ଅବରୋହଣର ବେଳ

ଏକ ସର୍ବକାଳୀନ କ୍ଲାସିକ୍‌ ଭାବେ ବିବେଚିତ ୧୯୫୩ ମସିହାର ଚଳଚ୍ଚିତ୍ର ‘ୱେଜେସ ଅଫ ଫିଅର’ (ଭୟର ପାଉଣା)ର କଥାବସ୍ତୁ ସ˚କ୍ଷେପରେ ଏହିପରି: ଦକ୍ଷିଣ ଆମେରିକୀୟ ନିବିଡ଼ ଜଙ୍ଗଲ ମଧୢରେ ଏକ ନିକାଞ୍ଚନ ସ୍ଥାନରେ ଅବସ୍ଥିତ ଏକ ତୈଳ ଖନନ କେନ୍ଦ୍ରକୁ ଅତ୍ୟନ୍ତ ଦହନଶୀଳ ତଥା ବିସ୍ଫୋରଣକ୍ଷମ ‘ନାଇଟ୍ରୋଗ୍ଲିସେରିନ୍‌’ ଭରା ଦୁଇଟି ବିଶାଳ ଲରି ପହଞ୍ଚାଇବା ସକାଶେ ଚାରି ଜଣ ଚାଳକ ଏକ ଦୀର୍ଘ ତଥା ଅତ୍ୟନ୍ତ ବିପଜ୍ଜନକ ଯାତ୍ରା ଆରମ୍ଭ କରନ୍ତି। ତାହା ବିପଜ୍ଜନକ ଏଥି ଲାଗି ଯେ ଯଦି ଲରି ଚାଳନା ବେଳେ କିଞ୍ଚିତ ଝଟକା ବା ଅଧିକ ଦୋଳନ ହୁଏ, ତେବେ ତା’ ଭିତରେ ଥିବା ତରଳରେ ଭୟାବହ ବିସ୍ଫୋରଣ ହେବା ନିଶ୍ଚତ; ଏଣେ ଯେଉଁ ଅତ୍ୟନ୍ତ ସ˚କୀର୍ଣ୍ଣ ତଥା ବନ୍ଧୁର ପାର୍ବତ୍ୟ ପଥରେ ଲରି ଦୁଇଟି ଯାତ୍ରା କରିବ, ତାହା ଯେ କୌଣସି ପାରଦର୍ଶୀ ଚାଳକର ବୁଦ୍ଧିହତ କରିବାକୁ ସମର୍ଥ। ସୁତରା˚, ଅନେକ ଘଟଣା ଓ ଦୁର୍ଘଟଣା ଭିତର ଦେଇ ଗତି କରି ପରିଶେଷରେ ଗୋଟିଏ ଲରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ ଏବ˚ ଶେଷକୁ ବଞ୍ଚି ରହିଥାଆନ୍ତି ମାରିଓ ନାମକ ଚାଳକ। ନିଜର ଦାୟିତ୍ବକୁ ସଫଳତାର ସହିତ ସ˚ପନ୍ନ କରିଥିବା ମାରିଓ ଦୁଇ ଗୁଣ ମଜୁରି (ଯାହା ତାଙ୍କ ଲାଗି ସେ ସମୟରେ ଏକ ସ˚ପଦତୁଲ୍ୟ) ଧରି ସେହି ଲରିରେ ପ୍ରତ୍ୟାବର୍ତ୍ତନ କଲା ବେଳେ ସଫଳତାର ଆନନ୍ଦଜନିତ ଅନ୍ୟମନସ୍କତା ଓ ଅସତର୍କତା ତାଙ୍କୁ ଦୁର୍ଘଟଣାଗ୍ରସ୍ତ କରାଏ, ଯହିଁରେ ତାଙ୍କର ମୃତ୍ୟୁ ମଧ୍ୟ ଘଟେ।

