ବନ୍ଧୁକରୁ ଲହୁଣି
ଏକ ରାଷ୍ଟ୍ରର ସମ୍ବଳର କିଭଳି ବିନିଯୋଗ ସମାଜର ସର୍ବାଧିକ ମଙ୍ଗଳ ସାଧନ କରିବ, ଏ ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଏହାର ଦୁଇଟି ବିକଳ୍ପ ପ୍ରତି ଚିରାଚରିତ ଭାବରେ ଦୃଷ୍ଟି ଆକର୍ଷଣ କରାଯାଇଥାଏ, ଯାହା ସହିତ ଅର୍ଥଶାସ୍ତ୍ରର ଛାତ୍ରମାନେ ସୁପରିଚିତ: ବନ୍ଧୁକ ନା ଲହୁଣି? (‘ଗନ୍ସ ଅର୍ ବଟର୍?’)। ବନ୍ଧୁକ ହେଉଛି ସାମରିକ ଖର୍ଚ୍ଚର ପ୍ରତୀକ, ଲହୁଣି ହେଉଛି ଖାଦ୍ୟ ଅର୍ଥାତ୍ ମଙ୍ଗଳ ବୃଦ୍ଧିକାରୀ ବେସାମରିକ ଖର୍ଚ୍ଚ ସବୁର ପ୍ରତୀକ। ଯଦି ବନ୍ଧୁକ ପାଇଁ ସମ୍ବଳ ବ୍ୟୟ କରିବାକୁ ପଡୁନଥାନ୍ତା, ତେବେ ତାହାର ଉପଯୋଗ ଦ୍ବାରା ଲୋକଙ୍କୁ ବହୁ ଅଧିକ ଲହୁଣି ଖାଇବାକୁ ମିଳନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ବେଳେ ବେଳେ ବାଇବ୍ଲର ‘ଟୁବାଲ୍ କେନ୍’ କାହାଣୀ ମଧୢ ଉପସ୍ଥାପନ କରାଯାଇଥାଏ। ବାଇବ୍ଲ ଅନୁସାରେ ପୃଥିବୀରେ ପ୍ରଥମ ପୁରୁଷ ଆଡାମ୍ଙ୍କ ଭଳି ପ୍ରଥମ କମାର ହେଉଛନ୍ତି ଟୁବାଲ୍ କେନ୍। ଲୁହାରୁ ଅତ୍ୟନ୍ତ ଉଚ୍ଚମାନର ଖଣ୍ତା, ବର୍ଚ୍ଛା ଭଳି ମାରଣାସ୍ତ୍ର ତିଆରି କରିବାରେ ତାଙ୍କର ଦକ୍ଷତା ତାଙ୍କ ପାଇଁ ଚତୁର୍ଦ୍ଦିଗରେ ପ୍ରସିଦ୍ଧି ଆଣି ଦେଇଥିଲା। କିନ୍ତୁ ଏଥି ସାହାଯ୍ୟରେ ରାଜ୍ୟରେ ଯେଉଁ ରକ୍ତର ବନ୍ୟା ବହିବାକୁ ଲାଗିଲା, ତାହା ଟୁବାଲ୍ କେନ୍ଙ୍କୁ ଘୋର ବିଚଳିତ କରିବା ପରେ ସେ ଲୁହା ଯୋଗେ ଖଣ୍ତା, ବର୍ଚ୍ଛା ଆଦି ଆଉ ତିଆରି ନ କରି, କେବଳ ଲଙ୍ଗଳ ଫାଳ ତିଆରି କରିବାରେ ଲାଗିଲେ। ଲଙ୍ଗଳ ଦ୍ବାରା ଚାଷବାସରେ ଉନ୍ନତି ଘଟିବା ଦ୍ବାରା ଲୋକମାନେ ସୁଖ ସମୃଦ୍ଧିରେ କାଳ କାଟିଲେ। ସାମରିକ ଖର୍ଚ୍ଚ ଠାରୁ ବେସାମରିକ ଖର୍ଚ୍ଚ କିପରି ଅଧିକ ବାଞ୍ଛନୀୟ, ଏହା ହେଉଛି ବୋଧହୁଏ ତା’ର ପ୍ରାଚୀନତମ ଉଦାହରଣ।
