ପ୍ରସିଦ୍ଧ କଲମ୍ବୀୟ ଲେଖକ ଗାବ୍ରିଏଲ ଗାର୍ସିଆ ମାରକ୍ବେଜଙ୍କ ଯୁଗାନ୍ତକାରୀ ଉପନ୍ୟାସ ‘ଵାନ୍ ହଣ୍ତ୍ରେଡ୍ ଇଅର୍ସ ଅଫ୍ ସଲିଚ୍ୟୁଡ୍’ (ଶହେ ବର୍ଷର ବିଜନତା)ରେ ଦେଖିବାକୁ ମିଳିଥାଏ କିଭଳି ଦକ୍ଷିଣ ଆମେରିକୀୟ ନିଘଞ୍ଚ ଜଙ୍ଗଲ ଭିତରେ ସଦ୍ୟ ଗଢ଼ି ଉଠିଥିବା ମକାଣ୍ତୋ ନାମକ ଏକ ଗ୍ରାମର ବାସିନ୍ଦାମାନେ ହଠାତ୍ ଗୋଟିଏ ରହସ୍ୟମୟ ରୋଗରେ ପୀଡ଼ିତ ହୋଇ କ୍ରମେ ସେମାନଙ୍କ ସ୍ମରଣ ଶକ୍ତି ହରାଇ ବସନ୍ତି। ସେମାନଙ୍କ ଚୈତନ୍ୟ ବିସ୍ମୃତିର ଅତଳ ଗର୍ଭକୁ ଚାଲିଯାଉଥିବା ସମୟରେ ନିଜର ଦୈନନ୍ଦିନ କାର୍ଯ୍ୟ ଚଳାଇ ରଖିବା ଲାଗି ସେମାନେ ଯେଉଁ ଉପାୟଟି ଅବଲମ୍ବନ କରନ୍ତି, ତାହା ହେଲା ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ଉପରେ ସେ ଗୁଡ଼ିକର ନାମ ଲେଖି ପକାଇବା। କ୍ରମ ବିସ୍ମରଣର ଏହି ଭଳି କିଛି ଦିନ ଅତିକ୍ରାନ୍ତ ହୁଅନ୍ତେ ଗ୍ରାମରେ ଜଣେ ‘ଜିପ୍ସି’(ବାରବୁଲା)ର ଆବିର୍ଭାବ ଘଟେ। ତା’ ପାଖରେ ଥିବା ଏକ ଯାଦୁକରୀ ଔଷଧର କେଇ ବୁନ୍ଦା ସମସ୍ତଙ୍କୁ ପୁଣି ବିସ୍ମୃତି ଗର୍ଭରୁ ବାହାରକୁ ଘେନି ଆସେ।। ଏବ˚ ଏହି ସମୟରେ ଯାହା ସେମାନଙ୍କୁ ଚକିତ କରି ପକାଏ, ତାହା ହେଲା ବିଭିନ୍ନ ଅତି ପରିଚିତ ଜିନିଷ ଉପରେ ଲିଖିତ ହୋଇ ରହିଥିବା ସେଗୁଡ଼ିକର ନାମ। ସ୍ବାଭାବିକ ଭାବେ ସହସା ଏହା ସେମାନଙ୍କୁ ଅବାନ୍ତର ପ୍ରତୀୟମାନ ହୋଇଥିବ। କିନ୍ତୁ ତାହା ହିଁ ସେମାନଙ୍କୁ ସଚେତନ କରାଇଥିବ ଯେ ଏକଦା ମକାଣ୍ତୋର ସେହି ବାସିନ୍ଦାମାନେ ଏକ ସାମୂହିକ ବିସ୍ମୃତି ଗର୍ଭକୁ ଚାଲିଯାଇଥିଲେ। ସେହି ଦୃଷ୍ଟିରୁ ସେ ‘ନାମ’ଗୁଡ଼ିକ ସା˚କେତିକ ଭାବେ ଥିଲା ବିସ୍ମୃତ ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ିବାର ଏକ ଯୋଗସୂତ୍ର। ତେବେ, ପ୍ରଶ୍ନ ଉଠିପାରେ, ଏଠାରେ ଏଭଳି ଏକ ଉପନ୍ୟାସ ବର୍ଣ୍ଣିତ ଘଟଣାର ଅବତାରଣା କରାଯିବା ପଛରେ ନିହିତ ତାତ୍ପର୍ଯ୍ୟଟି କ’ଣ? ତାହା ହେଲା ଏବେ ସମଗ୍ର ପୃଥିବୀ କରୋନା ‘ପାନ୍ଡେମିକ୍’ ଦ୍ବାରା କବଳିତ ହୋଇଥିବା ବେଳେ ବିସ୍ମୃତି ଗର୍ଭରୁ ଏମିତି ଦୁଇଟି ଘଟଣା ଉଜାଗର ହୋଇଛି, ଯହିଁରୁ ମନେ ହୋଇଥାଏ ଯେ ମକାଣ୍ତୋ ଗ୍ରାମବାସୀଙ୍କ ଭଳି ଯଦି ସେଗୁଡ଼ିକୁ ଚିହ୍ନିତ କରିବା ଲାଗି ଅତୀତରେ ପ୍ରୟାସ କରାଯାଇଥାଆନ୍ତା, ତେବେ ଆଜି ହୁଏ’ତ ଏ ଘଡ଼ିସନ୍ଧି କ୍ଷଣରେ ମାର୍ଗ ପାଉ ନ ଥିବା ମଣିଷ ଜାତି ଲାଗି କିଛି ନିର୍ଦ୍ଦିଷ୍ଟ ଦିଗ ଦିଶି ଯାଇଥାଆନ୍ତା।
ଏହି ମର୍ମରେ ଯଦି ଭାରତୀୟ ଛାତ୍ରଛାତ୍ରୀମାନେ ପାଠ କରିଥିବା ଭାରତ ଇତିହାସ ପୁସ୍ତକ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦିଶିବ ଯେ ୧୯୧୫ ମସିହାରେ ମହାତ୍ମା ଗାନ୍ଧୀ ଭାରତ ମାଟିରେ ପଦାର୍ପଣ କରିବା ପର ଠାରୁ ଭାରତର ସ୍ବାଧୀନତା ସ˚ଗ୍ରାମକୁ ନେଇ ମୁଖର ଭାରତର ଇତିହାସ ୧୯୧୮ର ‘ସ୍ପେନିସ୍ ଫ୍ଲୁ’ ଭଳି ଏକ ଅତ୍ୟନ୍ତ ଭୟାବହ ‘ପାନ୍ଡେମିକ୍’ ଓ ତଜ୍ଜନିତ ଧନ ଓ ଜୀବନ ହାନି ନେଇ ପ୍ରାୟତଃ ନିରବ। ଉଲ୍ଲେଖ ଥାଉ କି ‘ସ୍ପେନିସ୍ ଫ୍ଲୁ’ ଦ୍ବାରା ପ୍ରାୟ ଏକ କୋଟି ଭାରତୀୟ ପ୍ରାଣ ହରାଇଥିଲେ, ଯାହା ଥିଲା ସାରା ବିଶ୍ବର ମୃତକଙ୍କ ସ˚ଖ୍ୟାର ଏକ ପଞ୍ଚମା˚ଶ। ଏହି ‘ପାନ୍ଡେମିକ୍’ ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଭାରତର ଜି.ଡି.ପି. ଭାରତ ଇତିହାସରେ ସର୍ବନ୍ୟୂନ ବିଯୁକ୍ତ (-) ୧୦.୫%ରେ ପହଞ୍ଚିଥିଲା। ସେହିଭଳି ଭାରତ ଇତିହାସରେ ପ୍ରଥମ ଥର ଲାଗି ୧୯୧୧-୨୧ ମଧୢରେ ସ˚ପନ୍ନ ହୋଇଥିବା ଜନଗଣନାରେ ଜନସ˚ଖ୍ୟା ପୂର୍ବବର୍ତ୍ତୀ ଜନସ˚ଖ୍ୟା ଠାରୁ କମ୍ ବୋଲି ରେକର୍ଡ୍ ହୋଇଥିଲା। ସେହି ସମୟରେ ମଧୢ ଏକ ପ୍ରତିଷେଧକର ଅନୁପସ୍ଥିତିରେ ଏକାନ୍ତ ବାସ, ପୃଥକ୍ ବାସ ଓ ସାମାଜିକ ଦୂରତା ହିଁ ଥିଲା ଏହାକୁ ପ୍ରତିରୋଧ କରିବାର ପ୍ରମୁଖ ଆୟୁଧ। ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ଏବ˚ ପ୍ରେମଚାନ୍ଦ ଏହି ରୋଗରେ ପୀଡ଼ିତ ବୋଲି ସନ୍ଦେହ ମଧୢ ପ୍ରକାଶ ପାଇଥିଲା। ତତ୍କାଳୀନ ପ୍ରସିଦ୍ଧ କବି ନିରାଲାଙ୍କ ଏକ ପତ୍ରରେ ଏହି ହାହାକାରମୟ ସ୍ଥିତିର ଆଭାସ ମିଳିଥାଏ। ଏହାର ଗୋଟିଏ ବର୍ଷ ପରେ ପଞ୍ଜାବରେ ସ˚ଘଟିତ ହୋଇଥିବା ଜାଲିଆଁଵାଲାବାଗ ଗଣ ସ˚ହାର ହେଉ ବା ଏହାର ଦୁଇ ବର୍ଷ ପରେ ଅସହଯୋଗ ଆନ୍ଦୋଳନର ପ୍ରାରମ୍ଭ ହେଉ; ଏ ସବୁ ଇତିହାସରେ ଅଲିଭା କାଳିରେ ଲିପିବଦ୍ଧ ହୋଇଥିବା ବେଳେ ‘େସ୍ପନିସ୍ ଫ୍ଲୁ’ ମହାମାରୀର ଅକଳ୍ପନୀୟ ଭୟାବହତାକୁ ଅଭିଲେଖାଗାରରେ ପୋତି ହୋଇ ରହିଥିବା କିଛି ସମ୍ବାଦପତ୍ର ‘କ୍ଲିପି˚’ରୁ ଉତ୍ତୋଳନ କରିବାକୁ ପଡ଼ିଛି। ଏହା ଏକ ବିଡ଼ମ୍ବନା। ଆମ ଇତିହାସ ପୁସ୍ତକଗୁଡ଼ିକରେ ଅତୀତର ଏହି ମହାଦୁର୍ବିପାକ ବିଶଦ ଭାବେ ସ୍ଥାନ ପାଇଥିଲେ ଅଥବା ସେ ସ˚ପର୍କରେ ବିଶେଷ ଆଲୋଚନା କରାଯାଇଥିଲେ, ଉଭୟ ସରକାର ଓ ନାଗରିକମାନଙ୍କ ଲାଗି ‘କୋଭିଡ୍-୧୯’ର ମହା-ସ˚କ୍ରମଣକାଳୀନ ସ୍ଥିତିର ପରିଚାଳନା ତଥା ଏଭଳି ଏକ ସ୍ଥିତିକୁ ଗ୍ରହଣ କରିନେବା ଅଧିକ ସହଜସାଧୢ ହୋଇଥାଆନ୍ତା।
ସେହିଭଳି ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ନିବଦ୍ଧ କରାଯାଉ। ୨୦୦୨ରେ ‘ସାର୍ସ’ ଭୂତାଣୁର ସ˚କ୍ରମଣ ଏକ ‘ପାନ୍ଡେମିକ୍’ର ରୂପ ପରିଗ୍ରହଣ କରିବା ପୂର୍ବରୁ ତାର ବ୍ୟାପ୍ତିକୁ ରୋକାଯାଇପାରିଥିଲା। ଏଠାରେ ଉଲ୍ଲେଖ ଥାଉ କି କରୋନା ପରିବାରର ଏହି ‘ଜୁନୋଟିକ୍’ ଭୂତାଣୁ (ପଶୁ ଶରୀରରୁ ମଣିଷକୁ ସ˚କ୍ରମଣ କରୁଥିବା)ର ଦ୍ରୁତ ସ˚କ୍ରମଣ କ୍ଷମତା ‘କୋଭିଡ୍-୧୯’ ତୁଲ୍ୟ ହୋଇଥିବା ବେଳେ ଏହାର ମାରକ କ୍ଷମତା କିନ୍ତୁ ‘କୋଭିଡ୍-୧୯’ ତୁଳନାରେ ଅନେକ ଗୁଣ ଅଧିକ। କାରଣ ‘ସାର୍ସ୍’ ଦ୍ବାରା ମୃତ୍ୟୁବରଣ କରିଥିବା ସ˚କ୍ରମିତଙ୍କ ହାର ୧୦% ହୋଇଥିବା ବେଳେ ‘କୋଭିଡ୍-୧୯’ ସ˚କ୍ରମଣରେ ଏହି ହାର ମାତ୍ର ୨ ପ୍ରତିଶତ। ତେବେ ସୌଭାଗ୍ୟର ବିଷୟ ଥିଲା ଯେ ‘ସାର୍ସ’ର ସ˚କ୍ରମଣକୁ ପ୍ରାୟତଃ ଚୀନ ମଧୢରେ ସୀମିତ କରି ରଖାଯାଇପାରିଥିଲା। ଅବଶ୍ୟ, ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ଏହାର କିଛି କାରଣ ମଧୢରୁ ଗୋଟିଏ ଥିଲା ଏ ବ୍ୟାପାରରେ ତତ୍କାଳୀନ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର କଡ଼ା ଆଭିମୁଖ୍ୟ। ତେବେ, ସେ ଯାହା ହେଉ, ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଅତ୍ୟନ୍ତ ଘାତକ ‘ସାର୍ସ’ ଭୂତାଣୁ ଚୀନ ବାହାରେ ପାଶ୍ଚାତ୍ୟ ବିଶ୍ବର ଯେଉଁ ଦୁଇ ସହରକୁ ସ˚କ୍ରମିତ କରିଥିଲା, ସେ ଦ୍ବୟ ଥିଲେ କାନାଡାର ଟରୋଣ୍ଟୋ ଏବ˚ ଇ˚ଲାଣ୍ତର ଲଣ୍ତନ। ସେତିକି ବେଳେ ‘ସାର୍ସ’ର ପ୍ରତିଷେଧକ ଲାଗି ଉଭୟ ଦେଶରେ ପଥିକୃତ ଉଦ୍ୟମ ମଧୢ ଆରମ୍ଭ ହୋଇଥିଲା। କିନ୍ତୁ ଅବସୋସର ବିଷୟ ‘ସାର୍ସ’ ସ˚କ୍ରମଣ ଅନ୍ତ ହେବା ସହିତ ଗବେଷଣାର ଅନ୍ତ ଘଟି ତାହା ବିସ୍ମୃତିର ଗର୍ଭରେ ଲୀନ ହୋଇଗଲା। ସ˚ପ୍ରତି ଗବେଷକମାନେ ମତ ପ୍ରକାଶ କରନ୍ତି ଯେ ଯଦି ସେହି ଉଦ୍ୟମ ଜାରି ରହି ଫଳପ୍ରସୂ ହୋଇଥାଆନ୍ତା ତଥା ‘ସାର୍ସ’ର ପ୍ରତିଷେଧକ ଉଦ୍ଭାବିତ ହୋଇ ପାରିଥାଆନ୍ତା, ତେବେ ଆଜି ପୃଥିବୀର ସ୍ଥିତି ସ˚ପୂର୍ଣ୍ଣ ଭିନ୍ନ ହୋଇଥାଆନ୍ତା।
ସ˚ପ୍ରତି କରୋନା ମହାମାରୀ ଯେଉଁଭଳି ରୂପ ଧାରଣ କରିଛି, ହୁୁଏ’ତ ୧୯୧୮ର ‘ସ୍ପେନିସ୍ ଫ୍ଲୁ’ ଅନେକ ପରିମାଣରେ ସେହି ଭଳି ହିଁ ହୋଇଥିବ। କିନ୍ତୁ ‘କୋଭିଡ୍-୧୯’ର ଭାଗ୍ୟ ଯେ ଆଗାମୀ ଶହେ ବର୍ଷ ପରେ ମଧୢ ତାହା ଜନସ୍ମୃତିରେ ଉଜ୍ଜ୍ବଳ ହୋଇ ରହିଥିବ, କାରଣ ଏହା ସ˚ପର୍କରେ ବିଭିନ୍ନ ମାଧୢମରେ ଓ ମଞ୍ଚରେ ଲେଖା, ବିଚାରବିମର୍ଶ, ଗବେଷଣା ସମ୍ଭୁତ ତଥ୍ୟର କୋଳାହଳ, ଏହାକୁ ‘ସ୍ପେନିସ୍ ଫ୍ଲୁ’ ଭଳି ଅତୀତ ଗର୍ଭରେ ନିରୁଦ୍ଦିଷ୍ଟ ହେବାକୁ ଦେବ ନାହିଁ। ମକାଣ୍ତୋ ଗ୍ରାମରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଲେଖା ହୋଇଥିବା ନାମ ଯେମିତି ଏହାର ବାସିନ୍ଦାମାନଙ୍କୁ ସେମାନଙ୍କ ‘ବିସ୍ମୃତି’ଜନିତ ରୋଗକୁ ଭୁଲି ଯିବାକୁ ଦେଇ ନ ଥିଲା, ସେହିଭଳି ‘କୋଭିଡ୍-୧୯’ ମଧୢ ମାନବ ଜାତିକୁ କଦାପି ବିସ୍ମରି ଯିବାର ଅବକାଶ ଦେବନାହିଁ ଯେ ଏଭଳି ଏକ ଭୂୂତାଣୁ ଏକଦା ସମଗ୍ର ବିଶ୍ବକୁ ଶ୍ବାସରୁଦ୍ଧ କରିପକାଇଥିଲା। କହିବା ନିଷ୍ପ୍ରୟୋଜନ ଯେ ଏକ ଅଭୁଲା ଅତୀତ ଭବିଷ୍ୟତ୍କୁ ସମ୍ମୁଖୀନ ହେବା ଲାଗି ଭଲ ଭାବେ ପ୍ରସ୍ତୁତ କରି ରଖେ।