‘ପାନ୍‌ଡେମିକ’ର ଅନ୍ତ!

ବିଗତ ୨୦୦୦ ବର୍ଷ ମଧୢରେ ପୃଥିବୀକୁ ବାରମ୍ବାର ଆଘାତ ଦେଇ ଏହି ଗ୍ରହ ପୃଷ୍ଠରେ ବିଚରଣ କରୁଥିବା ମାନବ ସ˚ଖ୍ୟାର ଅର୍ଧାଧିକଙ୍କୁ ନିଶ୍ଚିହ୍ନ କରି ଦେଇଥିବା ବିଭିନ୍ନ ‘ପାନ୍‌ଡେମିକ୍‌’ ଓ ତାର ସୃଷ୍ଟିକାରୀ ଭୂତାଣୁ (ଭାଇରସ୍‌) ବା ବୀଜାଣୁ (ବ୍ୟାକ୍‌ଟେରିଆ) ଗୁଡ଼ିକର ଗତିବିଧି ଉପରେ ନଜର ପକାଇଲେ ତାହା କୌଣସି ରହସ୍ୟ ରୋମାଞ୍ଚ ଭରା ‘ଥ୍ରିଲର‌୍‌’ରୁ କମ ଭଳି ମନେ ହୋଇ ନ ଥାଏ। କାରଣ ଏ ସବୁ କେମିତି ଆସନ୍ତି, ଯେତେବେଳେ ଆସନ୍ତି ସେତେବେଳେ କାହିଁକି ଆସନ୍ତି ଓ କିଭଳି ଓ କାହିଁକି ଅପସରି ଯାଆନ୍ତି; ସେ ସ˚ପର୍କରେ କେବଳ ଅନୁମାନ ଆଧାରିତ ସିଦ୍ଧାନ୍ତ ଛଡ଼ା ଆମ ହାତରେ ବିଶେଷ କିଛି ଉପଲବ୍‌ଧ ନାହିଁ। ଉଲ୍ଲେଖନୀୟ ଯେ ଅନେକ ବିଶ୍ବ ମହାମାରୀ ସୃଷ୍ଟିକାରୀ ଭୂତାଣୁ ଓ ବୀଜାଣୁ ଆବହମାନ କାଳରୁ ଏହି ପୃଥିବୀ ପୃଷ୍ଠରେ ଏପରିକି ଆମ ଆଖପାଖରେ ରହି ଆସିଛନ୍ତି। ବିଭିନ୍ନ ପ୍ରାଣୀଙ୍କ ଶରୀରକୁ ସେମାନଙ୍କ ଭଣ୍ତାର ଘର ଭାବେ ବ୍ୟବହାର କରି ଅବସ୍ଥାନ କରିବାର କଳା ସେମାନେ ହାସଲ କରି ସାରିଛନ୍ତି। ତେଣୁ ଦୀର୍ଘ କାଳ ଧରି ଏପରିକି ଶତାବ୍ଦୀ ଶତାବ୍ଦୀ ଧରି ସେମାନେ ଆପଣା କରାଳ ଅବତାର ଧାରଣ କରି ନ ଥିଲେ ହେଁ ସମୟେ ସମୟେ କଦବା କେଉଁଠି ସେମାନେ ପ୍ରକଟିତ ହେଉଥିବାର ଦେଖାଯାଏ। କିନ୍ତୁ ଲେଲିହାନ ଶିଖାରେ ପରିଣତ ହେବା ପୂର୍ବରୁ ସେମାନଙ୍କୁ ଲିଭାଇ ଦିଆଯିବାର କୌଶଳ ମଧୢ ମାନବ ଜାତି ଇତିମଧୢରେ ଅକ୍ତିଆର କରିସାରିଛି। ଉଦାହରଣ ସ୍ବରୂପ ଊନବି˚ଶ ଶତାବ୍ଦୀର ଶେଷାର୍ଧରେ ଶେଷ ଥର ଲାଗି ଏକ ଅତ୍ୟନ୍ତ ଭୟାବହ ମହାମାରୀ ରୂପରେ ଆବିର୍ଭୂତ ହେଇଥିବା ‘ପ୍ଲେଗ୍‌’ ୧୯୯୪ ମସିହାରେ ଆମ ଦେଶର ସୁରତ ସହରରେ ଅଳ୍ପ କିଛି ଦିନ ଲାଗି ଆତ୍ମ ପ୍ରକାଶ କରି ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଥିବା ବିଷୟ ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ସ୍ମରଣରେ ଥାଇ ପାରେ। ସୁତରା˚, ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ତାହା ହେଲେ ‘ପାନ୍‌ଡେମିକ୍‌’ଗୁଡ଼ିକର ସମାପ୍ତି ଘଟିଥାଏ କିପରି? ପୁଣି ସ˚ପ୍ରତି ବିଶ୍ବ ପ୍ରସିଦ୍ଧ ଗବେଷଣାଗାରଗୁଡ଼ିକରେ କି˚ବଦନ୍ତୀୟ ବୈଜ୍ଞାନିକମାନେ ‘କୋଭିଡ୍‌’-୧୯’ର ପ୍ରତିଷେଧକ ପ୍ରସ୍ତୁତିରେ ବିନିଦ୍ର ରଜନୀ କାଟୁଥିବା ବେଳେ ଉପରୋକ୍ତ ପ୍ରଶ୍ନକୁ ଆଧାର କରି ଆଉ ଏକ ପ୍ରଶ୍ନ ଉଠିଥାଏ ଯେ ସତରେ କ’ଣ କେବଳ ଗୋଟିଏ ‘ଭ୍ୟାକ୍‌ସିନ’ ହିଁ ଏହି ‘ପାନ୍‌ଡେମିକ୍‌’ର କରାଳ ନୃତ୍ୟ ଉପରେ ଯବନିକା ପକାଇବ? କାରଣ ଭେଷଜ ଇତିହାସ କହେ ଯେ ଏ ଯାବତ୍‌ କେବଳ ଗୋଟିଏ ମାତ୍ର ଭୂତାଣୁକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରାଯାଇପାରିଛି, ଯାହା ହେଉଛି ବସନ୍ତ ରୋଗ ସୃଷ୍ଟିକାରୀ ଭୂତାଣୁ ‘ଭେରିଓଲା ମାଇନର’। ତେଣୁ ବୋଧହୁଏ ଉପରୋକ୍ତ ପ୍ରଶ୍ନର ଉତ୍ତର ନିହିତ ରହିଛି ପ୍ରକୃତିର ବିଚିତ୍ର ରହସ୍ୟମୟତାରେ ଯାହା ଗଲା ଦୁଇ ସହସ୍ରାବ୍ଦୀ ଧରି ବିଭିନ୍ନ ‘ପାନ୍‌ଡେମିକ୍‌’ ସମ୍ବନ୍ଧରେ ଦେଖିବାକୁ ମିଳିଛି।

ଇତିହାସ କହିଥାଏ ଯେ ଆମ ପୃଥିବୀ ଗତ ଦୁଇ ହଜାର ବର୍ଷର ଦୀର୍ଘ ସମୟ ଖଣ୍ତ ମଧୢରେ ତିନିଟି ‘ବ୍ୟୁବନିକ ପ୍ଲେଗ୍‌’ ମହାମାରୀର ସୁନାମିରେ ବୁଡ଼ିଛି। ସେଗୁଡ଼ିକ ହେଲା ‘ଜଷ୍ଟିନିଆନ୍‌’ କାଳ (ଷଷ୍ଠ ଶତାବ୍ଦୀ), ମଧୢ-ଯୁଗ (ଚତୁର୍ଦଶ ଶତାବ୍ଦୀ) ଏବ˚ ଆଧୁନିକ କାଳ (ଊନବି˚ଶ ଶତାବ୍ଦୀର ଶେଷ ଭାଗ)। ମଧୢ ଯୁଗୀୟ ପ୍ଲେଗ୍‌, ଯାହାର ଉତ୍ପତ୍ତି ସ୍ଥଳ ଥିଲା ଚୀନ, ସେଠାରୁ ବିଭିନ୍ନ ବାଣିଜ୍ୟ ପଥରେ ଯାତ୍ରା ଆରମ୍ଭ କରି ପହଞ୍ଚିଥିଲା ୟୁୁରୋପ, ଉତ୍ତର ଆଫ୍ରିକା ଓ ମଧୢ ପ୍ରାଚ୍ୟରେ। ଏଥିରେ ଚୀନ ଓ ଇଟାଲି ଜନସ˚ଖ୍ୟାର ଅର୍ଧେକ ଏବ˚ ୟୁରୋପ ଜନସ˚ଖ୍ୟାର ଏକ ତୃତୀୟା˚ଶ ପୋଛି ହୋଇଯାଇଥିଲେ। ତତ୍କାଳୀନ ପ୍ଲେଗ୍‌ ଭୟାବହତାର ବିବରଣୀ ପ୍ରସିଦ୍ଧ ଇଟାଲୀୟ ଲେଖକ ଜିଓଭାନି ବୋକାସିଓ (ପ୍ରସିଦ୍ଧ ଡେକାମେରନର ରଚୟିତା)ଙ୍କ ଦ୍ବାରା ଲିପିବଦ୍ଧ। ୧୮୫୫ ସାଲରେ ପୁଣି ଚୀନରୁ ଜାତ ହୋଇ ସାରା ପୃଥିବୀକୁ କବଳିତ କରିଥିବା ‘ପ୍ଲେଗ୍‌’ର ଏହି ତୃତୀୟ ତରଙ୍ଗରେ କେବଳ ଭାରତରେ ମୃତ୍ୟୁବରଣ କରିଥିଲେ ୧.୨ କୋଟି ଲୋକ। ସାଧାରଣତଃ ମୂଷାମାନଙ୍କ ରକ୍ତ ଶୋଷୁ ଥିବା ‘ଫ୍ଲି’ ଥିଲେ ‘ପ୍ଲେଗ୍‌’ ବ୍ୟାକ୍‌ଟେରିଆ ‘ୟେରସିନିଆ ପେସ୍‌ଟିସ୍‌’ର ବାହକ। କିନ୍ତୁ କାଳ କ୍ରମେ ତାହା ମନୁଷ୍ୟ ଠାରୁ ମନୁଷ୍ୟକୁ ସ˚କ୍ରମିତ ହୋଇ ଅତ୍ୟନ୍ତ ଭୟାନକ ‘ବ୍ଲାକ୍‌ ଡେଥ୍‌’ର ରୂପ ପରିଗ୍ରହଣ କରିଥିଲା। ଅର୍ଥାତ୍‌ କେବଳ ମୂଷାମାନଙ୍କୁ ନିପାତ କରି ମଧୢ ପ୍ଲେଗ୍‌ରୁ ବଞ୍ଚିବା ସମ୍ଭବ ନ ଥିଲା। ତୃତୀୟ ତରଙ୍ଗର ‘ବ୍ୟୁବନିକ ପ୍ଲେଗ୍‌’ର ଭୟାବହତା ଏଭଳି ଥିଲା ଯେ ଲୋକେ ବସତି ପରେ ବସତି, ଗ୍ରାମ ପରେ ଗ୍ରାମ ନିଆଁ ଲଗାଇ ଦେଇ ପଳାୟନ କରୁଥିଲେ। ତା’ ପରେ ୧୯୧୮ର ଆସିଥିଲା ‘ପାନ୍‌ଡେମିକ୍‌’ ‘ସ୍ପେନିସ ଫ୍ଲୁ’, ଯାହାର ସ˚କ୍ରମଣରେ ସାରା ପୃଥିବୀରେ ମୃତ୍ୟୁବରଣ କରିଥିଲେ ପ୍ରାୟ ୫ରୁ ୧୦ କୋଟି ଲୋକ ଏବ˚ ଭାରତରେ ମରିଥିଲେ ପ୍ରାୟ ଏକ କୋଟି।

ତେବେ, ଏଭଳି ଭୟାବହ ମହାମାରୀଗୁଡ଼ିକର ଅନ୍ତ ହେଲା କିପରି? ‘ପ୍ଲେଗ୍‌’ର ଜୁଆରରେ ଭଟ୍ଟା ପଡ଼ିବା ନେଇ କିଛି ଆନୁମାନିକ ସିଦ୍ଧାନ୍ତ ଉପଲବ୍‌ଧ। ଗୋଟିଏ ସିଦ୍ଧାନ୍ତ କହିଥାଏ ଯେ ବିଭିନ୍ନ କାରଣରୁ ପ୍ଲେଗ୍‌ବାହୀ ‘ଫ୍ଲି’ ପ୍ରଜାତି କାଳକ୍ରମେ ଲୋପ ପାଇ ଯାଆନ୍ତେ ଏହା ସମାପ୍ତ ହୋଇଗଲା। ଅନ୍ୟ ଏକ ସିଦ୍ଧାନ୍ତ ଅନୁସାରେ ଘରେ ବା ବଜାର ହାଟରେ ଚଳପ୍ରଚଳ ହେଉଥିବା ମୂଷାଗୁଡ଼ିକ ପ୍ଲେଗ୍‌ ସୃଷ୍ଟିକାରୀ ବ୍ୟାକ୍‌ଟେରିଆର ଭଣ୍ଡାର ହୋଇ ରହିଲେ ନାହିଁ। କେବଳ ବଡ଼ ବଣୁଆ ମୂୂଷାଙ୍କ ଶରୀରରେ ଏହି ବୀଜାଣୁ ଦେଖିବାକୁ ମିଳିଲେ। ବଣୁଆ ମୂଷାଗୁଡ଼ିକ ଜନବସତିରୁ ଦୂରରେ ରହୁଥିବାରୁ କ୍ରମେ ‘ପ୍ଲେଗ୍‌୍‌’ ମଣିଷ ସମାଜରୁ ଅପସରି ଗଲା। ତୃତୀୟ ସିଦ୍ଧାନ୍ତ ହେଲା ଯେ ଗୋଟିକ ପରେ ଗୋଟିଏ ଗାଁ ବା ବସତିକୁ ଜାଳିପୋଡ଼ି ଦିଆଯିବାରୁ ପ୍ଲେଗ୍‌ ବ୍ୟାକ୍‌ଟେରିଆ ଦୁର୍ବଳ ହୋଇ ପଡ଼ିଲେ ଏବ˚ ସ˚କ୍ରମଣ ବନ୍ଦ ହୋଇଗଲା। କିନ୍ତୁ ‘ସ୍ପେନିସ୍‌ ଫ୍ଲୁ’ର ଅନ୍ତ ନେଇ ଭେଷଜ ଇତିହାସକାରମାନେ କହନ୍ତି ଯେ ଏହାର ଉତ୍ତର ଅନ୍ତର୍ନିହିତ ଆଉ ଏକ କାରଣରେ ଯାହା ହେଲା ଏହା ମହାମାରୀର ‘ଆତଙ୍କ’ ଦ୍ବାରା ଗ୍ରସ୍ତ ଜନସମୁଦାୟ ପରିଶେଷରେ ଅତିଷ୍ଠ ହୋଇ ମୃତ୍ୟୁର ଘନଘଟା ମଧୢରେ ବି ସେମାନଙ୍କ ‌ଦୈନନ୍ଦିନ ଜୀବନଯାତ୍ରା ଚଳାଇ ରଖିବାର ଉଦ୍ୟମ ଆରମ୍ଭ କରିବାରୁ କ୍ରମେ ମହାମାରୀ ସୀମାନ୍ତରିତ ହୋଇ ଶେଷରେ ଅଦୃଶ୍ୟ ହୋଇଗଲା। ଭେଷଜ ବିଜ୍ଞାନୀମାନଙ୍କ ମତରେ ‘ସ୍ପେନିସ୍‌ ଫ୍ଲୁ’ର ଭୂତାଣୁ ଏବେ ମଧୢ ତାର ଦୁର୍ବଳ ଚେହେରା ଧରି ରହିଛି ଏବ˚ ଅନେକ ସମୟରେ ଆମମାନଙ୍କ ଶରୀରରେ ‘ଭାଇରାଲ ଥଣ୍ତା ଜ୍ବର’ ସୃଷ୍ଟି କରି ପୁଣି ଅନ୍ତର୍ଧାନ ହୋଇଯାଉଛି। ପ୍ରଥମ ବିଶ୍ବଯୁଦ୍ଧ ପରବର୍ତ୍ତୀ କାଳରେ ଉଜୁଡ଼ି ଯାଇଥିବା ପୃଥିବୀକୁ ପୁଣି ନୂଆ କରି ଗଢ଼ିବା ଲାଗି ସ˚କଳ୍ପବଦ୍ଧ ମାନବ ଜାତିର ସକାରାତ୍ମକ ଉଦ୍ୟମ ‘ସ୍ପେନିସ୍‌ ଫ୍ଲୁ’ର ଅନ୍ତ ଘଟାଇ ଥିବ ବୋଲି ଏହି ଇତିହାସକାରମାନେ କହିଥାଆନ୍ତି। ଭାରତ ପରିପ୍ରେକ୍ଷୀରେ ଏହା ମଧୢ ସ୍ମରଣରେ ରଖାଯାଇ ପାରେ କି ସେହି ସମୟ ଥିଲା ଭାରତୀୟ ସ୍ବାଧୀନତା ସ˚ଗ୍ରାମର ଭିତ୍ତି ସ୍ଥାପନର କାଳ। ସୁତରା˚, ଘର ଭିତରେ ବନ୍ଦ ହୋଇ ବସି ରହିବା ଭାରତୀୟମାନଙ୍କ ଲାଗି ସମ୍ଭବ ହୋଇ ନ ଥିବ।

ଏହି ସନ୍ଦର୍ଭରେ ‘କୋଭିଡ୍‌-୧୯’ ଭଳି ବିଶ୍ବ ସ˚କ୍ରମଣର ସମାପ୍ତି ନେଇ ଏକ ସ୍ପଷ୍ଟ ଅସ୍ପଷ୍ଟ ଧାରଣା ହୁଏ’ତ ସୃଷ୍ଟି ହୋଇପାରେ। ‘କୋଭିଡ୍‌-୧୯’ର ଏକ ପ୍ରତିଷେଧକ ପ୍ରସ୍ତୁତିରେ ସଫଳତା ବିଶ୍ବ ମାନବ ଜାତି ଲାଗି ଏକ ସ˚ଜୀବନୀ ତୁଲ୍ୟ ହେବ। କିନ୍ତୁ ପୃଥିବୀର ଅନେକ ଅଗ୍ରଣୀ ବୈଜ୍ଞାନିକ ଏଭଳି ଏକ ପ୍ରତିଷେଧକ ଉଦ୍ଭାବନର ସମ୍ଭାବନା ନେଇ ବିଶେଷ ଆଶାବାଦୀ ନୁହନ୍ତି। ଏଭଳି ସ୍ଥଳେ ଆମ ସାମାଜିକ ଆଚରଣ ଦ୍ବାରା ହୁଏ’ତ କରୋନା ‘ପାନ୍‌ଡେମିକ୍‌’ର ସମାପ୍ତି (ଯାହା କେବେ ନା କେବେ ହେବା ନିଶ୍ଚିତ) ହୋଇପାରେ। ଏହି ପରିପ୍ରେକ୍ଷୀରେ ୟେଲ ବିଶ୍ବବିଦ୍ୟାଳୟର ଇତିହାସକାର ନାଓମି ରୋଜର୍ସ ପ୍ରଦାନ କରିଥିବା ମତ ପ୍ରଣିଧାନଯୋଗ୍ୟ ଯାହା କହିଥାଏ ଯେ ହୁଏ’ତ କୌଣସି ଭ୍ୟାକ୍‌ସିନ ଉଦ୍ଭାବିତ ହେବା ପୂର୍ବରୁ ଭୟ ଓ ହତାଶା ଜର୍ଜରିତ ମାନବ ଜାତି ଆଉ ଗୃହବନ୍ଦୀ ଅବସ୍ଥାରେ ରହି ନ ପାରି ବାହାରକୁ ବାହାରିବ ଏବ˚ ଅତ୍ୟନ୍ତ ସତର୍କତାର ସହିତ ତାର ଦୈନନ୍ଦିନ ଜୀବନ ଯାତ୍ରା ଅବ୍ୟାହତ ରଖି ‘କୋଭିଡ୍‌-୧୯’ ବିରୋଧରେ ବିଜୟ ଘୋଷଣା କରିବ। ହୁଏ’ତ ଏହା ଦ୍ବାରା ପଥ ପ୍ରାନ୍ତରେ ପଡ଼ି ରହିବା ଭଳି ଗୁରୁତ୍ବହୀନ ହୋଇ ଏହି ଭୂତାଣୁ କ୍ରମେ ତାର ପରାକ୍ରମ ହରାଇବ। ସତରେ ଏହିଭଳି ହେବ କି ଏହି ‘ପାନ୍‌ଡେମିକ୍‌’ର ଅନ୍ତ?

ସମ୍ବନ୍ଧିତ ଖବର