କ୍ଷମତାଧାରୀ

ଷୋଡ଼ଶ ଶତାବ୍ଦୀରେ ‘ଫରାସୀ ବିପ୍ଳବ’ ପରବର୍ତ୍ତୀ କାଳୀନ ନରମେଧ ଯଜ୍ଞରେ ଗୁୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଗିଲୋଟିନ୍‌ଗୁଡ଼ିକରୁ ଗୋଟିକୁ ଏକ ଫରାସୀ ସ˚ଗ୍ରହାଳୟରେ ଦେଖୁଥିବା ବେଳେ ଇରାନର ଶାହ (୧୮୭୮-୧୯୪୧) ତାହା କାମ କରୁଛି କି ନା ଜାଣିବାକୁ ଚାହିଁବାରୁ ତାଙ୍କୁ ବୁଲାଇ ଦେଖାଉଥିବା ଗାଇଡ୍‌ ଜଣକ ଏହାର ଅସ୍ତିବାଚକ ଉତ୍ତର ଦେଇଥିଲେ। ଏହା ଶୁଣି ଶାହ କୁଆଡ଼େ ତତ୍‌କ୍ଷଣାତ୍‌ ତାଙ୍କର ଜଣେ ବ୍ୟକ୍ତିଗତ ପରିଚାରକକୁ ଭିଡ଼ି ଆଣି କହିଥିଲେ- ‘ଏହାକୁ କାଟ, ଦେଖିବା!’ ସ୍ବାଭାବିକ ଭାବେ ସେଠାରେ ତାଙ୍କ ହୁକୁମକୁ ତାମିଲ କରାଯାଇ ନ ଥିଲା। ପ୍ରଖ୍ୟାତ ଓଡ଼ିଆ କଥାକାର ମନୋଜ ଦାସଙ୍କ ଚମତ୍କାର ଭ୍ରମଣ କାହାଣୀ ‘ଦୂର ଦୂରାନ୍ତ’କୁ ପଢ଼ିଥିବା ଅନେକ ପାଠକପାଠିକାଙ୍କ ସ୍ମୃତିରେ ହୁଏ’ତ ଏହି ପ୍ରସଙ୍ଗର ଚଟୁଳ ବର୍ଣ୍ଣନା ଉଜ୍ଜୀବିତ ଥାଇପାରେ। ତେବେ, ଏଠାରେ ଏହି କଥାଟି ଅବତାରଣା କରାଯିବାର ଉଦ୍ଦେଶ୍ୟ କ୍ଷମତା ଗ୍ରାସ କରିଥିବା ମନୁଷ୍ୟର ହିତାହିତ ଜ୍ଞାନ ଶୂନ୍ୟତାକୁ ଦର୍ଶାଇବା। ତେବେ ଏହାକୁ ଏକ ଉପଲକ୍ଷ୍ୟ କରି ଯଦି ଏଠାରେ ବାଲେଶ୍ବରର ବାଲିଆପାଳ ବ୍ଳକ୍‌ର ବି.ଡି.ଓ.ଙ୍କ ଅତ୍ୟନ୍ତ ସମ୍ବେଦନଶୂନ୍ୟ ଆଚରଣ ବିଷୟ ଆଲୋଚନା କରାଯାଏ, ତେବେ ହୁଏ’ତ ଅନେକ ଏହି ସାଦୃଶ୍ୟରେ ଏକ ଅତିର˚ଜନର ଅଭିଯୋଗ କରିପାରନ୍ତି, କିନ୍ତୁ ତା ସତ୍ତ୍ବେ ଯାହା ସମସ୍ତେ ହୃଦ୍‌ବୋଧ କରିବା ଉଚିତ ତାହା ହେଲା ଏୟା ଯେ ସେ ଇରାନର ଅତି କ୍ଷମତାଶାୀଳୀ ଶାହ ହୁଅନ୍ତୁ ବା ଓଡ଼ିଶା ପ୍ରଶାସନର ତଳ ସୋପାନର ଜଣେ ଅଧିକାରୀ ହୁଅନ୍ତୁ; କ୍ଷମତାର ମଦିରା ସମସ୍ତଙ୍କୁ ହୁଏ’ତ ଏକା ଭଳି ଆଚ୍ଛନ୍ନ କରିପାରେ।