ତେବେ ଏକଥା ଜାଣି ମଧୢ ମାନବ ସଭ୍ୟତା ସାରା ପ୍ରତ୍ୟେକ ସମାଜ ଇତିହାସର ଅଗ୍ରଗତି ସହିତ ତାଳ ଦେଇ ଅଧିକରୁ ଅଧିକ ସାମରିକ ଖର୍ଚ୍ଚ କରି ଚାଲିବା ଦେଖାଯାଇଥାଏ। ଏହା ବର୍ତ୍ତମାନ କିପରି ବିଶାଳ ଆକାର ଧାରଣ କରିଛି, ତାହା ଗତ ସପ୍ତାହରେ ‘ଷ୍ଟକ୍ହୋମ୍ ଇଣ୍ଟର୍ନେସନାଲ୍ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ ପ୍ରକାଶ କରିଥିବା ଗବେଷଣାଲବ୍ଧ ସୂଚନା ସବୁରୁ ସ୍ପଷ୍ଟ ହୋଇଥାଏ। ୨୦୧୯ରେ ସାରା ପୃଥିବୀରେ କରାଯାଇଥିବା ମୋଟ ସାମରିକ ଖର୍ଚ୍ଚର ପରିମାଣ ଥିଲା ୧.୯ ଟ୍ରିଲିଅନ୍ ଡଲାର୍, ଯାହା ଶୀତଳ ଯୁଦ୍ଧର ଅନ୍ତ ପର ଠାରୁ ହେଉଛି ସର୍ବାଧିକ। ମନେ ରଖିବାକୁ ହେବ ଏହା କୌଣସି ଯୁଦ୍ଧକାଳୀନ ଖର୍ଚ୍ଚ ନୁହେଁ, ଶାନ୍ତି ସମୟରେ ହୋଇଥିବା ସାମରିକ ଖର୍ଚ୍ଚ।
ଏହି ଖର୍ଚ୍ଚର ପାହାଡ଼ର ଶିଖରରେ ବସିଥିବା ଦେଶ ହେଉଛି ଆମେରିକା, ଯାହାର ୭୩୨ ବିଲିଅନ୍ ଡଲାର୍ ଖର୍ଚ୍ଚ ଥିଲା ତା’ପରକୁ ଥିବା ଦଶଟି ଦେଶର ମିଳିିତ ସାମରିକ ଖର୍ଚ୍ଚ ଠାରୁ ମଧୢ ଅଧିକ ଏବ˚ ଦ୍ବିତୀୟ ସ୍ଥାନରେ ଥିବା ଚୀନ୍ର ସାମରିକ ଖର୍ଚ୍ଚର ପ୍ରାୟ ତିନିଗୁଣ। ଏହି ଖର୍ଚ୍ଚ ତାଲିକାର ସବା ଉପରେ ରହିଥିବା ପ୍ରଥମ ପାଞ୍ଚଟି ଦେଶ ହେଉଛନ୍ତି- ଆମେରିକା, ଚୀନ, ଭାରତ, ରୁଷିଆ ଓ ସାଉଦି ଆରବ। ୨୦୧୯ରେ ଭାରତର ସାମରିକ ଖର୍ଚ୍ଚ ପରିମାଣରେ ୬.୮% ବୃଦ୍ଧି ଘଟି ୭୧.୧ ବିଲିଅନ୍ ଡଲାର୍ ହୋଇଥିବା ବେଳେ ଚୀନ୍ର ସାମରିକ ଖର୍ଚ୍ଚରେ ୫.୧% ବୃଦ୍ଧି ଘଟି ୨୬୧ ବିଲିଅନ୍ ଡଲାର୍ ହୋଇଯାଇଥିଲା। ସୂଚନାଯୋଗ୍ୟ ଭାରତ ପୂର୍ବ ବର୍ଷର ଚତୁର୍ଥ ସ୍ଥାନରୁ ଉଠି ସେ ତାଲିକାରେ ଏଥର ତୃତୀୟ ସ୍ଥାନ ଦଖଲ କରିଛି, ଯାହା ଏକ ଗର୍ବର ବିଷୟ କି ନୁହେଁ, ତାହା ‘ଗନ୍’ ବା ‘ବଟର୍’ ପ୍ରତି ଜଣେ ପୋଷଣ କରୁଥିବା ଆପେକ୍ଷିକ ଆଭିମୁଖ୍ୟ ଉପରେ ନିର୍ଭର କରିଥାଏ।
କିନ୍ତୁ ଯେଉଁମାନେ ବଟର୍ ପକ୍ଷର ସମର୍ଥକ, ସାମରିକ ଖର୍ଚ୍ଚରେ ଏହି ବୃଦ୍ଧି ସତ୍ତ୍ବେ ଚୀନା କରୋନା ସୃଷ୍ଟି କରିଥିବା ବିଶ୍ବବ୍ୟାପୀ ତାଣ୍ତବ ଲୀଳା ଯୋଗୁଁ ଏକ ମଧୁର ବିଡ଼ମ୍ବନା ଭଳି ଏହି ବିପୁଳ ସାମରିକ ଖର୍ଚ୍ଚ ସେମାନଙ୍କ ପାଇଁ ମଧୢ ଅଧିକ ଗ୍ରହଣୀୟ ହେବାକୁ ଆରମ୍ଭ କରିଛି। ସାମରିକ ଖର୍ଚ୍ଚ କେବଳ ବନ୍ଧୁକ କିଣାରେ ଲାଗି ନ ଥାଏ; ସୈନ୍ୟ ସାମନ୍ତଙ୍କ ବାବଦରେ ଏହାର ଏକ ବିଶେଷ ଅ˚ଶ ନିୟୋଜିତ ହୋଇଥାଏ। ବର୍ତ୍ତମାନ ପୃଥିବୀର ଅଧିକା˚ଶ ଦେଶରେ କୋଭିଡ୍-୧୯ର ମୁକାବିଲାରେ ଏହି ସୈନ୍ୟସାମନ୍ତମାନେ ନିୟୋଜିତ ହୋଇଥିବା ଦେଖାଯାଉଛି। ସେମାନେ ଶୃଙ୍ଖଳା ରକ୍ଷା ନିମିତ୍ତ ରାସ୍ତା ଘାଟରେ ପଇଁତରା ମାରିବାରୁ ଆରମ୍ଭ କରି, ଅତ୍ୟାବଶ୍ୟକ ଜିନିଷପତ୍ର ଯୋଗାଣ ଅବ୍ୟାହତ ରଖିବା ଏବ˚ ହସ୍ପିଟାଲ୍ ଗୃହ ନିର୍ମାଣ କରିବା ଭଳି କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଦେଖାଯାଉଛି।
ଭାରତରେ ତ ଚୀନା କରୋନା ମୁକାବିଲା କ୍ଷେତ୍ରରେ ଆମ ସେନାବାହିନୀ ଯେଉଁ ଭଳି ଉତ୍ସର୍ଗୀକୃତ ଯୋଗଦାନ କରିଛି, ତାହା ଏକ ଚୀନା ସାମରିକ ଆକ୍ରମଣର ମୁକାବିଲା ସହିତ ତୁଳନୀୟ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ମହାମାରୀ ଦେଖା ଦେବା ପରେ ପରେ ଫେବ୍ରୁଆରି ୨-୧୮ ମଧୢରେ କରୋନାର ଜନ୍ମପୀଠ ଚୀନ୍ର ଉହାନ୍ରୁ ଉଦ୍ଧାର କରାଯାଇଥିବା ୨୪୮ଜଣ ଭାରତୀୟ ନାଗରିକଙ୍କୁ ମାନେସାର୍ସ୍ଥିତ ‘ଆର୍ମି େଵଲ୍ନେସ୍ ଫାସିଲିଟି’ରେ କ୍ବାରାଣ୍ଟାଇନ୍ନ୍ରେ ରଖାଯାଇଥିଲା। ମାର୍ଚ୍ଚ ୧୧ ପରଠାରୁ କରୋନାର ଶ୍ମଶାନ ପାଲଟି ଥିବା ଇଟାଲିରୁ ଅଣାଯାଇଥିବା ୮୩ ଜଣଙ୍କୁ ମଧୢ ସେଇଠାରେ ରଖାଯାଇଥିଲା। ମାର୍ଚ୍ଚ ୧୫ରେ ଅନ୍ୟତମ ଘୋର କରୋନା ଆକ୍ରାନ୍ତ ଦେଶ ଇରାନ୍ରୁ ୨୩୬ ଜଣ ଭାରତୀୟ ନାଗରିକଙ୍କୁ ଅଣାଯିବା ପରେ ଆଉ ପ୍ରାୟ ପାଞ୍ଚ ଛେକରେ ସେଠାରୁ ଅଣାଯାଇଥିବା ପ୍ରାୟ ହଜାର ସରିକି ଭାରତୀୟଙ୍କୁ ସେନାବାହିନୀର ମାନେସାର୍, ଜୟସାଲମେର୍, ଯୋଧପୁର ଆଦି ସ୍ଥାନରେ ଥିବା ଚିକିତ୍ସାକେନ୍ଦ୍ରମାନଙ୍କରେ ରଖାଯାଇଥିଲା। ଫେବ୍ରୁଆରି- ମାର୍ଚ୍ଚରେ ଜାପାନ୍ରେ ଅଟକିଥିବା କ୍ରୁଜ୍ ଜାହାଜ ‘ଡାଇମଣ୍ତ୍ ପ୍ରିନ୍ସେସ୍’ରୁ ଅଣାଯାଇଥିବା ୧୨୪ ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧୢ ମାନେସାର୍ ଠାରେ ରଖାଯାଇଥିଲା।
