କ୍ବାଣ୍ଟମ୍ ଅର୍ଥନୀତି

ସେମାନେ ସବୁବେଳେ ଉପସ୍ଥିତ ନଥାନ୍ତି। ଯେତେବେଳେ ଅନ୍ୟ କାହା ସହିତ ସଂଘାତ ହୁଏ ସେତିକିବେଳେ ଯାଇ ସେମାନଙ୍କର କୌଣସି ସ୍ଥାନରେ ଆବିର୍ଭାବ ଘଟିଥାଏ, ଯାହାର ସମ୍ଭାବନା ସମ୍ବନ୍ଧରେ ପୂର୍ବାନୁମାନ କରାଯାଇ ପାରେ। ଏହି ଭଳି ସେମାନେ ଗୋଟିଏ କକ୍ଷ ପଥରୁ ଡିଆଁ ମାରି ଅନ୍ୟ ଏକ କକ୍ଷ ପଥରେ ଆବିର୍ଭୂତ ହୋଇଥାନ୍ତି। ଯେତେବେଳେ ତାଙ୍କ ସହିତ କେହି ସଂଘର୍ଷ କରନ୍ତି ନାହିଁ, ସେମାନେ କୌଣସି ଠାରେ ନଥାନ୍ତି। ପଦାର୍ଥବିଜ୍ଞାନ ସହିତ ପ୍ରାଥମିକ ପରିଚୟ ଥିବା ସମସ୍ତେ ଜାଣି ସାରିବେଣି, ଏମାନେ କିଏ? ଏମାନେ ଅବଶ୍ୟ ହେଉଛନ୍ତି ଏକ ଅଣୁର କେନ୍ଦ୍ରସ୍ଥଳରେ ଥିବା ନିଉକ୍ଲିଅସ୍ ଚାରିପଟେ ବିଭିନ୍ନ କକ୍ଷ ପଥରେ ଘୂରି ବୁଲୁଥିବା ଇଲେକ୍ଟ୍ରନ୍ ମାନ। କ୍ବାଣ୍ଟମ୍‌ ମେକାନିକ୍‌ସ ଭାଷାରେ ଇଲେକ୍ଟ୍ରନ୍‌ମାନଙ୍କର ଏଭଳି ଲମ୍ଫ ହେଉଛି ‘କ୍ବାଣ୍ଟମ୍‌ ଜମ୍ପ୍‌’ ବା ‘କ୍ବାଣ୍ଟମ୍‌ ଲିପ୍‌’। ସଂଘାତ ହିଁ ଏମାନଙ୍କୁ ଏଭଳି ଲମ୍ଫ ମାରିବାକୁ ପ୍ରବୃତ୍ତ କରିଥାଏ।

ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବାବେଳେ ଭାରତୀୟ ଅର୍ଥନୀତି ଯେଉଁ ‘କ୍ବାଣ୍ଟମ୍‌ ଜମ୍ପ୍‌’ ମାରିବାକୁ ଯାଉଛି ବୋଲି କହିଲେ, ତାହାର ଏହି ଆଣବିକ ଆଚରଣ ସହିତ ଗଭୀର ସାଦୃଶ୍ୟ ରହିଛି। ନିକଟ ଅତୀତରେ ଭାରତୀୟ ଅର୍ଥନୀତି ଯେଉଁ ଭଳି ମାନ୍ଦା ଅବସ୍ଥା ଦେଇ ଗତି କରୁଥିଲା, ତାହା ଏକ ସଂଘର୍ଷହୀନ ଇଲେକ୍ଟ୍ରନ୍‌ କେଉଁଠି ଲୁଚି କରି ଶୋଇ ପଡ଼ିଥିବା ଭଳି କହିଲେ ଚଳେ। ଚୀନା କରୋନା ଏବେ ତା ସହିତ ଯେଉଁ ଘୋର ସଂଘାତ ସୃଷ୍ଟି କରିଛି, ତାହା ତାକୁ ଚଳଚଞ୍ଚଳ କରି ଏକ ଭିନ୍ନ କକ୍ଷ ପଥକୁ ଲମ୍ଫ ମାରିବାକୁ ଉଦ୍ୟତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଉକ୍ତିର ସାରମର୍ମ।

