ଜେନାଙ୍କ ସାଇକେଲ

ବିବର୍ତ୍ତନର ଅଗ୍ରଗତିର ବେଗ ‘ଚୟନ ଚାପ’ (‘ସିଲେକ୍ଟିଭ୍‌ ପ୍ରେସର‌୍‌’) ଉପରେ ନିର୍ଭର କରିଥାଏ ବୋଲି ବିଶ୍ବାସ କରାଯାଇଥାଏ। ପରିବେଶ ଯେତେ ଅଧିକ ପ୍ରତିକୂଳ ହୋଇଥାଏ, ତାହା ସହିତ ଖାପ ଖାଇ ବଞ୍ଚି ରହିବା ପାଇଁ ‘ପ୍ରାକୃତିକ ଚୟନ’ (‘ନାଚୁରାଲ୍‌ ସିଲେକ୍‌ସନ୍‌’) ପ୍ରକ୍ରିୟା ସମ୍ପୃକ୍ତ ପ୍ରଜାତିଠାରେ ସେତେ ଶୀଘ୍ର ଆବଶ୍ୟକ ଜେନେଟିକ୍‌ ପରିବର୍ତ୍ତନମାନ ଘଟାଇଥାଏ। ଯେଉଁ ସମସ୍ତ ପ୍ରତିକୂଳ ପରିବେଶ ଜନିତ ‘ଚୟନ ଚାପ’ର ମୁକାବିଲା କରିବାରେ ସକ୍ଷମ ହେବା ପାଇଁ ବିବର୍ତ୍ତନ ଆଜିର ମନୁଷ୍ୟନାମକ ପ୍ରାଣୀକୁ ମାଠି ମାଠି ଶେଷରେ ଗଢ଼ିଛି, ସେଗୁଡ଼ିକ ହେଲେ- ବରଫ ଯୁଗ, ହି˚ସ୍ରଜନ୍ତୁ ଆକ୍ରମଣ, ଲମ୍ବା ସମୟ ଧରି ମରୁଡ଼ି, ଶିକାର ଅଭାବ ଇତ୍ୟାଦି।

ଆଜିର ମସ୍ତିଷ୍କଧାରୀ ମନୁଷ୍ୟର ଆବିର୍ଭାବ ଘଟିବା ପରେ ସେ ନିଜର ବୁଦ୍ଧି ଖଟାଇ ନିଜର ଅସ୍ତିତ୍ବ ପ୍ରତି ଦେଖା ଦେଉଥିବା ଏ ସବୁ ବିପଦର ମୁକାବିଲା କରିବାକୁ ଆରମ୍ଭ କଲା। ତା’ର ଉର୍ବର ମସ୍ତିଷ୍କରୁ ଏଥିପାଇଁ ଯେଉଁସବୁ କୌଶଳ ବାହାରିବାରେ ଲାଗିଲା, ସେଥିରେ ଅଛି ନିଆଁର ଆବିଷ୍କାର, ଉପକରଣ, ଯନ୍ତ୍ରପାତି ଓ ଅସ୍ତ୍ରଶସ୍ତ୍ରର ବ୍ୟବହାର, ମିଳିତ ଶିକାର, ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତି ଇତ୍ୟାଦି। ଏହା ଦ୍ବାରା ମନୁଷ୍ୟ ପରିବେଶକୁ ଅନେକା˚ଶରେ ନିଜ ନିୟନ୍ତ୍ରଣରେ ରଖିପାରିଛି, ପ୍ରକୃତିର ମୁଡ୍‌ ପରିବର୍ତ୍ତନ ଠାରୁ ନିଜକୁ ଅଧିକରୁ ଅଧିକ ନିରାପଦ କରିପାରିଛି। ତେଣୁ ବିଶ୍ବାସ କରାଯାଏ ଦୂର ଅତୀତର ଯେଉଁଭଳି ପ୍ରତିକୂଳ ପରିବେଶରୁ ଜାତ ‘ଚୟନ ଚାପ’ ମନୁଷ୍ୟକୁ ସୃଷ୍ଟି କରିଥିଲା, ଆଜି ସେଇଭଳି ପ୍ରତିକୂଳ ପରିବେଶ ମନୁଷ୍ୟ ଠାରେ ବୋଧହୁଏ ଆଉ ସେଇଭଳି ବିବର୍ତ୍ତନ (ଯେମିତି ମାଙ୍କଡ଼ରୁ ମନୁଷ୍ୟ) ଘଟାଇବ ନାହିଁ, କାରଣ ମନୁଷ୍ୟ ନିଜର ବୁଦ୍ଧି ବଳରେ ତାହାର ମୁକାବିଲା କରିପାରୁଛି।

ବିବର୍ତ୍ତନ ଏପରି ଏକ ଅତି ଦୀର୍ଘ ତଥା ଅତି ମନ୍ଥର ପ୍ରକ୍ରିୟା ଏବ˚ ତାହା ଏବେ ମଧୢ ଏପରି ଧୂଆଁଳିଆ ଯେ ଆଜିର ପ୍ରତିକୂଳ ପରିବେଶ ମନୁଷ୍ୟ ଠାରେ ଆହୁରି ନୂତନ ବିବର୍ତ୍ତନ ଘଟାଉଛି କି ନାହିଁ, ତାହା ନିଶ୍ଚିତ ରୂପେ କହିବା ସମ୍ଭବ ନୁହେଁ। ତେଣୁ ବର୍ତ୍ତମାନ ପୃଥିବୀ ପୃଷ୍ଠରେ ମନୁଷ୍ୟର ସ୍ଥିତିକୁ ବିପନ୍ନ କରିବାକୁ ବସିଥିବା ଚୀନା କରୋନା ବିପତ୍ତି ମନୁଷ୍ୟ ଠାରେ କୌଣସି ବିବର୍ତ୍ତନୀୟ ପରିବର୍ତ୍ତନ ଘଟାଇବ କି ନାହିଁ, ତାହା କାହାକୁ ହେଲେ ଜଣା ନାହିଁ। କିନ୍ତୁ ଯାହା ଊଣା ଅଧିକେ ଆମମାନଙ୍କୁ ଜଣା ତାହା ହେଲା- ଏଭଳି ବିଶେଷ ପ୍ରତିକୂଳ ପରିବେଶ ମନୁଷ୍ୟର ଜିନ୍‌ମାନଙ୍କ ପାଇଁ ଏକ ‘ଚୟନ ଚାପ’ ସୃଷ୍ଟି କରୁ କି ନ କରୁ, ତା’ର ମସ୍ତିଷ୍କ ପାଇଁ ଏକ ‘ଉଦ୍ଭାବନ ଚାପ’ ସୃଷ୍ଟି କରିଥାଏ। ପ୍ରତିକୂଳ ପରିବେଶ ସୃଷ୍ଟି କରିଥିବା ଅସୁବିଧା ବା ପ୍ରତିବନ୍ଧମାନଙ୍କର ମୁକାବିଲା କରିବା ପାଇଁ ତା’ର ମସ୍ତିଷ୍କ ସେତେବେଳେ କୌଣସି ଆବଶ୍ୟକ ଯନ୍ତ୍ରପାତି ବା ପଦ୍ଧତି ଉଦ୍ଭାବନ କରିବା ଦେଖାଯାଇଥାଏ।

ଆଜି ଚୀନା କରୋନା ସୃଷ୍ଟି କରିଥିବା ବିଶ୍ବବ୍ୟାପୀ ବିପତ୍ତି ଅନୁରୂପ ଆଉ ଏକ ବିପତ୍ତିର ଉଦାହରଣ ଖୋଜି ବସିଲେ ଯେଉଁ ଏକ ଘଟଣା ନିକଟତମ ମନେ ହୋଇଥାଏ, ତାହା ଠିକ୍‌ ପ୍ରାୟ ଦୁଇ ଶହ ବର୍ଷ ତଳେ ଘଟିଥିଲା ଏବ˚ କୌଣସି ଭୂତାଣୁ ଜନିତ ନ ଥିଲା। ଆଉ ଏ ଘୋର ବିଷାଦ ସମୟରେ ବି ଯାହା ଆମ ମନରୁ କ୍ଷଣକ ପାଇଁ ହତାଶା ଦୂର କରିଥାଏ, ତାହା ହେଲା- ସେଇ ଦୁର୍ଦ୍ଦିନ ଯେଉଁ ଉଦ୍ଭାବନକୁ ଜନ୍ମ ଦେଇଥିଲା, ତାହା ଆଜିର ଦୁର୍ଦ୍ଦିନର ମୁକାବିଲା କରି ପ୍ରାୟ ୧,୭୦୦ କିମି ପଥ ଅତିକ୍ରମ କରି ନିଜ ଘରେ ପହଞ୍ଚିବାରେ ବହୁ ଚର୍ଚ୍ଚିତ ମହେଶ ଜେନାଙ୍କ ପରି ପ୍ରବାସୀମାନଙ୍କୁ ସାହାଯ୍ୟ କରିଛି।

