ଚିମ୍ପାଞ୍ଜି ରାଜନୀତି

‘ଟେଲିଭିଜନ୍‌ ପର୍ଦ୍ଦାରେ ଜଣେ ରାଜନେତା କିଛି କହୁଥିବା ବେଳେ ଟିଭିର ଭଲ୍ୟୁମ୍‌କୁ ପୂରା କମ୍‌ କରି ନିରବ କରି ଦିଅ ଓ କେବଳ ନେତାଜଣଙ୍କର ମୁଖଭଙ୍ଗୀ, ହାତ ହଲା, ଶରୀରର ଠାଣି ଆଦି ଉପରେ ଦୃଷ୍ଟି ନିବଦ୍ଧ କର। ଏଥର ତୁମେ ଦେଖିପାରିବ ଯେ ପୃଥିବୀର ଯେକୌଣସି ଠାରେ ରାଜନେତାମାନେ କିଛି କହିଲା ବେଳେ ଯେଉଁ ପ୍ରକାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥାନ୍ତି, ତୁମ ଟେଲିଭିଜନ୍‌ ପର୍ଦ୍ଦାର ନେତାଜଣକ ପ୍ରଦର୍ଶନ କରୁଥିବା ଅଙ୍ଗଭଙ୍ଗୀ ତାହା ସହିତ ପୂରାପୂରି ମେଳ ଖାଇ ଯାଉଛି। ଏ ଅଙ୍ଗଭଙ୍ଗୀରୁ ଯାହା ଠଉରାଇ ହୋଇଥାଏ, ତାହା ହେଲା ସେ ନେତାଙ୍କ ବିରକ୍ତି ଭାବ, କ୍ରୋଧ, ଆହ୍ବାନ ଇତ୍ୟାଦି। ଏଥର ଟିଭିର ଭଲ୍ୟୁମ୍‌ ବଢ଼ାଇ ଦେଇ ନେତାଙ୍କୁ ଶୁଣ। ଏଇଠି ତୁମେ ଯାହା ଶୁଣିବାକୁ ପାଇବ, ସେ ବିଷୟରେ ଏକ ପୂର୍ବ-ଗ୍ୟାରେଣ୍ଟି ଦିଆଯାଇପାରେ: ନେତା ଜଣକ ତାଙ୍କୁ କ୍ଷମତାରେ ରଖିବାକୁ ବା କ୍ଷମତାକୁ ଆଣିବାରେ ସହାୟକ ହେବେ ବୋଲି ଆଶା କରୁଥିବା କୌଣସି ଗୋଷ୍ଠୀର ମନକୁ ପାଇଲା ଭଳି କିଛି ନିଶ୍ଚୟ କହୁଥିବେ।

ହଲାଣ୍ତ୍‌ର ଆର୍ଣ୍ଣହୋମ୍‌ଠାରେ ଏକ ଦୁଇ ଏକର ପରିମିତ ଦ୍ବୀପରେ ରଖାଯାଇଥିବା ଦଳେ ଚିମ୍ପାଞ୍ଜିଙ୍କ ଆଚରଣ ଉପରେ ଦୀର୍ଘ କାଳ ଧରି ତୀକ୍ଷ୍‌ଣ ନଜର ରଖି ପ୍ରସିଦ୍ଧ ମର୍କଟବିତ୍‌ ଫ୍ରାନ୍‌ସ ଡି ଵାଲ୍‌ ଯେଉଁ ଅନୁଭୂତି ସ˚ଗ୍ରହ କରିଥିଲେ, ତାହା ସେ ତାଙ୍କର ବହୁଳ ଆଦୃତ ପୁସ୍ତକ ‘ଚିମ୍ପାଞ୍ଜି ପଲିଟିକ୍‌ସ’ (‘ଚିମ୍ପାଞ୍ଜି ରାଜନୀତି’)ରେ ଲିପିବଦ୍ଧ କରିଛନ୍ତି। ଚିମ୍ପାଞ୍ଜିମାନେ ମନୁଷ୍ୟ ଭଳି କଥା କହି ପାରନ୍ତି ନାହିଁ ସତ, କିନ୍ତୁ ସେମାନଙ୍କ ମଧୢରୁ ଯିଏ ଦଳପତି ହେବାକୁ ଲକ୍ଷ୍ୟ ରଖିଥାଏ, ସେ ସର୍ବଦା ଦଳର ପ୍ରଭାବଶାଳୀ ଗୋଷ୍ଠୀଙ୍କୁ ତୁଷ୍ଟ କରିବା ଭଳି ଆଚରଣ ପ୍ରଦର୍ଶନ କରିଥାଏ- ଯାହା ପୁସ୍ତକଟିରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି।