ଗଣମାଧୢମରେ ପ୍ରକାଶିତ ଓ ପ୍ରସାରିତ ସମ୍ବାଦ ଅନୁଯାୟୀ କିଛି ସୁରତ ଫେରନ୍ତାଙ୍କୁ ସ˚ପୃକ୍ତ ଅଧିକାରୀ ଅତ୍ୟନ୍ତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। କେବଳ ସେତିକି ନୁହେ, ସେ କୁଆଡ଼େ ନିଜର ପଦ ଓ କ୍ଷମତା ବିଷୟରେ ସେମାନଙ୍କୁ ସଚେତନ କରାଇ ଅତ୍ୟନ୍ତ କଟୁ ଭାଷାରେ ବିଭିନ୍ନ ପ୍ରକାର ତାଗିଦ କରିଥିଲେ। ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧୢମରେ ଭାଇରାଲ ହେବା ପରେ ତାହା ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି ଏବ˚ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଲାଗି ଆଦେଶ ଦିଆ ସରିଲାଣି।

ତେବେ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ତୃଣମୂଳ ସ୍ତରରେ ପ୍ରଶାସନ ଠାରେ ପ୍ରାୟ ଅଭ୍ୟାସଗତ ରୂପେ (ମୁଷ୍ଟିମେୟ ବ୍ୟତିକ୍ରମଙ୍କୁ ବାଦ ଦେଲେ) ପରିିଦୃଷ୍ଟ ହେଉଥିବା ସମ୍ବେଦନଶୂନ୍ୟତାର କାରଣ କ’ଣ ହୋଇପାରେ? ଜିଲ୍ଲା ପ୍ରଶାସନକୁ ଏକ ୟୁନିଟ ରୂପେ ବିଚାର କରାଯାଇ ଜିଲ୍ଲାପାଳଙ୍କ ଠାରୁ ତଳକୁ ଗଡ଼ି ଯାଉଥିବା ପ୍ରଶାସନିକ କ୍ଷମତା ଉପରେ ନଜର ପକାଇଲେ ଦେଖିବାକୁ ମିଳିଥାଏ ଯେ ପରିଶେଷରେ ତାହା ଯେଉଁଠି ଠୁଳ ହୋଇଥାଏ, ସେଠାରେ ବି.ଡି.ଓ. ବା ବ୍ଳକ୍‌ ଉନ୍ନୟନ ଅଧିକାରୀମାନେ ବିଦ୍ୟମାନ ଥାଆନ୍ତି। ସୁତରା˚, ତୃଣମୂଳ ସ୍ତରରେ ଏହି ଅଧିକାରୀମାନେ ହିଁ ହୁଅନ୍ତି ପ୍ରଶାସନର ଚେହେରା। ପୁଣି ସ˚ପ୍ରତି ରାଷ୍ଟ୍ର ବା ରାଜ୍ୟର ସମସ୍ତ ବିକାଶୋନ୍ମୁଖୀ କାର୍ଯ୍ୟ ବ୍ଲକ୍‌ ବା ପଞ୍ଚାୟତ ସ୍ତରରେ ହେଉଥିବା ସତ୍ତ୍ବେ ସେଠାରେ ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କ କ୍ଷୀଣ ଉପସ୍ଥିତି ହେତୁ ବ୍ଲକ୍‌ ସ୍ତରୀୟ ଅଧିକାରୀମାନେ ହିଁ ଏକ କ୍ଷମତା ବଳୟର କେନ୍ଦ୍ରରେ ରହନ୍ତି, ଯାହା ଅନେକ ସମୟରେ ସେମାନଙ୍କୁ ଗ୍ରାସ କରେ ଓ ତାର ପ୍ରତିଫଳନ ସେମାନଙ୍କ ଆଚରଣରେ ପରିଦୃଷ୍ଟ ହୋଇଥାଏ। ସେହିଭଳି ଆଉ ଏକ କାରଣ ହୋଇପାରେ ଯେ ତଳ ସୋପାନର ପ୍ରଶାସନିକ ଅଧିକାରୀମାନଙ୍କ ଲାଗି ଆମ ସରକାରୀ ବ୍ୟବସ୍ଥାରେ ନିୟମିତ ପ୍ରଶିକ୍ଷଣ ବା