ଯେଉଁ ଦୁର୍ବିପାକ ଯୋଗୁଁ ଜେନାଙ୍କ ସାଇକେଲ୍‌ର ଉଦ୍ଭାବନ ଘଟିଥିଲା, ତାହା ଥିଲା ୧୮୧୫ରେ ଆଜିର ଇଣ୍ତୋନେସିଆ ଅନ୍ତର୍ଗତ ଆଗ୍ନେୟଗିରି ‘ମାଉଣ୍ଟ ଟାମ୍ବୋରା’ର ଉଦ୍‌ଗୀରଣ। ପୃଥିବୀର ଅଗ୍ନ୍ୟୁଦ୍‌ଗୀରଣ ଇତିହାସରେ ଏପରି ସର୍ବନାଶୀ ବିତ୍ପାତ ଖୁବ୍‌ କମ୍‌ ଦେଖାଯାଇଛି। ଏଥିରୁ ନିର୍ଗତ ଧୂଆଁ ଓ ଧୂଳିର ପରିମାଣ ଏପରି ଅମାପ ଥିଲା ଯେ ତା’ର ଏକ ବହଳିଆ ପଟଳ ସାରା ପୃଥିବୀର ବାୟୁମଣ୍ତଳକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ସୂର୍ଯ୍ୟଙ୍କୁ ତାଙ୍କ ପରିବାରର ଏକମାତ୍ର ଜୀବନ୍ତ ଗ୍ରହଠାରୁ ପ୍ରାୟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରି ଦେଇଥିଲା କହିଲେ ଚଳେ। ସୂର୍ଯ୍ୟାଲୋକ ଅଭାବରୁ ଗଛଲତା, ଫସଲ ଓ ତା ଉପରେ ନିର୍ଭରଶୀଳ ପ୍ରାଣୀମାନେ ଜୀବନ-ମରଣ ସଙ୍କଟର ସମ୍ମୁଖୀନ ହେଲେ। ନ୍ୟୁୟର୍କ ସହରରେ ଗ୍ରୀଷ୍ମକାଳରେ (ଉଦ୍‌ଗୀରଣ ଘଟିଥିଲା ଏପ୍ରିଲ୍‌ରେ) ତୁଷାରପାତ ଘଟିଲା; ଚୀନ୍‌ରେ ମରୁଡ଼ି ଦେଖାଦେଲା ଓ ଗୃହପାଳିତ ପଶୁ ମଡ଼କ ପଡ଼ିଲା; ୟୁରୋପ୍‌ରେ ଫସଲ ହାନି, ତଜ୍ଜନିତ ଖାଦ୍ୟାଭାବ ଯୋଗୁଁ ଲୁଟ୍‌ତରାଜ ଓ ଦଙ୍ଗାଗୋଳ ଘଟିବାକୁ ଲାଗିଲା। ଅନାହାର ଓ ରୋଗରେ ପଡ଼ି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ। ଘୋଡ଼ା ଖାଉଥିବା ଦାନା ‘ଓଟ୍‌’ ଦୁର୍ମୂଲ୍ୟ ହୋଇଗଲା ଓ ତାହା ମନୁଷ୍ୟର ଆହାରରେ ପରିଣତ ହେବାରୁ ଘୋଡ଼ାମାନେ ଉପାସରେ ମରିଗଲେ କିମ୍ବା ମାଲିକମାନେ ସେମାନଙ୍କୁ ମାରିଦେଲେ।