ଗାଣିତିକ ହିସାବ କରି ଇଲେକ୍ଟ୍ରନ୍‌ର ‘କ୍ବାଣ୍ଟମ୍ ଜମ୍ପ୍’ ସମ୍ବନ୍ଧରେ ପ୍ରାୟ ଠିକ୍ ପୂର୍ବାନୁମାନ କରାଯାଇ ପାରୁଥିବା ଭଳି ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ‘କ୍ବାଣ୍ଟମ୍ ଜମ୍ପ୍’ ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ତେବେ ଏଠାରେ ଏକ ବିଶେଷ ଫରକ୍ ହେଲା, ଅର୍ଥନୀତି ଏଭଳି ‘କ୍ବାଣ୍ଟମ୍ ଜମ୍ପ୍’ ପାଇଁ ଏକ ବାହ୍ୟଶକ୍ତିର ସାହାଯ୍ୟ ଆବଶ୍ୟକ କରିଥାଏ। ଏ ବାହ୍ୟଶକ୍ତି ହେଉଛି ସରକାରୀ ନୀତି ଏବଂ ବିଭିନ୍ନ ଆବଶ୍ୟକ ସଂସ୍କାର। ଯାହା ଦେଖାଯାଇଥିଲା ୧୯୯୦ ଦଶକର ଆରମ୍ଭରେ, ଯେତେବେଳେ ଅର୍ଥନୀତି ଏକ ଅଭୂତପୂର୍ବ ‘ବାଲାନ୍‌ସ ଅଫ୍ ପେମେଣ୍ଟ୍‌ସ’ (ଆନ୍ତର୍ଜାତିକ ଦେଣ ନେଣ) ସଂକଟର ସମ୍ମୁଖୀନ ହୋଇଥିଲା। ସେଥିରୁ ମୁକୁଳିବା ପାଇଁ ତତ୍କାଳୀନ ବିଜ୍ଞ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଯେଉଁ ବ୍ୟାପକ ଉଦାରୀକରଣ ସଂସ୍କାର କାର୍ଯ୍ୟକାରୀ କଲେ, ତାହାରି ସହାୟତାରେ ଭାରତୀୟ ଅର୍ଥନୀତି ଯେଉଁ ଭଳି ଲମ୍ଫ ମାରି ପାରିଥିଲା, ତାହା ଯେ ଏକ ‘କ୍ବାଣ୍ଟମ୍ ଜମ୍ପ୍’ ଥିଲା, ତାହା ବିରୋଧୀ ପକ୍ଷର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ବୀକାର କରିବେ।

ସେ ସମୟର ବାଲାନ୍‌ସ ଅଫ୍ ପେମେଣ୍ଟ୍‌ସ ସଂକଟକୁ ନରସିଂହ ରାଓ ଯେପରି ଏକ ସୁଯୋଗରେ ପରିଣତ କରି ଏପରି ଡିଆଁ ମାରି ପାରିଥିଲେ, ମୋଦୀ ଯଦି ସେଇ ଭଳି ଡିଆଁ ମାରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ମଧ୍ୟ ସେହିପରି ବାହ୍ୟ ପ୍ରୋତ୍ସାହନ ଯୋଗାଇଦେବାକୁ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଧାନମନ୍ତ୍ରୀ ଅବଶ୍ୟ ତାଙ୍କର ବାର୍ତ୍ତାରେ ତାଙ୍କର ପରିକଳ୍ପିତ ପ୍ରୋତ୍ସାହନର ଏକ ସ୍ଥୂଳ ରୂପରେଖ ପ୍ରଦାନ କରିଛନ୍ତି, ଯେଉଁଥିରେ ୨୦ ଲକ୍ଷ କୋଟି ଟଙ୍କାର ବିଭିନ୍ନ କିସମର ମୋଟ ସହାୟତା ରାଶି ଅନ୍ତର୍ଭୁକ୍ତ। ପର୍ଯ୍ୟାୟକ୍ରମେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଟିକିନିଖି ବିବରଣୀ ପ୍ରଦାନ କରିବେ ବୋଲି ମୋଦୀ ସୂଚନା ଦେଇଛନ୍ତି (ଏହା ଲେଖା ହେବା ବେଳକୁ ନିର୍ମଳାଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇ ନାହିଁ, କିନ୍ତୁ ତା’ର ବିବରଣୀ ପାଠକପାଠିକା ମାନଙ୍କୁ ମିଳି ସାରିଥିବ)।

