ସାକ୍ଷୀ ଭାବ

ମନୁଷ୍ୟର ‘ସାକ୍ଷୀ ଭାବ’ ସ୍ଥିତିଟି ଏକ ସର୍ବୋତ୍କୃଷ୍ଟ ଚିତ୍ତଗତ ଉପଲବ୍‌ଧି ବୋଲି ଅନେକ ସମୟରେ ଆଧୢାତ୍ମିକ ଗୁରୁମାନେ କହିଥାଆନ୍ତି। ଏହାକୁ ବୁଝାଇବାକୁ ଯାଇ ସେମାନେ କହନ୍ତି ଯେ ଗୋଟିଏ କ୍ୟାମେରାର ‘ଆଖି’ (‌େଲନ୍‌ସ) ଯାହା ଦେଖିଥାଏ, ତାହା ହେଉଛି ନିର୍ଲିପ୍ତତା ଓ ନିରପେକ୍ଷତାର ସବୁଠାରୁ ବଡ଼ ଉଦାହରଣ। ଆହୁରି ଗଭୀରକୁ ପ୍ରବେଶ କରି ସେମାନେ କହିଥାଆନ୍ତି ଯେ ଯେମିତି କ୍ୟାମେରାର ଆଖିରେ ଯାହା ପଡ଼େ, ତାକୁ ସେ ତୋଳି ଧରେ ସିନା, ତଦ୍ଦ୍ବାରା କ୍ୟାମେରାର ଚିତ୍ତ ଚାଞ୍ଚଲ୍ୟ ଘଟି ନ ଥାଏ, ସେମିତି ଯଦି ମନୁଷ୍ୟର ଆଖି ଚିତ୍ତ-ଚାଞ୍ଚଲ୍ୟ ଶୂନ୍ୟ ହୋଇ କୌଣସି ବସ୍ତୁକୁ ଦେଖିପାରେ, ତେବେ ତାହା ଏକ ପରମ ଉତ୍ତରିତ ସ୍ଥିତି ହେବ, ଯାହାକୁ କୁହାଯିବ ‘ସାକ୍ଷୀ ଭାବ’। କିନ୍ତୁ, ବାସ୍ତବରେ ଦେଖାଯାଇଥାଏ ଯେ କ୍ୟାମେରାକୁ ଚାଳନା କରୁଥିବା ମନୁଷ୍ୟର ଆଖି ଯାହା ଓ ଯେମିତି ଦେଖିବାକୁ ଚାହିଁଥାଏ, କ୍ୟାମେରା ସେଭଳି ଦେଖିବାକୁ ବାଧୢ ହୋଇଥାଏ। ଏଭଳି ଏକ ସ୍ଥିତିରେ ଯଦି ବିଭିନ୍ନ କାରଣରୁ ଫଟୋଟିର ପଛରେ ରହିଥିବା ଉଦ୍ଦେଶ୍ୟ ବା ଆଦର୍ଶ ବା ଅଭିସନ୍ଧି ଆଦିକୁ ନେଇ ଚର୍ଚ୍ଚା ବା ରାଜନୀତି କରାଯାଏ, ତେବେ ହୁଏତ କ୍ୟାମେରାଟିର ହୃଦୟରୁ ଉତ୍ପନ୍ନ ଫଟୋଟି ତାର ନିିରପେକ୍ଷତା ହରାଇଥାଏ। ନିକଟରେ ଜାମ୍ମୁ ଓ କାଶ୍ମୀରର ତିନି ଜଣ ଫଟୋ ସାମ୍ବାଦିକ ‘ସାମ୍ବାଦିକତା ଓ ସାହିତ୍ୟ’ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବିଶ୍ବର ଅନ୍ୟତମ ସର୍ବଶ୍ରେଷ୍ଠ ସମ୍ମାନ ‘ପୁଲିଜର ପୁରସ୍କାର’ ଲାଭ କରିବା ପରିପ୍ରେକ୍ଷୀରେ ଏଭଳି ସ୍ଥିତିଟିଏ ସୃଷ୍ଟି ହୋଇଛି, ଯାହା ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।

ପାଠକପାଠିକାମାନଙ୍କ ସ୍ମରଣରେ ଥାଇପାରେ କି ଗଲା ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ବାରା ଧାରା ୩୭୦ ଏବ˚ ୩୫(ଏ)ର ଅପସାରଣ କରାଯିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜାମ୍ମୁ ଓ କାଶ୍ମୀରରେ କେତେ ମାସ ଧରି କର୍ଫ୍ୟୁ ଜାରି କରାଯିବା ସହିତ ସେଠାରେ ଇଣ୍ଟରନେଟ୍‌ ଓ ଟେଲି ଯୋଗାଯୋଗ ସେବାକୁ ଅଚଳ କରି ଦିଆଯାଇଥିଲା। ସେହି ସମୟରେ ଜାମ୍ମୁ ଓ କାଶ୍ମୀରର ଅନେକ ନେତାଙ୍କୁ ଅଟକ ମଧୢ ରଖାଯାଇଥିଲା। ସେହି ସମୟ କାଳ ମଧୢରେ ଜାମ୍ମୁ ଓ କାଶ୍ମୀର ଅଧିବାସୀମାନଙ୍କ ଜୀବନ ଯାତ୍ରାକୁ କ୍ୟାମେରାରେ ତୋଳି ଧରିଥିଲେ ‘ଆସୋସିଏଟେଡ୍‌ ପ୍ରେସ୍‌’ ବା ‘ଏପି’ରେ କାର୍ଯ୍ୟରତ ତିନି ଫଟୋ ସାମ୍ବାଦିକ ମୁକ୍ତାର ଖାଁ, ଦର ୟସିନ ଏବ˚ ଜାମ୍ମୁର ଚନ୍ନି ଆନନ୍ଦ। ସେହି ହୃଦୟସ୍ପର୍ଶୀ ଫଟୋଗୁଡ଼ିକ ଚଳିତ ବର୍ଷ ସର୍ବଶ୍ରେଷ୍ଠ ଫିଚର ଫଟୋ ରୂପେ ‘ପୁଲିଜର ପୁରସ୍କାର’ ଲାଭ କରିଛନ୍ତି। ଯଦିଓ ଏହି ଫଟୋଗୁଡ଼ିକର ଆବେଦନ ବା ଫଟୋଗ୍ରାଫରମାନଙ୍କ କାର୍ଯ୍ୟର ଉତ୍କର୍ଷ ନେଇ କୌଣସି ପ୍ରଶ୍ନ ଉଠିନାହିଁ, ତଥାପି ଏ ସବୁକୁ କେନ୍ଦ୍ର କରି ଉଠିଥିବା ଏକ ରାଜନୈତିକ ବିତର୍କ ଏ ସବୁ ଫଟୋ ଉଠା ଯିବା ପଛରେ ରହିଥିବା ଉଦ୍ଦେଶ୍ୟକୁ ସନ୍ଦେହାସ୍ପଦ କରି ପକାଇଛି। କ˚ଗ୍ରେସ ନେତା ରାହୁଳ ଗାନ୍ଧୀ ଏହି ଫଟୋଗ୍ରାଫରମାନଙ୍କ ଉଚ୍ଛ୍ବସିତ ପ୍ରଶ˚ସା କରି ସେମାନଙ୍କ କାର୍ଯ୍ୟ ଲାଗି ଗର୍ବିତ ବୋଲି ଟ୍ବିଟ୍‌ କରିବା ମାତ୍ରକେ ଏହାର ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ସ˚ବିତ ପାତ୍ର ଯାହା କହିଛନ୍ତି ତାହା ହେଲା କାଶ୍ମୀର ଉପତ୍ୟକାରେ ଭାରତ ବିରୋଧୀ ମନୋଭାବକୁ ଦର୍ଶାଇବା ଲାଗି ଏହା ହେଉଛି ତିନି କାଶ୍ମୀରୀ ଫଟୋଗ୍ରାଫରଙ୍କ ଉଦ୍ଦେଶ୍ୟ-ପ୍ରଣୋଦିତ ଉଦ୍ୟମ। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ସତରେ କ’ଣ ଏହି ଫଟୋଗ୍ରାଫରମାନେ ଜାମ୍ମୁ କାଶ୍ମୀରର ଏକ ନିର୍ଦ୍ଦିଷ୍ଟ ଚେହେରା (ଯାହା କେବଳ ଗୋଟିଏ ପାର୍ଶ୍ବ ମାତ୍ର!) ପୃଥିବୀ ସମକ୍ଷରେ ଉପସ୍ଥାପନ କରିବା ଲାଗି ଉଦ୍ୟମ କରିଛନ୍ତି?