ସେନାବାହିନୀ ବାରାକ୍ପୁର, ସିଲ୍ଙ୍ଗ ଓ ଲିକାବାଲିଠାରେ ତିନିଟି ବେସାମରିକ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ହସ୍ପିଟାଲ୍ (ମୋଟ ପ୍ରାୟ ୬୦୦ ଶଯ୍ୟା) ସ୍ଥାପନ କରିଛି। ଚାରିଟି ଦ୍ରୁତ ପ୍ରତିକ୍ରିୟା ଡାକ୍ତରୀ ଟିମ୍ ଓ ୧୨୦୦ ଯୁଦ୍ଧ କ୍ଷେତ୍ର ନର୍ସି˚ ସହାୟକ ଏହି କରୋନା ଯୁଦ୍ଧରେ ଯୋଗ ଦେଇଛନ୍ତି। ଅରୁଣାଚଳ ଓ କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ସେନାବାହିନୀ ସ˚କ୍ରମଣ ନିୟନ୍ତ୍ରଣ ଉଦ୍ୟମର ପୁରୋ ଭାଗରେ ରହି କାର୍ଯ୍ୟ କରୁଛି। ସେନାବାହିନୀର କେତେକ ଗୋଳାବାରୁଦ କାରଖାନାରେ ଏବେ ମାସ୍କ୍ ଓ ପର୍ସନାଲ୍ ପ୍ରୋଟେକ୍ଟିଭ୍ ସେଟ୍ ତିଆରି କରାଯାଉଛି। ବାଙ୍ଗାଲୋର, ଦିଲ୍ଲୀ, କୁନୁର୍, ତିରୁଚିରୁ ବରାମୁଲ୍ଲା, ଅଖ୍ନୁର୍ ଆଦି ସ୍ଥାନ ପର୍ଯ୍ୟନ୍ତରେ ସେନାବାହିନୀ ଖାଦ୍ୟ ପୁଡ଼ିଆ ବଣ୍ଟନ କରିବା ଦେଖାଯାଇଛି। ଜାମ୍ମୁ କାଶ୍ମୀରର ସୁଦୂର ଇଲାକରେ ସେନାବାହିନୀ ଭୟଭୀତ ବାସିନ୍ଦାମାନଙ୍କ ପାଖରେ ଆବଶ୍ୟକ ପଦାର୍ଥ ଓ ଉପଯୁକ୍ତ ଉପଦେଶ ପହଞ୍ଚାଇ ସେମାନଙ୍କୁ ଆଶ୍ବସ୍ତ କରୁଛି। ମାଲ୍ଡିଭ୍ରୁ କୁଏତ୍ ପର୍ଯ୍ୟନ୍ତ ବନ୍ଧୁ ଦେଶମାନଙ୍କୁ ମଧୢ ଭାରତୀୟ ସେନାବାହିନୀ ସହାୟତାର ହାତ ବଢ଼ାଇଛି। ବଡ଼ କଥା ଦେଶରେ ଥିବା ବେସାମରିକ ରକ୍ତ ଭଣ୍ତାରକୁ ମଧୢ ଏହି ଜରୁରୀକାଳୀନ ସମୟରେ ସେନା ସ୍ବେଚ୍ଛାସେବୀମାନେ ରକ୍ତ ଦାନ କରି ଆବଶ୍ୟକତା ପୂରଣରେ ସାହାଯ୍ୟ କରୁଛନ୍ତି।
କରୋନା ତ ଆମର ପରିଚିତ ଦୁନିଆକୁ ସମ୍ପୂର୍ଣ୍ଣ ଓଲଟ ପାଲଟ କରି ଦେଲାଣି। ସେନାବାହିନୀର ଏହି ନୂତନ ଅବତାର ଦେଖି ଯଦି କେହି କହେ, କରୋନା ବନ୍ଧୁକକୁ ଏବେ ଲହୁଣିରେ ପରିଣତ କରିଦେଲାଣି, କ’ଣ ଭୁଲ୍ ହେବ କି?