ସବୁଜ ଘାସ

ତୃଣଭୋଜୀ ପ୍ରାଣୀମାନଙ୍କ ଭଳି ମଣିଷମାନେ ମଧୢ ‘ସବୁଜ ଘାସ’ର ସନ୍ଧାନରେ ବାହାର ଅଞ୍ଚଳ ଗମନ କରିଥାଆନ୍ତି। ଏଠାରେ ‘ସବୁଜ ଘାସ’ ହେଉଛି ଏକ ରୂପକଳ୍ପ ଯାହାର ଅର୍ଥ ଭାଗ୍ୟର ଅନ୍ବେଷଣ। କିନ୍ତୁ ପଶୁମାନଙ୍କ କ୍ଷେତ୍ରରେ ଭାଗ୍ୟ କେବଳ ସବୁଜ ଘାସ ରୂପୀ ଖାଦ୍ୟରେ ସୀମିତ ଥିବା ବେଳେ ମନୁଷ୍ୟମାନଙ୍କ ଲାଗି ତାହା ଜୀବିକା ବା ଆୟ ବା ସ˚ଚୟ ବା ଏକ ଉନ୍ନତ ଜୀବନଯାପନ ଭଳି ଏକ ବିଶାଳ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଥାଏ। ପ୍ରାଚୀନ ମଣିଷଙ୍କ ଭାଗ୍ୟର ଅନ୍ବେଷଣ ବା ‘ସବୁଜ ଘାସ’ର ସନ୍ଧାନ ନଦୀ ତଟୀୟ ଉର୍ବର ଚାରଣ ଭୂମିର ପ୍ରାପ୍ତିରେ ସମାପ୍ତ ହେଉଥିଲା, ଯାହା କ୍ରମେ ମନୁଷ୍ୟକୁ ଯାଯାବରରୁ ସ୍ଥାୟୀ ବାସିନ୍ଦାରେ ପରିଣତ କରି କୃଷିଭିତ୍ତିକ ସଭ୍ୟତାକୁ ଜନ୍ମ ଦେଇଥିଲା। କିନ୍ତୁ ଶିଳ୍ପର ବିକାଶ ପରେ ‘ସବୁଜ ଘାସ’ ପର୍ଯ୍ୟାୟରେ କୃଷିକୁ ଅପସାରଣ କରିଛି ଶିଳ୍ପ; କୃଷିଭିତ୍ତିକ ଗ୍ରାମକୁ ସ୍ଥାନାନ୍ତରିତ କରିଛି ମହତ୍ତ୍ବାକା˚କ୍ଷୀ ଉଦ୍ୟୋଗଭିତ୍ତିକ ସହର; ଯେଉଁଥିଲାଗି ‘କୃଷି ଓ ଗ୍ରାମ’ରୁ ‘ଉଦ୍ୟୋଗ ଓ ସହର’ ଆଡ଼କୁ ମାନବ ଗମନ ଅନବରତ ଜାରି ରହି ଆସିଛି। ଏଭଳି ଏକ ସ୍ଥିତିରେ କରୋନାକାଳୀନ ‘ଲକ୍‌ଡାଉନ୍‌’ ଅଚାନକ ସବୁଜ ଘାସର ଉପତ୍ୟକାକୁ ଧୂସର ମରୁ ଅଞ୍ଚଳରେ ପରିଣତ କରିଦେବା ଫଳରେ ବିଦେଶ ଭୂମିରେ ଜୀବିକା ହରାଇ ବସିଥିବା ଲକ୍ଷ ଲକ୍ଷ କି˚କର୍ତ୍ତବ୍ୟବିମୂଢ଼ ପ୍ରବାସୀ ନିଜ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରଦର୍ଶନ କରୁଥିବା ବ୍ୟାକୁଳତା ଏକ ‘ଅତି ବାସ୍ତବ’ ବା ‘ସର‌୍‌ରିଏଲ୍‌’ ସ୍ତରରେ ପହଞ୍ଚିଯାଇଛି। ଏହି ପରିପ୍ରେକ୍ଷୀରେ କିଭଳି ନିଜ ନିଜ ରାଜ୍ୟର ‘ଶୁଷ୍କାଞ୍ଚଳ’ରେ ସବୁଜିମା ସୃଷ୍ଟି କରି ଘର ବାହୁଡ଼ା ବିଶାଳ ସ˚ଖ୍ୟକ ମାନବ ସମ୍ବଳକୁ ନିଜ ମାଟିରେ ରୋଜଗାର ଦିଆଯାଇପାରିବ ତଥା ସେମାନଙ୍କ ବହିର୍ଗମନ ଧାରାରେ ବିରାମ ଲଗା ଯାଇପାରିବ, ସେ ପ୍ରସଙ୍ଗରେ ଅନେକ ସ୍ଥାନରେ ମାନସ ମନ୍ଥନ ଆରମ୍ଭ ହୋଇଗଲାଣି।

ଉଲ୍ଲେଖନୀୟ ଯେ ଭାରତର ଦୁଇ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ ଏବ˚ ମଧୢ ପ୍ରଦେଶ ସରକାର ଏ ଦିଗରେ ପ୍ରାଥମିକ ପଦକ୍ଷେପ ନେଇ ସାରିଲେଣି। ଏହା ଫଳରେ ସେମାନଙ୍କ ରାଜ୍ୟରେ ଥିବା ଶ୍ରମ ଆଇନରେ ଅସ୍ଥାୟୀ ଅଥଚ ବ୍ୟାପକ ସ˚ସ୍କାର ଆଣି ନିଜ ନିଜ ରାଜ୍ୟର ମୃତବତ୍‌ ଉଦ୍ୟୋଗ କ୍ଷେତ୍ର ଉପରେ ସଞ୍ଜୀବନୀ ସିଞ୍ଚିବାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ସରକାର ଏକ ଅଧୢାଦେଶ ଜାରି କରି ଅନ୍ତତଃ ପକ୍ଷେ ୩୫ଟି ଶ୍ରମ ଆଇନକୁ ତିନି ବର୍ଷ ଲାଗି ଅଚଳ କରି ଦେଇ ଶିଳ୍ପପତି ବା ନିଯୁକ୍ତିଦାତାଙ୍କ ଲାଗି ନୂତନ ଉଦ୍ୟୋଗ ପ୍ରାରମ୍ଭ କରିବା ସକାଶେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାର ପ୍ରୟାସ କରିଛନ୍ତି। ପ୍ରକାଶ ଥାଉ କି ଏହି ସବୁ ଆଇନ ଶ୍ରମିକଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଉଦ୍ଦିଷ୍ଟ, ଯାହା ମଧୢରେ ରହିଛି ସର୍ବନିମ୍ନ ମଜୁରି ଆଇନ, ସମାନ ପାରିଶ୍ରମିକ ଆଇନ, ଶିଳ୍ପ ନିଯୁକ୍ତି ଆଇନ, ଠିକା ଶ୍ରମିକ ଆଇନ, ଶିଳ୍ପ ବିବାଦ ଆଇନ ଭଳି ପଞ୍ଚତିରିଶଟି ଆଇନ। କେବଳ ଗୋତି ଶ୍ରମିକ ଆଇନ, ନିର୍ମାଣ ଶ୍ରମିକ ଆଇନ ଏବ˚ ମଜୁରି ପ୍ରଦାନ ଆଇନ ଭଳି ତିନିଟି ଆଇନ ତଥା ମହିଳା ଓ ଶିଶୁ କଲ୍ୟାଣ ଲାଗି ଉଦ୍ଦିଷ୍ଟ ଆଇନଗୁଡ଼ିକ ବ୍ୟତୀତ ବସ୍ତୁତଃ ଅନ୍ୟ ସବୁ ଆଇନକୁ ଅସ୍ଥାୟୀ ଭାବେ ଅଚଳ କରିଦିଆଯାଇଛି।

ବିଭିନ୍ନ ଶିଳ୍ପ ବା ଉଦ୍ୟୋଗରେ କାର୍ଯ୍ୟରତ ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା ଲାଗି ନିୟମିତ ସମୟ ଅନ୍ତରାଳରେ ଅଣାଯାଉଥିବା ଆଇନ କିଭଳି ଶ୍ରମିକମାନଙ୍କୁ ରୋଜଗାର ଯୋଗାଉଥିବା ଉଦ୍ୟୋଗଗୁଡ଼ିକର ଶ୍ବାସରୁଦ୍ଧ କରି ସେଗୁଡ଼ିକୁ ହତ୍ୟା କରିଛି, ତାର ଉଦାହରଣ ରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥାଏ। ଉତ୍ତର ପ୍ରଦେଶ‌ର ଆଲୋଚନା ଚାଲିଥିବା ବେଳେ ସେହି ରାଜ୍ୟର ଏକ ଉନ୍ନତ ଶିଳ୍ପ ନଗରୀ ଭାବେ ଏକଦା ପରିଚିତ କାନପୁରର ଉଦାହରଣ ନିଆଯାଇପାରେ, ଯାହା ଆଜି ମୃତ କାରଖାନାର କଙ୍କାଳମାନଙ୍କୁ ଧାରଣ କରି ଛିଡ଼ା ହୋଇଛି।

ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା ଲାଗି ଉଦ୍ଦିଷ୍ଟ ଅନେକ କଲ୍ୟାଣକାରୀ ଆଇନ କିଭଳି ଉଦ୍ୟୋଗର ବିନାଶ ସାଧନ କରିଥାଏ, ତାହାର ମଧୢ ଅନେକ ଦୃଷ୍ଟାନ୍ତ ଉପଲବ୍‌ଧ। ଉଦାହରଣ ସ୍ବରୂପ ୧୯୭୬ ମସିହାରେ ‘ଇମର୍ଜେନ୍‌ସି’ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଅଣାଯାଇଥିବା ଏକ ଆଇନ କହିଥିଲା ଯେ ୩୦୦ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଥିବା କୌଣସି ଉଦ୍ୟୋଗର ମାଲିକ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ, ଏପରିକି ଚରମ କ୍ଷତି ସହି ନିଜ ଉଦ୍ୟୋଗକୁ ବନ୍ଦ କରିବା ପୂର୍ବରୁ ଶ୍ରମ ବିଭାଗର ଅନୁମୋଦନ ପ୍ରାପ୍ତ କରିବା ଆବଶ୍ୟକ। ଫଳରେ ସେତେବେଳେ କୌଣସି ଉଦ୍ୟୋଗ ଆରମ୍ଭ କରିବା ଭଳି ତାକୁ ବନ୍ଦ କରିବା ଲାଗି ଏକ ପ୍ରକାର ଲାଇସେନ୍‌ସର ଆବଶ୍ୟକତା ପଡ଼ିଲା। ସେହିଭଳି ଶ୍ରମିକ ନିଯୁକ୍ତି ନେଇ ରହିଥିବା ଆଇନ କହିଥାଏ ଯେ ୨୦୦ରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଥିବା ଏକ ଉଦ୍ୟୋଗରେ ଯଦି କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ପଡ଼େ, ତାହା ହେଲେ ଉଦ୍ୟୋଗପତିଙ୍କୁ ଶ୍ରମ ବିଭାଗର ଅନୁମୋଦନ ଲାଭ କରିବାକୁ ହେବ। କହିବା ବାହୁଲ୍ୟ ଯେ ଏଭଳି ଅନୁମୋଦନ ପାଇବା ଅନେକ ସମୟରେ ଦୁରୂହ ବ୍ୟାପାର ହୋଇପଡ଼େ। ଏହି ସବୁ କାରଣରୁ ବୃହତ୍‌ ଉଦ୍ୟୋଗ ଆରମ୍ଭ କରିବାର ସ୍ବପ୍ନ ଦେଖୁଥିବା ଅନେକ ଉଦ୍ୟୋଗପତି ଅଧିକ ସ˚ଖ୍ୟକ ମାନବ ସମ୍ବଳର ଉପଯୋଗ କରି ସେମାନଙ୍କ ପ୍ରକଳ୍ପ ପ୍ରାରମ୍ଭ କରିବାରୁ ବିରତ ହୋଇଛନ୍ତି, ଯାହା ପ୍ରକାରାନ୍ତରେ ନିଯୁକ୍ତି ସ˚କୋଚନର କାରଣ ମଧୢ ହୋଇଛି। ସେହିଭଳି ସର୍ବନିମ୍ନ ମାତ୍ର ୭ ଜଣ କର୍ମଚାରୀଙ୍କୁ ଏକତ୍ର ହୋଇ ଶ୍ରମିକ ସ˚ଘ ବା ୟୁନିଅନ ଗଠନ କରିବାର ସାମର୍ଥ୍ୟ ପ୍ରଦାନ କରୁଥିବା ‘ଟ୍ରେଡ୍‌ ୟୁନିଅନ ଆଇନ’ ଶ୍ରମିକ ଅଶାନ୍ତି ଓ ଧର୍ମଘଟର କାରଣ ହୋଇ ଅନେକ ଉଦ୍ୟୋଗକୁ ରୁଗ୍‌ଣ ବା ମୃତପ୍ରାୟ କରି ପକାଇଛି। ଏହି ଭଳି ଆଇନ କାରଣରୁ ଜଗତ୍‌କରଣ କାଳରେ ଅଧିକ ଶସ୍ତାରେ ଉପଲବ୍‌ଧ ଚୀନ୍‌ ଉତ୍ପାଦିତ ଦ୍ରବ୍ୟ ଦ୍ବାରା ଭାରତୀୟ ଉଦ୍ୟୋଗଗୁଡ଼ିକରୁ ଉତ୍ପାଦିତ ଦ୍ରବ୍ୟ ବିସ୍ଥାପିତ ହୋଇଛନ୍ତି। କରୋନା ସ˚କ୍ରମଣର ପ୍ରାରମ୍ଭିକ କାଳରେ ଯେତେବେଳେ ଚୀନର ଉହାନ ନଗରୀକୁ ‘ଲକ୍‌ଡାଉନ୍‌’ ଅଧୀନରେ ରଖାଗଲା, ସେତିକି ବେଳେ ସମଗ୍ର ବିଶ୍ବ ସଚେତନ ହେଲା ଯେ ଅନେକ ପ୍ରମୁଖ ଔଷଧର ପ୍ରସ୍ତୁତି ଲାଗି ଆବଶ୍ୟକ ଉପାଦାନ ‘ଏ.ପି.ଆଇ.’ (ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଏଣ୍ଟ)ର ନିର୍ମାଣକର୍ତ୍ତା ହେଉଛି ଚୀନ। ଏହି ସ˚ଦର୍ଭରେ ଅଗ୍ରଣୀ ଭାରତୀୟ ଔଷଧ ନିର୍ମାଣକାରୀ କ˚ପାନି ‘ବାଇଓକନ୍‌’ର ପରିଚାଳନା ନିର୍ଦ୍ଦେଶିକା କିରଣ ମଜୁମଦାର ସ’ଙ୍କ ମନ୍ତବ୍ୟ ଅନୁସାରେ ଭାରତ ସରକାରଙ୍କ କିଛି ଆଇନ ହେତୁ ଚୀନ ତୁଳନାରେ ଅଧିକ ଶସ୍ତାରେ ଏ ସବୁ ଉପାଦାନର ପ୍ରସ୍ତୁତି ସମ୍ଭବ ନୁହେ। ସୁତରା˚, ପରିଶେଷରେ ସେହି କ୍ଷେତ୍ର ଚୀନର କରାୟତ୍ତ ହୋଇଥିଲା।

କହିବା ବାହୁଲ୍ୟ ଯେ କେବଳ ଉତ୍ତର ପ୍ରଦେଶ ନୁହେଁ, ଆମ ରାଜ୍ୟ ଓଡ଼ିଶା ଭଳି ଭାରତର ଅନେକ ରାଜ୍ୟରେ ଉଦ୍ୟୋଗଗୁଡ଼ିକ ରୁଗ୍‌ଣ ବା ମୃତ ହୋଇଯିବା ପଛରେ ରହିଛି ଏହିଭଳି ଅସ˚ଖ୍ୟ ଶ୍ରମ ଆଇନ (ଏହାର ସ˚ଖ୍ୟା ଭାରତରେ ପ୍ରାୟ ଦୁଇ ଶହ)। ତେବେ, ସେ ଯାହାହେଉ, ବାଡ଼ ଆର ପଟେ ବଢ଼ିଥିବା ଘାସର ସବୁଜିମାକୁ ନିଜ ବଗିଚା ଭିତରେ ସୃଷ୍ଟି କରିବା ଲାଗି ଉତ୍ତର ପ୍ରଦେଶ ଓ ମଧୢ ପ୍ରଦେଶ ସ୍ବାଗତଯୋଗ୍ୟ ଉଦ୍ୟମ ପ୍ରାରମ୍ଭ କରିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ମଧୢ ଏଭଳି ସ˚ସ୍କାର ମାଧୢମରେ ନିଜ ନିଜ ଶୁଷ୍କ ଭୂମିରେ ସବୁଜିମା ସୃଷ୍ଟି କରନ୍ତୁ। ଏହା ଘର ବାହୁଡ଼ା ଶ୍ରମିକମାନଙ୍କୁ ନିଜ ଘରେ ଆୟ ଯୋଗାଇବା ସହିତ ସେମାନଙ୍କ ବହିର୍ଗମନର ଧାରାରେ ହୁଏତ ଅନ୍ତ ଘଟାଇବ।

ସମ୍ବନ୍ଧିତ ଖବର