ଗଲା ଅଗଷ୍ଟ ମାସରେ ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନ୍‌.ଡି.ଏ. ସରକାର ଗୋଟିଏ ପଟେ ଅଶେଷ ଜନ ସମର୍ଥନ ଲାଭ କରିଥିବା ବେଳେ ଅନ୍ୟ ଗୋଟିଏ ପଟେ ପ୍ରବଳ ସମାଲୋଚନାର ଶରବ୍ୟ ମଧୢ ହୋଇଥିଲା। କ˚ଗ୍ରେସ ନେତୃତ୍ବରେ ଏ ସମାଲୋଚନାର ଐକ୍ୟ ତାନ କେତେକ ଗୁରୁତ୍ବପୂର୍ଣ୍ଣ ପାଶ୍ଚାତ୍ୟ ଗଣମାଧୢମରେ ମଧୢ ଶୁଣିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ପାକିସ୍ତାନର ଅତ୍ୟନ୍ତ ଶାଣିତ ଭାରତ ବିରୋଧୀ ପ୍ରତିକ୍ରିୟାର ଏ ସବୁ ଥିଲା ଅତ୍ୟନ୍ତ ସମୀପବର୍ତ୍ତୀ। ଏହାର ପରବର୍ତ୍ତୀ ଅନେକ ଦିନ ଧରି ପାକିସ୍ତାନ ଧାରା ୩୭୦ ଉଚ୍ଛେଦ ବିରୋଧରେ ବିଶ୍ବ-ରାଷ୍ଟ୍ରମତ ଏକାଠି କରିବା ଲାଗି ଅକ୍ଳାନ୍ତ ଉଦ୍ୟମ ଚଳାଇଥିଲା। କେତେକ ତଥାକଥିତ ମାନବିକ ଅଧିକାର ସ˚ଗଠନ, ମାଲେସିଆ ବା ତୁର୍କୀ ଭଳି ମୁଷ୍ଟିମେୟ କିଛି ରାଷ୍ଟ୍ର, ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନର ବିରୋଧୀ ଦଳର କିଛି ନେତା ଏବ˚ କେତେକ ପାଶ୍ଚାତ୍ୟ ଗଣମାଧୢମକୁ ବାଦ ଦେଲେ ପାକିସ୍ତାନର ଏ ଉଦ୍ୟମ ବିଶେଷ କାହାକୁ ପ୍ରଭାବିତ କରିବାରେ ସଫଳ ହୋଇ ନ ଥିଲା। ଇତିମଧୢରେ ଆଠ ମାସ ବିତି ଯାଇଛି ଏବ˚ ଆନ୍ତର୍ଜାତିକ ସ୍ତରରେ ଭାରତ ବିରୋଧୀ ସ୍ବର ନିଷ୍ପ୍ରଭ ହୋଇସାରିଛି ବା ବଦଳିଛି। ତା ସହିତ ଏ ପ୍ରସଙ୍ଗରେ ଭାରତ ବିରୋଧୀ ସ୍ବର ଉତ୍ତୋଳନ କରୁଥିବା ଜେରେମି କୋର୍ବିନ ବା ବନି ସାଣ୍ତର୍ସ ଇତ୍ୟାଦିଙ୍କ ଭଳି ପାଶ୍ଚାତ୍ୟ ବାମବାଦୀ ନେତା ସେମାନଙ୍କ ନିଜ ନିଜ ଦଳ ଓ ଦେଶରେ ଗୁରୁତ୍ବ ହରାଇଛନ୍ତି। କିନ୍ତୁ ପାଶ୍ଚାତ୍ୟ ଗଣମାଧୢମରେ ଏ ପ୍ରସଙ୍ଗରେ ମନୋଭାବର ବିଶେଷ ପରିବର୍ତ୍ତନ ହୋଇନାହିଁ। ସେହି ପରିପ୍ରେକ୍ଷୀରେ ଯେଉଁ ଫଟୋଗୁଡ଼ିକ ଲାଗି ‘ପୁଲିଜର ପୁରସ୍କାର’ ମିଳିଛି, ତାହା ସ୍ବାଭାବିକ ଭାବେ ଭାରତରେ ରାଜନୈତିକ ଆଗ୍ରହର କେନ୍ଦ୍ର ହେବା ସହିତ ବିତର୍କକୁ ଜନ୍ମ ଦେଇଛି।

