ବିଜୟ ଟିକା

ଆଜିକୁ ତିରିଶ ବର୍ଷ ତଳେ ଅର୍ଥାତ୍‌ ୧୯୮୦ ମସିହା ଫେବ୍ରୁଆରି ମାସରେ ମୁମ୍ବାଇରେ ଅନୁଷ୍ଠିତ ଏକ ଟେଷ୍ଟ ମ୍ୟାଚ୍‌ରେ ଯାହା ଘଟିଥିଲା, ତାହା ଭାରତ ଲାଗି ହୁଏ’ତ ନିରାଶାଜନକ ଥିଲା, ହେଲେ, କ୍ରିକେଟ୍‌ ଖେଳ (ସେହି ଦୃଷ୍ଟିରୁ ସମଗ୍ର କ୍ରୀଡ଼ା କ୍ଷେତ୍ର) ଲାଗି ଥିଲା ଏକ ହୀରକ ମୁହୂର୍ତ୍ତ। ଭାରତ ଓ ଇ˚ଲଣ୍ତ ମଧୢରେ ଚାଲିଥିବା ‘ଗୋଲ୍‌ଡେନ୍‌ ଜୁବିଲି’ ଟେଷ୍ଟ ମ୍ୟାଚ୍‌ରେ ଏକ କରୁଣ ପରିସ୍ଥିତିରେ ପଡ଼ିଥିବା ଇ˚ଲଣ୍ତ ଦଳର ବ୍ୟାଟ୍‌ସମ୍ୟାନ ବବ୍‌ ଟେଲର‌୍‌ଙ୍କ ବ୍ୟାଟ୍‌ରେ ଛୁଇଁ ନ ଛୁଇଁ ଚାଲିଯାଇଥିବା ବଲ୍‌ଟି ଭାରତୀୟ ଵିକେଟ୍‌ ରକ୍ଷକଙ୍କ ଦ୍ବାରା ଅକ୍ତିଆର ହେବା ପରେ ଅମ୍ପାୟାର ତାଙ୍କୁ ‘ଆଉଟ୍‌’ ବୋଲି ସ˚କେତ ଦିଅନ୍ତେ ଫିଲ୍‌ଡି˚ କରୁଥିବା ଭାରତୀୟ ଦଳର କ୍ୟାପ୍‌ଟେନ୍‌ ଜି.ଆର. ବିଶ୍ବନାଥ ସ୍ବୟ˚ ବବ୍‌ ଟେଲରଙ୍କ ସହ କଥା ହୋଇ ବଲ୍‌ଟି ତାଙ୍କ ବ୍ୟାଟ୍‌ ସ୍ପର୍ଶ କରି ନ ଥିବା ନେଇ ନିଶ୍ଚିତ ହେବା ପରେ ତାଙ୍କ ଦଳପତି କ୍ଷମତାର ବ୍ୟବହାର କରି ପୁଣି ତାଙ୍କୁ ବ୍ୟାଟି˚ ଚାଲୁ ରଖିବାର ଅନୁମତି ପ୍ରଦାନ କରିଥିିଲେ। ଉଲ୍ଲେଖନୀୟ ଯେ ଏହା ଫଳରେ ଇ˚ଲଣ୍ତ ଦଳ ତା’ର କରୁଣ ପରିସ୍ଥିତିକୁ ଅତିକ୍ରମ କରି ଭାରତକୁ ପରାଜିତ କରିବାରେ ସମର୍ଥ ହୋଇଥିଲା। ଏହି ଘଟଣାର ତିନି ଦଶନ୍ଧି ପରେ ବର୍ତ୍ତମାନ ମଧୢ ଯଦି କେଉଁଠାରେ ଭାରତର ଏହି ପରାଜୟ ସ˚ପର୍କରେ ଆଲୋଚନା ହେଉଥାଏ, ତେବେ ବିଶାଳ ହୃଦୟବତ୍ତାର ଏହି ଦୃଷ୍ଟାନ୍ତ ଲାଗି ପ୍ରତ୍ୟେକ ଭାରତୀୟଙ୍କ ଛାତି କିଞ୍ଚିତ ସ୍ଫୀତ ହୋଇ ଉଠିବା ସହିତ ମନେ ହୋଇଥାଏ ଯେ ପ୍ରକୃତରେ ତାହା ବୋଧହୁଏ ଭାରତର ପରାଜୟ ନ ଥିଲା; ଅଥବା ତାହା ଥିଲା ଏକ ପରାଜିତ ଭାରତର ମସ୍ତକରେ ବିଜୟର ଟିକା! ଏହି ପରିପ୍ରେକ୍ଷୀରେ ଆଜି ଯେତେବେଳେ ସାରା ପୃଥିବୀ ‘କୋଭିଡ୍‌-୧୯’ ଭୂତାଣୁ ବିପକ୍ଷରେ ଚାଲିଥିବା ସ˚ଗ୍ରାମର ମଧୢ ଭାଗରେ ବିଦ୍ୟମାନ, ସେତିକି ବେଳେ କେତେକ ଉଦ୍ୟମରେ ମାନବତାର ବିଜୟ ସୂଚକ ଏଭଳି କିଛି ଆଭିମୁଖ୍ୟ ପ୍ରକାଶ ପାଇଛି, ଯାହା ସ୍ପଷ୍ଟ କରିଥାଏ ଯେ ଯଦି ସେହି ସବୁ ପ୍ରଚେଷ୍ଟା ପରିଶେଷରେ ବିଫଳତା ବା ପରାଜୟରେ ସମାପ୍ତ ହୁଏ, ତଥାପି ତାହା ବିଜୟର ଚିହ୍ନ ସ୍ବରୂପ ଅନେକ କାଳ ଯାଏ ସ୍ମରଣୀୟ ହୋଇ ରହିବ।

ପ୍ରକୃତରେ ଏହା ଘଟିଛି କରୋନା ସ˚କ୍ରମଣକୁ ପ୍ରତିହତ କରିବା ଲାଗି ବିଭିନ୍ନ ପର୍ଯ୍ୟାୟରେ ବିକଶିତ ହେଉଥିବା ପ୍ରତିଷେଧକ ଟିକା ବା ‘ଭ୍ୟାକ୍‌ସିନ୍‌’ର ପ୍ରସ୍ତୁତିରେ। ଉଲ୍ଲେଖ ଥାଉ କି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ସୌଜନ୍ୟରୁ ପ୍ରାପ୍ତ ସୂଚନା ଅନୁଯାୟୀ ସାରା ପୃଥିବୀରେ ଅନ୍ୟୂନ ୮୯ଟି ଗବେଷଣାଗାରରେ ବୈଜ୍ଞାନିକମାନେ ଏହି ‘ଭ୍ୟାକ୍‌ସିନ୍‌’ର ପ୍ରସ୍ତୁତି ସକାଶେ ବିନିଦ୍ର ରଜନୀ ଅତିବାହିତ କରୁଛନ୍ତି। ସାଧାରଣତଃ ଦେଖାଯାଇଥାଏ ଯେ ଗୋଟିଏ ‘ଭ୍ୟାକ୍‌ସିନ୍‌’ ପ୍ରସ୍ତୁତ ହୋଇସାରି ତା’ର ସମସ୍ତ ପରୀକ୍ଷା ନିରୀକ୍ଷା ତଥା ବିଭିନ୍ନ ପର୍ଯ୍ୟାୟରେ ତା’ର ପ୍ରୟୋଗ ସଫଳତାର ସହିତ ସମାପ୍ତ ହେବା ପରେ ତାହା ଚୂଡ଼ାନ୍ତ ଅନୁମୋଦନ ଲାଭ କରିଥାଏ। ତା’ ପରେ ତାହା ସାର୍ବଜନୀନ ବ୍ୟବହାର ଲାଗି ଉପଲବ୍‌ଧ ହୋଇଥାଏ, ଯେତିକି ବେଳକୁ ଅତି କମ୍‌ରେ ପାଞ୍ଚରୁ ଛଅ ବର୍ଷ କାଳ ଲାଗି ଯାଇଥାଏ। କିନ୍ତୁ ‘କୋଭିଡ୍‌-୧୯’କୁ ପ୍ରତିହତ କରିବା ଲାଗି ‘ଭ୍ୟାକ୍‌ସିନ୍‌’ ପ୍ରସ୍ତୁତି ଦୌଡ଼ରେ ସର୍ବାଗ୍ରେ ରହିଥିବା ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟର ‘ଜେନର ଇନ୍‌ଷ୍ଟିଚ୍ୟୁଟ୍‌’ର ପ୍ରୟାସ ଯଦି ଫଳପ୍ରସୂ ହୁଏ, ତେବେ ମାନବ ଜାତିି ସମ୍ଭବତଃ ଏହି ବର୍ଷର ଅନ୍ତିମ ଚଉଠ ସୁଦ୍ଧା ଗୋଟିଏ ‘ଭ୍ୟାକ୍‌ସିନ୍‌’ ପାଇଯିବାର ଆଶା ଉଜ୍ଜ୍ବଳ। ଏହି ପରିପ୍ରେକ୍ଷୀରେ ଏଭଳି ଅସାଧୢ ସାଧନ ହେବା ପଛରେ ଯେଉଁ କିଛି କାରଣ ରହିଛି, ତା’ ଉପରେ କିଞ୍ଚିତ ଦୃଷ୍ଟିପାତ କରାଯାଇପାରେ।