ବିବର୍ତ୍ତନବାଦୀ ମନସ୍ତତ୍ତ୍ବବିତ୍‌ମାନେ ମନୁଷ୍ୟର ଆଚରଣ ଡାର‌୍‌ଵିନ୍‌ଙ୍କ ବିବର୍ତ୍ତନ ତତ୍ତ୍ବ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ବୋଲି ବିଶ୍ବାସ କରିଥାନ୍ତି। ସେମାନେ ଚିମ୍ପାଞ୍ଜି ରାଜନେତାମାନଙ୍କର ଉପରୋକ୍ତ ବିବର୍ତ୍ତନ-ନିୟନ୍ତ୍ରିତ ଆଚରଣ ସହିତ ମାନବ ରାଜନେତାମାନଙ୍କର ଆଚରଣର ତୁଳନା କରିବାକୁ ଯାଇ ଉପରୋକ୍ତ ଟେଲିଭିଜନ ପରୀକ୍ଷା ବ୍ୟବହାର କରିଥାନ୍ତି। କହିବା ବାହୁଲ୍ୟ, ଉପରୋକ୍ତ ଟେଲିଭିଜନ୍‌ ପରୀକ୍ଷାରେ ରାଜନେତାମାନେ ପ୍ରଦର୍ଶନ କରୁଥିବା ଅଙ୍ଗଭଙ୍ଗୀ ଓ ପ୍ରଦାନ କରୁଥିବା ବକ୍ତବ୍ୟ ସହିତ ଡି ଵାଲ୍‌’ଙ୍କ ପୁସ୍ତକରେ ବର୍ଣ୍ଣିତ ଚିମ୍ପାଞ୍ଜି ରାଜନେତାମାନଙ୍କର ଆଚରଣ ସମ୍ପୂର୍ଣ୍ଣ ମେଳ ଖାଇଯାଇଥାଏ।

ସମ୍ଭାବ୍ୟ ସମର୍ଥକମାନଙ୍କର ସନ୍ତୋଷ ବିଧାନ କରି ସେମାନଙ୍କ ସାହାଯ୍ୟରେ କ୍ଷମତା ହାସଲ କରିବାକୁ ଚେଷ୍ଟା କରିବା ପ୍ରବୃତ୍ତି ବିବର୍ତ୍ତନର ଅପ୍ରତିହତ ଧାରା ଚିମ୍ପାଞ୍ଜି (ମନୁଷ୍ୟ ସହିତ ୯୬% ଜେନେଟିକ୍‌ ସାମଞ୍ଜସ୍ୟ ରହିଛି) ଠାରେ ଯେମିତି ଖଞ୍ଜି ଦେଇଛି, ମନୁଷ୍ୟଠାରେ ମଧୢ ଠିକ୍‌ ସେମିତି ଖଞ୍ଜି ଦେଇଛି। ଚିମ୍ପାଞ୍ଜିମାନଙ୍କ ମଧୢରେ ଯେଉଁମାନେ ରାଜନୀତି ମାଧୢମରେ କ୍ଷମତା ହାସଲ କରିବାକୁ ଆଗ୍ରହୀ, ସେମାନଙ୍କ ଠାରେ ଏହି ପ୍ରବୃତ୍ତି ଯେମିତି ଅଧିକ ପ୍ରସ୍ଫୁଟିତ ହୋଇଥାଏ, ମନୁଷ୍ୟମାନଙ୍କ ମଧୢରେ ଯେଉଁମାନେ ରାଜନୀତି ବାଟ ଦେଇ କ୍ଷମତାର ସି˚ହାସନ ଲାଭ କରିବାକୁ ଚାହାନ୍ତି, ସେମାନଙ୍କଠାରେ ସେଇଭଳି ତାହା ଅଧିକ ଦେଖିବାକୁ ମିଳିଥାଏ।