ସେ ସମୟରେ ଘୋଡ଼ା ପିଠି କିମ୍ବା ଘୋଡ଼ା ଗାଡ଼ି ଥିଲା ଦ୍ରୁତ ଗମନାଗମନର ଏକମାତ୍ର ସାଧନ। ଘୋଡ଼ା ଉଭାନ୍‌ ହୋଇଯିବା ପରେ ଲୋକମାନେ ତେଣୁ ସ୍ଥାଣୁ ପ୍ରାୟ ହୋଇଗଲେ। ଏହି ସମୟରେ ନିଜକୁ ଗତିଶୀଳ କରିବା ପାଇଁ ଘୋଡ଼ାର ବିକଳ୍ପ ରୂପେ ଜର୍ମାନ୍‌ ଉଦ୍ଭାବକ କାର୍ଲ ଭନ୍‌ ଡ୍ରାଇସ୍‌ ଯେଉଁ ଏକ ଯନ୍ତ୍ରର ଉଦ୍ଭାବନ କଲେ ତାହା ଥିଲା ଏକ କାଠରେ ତିଆରି ଦୁଇ ଚକିଆ ଯାନ ଯାହାର ସେ ନାମ ଦେଇଥିଲେ- ‘ଲାଉଫ୍‌ ମାସିନ’ (‘ଧାବମାନ ଯନ୍ତ୍ର’)। ସେ ପ୍ରଥମ ସାଇକେଲ୍‌ରେ ଜେନାଙ୍କ ସାଇକେଲ ପରି ପେଡାଲ୍‌ ନ ଥିଲା କିମ୍ବା ଚେନ୍‌ ନ ଥିଲା। ଚାଳକ ତାହାର ସିଟ୍‌ରେ ବସି ଦୁଇପଟରେ ଗୋଡ଼ରେ ଠେଲା ମାରି ମାରି ତାକୁ ଗଡ଼ାଉଥିଲେ। ତଥାପି ଭନ୍‌ ଡ୍ରାଇସ୍‌ ତାଙ୍କର ‘ଧାବମାନ ଯନ୍ତ୍ର’କୁ ପ୍ରଦର୍ଶନ କଲା ବେଳେ ଚାରିଘଣ୍ଟାରେ ୪୦ ମାଇଲ୍‌ (୬୪ କିମି) ଅତିକ୍ରମ କରିଥିଲେ, ଯାହା ଏକ ଘୋଡ଼ାର ସାଧାରଣ ଦୌଡ଼ିବା ବେଗ ସହିତ ସମାନ।

ଅବଶ୍ୟ ୧୮୧୭ ବେଳକୁ ପରିବେଶରେ ଉନ୍ନତି ଘଟି ପୃଥିବୀ ପୁଣି ଜୀବନ୍ତ ହୋଇ ଉଠିଲା ଓ ଘୋଡା ମଧୢ ଫେରି ଆସିଲା। ଭନ୍‌ ଡ୍ରାଇସ୍‌ଙ୍କ ‘ଲାଉଫ୍‌ ମାସିନ୍‌’ କିନ୍ତୁ ପୃଥିବୀ ସାରା ମାନବ ଜୀବନ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ନୂଆ ନୂଆ ଅବତାର ଗ୍ରହଣ କରିବାକୁ ଲାଗିଲା। ୨୦୨୦ର ଚୀନା କରୋନା ଭାଇରସ୍‌ ସେଦିନର ‘ଟାମ୍ବୋରା’ ଭଳି ଯେଉଁସବୁ ନୂତନ ପରୀକ୍ଷା ନିରୀକ୍ଷା (‘ଘରେ ରହି କାମ’, ଅନ୍‌ ଲାଇନ୍‌ ପାଠପଢ଼ା, ଡ୍ରୋନ୍‌ ଡେଲିଭେରି ଆଦି)କୁ ଜନ୍ମ ଦେଇଛି, କେତେଦିନ ପରେ ପୃଥିବୀ କରୋନାମୁକ୍ତ ହୋଇଗଲା ପରେ ଯେ ଏଗୁଡ଼ିକ ମନୁଷ୍ୟର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯିବେ, ଠିକ୍‌ ଜେନାଙ୍କ ସାଇକେଲ୍‌ ଭଳି, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ବୋଧହୁଏ ବିବର୍ତ୍ତନର ଅନ୍ୟତମ ପ୍ରମାଣ।

ସମ୍ବନ୍ଧିତ ଖବର