ତେବେ ଏହି ଦ୍ବିପାକ୍ଷିକ ବିତର୍କରେ ଗଲା ଗୁରୁବାର ଦିନ ଏକ ତୃତୀୟ ପକ୍ଷଙ୍କ ପ୍ରବେଶ ଘଟିଛି, ଯାହା ବିତର୍କର ପରିସରକୁ ଅଧିକ ବ୍ୟାପକ କରିଛି। ଏହି ତୃତୀୟ ପକ୍ଷ ହେଉଛନ୍ତି ଜାମ୍ମୁ ଓ କାଶ୍ମୀରର ଜନୈକ ପୁଲିସ ଅଧିକାରୀ ଇମତିଆଜ ହୁସେନ ମିର। ୨୦୧୭ରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜଣେ ପୁଲିସ କର୍ମଚାରୀଙ୍କ କୁନି ଝିଅ ପିତାଙ୍କ ନିଧନ ଖବର ପାଇ ସାନ୍ତ୍ବନାହୀନ ଭାବେ କ୍ରନ୍ଦନରତା ଥିବାର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଫଟୋକୁ ତାଙ୍କ ଟ୍ବିଟ୍‌ରେ ସ୍ଥାନିତ କରି ସେ ପ୍ରଶ୍ନ କରିଛନ୍ତି ଯେ ‘ପୁଲିଜର ପୁରସ୍କାର’ ଲାଗି ଲବି କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ କ’ଣ ଏଭଳି ଏକ ଫଟୋ ଦେଖି ନାହାନ୍ତି? ଏହା ଏକ ଯଥାର୍ଥ ପ୍ରଶ୍ନ ଭଳି ମଧୢ ମନେ ହୁଏ। କାଶ୍ମୀରରେ ଆତଙ୍କବାଦର ଛାୟା ତଳେ ସ˚ଘର୍ଷରତ ସୈନିକମାନଙ୍କ ଚରମ ବଳିଦାନକୁ ପାଶ୍ଚାତ୍ୟ ଗଣମାଧୢମ ଓ ଆମ ଦେଶର କିଛି ସମଭାବାପନ୍ନ ଗୋଷ୍ଠୀର ସ୍ବୀକୃତିହୀନତା ଏଭଳି ଏକ ପ୍ରଶ୍ନ ସୃଷ୍ଟି ହେବା ପଛରେ ଥିବା କାରଣ। ତେବେ, ଧରି ନିଆଯାଉ କ୍ରନ୍ଦନରତା କୁନି ଝିଅଟିର ସେହି ଅତ୍ୟନ୍ତ ମର୍ମସ୍ପର୍ଶୀ ଫଟୋକୁ କୌଣସି ସମତୁଲ ପୁରସ୍କାର ମିଳନ୍ତା। ତେବେ କ’ଣ ହୁଅନ୍ତା? ଖୁବ୍‌ ସମ୍ଭବ ଏହା ହୁଅନ୍ତା ଯେ ସେହି ଫଟୋଟି ସମସ୍ତଙ୍କ ହୃଦୟ ସ୍ପର୍ଶ କରୁଥିବା ବେଳେ ବିଜେପିର କୌଣସି ନେତାଙ୍କ ଦ୍ବାରା ତାର ପ୍ରଶ˚ସା ଓ କ˚ଗ୍ରେସର ତା ବିରୋଧରେ ସ୍ବାଭାବିକ ପ୍ରତିକ୍ରିୟା ଏହାର ରାଜନୀତୀକରଣ କରି ପକାନ୍ତା। ଏବ˚ ଏଭଳି ତର୍କ-ବିତର୍କର ଘନଘଟା ଭିତରେ ‘ସାକ୍ଷୀ ଭାବ’ ଅପ୍ରାସଙ୍ଗିକ ହୋଇ ପଡ଼ନ୍ତା।

ସମ୍ବନ୍ଧିତ ଖବର