ମୋଦୀ ତାଙ୍କର ସ୍ବଭାବସୁଲଭ ଶୈଳୀରେ ସେ ସୁରାକ୍ ଦେଇଥିବା ବିଭିନ୍ନ ବିତ୍ତୀୟ ପ୍ରୋତ୍ସାହନମାନ ବ୍ୟତୀତ ଏକ ପାଞ୍ଚସୂତ୍ରୀ ସାହସିକ ସଂସ୍କାର ପ୍ରବର୍ତ୍ତନ ହେବାକୁ ଯାଉଛି ବୋଲି ଯେଉଁ ଘୋଷଣା କରିଥିଲେ, ତାହା ଯଦି କେବଳ ଏକ ମହତ୍ ଉଦ୍ଦେଶ୍ୟ ଓ ସ୍ଥୂଳ ବର୍ଣ୍ଣନାକୁ ଅତିକ୍ରମ କରି ବାସ୍ତବ କ୍ଷେତ୍ରରେ ରୂପାୟିତ ହେବ, ତେବେ ତାହା ୧୯୯୧ର ସଂସ୍କାର ଭଳି ସୁଫଳ ଆଣି ଦେଇ ପାରିବ। ମୋଦୀ କେବଳ ଚୁମ୍ବକରେ ଉଲ୍ଲେଖ କରିଥିବା ଏହି ପାଞ୍ଚଟି ପ୍ରସ୍ତାବିତ ସଂସ୍କାର ହେଲେ: ଅର୍ଥନୀତି, ଭିତ୍ତିଭୂମି, ପ୍ରାବିଧିକ ଜ୍ଞାନକୌଶଳ, ଜନସଂଖ୍ୟା ଓ ଚାହିଦା। ଏହି ତାଲିକାର ପ୍ରଥମଟି ବିଷୟରେ ମୋଦୀ ‘କ୍ବାଣ୍ଟମ୍ ଜମ୍ପ୍’ କଥ‌ା କହିଥିଲେ। ବାସ୍ତବରେ ଅର୍ଥନୀତି ପାଇଁ ଏହା ହେଉଛି ଏକ ଲକ୍ଷ୍ୟ ମାତ୍ର, ଯାହାକୁ ସାଧନ କରିବା ପାଇଁ ଅନ୍ୟ ଚାରିଟି କୌଶଳ ପ୍ରୟୋଗ କରାଯିବ।