ଏଭଳି ଏକ କାହାଣୀରୁ ଏହି ସ୍ତମ୍ଭକୁ ପ୍ରାରମ୍ଭ କରାଯିବା ପଛରେ ରହିଥିବା ଉଦ୍ଦେଶ୍ୟଟି ଇଙ୍ଗିତ ଧର୍ମୀ, ଯାହା ଏକ ପ୍ରଶ୍ନ ଉଠାଇଥାଏ ଯେ ଆଉ ମାତ୍ର ସପ୍ତାହକ ପରେ ଅର୍ଥାତ୍‌ ମେ’ ୩ ତାରିଖରେ ଯଦି ‘ଲକ୍‌ଡାଉନ୍‌’ ଅବଧିର ପରିସମାପ୍ତି ଘଟି ତହିଁରୁ ମୁକୁଳିବା ଲାଗି ବାହୁଡ଼ା ଯାତ୍ରା ଆରମ୍ଭ ହୁଏ, ତେବେ ‘କୋଭିଡ୍‌-୧୯’ର ସ˚କ୍ରମଣକୁ ନିୟନ୍ତ୍ରଣରେ ରଖି ପାରିଥିବା ଜନିତ ସଫଳତା କାରଣରୁ ଏଭଳି କୌଣସି ଅସତର୍କତା ପ୍ରକାଶ ପାଇବ ନାହିଁ ତ, ଯାହା ଉପର ବର୍ଣ୍ଣିତ କାହାଣୀରେ ପ୍ରଦର୍ଶିତ ହୋଇଥିଲା ଭଳି ଏକ ବିଫଳ ଫେରନ୍ତା ଯାତ୍ରାରେ ପରିଣତ ହେବ? ଉଲ୍ଲେଖନୀୟ ଯେ କରୋନା ମହାସ˚କ୍ରମଣ କାଳୀନ ଭାରତର ‘ଲକ୍‌ଡାଉନ୍‌’ଟି କେବଳ ପୃଥିବୀର ବୃହତ୍ତମ ନୁହେଁ, ଏହା ମଧୢ ହେଉଛି ପୃଥିବୀର ସର୍ବାଧିକ କଠୋର ‘ତାଲାବନ୍ଦ’। ‘ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ’ ଦ୍ବାରା ପ୍ରସ୍ତୁତ ଏକ ଅନୁଶୀଳନ ଯାହା ପ୍ରଖ୍ୟାତ ପତ୍ରିକା ‘ଇକୋନମିଷ୍ଟ’ରେ ପ୍ରକାଶିତ ହୋଇ ଦର୍ଶାଇଥିଲା ଯେ ‘କଠୋରତା’ ସୂଚକାଙ୍କ ଆଧାରରେ ପ୍ରସ୍ତୁତ ତାଲିକାରେ ଭାରତର ସ୍ଥାନ ରହିଛି ସର୍ବାଗ୍ରେ। କେବଳ କଠୋରତା ଦୃଷ୍ଟିରୁ ନୁହେଁ, ଠିକ ସମୟରେ ‘ଲକ୍‌ଡାଉନ୍‌’ର ଘୋଷଣା କରାଯିବା ମଧୢ ଥିଲା ଭାରତ ସରକାରଙ୍କ ଏକ ଦୂରଦୃଷ୍ଟିସ˚ପନ୍ନ ପଦକ୍ଷେପ। ପ୍ରକାଶ ଥାଉ କି ଫେବ୍ରୁଆରି ଶେଷ, ମାର୍ଚ୍ଚର ପ୍ରାରମ୍ଭ ଭାଗରେ ‘ଇଣ୍ତିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ’ ବା ‘ଆଇସିଏମଆର’ ପକ୍ଷରୁ କରାଯାଇଥିବା ‘ରାନ୍‌ଡମ୍‌’ ନମୁନା ପରୀକ୍ଷଣ କାର୍ଯ୍ୟକ୍ରମରେ ଭାରତର ୧୫୦ଟି ହାସପାତାଳରୁ ସ˚ଗୃୃହୀତ ୮୨୬ଟି ‘ସିଭିଅର‌୍‌ ଆକ୍ୟୁଟ୍‌ ରେସପିରେଟୋରି ଇନ୍‌ଫେକ୍‌ସନ୍‌’ (‘ସାରି’) ବା ସରଳ ଭାଷାରେ ନିମୋନିଆ ଆକ୍ରାନ୍ତଙ୍କ ସ୍ବାବ୍‌ ନମୁନା ପରୀକ୍ଷଣରୁ କୌଣସି ଗୋଟିଏ ହେଲେ କରୋନା ‘ପଜିଟିଭ’ ମିଳି ନ ଥିଲା। କିନ୍ତୁ ମାର୍ଚ୍ଚ ୧୯ ବେଳକୁ ସ˚ଗୃହୀତ ୯୬୫ ‘ସାରି’ ଆକ୍ରାନ୍ତଙ୍କ ସ୍ବାବ୍‌ ନମୁନାରୁ ୨ଟି ନମୁନା ପଜିଟିଭ ଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଉଦ୍‌ବିଗ୍ନ ହୋଇପଡ଼ି ସାରା ଦେଶର ସମସ୍ତ ହସ୍‌ପିଟାଲରେ ନିମୋନିଆ ବା ‘ସାରି’ ପୀଡ଼ିତ ପ୍ରତ୍ୟେକ ରୋଗୀଙ୍କ ସ୍ବାବ୍‌ ପରୀକ୍ଷଣ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକରଣରେ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ମଧୢରେ ପ୍ରାୟ ୫୦୦୦ଟି ସ୍ବାବ୍‌ ନମୁନାର ପରୀକ୍ଷଣ ପରେ ୧୦୪ଟି ପଜିଟିଭ୍‌ ବାହାରିଥିଲା। କିନ୍ତୁ ମାର୍ଚ୍ଚ ୧୯ରେ ବାହାରିଥିବା ମାତ୍ର ଦୁଇଟି ‘ପଜିଟିଭ୍‌’ରୁ ସରକାର ସମ୍ଭବତଃ ଧାରଣା କରି ନେଇଥିଲେ ଯେ ଏହି ସ˚କ୍ରମଣ ଗଭୀରତା ସ୍ପର୍ଶ କରିବାକୁ ଯାଉଛି। ସୁତରା˚, ଆଉ ଅଧିକ କାଳ ଅପେକ୍ଷା ନ କରି ମାର୍ଚ୍ଚ ୨୩ ତାରିଖରେ ସାରା ଦେଶରେ ‘ଲକ୍‌ଡାଉନ୍‌’ର ଘୋଷଣା କରାଗଲା।

କହିବା ବାହୁଲ୍ୟ ଯେ ଏହା ହିଁ ଥିଲା ସର୍ବୋତ୍କୃଷ୍ଟ ସମୟ, କାରଣ ପରବର୍ତ୍ତୀ କାଳରେ କିଛି ଅତ୍ୟନ୍ତ ସମ୍ବେଦନଶୀଳ ‘ସୁପର ସ୍ପ୍ରେଡ୍‌’ ଜନିତ ପରିସ୍ଥିତି ସୃଷ୍ଟି ହୋଇଥିବା ସତ୍ତ୍ବେ ‘ଲକ୍‌ଡାଉନ୍‌’ କାରଣରୁ ସ˚କ୍ରମଣର ବେଗ ଓ ବ୍ୟାପ୍ତିକୁ ନିୟନ୍ତ୍ରଣ କରାଯିବା ସମ୍ଭବ ହୋଇପାରିଥିଲା। ଅବଶ୍ୟ ବର୍ତ୍ତମାନ ଏହା ଭାରତ ତଥା ଭାରତ ବାହାରେ ଥିବା ଅନେକ ଅତ୍ୟନ୍ତ ସମ୍ମାନାସ୍ପଦ ଗବେଷଣା ସ˚ସ୍ଥା ଦ୍ବାରା ପ୍ରକାଶିତ ପରିସ˚ଖ୍ୟାନ ଦ୍ବାରା ସାବ୍ୟସ୍ତ ହୋଇ ସାରିଛି। ନିକଟରେ ‘ଆଇସିଏମ୍‌ଆର’ ପକ୍ଷରୁ ପ୍ରକାଶିତ ଏକ ଅନୁଶୀଳନରୁ ଜଣାପଡ଼ିଥାଏ ଯେ ‘ଲକ୍‌ଡାଉନ୍‌’ର ଅନୁପସ୍ଥିତିରେ ଜଣେ ‘କୋଭିଡ୍‌-୧୯’ ଆକ୍ରାନ୍ତ ବ୍ୟକ୍ତି ଗୋଟିଏ ମାସରେ ୪୦୬ ଜଣଙ୍କୁ ସ˚କ୍ରମିତ କରିବାର ବିପଦ ବହନ କରୁଥିବା ବେଳେ ‘ଲକ୍‌ଡାଉନ୍‌’ କାରଣରୁ ତାହା କମି ଜଣକ ଦ୍ବାରା ମାସକ ମଧୢରେ ମାତ୍ର ୨.୫ ଜଣ ସ˚କ୍ରମିତ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଏବ˚ ‘ଜନ୍‌ ହପକିନ୍‌ସ ୟୁନିଭର୍ସିଟି’ ଭଳି ବିଶ୍ବ ସ୍ତରୀୟ ଅନୁଷ୍ଠାନ ପକ୍ଷରୁ ଉପଲବ୍‌ଧ ତଥ୍ୟ ଅନୁସାରେ ‘ଲକ୍‌ଡାଉନ୍‌’ ପୂର୍ବରୁ ଭାରତରେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ତିନି ଦିନରେ ଦ୍ବିଗୁଣିତ ହେଉଥିଲା ବେଳେ ‘ଲକ୍‌ଡାଉନ୍‌’ର ମାସକ ପରେ ତାହା ନଅ ଦିନରେ ପହଞ୍ଚିଛି। ବିଭିନ୍ନ ସର୍ବେକ୍ଷଣ ତଥା ଅନୁଶୀଳନଭିତ୍ତିକ ରିପୋର୍ଟ ବାରମ୍ବାର କହୁଥିବା ଦେଖିବାକୁ ମିଳିଛି ଯେ ଯଦି ‘ଲକ୍‌ଡାଉନ୍‌’ ଘୋଷଣାରେ ଭାରତ ବିଳମ୍ବ କରିଥାଆନ୍ତା, ତେବେ ପରିସ୍ଥିତି ହୁଏ’ତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭଳି ହୁଅନ୍ତା। କାରଣ ଏକ ଗବେଷଣା ଅନୁସାରେ ମାର୍ଚ୍ଚ ୨୪ (‘ଲକ୍‌ଡାଉନ୍‌’ର ପର ଦିନ) ବେଳକୁ ଭାରତରେ ସ˚କ୍ରମଣର ହାର ଥିଲା ୨୧.୬%, ଯାହା ‘ଲକ୍‌ଡାଉନ୍‌’ ପରବର୍ତ୍ତୀ ମାସକ ଭିତରେ ହ୍ରାସ ପାଇ ୮.୧%ରେ ପହଞ୍ଚିଛି। ସେହି ଗବେଷଣାର ଆକଳନ କହିଥାଏ ଯେ ଯଦି ସ˚କ୍ରମଣ ପୂର୍ବବତ୍‌ ୨୧.୬% ହାରରେ ବୃଦ୍ଧି ପାଇ ଚାଲିଥାଆନ୍ତା, ତେବେ ବର୍ତ୍ତମାନ ସ˚କ୍ରମିତଙ୍କ ସ˚ଖ୍ୟା ୨ ଲକ୍ଷରୁ ଅଧିକ ହୁଅନ୍ତାଣି।

କିନ୍ତୁ ଏହା ମଧୢ ଆଉ ଏକ କଠୋର ସତ୍ୟ ଯେ ‘ଲକ୍‌ଡାଉନ୍‌’କୁ ମାତ୍ରାଧିକ ଦୀର୍ଘକାଳୀନ କରାଯିବା ଅସମ୍ଭବ। ଏହା ଦ୍ବାରା ଯେଉଁଭଳି ଅକଳ୍ପନୀୟ ଆର୍ଥିକ ଦୁରବସ୍ଥା ସୃଷ୍ଟି ହେବାକୁ ଯାଉଛି, ତାହା ଯେ କୌଣସି ରାଷ୍ଟ୍ରର ମେରୁଦଣ୍ତକୁ ଭାଙ୍ଗି ଦେଇପାରେ। ସୁତରା˚, ‘ଲକ୍‌ଡାଉନ୍‌’ରୁ ମୁକୁଳିବାର ବାଟ ଅନ୍ବେଷଣ ଏବେ ଏକ ପ୍ରଧାନ ଚିନ୍ତାର କାରଣ ହୋଇଛି। ସେହି ସ˚ଦର୍ଭରେ ଭାରତ ମଧୢ ‘ଲକ୍‌ଡାଉନ୍‌’ ଶୃଙ୍ଗାରୋହଣର ଶେଷ ପାଦରେ ଉପନୀତ। ହୁଏ’ତ ମେ’ ୩ ତାରିଖ ପରେ ଅବରୋହଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯିବ। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଏହି ବାହୁଡ଼ା ଯାତ୍ରା କାଳରେ ହିଁ ଅଧିକ ସତର୍କତା ପ୍ରକାଶ ପାଇବା ଜରୁରୀ। ଭାରତରେ ଯେଉଁଭଳି ଭାବେ ସ˚କ୍ରମଣର ଗମ୍ଭୀରତାକୁ ଭିତ୍ତି କରି ବିଭିନ୍ନ ଅଞ୍ଚଳକୁ ‘ଲୋହିତ’ ବା ‘କମଳା’ ବା ‘ସବୁଜ’ ଜୋନ୍‌ରେ ବିଭକ୍ତ କରାଯାଇଛି, ତାହା ଅତ୍ୟନ୍ତ ଦୂରଦୃଷ୍ଟିସ˚ପନ୍ନ ଏବ˚ ତାହା ଏହି ଅତି ବିଶାଳ ଜନସ˚ଖ୍ୟା ବିଶିଷ୍ଟ ଦେଶକୁ ପର୍ଯ୍ୟାୟ କ୍ରମେ ‘ଲକ୍‌ଡାଉନ୍‌’ରୁ ମୁକ୍ତ ହେବାରେ ସହାୟକ ହେବ। ଏହା ଫଳରେ ଅପେକ୍ଷାକୃତ୍‌ କମ୍‌ ଉପଦ୍ରୁତ ଅଞ୍ଚଳରେ ଜନଜୀବନକୁ ସତର୍କ ମନ୍ଥରତାର ସହିତ ସାଧାରଣ ସ୍ଥିତିକୁ ଫେରାଇ ଅଣାଯାଇପାରେ। ଏ ଦିଗରେ କେବଳ ସରକାର ନୁହେଁ, ଜନସାଧାରଣ ମଧୢ ସ୍ଥିତିର ଗାମ୍ଭୀର୍ଯ୍ୟକୁ ଉପଲବ୍‌ଧି କରି ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ବ ଦେଇ ଜୀବନ ଯାତ୍ରାକୁ ଅତି ସନ୍ତର୍ପଣରେ ସ୍ବାଭାବିକ କରିବା ଦିଗରେ ଅଗ୍ରସର ହେବା ଉଚିତ। ଏଭରେଷ୍ଟ ବିଜୟୀ ଏଡମଣ୍ତ ହିଲାରି କହିଥିବା ଭଳି ପର୍ବତାରୋହୀର ସଫଳତା କେବଳ ମାତ୍ର ଶୃଙ୍ଗ ସ୍ପର୍ଶରେ ସମାପ୍ତ ହୋଇ ଯାଇ ନ ଥାଏ। ନିରାପଦରେ ସମତଳ ଭୂମିରେ ପଦାର୍ପଣ କରିବା ପର୍ଯ୍ୟନ୍ତ ତାହା ଜାରି ରହେ। ଆରୋହଣ ଠାରୁ ଅବରୋହଣକୁ ଅଧିକ ଗୁରୁତ୍ବ ପ୍ରଦାନ କରିଥିବା ହିଲାରି ଶୃଙ୍ଗ ସ୍ପର୍ଶ କରିଥିବା ଜନିତ ସଫଳତାର ମାଦକତା ବିଷୟରେ ଅବଗତ ଥିଲେ, ଯାହା ଅସତର୍କତାକୁ ଜନ୍ମ ଦେଇଥାଏ। ସେହି ପରିପ୍ରେକ୍ଷୀରେ ଆମ ‘ଲକ୍‌ଡାଉନ୍‌’ର ସଫଳତା ଆମକୁ ଆନନ୍ଦିତ କରୁଥିବା ବେଳେ ଆମକୁ ଅସତର୍କ କରି ନ ପକାଉ।

ସମ୍ବନ୍ଧିତ ଖବର

Comments are closed.