ଯେଉଁ ବିବର୍ତ୍ତନବାଦୀ ମନସ୍ତତ୍ତ୍ବବିତ୍‌ମାନେ ‘ଜୁମ୍‌’ କନ୍‌ଫରେନ୍‌ସ କଲ୍‌ ମାଧୢମରେ ଗତ ସପ୍ତାହରେ କେତେକ ଛାମୁଆ କ˚ଗ୍ରେସ ନେତା ଭାଗ ନେଇଥିବା ଏକ ମିଟିଂର ପ୍ରସାରିତ ଭିଡିଓ ଦେଖିଥିବେ କିମ୍ବା ତା’ର ବିବରଣୀ ପାଠ କରିଥିବେ ସେମାନେ ମନୁଷ୍ୟ ଠାରେ ବିବର୍ତ୍ତନର ଏଭଳି ମନସ୍ତାତ୍ତ୍ବିକ ପ୍ରଭାବର ଏକ ସଦ୍ୟତମ ବଳିଷ୍ଠ ଉଦାହରଣ ଦେଖିବାକୁ ପାଇଥିବେ। ମନମୋହନ ସି˚ହ, ପି ଚିଦାମ୍ବରମ୍‌, ରାହୁଲ ଗାନ୍ଧୀ ଆଦି ରାଜନେତାମାନେ ସେଦିନ ସେମାନଙ୍କ ଭିଡିଓ ବକ୍ତବ୍ୟ ମାଧୢମରେ ଯେଉଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭବିଷ୍ୟତ ଭୋଟର‌୍‌ମାନଙ୍କ ସପକ୍ଷରେ ନିଜର କ୍ରୋଧ, ବିରକ୍ତି ଓ ଆହ୍ବାନ ଭରା ବକ୍ତବ୍ୟମାନ ପ୍ରଦାନ କରି ସେମାନଙ୍କୁ ଖୁସି କରି ସେମାନଙ୍କର ସମର୍ଥନ ଲାଭ କରିବାକୁ ଚେଷ୍ଟା କରିବା ଦେଖାଯାଇଥିଲା, ସେମାନେ ହେଲେ ୫୦ ଲକ୍ଷ ସରିକି କେନ୍ଦ୍ର ସରକାରୀ କର୍ମଚାରୀ ଏବ˚ ପ୍ରାୟ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀ ଅବସରପ୍ରାପ୍ତ କର୍ମଚାରୀ।

ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ହାର ସହିତ ସ˚ଯୁକ୍ତ ଏମାନଙ୍କର ମହଙ୍ଗା ଭତ୍ତା (ଡିଏ) ଏବ˚ ମହଙ୍ଗା ରିଲିଫ୍‌ (ଡିଆର‌୍‌)ରେ ୪% ବୃଦ୍ଧି ଘୋଷଣା କରିଥିଲେ। ଗତ ଗୁରୁବାର ଦିନ ସରକାର ଏହା ଏବେ ନୁହେଁ, ଜୁନ୍‌ ୨୦୨୧ ଠାରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି; ଏଣୁ ଏ ବାବଦରେ କୌଣସି ବକେୟା ମଧୢ ପ୍ରଦାନ କରାଯିବ ନାହିଁ। ଏହି ବିଳମ୍ବ ଯୋଗୁଁ ସରକାରଙ୍କ ପାଇଁ ପ୍ରାୟ ୩୭,୩୫୦ କୋଟି ଟଙ୍କାର ସମ୍ବଳ ସଞ୍ଚୟ ହେବ, ଯାହା କରୋନା ମୁକାବିଲାରେ ନିୟୋଜିତ ହେବ।