ମୋଦୀ କିନ୍ତୁ ନିଜର ଏହି ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ତାଙ୍କୁ ଆଉ ପାଞ୍ଚଟି ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିବାକୁ ମଧ୍ୟ ପଡ଼ିବ। ଏହି ପାଞ୍ଚଟି ସମସ୍ୟା ମୁଖ୍ୟତଃ ନିବେଶକମାନଙ୍କ ସମ୍ମୁଖରେ ଏ ପର୍ଯ୍ୟନ୍ତ ପ୍ରତିବନ୍ଧ ହୋଇ ଛିଡ଼ା ହେବା ଦେଖାଯାଇଛି: ଭୂମି ଅଧିଗ୍ରହଣ ସମସ୍ୟା, ଶ୍ରମ ସମସ୍ୟା, ଅତି ଉଚ୍ଚ ଟିକସ ହାର, ଅତ୍ୟନ୍ତ ବ୍ୟୟବହୁଳ ବିଦ୍ୟୁତ୍ ଶକ୍ତି ଏବଂ ସର୍ବୋପରି କୁଖ୍ୟାତ ଭାରତୀୟ ଅମଲାତାନ୍ତ୍ରିକ ନାଲିଫିତାର ବନ୍ଧନ। ଇତି ମଧ୍ୟରେ କେତେକ ରାଜ୍ୟ ପ୍ରଶଂସନୀୟ ପଦକ୍ଷେପ ନେଇ ଶ୍ରମ ଆଇନରେ ସାମୟିକ ସଂସ୍କାର ଆଣିବା ଦେଖାଯାଇଛି। ଏ ସମସ୍ତ ସଂସ୍କାରକୁ ଦେଶବ୍ୟାପୀ କରିବାକୁ ହେବ ଏବଂ ସ୍ଥାୟିତ୍ବ ପ୍ରଦାନ କରିବାକୁ ହେବ। ଏହା ରାଜନୈତିକ ପରିଚାଳନା ଦକ୍ଷତା ଏବଂ ଇଚ୍ଛାଶକ୍ତି ଉପରେ ଅନେକାଂଶରେ ନିର୍ଭର କରେ। ନିକଟ ଅତୀତରେ ଆରମ୍ଭ ହୋଇଥିବା ଟିକସ ସଂସ୍କାରକୁ ଆଗେଇ ନେଇ ସମ୍ପୂର୍ଣ୍ଣ କରିବାକୁ ହେବ।

ଏ ସମସ୍ତ ସଂସ୍କାର ଯଦି ବାସ୍ତବରେ କାର୍ଯ୍ୟକାରୀ ହୁଏ ତେବେ ଭବିଷ୍ୟତରେ ଅର୍ଥନୀତିର ଯୋଗାଣ ପାର୍ଶ୍ବ ବେଶ୍ ମଜଭୁତ ହୋଇଯାଇପାରିବ। ସରକାର ଯଦି ଆମ ବିଶାଳ ଜନସଂଖ୍ୟାର ସାମଗ୍ରିକ ଆୟରେ ଏକ ବିଶେଷ ବୃଦ୍ଧି ଘଟାଇ ପାରନ୍ତି ତେବେ ଚାହିଦା ଯୋଗାଣକୁ ସମ୍ଭାଳି ନେବ ଏବଂ ପରେ ଯୋଗାଣ ଆପେ ଚାହିଦା ସୃଷ୍ଟି କରିବ। ଅର୍ଥଶାସ୍ତ୍ରର ଛାତ୍ରମାନେ ଜାଣିଥିବା ଭଳି ସରକାର ବର୍ତ୍ତମାନ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ‌୍ କିନ୍‌ସଙ୍କୁ ଅନୁସରଣ କରି ଲୋକମାନଙ୍କର ଆୟ ବୃଦ୍ଧି ପାଇଁ ରାଜକୋଷୀୟ ନିଅଣ୍ଟକୁ ଖାତିର ନକରି ହାତଖୋଲା ‌ଖର୍ଚ୍ଚ କରିବା ଉଚିତ। ଏହା ସରକାରଙ୍କ ଖର୍ଚ୍ଚ ପାଇଁ ଏକ ‘କ୍ବାଣ୍ଟମ୍ ଜମ୍ପ୍’ ସଦୃଶ ହେବ। ତାହା ହେଲେ, କ୍ଲାସିକାଲ୍ ଅର୍ଥନୀତିଜ୍ଞ ଜେ ବି ସେ’ କହିଥିବା ଭଳି ଭବିଷ୍ୟତରେ ଯୋଗାଣ ମଧ୍ୟ ନିଜର ଚାହିଦା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର