ବିଭୀଷିକାର ବଣିକ!

ଯେ କୌଣସି ପରିସ୍ଥିତିରେ ହେଉ; ତହିଁରୁ ଲାଭ ଉଠାଇବା ଲାଗି ପୁ˚ଜିପତିମାନେ ପ୍ରଦର୍ଶନ କରୁଥିବା ଲୋଭକୁ ଆକ୍ଷେପ କରି କାର୍ଲ ମାର୍କ‌୍‌ସ ଥରେ କହିଥିଲେ ଯେ ଯଦି ପୃଥିବୀର ଅନ୍ତିମ ପୁ˚ଜିପତିଙ୍କୁ ଫାଶୀ ଦିଆଯାଏ, ତେବେ ଅନେକଟା ସମ୍ଭବ ଯେ ଫାଶୀରେ ବ୍ୟବହୃତ ଦଉଡ଼ିଟି ସେହି ପୁ˚ଜିପତିଙ୍କ ଠାରୁ ହିଁ କିଣା ଯାଇଥିବ। କାର୍ଲ ମାର୍କ‌୍‌ସଙ୍କ ଦୃଷ୍ଟିିରେ ଶିଳ୍ପୋନ୍ନତ ପାଶ୍ଚାତ୍ୟ ବିଶ୍ବ ଥିଲା ଏଭଳି ପୁ˚ଜିପତିମାନଙ୍କ ଆବାସ ସ୍ଥଳ। ଏହା ମଧୢ ସତ ଯେ ମାର୍କ‌୍‌ସଙ୍କ ଉପରୋକ୍ତ ବକ୍ତବ୍ୟର ଆକ୍ଷରିକ ଅର୍ଥ କରା ନ ଯାଇ ଯଦି ଏକ ସା˚କେତିକ ଅର୍ଥ ବାହାର କରାଯାଏ, ତେବେ ସେ ପୋଷଣ କରିଥିବା ଏଭଳି ଧାରଣା ଯେ ନିହାତି ଅବାନ୍ତର ନୁହେଁ ତାହା ଅନେକ ପୁ˚ଜିପତିଙ୍କ ଆଭିମୁଖ୍ୟରୁ ବୁଝା ପଡ଼ିଯିବ। କିନ୍ତୁ ପ୍ରଶ୍ନ ଉଠେ ମାର୍କ‌୍‌ସଙ୍କ ସମୟ କାଳ ଏବ˚ ବର୍ତ୍ତମାନ ମଧୢରେ ରହିଥିବା ପ୍ରାୟ ଶହେ ଚାଳିଶ ବର୍ଷର ବ୍ୟବଧାନ ଭିତରେ ଅର୍ଥନୀତି, ବାଣିଜ୍ୟ-ବ୍ୟବସାୟ ତଥା ‘ଲାଭର ଲୋଭ’ ଆଦି ବ୍ୟାପାରରେ ଯାହା ସବୁ ଘଟିଛି; ଆଜି ଯଦି ତାହା ମାର୍କ‌୍‌ସ ନିଜେ ଦେଖନ୍ତେ, ତେବେ ତାଙ୍କ ମନରେ କିଭଳି ପ୍ରତିକ୍ରିୟା ସୃଷ୍ଟି ହୁଅନ୍ତା? ତାଙ୍କ ଦ୍ବାରା ପ୍ରବର୍ତ୍ତିତ ସାମ୍ୟବାଦୀ ରାଜନୈତିକ ଆଦର୍ଶ ସାରା ପୃଥିବୀରେ ନିଷ୍ପ୍ରଭ ହୋଇ ସାରିଥିବା ବେଳେ ତାକୁ ଏ ଯାବତ୍‌ ଏକ ଅଭେଦ୍ୟ ଦୁର୍ଗ ତୁଲ୍ୟ ଆଶ୍ରୟ ପ୍ରଦାନ କରି ବଞ୍ଚାଇ ରଖିଥିବା ରାଷ୍ଟ୍ର ଚୀନ୍‌ର ବ୍ୟାବସାୟିକ ମତିଗତିକୁ ଦେଖି ସେ ଗଭୀର ମର୍ମଦାହ ଦ୍ବାରା ଛଟପଟ ହୁଅନ୍ତେ ନା ରସିକତା ବଜାୟ ରଖି ଆମୋଦିତ ହୁଅନ୍ତେ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଲା କରୋନା ସ˚କ୍ରମଣର ପ୍ରାରମ୍ଭିକ କାଳରେ ଅବଶିଷ୍ଟ ପୃଥିବୀକୁ ଏ ସ˚ପର୍କରେ ସତର୍କ ନ କରାଇ ତା’ ବଦଳରେ ଚୀନ ଯାହା ସବୁ କରିଛି ବୋଲି ଏବେ ପ୍ରକଟ ହେବାରେ ଲାଗିଛି ତାରି ଆଧାରରେ ଚୀନକୁ ‘ବିଭୀଷିକାର ବଣିକ’ ବୋଲି ଏକ ନୂତନ ବିଶେଷଣ ଦ୍ବାରା ସମ୍ବୋଧନ କରାଗଲେ ହୁଏ’ତ ଅତିଶୟୋକ୍ତି ହେବନାହିଁ। ସେହି ପରିପ୍ରେକ୍ଷୀରେ କିଛି ସଦ୍ୟ ପ୍ରାପ୍ତ ସୂଚନା ସ˚ପର୍କରେ ଏକ ଆଲୋଚନାର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗଲା ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ‘ହୋମ୍‌ଲାଣ୍ତ ସିକ୍ୟୁରିଟି’ (ଭାରତର ‘ଇନ୍‌ଟେଲିଜେନ୍‌ସ ବ୍ୟୁରୋ’ ଭଳି) ଦ୍ବାରା ପ୍ରସ୍ତୁତ ଏକ ଆନୁଷ୍ଠାନିକ ଦସ୍ତାବିଜର କିଛି ଅ˚ଶ ଲିକ୍‌ ହୋଇ ସେହି ଦେଶର ସର୍ବାଧିକ ନିର୍ଭରଯୋଗ୍ୟ ନିଉଜ୍‌ ୱେବ୍‌ସାଇଟ୍‌ ‘ପଲିଟିକୋ ଡଟ୍‌ କମ୍‌’ ଦ୍ବାରା ପ୍ରକାଶିତ ହେବା ପରେ ତହିଁରେ ଚୀନ୍‌ର ଏକ ଗର୍ହିତ ଅଭିସନ୍ଧି ଦୃଷ୍ଟିିଗୋଚର ହୋଇଛି। ସେହି ଦସ୍ତାବିଜ କହିଛି ଯେ ଗଲା ଜାନୁଆରି ମାସର ଆଦ୍ୟ ଭାଗରେ ଯେତେବେଳେ ଚୀନରେ କରୋନା ସ˚କ୍ରମଣ ବ୍ୟାପିବା ଆରମ୍ଭ ହୋଇଥିଲା, ସେହି ସମୟରେ ଏହା ଏକ ସମ୍ଭାବ୍ୟ ‘ପାନ୍‌ଡେମିକ୍‌’ ବା ବିଶ୍ବ ମହାମାରୀରେ ପରିଣତ ହେବ ବୋଲି ସଠିକ ପୂର୍ବାନୁମାନ ଲଗାଇ ଏହି ବିଭୀଷିକାରୁ କିଭଳି ଲାଭ ଉଠାଯାଇ ପାରେ, ତାର ନିରବ ପ୍ରସ୍ତୁତି ଚୀନ ପକ୍ଷରୁ ଆରମ୍ଭ କରାଯାଇଥିଲା। ସୁୁତରା˚, ଏହି ସମୟରେ ଚୀନ ନିଜ ଦେଶରୁ ମାସ୍କ୍‌, ପି.ପି.ଇ. (ପର୍ସନାଲ ପ୍ରୋଟେକ୍‌ଟିଭ୍‌ ଇକ୍ବିପ୍‌ମେଣ୍ଟ୍‌), ଗ୍ଲୋଭ୍‌ସ ଏବ˚ ଥର୍ମୋମିଟର ପର୍ଯ୍ୟନ୍ତରେ ବିଭିନ୍ନ ଜରୁରୀ ସ୍ବାସ୍ଥ୍ୟ ସରଞ୍ଜାମ (ଏହି ସ˚କ୍ରମଣ କାଳରେ ଲୋଡ଼ା)ର ରପ୍ତାନି ଉପରେ ସନ୍ତର୍ପଣରେ କଟକଣା ଲଗାଇବା ସହିତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରର କ˚ପାନିଗୁଡ଼ିକ ଠାରୁ ଏ ସବୁର ବିପୁଳ ଆମଦାନି କରିବା ଆରମ୍ଭ କରିଦେଇଥିଲା। ଆଉ ମାତ୍ର ଦେଢ଼ କି ଦୁଇ ମାସ ପରେ ଏକ ଅଭୂତପୂର୍ବ ‘ପାନ୍‌ଡେମିକ୍‌’ର ସୁନାମିରେ ସ˚ପୂର୍ଣ୍ଣ ରୂପେ ଡୁବି ଯିବେ ବୋଲି ଘୁଣାକ୍ଷରରେ ସୁଦ୍ଧା ଧାରଣା କରି ପାରି ନ ଥିବା ଏହି ସବୁ ରପ୍ତାନିକାରୀ ରାଷ୍ଟ୍ର ଯେତେବେଳେ ନିଜ ନିଜ ଦେଶରେ ସେ ସବୁର ଘୋର ଅଭାବ ଦ୍ବାରା ଅସହାୟ ହୋଇପଡ଼ିଥିଲେ, ସେତିକି ବେଳକୁ ଚୀନ୍‌ ଏହି ସବୁ ଜରୁରୀ ଉପକରଣର ଏକ ପାହାଡ଼ ଉପରେ ବସିଥିଲା। ‘ହୋମଲାଣ୍ତ ସିକ୍ୟୁରିଟି’ ଦ୍ବାରା ସ˚ଗୃହୀତ ତଥ୍ୟରୁ ମିଳିଥିବା ସୂଚନା କହିଥାଏ ଯେ ଜାନୁଆରି ମାସରେ ଚୀନରେ ମାସ୍କ୍‌ର ଆମଦାନିରେ ୭୮%, ସର୍ଜିକାଲ ଗାଉନ୍‌ରେ ୭୨%, ଗ୍ଲୋଭ୍‌ସରେ ୩୨% ଅଚାନକ ବୃଦ୍ଧି ଦେଖିବାକୁ ମିଳିଥିଲା। ସେହି ସମୟରେ ଚୀନ ରପ୍ତାନି କରୁଥିବା ମାସ୍କ୍‌ରେ ୪୮%, ସର୍ଜିକାଲ ଗାଉନ୍‌ରେ ୭୧%, ଗ୍ଲୋଭ୍‌ସରେ ୪୮%, ଭେଣ୍ଟିଲେଟରରେ ୪୫%, ଇନକ୍ୟୁବେଟରରେ ୫୬%, ଥର୍ମୋମିଟରରେ ୫୨% ଏପରିକି ତୁଳା ଏବ˚ ସ୍ବାବ୍‌ରେ ୫୨% ରପ୍ତାନି ହ୍ରାସ ଘଟାଇଥିଲା। ପୁଣି କେବଳ ସେତିକି ନୁହେଁ, ଏହାକୁ ଲୁଚାଇବା ଲାଗି ଚୀନ ଜାନୁଆରି ମାସରେ ତାର ମାସିକିଆ ‘ଟ୍ରେଡ୍‌ ରିପୋର୍ଟ‌୍‌’ ପ୍ରକାଶ ନ କରି ଫେବ୍ରୁଆରି ମାସର ଶେଷରେ ଦୁଇ ମାସର ରିପୋର୍ଟ ଏକକାଳୀନ ପ୍ରକାଶ କରିଥିଲା। ତେଣୁ, ଚୀନ୍‌ର ଏଭଳି ଅସ୍ବାଭାବିକ କାର୍ଯ୍ୟକଳାପରୁ କେହି କିଛି ଠଉରାଇ ପାରିବା ପୂର୍ବରୁ ‘କୋଭିଡ୍‌-୧୯’ ଭୂତାଣୁ ଚୀନରୁ ତାର ବିଶ୍ବ ପରିଭ୍ରମଣ ଆରମ୍ଭ କରି ସାରିଥିଲା। ଏହି ସମୟ ଖଣ୍ତରେ ଚୀନରେ କାର୍ଯ୍ୟ କରୁଥିବା ବିରୋଧୀ-ଭାବାପନ୍ନ ବିଦେଶୀ ଗଣମାଧୢମର ପ୍ରତିନିଧିମାନଙ୍କୁ ଦେଶରୁ ବହିଷ୍କାର ମଧୢ କରି ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଯଦି କେହି ଏହା ସାବ୍ୟସ୍ତ କରିବାକୁ ଉଦ୍ୟମ କରନ୍ତି ଯେ ପ୍ରକୃତରେ ଉହାନରେ ଆରମ୍ଭ ହୋଇଥିବା ସ˚କ୍ରମଣର ମୁକାବିଲା ସକାଶେ ଚୀନ ଏଭଳି ଏକ ପଦକ୍ଷେପ ନେବାକୁ ବାଧୢ ହୋଇଥିଲା ଅଥବା ଏ ସବୁ ମହଜୁଦ କରି ରଖିବାର ତାର କୌଣସି ଅଭିପ୍ରାୟ ହୁଏ’ତ ନ ଥିଲା, ତେବେ ପ୍ରଶ୍ନ କରାଯାଇପାରେ ଯେ ‘କୋଭିଡ୍‌-୧୯’ ସ˚କ୍ରମଣକୁ ପ୍ରମୁଖ ଭାବେ ତାର ଉତ୍ପତ୍ତି ସ୍ଥଳ ହୁବେଇ ପ୍ରଦେଶ ବା ଉହାନ ନଗରୀ ଭିତରେ ପ୍ରାୟତଃ ସୀମିତ ରଖି ନିଜ ଦେଶର ଅନ୍ୟତ୍ର ଏହାକୁ ବ୍ୟାପିବାକୁ ଦେଇ ନଥିବା ଚୀନ ଅବଶିଷ୍ଟ ବିଶ୍ବକୁ ସେଭଳି ସୁରକ୍ଷିତ ରଖିବା ଲାଗି ପ୍ରୟାସ କଲା ନାହିଁ କାହିଁକି? ଉହାନରୁ ସ˚କ୍ରମଣ ତେହରାନ (ଇରାନ) ବା ମିଲାନ(ଇଟାଲି)ରେ ପହଞ୍ଚିଲା କେମିତି?

ସମସ୍ତେ ଜାଣନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା କେବଳ ଏକ ନିରୋଳା ପୁ˚ଜିବାଦୀ ରାଷ୍ଟ୍ର ନୁହେଁ, ପୁ˚ଜିବାଦର ଏକ ପରମ ପ୍ରତୀକ। ଯେ କୌଣସି ବ୍ୟାପାରରେ ଲାଭ ହାସଲ କରିବାର ଆମେରିକୀୟ ଦୃଷ୍ଟିଭଙ୍ଗୀ ଅନ୍ତତଃ କାହା ଲାଗି ଗୋପନୀୟ ହୋଇ ରହିନାହିଁ। କିନ୍ତୁ ‘ମାର୍କସବାଦ’ ଓ ‘ପୁ˚ଜିବାଦ’ର ଏକ ଘାତକ ସମ୍ମିଶ୍ରଣ ଚୀନକୁ ଆଜି ଏକ ଛଦ୍ମବେଶୀ ରାବଣରେ ପରିଣତ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ମଧୢ ‘ଲାଭର ଲୋଭ’ ବଶବର୍ତ୍ତୀ ହୋଇ ବିଭୀଷିକାକାଳୀନ ବାଣିଜ୍ୟର ଫାଇଦା ଉଠାଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ଅମିତ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ଉଦ୍ୟୋଗ (ପୃଥିବୀରେ ବୃହତ୍ତମ) ସୀମାନ୍ତର ସୈନିକମାନଙ୍କ ଠାରୁ ଆରମ୍ଭ କରି ଆତଙ୍କବାଦୀଙ୍କ ପର୍ଯ୍ୟନ୍ତରେ ସମସ୍ତଙ୍କ ଶସ୍ତ୍ରାଗାରକୁ ସମାନ ରୂପେ ପରିପୁଷ୍ଟ କରିଥାଏ। ଏବ˚ ଏହା ମଧୢ କୁହାଯାଇଥାଏ ଯେ ବିଶ୍ବରେ ସମସ୍ତ ପ୍ରକାର ଶାନ୍ତିକାମୀ ଉଦ୍ୟମ ସତ୍ତ୍ବେ ଯୁଦ୍ଧ ଅବ୍ୟାହତ ରହିବାର କାରଣ ଆମେରିକା ପ୍ରକୃତରେ ଶାନ୍ତି ଚାହେନାହିଁ। କିନ୍ତୁ ଆମେରିକାର ଏ ଆଭିମୁଖ୍ୟ ଆଦୌ ଗୋପନୀୟ ନୁହେଁ। ତେବେ ସ˚ପ୍ରତି କରୋନା ସ˚କ୍ରମଣ କାଳୀନ ବିଭୀଷିକା ବେଳେ ଯାହା ପରିଦୃଷ୍ଟ ହେଲା, ତାହା ହେଲା ଚୀନ ତାର ଆଭିମୁଖ୍ୟକୁ ଅତି ଯତ୍ନର ସହିତ ଗୋପନ ରଖି ତାକୁ ଏକ ଅଭିସନ୍ଧିରେ ପରିଣତ କରିଛି ଏବ˚ ଏକ ଅତ୍ୟନ୍ତ ସମର୍ଥ ବିଭୀଷିକାର ବଣିକ ରୂପେ ଆବିର୍ଭୂତ ହୋଇଛି।

ସମ୍ବନ୍ଧିତ ଖବର