କେବଳ ‘ଭ୍ୟାକ୍‌ସିନ୍‌’ ପ୍ରସ୍ତୁତି ଲାଗି ଉତ୍ସର୍ଗୀକୃତ ବିଶ୍ବ ପ୍ରସିଦ୍ଧ ‘ଜେନର ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ପ୍ରଫେସର ଏଡ୍ରିଆନ ହିଲ୍‌ ନିକଟରେ ‘ନ୍ୟୁୟର୍କ ଟାଇମ୍‌ସ’ ପତ୍ରିକାକୁ ପ୍ରଦାନ କରିଥିବା ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି ଯେ ଗତ ଦୁଇ ଦଶକ ଧରି ମନୁଷ୍ୟ ଶରୀରରେ ପ୍ରୟୋଗ ଲାଗି ଏକ ପ୍ରତିଷେଧକ ଟିକାର ପ୍ରସ୍ତୁତି ସକାଶେ ତାଙ୍କ ଅନୁଷ୍ଠାନର ନିରନ୍ତର କାର୍ଯ୍ୟ ଏହାର କାରଣ। ଏହି ଉଦ୍ୟମରେ ଏକ ଚି˚ପାଞ୍ଜି ଶରୀରରୁ ଆହରିତ ଗୋଟିଏ ଭୂତାଣୁକୁ ଅବଲମ୍ବନ କରି ତହିଁରେ ଜିନ୍‌ଗତ ପରିବର୍ତ୍ତନ ଆଣି ପ୍ରସ୍ତୁତ କରାଯାଇଥିବା ‘ଭ୍ୟାକ୍‌ସିନ୍‌’କୁ ଅନେକ ବର୍ଷ ଧରି ମ୍ୟାଲେରିଆ ରୋଗୀଙ୍କ କ୍ଷେତ୍ରରେ ଏବ˚ ପରବର୍ତ୍ତୀ କାଳରେ ‘ଇବୋଲା’ ଏବ˚ ‘ମର୍ସ‌୍‌’ ସ˚କ୍ରମଣ କ୍ଷେତ୍ରରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଇ ସାରିଛି। ତହିଁରୁ ଆଉ ଯାହା ପ୍ରମାଣିତ ହୋଇଥାଉ ବା ନ ଥାଉ, ଏତିକି ସ୍ପଷ୍ଟ ହୋଇଛି ଯେ ମନୁଷ୍ୟଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ଅନ୍ତତଃ ନିରାପଦ। ସୁତରା˚, ସାର୍ବଜନୀନ ବ୍ୟବହାର ଲାଗି ଉପଲବ୍‌ଧ ହେବା ପୂର୍ବରୁ ଦୀର୍ଘକାଳୀନ ବହୁବିଧ ପରୀକ୍ଷଣ ପର୍ଯ୍ୟାୟ ମଧୢରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବ˚ ସମୟସାପେକ୍ଷ ପର୍ଯ୍ୟାୟଟିକୁ (ମନୁଷ୍ୟଙ୍କ ଲାଗି ବିପଦଶୂନ୍ୟ) ଅତିକ୍ରମ କରିବାରେ ‘ଭ୍ୟାକ୍‌ସିନ୍‌’ଟି ସଫଳ ହୋଇଛି। ତେଣୁ, ଏବେ କେବଳ ଏହି ‘ଭ୍ୟାକ୍‌ସିନ୍‌’ର ଫଳପ୍ରଦତାକୁ ନେଇ ମନୁଷ୍ୟମାନଙ୍କ ଉପରେ ଚାଲିଥିବା ବ୍ୟାପକ ପରୀକ୍ଷାନିରୀକ୍ଷାର ନିଷ୍କର୍ଷକୁ ପ୍ରତୀକ୍ଷା କରାଯାଇଛି। ତେବେ, ଏହି ପରୀକ୍ଷଣ କ୍ରମରେ ଯାହା ଅତ୍ୟନ୍ତ ସାନ୍ତ୍ବନାମୂଳକ ତାହା ହେଲା, ମନୁଷ୍ୟର ‘ଜିନ୍‌ଗତ ସ˚ରଚନା’ ସହିତ ଅତ୍ୟନ୍ତ ଘନିଷ୍ଠ ରୂପେ ଜଣା ‘ରିସସ୍‌’ ପ୍ରଜାତିର ଛଅଟି ମର୍କଟଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ହାମିଲଟନ୍‌ସ୍ଥିତ ‘ରକି ମାଉଣ୍ଟେନ୍‌ ପରୀକ୍ଷାଗାର’ରେ ଏହି ‘ଭ୍ୟାକ୍‌ସିନ୍‌’ର ଟିକା ଲଗାଯାଇ ସେମାନଙ୍କୁ ‘କୋଭିଡ୍‌-୧୯’ ଭୂତାଣୁର ଏକ ଅତ୍ୟନ୍ତ ସଘନ ପରିବେଶରେ କ୍ରମାଗତ ୨୮ ଦିନ ଧରି ରଖାଯିବା ସତ୍ତ୍ବେ ସେମାନେ କରୋନା ସ˚କ୍ରମିତ ହୋଇ ନାହାନ୍ତି। ଏଥିରୁ ମନୁଷ୍ୟଙ୍କ କ୍ଷେତ୍ରରେ ଏହାର ସଫଳତା ନେଇ ଆଶା ସ˚ଚାରିତ ହୋଇଛି। କିନ୍ତୁ ମନୁଷ୍ୟ ନିକଟରେ ଏହାର ଫଳପ୍ରଦତା ଚୂଡ଼ାନ୍ତ ରୂପେ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଏ ନେଇ କୌଣସି ନିଶ୍ଚିତ ନିଷ୍କର୍ଷରେ ଉପନୀତ ହେବା ପ୍ରମାଦପୂର୍ଣ୍ଣ ହୋଇପାରେ।

କିନ୍ତୁ, କେବଳ ଏତିକିରେ ଏହି ଉତ୍ସର୍ଗୀକୃତ ଉଦ୍ୟମର କଥା ସମାପ୍ତ ହେଉନାହିଁ। ଏହି ସମୟରେ ଏଭଳି ଆଉ ଏକ ଘଟଣା ଘଟିଛି, ଯାହା ଏହି ଉଦ୍ୟମକୁ ଅଧିକ ମହିମାନ୍ବିତ କରିପାରିଛି। ତାହା ହେଲା, ଏହି ‘ଭ୍ୟାକ୍‌ସିନ୍‌’ର ଫର୍ମୁଲାକୁ ଏକଚାଟିଆ କରିବା ସକାଶେ ‘ପ୍ୟାଟେଣ୍ଟ’ ଲାଗି ଆଗ୍ରହୀ ଏକ ବିଶାଳ ଆମେରିକୀୟ ଔଷଧ ନିର୍ମାତା କ˚ପାନି ଦ୍ବାରା ଅକଳ୍ପନୀୟ ବିତ୍ତ ପ୍ରଦାନର ଲୋଭକୁ ‘ଜେନର ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଏଡ୍ରିଆନ୍‌ ହିଲ୍‌ଙ୍କ ପ୍ରତ୍ୟାଖ୍ୟାନ। ବର˚, ବିଶ୍ବ କଲ୍ୟାଣ ପାଇଁ ଏହି ସୂତ୍ରକୁ ସେ ଯେ କୌଣସି ଆଗ୍ରହୀ ରାଷ୍ଟ୍ରକୁ ପ୍ରଦାନ କରିବା ଲାଗି ପ୍ରସ୍ତୁତ। ସେହି କ୍ରମରେ ଭାରତର ପ୍ରସିଦ୍ଧ ‘ଭ୍ୟାକ୍‌ସିନ୍‌’ ନିର୍ମାଣକାରୀ ଉଦ୍ୟୋଗ ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ (ପୃଥିବୀର ବୃହତ୍ତମ ‘ଭ୍ୟାକ୍‌ସିନ୍‌’ ପ୍ରସ୍ତୁତକାରୀ ସ˚ସ୍ଥା) ଏହି ଫର୍ମୁଲା ଆଧାରରେ ଆସନ୍ତା ମେ ମାସରୁ ‘ଭ୍ୟାକ୍‌ସିନ୍‌’ ତିଆରି କରିବାକୁ ଯାଉଛି, ଯାହା ଫଳରେ ଆଗାମୀ ସେପ୍‌ଟେମ୍ବର ମାସ ସୁଦ୍ଧା ୨୦ରୁ ୪୦ ନିୟୁତ ‘ଭ୍ୟାକ୍‌ସିନ୍‌ ଭାଇଲ’ ପ୍ରସ୍ତୁତ ହୋଇ ସାରିଥିବ।

ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଏହି ‘ଭ୍ୟାକ୍‌ସିନ୍‌’ ଚୂଡ଼ାନ୍ତ ଅନୁମୋଦନ ଲାଭ କରି ନ ଥିବା ସତ୍ତ୍ବେ ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ଭଳି ଏକ ଘରୋଇ ବ୍ୟାବସାୟିକ ଉଦ୍ୟୋଗ ତାର ଭବିଷ୍ୟତ୍‌ର ଲାଭକ୍ଷତିକୁ ବିଚାରକୁ ନ ନେଇ କିଛି କୋଟି ଟଙ୍କା ବିନଯୋଗ କରି ‘ଭ୍ୟାକ୍‌ସିନ୍‌’ ଟିକା ପ୍ରସ୍ତୁତ କରିବା ଲାଗି ଆଗେଇ ଆସିବା।

ସେହି ଦୃଷ୍ଟିରୁ ଏଡ୍ରିଆନ ହିଲ ହୁଅନ୍ତୁ ବା ‘ସେରମ ଇନଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଆଦର ପୁୁନାଵାଲା ହୁଅନ୍ତୁ; ଏହି ଦାରୁଣ ସ˚କଟ କାଳରେ ମାନବତାର ଗୋଟିଏ ଗୋଟିଏ ଚମକପ୍ରଦ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପ୍ରତିଷେଧକ ସଫଳ ହେଉ ବୋଲି ପୃଥିବୀ ବ୍ୟାପୀ ପ୍ରାର୍ଥନା ଚାଲିଛି। ଏହାର ସଫଳତା ‘କୋଭିଡ୍‌-୧୯’ ବିପକ୍ଷରେ ମନୁଷ୍ୟ ଜାତିର ଏକ ସର୍ବକାଳୀନ ବିଜୟରେ ପରିଣତ ହୋଇପାରେ। କିନ୍ତୁ ଦୈବାତ୍‌ ଯଦି ଏହି ଟିକା ବିଫଳ ହୁଏ, ତେବେ ପରିଶ୍ରମ, ସମୟ ଏବଂ ଅର୍ଥର ପ୍ରଭୂତ କ୍ଷତି ସହିଥିବା ଏଡ୍ରିଆନ୍‌ ହିଲ ବା ଆଦର ପୁନାଵାଲାଙ୍କ ଭଳି ବ୍ୟକ୍ତିମାନଙ୍କ ଉଦ୍ୟମ ମାନବତାର ମସ୍ତକରେ ବିଜୟର ଟିକା ରୂପେ ଶୋଭା ପାଇବ।

ସମ୍ବନ୍ଧିତ ଖବର