ତରଳ ସୁବର୍ଣ୍ଣ

କଥିତ ଅଛି ବିଜୟନଗରମର କି˚ବଦନ୍ତୀୟ ରାଜା କୃଷ୍ଣଦେବ ରାୟ ତାଙ୍କର ଜଣେ ପ୍ରିୟ ବିଦୂଷକ ତେନାଲିରାମଙ୍କୁ ପ୍ରଶ୍ନ କରିଥିଲେ- ‘ସୁନା କ’ଣ କେବେ ମାଟି ହୋଇଯାଏ?’ ତେନାଲିରାମ ଏହାର ଉତ୍ତରରେ କହିଥିଲେ- ‘ଯଦି କୌଣସି ବ୍ୟକ୍ତି ତାକୁ ନ ଲୋଡ଼ନ୍ତି, ତେବେ ତାହା ଅଚିରେ ମାଟି ହିଁ ହୋଇଯିବ।’ ତେନାଲିରାମଙ୍କ ଏହି ସରଳ ଉକ୍ତିରେ ନିହିତ ଥିବା ଅର୍ଥଟି ସମସ୍ତଙ୍କ ବୋଧଗମ୍ୟ ନ ହେବାର କୌଣସି କାରଣ ନାହିଁ; ଯାହା କହିଥାଏ ଯେ ଚାହିଦା ଶୂନ୍ୟ ହୋଇଗଲେ ଏକ ଅତି ମୂଲ୍ୟବାନ ଧାତୁ ରୂପେ ପରିଚିତ ସୁବର୍ଣ୍ଣ ମଧୢ ତାର ସମସ୍ତ ଚମକ ହରାଇ ପାରେ। ଦକ୍ଷିଣ ଭାରତୀୟ ଲୋକ କଥାର ଏହି ପ୍ରସିଦ୍ଧ ଚତୁର ଚରିତ୍ରଙ୍କ ଉକ୍ତିକୁ ଏଠାରେ ଉପସ୍ଥାପନ କରାଯିବାର ତାତ୍ପର୍ଯ୍ୟ ହେଲା ‘ତରଳ ସୁନା’ ଭାବେ ଖ୍ୟାତ ଖଣିଜ ତୈଳ ସ˚ପ୍ରତି ତା’ର ମୂଲ୍ୟ ହରାଇ ପାଣିତୁଲ୍ୟ ମୂଲ୍ୟ ବା ତା’ ଠାରୁ ଅଧିକ ଶସ୍ତାରେ ଉପଲବ୍‌ଧ ହେବା ଏବ˚ ‘କୋଭିଡ୍‌-୧୯’ ନାମକ ଭୂତାଣୁର ଆକ୍ରମଣ ଦ୍ବାରା ସୃଷ୍ଟ ଏକ ନାହିଁ ନ ଥିବା ପରିସ୍ଥିତି ଉଭୟ ବାସ୍ତବିକ ଓ କାଳ୍ପନିକ କ୍ଷତିର କାରଣ ହେବା।

ତେବେ, ପ୍ରଥମେ ଏଭଳି ଏକ ସ୍ଥିତି ସୃଷ୍ଟି ହେବାର ପୃଷ୍ଠଭୂମି ସ˚ପର୍କରେ କିଞ୍ଚିତ ଆଲୋକପାତ କରାଯାଉ। ଜାନୁଆରି-ଫେବ୍ରୁଆରି ମାସରେ ଯେତେବେଳେ କରୋନା ମହାସ˚କ୍ରମଣର ଲକ୍ଷଣ ଚୀନ ବାହାରେ କିଛି ଦେଶରେ କାଁ ଭାଁ ଦୃଶ୍ୟମାନ ହେବାକୁ ଲାଗିଥିଲା, ସେତିକି ବେଳୁ ସତର୍କତାମୂଳକ ବ୍ୟବସ୍ଥା ସ୍ବରୂପ କେତେକ ଦେଶରେ କଟକଣାର ପ୍ରବର୍ତ୍ତନ ହେତୁ ବିମାନ ତଥା ଯାନବାହନ ଚଳାଚଳ ହ୍ରାସ ପାଇବା ଆରମ୍ଭ ହୋଇଥିଲା, ଯାହାର ପରିଣତି ସ୍ବରୂପ ଆନ୍ତର୍ଜାତିକ ତୈଳ ବଜାରରେ ଚାହିଦା ହ୍ରାସ ପାଉଥିବା ପରିଲକ୍ଷିତ ହେବାକୁ ଲାଗିିଲା। ସେହି ସମୟରେ ଚାହିଦା ଅନୁସାରେ ତୈଳ ଉତ୍ପାଦନକୁ ନୀଚା ରଖିବା ଲାଗି ଦୁଇ ପ୍ରମୁଖ ଅଥଚ ଅତ୍ୟନ୍ତ ତିକ୍ତ ପ୍ରତିଦ୍ବନ୍ଦ୍ବୀ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସାଉଦି ଆରବ ଏବ˚ ରୁଷିଆ ମଧୢରେ ଏକ ଚୁକ୍ତିରେ ଉପନୀତ ହେବାର ପ୍ରୟାସ ଆରମ୍ଭ ହେଲା, ଯାହାର ସମାପ୍ତି ବିଫଳତାରେ ହିଁ ଘଟିଲା। ଏକ ଅତ୍ୟନ୍ତ ବିଶ୍ବସନୀୟ ସୂତ୍ର ଆଧାରରେ ‘ମିଡଲ୍‌ ଇଷ୍ଟ୍‌ ଆଇ’ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରୁ ଜଣାଯାଏ ଯେ ମାର୍ଚ୍ଚ ୬ ତାରିଖରେ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଏବ˚ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟ୍ଟିନଙ୍କ ମଧୢରେ ମଧୁର ସମ୍ଭାଷଣ ସହ ପ୍ରାରମ୍ଭ ହୋଇଥିବା ଏକ ଦୀର୍ଘ ଟେଲିଫୋନୀୟ ଆଳାପ କୁଆଡ଼େ ପରିଶେଷରେ ପରସ୍ପର ପ୍ରତି ଧମକ ଏବ˚ ଗାଳିଗୁଲଜରେ ସମାପ୍ତ ହୋଇଥିଲା। ସୁତରା˚, ତୈଳ ଉତ୍ପାଦନର ପରିମାଣକୁ ନୀଚା ରଖିବା ଲାଗି କୌଣସି ରାଜିନାମା ହୋଇପାରିଲା ନାହିଁ। ଉଲ୍ଲେଖନୀୟ ଯେ ଚୁକ୍ତିଟି ସଫଳ ହୋଇଥିଲେ ଦୈନିକ ଖଣିଜ ତୈଳ ଉତ୍ପାଦନକୁ ୩ ନିୟୁତ ବ୍ୟାରେଲରେ ସୀମିତ ରଖାଯାଇଥାଆନ୍ତା, ଯାହା ସେ ସମୟର ଚାହିଦା ସହିତ ସନ୍ତୁଳନ ରକ୍ଷା କରି ତୈଳ ଦରକୁ ଅତ୍ୟଧିକ ନିମ୍ନଗାମୀ ହେବାକୁ ଦିଅନ୍ତା ନାହିଁ। କିନ୍ତୁ ଏଭଳି ଏକ ଚୁକ୍ତିର ଅନୁପସ୍ଥିତିରେ ଉଭୟ ରୁଷିଆ ଓ ସାଉଦି ଆରବ ସେମାନଙ୍କ ତୈଳ ଉତ୍ପାଦନ ଜାରି ରଖିଲେ ଏବ˚ ଏହି ଅହ˚କାରର ଯୁଦ୍ଧ ଅତ୍ୟନ୍ତ ଆତ୍ମଘାତୀ ସାବ୍ୟସ୍ତ ହେଲା, ଯେତେବେଳେ ମାର୍ଚ୍ଚ-ଏପ୍ରିଲ ମାସରେ ହଠାତ୍‌ ସମଗ୍ର ବିଶ୍ବ ‘ଲକ୍‌ଡାଉନ୍‌’ ଅଧୀନକୁ ଚାଲିଗଲା ତଥା କଳକାରଖାନା, ଯାନବାହନ ଏବ˚ ବ୍ୟୋମଯାନ ଆଦିର ଚଳାଚଳ ପ୍ରାୟ ସ˚ପୂର୍ଣ୍ଣ ବନ୍ଦ ହୋଇଗଲା। ଏହା ଫଳରେ ସର୍ବତ୍ର ତୈଳ ଚାହିଦାରେ ପ୍ରାୟ ୭୦-୮୦% ପର୍ଯ୍ୟନ୍ତ ହ୍ରାସ ଘଟିଛି; ସ୍ବାଭାବିକ ଭାବେ ତୈଳ ରପ୍ତାନି-ଆମଦାନି ବନ୍ଦ ହୋଇଯାଇଛି ଏବ˚ ଫଳ ସ୍ବରୂପ ଯାହା ଦେଖିବାକୁ ମିଳିଛି ତାହା ହେଲା ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ବର୍ତ୍ତମାନ ଉଛୁଳି ପଡୁଥିବା ତୈଳ ଭଣ୍ତାରକୁ ଧରି କି˚କର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଛନ୍ତି। ଏ ପରିପ୍ରେକ୍ଷୀରେ କଦାପି ପୂର୍ବାନୁମାନ କରାଯାଇ ପାରି ନ ଥିବା ଭଳି ଯେଉଁ କୌତୂହଳପ୍ରଦ ଘଟଣାଟି ଦେଖିବାକୁ ମିଳିଛି, ତାହା ହେଲା ଗତ ସପ୍ତାହରେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ପକ୍ଷରୁ ବ୍ୟାରେଲ (୧୫୯ ଲିଟର) ପିଛା ବିଯୁକ୍ତ (-) ୩୭ ଡଲାରରେ ତୈଳ ବିକ୍ରି କରିବାର ଉଦ୍ୟମ। ଏହାର ସରଳ ଅର୍ଥ ହେଲା ଗୋଟିଏ ବ୍ୟାରେଲ ତୈଳ କ୍ରୟ କଲେ ବିକ୍ରେତା ସେଥି ଲାଗି କୌଣସି ମୂଲ୍ୟ ନେବା ପରିବର୍ତ୍ତେ ଓଲଟି ବ୍ୟାରେଲ ପିଛା ୩୭ ଡଲାର ପ୍ରଦାନ କରିବେ। କିନ୍ତୁ ଏଭଳି ସୁଯୋଗର ସଦ୍‌ବ୍ୟବହାର କରିବା ସକାଶେ ସବୁଠି ସ˚ପ୍ରତି ସାମର୍ଥ୍ୟର ଅଭାବ ରହିଛି। କାରଣ, ବ୍ୟବହାର ଅଭାବରୁ ପୃଥିବୀର ସବୁ ରାଷ୍ଟ୍ରରେ ଗଚ୍ଛିତ ତୈଳ ଭଣ୍ତାର ଭରପୂର ହୋଇ ରହିଛି। ଉଦାହରଣ ସ୍ବରୂପ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୩୫ ନିୟୁତ ବ୍ୟାରେଲ ତୈଳ ମହଜୁଦ ଅଛି, ଯାହା ସେହି ଦେଶରେ ଆପାତ୍‌କାଳୀନ ସ୍ଥିତିର ମୁକାବିଲା କରିବା ସକାଶେ ଯଥେଷ୍ଟ। ଏହା ସତ୍ତ୍ବେ ଯଦିଓ ସାଉଦି ଆରବର ଅନୁରୋଧକୁ ଏଡ଼ାଇ ନ ପାରି ଆମେରିକା ବନ୍ଧୁତା ଖାତିରରେ ତା‘ ଠାରୁ ୭୫ ନିୟୁତ ବ୍ୟାରେଲ ତୈଳ କ୍ରୟ କରିବାକୁ ସମ୍ମତ ହୋଇଛି, ତାହା ସାଉଦି ଆରବର ଉଛୁଳା ତୈଳ ଭଣ୍ତାରର ବୋଝକୁ ବିଶେଷ ହାଲୁକା କରିପାରିବ ନାହିଁ।

ଏଭଳି ଏକ ବିଡ଼ମ୍ବିତ ସ˚ଦର୍ଭରେ ଭାରତ ପରିପ୍ରେକ୍ଷୀରେ ଏକ ଅତ୍ୟନ୍ତ ଆଶାବାଦୀ ପ୍ରଶ୍ନ ଉଠିଥାଏ ଯେ ଏହା ଦ୍ବାରା ଭାରତରେ ତୈଳ ଦର ପାଣି ତୁଲ୍ୟ ହୋଇଯିବାର ସମ୍ଭାବନା ଅଛି କି? ଏ ପରିପ୍ରେକ୍ଷୀରେ ସ୍ପଷ୍ଟ ହୋଇଯିବା ଦରକାର ଯେ ଭାରତର ତୈଳ କ୍ରୟ ‘ବ୍ରେଣ୍ଟ୍‌’ କାରବାର ବ୍ୟବସ୍ଥାରେ ହୋଇଥାଏ, ଯହିଁରେ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ଭଳି ତୈଳ ଦରରେ ହ୍ରାସ (ଆମେରିକାରେ ‘ଡବ୍ଲ୍ୟୁ.ଟି.ଆଇ.’ ବ୍ୟବସ୍ଥା ଆଧାରରେ ତୈଳ ଦର ସ୍ଥିରୀକୃତ ହୋଇଥାଏ) ପରିଲକ୍ଷିତ ହୋଇନାହିଁ। ତଥାପି ଯଦିବା ଧରି ନିଆଯାଏ ଯେ ଭାରତ ଲାଗି ମଧୢ ତୈଳ ଦରରେ ଅନୁରୂପ ହ୍ରାସ ଘଟେ, ତେବେ ଭାରତରେ କ’ଣ ଅତ୍ୟନ୍ତ ଶସ୍ତାରେ ତୈଳ ଉପଲବ୍‌ଧ ହେବ? ଏହାର ଉତ୍ତର ହେବ ‘ନା’। ଏହା ସତ ଯେ ପୃଥିବୀରେ ସର୍ବାଧିକ ତୈଳ ବ୍ୟବହାରକାରୀ ରାଷ୍ଟ୍ରଙ୍କ ତାଲିକାରେ ଭାରତର ସ୍ଥାନ ତୃତୀୟ, କିନ୍ତୁ ସା˚ପ୍ରତିକ ‘ଲକ୍‌ଡାଉନ୍‌’ କାରଣରୁ ଭାରତରେ ତୈଳ ବ୍ୟବହାରରେ ମାତ୍ରାଧିକ ଅବନତି ଘଟିଛି। ଗଲା ବର୍ଷ ଏପ୍ରିଲ ମାସରେ ଭାରତରେ ୪ ଲକ୍ଷ ୪୮ ହଜାର ନିୟୁତ ବ୍ୟାରେଲ ପେଟ୍ରୋଲ ବ୍ୟବହୃତ ହୋଇଥିବା ବେଳେ ଚଳିତ ଏପ୍ରିଲରେ ଏହା ମାତ୍ର ୧.୫ ନିୟୁତ ବ୍ୟାରେଲ ଛୁଇଁବା ସମ୍ଭବ। ସୁତରା˚, ବର୍ତ୍ତମାନ ଭାରତରେ ଗଚ୍ଛିତ ଥିବା ତୈଳର ପରିମାଣ ଯାହା, ତହିଁରେ ଆଉ ଅଧିକ ତୈଳ ମହଜୁଦ କରିବା ସକାଶେ ସ୍ଥାନ ନାହିଁ। ତେଣୁ, ଅତି ଶସ୍ତାରେ ତୈଳ ଆମଦାନିର ସୁଯୋଗ ମିଳିଲେ ମଧୢ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ର ତୁଲ୍ୟ ଭାରତ ମଧୢ ନାଚାର।

ଏହି ପରିସ୍ଥିତିରେ ନିହିତ ଥିବା ବିଡ଼ମ୍ବନାଟି ହେଲା ‘ଲକ୍‌ଡାଉନ୍‌’ ଉଠିଗଲା ପରେ ଯେତେବେଳେ ପରିସ୍ଥିତି ପୂର୍ବବତ୍‌ ହୋଇଯିବ, ସେତିକି ବେଳେ ଆଉ ଶସ୍ତା ଦରରେ ତୈଳ ଉପଲବ୍‌ଧ ହେବ ନାହିଁ; କାରଣ ସାରା ପୃଥିବୀରେ ତୈଳ ଚାହିଦାରେ ବୃଦ୍ଧି ଘଟିଥିବ ଏବ˚ ତରଳ ସୁବର୍ଣ୍ଣ ପୁନଶ୍ଚ ତାର ଅପହୃତ ଚମକ ଫେରି ପାଇଥିବ। ସୁତରା˚, ‘କୋଭିଡ୍‌-୧୯’ ସ˚କ୍ରମଣର ଘନଘଟା ଭିତରେ ଏବେ ତୈଳ ବଜାରରେ ଯାହା ଦୃଶ୍ୟମାନ ହେଉଛି, ତାହା ହେଲା ସାଉଦି ଆରବ ବା ରୁଷିଆ ଭଳି ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ବାସ୍ତବ କ୍ଷତି ସହୁଥିବା ବେଳେ ଭାରତ ଭଳି ସୁଯୋଗର ସଦ୍‌ବ୍ୟବହାରରୁ ବଞ୍ଚିତ ରାଷ୍ଟ୍ରର ନାଗରିକମାନେ ଏକ କାଳ୍ପନିକ କ୍ଷତି ସହିବାର ଭାବନା ଦ୍ବାରା କିଞ୍ଚିତ ମୁହ୍ୟମାନ ହୋଇ ପାରନ୍ତି।

ସମ୍ବନ୍ଧିତ ଖବର