ଉପରୋକ୍ତ ରାଜନେତାମାନେ ସରକାରଙ୍କ ଏହି ପଦକ୍ଷେପର ତୀବ୍ର ବିରୋଧ କରିଛନ୍ତି, ଯାହା ସେମାନଙ୍କ ରାଜନୈତିକ କ୍ଷମତାକୈନ୍ଦ୍ରିକ ସ୍ବାର୍ଥରକ୍ଷା ଦୃଷ୍ଟିରୁ ଦେଖିଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, ତାହା ହେଲା ରାହୁଲ ଗାନ୍ଧୀ ସରକାରଙ୍କ ଏହି ପଦକ୍ଷେପ ପ୍ରତି ପ୍ରୟୋଗ କରିଥିବା ବିଶେଷଣ: ‘ଅମାନବିକ’ (‘ଇନ୍‌ହ୍ୟୁମାନ୍‌’)। କେଉଁଟି ଅଧିକ ଅମାନବିକ: କେତେକ ସୁରକ୍ଷିତ, କରଦାତାଙ୍କ ଅର୍ଥ ଦ୍ବାରା ପାଉଥିବା ମୋଟା ଦରମା ଓ ପେନ୍‌ସନ୍‌ ଉପରେ ମିଳୁଥିବା ମହଙ୍ଗା ଭତ୍ତା, ପୁଣି ତା’ ଉପରେ ମିଳୁଥିବା ବର୍ଦ୍ଧିତ ପାଉଣାରେ ସାମୟିକ ବିରତି ନା କରୋନା ମହାମାରୀ ଯୋଗୁଁ ଦାନା ପାଣି ହରାଇ ଅକଥ୍ୟ ନିର୍ଯାତନା ଭୋଗୁଥିବା ପ୍ରାୟ ୧୪ କୋଟି ଶ୍ରମଜୀବୀ, ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୁଳ, ଅଗଣିତ ସ˚ଖ୍ୟକ କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ କାରିଗର ଆଦି?

ସରକାର ସାମୟିକ ଭାବରେ ସଞ୍ଚୟ କରିବାକୁ ଯାଉଥିବା ଏହି ସମ୍ବଳ ଏଭଳି ଦ୍ବିତୀୟ ଶ୍ରେଣୀର ଦେଶବାସୀଙ୍କ ଦୁର୍ଦଶାମୋଚନ ନିମିତ୍ତ ଉପଯୋଗ କରାଯିବ, ଯାହା ପ୍ରଥମ ଶ୍ରେଣୀ ପାଇଁ ଏକ ଛୁଞ୍ଚି ଫୋଡ଼ା ମାତ୍ର ଭଳି। ଘରୋଇ କ୍ଷେତ୍ରରେ ଯେତେବେଳେ ବ୍ୟାପକ ଦରମା କାଟ ଓ ଛଟେଇ ମାନ ଘଟିବାରେ ଲାଗିଛି, କତିପୟ ସରକାରୀ କର୍ମଚାରୀମାନଙ୍କ ପ୍ରତି ଏପରି ଅତିରଞ୍ଜିତ ବିଶେଷଣ ପ୍ରୟୋଗ ମାଧୢମରେ ସମର୍ଥନ ପ୍ରଦର୍ଶନ କରିବା କ˚ଗ୍ରେସ ନେତାମାନଙ୍କର ‘ଅମାନବିକତା’କୁ ପ୍ରମାଣିତ କରିଥାଏ। ସେମାନେ ଆଶା କରୁଛନ୍ତି ଯେ ସରକାରୀ କର୍ମଚାରୀମାନଙ୍କର ସ˚ଖ୍ୟା ସୀମିତ ହେଲେ ମଧୢ ସେମାନେ ନିର୍ବାଚନ ସମୟରେ ଜନମତକୁ ପ୍ରଭାବିତ କରନ୍ତି ଏବ˚ ଅସନ୍ତୁଷ୍ଟ ସରକାରୀ କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଅବହେଳା କରି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ। ଏହା ଡି ଵାଲ୍‌ଙ୍କ ବର୍ଣ୍ଣିତ ଚିମ୍ପାଞ୍ଜି ନେତା ଅବଲମ୍ବନ କରୁଥିବା ବିଭିନ୍ନ କୌଶଳ ସହ ତୁଳନୀୟ। କିନ୍ତୁ ମନୁଷ୍ୟ ଓ ଚିମ୍ପାଞ୍ଜି ମଧୢରେ ଯେଉଁ ଗୋଟିଏ ବିଶେଷ ଫରକ ଥାଏ ତାହା ହେଉଛି: ‘ବିବେକ’। ମାନବ ନେତାମାନେ ଏପରି କେବେ ହେଲେ ବିବେକକୁ ଜଳାଞ୍ଜଳି ଦେବା ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର