିତ୍ସାଧୀନ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ଘଟେ, ତେବେ ତାଙ୍କଠାରେ ଥିବା ଅନ୍ୟ କୌଣସି ରୋଗ (‘କୋ-ମର୍ବିଡିଟି’) କୁ ମୃତ୍ୟୁର କାରଣ ରୂପେ ବିଚାର ନ କରି କରୋନା ଭାଇରସ୍‌କୁ ହିଁ ମୃତ୍ୟୁର କାରଣ ରୂପେ ଧରା ଯାଇଥାଏ। ପଶ୍ଚିମବଂଗରେ ଉପରୋକ୍ତ ଶକ୍ତିଶାଳୀ କମିଟି କିନ୍ତୁ ଅନେକ ଘଟଣାରେ ‘କୋ-ମର୍ବିଡିଟି’କୁ ମୃତ୍ୟୁର କାରଣ ରୂପେ ପ୍ରଦର୍ଶିତ କରି ସେଠାରେ କୋଭିଡ୍-୧୯ ମୃତ୍ୟୁ ସଂଖ୍ୟାକୁ କୃତ୍ରିମ ରୂପେ ନୀଚା ରଖି ମମତା ବାନାର୍ଜୀଙ୍କ ଭାବମୂର୍ତ୍ତି ଓ ନିର୍ବାଚନୀ ସ୍ବାର୍ଥ ସୁରକ୍ଷିତ ରଖିବାକୁ ଚେଷ୍ଟା ଚଳାଇଛି ବୋଲି ଉଭୟ ମୁଖ୍ୟ ସ୍ରୋତ- ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଆଲୋଚନା ହେବାରେ ଲାଗିଛି।

ମୃତ ଦେହ ସବୁର ଗୋପନ ସଂସ୍କାର ଖବରମାନ ମଧ୍ୟ ସେଇଭଳି ଆଲୋଚିତ ହେଉଛି। ଯାହା କିନ୍ତୁ ଆଦୌ ଗୋପନ ନୁହେଁ, ତାହା ହେଲା ସାରା ଦେଶରେ ଅନୁସୃତ ଧାରାର ସମ୍ପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶନ କରି ସେ ରାଜ୍ୟରେ ଲକ୍‌-ଡାଉନ୍‌ର ଖୋଲାଖୋଲି ଓ ବ୍ୟାପକ ଉଲ୍ଲଂଘନ। ମମତାଙ୍କର ଏପରି ଅମାନିଆ ଆଚରଣ ଯୋଗୁଁ ସେ ରାଜ୍ୟରେ ବିଶେଷ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିବା ସାତଟି ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ ଆସିଥିବା କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରୀସ୍ତରୀୟ ଟିମ୍‌ମାନ ପ୍ରତି ମମତା ସରକାର ପ୍ରଦର୍ଶନ କରିଥିବା ଶତ୍ରୁସୁଲଭ ଆଭିମୁଖ୍ୟ ଦେଶବାସୀଙ୍କୁ ହତଚକିତ କରିଦେଇଛି।

ଚିନ୍ତାର କାରଣ ହେଲା, କୌଣସି ଗୋଟିଏ ରାଜ୍ୟରେ କରୋନା ଭୂତାଣୁ ଏପରି ସରକାରୀ ଆଶ୍ରୟ ପାଇ ରହିଗଲେ, ବାକି ଦେଶ ପୁଣି ବିପଦଗ୍ରସ୍ତ ହୋଇଯିବ। ଓଡ଼ିଶାର ବର୍ତ୍ତମାନର ଅନୁଭୂତିରୁ ଏହି ଶିକ୍ଷା ମିଳିଥାଏ। କରୋନା ନିୟନ୍ତ୍ରଣରେ ଚମକପ୍ରଦ ସଫଳତା ହାସଲ କରି ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଥିବା ଓଡ଼ିଶା ବର୍ତ୍ତମାନ ପଶ୍ଚିମବଂଗରୁ ପଶି ଆସୁଥିବା କରୋନା ଭୂତାଣୁ ବାହକମାନଙ୍କ ଯୋଗୁଁ ପୁଣି ବିପଦଗ୍ରସ୍ତ ହୋଇପଡ଼ିଛି। ସରକାରଙ୍କ ମୁଖପାତ୍ରଙ୍କ ଉକ୍ତି ଅନୁସାରେ ସୀମାରେ ଥିବା ପ୍ରାୟ ୯୦ଟି ଗଳାବାଟ ଦେଇ ଓଡ଼ିଶା ଭିତରକୁ ସମ୍ଭାବ୍ୟ ଭୂତାଣୁ ଅନୁପ୍ରବେଶ ଘଟୁଛି। କୁହାଯାଇଥାଏ, ମନୁଷ୍ୟ ନିଜର ବନ୍ଧୁ ସୃଷ୍ଟି କରେ କିନ୍ତୁ ଈଶ୍ବର ସୃଷ୍ଟି କରନ୍ତି ତାର ପଡ଼ୋଶୀ। ପଡ଼ୋଶୀର ରାଜନୀତି କିଭଳି ବିପଦ ସୃଷ୍ଟି କରିପାରେ, ତାହାର ଏକ ଅଭାବିତ ଦିଗ ଉନ୍ମୋଚିତ କରିଛି ଏବେ ଚୀନା କରୋନା। ସୌଭାଗ୍ୟ ମିଶ୍ରଙ୍କର ପ୍ରସିଦ୍ଧ କବିତାର ଶୀର୍ଷକ ଭଳି ମମତା ବାନାର୍ଜୀଙ୍କ ଏହି ‘ଅନ୍ଧ ମହୁମାଛି’ସୁଲଭ ଆଚରଣ କେବଳ ପଡ଼ୋଶୀ ଓଡ଼ିଶା ନୁହେଁ, ସାରା ଦେଶ ପାଇଁ ଯେ ଘୋର ବିପଦ ସୃଷ୍ଟି କରୁଛି, ତାହା ପଶ୍ଚିମବଂଗର ସୁସଂସ୍କୃତ ଜନସାଧାରଣ ହୃଦୟଙ୍ଗମ କରିବା ଜରୁରୀ ହୋଇ ପଡ଼ିଲାଣି।

ସମ୍ବନ୍ଧିତ ଖବର