କାର୍ଯ୍ୟରେ ଉତ୍କର୍ଷ ବୃଦ୍ଧି ଲାଗି ମାନସ ମନ୍ଥନ ଭଳି କାର୍ଯ୍ୟକ୍ରମର ଅଭାବ। କହିବା ବାହୁଲ୍ୟ, ଉଚ୍ଚ ସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିୟମିତ ରୂପେ ଏଭଳି ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ, ଯାହା କାର୍ଯ୍ୟ ସ˚ପାଦନ କ୍ଷେତ୍ରରେ ସେମାନଙ୍କ ପ୍ରଦର୍ଶନକୁ ଉନ୍ନତ କରିଥାଏ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ବିଦେଶୀ ଶାସନ କାଳରେ ଉପନିବେଶବାଦୀ ସରକାରର ପ୍ରତିନିିଧି ଭାବେ କାର୍ଯ୍ୟ କରୁଥିବା ଭାରତୀୟ ଅମଲାତନ୍ତ୍ରର ମନୋଭାବରେ ଏବେ ସୁଦ୍ଧା ବିଶେଷ ପରିବର୍ତ୍ତନ ଆସିନାହିଁ। ଏକ ବହୁ ଆକା˚କ୍ଷିତ ଓ ପ୍ରତୀକ୍ଷିତ ପ୍ରଶାସନିକ ସ˚ସ୍କାର ଏ ଯାବତ୍‌ ସ˚ପନ୍ନ ହୋଇନାହିଁ। ଯଦିଓ ଆମ ରାଜ୍ୟରେ ଦକ୍ଷ ପ୍ରଶାସନ ସୁନିଶ୍ଚିତ କରିବା ଲାଗି ସରକାର ‘୫-ଟି’ ଭଳି ମଡେଲର ପ୍ରବର୍ତ୍ତନ କରିଛନ୍ତି, ତାହା କିନ୍ତୁ ଏ ଯାବତ୍‌ ବିଶେଷ ଫଳପ୍ରଦ ହୋଇପାରିନାହିଁ। ଏହା ସମସ୍ତଙ୍କୁ ଜଣା ଯେ ଆମ ଦେଶର ମୌଳିକ ସମସ୍ୟାମାନ ଠୁଳୀଭୂତ ହୋଇଛି ତୃଣମୂଳ ସ୍ତରରେ ଏବ˚ ସେ ସବୁକୁ ଦୂର କରିବା ଲାଗି ପ୍ରଶାସନିକ କ୍ଷମତା ମଧୢ ସେହି ସୋପାନରେ ରହିଛି। କିନ୍ତୁ ସମସ୍ୟା ଓ ସମାଧାନ ମଧୢରେ ଯୋଗସୂତ୍ର ରକ୍ଷା କରାଯିବାରେ ପ୍ରଶାସନିକ ବିଫଳତା କାରଣରୁ ସ୍ଥିତିି ଅପରିବର୍ତ୍ତିତ ରହୁଛି। ତାର ଏକ ବଡ଼ କାରଣ ନିମ୍ନ ସୋପାନରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ସମ୍ବେଦନଶୂନ୍ୟତା।

ସ˚ପୃକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ହୁଏ’ତ କରୋନା ସ˚କ୍ରମଣ କାଳୀନ ମାତ୍ରାତିରିକ୍ତ କାର୍ଯ୍ୟ ଓ ଦାୟିତ୍ବଜନିତ ମାନସିକ ଚାପର ବଶବର୍ତ୍ତୀ ହୋଇ ଏଭଳି ଆଚରଣ ପ୍ରଦର୍ଶନ କରିଥାଇପାରନ୍ତି। କିନ୍ତୁ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆମାନେ ସ୍ବାଭାବିକ ଭାବେ ଆହୁରି ଅଧିକ ମାନସିକ ଚାପରେ ରହିଥିବେ। ପୁଣି ସୁରତ ଫେରନ୍ତାଙ୍କ ଥଇଥାନ ଲାଗି ‘ନୋଡାଲ’ ଅଫିସର ରୂପେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏଭଳି ଦାୟିତ୍ବର ଅତିକାୟତା ନେଇ ସେ ମାନସିକ ସ୍ତରରେ ନିଶ୍ଚିତ ରୂପେ ପ୍ରସ୍ତୁତ ମଧୢ ରହିଥିବେ। ସେହି ଦୃଷ୍ଟିରୁ ତାଙ୍କର ଏଭଳି ଆଚରଣ କସ୍ମିନ କାଳେ ଗ୍ରହଣଯୋଗ୍ୟ ହୋଇପାରିବ ନାହିଁ।

‘ଚକା ଆଖି ସବୁ ଦେଖୁଛି’ ବୋଲି ଆଧୢାତ୍ମିକ ଧାରଣାଟିଏ ପ୍ରତ୍ୟେକ ଓଡ଼ିଆର ମନରେ ରହିଥାଏ। କିନ୍ତୁ ଏବେ ମୋବାଇଲରେ ଥିବା ଭିଡିଓ କ୍ୟାମେରାର ଚକ୍ଷୁ ଏକ ନୂତନ ସର୍ବଦ୍ରଷ୍ଟା ରୂପେ ଆବିର୍ଭୂତ ହେଲାଣି। ଏହି ଚକ୍ଷୁର ସୌଜନ୍ୟରୁ ଏଭଳି ଅନେକ ଅଘଟଣ ପଦାକୁ ଆସିବାରେ ଲାଗିଛି, ଯାହା ଅନ୍ୟଥା କଦାପି ପ୍ରଘଟ ହୁଅନ୍ତା ନାହିଁ। ତେଣୁ ଏଭଳି ଏକ ଚକ୍ଷୁର ସର୍ବ-ବିଦ୍ୟମାନତା ପ୍ରତି ସଜାଗ ରହିଲେ ଅନେକ ପଦାଧିକାରୀ ମାତ୍ରାଧିକ ଆଚରଣ ପ୍ରଦର୍ଶନ କରିବାକୁ ପ୍ରବୃତ୍ତ ହେଲେ ସୁଦ୍ଧା ଅଗତ୍ୟା ତହିଁରୁ କ୍ଷାନ୍ତ ରହନ୍ତେ। କିନ୍ତୁ ଏକ ନୈତିକ ବିଚାର ଆଧାରରେ କୁହାଯାଇପାରେ ଯେ ସବୁଠାରୁ ଭଲ ହୁଅନ୍ତା ଯଦି ସେଣ୍ଟ ହେଲେନା ଦ୍ବୀପରେ ନିର୍ବାସିତ ହୋଇ ଅନ୍ତିମ ଜୀବନ କାଟିଥିବା ଦିଗ୍‌ବିଜୟୀ ନେପୋଲିଅନ ବୋନାପାର୍ଟଙ୍କ ଠାରେ ଘଟିଥିବା ଭଳି ଅନ୍ତର୍ଚକ୍ଷୁର ଉନ୍ମୀଳନ ସମ୍ଭବ ହୁଅନ୍ତା। ହେଲେନା ଦ୍ବୀପରେ ଗୋଟିଏ ଅତ୍ୟନ୍ତ ସ˚କୀର୍ଣ୍ଣ ରାସ୍ତାରେ ଚାଲି ଚାଲି ଯାଉଥିବା ନିର୍ବାସିତ ଓ କ୍ଷମତାଚ୍ୟୁତ ନେପୋଲିଅନ ଅପର ପଟରୁ ଆସୁଥିବା ଜଣେ ଦରିଦ୍ର କୃଷକକୁ ବାଟ ଛାଡ଼ିଦେବା ଲାଗି ରାସ୍ତାରୁ ତୁରନ୍ତ ହଟିଯିବା ବେଳେ ହୃଦୟଙ୍ଗମ କରି ପାରିଥିଲେ ଯେ କ୍ଷମତା ଅପସାରିତ ହୋଇଗଲେ ତାଙ୍କ ଭଳି ବିଶ୍ବବିଜୟୀ ମଧୢ ନଗଣ୍ୟ ହୋଇଯାଇପାରନ୍ତି। କିନ୍ତୁ ଏଭଳି ଅନ୍ତର୍ଚକ୍ଷୁର ଉନ୍ମୀଳନ କ୍ଷମତାରେ ଥିବା ବେଳେ ପ୍ରାୟତଃ ଘଟି ନ ଥାଏ।

ସମ୍ବନ୍ଧିତ ଖବର